ଅଜ୍ଞାତ ଚୋର

ପ୍ରିୟନାଥ ଓ ସୁପ୍ରିୟା ସ୍ୱାମୀ ସ୍ତ୍ରୀ ଥିଲେ । ସେମାନଙ୍କ ନାମରେ ଯେପରି ସାମଞ୍ଜସ୍ୟ ଥିଲା, ସ୍ୱଭାବରେ ବି ସେହିପରି ଥିଲା । ସେମାନଙ୍କ ସ୍ୱଭାବର ଯାହା ବିଶେଷତ୍ୱ, ତାହା ବିବାହ ପରେ ପରେ ଉଭୟଙ୍କ ପାଖରେ ସ୍ପଷ୍ଟ ହୋଇ ଯାଇଥିଲା ।

                ତାହା ଏହି ପ୍ରକାରେ ଘଟିଥିଲା; ସେଦିନ ପ୍ରିୟନାଥ ଓ ସୁପ୍ରିୟା ସେମାନଙ୍କର ଜଣେ ବନ୍ଧୁବାନ୍ଧବଙ୍କ ଘରେ ବାହାଘର ଯୋଗୁଁ ଉପହାର ରୂପେ ପଠାଇବା ନିମନ୍ତେ ଖଣ୍ଡିଏ ଶାଢୀ କିଣିବା ଦରକାର ହେଲା । ଦୁହେଁ ଦୋକାନକୁ ଗଲେ । ସୁପ୍ରିୟା ଶାଢୀ ପସନ୍ଦ କଲା । ସୁପ୍ରିୟା ଅନ୍ୟ କିଛି ଲୁଗାପଟା ଦେଖିବା ବେଳେ ପ୍ରିୟନାଥ ସେ ଶାଢୀ ଖଣ୍ଡିକ ଲୁଚାଇ ବାହାରକୁ ନେଇ ଆସିଲା । ସେ ଭାବିଥିଲା ସୁପ୍ରିୟା ସେକଥା ଲକ୍ଷ୍ୟ କରି ନାହିଁ; ପ୍ରିୟନାଥ ମୂଲ୍ୟ ଦେଇ ଶାଢୀ ଆଣିଛି ବୋଲି ସେ ଧରିନେଇଥିବ । କିନ୍ତୁ ଦୁହେଁ ବାହାରକୁ ଆସିବା ପରେ ସୁପ୍ରିୟା ଆନନ୍ଦରେ ହାତତାଳି ଦେଇ ତା’ ସ୍ୱାମୀର କୌଶଳକୁ ତାରିଫ୍ କଲା । ଯେତେବେଳେ ପ୍ରିୟନାଥ ବୁଝିଲା ଯେ ସୁପ୍ରିୟା ତା’ ଚୋରି ବିଦ୍ୟାକୁ ବହୁତ ପସନ୍ଦ କରିଛି, ସେତେବେଳେ ସେ ଖୁସି ହୋଇଗଲା । ତେଣିକି ଦୁହେଁ ସଲାସୁତୁରା କରି ଚୋରି କରିବାକୁ ଲାଗିଲେ ।

                ସେମାନେ ସାଧାରଣତଃ ଏହିପରି କୌଶଳ ଅବଲମ୍ବନ କରୁଥିଲେ: କୌଣସି ନୂଆ ସହର ବା ବଜାରକୁ ଯାଇ ଘରଟିଏ ଭଡା ନେଇ ସେମାନେ ରହୁଥିଲେ । ସୁପ୍ରିୟା ପାଖ ପଡୋଶୀଙ୍କ ଘରର ସ୍ତ୍ରୀଲୋକଙ୍କ ସହ ଘନିଷ୍ଠ ଭାବରେ ମିଳାମିଶା କରି ସେମାନଙ୍କ ଘରେ ମୂଲ୍ୟବାନ ଜିନିଷ ବା ଟଙ୍କା କଉଡି କେଉଁଠାରେ ଅଛି ପ୍ରଥମେ ଠାବ କରୁଥିଲା । ତା’ପରେ ସୁଯୋଗ ଦେଖି ସେ ସେସବୁ ନିଜ ଘରକୁ ସ୍ଥାନାନ୍ତର କରୁଥିଲା । ଦୁଇ ତିନିଦିନ ଅନ୍ତରରେ ପ୍ରିୟନାଥ ସେସବୁ ନେଇ ଯାଇ ଜଣେ ବେପାରୀକୁ ଦେଇ ଟଙ୍କା ଆଣୁଥିଲା । ସେ ବେପାରୀ ଜଣକ ଚୋରମାନଙ୍କଠାରୁ ଜିନିଷ କିଣୁଥାଏ ।

                ଯେତେବେଳେ ଦୁହେଁ ବୁଝୁଥିଲେ କି ସେମାନଙ୍କ ଉପରେ ଲୋକଙ୍କର ସନ୍ଦେହ ହେଲାଣି, ସେତେବେଳେ କାହାକୁ କିଛି ନ ଜଣାଇ ଚୁପ୍ଚାପ୍ ବସାଘର ଛାଡି ଅନ୍ୟତ୍ର ଚାଲି ଯାଉଥିଲେ ।

                ବେପାର ବେଶ୍ ଭଲ ଚାଲିଥିଲା । ଗୋଟିଏ ସ୍ଥାନରେ ଦୁଇ ଚାରିଥର ଚୋରୀ କରିବା ପରେ ପ୍ରଥମେ ସେ ସ୍ଥାନ ଛାଡି ଅନ୍ୟତ୍ର ଯାଉଥିଲେ । କିନ୍ତୁ ସେହି ସହରରେ ଦୁଇଚାରି ସ୍ଥାନ ବଦଳାଇବା ପରେ ସହର ଛାଡି ମଧ୍ୟ ଅନ୍ୟ ସହରକୁ ଯାଉଥିଲେ ।

                ଥରେ ଦୁହେଁ ଯାଇ ଶ୍ରୀରାମପୁରରେ ଭଡା ଘରଟିଏ ନେଇ ଆସ୍ଥାନ ଜମାଇଲେ । ଯଥାରୀତି କାମ ଚାଲିଲା । ବରଂ ସେଠାରେ ବେଶି ଆୟ ହେଲା । ଦିନେ ଖରାବେଳେ ସୁପ୍ରିୟା ସ୍ତ୍ରୀଲୋକମାନଙ୍କ ବୈଠକରେ କହିଲା, “ଛିଃ, ଆମେ ତ ଏଠି ନୂଆ । ଆପଣମାନଙ୍କର ଏ ଅଂଚଳରେ ଏତେ ଚୋରି ହୁଏ ବୋଲି ଜାଣିଥିଲେ ଆମେ କଦାପି ମଧ୍ୟ ଏଠାକୁ ଆସି ନଥାନ୍ତୁ । ବର୍ତ୍ତମାନ ଆପଣମାନଙ୍କ ପ୍ରତି ମୋର ଏତେ ସ୍ନେହ ଶ୍ରଦ୍ଧା ଆସି ଯାଇଛି ଯେ ଆଉ ଏଠାରୁ ଯିବାକୁ ଇଚ୍ଛା ହେଉ ନାହିଁ ।”

                ସୁପ୍ରିୟାର ଅଭିଯୋଗରେ ସ୍ତ୍ରୀଲୋକମାନେ ବାସ୍ତବିକ ଲଜ୍ଜା ଅନୁଭବ କଲେ । ସେମାନଙ୍କ ଘରୁ ଯେମିତି ଜିନିଷପତ୍ର ଚୋରି ହେଉଛି, ସୁପ୍ରିୟା ଘରୁ ବି ସେମିତି ଚୋରି ହେଉଛି ବୋଲି ସେମାନେ ଧରିନେଲେ । ସେମାନେ କହିଲେ, “ଭଉଣୀ! ବିଶ୍ୱାସ କର, ଆଗେ ଏପରି ହେଉ ନଥିଲା । ଏଇ କେଇଦିନ ହେଲା ଏପରି ହେଉଛି । ଆମେ ବଡ ଦୁଃଖିତ ।”

                ସେଦିନ ସୁପ୍ରିୟା ଘରକୁ ଆସି ବାହାଦୁରୀ କରି ପ୍ରିୟନାଥକୁ ସେ କହିଲା, “ତମେ ତ ଖାଲି ଜିନିଷ ରପ୍ତାନି କରୁଛ । କିନ୍ତୁ ଆମଦାନି କିଏ କରୁଛି? ଉୁଁ । ସେଥିରେ ପୁଣି ସମସ୍ତଙ୍କ ବିଶ୍ୱାସ ମୋ ଉପରେ ଅତୁଟ ରଖି ପାରୁଛି । ତମେ ଆଜି ଗୋଟାଏ ଚିଜ ଆମଦାନୀ କଲ, ଦେଖିବା!”

                ପ୍ରିୟନାଥ ହସି ପଚାରିଲା “କେଉଁ ଚିଜ?”

                ଆମ ବସା ପୂର୍ବକୁ ରଘୁବାବୁଙ୍କ ବଗିଚା । ଗୋଟାଏ ପ୍ରକାଣ୍ଡ ପାଟକପୁରା କଦଳୀ କାନ୍ଧି ପଡିଛି । ଶୀଘ୍ର ପାଚିବ । ଏଇଟା ଆମେ ଖାଇବା । ଆଜି କାଟି ଆଣି ପାରିବ?”

                “ମଲା! ଏଇ କଥା!”

                ପ୍ରିୟନାଥ ରାତିରେ କଦଳୀ କାନ୍ଧି କାଟି ଆଣିଲା । ପାଚିରୀ ଏପଟେ ରହି ସୁପ୍ରିୟା ତାହା ଧରି ଆଣିଲା । ଘର ଭିତରେ ଗୋଟିଏ ଭାଡି ଉପରେ ସେମାନେ ତାହା ଲୁଚାଇ ରଖି ଶୋଇ ପଡିଲେ । ଉଭୟଙ୍କର ନିଦ ଖୁବ୍ ଗାଢ ହେଇଥାଏ ।

                ସକାଳେ ପ୍ରିୟନାଥ ପାଟି ଶୁଣି ସୁପ୍ରିୟା ଉଠି ପଡିଲା । ଘର କବାଟ ସବୁ ମେଲା ପଡିଥିଲା । ଜିନିଷ ପତ୍ର ଏଣେ ତେଣେ ଖେଳେଇ ହୋଇ ରହିଥିଲା । ପ୍ରିୟନାଥ ଦୌଡିଯାଇ ସିନ୍ଦୁକ ଖୋଲା ରହିଥିବାର ଦେଖି ଭିତରେ କିଛି ଖୋଜିଲା ଓ ଚିତ୍କାର କରି କହିଲା, “ପାଞ୍ଚ ହଜାର ଟଙ୍କା ରଖିଥିଲି । ସବୁ ଯାଇଛି!”

“ଆମ ଘରୁ ଚୋରୀ!” ଏତିକି କହି ସୁପ୍ରିୟା ପାଟି କରି କାନ୍ଦି ଉଠିଲା । ପାଖ ପଡୋଶୀ ଦୌଡି ଆସିଲେ ।

ରଘୁବାବୁଙ୍କ ସ୍ତ୍ରୀ ପାର୍ବତୀ ଆଶ୍ଚର୍ଯ୍ୟ ହୋଇ କହିଲେ “ଆରେ, ଆରେ! ଆମ କଦଳୀ କାନ୍ଧି କ’ଣ ଏଠି!” କଦଳୀ କାନ୍ଧିଟି ଭାଡିରୁ କାଢି ଚୋର କାହିଁକି ତଳେ ଥୋଇ ଦେଇଥିଲା, ସେକଥା ପ୍ରିୟନାଥ ବା ସୁପ୍ରିୟା ବୁଝି ପାରିଲେ ନାହିଁ । ପାର୍ବତୀ ଆଗେଇ ଯାଇ କଦଳୀ କାନ୍ଧି ଦେହରେ ଗୁଡା ହୋଇଥିବା ଖଣ୍ଡିଏ କାଗଜ ବାହାର କରି ଆଣି ପଢିଲେ: “ମୁଁ ‘ଚୋର’ ଲେଖୁଛି । ମୁଁ ଆଜିଯାଏଁ ଚୋରି କରି ନଥିଲି । ମୁଁ ଜଣେ ଗରୀବ ଯୁବକ । କାଲି ରାତିରେ ବାଟରେ ଯିବା ବେଳେ ଦେଖିଲି ତମେ ପଡିଶା ଘରୁ କଦଳୀ କାନ୍ଧି ଚୋରି କରୁଛ । ତମ ଘର ଖୋଲା ଥିଲା । ମୁଁ ସେତିକିବେଳେ ଘରେ ପଶିଗଲି ଓ ତମ ଶେଯ ତଳୁ ଚାବି ବାହାର କରିନେଇ ଆଗେ ସିନ୍ଦୁକ ଖୋଲି ଟଙ୍କା କାଢି ନେଲି । ଚାଲିଯିବାକୁ ବାହାରିଛି, ତମେମାନେ ଆସିଗଲ । ତେଣୁ ମୁଁ କୋଣରେ ଅନ୍ଧାରରେ ବସି ରହିଲି । ତମମାନଙ୍କ କଥାବାର୍ତ୍ତାରୁ ବୁଝିଲି ତମେମାନେ ପ୍ରବୀଣ ଚୋର । ତମେମାନେ ଶୋଇ ପଡିବା ପରେ ଏ ଚିଠି ବାରନ୍ଦାରେ ଜହ୍ନ ଆଲୁଅରେ ବସି ଲେଖିଲି ଓ ଯାହା ଯେତିକି ପାଇଲି ନେଇଗଲି । ଏସବୁ ତ ଆଉ ତମର ନୁହେଁ! ତେଣୁ ମନ ଖରାପ କରିବ ନାହିଁ ।”

ପାର୍ବତୀ ଚିଠିଟି ପାଟି କରି ପଢିବା ବେଳକୁ ଆଉ କେହି କେହି ସେମାନଙ୍କ ଘରୁ ଚୋରି ଯାଇଥିବା ଜିନିଷ ସେଠି ପାଇଗଲେ ।

ସୁପ୍ରିୟା ଓ ପ୍ରିୟନାଥ କଥା ନକହି ଠିଆ ହୋଇଥାନ୍ତି ।

ସେ ସାହିର ଲୋକେ ଅତ୍ୟନ୍ତ ଭଦ୍ର ଥିଲେ । ସେମାନେ ସେ ଦୁହିଁଙ୍କୁ କିଛିବି ଦଣ୍ଡ ଦେଲେ ନାହିଁ । କହିଲେ “ଛାଡ । ଯାଅ, ପଳାଅ!” ସେମାନେ କିଛିଦିନ ପରେ ସେ ଦୁହିଁଙ୍କୁ ଭୁଲିଗଲେ । କିନ୍ତୁ ସେ ଦୁହେଁ ଆଜୀବନ ସେ ଅଜ୍ଞାତ ଚୋରକୁ ଭୁଲି ପାରିଲେ ନାହିଁ ।

Find Amazon’s best deals & get advantage of the more hidden discounts!

Find over 75% discounts

Discover hidden offers, sales & discounts when searching for products on Amazon.

Keyword/s (optional)

(eg Iphone 5s Gold or Ipad Mini 16GB)

Search Discount

ସାଢି | ଲାପଟପ୍ | ଟେଲିଭିଜନ୍ | ଯୋତା | ମୋବାଇଲ୍ |ବହି

ପ୍ରଥମେ ଯେକୌଣସି ଜିନିଷ ସର୍ଚ୍ଚ କରନ୍ତୁ, ପରେ କ୍ୟାସ ଅନ ଡେଲିଭରିରେ ଅଡ଼ର୍ କରନ୍ତୁ, ମାନେ ଜିନିଷ ପାଇଲା ପରେ ହିଁ ପଇସା ଦିଅନ୍ତୁ

ଗପ ସାରଣୀ

ତାଲିକାଭୁକ୍ତ ଗପ

ନୂଆ ତାଲିକାଭୁକ୍ତ ଗପ