“ଅତିଥି”

ପ୍ରାୟ ହଜାରେ ବର୍ଷ ତଳର କଥା । ଚୀନର ଏକ ଛୋଟ ରାଜ୍ୟର ରାଜଧାନୀରେ ଗୋଟାଏ ଚୋର ଭାରି ଉପଦ୍ରବ କରୁଥାଏ । ସେ ଚୋର ଏଡେ କୌଶଳୀ ଯେ ତାକୁ କେହି ଧରି ପାରିବା ତ ଦୂରର କଥା, କେହି କେବେ ବି ଦେଖିପାରୁ ନଥାନ୍ତି ।

                ସେ ସହରର ଥିଲାବାଲା ଲୋକେ ଯାଇ ବାରମ୍ବାର ସେ ରାଜ୍ୟର ରାଜାଙ୍କ ପାଖରେ ଆପତ୍ତି ଅଭିଯୋଗ କଲେ । ସେ ଚୋରର ବିଶେଷତ୍ୱ ହେଲା, ସିଏ ଯେଉଁ ଘରୁ ଚୋରି କରେ, ସେ ଘର କାନ୍ଥରେ “ଅତିଥି” ବୋଲି ଲେଖିଦେଇ ଯାଏ ।

                ରାଜା କଟୁଆଳକୁ ହୁକୁମ୍ ଦେଲେ, “ଏଭଳି ଗୋଟାଏ ଚୋର ଆମ ପ୍ରହରୀମାନେ ଧରି ପାରିବେ ନାହିଁ, ଏହା ବଡ ଲଜ୍ଜାର ବିଷୟ । ଏଥିରେ ଆମ ସମ୍ମାନ ଆଉ ରହିବଟି? ଯେପରି ଉପାୟରେ ହେଉ ନା କାହିଁକି, ସେ ଚୋରଟିକୁ ଧରିବାକୁ ଚେଷ୍ଟା କର ।”

                କଟୁଆଳ ସବୁ ପ୍ରହରୀମାନଙ୍କୁ ଡକାଇ ଯେମିତି ହେଲେବି ସେହି ଚୋରଟିକୁ ଧରିବାକୁ ପଡିବ ବୋଲି କଡା କରି ଶୁଣାଇ ଦେଲେ ।

ଦିନେ ପ୍ରହରୀମାନେ ଜଣେ ଯୁବକକୁ ଧରି ଆଣି ତାକୁ କଟୁଆଳଙ୍କ ଆଗରେ ହାଜର୍ କଲେ ଓ କହିଲେ, “ହଜୁର୍, ଏଇ ହେଲା ସେ ‘ଅତିଥି’ ଚୋର ।”

କଟୁଆଳ ସେ ଯୁବକ ଆଡେ ତୀକ୍ଷ୍ନ ଦୃଷ୍ଟିରେ ଅନାଇଲେ । ଯୁବକ ତାଙ୍କୁ ନମସ୍କାର କରି କହିଲା, “ହଜୁର୍! ମୁଁ ଜଣେ ସାଧାରଣ ବେପାରୀ । ଏମାନେ ମୋତେ ଅଚିହ୍ନା ଦେଖି ଏଠାକୁ ଧରି ଆଣିଛନ୍ତି ।”

                କଟୁଆଳ ପ୍ରହରୀ-ସର୍ଦ୍ଦାରକୁ ପଚାରିଲେ, “ଏ ଯୁବକ ଜଣକ ଅତିଥି-ଚୋର ବୋଲି କ’ଣ ପ୍ରମାଣ?”

                “ହଜୁର, ଏହାର ଗତିବିଧି ଉପରେ ଆଖି ରଖି ଆମେ ଠିକ୍ ଠିକ୍ ବୁଝିଛୁ ।”

                କଟୁଆଳ କହିଲେ, “ଆଚ୍ଛା, ଏହାକୁ ନେଇ ତମେ କାରାଗାରରେ ରଖ । ୟାର ବିଚାର ଆମେ ପରେ କରିବା ।”

                ଯୁବକକୁ କାରାଗାର ଭିତରେ ରଖାଗଲା । ସେଦିନ ସଂନ୍ଧ୍ୟାବେଳେ କାରାରକ୍ଷୀ ତା’ କୋଠରୀ ଆଗଦେଇ ଯିବାବେଳେ ଯୁବକ କହିଲା, “ମହାଶୟ! କୌଣସି ବଡ ଲୋକଙ୍କୁ ଭେଟିବା ବେଳେ କିଛି ଦେବା ହେଲା ମୋର ଅଭ୍ୟାସ । କିନ୍ତୁ ମୋର ଦୁର୍ଭାଗ୍ୟ ଆପଣଙ୍କୁ ମୁଁ ଆଜି କିଛିବି ଦେଇ ପାରିଲି ନାହିଁ । ଟଙ୍କା ଯେ ନାହିଁ, ତାହା ନୁହେଁ, କିନ୍ତୁ…”

                ସ୍ୱଭାବରେ ସେ କାରାରକ୍ଷୀ ଜଣକ ଟିକେ ଲୋଭୀ ଲୋକ ଥିଲା । ସେ ପଚାରିଲା, “କିନ୍ତୁ କ’ଣ?”

ଯୁବକଟି ଦୀର୍ଘନିଶ୍ୱାସ ଛାଡି କହିଲା “ମୁଁ ତ ସାଧାରଣ ବେପାରୀ । ମୋର କେହି ନାହିଁ । ପଇସା ସଂଚୟ କରି ଦିନେ ଘର ତୋଳିବି, ବାହା ସାହା ହେବି, ସେଥିପାଇଁ ମୁଁ ଏଣେ ତେଣେ କିଛି ସୁନା ଟଙ୍କା ଲୁଚାଇ ରଖିଛି । କିନ୍ତୁ ମୁଁ ସେକଥା କହିଲେ କଟୁଆଳ ଭାବିବେ ତାହା ଚୋରି ଟଙ୍କା ।”

କାରାରକ୍ଷୀ ପଚାରିଲା “ଟଙ୍କା କେଉଁଠି ରଖିଛ?”

ଯୁବକ କହିଲା “ଆଜ୍ଞା, ମନ୍ଦିର ପଛପଟେ ଖଣ୍ଡିଏ ତିନି କୋଣିଆ ପଥର ତଳେ । ଆପଣ ଯଦି କିଛି ମନେ ନ କରିବେ, ତେବେ ନିଜେ ଯାଇ ସେସବୁ ସେଠାରୁ ବାହାର କରି ଆଣନ୍ତୁ । ସେଥିରେ ମୁଁ ଖୁସି ହେବି ।”

କାରାରକ୍ଷୀ ପ୍ରଥମେ ଯୁବକ କଥାରେ ପରତେ ସୁଧାବି ଗଲା ନାହିଁ । କିନ୍ତୁ ଥରେ ଯାଇ ଦେଖିଲେ କ’ଣ ବା କ୍ଷତି? ଏହା ଭାବି ସେ ଠିକ୍ ସଂନ୍ଧ୍ୟାବେଳକୁ ମନ୍ଦିର ପଛପଟକୁ ଯାଇ ତିନିକୋଣିଆ ପଥର ଖଣ୍ଡିକ ଉଠାଇଦେଇ ତା’ ତଳେ ଗୋଟିଏ ଥଳି ଥିବାର ଦେଖିଲା । ଥଳି ଭିତରେ ସୁନା ଟଙ୍କା ଥିଲା । କଟୁଆଳ ଯୁବକ ଉପରେ ବହୁତ ଖୁସି ହେଲା । କାରାଗାର ଭିତରେ ବନ୍ଦୀ ପ୍ରତି ଯେତେ ଭଲ ବ୍ୟବହାର କରିବା ସମ୍ଭବପର, ସେ ତାହା କରୁଥାଏ ।

କିଛିଦିନ ପରେ ଗୋଟିଏ ପର୍ବଦିନ ଆସୁଥାଏ । ଯୁବକ ତହିଁ ପୂର୍ବଦିନ କହିଲା, “କାରାରକ୍ଷୀ ମହୋଦୟ! ଆପଣ ଯଦି ପୋଲ ତଳେ ପଡିଥିବା ପଥର ଖଣ୍ଡମାନ ଭିତରୁ ମୁଁ ରଖିଥିବା ଦୁଇଟି ଥଳି ବାହାର କରି ଆଣନ୍ତେ, ତେବେ ଗୋଟିଏ ଥଳି ଆପଣ ନିଜ ଘର ପାଇଁ ରଖନ୍ତେ ଓ ଅନ୍ୟ ଥଳିଟି ମୋ ବୁଢା ବାପା ମା’ଙ୍କ ପାଖକୁ ପଠାଇ ଦିଅନ୍ତେ । କାହିଁକିନା ସେମାନେ ତ ଆଉ ମୋ ଅବସ୍ଥା ବିଷୟରେ ଜାଣନ୍ତି ନାହିଁ । ଟଙ୍କାତକ ପାଇଲେ ମୁଁ ଭଲ ଅଛି ବୋଲି ବୁଝନ୍ତେ ଓ ପର୍ବ ପାଇଁ ସେମାନେ ଖର୍ଚ୍ଚ ବାର୍ଚ୍ଚ ବି କରନ୍ତେ ।”

ଥରେ ଟଙ୍କା ଆବିଷ୍କାର କରି କାରାରକ୍ଷୀର ଲୋଭ ବଢି ଯାଇଥାଏ । ସେ ସଂନ୍ଧ୍ୟାବେଳେ ଯାଇ ପୋଲ ତଳେ ଖୋଜାଖୋଜି କରି ଗୋଟିଏ ଥଳି ପାଇଲା । ସେ ଫେରି ଆସି ଯୁବକକୁ କହିଲା, “ଆଉ ଗୋଟିଏ ଥଳି ମୁଁ ତ କାହିଁ ପାଇଲି ନାହିଁ । ଏଇ ଗୋଟିଏ ପାଇଲି । କାହାକୁ ଦେଲେ ସେ ତମ ଘରେ ଏହାକୁ ଦେଇ ପାରିବ?”

“ମହାଶୟ! ଆପଣ ଯେତେବେଳେ ମାତ୍ର ଗୋଟିଏ ଥଳି ପାଇଲେ, ସେ ଗୋଟିକ ଆପଣ ରଖନ୍ତୁ । ମୋର ଦୁର୍ଭାଗ୍ୟ, ମୁଁ ମୋ ବାପା ମା’ଙ୍କୁ ଖୁସି କରି ପାରିଲି ନାହିଁ । ତେବେ, ଆପଣ ଯଦି ମୋତେ ଅବିଶ୍ୱାସ କରୁ ନାହାଁନ୍ତି, ତେବେ ମୋତେ କିଛି ସମୟ ପାଇଁ ଛାଡି ଦିଅନ୍ତୁ । ମୁଁ କଦାପି ମଧ୍ୟ ପଳାଇବି ନାହିଁ । ପଳାଇବି କାହିଁକି? ମୁଁ ନିର୍ଦୋଷ ନୁହେଁ ବୋଲି ପ୍ରମାଣିତ ହୋଇଯିବି । ସସମ୍ମାନେ ମୁକ୍ତି ପାଇବି । ମୁଁ ଖାଲି ଅନ୍ୟ ଥଳିଟି ବାହାର କରି ଆଣି ବାପା ମା’ଙ୍କୁ ଦେଇ ଆସିବି । ପୁରା ଦେବା ମଧ୍ୟ କିଛି ଦରକାର ହେବ ନାହିଁ । କିଛି ଟଙ୍କା ବଂଚାଇ ଆଣିବି । ଆପଣ ପର୍ବ ଦିନରେ ସପରିବାରେ ଭଲ ଖାଇବେ ।”

କାରାରକ୍ଷୀ ପୁଣି କିଛି ଟଙ୍କା ପାଇବା ଲୋଭରେ ଏଥିରେ ମୋଟେ ଆପତ୍ତି କଲା ନାହିଁ । ଯୁବକକୁ ଛାଡି ଦେଲା । କିନ୍ତୁ ସେ ସେଠାରୁ ଚାଲିଯିବା ପରେ ତା’ ମନରେ ବହୁତ ଶଙ୍କା ହେଲା । ଯଦି ଏ ଯୁବକ ଆଉ ନ ଫେରିବ? ତେବେ ତ ତା’ ନିଜର ମୁଣ୍ଡ କାଟ ହୋଇପାରେ । କାରାଗାରରୁ ବନ୍ଦୀକୁ ଛାଡିଦେବା ଏକ ଗୁରୁତର ଅପରାଧ ।

ସେ ଏହି କଥା ଭାବି ଭାବି ସାରା ରାତି ଆଉ ଶୋଇ ପାରିଲା ନାହିଁ । କିନ୍ତୁ ମଝି ରାତି ବେଳକୁ ଯୁବକ ଫେରି ଆସିଲା । ସେ କିଛି ଟଙ୍କା ବି ଦେଲା । କାରାରକ୍ଷୀ ଆନନ୍ଦରେ ତାକୁ କୁଣ୍ଢାଇ ପକାଇଲା ।

ସକାଳେ କଟୁଆଳ ଆସି ଗମ୍ଭୀର ଭାବରେ କାରାରକ୍ଷୀକୁ କହିଲେ, “ଅତିଥି-ଚୋର ସନ୍ଦେହରେ ଯେଉଁ ଯୁବକ ବନ୍ଦୀ ହୋଇଛି, ସେ ବାସ୍ତବିକ ଚୋର ନୁହେଁ । ତାକୁ ବର୍ତ୍ତମାନ ଛାଡି ଦିଅ । ନିର୍ଦୋଷକୁ ବନ୍ଦୀ କରିବା ଠିକ୍ ହୋଇ ନାହିଁ ।”

ପ୍ରବଳ ଉତ୍ସାହରେ କାରାରକ୍ଷୀ କହିଲା, “ହଜୁର୍! ଆପଣ ଠିକ୍ କହୁଛନ୍ତି । ଏ ଯୁବକ ଜଣକ ଅତ୍ୟନ୍ତ ଭଦ୍ର ଓ ସଚ୍ଚୋଟ ।”

କଟୁଆଳ କହିଲେ “ତମେ ସେକଥା ମୋତେ ଆଗରୁ କହିବା ଉଚିତ୍ ଥିଲା । କାଲି ରାତିରେ ଅସଲ ‘ଅତିଥି’ ଚୋର ପୁଣି ଚୋରି କରିଛି । ସେହି ଏକା ହସ୍ତାକ୍ଷରରେ ‘ଅତିଥି’ ବୋଲି ଲେଖି ଦେଇ ଯାଇଛି । ତେଣୁ ଏ ବନ୍ଦୀ ଯୁବକ କେବେବି ଚୋର ହୋଇ ପାରେନା ।” ଚୋରକୁ ମୁକ୍ତି ଦେବା ବେଳେ କଟୁଆଳ ପୁଣି କହିଲେ, “କାରାରକ୍ଷୀ! ବନ୍ଧୁ! ମୋର ତମକୁ ଗୋଟାଏ ଦୁଃସମ୍ବାଦ ଦେବାର ଅଛି । ତମରି ଘରୁହିଁ ଏ ଚୋରି ହୋଇଛି । ସକାଳେ ଜଣେ ପ୍ରହରୀ ସେ ରାସ୍ତାରେ ଆସିବା ବେଳେ ତମ ସ୍ତ୍ରୀଠୁଁ ଖବର ପାଇ ମୋତେ ଆସି କହିଲା ।”

ଏଭଳି କଥା ଶୁଣିବା ମାତ୍ରେ ସେ କାରାରକ୍ଷୀ ଦୁଃଖ ଓ ବିସ୍ମୟରେ ଆଉ କିଛି କଥା କହିପାରିଲା ନାହିଁ । ଯୁବକଟି କଟୁଆଳକୁ ଓ କାରାରକ୍ଷୀକୁ ଲମ୍ବ ଅଭିବାଦନ କରି ସେଠାରୁ ଚାଲିଗଲା ।

କାରାରକ୍ଷୀ ଘରକୁ ଯାଇ ଦେଖିଲା, ସିନ୍ଦୁକରେ ଥିବା ବହୁଦିନ ଧରି ସଂଚିତ ଟଙ୍କା ସବୁ ଚୋରି ହୋଇ ଯାଇଛି । ତେବେ ତା’ ସ୍ତ୍ରୀ ତାକୁ ଗୋଟିଏ ଥଳି ଦେଖାଇ ଚୁପ୍ ଚୁପ୍ କହିଲା, “ଚୋର ଏଥିରେ ଅଳ୍ପ କିଛି ଟଙ୍କା ଓ ଖଣ୍ଡିଏ ଚିଠି ଲେଖି ରଖିଯାଇଛି । ସେ ଚିଠିରେ ଲେଖା ଅଛି: “ତମ ସହଯୋଗ ପାଇଁ ଧନ୍ୟବାଦ ।” ମୁଁ ଏ ଚିଠି କଥା ଆଉ କାହାକୁବି ହେଲେ କହି ନାହିଁ । କିଏ ତା’ସହ ସହଯୋଗ କଲା?”

ଏଣେ ଏ କାରାରକ୍ଷୀ ଖାଲି ମୂକ ଭଳି ଅନାଇଥାଏ ।

Find Amazon’s best deals & get advantage of the more hidden discounts!

Find over 75% discounts

Discover hidden offers, sales & discounts when searching for products on Amazon.

Keyword/s (optional)

(eg Iphone 5s Gold or Ipad Mini 16GB)

Search Discount

ସାଢି | ଲାପଟପ୍ | ଟେଲିଭିଜନ୍ | ଯୋତା | ମୋବାଇଲ୍ |ବହି

ପ୍ରଥମେ ଯେକୌଣସି ଜିନିଷ ସର୍ଚ୍ଚ କରନ୍ତୁ, ପରେ କ୍ୟାସ ଅନ ଡେଲିଭରିରେ ଅଡ଼ର୍ କରନ୍ତୁ, ମାନେ ଜିନିଷ ପାଇଲା ପରେ ହିଁ ପଇସା ଦିଅନ୍ତୁ

ଗପ ସାରଣୀ

ନୂଆ ତାଲିକାଭୁକ୍ତ ଗପ