ଆଖି ଥାଇ ଅନ୍ଧ

ଉଦୟଗିରି ନଗରୀର ଶାସନକର୍ତ୍ତା ରୂପେ ପୁରନ୍ଦର ନାମକ ଜଣେ ଅମାତ୍ୟ ନିଯୁକ୍ତ ହୋଇଥିଲେ । ମହାରାଜା ତାଙ୍କୁ ନିଯୁକ୍ତ କରିଥିଲେ ସତ, କିନ୍ତୁ ସେ ନଗରୀରେ ଲୋକେ ପୁରନ୍ଦରଙ୍କୁହିଁ ରାଜା ଭଳି ଦେଖୁଥିଲେ ।

                ପୁରନ୍ଦରଙ୍କ ପ୍ରତି ଲୋକଙ୍କର ସେଭଳି ସମ୍ମାନ ରହିବାର ବିଶେଷ କାରଣ ଥିଲା । ଉଦୟଗିରିରେ ଅନେକ ଦିନ ଧରି ଅରାଜକତା ବ୍ୟାପି ରହିଥିଲା । ଚୋର, ଡାକୁ ଓ ଗୁଣ୍ଡାମାନେ ଜନସାଧାରଣଙ୍କୁ ଆତଙ୍କିତ କରି ରଖିଥିଲେ । ରାତି ହେଲେ ନାଗରିକମାନେ ଆଉ ରାସ୍ତାକୁ ବାହାରୁ ନଥିଲେ ।

                ମହାରାଜା ଏଭଳି ପରିସ୍ଥିତିର ପରିଚୟ ପାଇ ତାଙ୍କର ବିଶ୍ୱସ୍ତ ଅମାତ୍ୟ ଓ ଦକ୍ଷ କର୍ମଚାରୀ ପୁରନ୍ଦରକୁ ସେଠାକୁ ପଠାଇଥିଲେ ।

                ପୁରନ୍ଦର ଉଦୟଗିରିରେ ପହଁଚି ସଙ୍ଗେ ସଙ୍ଗେ ନଗରୀର ସବୁ କର୍ମଚାରୀମାନଙ୍କର ବୈଠକ ଡକାଇ କହିଦେଲେ, “ପନ୍ଦର ଦିନ ଭିତରେ ଯଦି ନଗରୀରେ ସ୍ୱାଭାବିକ ଅବସ୍ଥା ବିରାଜ ନ କରିଛି, ତେବେ ସମସ୍ତଙ୍କର ଚାକିରୀ ଯିବ – ତୁଙ୍ଗ କର୍ମଚାରୀମାନେ କାରାଦଣ୍ଡ ଭୋଗିବେ । ଏଥିରେ ଆଉ କୌଣସି ଅନ୍ୟଥା ହେବ ନାହିଁ ।”

                ଏହାପରେ ସେ ନିଜେ ଦିନରାତି ସମସ୍ତଙ୍କ କର୍ମତତ୍ପରତା ଲକ୍ଷ୍ୟ କରିବାକୁ ଲାଗି ପଡିଲେ । ସବୁ କର୍ମଚାରୀ ଯଦି ସାଧୁ ସଚ୍ଚୋଟ ଭାବରେ ଓ ନିଷ୍ଠାପର ଭାବରେ ନିଜ କର୍ତ୍ତବ୍ୟ କରିବେ, ତେବେ ତ ଆଉ କୌଣସିବି ସ୍ଥାନରେ ବିଶୃଙ୍ଖଳା ଉପୁଜିବ ନାହିଁ । ଉଦୟଗିରିରେ ବି ତାହାହିଁ ହେଲା । ପନ୍ଦରଦିନ କାହିଁକି, ଦଶଦିନ ଭିତରେହିଁ ସବୁ ବିଶୃଙ୍ଖଳା ଦୂର ହୋଇଗଲା ।

                ଲୋକେ ପୁରନ୍ଦରଙ୍କୁ ଧନ୍ୟ ଧନ୍ୟ କଲେ । ସାଧାରଣ ସଭାରେ ତାଙ୍କୁ ବିପୁଳ ଅଭିନନ୍ଦନ ଦିଆଗଲା ।

                ପୁରନ୍ଦର ନିଜ କାର୍ଯ୍ୟରେ ଅତି ଶୀଘ୍ର ସାଫଲ୍ୟ ଅର୍ଜନ କରିଥିବା ହେତୁ ମହାରାଜାଙ୍କ ପାଖରୁ ମଧ୍ୟ ସେ ସନନ୍ଦ ଲାଭ କଲେ ।

                ଏହା ପରେ ସେ କିଛିଦିନ ବିଶ୍ରାମ ନିମନ୍ତେ କୌଶସି ଦୂରବର୍ତ୍ତୀ ସ୍ଥାନକୁ ଚାଲିଗଲେ । ସେଠାରୁ ଫେରି ଆସି ଉଦୟଗିରିରେ ଆନନ୍ଦରେ ସେ ରହିଲେ । ସବୁଦିନେ କିଛି ନା କିଛି ଲୋକ ଆସି ତାଙ୍କର ପ୍ରଶଂସା ଗାନ କରୁଥାନ୍ତି ।

                ତେଣିକି ପୁରନ୍ଦର ଆଉ ରାଜକାର୍ଯ୍ୟରେ ବିଶେଷ ମନ ଦେବାର ଆବଶ୍ୟକତା ଅନୁଭବ କଲେ ନାହିଁ । ଅବସ୍ଥା ସୁଧୁରି ଯାଇଛି ବୋଲି ନିଶ୍ଚିତ ହୋଇ ସେ ବାରମ୍ବାର ଖାଲି ଛୁଟିରେ ଗଲେ । ନାଚ ଗୀତ ଉପଭୋଗ କରିବାରେ ସେ ବହୁ ସମୟ ମଧ୍ୟ ଦେଲେ । ଖୋସାମୋଦିଆମାନେ ସବୁଦିନେ ତାଙ୍କୁ କହୁଥାନ୍ତି, “ଆପଣଙ୍କ ଉଦ୍ୟମରେ ଆମର ଏଠି ରାମରାଜ୍ୟର ପ୍ରଚଳନ ହୋଇଛି । ଆହା! ଆପଣ କେଡେ ଦକ୍ଷ! କେଡେ ବୁଦ୍ଧିମାନ!”

                ପୁରନ୍ଦର ହସି ଦେଉଥିଲେ । ସେ ଏ ପ୍ରଶଂସା ଖୁବ୍ ଉପଭୋଗ କରୁଥିଲେ ।

                ବର୍ଷଟିଏ ବିତିଗଲା । ଦିନେ ଉଦୟପୁରର ଦଳେ ବିଶିଷ୍ଟ ନାଗରିକ ଆସି ତାଙ୍କୁ ସାକ୍ଷାତ୍ କରି କହିଲେ, “ହଜୁର୍, କିଛିଦିନ ହେଲା ହଠାତ୍ ଚୋର ଡାକୁଙ୍କ ଉତ୍ପାତ ବଢି ଗଲାଣି । ପ୍ରତ୍ୟେକ ରାତିରେ ସହରର କୌଣସି ନା କୌଣସି ସ୍ଥାନରେ ଜଣେ ଅଧେ ଯାତ୍ରୀ ସେ ଡାକୁଙ୍କ ହାବୁଡରେ ପଡୁଛନ୍ତି ।”

                ପୁରନ୍ଦର ଏଭଳି ଅଭିଯୋଗ ଶୁଣି ଚିନ୍ତିତ ହେବା ତ ଦୂରର କଥା, ବରଂ ହଠାତ୍ କ୍ରୋଧାନ୍ୱିତ ହୋଇ ସେ କହିଲେ, “ମିଛ କଥା । ମୋତେ ବଦ୍ନାମ କରିବା ପାଇଁ ଏହା କାହାରି ଷଡଯନ୍ତ୍ର!”

                ଅଭିଯୋଗକାରୀମାନେ ପୁରନ୍ଦରଙ୍କର ଏଭଳି ପ୍ରତିକ୍ରିୟା ଦେଖି ଆଗ ଡରିଗଲେ । ପୁରନ୍ଦର ସେମାନଙ୍କୁ କଟମଟ କରି ଅନାଇଲେ ।

                ଲୋକେ କହିଲେ “ହଜୁର୍, ଆମେ ତ ଆପଣଙ୍କୁ ଦେବତା ଭଳି ଜ୍ଞାନ କରୁ । କିନ୍ତୁ ଯାହା ଘଟୁଛି, ତାହା ଆପଣଙ୍କ ଗୋଚରକୁ ଆଣିବା ଆମର କର୍ତ୍ତବ୍ୟ ନୁହେଁ କି?”

                ପୁରନ୍ଦର ରୋକ୍ଠୋକ୍ ଶୁଣାଇ ଦେଲେ “ଏଭଳି ମିଥ୍ୟା ଅଭିଯୋଗ ଗ୍ରହଣ କରିବାକୁ ମୁଁ କେବେବି ପ୍ରସ୍ତୁତ ନୁହେଁ । ଏଡେ ବଡ ନଗରୀରେ କାହିଁ କେଉଁଠି ଗୋଟାଏ ଅଧେ ଚୋରି ହେବା କିଛି ତ ବିଚିତ୍ର ନୁହେଁ । କିନ୍ତୁ ଆପଣମାନେ ଅତିରଞନ କରୁଛନ୍ତି ।”

                ନାଗରିକମାନେ ମୁଣ୍ଡ ତଳକୁ କରି ସେଠୁ ଚାଲିଗଲେ । ପୁରନ୍ଦର ନିଜର ମୁଖ୍ୟ ପରାମର୍ଶଦାତା ନାଗବର୍ମାଙ୍କ ଆଡେ ଅନାଇ କହିଲେ, “ଦେଖୁଛ ତ? ମୋତେ ବଦ୍ନାମ କରିବାର ଚେଷ୍ଟା କରା ଗଲାଣି ।”

ନାଗବର୍ମା କହିଲେ “ଆଜ୍ଞା, ଆପଣଙ୍କୁ ବଦନାମ କରିବାର ଉଦ୍ଧେଶ୍ୟ ଥିଲେ ସେମାନେ ତ ସିଧା ରାଜାଙ୍କ ପାଖରେ ଯାଇ କହନ୍ତେ । ମୋର ଧାରଣା, ସେମାନଙ୍କ ଅଭିଯୋଗ ପୁରାପୁରି ସତ୍ୟ ।”

ପୁରନ୍ଦର ମନ୍ତବ୍ୟ ଦେଲେ “ପାଗଳ!”

ସେଦିନ ରାତିରେ ପୁରନ୍ଦର ନଗରୀର ଜଣେ ବିଶିଷ୍ଟ ବଣିକଙ୍କ ଘରେ ଭୋଜନ କଲେ । ଗପସପ ହେଉ ହେଉ ଅଧା ରାତି ହୋଇ ଯାଇଥାଏ । ସେ ଇଚ୍ଛାକରି ଦେହରକ୍ଷୀ ନେଉ ନଥିଲେ । ତେବେ ତାଙ୍କ ସାଙ୍ଗରେ ନାଗବର୍ମା ଓ ତାଙ୍କ ବ୍ୟକ୍ତିଗତ ଚାକର ଥିଲେ ।

ରାତିରେ ସେ ବସାକୁ ଫେରୁଛନ୍ତି, ହଠାତ୍ ତିନି ଚାରିଜଣ ଗୁଣ୍ଡା ତାଙ୍କୁ ଧରି ପକାଇଲେ । ତେବେ ସେମାନେ ବୋଧହୁଏ ତାଙ୍କୁ ଚିହ୍ନି ପକାଇଲେ ଓ ଛାଡିଦେଇ ସେଠୁ ପଳାଇଗଲେ । ପୁରନ୍ଦର ଦେଖିଲେ ତାଙ୍କ ବେକରେ ରତ୍ନହାରଟି ନାହିଁ । “ଧର, ଧର!” ଏହିଭଳି ପାଟିକରି ସେ ଗୁଣ୍ଡାମାନଙ୍କୁ ଅନୁସରଣ କଲେ । ତାଙ୍କ ପଛରେ ନାଗବର୍ମା ଓ ପରିଚାରକ ମଧ୍ୟ ଦୌଡିଲେ ।

ଗୋଟାଏ ଗଳି ଭିତରୁ ହଠାତ୍ ବେକରେ ରତ୍ନହାର ପକାଇଥିବା ଜଣେ ଲୋକ ବାହାରି ଆସିଲା । ପୁରନ୍ଦର ପାଟି କରି କହିଲେ “ହାର ଦେଇ ଦେ!” ଲୋକଟି ସଙ୍ଗେ ସଙ୍ଗେ ନିଜ ବେକରୁ ରତ୍ନହାରଟି ବାହାର କରି ପୁରନ୍ଦରଙ୍କୁ ଧରାଇ ଦେଇ ପଳାଇଗଲା ।

ଜହ୍ନ ଆଲୁଅରେ ପୁରନ୍ଦର ସେହି ହାରଟିକୁ ଦେଖି କହିଲେ, “ଆରେ, ଏ ହାର ତ ମୋର ନୁହେଁ!” ସେତେବେଳେ ନାଗବର୍ମା ପାଖକୁ ଆସିଯାଇଥିଲେ । ସେ କହିଲେ, “ଆଜ୍ଞା, ଆପଣଙ୍କ ହାର ପରା ଆଜି ସକାଳେ ମରାମତି ହେବାକୁ ଯାଇଛି!”

ପୁରନ୍ଦର ଆଶ୍ଚର୍ଯ୍ୟ ହୋଇ ପଚାରିଲେ “ଠିକ୍ କଥା ତ! ତେବେ ଲୋକଟି ମୋତେ କାହିଁକି ହାର ଦେଇଦେଲା?”

“ସେ ଆପଣଙ୍କୁ ଡାକୁ ବୋଲି ଭାବି ଭୟରେ ଦେଇଦେଲା ଆଜ୍ଞା!”

ପୁରନ୍ଦର କ୍ଷୋଭରେ କହିଲେ “କ’ଣ ହେଲା, ମୁଁ ଏ ନଗରୀର ରକ୍ଷାକର୍ତ୍ତା । ମୋତେ ପୁଣି ସେ ଡାକୁ ବୋଲି ଭାବିଲା!”

ନାଗବର୍ମା ଭଲଭାବେ ବୁଝାଇ ଦେଇ କହିଲେ “ଆଜ୍ଞା, ଯେତେବେଳେ କୌଣସି ମୁଲକରେ ଅରାଜକତା ବ୍ୟାପିଯାଏ, ସେତେବେଳେ ଲୋକେ ଯେ ଖାଲି ତାଙ୍କର ଧନସମ୍ପଦ ହରାନ୍ତି, ତାହା ନୁହେଁ, ତାହାଠୁଁ ଯାହା ବଡ, ସେହି ବିଶ୍ୱାସ ଟିକକ ବି ହରାଇ ବସନ୍ତି । ପ୍ରତ୍ୟେକେ ପ୍ରତ୍ୟେକଙ୍କୁ ଅବିଶ୍ୱାସ କରନ୍ତି । ବର୍ତ୍ତମାନ ତ ତାହାହିଁ ହୋଇଛି । ବାସ୍ତବିକ ଚୋର ଡାକୁ ପୁଣି ବ୍ୟାପିଲେଣି ବୋଲି ସେ ଲୋକଟି ଆପଣଙ୍କୁ ଦେଖି ଏମିତି ଡରିଗଲା!”

ଏଥର ପୁରନ୍ଦର ବୁଝିଲେ । ଶାସନ କାର୍ଯ୍ୟରେ ଟିକିଏ ହେଳା କଲେ ଫଳ କ’ଣ ହୁଏ, ତାହା ବି ସେ ହୃଦୟଙ୍ଗମ କଲେ ।

Find Amazon’s best deals & get advantage of the more hidden discounts!

Find over 75% discounts

Discover hidden offers, sales & discounts when searching for products on Amazon.

Keyword/s (optional)

(eg Iphone 5s Gold or Ipad Mini 16GB)

Search Discount
ବିସ୍ଵାଶ କରିବା ଆଗରୁ ବିଜ୍ଞାପନ ଗୁଡିକର ସଠିକତାକୁ ତଦନ୍ତ କରନ୍ତୁ ।
loading...

ଗପ ସାରଣୀ

ବିସ୍ଵାଶ କରିବା ଆଗରୁ ବିଜ୍ଞାପନ ଗୁଡିକର ସଠିକତାକୁ ତଦନ୍ତ କରନ୍ତୁ ।

ସାଢି | ଲାପଟପ୍ | ଟେଲିଭିଜନ୍ | ଯୋତା | ମୋବାଇଲ୍ |ବହି

ପ୍ରଥମେ ଯେକୌଣସି ଜିନିଷ ସର୍ଚ୍ଚ କରନ୍ତୁ, ପରେ କ୍ୟାସ ଅନ ଡେଲିଭରିରେ ଅଡ଼ର୍ କରନ୍ତୁ, ମାନେ ଜିନିଷ ପାଇଲା ପରେ ହିଁ ପଇସା ଦିଅନ୍ତୁ

ତାଲିକାଭୁକ୍ତ ଗପ

loading...