ଚାଣକ୍ୟଙ୍କ ଅମୁଲ୍ୟ ବଚନ

ଧର୍ମ

         ଉପଯୁକ୍ତ କର୍ମର ଅନ୍ୟ ନାମ ଧର୍ମ । କିନ୍ତୁ ଏ ସଂସାରରେ ଅନେକ ଧର୍ମଧାରଣା, ଅନେକ ଧର୍ମପୀଠ ରହିଛି । ଇଚ୍ଛାନୁସାରେ ମଣିଷ ଯେ କୌଣସି ଧର୍ମ ଗ୍ରହଣ କରିପାରେ । ସେ ଧର୍ମର ଉପାସନାପୀଠକୁ ଯାଇପାରେ । ନୀତିନିୟମ ପାଳନ କରିପାରେ । ଦେଖାଯାଉଛି ଯେ ଦୀର୍ଘକାଳ ଧରି ସଂସାରବକ୍ଷରେ ଧର୍ମକୁ ଦ୍ୱାହୀ ଦେଇ ନାନା ବ୍ୟଭିଚାର, ଶୋଷଣ, ଅତ୍ୟାଚାର ଚାଲି ଆସୁଛି । ସବୁ ଧର୍ମର ମୂଳମନ୍ତ୍ର ପ୍ରାୟତଃ ଏକ । ଅଥଚ ବିଭିନ୍ନ ଧର୍ମାବଲମ୍ବୀଙ୍କ ମଧ୍ୟରେ ଉତ୍ତମ ସମ୍ପର୍କ ନରହିବାର କାରଣ କ’ଣ ହୋଇପାରେ? ବୁଦ୍ଧିଜିବୀ ଚାଣକ୍ୟ “ମାନବିକତା” କୁ ଶ୍ରେଷ୍ଠଧର୍ମ ରୂପେ ପ୍ରତିପାଦିତ କରିଛନ୍ତି । ଯିଏ ଯେଉଁ ଧର୍ମକୁ ମାନୁଥାଉ ପଛକେ ତା ପାଖରେ ମାନବିକତା ଥିଲେ ତାକୁ ସମସ୍ତେ ଭଲ ପାଇବେ ଏଥିରେ ସନ୍ଦେହ ନାହିଁ ।

  • ପ୍ରତ୍ୟେକ ପ୍ରାଣୀ ସତ୍ୟପାଳନ କରିବା ଆବଶ୍ୟକ । ସତ୍ୟବାନ ସବୁକ୍ଷେତ୍ରରେ ବିଜୟ ହାସଲ କରିପାରେ ।
  • ସଂସାରରେ କିଛି ବି ସ୍ଥାୟୀ ନୁହେଁ । ସବୁ ଅସ୍ଥାୟୀ । ସବୁକିଛିର ବିଲୟ ରହିଛି ।
  • ପୁରୁଷର ମନ ସଦା ଚଂଚଳ ।
  • ଅର୍ଥର ଅନ୍ୟନାମ ଚଂଚଳା । ଗୋଟିଏ ସ୍ଥାନରେ ଅଧିକ ସମୟ ରହିପାରେ ନାହିଁ । ଅର୍ଥ ସେମିତି ଆଜି ତମ ପାଖରେ ତ କାଲି ତାଙ୍କ ପାଖରେ । ପୁଣି କେବେ ଅନ୍ୟମାନଙ୍କ ପାଖରେ ଥାଏ ।
  • ସଂସାରରେ ସମସ୍ତେ ଚଳଚଂଚଳ । ସଦା ଗତିଶୀଳ । ଧନ, ଜ୍ଞାତିବନ୍ଧୁ ସମ୍ପର୍କ, ଘରଦ୍ୱାର, ଆସବାବ ସବୁକିଛି ଚଚଂଳ । ସ୍ଥାୟୀ ଭାବରେ କେହି ଜଣକ ପାଖରେ ରହିପାରେ ନାହିଁ ।
  • ଧର୍ମ କେବଳ ଏକମାତ୍ର ସ୍ଥାୟୀ ଅଟେ । ଏହା ଅଟଳ ଅବିଚଳ ଯେହେତୁ ଧର୍ମ ସତ୍ୟ ଉପରେ ଆଧାରିତ ।
  • ଧର୍ମ ଜ୍ଞାନର ଭଣ୍ଡାର । ଜ୍ଞାନ ସ୍ଥାୟୀ । ଏହା କାହାକୁ ଛାଡି ଚାଲିଯାଏ ନାହିଁ । ଥରେ ଜଣେ କିଛି ଶିକ୍ଷା ଲାଭ କଲେ ଜୀବନଯାକ ତାହା ଭୁଲେ ନାହିଁ ।
  • ମଣିଷ ବୁଦ୍ଧି, ବିବେକ, ଜ୍ଞାନ ଆହରଣ, ଶ୍ରବଣର ଶକ୍ତି ଅନ୍ୟ ପ୍ରାଣୀଙ୍କ ଅପେକ୍ଷା ଯଥେଷ୍ଟ ଅଧିକ । ଏଣୁ ମଣିଷକୁ ଶ୍ରେଷ୍ଠ ପ୍ରାଣୀ ବୋଲି କୁହାଯାଇଛି ।
  • ଶୁଣି ଶୁଣି ମନେ ରଖାଯାଇ ପାରୁଥିଲା ବୋଲି ପୁରାତନ ଅନେକ ଗ୍ରନ୍ଥଃର ଅନ୍ୟ ନାମ ଶ୍ରୁତି ।
  • ଶୁଣି ଶୁଣି ମଣିଷ ମୋକ୍ଷ ପାଇପାରେ ।
  • ପ୍ରତ୍ୟେକ ଭଲ କଥା, ନୀତିଶାସ୍ତ୍ର, ଧର୍ମପୁରାଣ, ପ୍ରବଚନ, ତନ୍ତ୍ର, ମନ୍ତ୍ର, ଭଜନ, କୀର୍ତ୍ତନ ଆଦି ମଣିଷ ନିଜେ ପଢି ନପାରିଲେ ମଧ୍ୟ କେବଳ ଶୁଣି ଶୁଣି ସୁଫଳ ପାଇପାରେ ।
  • ଶୁଣିବାର ଏକ ନିୟମ ରହିଛି । ଖରାପ କଥା ନଶୁଣି କେବଳ ଭଲ କଥା ଶୁଣିବ । ସେଇ ଅନୁସାରେ ଭଲ କାମ ମଧ୍ୟ କରିବ ।
  • ଯାହା ହେବାକୁ ଥିବ ନିଶ୍ଚୟ ହେବ । ତାକୁ କେହି ବାଧା ଦେଇପାରିବ ନାହିଁ ।
  • ଘଟଣାର ପ୍ରଭାବ ଅନୁସାରେ ମଣିଷର ବ୍ୟବହାର, ଆଚରଣ ବଦଳିଯାଇଥାଏ ।
  • “ଦାନ ଏବଂ ଜ୍ଞାନ” ଏ ଦୁଇଟି ପୁରୁଷ ପାଇଁ ଏକାନ୍ତ ଆବଶ୍ୟକ । ଦାନ କଲେ ଏବଂ ଜ୍ଞାନ ଅର୍ଜ୍ଜନରେ ମନ ଲଗାଇଲେ ସମୟ ଅଯଥା ଅପବ୍ୟୟ ହୁଏ ନାହିଁ ।
  • ଧର୍ମ, ଅର୍ଥ, କାମ, ମୋକ୍ଷ ଏ ଚାରିଟି କ୍ଷେତ୍ରରେ ସଫଳତା ପାଇବା ପାଇଁ ଯିଏ ପ୍ରଯତ୍ନ ନକରେ ତାର ଜୀବନ ବୃଥା ହୋଇଯାଏ । ସେ ଏକ ବୋଝ ପରି ହୋଇଥାଏ ।
  • ସମୟ ସହିତ ତାଳ ଦେଇ ଭଲ କାମ କରିପାରିଲେ ଜୀବନ ଧନ୍ୟ ହୁଏ ।
  • ଜୀବନ କ୍ଷଣସ୍ଥାୟୀ । ଏଣୁ ଜୀବନର ପ୍ରତିଟି ମୁହୂର୍ତକୁ ଭଲକାର୍ଯ୍ୟରେ ଉପଯୋଗ କରାଯିବା ଆବଶ୍ୟକ ।
  • ଏ ଶରୀର, କଳ୍ପନା, ଆଶା, ଆକାଂକ୍ଷା, ଧନ ସମ୍ପତ୍ତି ସବୁ କିଛି ଧ୍ୱଂସ ହୋଇଯାଏ ମୃତ୍ୟୁରେ । ମୃତ୍ୟୁ ଆଗରୁ ଏମିତି କିଛି କାମ କରାଯିବା ଆବଶ୍ୟକ ଯାହା ଫଳରେ କାଳ କବଳିତ କରିପାରିବନି ଯଶକୁ ସୁନାମକୁ ।
  • ସବୁଠାରୁ ବଡ ଶକ୍ତି ଅଗ୍ନି । ସେ ସର୍ବସ୍ୱ ଧ୍ୱଂସ କରିପାରନ୍ତି । ମଣିଷ ନିଜ ପେଟର ଅଗ୍ନିକୁ ପ୍ରଶମିତ କରିବା ପାଇଁ ଧର୍ମ ଅଧର୍ମ ସବୁ କିଛି ଭୁଲିଯାଇପାରେ ।
  • ଶକ୍ତିମାନେ ପ୍ରାଣୀମାନଙ୍କର ନିଷ୍ଠା ଓ ଅଖଣ୍ଡ ବିଶ୍ୱାସରେ ବାସ କରନ୍ତି ।
  • ସାଧାରଣ ଲୋକେ ପଥର ଦେହରେ ସିନ୍ଦୁର ମାରି ତାକୁ ଶକ୍ତି ବା ଦେବତା ଜ୍ଞାନ କରି ପୂଜା କରନ୍ତି । ଫଳବି ପାଆନ୍ତି । ଏହାର ମୂଳରେ ନିହିତ ଥାଏ ସେମାନଙ୍କର ନିଷ୍ଠା ଓ ଅଖଣ୍ଡ ବିଶ୍ୱାସ ଦେବତା ନୁହେଁ।
  • ସାଧୁ, ସନ୍ଥ, ଜ୍ଞାନୀମାନେ ଜଗତର ଜଡ, ଚେତନ, କୀଟ ତରୁଲତା ପ୍ରାଣୀଙ୍କ ଦେହରେ ଶକ୍ତି ବା ଈଶ୍ୱରଙ୍କ ସତ୍ତା ଅନୁଭବ କରନ୍ତି ।
  • ସତ୍ୟ କଥନ ଶ୍ରେଷ୍ଠ ବଚନ ।
  • ସତ୍ୟ ପାଳନ ଶ୍ରେଷ୍ଠ ଧର୍ମ ।
  • ସତ୍ କର୍ମ ଶ୍ରେଷ୍ଠ କର୍ମ ।
  • ନିଜର ଏବଂ ଅନ୍ୟର ଆତ୍ମାର ଆହ୍ୱାନକୁ ଏଡି ଦେଇ ହେବନାହିଁ ।
  • ମନ୍ଦିରରେ ଶକ୍ତି ବା ଦେବତା ନଥାନ୍ତି । ଶକ୍ତି ଥାଆନ୍ତି ସବୁରି ଆତ୍ମା ଭିତରେ ।
  • ଭାବନା ଓ ଶ୍ରଦ୍ଧାର ଅନ୍ୟ ନାମ ଶକ୍ତି ବା ଦେବତା ।
  • ସମଗ୍ର ସୃଷ୍ଟି ଏକ ପ୍ରକାର ଭାବନା ଉପରେ ଆଧାରିତ । ଯାହାର ଭାବନା ଯେଡେ ତାର ପ୍ରଭୁ ତେଡେ ।
  • ଭାବନାନୁସାରେ ଠାକୁର ଶକ୍ତିଙ୍କର ଅଭ୍ୟୁଥାନ ଘଟିଥାଏ । ଆମ ଭାବନା ଯେପରି ହେବ ଠିକ୍ ସେଇପରି ଆକୃତି ବିଶିଷ୍ଟ ଦେବଦେବୀ ଆମକୁ ଦେଖାଯିବେ ।
  • ମାଟି, ପଥର, କାଠ ବା ଧାତୁରେ ମୁର୍ତ୍ତି ତିଆରି ହୋଇପାରେ । ପୂଜା କରିବାର ନିଷ୍ଠା ହିଁ ଶ୍ରେଷ୍ଠ ନୈବେଦ୍ୟ । ଆତ୍ମାର ଶ୍ରଦ୍ଧା ସବୁଠାରୁ ବଡ ପୂଜା ।
  • ଫଳ ଆଶା ରଖିବା ଆଗରୁ ଭାବନାକୁ ଶୁଦ୍ଧ କରିବା ଆବଶ୍ୟକ ।
  • ବିଷୟ ବାସନା, ଭୋଗ, ଲାଳସା ସବୁ ଅଧର୍ମର ମୂଳବୀଜ । ଏସବୁଠାରୁ ନିଜକୁ ଦୂରେଇ ରଖିବା ବିଜ୍ଞତାର ପରିଚାୟକ ।
  • ସତ୍ପଥ ଶ୍ରେଷ୍ଠ ପଥ । ଏ ପଥରେ ଚାଲିଲେ ପାଦରେ କଂଟା ଲାଗେ ନାହିଁ ।
  • ସତ୍ୟ ମହାନ, ସତ୍ୟ ଚିରସ୍ଥାୟୀ ।
  • ଚନ୍ଦ୍ର, ସୂର୍ଯ୍ୟ, ବାୟୁ, ଜନ୍ମ, ମରଣ ସବୁ କିଛି ସତ୍ୟ ଉପରେ ଆଧାରିତ ।
  • ସତ୍ୟକୁ ଛାଡି ଦେଲେ ସବୁ ମିଥ୍ୟା, ଅଳୀକ, ଅସାର ।
  • ଆଶାନୁରୂପ ଫଳ ନମିଳିଲେ ଅଧୈର୍ଯ୍ୟ ନହୋଇ ଧୈର୍ଯ୍ୟର ସହିତ ଅଧିକ ସୁଫଳ ପାଇବା ପାଇଁ ପ୍ରଯତ୍ନ ଜାରି ରଖିବା ଉଚିତ୍ ।
  • ମୃତ୍ୟୁ ହେଉଛି ସବୁଠାରୁ ଅଧିକ ଶକ୍ତିଶାଳୀ ।
  • ମୃତ୍ୟୁ ପାଖରେ ଉଚ୍ଚ ନୀଚ, ଛୋଟ ବଡ, ଧନୀ ଗରିବ, ରାଜା ପ୍ରଜା, ଦେବ ଦାନବର କିଛି ଫରକ ନାହିଁ । ସେ ସମସ୍ତଙ୍କୁ ସମାନ କରିଦିଏ । ମୃତ୍ୟୁକୁ ସଚେତନ, ପ୍ରାଜ୍ଞ ବ୍ୟତୀତ ଅନ୍ୟ ସମସ୍ତେ ଡରନ୍ତି ।
  • ମୃତ୍ୟୁ ସଦା ଜାଗ୍ରତ । ସେ କେବେ ଶୋଇପାରେନା । ପ୍ରତି ମୁହୂର୍ତରେ ସେ ଅପେକ୍ଷା କରୁଥାଏ କାହାକୁ ନା କାହାକୁ । ମୃତ୍ୟୁ ପ୍ରତି ସମସ୍ତେ ସଚେତନ ହୋଇ କାମ କରିବା ଆବଶ୍ୟକ ।
  • ଜୀବନର ଲକ୍ଷ୍ୟ ମନ୍ଦ କାର୍ଯ୍ୟ ନୁହେଁ, ଭଲ କାମ ଓ ପରୋପକାର ଅଟେ ।
  • ପ୍ରାଣୀ ଯେପରି କର୍ମ କରେ ସେପରି ଫଳ ପାଇଥାଏ । ସତ୍ କର୍ମହିଁ ଶ୍ରେଷ୍ଠ ଧର୍ମ । ସତ୍ କର୍ମ କରିନପାରିଲେ ଜୀବନ ବୃଥା । ଦୁର୍ନାମରୁ ଉଦ୍ଧାର ଘଟେ ନାହିଁ । ଦୁର୍ନାମରୁ ଉଦ୍ଧାର ହିଁ ମୋକ୍ଷ ।
  • ମଣିଷ ସଂସାରର ମାୟା ଜାଲରେ ବାନ୍ଧି ହୋଇଥାଏ । ତା ଆଖିରେ ସ୍ୱାର୍ଥ, ଲୋଭ, ମୋହର ଅନ୍ଧପୁଟୁଳି ବନ୍ଧା ଯାଇଥାଏ । ଏସବୁର ଉଦ୍ଧ୍ୱର୍ରେ ରହିପାରିଲେ ଜଣେ କାଳ ବିଜୟୀ ହୋଇପାରିବ।
  • ମୃତ୍ୟୁ କାଳରେ ଧନ, ସମ୍ପଦ, ଯଶ, ଗୌରବ କିଛି ସାଥିରେ ଯାଏ ନାହିଁ । କେବଳ କର୍ମ ହିଁ ମଣିଷକୁ ଅମର ରଖେ ।
  • ଅନ୍ୟର ମଙ୍ଗଳ କାମନା କରିଥିବା ଲୋକ ହିଁ ଆତ୍ମ ଶାନ୍ତି ଲାଭ କରିପାରେ ।
  • ଧର୍ମର ଅନ୍ୟ ଅର୍ଥ ସତ୍ କର୍ମ ଓ ପରୋପକାର ।
  • ଇନ୍ଦ୍ରୀୟ ସଂଯମ, ଜୀବନ ଦୟା, ଆତ୍ମବତ୍ ନୀତିରେ ଚାଲିଲେ ବୁଦ୍ଧିର ଶୁଦ୍ଧି ଘଟିଥାଏ ।
  • କର୍ମ ଘେନି ମଣିଷ ଛୋଟ ବଡ, ଉଚ୍ଚ ନୀଚ ଜାତିର ବୋଲି ଜଣା ଯାଏ ।
  • ଫୁଲର ସୁଗନ୍ଧକୁ ଦେଖି ହୁଏ ନାହିଁ । ଚିନିର ମିଷ୍ଟତା ଦେଖି ହୁଏ ନାହିଁ । ଅନୁଭବ କରି କହି ହୁଏ । ସେହିପରି ମଣିଷର ଶରୀରରେ ଯେଉଁ ଶକ୍ତି ଶରୀରକୁ ନିୟନ୍ତ୍ରଣ କରିଥାଏ ବା ଆତ୍ମା ବାସ କରିଥାଏ ତାସବୁ ଅନୁଭବ କରାଯାଇପାରେ ।
  • ଆତ୍ମାକୁ ଅଲଗା କରି ଶରୀରରୁ ଜଣକର ଅନ୍ତର୍ନିହିତ ଭାବର ମୂଲ୍ୟାଙ୍କନ କରାଯାଇପାରେ ନାହିଁ ।
  • ଖରାପ ଆଚରଣ ତ୍ୟାଗ କରିବା ସଙ୍ଗେ ସଙ୍ଗେ ନିଜେ ଶୁଦ୍ଧ ହେବା ସହିତ ନିଜର ଭାଷା, କର୍ମକୁ ଶୁଦ୍ଧ କରି ଦୟା, କ୍ଷମା, ସତ୍ୟ, ପ୍ରେମକୁ ଆପଣେଇବା ଦରକାର । ଏହାଦ୍ୱାରା ଜୀବନର ସକଳ ସୁଖ ଲାଭ କରାଯାଇପାରେ ।
  • ସୁନାର ମହକ ନାହିଁ କିନ୍ତୁ ଜ୍ୟୋତି ଅଛି ଯାହା ସମସ୍ତଙ୍କୁ ଆକର୍ଷିତ କରିପାରେ ।
  • ପ୍ରକୃତିର ନିୟମ ଅନୁସାରେ ସମସ୍ତେ ଚଳିବାକୁ ବାଧ୍ୟ । ପ୍ରକୃତିକୁ କେହି ବାଧା ଦେଇପାରିବେ ନାହିଁ । ପ୍ରାକୃତିକ ନିୟମକୁ କେହି ବଦଳାଇ ପାରିବ ନାହିଁ ।
  • ପ୍ରକୃତି ମହାନ୍ ସର୍ବ ଶକ୍ତିମାନ । ସେ ସଂସାରର ଡୋରୀ ହାତରେ ଧରି କୀଟ, ତରୁ, ଜୀବଜନ୍ତୁଙ୍କୁ ନଚାଉଛନ୍ତି । ରାଜାଙ୍କୁ ପ୍ରଜା, ପ୍ରଜାକୁ ରାଜା, ଧନୀକୁ କାଙ୍ଗାଳ, କାଙ୍ଗାଳକୁ ଧନୀ କରୁଛନ୍ତି । କର୍ମ ଉପରେ ଭରସା ରଖିଲେ ସବୁ ସମ୍ଭବ ହୋଇପାରିବ ।
  • ନୀୟତି ଯାହା କରେ ପ୍ରାଣୀର ମଙ୍ଗଳ ପାଇଁ । ଏଣୁ ଭାବି ନେବା ଉଚିତ ଯେ ଯାହା ହେଉଛି ଭଲ ହେଉଛି । ଯାହା ହୋଇଛି ଭଲ ହୋଇଛି ଏବଂ ଯାହା ଆଗକୁ ହେବ ତାହା ମଧ୍ୟ ଭଲ ହେବ । ସବୁ ସେଇ ନୀୟତିର ଇଚ୍ଛା ।
  • ଯିଏ ଧନ ଲୋଭରେ ପାଗଳ ପ୍ରାୟ । ଖରାପ କାମ କରି ଧନ ଅର୍ଜ୍ଜନ କରେ । ପାପ ଶକ୍ତିରେ ବଳୀୟାନ । ନିଜକୁ ଶ୍ରେଷ୍ଠ ଶକ୍ତିଶାଳୀ ବୋଲି ଭାବୁଥିଲେ ମଧ୍ୟ ସେ ବଡ ଭୀରୁ । ତାକୁ ସର୍ବଦା ମରଣର ଭୟ ଘାରୁଥାଏ ।
  • ଯେଉଁ ପ୍ରାଣୀ ଦାନ ଦିଏ ନାହିଁ, ସାଧୁସଙ୍ଗ କରେ ନାହିଁ, ଗୁରୁଜନଙ୍କୁ ମାନେ ନାହିଁ, ସେ ବଂଚି ଥାଇ କିଛି ଲାଭ ନାହିଁ । ତା ଜୀବନର କିଛି ସାର୍ଥକତା ନଥାଏ । ସେ ଶବ ସହିତ ସମାନ ।
  • ପେଚା ଦିନରେ ଦେଖିପାରେ ନାହିଁ ଏଥିରେ ସୂର୍ଯ୍ୟର ଦୋଷ କ’ଣ? କୌଣସି ଗଛରେ ପତ୍ର ନ କଅଁଳିଲେ, ଫଲ ନଫୁଟିଲେ ବସନ୍ତର ଦୋଷ କ’ଣ? ଚାତକ ମୁହଁରେ ପାଣି ନପଡିଲେ ବାଦଲର ଦୋଷ କ’ଣ? ଯାହାକୁ ଯାହା କରିଛି ପ୍ରକୃତି ତହୁଁନିକି ତାହା ଅନ୍ୟଥା ହୋଇବ? ପ୍ରକୃତି ଯାହାକୁ ଯାହା ଶକ୍ତି ଦେଇଛି ସେଇଥିରେ ସନ୍ତୁଷ୍ଟ ରହି ଯିଏ ସତ୍ କର୍ମ କରିପାରିବ ସେଇ ଧନ୍ୟ ହେବ ।
  • ଧର୍ମ କାର୍ଯ୍ୟରେ ସଦା ଆଗରେ ରହିବା, ମିଠା କଥା କହି ମନ ମୋହିବା, ଦାନପୁଣ୍ୟ କରିବା, ଅତିଥି ଅଭ୍ୟାଗତ ସଦ୍ଜନଙ୍କ ସତ୍କାର କରିବା, ନମ୍ରତା, ଗମ୍ଭୀରତା, ଶୁଦ୍ଧ ବିଚାର, ଦୁଃଖୀ ଜନତାର ସେବା କରିବା, ମହତଧର୍ମର ଏକ ଏକ ଅଙ୍ଗ । ଯେ ଏସବୁ ଠିକ୍ ଭାବରେ କରିପାରେ ତାର ଦୁଃଶ୍ଚିନ୍ତା, ଅଭାବ ନଥାଏ । ସେ ସଦା ସୁଖୀ ।
  • ତୀର୍ଥଯାତ୍ରା, ପୂଜା, ତୀର୍ଥ ସ୍ଥାନ, ଏସବୁ କେବଳ ମନକୁ ବୁଝାଇବା ପାଇଁ । ତୀର୍ଥରେ ଯାଇ ସ୍ନାନ କଲେ, ପୂଜାର୍ଚ୍ଚନା କଲେ ପାପର ପ୍ରାୟଶ୍ଚିତ ହୁଏ ବୋଲି କୁହନ୍ତି । ସତରେ କ’ଣ ପାପର ବୋଝ ହାଲୁକା ହୋଇଯାଏ? ନା । ମଦ୍ୟପାତ୍ର ଭାଙ୍ଗି ଦେଲେ ଯେପରି ନିଶାଖୋରର ନିଶା ଛାଡିଯାଏ ନାହିଁ ଠିକ୍ ସେଇପରି ଯେତେ ତୀର୍ଥାଟନ, ତୀର୍ଥସ୍ନାନ କଲେ ବି ପାପର ପ୍ରାୟଶ୍ଚିତ ହୁଏ ନାହିଁ । ଏଥିପାଇଁ ଆତ୍ମାନୁଶୀଳନ, ଅନୁତାପ, ଆତ୍ମଚିନ୍ତନର ଆବଶ୍ୟକତା ରହିଛି ।
  • ଯିଏ ମନକୁ ଚିହ୍ନେନା, ଯିଏ ଅନ୍ୟର ଅନ୍ତରକୁ ଚିହ୍ନେନା, ଯିଏ ଶୁଦ୍ଧ ଚିତ, ପବିତ୍ର ନୁହେଁ ସେ କଦାପି ସଦ୍ଜନ ନୁହେଁ ।
  • ଯେଉଁ ସଦ୍ଜନ ବିଦ୍ୱାନ, ଧର୍ମ ପରାୟଣ, ପରୋପକାରୀ, ଜଗତର ମଙ୍ଗଳ ସାଧନା ଯାହାର କର୍ତ୍ତବ୍ୟ ସେ ଶ୍ରେଷ୍ଠ ସଦ୍ଜନ ।
  • ହୀରା ମୋତି ମାଣିକର ବାଦଶାହ ଚିନ୍ତାମଣି ଏକ ପଥର ମାତ୍ର ।
  • ଭଲ କାମ କରି ଅଳ୍ପକାଳ ବଂଚୁଥିବା ଲୋକଟି ଅମର ହୋଇ ରହିଯାଏ । ତାକୁ ସମସ୍ତେ ଝୁରନ୍ତି ।
  • କେହି ଶହେ ବର୍ଷ ବଂଚି ଯଦି ଖରାପ କାମ କରୁଥାଏ ତେବେ ତାର ବଂଚିବା ମରିବାରେ କିଛି ଫରକ ନଥାଏ ।
  • ସବୁ ପ୍ରାଣୀଙ୍କର ଆୟୁ, ବିଦ୍ୟା, ଧନ, ମୃତ୍ୟୁ କର୍ମ ନିର୍ଦ୍ଧିଷ୍ଟ । ଏହାକୁ କର୍ମର ଫଳ କୁହାଯାଇଥାଏ । ସମସ୍ତେ କର୍ମର ଦାସ । ଯିଏ ଯେପରି କର୍ମ କରେ ସିଏ ସେପରି ଫଳ ପାଏ ।
  • ନିଜର କର୍ମ ଏବଂ ସାମର୍ଥ୍ୟ ବଳରେ ଜଣେ ଚାହିଁଲେ ନିଜର ଜୀବନଶୖଳୀ କୁ ବଦଳାଈ ଦେଈପାରେ।
  • ଭାଗ୍ୟ ଉପରେ ନିର୍ଭର କରି ନିକମା ହୋଇ ବସି ରହିଲେ କିଛି ଲାଭ ନାହିଁ । କର୍ମ କରିବାହିଁ ପରମଧର୍ମ ।
  • ଆତ୍ମଜ୍ଞାନ ପ୍ରାଣୀକୁ ଅନ୍ଧକାର ମଧ୍ୟରୁ ବାହାର କରି ଆଲୋକିତ ଦୁନିଆଁକୁ ନେଇଯାଏ । ଜ୍ଞାନ ହିଁ ଉଜ୍ଜ୍ୱଳ ଆଲୋକ । ଏହାର ଜ୍ୟୋତିରେ ସମସ୍ତ ଅଭିନବ ତୁଟିଯାଏ ।
  • ଜ୍ଞାନ ଶାସ୍ତ୍ର ଅଗଣିତ । ବିଦ୍ୟାର କୌଣସି ସୀମା ନାହିଁ । ମାତ୍ର ଏ ଜୀବନ ସୀମିତ । ବାଧା ବିପଦ ଅନେକ । ଏଣୁ ଜ୍ଞାନକୁ ନିଜ ଭିତରେ ହଜମ କରି ସବୁ ଭଲ ଗୁଣକୁ ଆଦରି ନେଲେ, ଭଲକାମ କଲେ ନିଶ୍ଚିତ ଭାବରେ ମୁକ୍ତି ଓ ମୋକ୍ଷ ମିଳିପାରେ ।
  • ଗୁଡାଏ ବହି ପାଖରେ ରଖିଲେ କେହି ବିଦ୍ବାନ ହୋଇଯାଏନା । ଏପରି ହେଉଥିଲେ ତ ବହି ଦୋକାନୀମାନେ ମହାଜ୍ଞାନୀ ପାଲଟି ଯାଆନ୍ତେ ।
  • ଗୁଡିଏ ବହି କେବଳ ପଢି ଦେଲେ ମଧ୍ୟ ଜଣେ ବିଦ୍ବାନ ବୋଲି ମାନ୍ୟତା ପାଇପାରିବ ନାହିଁ । ସତ୍ କର୍ମ ଗ୍ରନ୍ଥକୁ ପଢି ଯିଏ ତାର ସାରମର୍ମ ଗ୍ରହଣ କରେ ଏବଂ ସେଇ ଅନୁସାରେ ନିଜର ଜୀବନକୁ ଗଢିବା ସହିତ ଅନ୍ୟମାନଙ୍କୁ ଉଚିତ୍ ପରାମର୍ଶ ପ୍ରଦାନ କରେ ସେଇ ପ୍ରକୃତ ଜ୍ଞାନୀ ଓ ଧାର୍ମିକ ।
  • କାମ, କ୍ରୋଧ, ମୋହ, ଲୋଭ, ସ୍ୱାର୍ଥ, ଅହଂକାରଠାରୁ ଯିଏ ଦୂରରେ ରହିପାରେ, ଅନ୍ୟର ମଙ୍ଗଳ କାମନା କରିପାରେ ସେ ସର୍ବଦା ସୁଖରେ ବାସ କରିପାରେ ।
  • କେବଳ ଭଜନ ପୂଜନ କଲେ ମୁକ୍ତି ମିଳିପାରେ ନାହିଁ । ଏହାସହିତ ସତ୍ କର୍ମ, ଆଚରଣ, ନିଷ୍ଠା ଜଡିତ ହେବା ଆବଶ୍ୟକ ।
  • କର୍ମ ଯଥାର୍ଥ, ଧର୍ମ ଆଦର୍ଶ, ଏହାକୁ ମନେ ରଖିବାକୁ ହେବ ।
  • ଜ୍ଞାନ ଜୀବନର ଶେଷ ଲଗ୍ନ ପର୍ଯ୍ୟନ୍ତ ଆଲୋକର ପଥ ପରିଷ୍କୃତ କରିଥାଏ ।
  • ସବୁ ଧର୍ମକୁ ଭଲ ପାଇବା ପ୍ରକୃତ ଧାର୍ମିକର ଲକ୍ଷଣ ।
  • ପଥ ଅଲଗା ଅଲଗା ହୋଇଥିଲେ ମଧ୍ୟ ସବୁ ଧର୍ମର ମୂଳମନ୍ତ୍ର ଏକ ।
  • ସବୁ ଧର୍ମର ଲକ୍ଷ୍ୟ ଏକ ମୋକ୍ଷ ଓ ଶାନ୍ତି ।
  • ଜ୍ଞାନୀ ମଣିଷ ମାୟା ଜାଲରେ ନପଶି ମୁକ୍ତ ଭାବରେ ବିଚରଣ କରିବାକୁ ସକ୍ଷମ ହୋଇଥାଏ ।
  • ନିଜ ଇଚ୍ଛାରେ କେବେ ସୁଖ ମିଳେ ନାହିଁ । ଆତ୍ମ ସନ୍ତୋଷ ହିଁ ପ୍ରକୃତ ସୁଖ ।
  • ପ୍ରାଣୀ ଯେତେବେଳେ ଦୁଃଖକଷ୍ଟରେ କଲବଲ ହେଉଥିବା ବା ମରିଥିବାର ଅନ୍ୟକୁ ଦେଖେ ସେତେବେଳେ ତା ମନକୁ ବୈରାଗ୍ୟ ଗ୍ରାସ କରେ । ସେ ଭଗବାନଙ୍କୁ ମନେ ପକାଏ । ସଂସାରକୁ ମାୟାଜାଲ ବୋଲି ବର୍ଣ୍ଣନା କରେ । ଦୁଷ୍କର୍ମ ଠାରୁ ଦୂରେଇ ରହିବାକୁ ପ୍ରତିଜ୍ଞା କରେ । ମାତ୍ର କିଛି କାଳ ପରେ ପୁଣି କ୍ଷଣିକ ସୁଖରେ ସବୁଭୁଲେ । ଏହା ଠିକ୍ ନୁହେଁ ।
  • କେତେକ ଲୋକ ଏପରି ଅଛନ୍ତି ଯେଉଁମାନେ କି ନିଜକୁ ସବୁଠାରୁ ଅଧିକ ଚାଲାକ୍, ବିଦ୍ବାନ ବୋଲି ମନେ କରନ୍ତି । ସେମାନେ ଯାହା କରନ୍ତି ତାହା ସଠିକ୍ ଓ ଧର୍ମଧାରଣା ଉପରେ ଆଧାରିତ ବୋଲି କହନ୍ତି । କିନ୍ତୁ ପ୍ରକୃତରେ ଦେଖିବାକୁ ଗଲେ ସେଇମାନେ ହିଁ ବାରବାର ଠକନ୍ତି । ଦୁଃଖ ପାଆନ୍ତି ।
  • ଆଖି, କାନ, ନାକ, ଜୀହ୍ୱା, ଚର୍ମ ଆଦି ଏକ ଏକ ଇନ୍ଦ୍ରିୟ । ଏମାନଙ୍କ ସହିତ ହାତ, ପାଦ, ମୁହଁ, ଲିଙ୍ଗ, ମଳଦ୍ୱାର ଆଦି ସଂଯୁକ୍ତ । ଯେତେ ପ୍ରକାରର ଅଶୋଭନୀୟ କର୍ମ ମଧ୍ୟ ଏମାନଙ୍କ ଦ୍ୱାରା ହିଁ କରାଯାଇପାରେ । ଏମାନଙ୍କ ଉପରେ ସଂଯମ ରକ୍ଷା କରିବା ପ୍ରକୃତ ମଣିଷର କର୍ତ୍ତବ୍ୟ ହେବା ଉଚିତ୍ ।
  • ଯିଏ ରୂପ, ରସ, ଅଭିମାନ, ସ୍ପର୍ଶ ଉପରେ ବିଜୟ ଲାଭ କରିପାରେ ସେ ମହାନ୍ । ସେ ସମସ୍ତଙ୍କୁ ବଶୀଭୂତ କରିପାରେ ।
  • ଯେଉଁମାନେ କାମ, କ୍ରୋଧ, ଲୋଭ, ମୋହ, ଅହଂକାର ହାତରେ ଖେଳନା ପାଲଟି ଜୀବନର ଅର୍ଥ ଭୁଲିଯାଆନ୍ତି ସେମାନେ ଏକ ପ୍ରକାର ପାପରେ ଲିପ୍ତ ହୋଇପଡନ୍ତି । କିନ୍ତୁ ଯିଏ ଏସବୁକୁ ଅବଦମିତ କରିପାରେ, ସଂଯମ ସାଧନାରେ କୃତକାର୍ଯ୍ୟ ହୋଇପାରେ ସେ ମହାନ୍ ପାଲଟି ଯାଇପାରେ ।
  • ଏ ଦୁନିଆଁ ଅମର ନୁହେଁ, ସ୍ଥାୟୀ ନୁହେଁ, ସଦାଚଚଂଳ, ଗତିଶୀଳ । କେହି ପ୍ରାଣୀ ଅମର ରହିବ ବୋଲି ଭାବିବା ଉଚିତ୍ ନୁହେଁ । ଦିନେନାଦିନେ ତାକୁ ମୃତ୍ୟୁ କବଳିତ କରିବ । ଏଣୁ ଖରାପ କାମ କରିବା, ଅସତ ପଥରେ ଚାଲିବା, କୁସଙ୍ଗରେ ପଡିବା ଅପେକ୍ଷା ସତ୍ସଙ୍ଗ ଲାଭ କରି ସତ୍କର୍ମ କରିବା ଆବଶ୍ୟକ । ଏହାଦ୍ୱାରା ସତ୍ୟର ସୁଫଳ ମିଳିପାରିବ ।
  • ଯିଏ ସର୍ବପ୍ରାଣୀଙ୍କୁ ଦୟା କରେ, ବିନାସ୍ୱାର୍ଥରେ ଅନ୍ୟର ସେବା କରେ, ଅନ୍ୟକୁ ଜ୍ଞାନ ବିତରଣ କରେ ସେ ସର୍ବଦା ସୁଖ ଭୋଗ କରିଥାଏ ।

Find Amazon’s best deals & get advantage of the more hidden discounts!

Find over 75% discounts

Discover hidden offers, sales & discounts when searching for products on Amazon.

Keyword/s (optional)

(eg Iphone 5s Gold or Ipad Mini 16GB)

Search Discount

ସାଢି | ଲାପଟପ୍ | ଟେଲିଭିଜନ୍ | ଯୋତା | ମୋବାଇଲ୍ |ବହି

ପ୍ରଥମେ ଯେକୌଣସି ଜିନିଷ ସର୍ଚ୍ଚ କରନ୍ତୁ, ପରେ କ୍ୟାସ ଅନ ଡେଲିଭରିରେ ଅଡ଼ର୍ କରନ୍ତୁ, ମାନେ ଜିନିଷ ପାଇଲା ପରେ ହିଁ ପଇସା ଦିଅନ୍ତୁ

ଗପ ସାରଣୀ

ନୂଆ ତାଲିକାଭୁକ୍ତ ଗପ