କବିର ପରୀକ୍ଷା

ପଲ୍ଲବ ରାଜ୍ୟର ଅଧିପତି ରାଜା ଲଳିତସେନ କାବ୍ୟକବିତାର ଅତ୍ୟନ୍ତ ଆଦର କରୁଥିଲେ । ଗୁଣୀ କବିମାନଙ୍କୁ ଉତ୍ସାହ ଦେବା ନିମନ୍ତେ ସେ ନାନାଦି ପୁରସ୍କାରର ବ୍ୟବସ୍ଥା କରିଥିଲେ । ରାଜ୍ୟର ପାଞ୍ଚଜଣ ବିଶିଷ୍ଟ କବିଙ୍କୁ ସେ ରାଜକବିର ସମ୍ମାନ ଦେଇ ନଅର ପାଖରେ ପାଞ୍ଚଟି ଘର ଦେଇ ସପରିବାରେ ରଖାଇଥିଲେ । ସେ ପାଞ୍ଚଜଣଙ୍କୁ ପଂଚରତ୍ନ ବୋଲି କୁହାଯାଉଥିଲା ।

                କୌଣସି ନୂଆ କବି ରାଜାଙ୍କ ଆଗରେ କବିତା ପଢିବାକୁ ମନ କଲେ ପ୍ରଥମେ ତାକୁ ଏହି ପଂଚରତ୍ନଙ୍କ ଆଗରେ କବିତା ପଢିବାକୁ ହେଉଥିଲା । ସେ ପଂଚରତ୍ନ ଯାହାକୁବି ସୁପାରିସ୍ କରୁଥିଲେ, କେବଳ ସେ ହିଁ ରାଜାଙ୍କୁ ନିଜ କବିତା ଶୁଣାଇବାର ସୁଯୋଗ ପାଉଥିଲା । ପଂଚରତ୍ନ ଗୋଟାଏ ସଭାଘରେ ବସି ନୂଆ କବିମାନଙ୍କର କବିତା ସବୁ ଶୁଣୁଥିଲେ ।

                ଏକଦା ସୂର୍ଯ୍ୟାସ୍ତ ସମୟରେ ରାଜା ନିଜ ଉଦ୍ୟାନରେ ପଦଚାରଣା କରୁଥିଲେ । ଠିକ୍ ସେତିକିବେଳେ ତାଙ୍କୁ କବିତା ଶୁଣିବାକୁ ଭାରି ଭଲ ଲାଗୁଥାଏ । ପଂଚରତ୍ନ ମଧ୍ୟେ ମଧ୍ୟେ ନୂଆ କବିମାନଙ୍କୁ ସେହି ସମୟରେ ଉଦ୍ୟାନ ଭିତରକୁ ପଠାଉଥିଲେ ।

ଦିନେ ରାଜା ତାଙ୍କ ଉଦ୍ୟାନରେ ପଦଚାରଣା କଲାବେଳେ ମନ୍ତ୍ରୀ ବି ତାଙ୍କ ସହ ରହିଥିଲେ । ପଂଚରତ୍ନଙ୍କ ଦ୍ୱାରା ପ୍ରେରିତ ଦୁଇଜଣ ନୂଆ କବି ଆସି ରାଜାଙ୍କୁ ଅଭିବାଦନ କଲେ । ରାଜା ଖୁସି ହୋଇ ସେମାନଙ୍କୁ କବିତା ଶୁଣାଇବାକୁ ଅନୁମତି ଦେଲେ ।

ସେ ଦୁହେଁ ଗୋଟିଏ ପରେ ଗୋଟିଏ କବିତା ଶୁଣାଉଥାନ୍ତି । ରାଜାଙ୍କ ମୁହଁରେ କିନ୍ତୁ ଆନନ୍ଦ ଫୁଟିବା ଅପେକ୍ଷା ବିରକ୍ତି ଭାବ ଫୁଟି ଉଠିଲା । ସେ କହିଲେ, “ବେଶ୍, ବେଶ୍ ଧନ୍ୟବାଦ!” ଏହା କହି ସେ କବିମାନଙ୍କୁ ପଛରେ ଛାଡି ପଥର-ନିର୍ମିତ ଗୋଟିଏ ଆସନରେ ବସି ପଡିଲେ ଓ ମନ୍ତ୍ରୀଙ୍କୁ ବି ସେଠାରେ ବସିବାକୁ କହିଲେ । ତା’ପରେ ଜଣେ ସାଧାରଣ ସେବକକୁ ସେ କହିଲେ, “ଶୁଣ, ଏ ଦୁଇ କବିଙ୍କୁ କିଛି କିଛି ଟଙ୍କା ଦେଇ ଏଠାରୁ ବିଦାୟ କରିଦେବୁ ନେଇଯା!” ଏହାପରେ ସେବକ ସେ ଦୁଇ କବିଙ୍କୁ ଡାକିନେଇ ସେଠାରୁ ଚାଲିଗଲା ।

ରାଜା କିଛି ସମୟ ଗମ୍ଭୀର ହୋଇ ବସି ରହି ତା’ପରେ ଯାଇ ସେ କହିଲେ, “ବୁଝିଲକି ମନ୍ତ୍ରୀ! ଏମାନଙ୍କ କବିତା ଶୁଣି ମୋ ମନ ଏକବାରେ ଖରାପ୍ ହୋଇଗଲା ।”

ମନ୍ତ୍ରୀ ଉତ୍ତର ଦେଲେ “ତା’ ତ ମୁଁ ବୁଝୁଛି । ନହେଲେ କ’ଣ ଆପଣ ନିଜେ ପୁରସ୍କାର ନ ଦେଇ ଜଣେ ପରିଚାରକକୁ ସେ କାମ କରିବାର ନିର୍ଦେଶ ଦେଇଥାନ୍ତେ?”

ରାଜା କହିଲେ “ଅବଶ୍ୟ ସେପରି କରିବା ମୋ ପକ୍ଷରେ ଅସୁନ୍ଦର ହେଲା । କିନ୍ତୁ ମୋର ଧାରଣା, କବିତାର ମାନ କ୍ରମେ କ୍ରମେ କମି ଯାଉଛି । ଏ ଦୁଇଜଣ ଯେଉଁସବୁ କବିତା ଶୁଣାଇଲେ, ସେଥିରେ କୌଣସି ପ୍ରକାର ପ୍ରେରଣା ନାହିଁ କି କବିତ୍ୱ ବି ନାହିଁ, ଯାହା ଖାଲି ଚତୁରତା ଓ ବାହାଦୁରୀ ଭାବ ଅଛି । ଯିଏ ଲେଖି ଜାଣେ ସେ କବି ହୋଇଯିବ, ଏମାନଙ୍କ ମନରେ ଏହିଭଳି ଧାରଣା ଗଢି ଉଠିଛି ବୋଲି ମୋର କାହିଁ ମନେ ହୁଏ ।”

ମନ୍ତ୍ରୀ ପ୍ରଶ୍ନ କଲେ “ମହାରାଜ! ଆମ ପଂଚରତ୍ନଙ୍କୁ କ’ଣ କବିତା ପରଖ କରି ଆସେ ନାହିଁ? ସେମାନେ ଏପରି କବିମାନଙ୍କୁ ଏଠାକୁ କାହିଁକି ପଠାଉଛନ୍ତି?”

ରାଜା କହିଲେ “ମୁଁ ମଧ୍ୟ ସେଇ ପ୍ରଶ୍ନ କରୁଛି । ସଙ୍ଗେ ସଙ୍ଗେ ଉତ୍ତର ବି ଦେଉଛି, କବି କ’ଣ ସେମାନେ ତିଆରି କରି ପାରିବେ? ତେଣୁ ଆଜିକାଲି ଯେଭଳି କବି ବାହାରୁଛନ୍ତି, ସେଇମାନଙ୍କ ଭିତରୁ ବଛାବଛି କରି ସେମାନେ ପଠାଉଛନ୍ତି!”

ମନ୍ତ୍ରୀ ରାଜାଙ୍କର ଏକଥାକୁ ସମର୍ଥନ କଲେ ନାହିଁ କି ଏହା ଉପରେ କିଛି ଜବାବ୍ ବି ଦେଲେ ନାହିଁ ।

ରାଜା ପଚାରିଲେ “କ’ଣ, କିଛି କହିଲ ନାହିଁ ତ?”

ମନ୍ତ୍ରୀ ନମ୍ର ଭାବରେ କହିଲେ “ଯୁଗେ ଯୁଗେ ଭଲକବି ଥା’ନ୍ତି, ମନ୍ଦ କବି ବି ଥା’ନ୍ତି । ଆମ ରାଜ୍ୟରେ ଆଉ ମୋଟେ ଭଲ କବି ଉତୁରୁ ନାହାଁନ୍ତି, ମୁଁ କାହିଁକି ସେକଥା ଭାବି ପାରୁନାହିଁ ।”

ରାଜା ପଚାରିଲେ “ତମେ ତ ବଡ ଅବୁଝା ଲୋକ ହେ! ଭଲ କବି ଯଦି ଥିବେ, ତେବେ ଆମ ପାଖକୁ କିଆଁ ନ ଆସିବେ? ପୁଣି ଆମେ ପ୍ରତିଭା ଅନ୍ୱେଷଣ ପାଇଁ ସୁଦକ୍ଷ ପରୀକ୍ଷକମାନଙ୍କୁ ବି ନିଯୁକ୍ତ କରିଛୁ! କେତେଜଣ ରାଜା ସେପରି କରିଥିବେ?”

ତା’ପରେ କିଛିଦିନ ବିତିଗଲା ।

ଦିନେ ମହେନ୍ଦ୍ର ନାମକ ଜଣେ କବି ଆସି ରାଜାଙ୍କୁ ଦେଖାକଲେ । ମହେନ୍ଦ୍ରଙ୍କ କବିତାରେ ଲଳିତ ଛନ୍ଦ, ସୁମଧୁର ଭାବ, ଅଭାବନୀୟ ରୂପକଳ୍ପ ଲକ୍ଷ୍ୟ କରି ରାଜା ଅଭିଭୂତ ହୋଇଗଲେ । ସେ ମନ୍ତ୍ରୀଙ୍କୁ ଅନାଇ କହିଲେ, ମନ୍ତ୍ରୀ! ଆମ ପଂଚରତ୍ନଙ୍କୁ ଗୁଣ ଚିହ୍ନି ଆସେ । ନହେଲେ ଏଭଳି ପ୍ରତିଭାବାନ୍ କବିଙ୍କୁ ସେମାନେ କିପରି ବାଛିଲେ?”

ଏଥିରେ ମନ୍ତ୍ରୀ ହସିଲେ । କବି ମହେନ୍ଦ୍ର ନୀରବ ରହିଲେ ।

ରାଜା ସେମାନଙ୍କ ବ୍ୟବହାରରେ ବିସ୍ମିତ ହେଲେ । ତାଙ୍କ ବିସ୍ମୟ ଆହୁରି ବଢିଗଲା, ଯେତେବେଳେ କବି ମହେନ୍ଦ୍ର ଧୀର କଣ୍ଠରେ କହିଲେ, “ମହାରାଜ! ମୁଁ ମନ୍ତ୍ରୀଙ୍କ ପ୍ରତି ବିଶେଷ କୃତଜ୍ଞ!” ରାଜା ପଚାରିଲେ “ଆପଣ କ’ଣ ପ୍ରଥମେ ପଂଚରତ୍ନଙ୍କୁ ନ ଭେଟି ସିଧା ମନ୍ତ୍ରୀଙ୍କ ଆନୁକୁଲ୍ୟରେ ମୋ ପାଖକୁ ଆସିଛନ୍ତି?”

“ନା, ମହାରାଜ, ଆପଣ ଯେଉଁ ନୟମ କରିଛନ୍ତି, ସେ ନିୟମ ତ ମୁଁ କେବେବି ଭାଙ୍ଗି ନାହିଁ । ତେବେ ଏବେ ମୁଁ ଯେଉଁ କବିତା ଆପଣଙ୍କ ଆଗରେ ପଢିଲି, ଠିକ୍ ସେହି କବିତା ମୁଁ ସେମାନଙ୍କ ଆଗରେ ପଢି ନାହିଁ । ବାକି କଥା ଆପଣଙ୍କୁ କହିବାକୁ ମୋର ମୋଟେ ସାହସ ନାହିଁ । ଆଗକୁ ଯାହା କହିବେ ମନ୍ତ୍ରୀ କହିବେ ।”

ଏହା କହି କବି ମହେନ୍ଦ୍ର ଭିନ୍ନ ପ୍ରକୋଷ୍ଠକୁ ତୁରନ୍ତ ଚାଲିଗଲେ ।

ମନ୍ତ୍ରୀ ରାଜାଙ୍କୁ ରହସ୍ୟ ଖୋଲି କହିଲେ, “କବି ମହେନ୍ଦ୍ର ଯେଉଁ କବିତା ଆପଣଙ୍କ ଆଗରେ ପଢିଲେ, ପ୍ରଥମେ ସେ କବିତା ତାଙ୍କର ଜଣେ ଶିଷ୍ୟଙ୍କୁ ଦେଇ ପଂଚରତ୍ନଙ୍କୁ ଶୁଣାଇଥିଲେ । ପଂଚରତ୍ନ ସେ ଶିଷ୍ୟକୁ ଭଗାଇ ଦେଲେ । ମହେନ୍ଦ୍ର ଏହା ମୋହରି ପରାମର୍ଶରେ କରିଥିଲେ । କାରଣ ମୋର ସନ୍ଦେହ ହେଉଥିଲା କି ପଂଚରତ୍ନ ପ୍ରକୃତ ପ୍ରତିଭାବାନ୍ କବିଙ୍କୁ ଆପଣଙ୍କ ଆଗକୁ ଆସିବାକୁ ଦେଇ ନାହାଁନ୍ତି । ମୋ ପରାମର୍ଶରେ ମହେନ୍ଦ୍ର ତା’ପରେ ନିଜେ ଯାଇ ସେମାନଙ୍କ ଆଗରେ ନିହାତି ମାମୁଲି କବିତା ପଢିଲେ । ସେଉଠୁ ତାଙ୍କୁ ଆପଣଙ୍କୁ ଭେଟିବାର ସୁଯୋଗ ମିଳିଲା ।”

ରାଜା ପଚାରିଲେ “ଏହା ତ ବଡ ଆଶ୍ଚର୍ଯ୍ୟର କଥା! ପଂଚରତ୍ନ କାହିଁକି ଏପରି କରୁଛନ୍ତି?”

“ମହାରାଜ! ଏହାର ଉତ୍ତର ଅତି ସହଜ, ସେମାନଙ୍କଠାରୁ ଅଧିକ ପ୍ରତିଭାବାନ୍ କବି ଅଛନ୍ତି, ଏକଥା ସେମାନେ ମହାରାଜଙ୍କୁ ଜଣାଇ ଦେବାକୁ ଆଦୌ ପ୍ରସ୍ତୁତ ନୁହଁନ୍ତି । ସେମାନେ ପ୍ରତ୍ୟେକେ ଗୁଣୀ କବି, କିନ୍ତୁ ଉଦାର ମଣିଷ ନୁହଁନ୍ତି ।” ଏହିପରି ଭାବେ ମନ୍ତ୍ରୀ ସେ ରାଜାଙ୍କୁ ବୁଝାଇଦେଲେ ।

ତେଣିକି କବିମାନେ ସିଧା ସଳଖ ରାଜାଙ୍କ ପାଖକୁ ଆସି ପାରିବେ ବୋଲି ରାଜା ଘୋଷଣା କଲେ ।

Find Amazon’s best deals & get advantage of the more hidden discounts!

Find over 75% discounts

Discover hidden offers, sales & discounts when searching for products on Amazon.

Keyword/s (optional)

(eg Iphone 5s Gold or Ipad Mini 16GB)

Search Discount
ବିସ୍ଵାଶ କରିବା ଆଗରୁ ବିଜ୍ଞାପନ ଗୁଡିକର ସଠିକତାକୁ ତଦନ୍ତ କରନ୍ତୁ ।
loading...

ଗପ ସାରଣୀ

ବିସ୍ଵାଶ କରିବା ଆଗରୁ ବିଜ୍ଞାପନ ଗୁଡିକର ସଠିକତାକୁ ତଦନ୍ତ କରନ୍ତୁ ।

ସାଢି | ଲାପଟପ୍ | ଟେଲିଭିଜନ୍ | ଯୋତା | ମୋବାଇଲ୍ |ବହି

ପ୍ରଥମେ ଯେକୌଣସି ଜିନିଷ ସର୍ଚ୍ଚ କରନ୍ତୁ, ପରେ କ୍ୟାସ ଅନ ଡେଲିଭରିରେ ଅଡ଼ର୍ କରନ୍ତୁ, ମାନେ ଜିନିଷ ପାଇଲା ପରେ ହିଁ ପଇସା ଦିଅନ୍ତୁ

ତାଲିକାଭୁକ୍ତ ଗପ

ନୂଆ ତାଲିକାଭୁକ୍ତ ଗପ

loading...