କୂପମଣ୍ଡୁକ

କୃପାନନ୍ଦ ଗୁରୁକୂଳର ଆଚାର୍ଯ୍ୟ ଥିଲେ । ସେ ବର୍ଷର ଆଠମାସ ତାଙ୍କ ଶିଷ୍ୟମାନଙ୍କୁ ଶିକ୍ଷା ଦେଉଥିଲେ ଓ ବାକି ସମୟତକ ଦେଶ ପର୍ଯ୍ୟଟନ କରି ଲୋକମାନଙ୍କୁ ଉପଦେଶ ଦେଉଥିଲେ ।

                ଥରେ ଗୋଟିଏ ଗାଁରେ ତାଙ୍କର ସଭାର ଆୟୋଜନ ହେଲା । ଧର୍ମ ଉପଦେଶ ଶୁଣିବାକୁ ଗ୍ରାମର ଆବାଳବୃଦ୍ଧବନିତା ସଭାରେ ଆସି ଯୋଗ ଦେଲେ ।

                କୃପାନନ୍ଦ ସଭା ଆରମ୍ଭରେ ଭଜନ କଲେ । ତା’ପରେ ସେ ରାମଳୀଳା କୀର୍ତ୍ତନ କଲେ । ସମସ୍ତେ ତନ୍ମୟ ହୋଇ ଶୁଣୁଥା’ନ୍ତି । ହଠାତ୍ ଗାଁର ସେଠ ଉଠି ଠିଆ ହେଲେ ।

                କୃପାନନ୍ଦ ପ୍ରଶ୍ନ କଲେ, “କୁହନ୍ତୁ; ଆପଣଙ୍କର ଯଦି କିଛି ଶଙ୍କା ବା ସନ୍ଦେହ ଥାଏ । ଏବେ ରାମଗାଥା ଶୁଣି ନିଅନ୍ତୁ । ପରେ ଆପଣଙ୍କର ସମସ୍ୟାର ସମାଧାନ କରାଯିବ ।”

                “ଏମିତି ତ ମୋ ମନରେ ବହୁତ ପ୍ରକାର ଶଙ୍କା ରହିଛି । ସବୁଠାରୁ ବଡ ହେଲା ଘରର ଧନାଗାର ଚାକର ଦାଇତ୍ତ୍ଵରେ ଛାଡିବା ଉଚିତ୍ ହେବ କି ନାହିଁ?” ଏତିକି ପଚାରି ଦେଇ ସଭାସ୍ଥାନ ଛାଡି ସେ ଚାଲିଗଲେ ।

ଗ୍ରାମବାସୀଙ୍କ ସକାଶେ ଇଏ କିଛି ନୂଆ କଥା ନ ଥିଲା । କାହିଁକିନା ସମସ୍ତେ ଜାଣନ୍ତି ଯେ ଧର୍ମ ଉପଦେଶ ଓ ଭଜନ ପ୍ରଭୃତି ଶୁଣିବାକୁ ସେଠ ଏତେ ପସନ୍ଦ କରନ୍ତି ନାହିଁ । ମନ ତାଙ୍କର ସବୁବେଳେ ଟଙ୍କା ଜମାଇବାରେ ଥାଏ । କୃପାନନ୍ଦ ମଧ୍ୟ ସେକଥା ଉପରେ ଏତେ ଧ୍ୟାନ ଦେଲେ ନାହିଁ କାରଣ ସେ ଜାଣନ୍ତି ଅନେକ ଲୋକ ଏଇପରି ସଭା ମଝିରେ ଉଠି ଚାଲିଯା’ନ୍ତି । କିନ୍ତୁ କୃପାନନ୍ଦଙ୍କ ଶିଷ୍ୟ ଶେଖର ଏସବୁ ଦେଖି ଆଶ୍ଚର୍ଯ୍ୟ ହେଲା ଓ ଭାବିଲା କ’ଣ ଜଣେ ଧର୍ମସଭାରେ ଘଣ୍ଟାଏ ସ୍ଥିର ହୋଇ ବସି ରହିବା ଏତେ କଷ୍ଟକର ବ୍ୟାପାର?

ତେଣୁ ସଭା ଶେଷ ହେବା ମାତ୍ରେ ଶେଖର କୃପାନନ୍ଦଙ୍କୁ ପଚାରିଲା, “ଆପଣ କାହିଁକି ସେହି ଲୋକକୁ ଘରକୁ ଯିବାକୁ ମନା କଲେନାହିଁ? ତା’ ମନରେ ତ ତିଳେମାତ୍ର ଈଶ୍ୱର ବିଶ୍ୱାସ ନାହିଁ ବା ଧର୍ମଭାବ ବି ନାହିଁ । ଆପଣଙ୍କ ଉପଦେଶ ଶୁଣିଥିଲେ ହୁଏତ ସେ ଆଧ୍ୟାତ୍ମିକ ଦିଗ ପ୍ରତି କିଛିଟା ତ ଆକୃଷ୍ଟ ହୋଇପାରିଥା’ନ୍ତା ।”

କୃପାନନ୍ଦ କହିଲେ, “ବତ୍ସ, ତୁମର ଚିନ୍ତା ପ୍ରଶଂସନୀୟ ଓ ତୁମର ପ୍ରସ୍ତାବ ମଧ୍ୟ ଠିକ୍ ବୋଲି ମୁଁ ସ୍ୱୀକାର କରୁଛି । ମାତ୍ର ତମେ ଏତକ ଜାଣିବା ଉଚିତ୍ ଯେ ସମାଜରେ ଏପରି ଲୋକ ମଧ୍ୟ ଅଛନ୍ତି ଯେଉଁମାନଙ୍କୁ ଧର୍ମ ଦିଗରେ ନେବା ଅସମ୍ଭବ । ପଥର ଉପରକୁ ତୀର ମାରିବା ଯେପରି ମୂର୍ଖତା, ସାପକୁ ଦୁଧ ପିଆଇବା ଯେପରି ବ୍ୟର୍ଥ, ମରୁଭୂମିରେ ବୀଜ ବୁଣିବା ଯେପରି ବ୍ୟର୍ଥ, ଠିକ୍ ସେହିପରି କେତେ ଲୋକଙ୍କ ନିକଟରେ ଧର୍ମ ଉପଦେଶ ବ୍ୟର୍ଥ ଓ ନିଷ୍ଫଳ । କୂପମଣ୍ଡୁକ ଯେପରି କୂପ ମଧ୍ୟରେ ଥାଇ ଭାବେ ସେଇଟାହିଁ ସାରା ଦୁନିଆ ସେହିପରି ସ୍ୱାର୍ଥପର ଲୋକମାନେ ସ୍ୱାର୍ଥ, ଧନ, ଶରୀରର ବିଳାସ ସବୁକୁ ଜୀବନର ଶ୍ରେଷ୍ଠ ଅଙ୍ଗ ବୋଲି ଜ୍ଞାନ କରନ୍ତି । ଧର୍ମ ଉପଦେଶ ବୀଜ ସଦୃଶ; ଦୟାଳୁ ଓ ଧାର୍ମିକ ଲୋକର ହୃଦୟ କ୍ଷେତ୍ରରେ ସେହି ବୀଜ ପଡିଲେ ତତ୍କ୍ଷଣାତ୍ ତାହା ଅଙ୍କୁରିତ ହେବ । ଯାହା ହୃଦୟରେ ଧର୍ମ ଉପଦେଶ ସକାଶେ କୌଣସି ଶ୍ରଦ୍ଧା ନାହିଁ, ସେଥିରେ ଉପଦେଶ ଗୁଡିକ, ଉଷର ଭୂମିରେ ବୀଜ ପଡି ନଷ୍ଟ ହେବାପରି ନଷ୍ଟ ହୋଇଯିବ ।”

ତା’ପରେ କୃପାନନ୍ଦ ଚୁପ୍ ହୋଇଗଲେ, ଶିଷ୍ୟ ତନ୍ମୟ ହୋଇ ଗୁରୁଙ୍କ କଥା ଶୁଣୁଥା’ନ୍ତି । ସେ ହଠାତ୍ କହିଲେ, “କିନ୍ତୁ ଗୁରୁଦେବ, ଉପଦେଶ ଦ୍ୱାରାହିଁ ତ ଶ୍ରଦ୍ଧା ଜାଗ୍ରତ ହୁଏ । ଶ୍ରଦ୍ଧା ଜାଗ୍ରତ କରିବା…”

ଶିଷ୍ୟ କଥାର ଉଦ୍ଧେଶ୍ୟ ବୁଝିପାରି ଗୁରୁଦେବ କଥା ମଝିରେହିଁ କହି ଉଠିଲେ, “ବତ୍ସ, ଶ୍ରଦ୍ଧା ଭଗବାନଙ୍କ କୃପାରୁହିଁ ଜାଗ୍ରତ ହୁଏ, ଯଦି ତାଙ୍କର କୃପା ଥାଏ ସେ ଏପରି ପରିସ୍ଥିତି ସୃଷ୍ଟି କରିବେ ଯେଉଁଥିରେ ଶ୍ରଦ୍ଧା ସ୍ୱାଭାବିକ ଭାବରେ ଜାଗ୍ରତ ହେବ । ସେଥିପାଇଁ ମନୁଷ୍ୟ ଜୀବନରେ ଦୁଃଖ କଷ୍ଟ ଆସେ । ଯଦି ଶ୍ରଦ୍ଧା ମୋଟେ ନଥାଏ ତ ଆମେ ଦେଉଥିବା ଧର୍ମଉପଦେଶ ବୃଥା ।”

“ମୋର ସହପାଠୀ ବୋଧାନନ୍ଦର ମଧ୍ୟ ଏହି ମତ, ଯଦି ଶୁଣିବାକୁ ଚାହଁ ତ ମୁଁ ଶୁଣାଇବି ।”

ଶିଷ୍ୟ କହିଲେ, “ଗୁରୁଦେବ କୃପାକରି କୁହନ୍ତୁ ।”

“ତାହେଲେ ଶୁଣ, କାରଣ ବୋଧାନନ୍ଦ ମଧ୍ୟ ଏହିପରି ଧର୍ମ ଉପଦେଶ ଦେଉ ଦେଉ ସେଇ ଅଭିଜ୍ଞତାଟି ଲାଭ କରିଥିଲେ ।”

ଥରେ ସେ ଧର୍ମ ଉପଦେଶ ଦେବାକୁ ଗୋଟିଏ ଗ୍ରାମକୁ ଯାଇଥା’ନ୍ତି । ଧର୍ମ ସଭାରେ ଶ୍ରୋତାମାନେ କହିଲେ କି ସେ ଗାଁରେ ଲାଲାଦିନ୍ ନାମରେ ଜଣେ ଲୋକ ଅଛି ସେ ଏକ ନମ୍ବର ଠକ, ଚୋର, ଦଗାବାଜ, ବେଇମାନ, ଲୋଭୀ ଓ କଞ୍ଜୁସ୍ । ସେ ଜଣେ ବ୍ୟବସାୟୀ । ଲୋକମାନଙ୍କୁ ସବୁବେଳେ ଅଶୁଦ୍ଧ ଜିନିଷ ମିଶାଇ ସେ ବିକେ । ଆଉ ତଂଟିଚିପି ପଇସା ନିଏ । ଗରୀବ ମାନଙ୍କୁ ଠକି ପଇସା ଜମାଏ । ଦାନ ଧର୍ମ ତ ସେ ତା’ ଜୀବନରେ ଆଦୌ କରେନାହିଁ । ଉପଦେଶ ଶୁଣିବାକୁ ଆସେ ନାହିଁ; କାରଣ କାଳେ ସେଠାରେ ସତ କହିବାକୁ ହେବ ବା ଦୁଇପଇସା ଚାନ୍ଦା କେହି ମାଗିଦେବ ।

ଏସବୁ ଶୁଣି ବୋଧାନନ୍ଦ ପ୍ରବଳ ଉତ୍ସାହରେ କହିଲେ, “ମୋର କାମ ତ ଏଇପରି ଅବାଟରେ ଯାଉଥିବା ବିଧର୍ମୀକୁ ବାଟକୁ ଆଣିବା । ଯଦି ସେ ଏଠାକୁ ନ ଆସୁଛି ତ ତେବେ ମୋତେ ରାସ୍ତା ଦେଖାଇ ଦିଅ ମୁଁ ତା’ ଘରକୁ ଯିବି ।”

ବୋଧାନନ୍ଦ ଲାଲାଦିନ୍ ଘରେ ପହଁଚିବା ମାତ୍ରେ ସେ ବୋଧାନନ୍ଦଙ୍କୁ ଖୁବ୍ ଭକ୍ତି ସହକାରେ ସ୍ୱାଗତ କଲା ଓ କହିଲା, “ମହାଶୟ, ମୁଁ ଆପଣଙ୍କ ଦର୍ଶନ ପାଇଁହିଁ ଅପେକ୍ଷା କରିଥିଲି । ଆପଣ ମୋ କୁଟୀରରେ ପଦାର୍ପଣ କରି ମୋତେ ଧନ୍ୟ କରି ଦେଇଛନ୍ତି । ମୁଁ ହୃଦୟରେ ଆପଣଙ୍କ ପାଖରେ ଖୁବ୍ କୃତଜ୍ଞ । ଆପଣ ମୋତେ ଏହି ଆଶିର୍ବାଦ କରନ୍ତୁ ଯେ ମୋର ବାକି ଦିନଗୁଡିକ ସୁଖ ସମୃଦ୍ଧିରେହିଁ ବିତିଯାଉ ।”

ଏକଥା ଶୁଣି ବୋଧାନନ୍ଦ କହିଲେ, “ବତ୍ସ ଈଶ୍ୱରଙ୍କ କୃପାରୁ ତୁମର କେଉଁ ଜିନିଷ ଊଣା ପଡିଛି? ଏହାଠାରୁ ଅଧିକ ଧନ ଯେ ଚାହୁଁଛ ସେଇଟା ତ ଲୋଭ ଯୋଗୁଁ । ଦିନେ ନା ଦିନେ ତମେ ଏ ସଂସାର ଛାଡିଯିବ । ଏସବୁ ଧନଦୌଲତ ଏଇଠି ପଡିରହିବ । ଏସବୁ ଧନ ପାଇଁ ତମେ କେତେ ମିଛ କହିଛ, କେତେଯେ କୁକାର୍ଯ୍ୟ କରିଛ । ସେସବୁର କ’ଣ ବା ଆବଶ୍ୟକତା? ଯଦି ଧନ ବେଶି ହେଲା ତ ଦାନ ଧର୍ମରେ ତାହା ଖର୍ଚ୍ଚ କର ।”

“କିନ୍ତୁ ମହାରାଜ, ଏପରି କଲେ ମୋର କ’ଣ ଲାଭ ହେବ?”

ବୋଧାନନ୍ଦ ଭାବିଲେ ବ୍ୟବସାୟୀ ଲୋକଙ୍କୁ ବ୍ୟବସାୟୀ ଭାଷାରେ କହିବା ଉଚିତ୍ । ତେଣୁ ସେ କହିଲେ, “ଦାନ ପୁଣ୍ୟ କଲେ ଭଗବାନ୍ ସ୍ୱର୍ଗରେ ତୁମପାଇଁ ସ୍ଥାନ ସୁରକ୍ଷିତ ରଖିବେ । ଏହାଠାରୁ ସେ ହଜାର ଗୁଣ ସୁଖ ଅନନ୍ତ କାଳପାଇଁ ଦେଇ ପାରିବେ ।”

ଏଥିରେ ସନ୍ଦେହ କରି ଲାଲାଦିନ୍ କହିଲା, “କିନ୍ତୁ ମହାଶୟ, ମୋର ବ୍ୟବସାୟ ବହୁତ ଛୋଟ; ଏତିକିରେ ହିସାବ ରଖୁ ରଖୁ କେତେ ଭୁଲ୍ ହୋଇଯାଏ । ଏତେ ବଡ ଦୁନିଆରେ ଗୋଟିଏ ନାମରେ ତ ଅନେକ ଜଣ ଲୋକ ଥିବେ । ତେବେ ମୋ ନାମରେ ଥିବା ଖାତାରେ ଯେତେ ଦାନ ଧର୍ମ କରିଥିବି, ସେଇ ନାମ ଥିବା ଅନ୍ୟ ଏକ ବ୍ୟକ୍ତିକୁ ସେଇଟା ଯେ ନ ମିଳିବ, ସେକଥା କିଏ କହିବ?

ଆପଣ କହିଲେ ଯେ ଦାନଧର୍ମ କଲେ ମୋ ପାଇଁ ସ୍ୱର୍ଗରେ ସ୍ଥାନ ଖାଲି ରହିବ । କିନ୍ତୁ ଏକଥା ବି ତ କେହି ଜାଣନ୍ତି ନାହିଁ ଯେ କିଏ କେବେ ମରିବ ଓ ମରି ସେ କୁଆଡେ ଯିବ । ପୁଣି ଏକଥା ବି ହୋଇପାରେ ମୋର ନାମ ଥିବା ଅନ୍ୟ ଏକ ବ୍ୟକ୍ତି ମଧ୍ୟ ମୋ ଆଗରୁ ମରି ସେ ସ୍ଥାନ ସ୍ୱର୍ଗରେ ଦଖଲ କରିପାରେ । ତେଣୁ ମୋର ଦାନଧର୍ମ ତ ବୃଥା ।

ଏଠି ମୁଁ ନିଜର ବ୍ୟବସାୟ ଦେଖାଶୁଣା କରି ମଧ୍ୟ ଚାକର-ବାକର କେତେ ଠକୁଛନ୍ତି । ଭଗବାନଙ୍କ ଦୁନିଆ ତ କେତେ ବିରାଟ । ଆଉ ସେଥିପାଇଁ କେତେ ଚାକର-ବାକର ରହିଥିବେ । ତେଣୁ ସେଠିକାର କାର୍ଯ୍ୟରେ ଅନେକ ବିଭ୍ରାଟ ହେବାଟା ତ ସ୍ୱାଭାବିକ । ତେଣୁ ମହାଶୟ, ସବୁଠାରୁ ଭଲ ହେବ ମୁଁ ଯେତେବେଳେ ମରି ସ୍ୱର୍ଗକୁ ଯିବି, ନିଜେ ବରଂ ଭଗବାନଙ୍କ ସହିତ କଥାବାର୍ତ୍ତା କରି ନିଜପାଇଁ ସ୍ଥାନଟିଏ କରାଇ ନେବି । ସେ ବିଷୟରେ ଆପଣଙ୍କର ଚିନ୍ତା କରିବାର କୌଣସି ପ୍ରୟୋଜନ ନାହିଁ ।”

ବୋଧାନନ୍ଦ ଏସବୁ କଥା ଶୁଣୁଥା’ନ୍ତି । ବିଚାରା ବୋଧାନନ୍ଦ ଉପଦେଶ ଦେବାକୁ ଗଲେ ଓ ସେଠାରେ ତାଙ୍କୁ ଲାଲାଦିନ୍ର ଉପଦେଶ ଶୁଣିବାକୁହିଁ ପଡିଲା । ସେ କେବଳ ଭାବିବାକୁ ଲାଗିଲେ ଏଭଳି ବିତଣ୍ଡା ତର୍କର ଉତ୍ତର ସେ କିପରି ଦେବେ । ସେ ଭାବି ଭାବି ଠିକ୍ କଲେ ଲାଲାଦିନ୍ର ଜ୍ଞାନ ବିଚାର ସବୁ କୂପମଣ୍ଡୁକର ଜ୍ଞାନ ପରି କୂପ ମଧ୍ୟରେହିଁ ସୀମିତ ଓ ଆବଦ୍ଧ । ସେ ଧନର କୂପମଧ୍ୟରୁ ବାହାରକୁ ଆସିବାକୁ ବି ଚାହେଁ ନାହିଁ । ତା’ ଉପରେ ବୋଧେ ଭଗବାନଙ୍କ କୃପା ଊଣା ଅଛି ସେଇଥିପାଇଁ ତା’ ମଧ୍ୟରୁ ଶ୍ରଦ୍ଧା ଓ ବିଶ୍ୱାସର ଝରଣା ବାହାରି ନାହିଁ । ବୋଧାନନ୍ଦ ଶେଷରେ ଭାବିଲେ ଯେ ଏପରି ଗଣ୍ଡମୂର୍ଖ ପଛରେ ସମୟ ନଷ୍ଟ କରିବା ଆହୁରି ମୂର୍ଖତା । ଏକଥା ଭାବି ସେ ତାକୁ ଛାଡି ଅନ୍ୟ ଏକ ଗ୍ରାମକୁ ଚାଲିଗଲେ ।

Find Amazon’s best deals & get advantage of the more hidden discounts!

Find over 75% discounts

Discover hidden offers, sales & discounts when searching for products on Amazon.

Keyword/s (optional)

(eg Iphone 5s Gold or Ipad Mini 16GB)

Search Discount
ବିସ୍ଵାଶ କରିବା ଆଗରୁ ବିଜ୍ଞାପନ ଗୁଡିକର ସଠିକତାକୁ ତଦନ୍ତ କରନ୍ତୁ ।
loading...

ଗପ ସାରଣୀ

ବିସ୍ଵାଶ କରିବା ଆଗରୁ ବିଜ୍ଞାପନ ଗୁଡିକର ସଠିକତାକୁ ତଦନ୍ତ କରନ୍ତୁ ।

ସାଢି | ଲାପଟପ୍ | ଟେଲିଭିଜନ୍ | ଯୋତା | ମୋବାଇଲ୍ |ବହି

ପ୍ରଥମେ ଯେକୌଣସି ଜିନିଷ ସର୍ଚ୍ଚ କରନ୍ତୁ, ପରେ କ୍ୟାସ ଅନ ଡେଲିଭରିରେ ଅଡ଼ର୍ କରନ୍ତୁ, ମାନେ ଜିନିଷ ପାଇଲା ପରେ ହିଁ ପଇସା ଦିଅନ୍ତୁ

ତାଲିକାଭୁକ୍ତ ଗପ

loading...