ତିନି ବିଲେଇ

ଅନେକ ବର୍ଷ ତଳର କଥା । ବିଜୟପୁରର ପଶ୍ଚିମ ଅଂଚଳରେ ଜବଗ୍ରାମ ଇଲାକାରେ ଜଣେ ଦକ୍ଷ ରାଜପ୍ରତିନିଧି ଥିଲେ । ସେ ସ୍ଥାନୀୟ ପ୍ରଜାମାନଙ୍କୁ ଏପରି ସୁଖରେ ଲାଳନ ପାଳନ କରୁଥିଲେ ଯେ ସେମାନେ ରାଜପ୍ରତିନିଧିଙ୍କୁହିଁ ରାଜା ଭଳି ମାନ୍ୟ କରୁଥିଲେ । ଏଣେ ରାଜପ୍ରତିନିଧି ରାଜାଙ୍କ ପ୍ରତି ମଧ୍ୟ ଖୁବ୍ ବିଶ୍ୱସ୍ତ ଥିଲେ ।

                ତେବେ ଦିନେ ବୃଦ୍ଧାବସ୍ଥାରେ ତାଙ୍କର ମୃତ୍ୟୁ ଘଟିଲା ।

                ରାଜା ବଡ ଦୁଃଖ କଲେ ଓ ମନ୍ତ୍ରୀଙ୍କୁ ଡକାଇ କହିଲେ, “ବର୍ତ୍ତମାନ ଜଣେ ବିବେକୀ ଓ ଦକ୍ଷ ବ୍ୟକ୍ତି ଜବଗ୍ରାମରେ ନିଯୁକ୍ତ କରିବା କଥା । କାହାକୁ ସେଠାକୁ ପଠାଇବା? ତିନିମାସ ପାଇଁ ସହକାରୀ ପ୍ରତିନିଧି ଦାୟିତ୍ୱରେ ଅଛନ୍ତି । ତେଣିକି?”

                ମନ୍ତ୍ରୀ କହିଲେ, “ମହାରାଜ! ସେ ବିଷୟରେ ମୁଁ ଅନେକ ଚିନ୍ତା କଲିଣି । ବିନୟ, ଭାନୁ ଓ ବିପୁଳ, ଏ ତିନିହେଁ ସବୁଠାରୁ ଦକ୍ଷ ଯୁବକ । ଏମାନଙ୍କ ଭିତରୁ ଆପଣ ଯାହାକୁ ମନୋନୀତ କରିବେ, ତାକୁ ସେଠାକୁ ରାଜପ୍ରତିନିଧି ଭାବରେ ପଠାଇବା ।”

                ଦରବାରର ଯୁବକ ଅମାତ୍ୟଙ୍କ ଭିତରେ ଯେ ଏ ତିନିଜଣ ଶ୍ରେଷ୍ଠ, ସେଥିରେ ରାଜାଙ୍କର ବି କୌଣସି ସନ୍ଦେହ ନଥିଲା । ତେବେ ସେ ମନ୍ତ୍ରୀଙ୍କୁ କହିଲେ, “ମନ୍ତ୍ରୀବର! ତମେ ସେ ମନୋନୟନ ଭାର ମୋ ଉପରେ ଆଉ କାହିଁକି ଛାଡୁଛ? ତମେହିଁ ନିଜେ ଠିକ୍ କରିଦିଅ ।”

                ମନ୍ତ୍ରୀ ବିନୟ, ଭାନୁ ଓ ବିପୁଳଙ୍କୁ ଡକାଇଲେ ଓ ପ୍ରତ୍ୟେକଙ୍କୁ ଗୋଟିଏ ଗୋଟିଏ ଛୋଟ ବିଲେଇ ଦେଲେ ଓ ଶହେ ଟଙ୍କା ଲେଖାଏଁ ଦେଲେ । ସେ କହିଲେ, “ପ୍ରତ୍ୟେକେ ନିଜ ନିଜ ବିବେକ ବୁଦ୍ଧି ଅନୁସାରେ ଏ ବିଲେଇଙ୍କୁ ପାଳନ କର । ଯାହା ଦରକାର ଏ ଟଙ୍କାରୁ ଖର୍ଚ୍ଚ କରିବ । ତିନିମାସ ପରେ ତୁମେମାନେ ବିଲେଇମାନଙ୍କୁ ସାଥିରେ ନେଇ ଦରବାରକୁ ଆସିବ ।”

                ଯୁବକ ତିନିଜଣ ଚାଲିଗଲେ । ତିନିମାସ ପରେ, ନିର୍ଦ୍ଦିଷ୍ଟ ତାରିଖରେ ସେମାନେ ବିଲେଇ ମାନଙ୍କୁ ଧରି ଆସିଲେ ଓ ମନ୍ତ୍ରୀଙ୍କୁ ଖବର ଦେଲେ ।

                ବିନୟର ବିଲେଇ ଏଡେ ମୋଟ ହୋଇଥାଏ ଯେ ସତେ ଅବା ସେ ଗୋଟିଏ ବାଘ ଛୁଆ । ସେ ମନ୍ତ୍ରୀଙ୍କୁ ପଚାଶ ଟଙ୍କା ଫେରାଇ ଦେଇ କହିଲେ, “ସବୁ ପ୍ରକାର ଆରାମ ଦେଇ ମୁଁ ବିଲେଇକୁ ରଖିଥିଲି । ମାଛ, ମାଂସ, ଦୁଧ, ଛେନା କୌଣସିଥିରେ ତା’ର ଅଭାବ ଘଟି ନାହିଁ ।”

                ବିପୁଳ ତା’ ବିଲେଇକୁ ଦେଖାଇ କହିଲା, “ମହାଶୟ! ବିଲେଇ ପିଛା କୌଣସି ଖର୍ଚ୍ଚ କରିବା ବୋକାମି ବୋଲି ମୁଁ ଭାବିଲି । ସେ ନିଜେ ଘର ଭିତରେ ବୁଲି ମୂଷା ପାଇଲେ ଖାଉଥାଏ । ତେଣୁ ମୁଁ ସମୁଦାୟ ଶହେ ଟଙ୍କା ଫେରାଇ ଆଣିଛି ।”

                ବିପୁଳର ବିଲେଇ ନିହାତି ଦୁର୍ବଳ ଦିଶୁଥାଏ । ତାର ସ୍ୱାଭାବିକ ବୃଦ୍ଧି ଘଟି ନଥାଏ । କାରଣ ବିଲେଇ ମୂଷା ପାଇଲା ନା ନାହିଁ ସେକଥା ବିପୁଳ ମନରେହିଁ ନ ଥାଏ । ମନେହୁଏ ସେ ବିଲେଇର ସ୍ୱାସ୍ଥ୍ୟ ବିଷୟରେ କିଛି ମଧ୍ୟ ଚିନ୍ତା କରିନାହିଁ ।

                ଭାନୁର ବିଲେଇ ବିନୟର ବିଲେଇ ଭଳି ଏତେ ମୋଟା ହୋଇ ନଥାଏ କି ଦୁର୍ବଳିଆ ବି ହୋଇ ନଥାଏ । ସେ ବେଶ୍ ସ୍ୱାସ୍ଥ୍ୟବାନ ଓ ଚଂଚଳ ଥିବାର ବୁଝି ହେଉଥାଏ । ଭାନୁ କହିଲା, “ମହାଶୟ, ମୋ ପଡୋଶୀଙ୍କ ଧାନ ଅମାରରେ ବହୁତ ମୂଷା । ମୁଁ ସାରାଦିନ ବିଲେଇକୁ ସେଠି ଛାଡି ଦେଉଥାଏ । ସନ୍ଧ୍ୟାବେଳେ ତା’ ଆଗରେ ଦୁଧ ଭାତ ରଖିଦିଏ । ତା’ର ଯଦି ପେଟ ଭରି ନଥାଏ, ତେବେ ସେ ଦୁଧ ଭାତ ଖାଏ । ନହେଲେ ଖାଏ ନାହିଁ । ମୁଁ ମାତ୍ର ଦଶଟଙ୍କା ଖର୍ଚ୍ଚ କରିଛି ।”

                ମନ୍ତ୍ରୀ ସେ ଯୁବକ ତିନିଜଣଙ୍କୁ ବିଦାୟ କରିଦେଇ ରାଜାଙ୍କୁ ଚାହିଁ କହିଲେ, “ମନୋନୟନ ତ ସହଜ ହୋଇଗଲା!”

                ରାଜା ହସିଲେ ଓ କହିଲେ, “ହଁ । ତମେ ନିଯୁକ୍ତି ପତ୍ର ପ୍ରସ୍ତୁତ କର । ମୁଁ ଦସ୍ତଖତ କରି ଦେଉଛି ।”

                “ଆଜ୍ଞା, କାହାକୁ ବାଛିଲେ?” ରାଜା ଦସ୍ତଖତ କରି ଚାଲିଯିବା ପରେ ଅମାତ୍ୟମାନେ ମନ୍ତ୍ରୀଙ୍କୁ ପଚାରିଲେ । ମନ୍ତ୍ରୀ ହସି ହସି କହିଲେ, “ଭାନୁକୁ, ଆଉ କାହାକୁ? ବିନୟ ବିଲେଇକୁ ଏମିତି ଖୁଆଇ ପିଆଇ ମୋଟା କରି ଦେଇଛି ଯେ ସେଟା ଆଉ କିଛିବି କରିପାରିବ ନାହିଁ । ମୂଷା ତା’ ଉପରେ ଚଢିଗଲେ ବି ସେ ତାକୁ ମାରିବ କି ନାହିଁ ତାହା ମଧ୍ୟ ସନ୍ଦେହ । ପ୍ରଜାମାନଙ୍କର ଦାୟିତ୍ୱ ନେଲେ ସେ ସେମାନଙ୍କୁ ଠିକ୍ ବିଲେଇ ପରି ଖୁଆଇ ପିଆଇ ମୋଟା କରି ଛାଡିବ ଯଦ୍ୱାରା ସେମାନେ କିଛି ପାଇଁ ଯୋଗ୍ୟ ହେବେ ନାହିଁ । ବିପୁଳ ବିଲେଇର କୌଣସି ତତ୍ତ୍ୱ ନେଇ ନାହିଁ । ସେ ନିଜ ଦାୟିତ୍ୱରେ ଅବହେଳା କରିଛି ବିପୁଳ ମଧ୍ୟ ବିନୟ ପରି ସେ ପଦର ଅଯୋଗ୍ୟ । କାରଣ ବିଲେଇର ଯେପରି ଯତ୍ନ ନେଇଛି ପ୍ରଜାମାନଙ୍କର ମଧ୍ୟ ସେ ଠିକ୍ ସେହିପରି ଯତ୍ନ ନେବ । ଅଳ୍ପ ଦିନରେ ରାଜ୍ୟରେ ପ୍ରଜାମାନେ ଖାଦ୍ୟଯତ୍ନ ବିନା ମରିବେ । ଭାନୁ କିନ୍ତୁ ବିଲେଇର ସ୍ୱାଭାବିକ ଜୀବନ ଯାପନ ପ୍ରଣାଳୀ ଯାହା, ସେ ଦିଗରେ ତାକୁ ସବୁ ସୁବିଧା ଦେବା ସଙ୍ଗେ ସଙ୍ଗେ ନିଜେ ମଧ୍ୟ ତା’ର ତତ୍ତ୍ୱ ନେଇଛି । ଅମାର ଘରେ ବିଲେଇ ଯେଉଁଦିନ ତା’ନିଜ ଖାଦ୍ୟ ନିଜେ ସଂଗ୍ରହ କରି ପାରି ନଥିବ, ସେଦିନ ବି ସେ ଯେପରି ଅନହାରରେ ନ ରଖିବ, ସେଥିପାଇଁ ସେ ତାକୁ ରାତିରେ ଖାଇବାକୁ ଦିଏ । ବିଲେଇ ପ୍ରତି ଏଭଳି ଆଚରଣରୁ ତିନିଜଣଙ୍କ ଦାୟିତ୍ୱ ବୋଧ ଠିକ୍ ବୁଝି ହେଉଛି । ପ୍ରଜାମାନଙ୍କ ପ୍ରତି କିଏ କିପରି ଆଚରଣ କରିବ, ତାହା ଅନୁମାନ କରି ହେଉଛି ।”

Find Amazon’s best deals & get advantage of the more hidden discounts!

Find over 75% discounts

Discover hidden offers, sales & discounts when searching for products on Amazon.

Keyword/s (optional)

(eg Iphone 5s Gold or Ipad Mini 16GB)

Search Discount

ସାଢି | ଲାପଟପ୍ | ଟେଲିଭିଜନ୍ | ଯୋତା | ମୋବାଇଲ୍ |ବହି

ପ୍ରଥମେ ଯେକୌଣସି ଜିନିଷ ସର୍ଚ୍ଚ କରନ୍ତୁ, ପରେ କ୍ୟାସ ଅନ ଡେଲିଭରିରେ ଅଡ଼ର୍ କରନ୍ତୁ, ମାନେ ଜିନିଷ ପାଇଲା ପରେ ହିଁ ପଇସା ଦିଅନ୍ତୁ

ଗପ ସାରଣୀ

ତାଲିକାଭୁକ୍ତ ଗପ

ନୂଆ ତାଲିକାଭୁକ୍ତ ଗପ