ତିନି ମୁଦ୍ରିକା

ନିଶା ଗରଜୁଥାଏ । ତୁହାକୁ ତୁହା ଶୀତଳ ପବନ ସାଙ୍ଗକୁ ଝିପି ଝିପି ବର୍ଷା ମଧ୍ୟ ହେଉଥାଏ । ବଜ୍ରଧ୍ୱନି ଓ ଶ୍ୱାନଶ୍ୱାପଦଙ୍କ ରଡି ସହିତ ମଝିରେ ମଝିରେ ଅଶରିରୀମାନଙ୍କ ଅଟ୍ଟହାସ୍ୟ ମଧ୍ୟ ଶୁଭୁଥାଏ । ଘନଘନ ବିଜୁଳି ଆଲୁଅରେ ଭୟାବହ ମୁହଁଟିମାନ ଝଟକି ଉଠୁଥାଏ ।

                କିନ୍ତୁ ରାଜା ବିକ୍ରମାର୍କ ତିଳେ ମଧ୍ୟ ଦ୍ୱିଧା ନକରି, ବୃକ୍ଷାରୋହଣ ପୂର୍ବକ ପୁନର୍ବାର ସେ ଶବଟିକୁ ଉତାରି ଆଣିଲେ । ତେବେ ସେ, ତାକୁ ତାଙ୍କ କାନ୍ଧରେ ପକାଇ ସେହି ଶୂନ୍ଶାନ୍ ଶ୍ମଶାନ ଅତିକ୍ରମ କରିବାକୁ ଆରମ୍ଭ କରନ୍ତେ ଶବସ୍ଥିତ ବେତାଳ କହିଲା, “ରାଜା! ତୁମେ ସିନା ଏତେବେଳେ ପ୍ରାସାଦର ଦୁଗ୍ଧ ଫେନନିଭ ଶଯ୍ୟାରେ ଶୋଇ ସୁଖସ୍ୱପ୍ନ ଦେଖୁଥାନ୍ତ । ମାତ୍ର ତାହା ନକରି ତୁମେ ଏଭଳି ବିପଦପୂର୍ଣ୍ଣ କାମରେ କାହିଁକି ହାତ ଦେଇଛ? ଏଥିରେ ଅବଶ୍ୟ ତୁମର କିଛି ଉଦ୍ଧେଶ୍ୟ ରହିଛି । ତେବେ ଯେତେବେଳେ ଉଦ୍ଧେଶ୍ୟ ସିଦ୍ଧି ନିମନ୍ତେ ଅନୁକୂଳ ମୁହୂର୍ତ୍ତ ଉପନୀତ ହୁଏ, ସେତେବେଳେ ଜଣେ ଜଣେ ଭୁଲ୍ କରି ବସନ୍ତି । ଯେମିତି କଳିଙ୍ଗପୁରୀର ରାଜକନ୍ୟା ଚନ୍ଦ୍ରିକା କରିଥିଲେ । ତୁମକୁ ସେ କାହାଣୀ କହୁଛି, ମନଦେଇ ଶୁଣ । ଶୁଣିଲେ ତମ ଶ୍ରମଭାର ଲାଘବ ହେବ ।” ଏହାପରେ ସେ ବେତାଳ ଗପିଲା –

                ରାଜଧାନୀର ଅଦୂରରେ, ଗୋଟିଏ ସମୃଦ୍ଧ ଗ୍ରାମରେ ତିନିଜଣ କ୍ଷତ୍ରୀୟ ଯୁବକ ଥିଲେ । ସେମାନଙ୍କ ନାମ ଜୟ, ବିଜୟ ଓ ଅଜୟ । ସେ ତିନିହେଁ ପରସ୍ପର ପରସ୍ପରର ମିତ୍ର ଥିଲେ । କିନ୍ତୁ ପ୍ରତ୍ୟେକେ ବାପା ମାଆଙ୍କର ଗୋଟିଏ ଗୋଟିଏ ବୋଲି ସନ୍ତାନ ହୋଇଥିବା ଦୃଷ୍ଟିରୁ ସେମାନଙ୍କ ବାପା ମାଆ ମାନେ ସେମାନଙ୍କୁ ଅତି ଆଦରରେ ଲାଳନ ପାଳନ କରୁଥିଲେ ଓ ସେମାନଙ୍କ ଦ୍ୱାରା କୌଣସି କାମଦାମ କରିବାକୁ ଦେଉ ନଥିଲେ । ପାଠ ପଢି ସାରି ସେ ତିନି ଯୁବକ ଖାଲି ଗପସପ କରି, ଖେଳି ବୁଲି ନିଜର ସମସ୍ତ ସମୟ କଟାଉ ଥିଲେ । କିନ୍ତୁ ସେ ତିନିଜଣଯାକ ସତ୍ଶିକ୍ଷା ପାଇଥିଲେ । ସେମାନଙ୍କ ବାପା ମାଆ ମାନେ ନୀତିପରାୟଣ ମଣିଷ ହୋଇଥିବା ଯୋଗୁଁ ସେ ତିନିଯୁବକ ମଧ୍ୟ ବେଶ୍ ଆଦର୍ଶବାଦୀ ଥିଲେ । ସେମାନେ ତାଙ୍କ ନିଜ ଦେଶକୁ ଖୁବ୍ ଭଲ ପାଉଥିଲେ ।

                ଗ୍ରାମଠୁଁ କିଛି ଦୂରରେ ପାହାଡ ଉପରେ ଗୋଟିଏ ମନ୍ଦିର ଥିଲା । ଦିନେ ସେ ତିନିହେଁ ସେହି ମନ୍ଦିର ଆଡେ ବୁଲିଗଲେ । ମନ୍ଦିରର ସେ ପାଖରେ ନିବିଡ ଅରଣ୍ୟ । ଜୟ କହିଲା, “ଦେଶ ବିଦେଶ ବୁଲି ଦେଖିବାକୁ ମୋର ଭାରି ଇଚ୍ଛା । ଘରେ ବସି ରହି ମୋତେ ବଡ ବିରକ୍ତ ଲାଗିଲାଣି ।”

                ବିଜୟ କହିଲା, “ମୁଁ କେତେଥର ବାପାଙ୍କୁ କହିଲିଣି, ମୋତେ ସମ୍ପତ୍ତିବାଡି ବୁଝିବାର ଦାୟିତ୍ୱ ଦିଅ ନହେଲେ ମୋତେ ଅନ୍ୟ କିଛି କାମ ଦିଅ । ହେଲେ ମୋ କଥା ଶୁଣି ବାପା ଖାଲି ହସି ଦିଅନ୍ତି । ମାଆ କହେ, “ଆରେ ବାବୁ, ତୁ ବକଟେନାକୁ ପିଲା କ’ଣ ବା କାମ କରିବୁ? ଆଗେ ବଡ ହ । ତା’ପରେ ଯାଇ ଦେଖିବା ।”

                ଅଜୟ କହିଲା, “ବାସ୍ତବିକ୍, ବାପା ମାଆଙ୍କ ସ୍ନେହ ଶ୍ରଦ୍ଧାର କୌଣସି ତୁଳନା ନାହିଁ । କିନ୍ତୁ ସେମାନେ ଆମକୁ ଅଳସୁଆ ଓ ଅପଦାର୍ଥ ବନାଇ ଛାଡିବେ । ଚାଲ, ଏ ବଣ ପାରି ହୋଇ ଆମେ କୁଆଡେ ଯାଇ କିଛି ଉପଯୁକ୍ତ କାମର ସନ୍ଧାନ କରିବା ।”

                ସେତିକିବେଳେ ସେମାନଙ୍କୁ ପ୍ରସାଦ ଦେବାପାଇଁ ମନ୍ଦିରର ପୂଜାରୀ ବାହାରି ଆସିଥିଲେ । ସେ କହିଲେ, “ବାପାମାନେ, ଏ ବଣ ଭିତରେ ଗୋଟାଏ ଭୀଷଣ ବାଘ ମାତିଛି । ଆଖପାଖର ଦୁଇତିନିଟି ଗାଁର ଲୋକେ କାଠ ବା ଫଳମୂଳ ସଂଗ୍ରହ କରି ଚଳନ୍ତି । ସେମାନେ ସେହି ବାଘର ଭୟରେ ବଣରେ ଆଉ ପଶି ପାରୁନାହାଁନ୍ତି ।”

ଏକଥା ଶୁଣି ଜୟ କହିଲା “ସତେ? ତେବେ ପ୍ରଥମେ ସେ ବାଘକୁ ମାରି ଲୋକଙ୍କ ଭୟ ଦୂର କରିବା ହେବ ଆମର ପ୍ରଧାନ କର୍ତ୍ତବ୍ୟ ।” ତା’ର ଦୁଇବନ୍ଧୁ ମଧ୍ୟ ତା’ସହିତ ଏକମତ ହେଲେ ।

ମନ୍ଦିର ଭିତରେ ଦିଅଁଙ୍କୁ ପ୍ରାର୍ଥନା କରି ସେ ତିନିଯୁବକ ବଣ ଭିତରକୁ ଯିବା ପାଇଁ ବାହାରିଲେ । ସେମାନେ ଏକ ମହତ୍ କାମରେ ଯାଉଛନ୍ତି, ନିଜ ନିଜ ଘରେ ଏ ଖବର ଦେଇ ଦେବା ପାଇଁ ସେମାନେ ପୂଜାରୀଙ୍କୁ ଅନୁରୋଧ କଲେ ।

ତିନି ଯୁବକ ସେହି ବାଘର ସନ୍ଧାନରେ ସତର୍କ ଭାବରେ ବଣ ଭିତରେ ବୁଲୁଥା’ନ୍ତି, ହଠାତ୍ ସେମାନଙ୍କ କାନରେ କାହାରି ଆର୍ତ୍ତନାଦ ପଡିଲା । ସେମାନେ ଶବ୍ଦ ଆସୁଥିବା ଦିଗକୁ ଦୌଡି ଗୋଟିଏ ଗୁମ୍ଫା ଆଗରେ ଯାଇ ପହଁଚିଲେ । ତତ୍କ୍ଷଣାତ୍ ବିରାଟ ଗୋଖର ଟିଏ ସେମାନଙ୍କ ଆଡକୁ ତା’ ଫଣା ଟେକି ଝପଟି ଆସିଲା । ସେମାନେ ଗୋଖରକୁ ଅଚିରେ ମାରିଦେଲେ ଓ ତା’ପରେ ଗୁମ୍ଫା ଭିତରେ ଯାଇ ପଶିଲେ ।

ଭିତରେ ଜଣେ ସାଧୁ ଆର୍ତ୍ତନାଦ କରୁଥା’ନ୍ତି । ତାଙ୍କ କଣ୍ଠସ୍ୱର କ୍ଷୀଣ ହୋଇ ଆସୁଥାଏ । ଯୁବକମାନେ ଝରଣାରୁ ପାଣି ଆଣି ତାଙ୍କୁ ପିଆଇଲେ । ସାଧୁ କହିଲେ, “ମୋର ଦୁର୍ଭାଗ୍ୟ ଯେ ମୋତେ ଗୋଖର ଦଂଶନ କଲା । ମୋର ସୌଭାଗ୍ୟ ଯେ ମୋ ମୃତ୍ୟୁ ପୂର୍ବରୁ ତମେମାନେ ଆସି ମୋତେ ଦେଖିଲ । ମୋର ଶେଷକୃତ୍ୟ କରିବ, ଏତିକି ମାତ୍ର ମୋର ଶେଷ ଅନୁରୋଧ । ମୋ ନିଜ ଲୋଭରୁ ଆଜି ମୋର ଏ ଶୋଚନୀୟ ଅବସ୍ଥା । ମୁଁ ଏ ସଂସାରରେ ସୁଖ ପାଇବା ଲାଳସାରେ ହିମାଳୟରେ ଥିବା ମୋ ଗୁରୁଙ୍କର ତିନୋଟି ମୁଦ୍ରିକା ଚୋରାଇ ଆଣିଥିଲି । ହେଲେ ସୁଖ ତ ମୋ ଭାଗ୍ୟରେହିଁ ନାହିଁ । ଏବେ ସେ ତିନୋଟି ମୁଦ୍ରିକା ତମେ ତିନିଜଣଯାକ ନିଅ ।”

ଜୟକୁ ଲାଲ୍ ପଥର ଥିବା ମୁଦିଦେଇ ସେ ସାଧୁ ଜଣକ କହିଲେ, “ଦେଶ ଓ ଦଶର ମଙ୍ଗଳ ପାଇଁ ଯାହା କିଛିବି କରାଯିବା ଉଚିତ୍ ଏ ମୁଦ୍ରିକା ପିନ୍ଧିଥିଲେ ତୁମ ମଧ୍ୟରେ ସେହି ପ୍ରେରଣା ଆସିବ ।”

ବିଜୟକୁ ହଳଦିଆ ପଥର ଥିବା ମୁଦିଟିଏ ଦେଇ ସାଧୁ ମହାରାଜ କହିଲେ, “କେତେବେଳେ ଏବଂ କିଭଳି ପନ୍ଥା ଅବଲମ୍ବନ କରି ସେ ପ୍ରେରଣା କାର୍ଯ୍ୟକାରୀ କରାଯାଇ ପାରିବ, ଏ ମୁଦ୍ରିକା ପିନ୍ଧିଥିବା ବ୍ୟକ୍ତି ମୁଣ୍ଡକୁ ସେ ଧାରଣା ବଳେବଳେ ଆସିଯିବ । ଅଜୟକୁ ନୀଳରଙ୍ଗର ପଥର ଖଚିତ ମୁଦିଟିଏ ଦେଇ ସାଧୁ ଆଜ୍ଞା କହିଲେ, “ସେ ପ୍ରେରଣାକୁ କାର୍ଯ୍ୟକାରୀ କଲାଭଳି ଦକ୍ଷତା ଏ ମୁଦି ପିନ୍ଧିବା ବ୍ୟକ୍ତି ନିଶ୍ଚୟ ହାସଲ କରିପାରିବ ।”

ଏହାପରେ ସେ ସାଧୁ ମହାଶୟ ମରିଗଲେ । ବଣଭିତରୁ ଚନ୍ଦନକାଠ ସଂଗ୍ରହ କରି ସେ ତିନିଯୁବକ ସେଥିରେ ତାଙ୍କ ଶବ ଦାହ କଲେ ।

ରାତିରେ ଗୁମ୍ଫା ଭିତରେ ବିଶ୍ରାମ କରିବା ଅବସରରେ ସେ ତିନିବନ୍ଧୁ ମୁଦି ତିନୋଟି ବିଷୟରେ ଆଲୋଚନା କଲେ । ଜୟ କହିଲା, “ଏ ତିନି ମୁଦ୍ରିକାର ବହୁତ ଶକ୍ତି । ସେସବୁ ଶକ୍ତିର ସଦୁପଯୋଗ କଲା ଭଳି ସୁଯୋଗ ଆମକୁ କାହୁଁ ମିଳିବ? ଆମ ରାଜା ଜଣେ ପରୋପକାରୀ ଓ ଦୂରଦୃଷ୍ଟିସମ୍ପନ୍ନ ଶାସକ । ସେ ଏ ମୁଦି ତିନୋଟି ନେଇ ଦେଶ ଓ ଦଶ ସକାଶେ ସତ୍କାର୍ଯ୍ୟର ପ୍ରେରଣା ପାଇବା ସଙ୍ଗେସଙ୍ଗେ ତାକୁ କେଉଁ ପନ୍ଥାରେ କାର୍ଯ୍ୟକାରୀ କରାଯିବ, ତାହା ବି ଜାଣି ପାରିବେ । ତତ୍ ସଙ୍ଗେ ସଙ୍ଗେ ତାକୁ କାର୍ଯ୍ୟକାରୀ କରିବାର ଶକ୍ତି ମଧ୍ୟ ପାଇବେ । ମୁଁ ଭାବୁଛି, କେବଳ ରାଜାଙ୍କୁହିଁ ଏ ଅପୂର୍ବ ତିନି ମୁଦ୍ରିକା ସମର୍ପି ଦେଲେ ଭାରି ଭଲ ହେବ ।”

ବିଜୟ ଓ ଅଜୟ କହିଲେ କି ସେ ଦୁହେଁ ମଧ୍ୟ ତାହାହିଁ ଭାବୁଥିଲେ ।

ତା’ପରେ ସେ ତିନିବନ୍ଧୁଯାକ ରାଜଧାନୀ ଅଭିମୁଖେ ଚାଲିଲେ । ସେଠାରେ ପହିଁଚି ସେମାନେ ଜଣ ଜଣ କରି ରାଜାଙ୍କୁ ଯାଇ ଭେଟିଲେ । ପ୍ରଥମେ ଜୟ ରାଜାଙ୍କୁ ଲାଲ୍ ପଥର ଖଚିତ ମୁଦି ଭେଟି ଦେଇ ତା’ର ଗୁଣ କଥା କହିଲା । ପରେ ପରେ ବିଜୟ ଏବଂ ଅଜୟ ଯଥା କ୍ରମେ ହଳଦିଆ ଓ ନୀଳ ପଥର ଖଚିତ ମୁଦି ଭେଟି ସ୍ୱରୂପ ଦେଇ ସେ ଦୁଇଟିର ଗୁଣ କଥା ରାଜାଙ୍କୁ ସବିଶେଷ ଭାବେ ଜଣାଇଲେ ।

ରାଜା ସେ ତିନିଜଣଙ୍କୁ ନିଜ ଅତିଥି ଭବନରେ ନେଇ ରଖାଇଲେ । ସେମାନଙ୍କର ଉପଯୁକ୍ତ ଯତ୍ନ ନିଆଗଲା ।

ସେ ରାଜାଙ୍କର ଗୋଟିଏ ବୋଲି ସନ୍ତାନ ସେ ହେଲେ ରାଜକୁମାରୀ ଚନ୍ଦ୍ରିକା । ତାଙ୍କୁ ଯିଏ ବିଭା ହେବ ଭବିଷ୍ୟତରେ କେବଳ ସେ ହିଁ ତାଙ୍କ ରାଜ୍ୟର ରାଜା ହେବ । କିନ୍ତୁ ଚନ୍ଦ୍ରିକା ଆଖପାଖର ସବୁ ରାଜପୁତ୍ରଙ୍କୁ ନାପସନ୍ଦ କରୁଥିଲେ । ସମସ୍ତେ ଖାଲି ରାଜ୍ୟ ଲୋଭରେ ତାଙ୍କୁ ବିଭା ହେବାକୁ ଚାହାଁନ୍ତି, ଏହାହିଁ ଥିଲା ତାଙ୍କ ଧାରଣା ।

ରାଜା ସେ ତିନିଯୁବକଙ୍କୁ ଅତିଥିଶାଳାରେ ରଖାଇ, ଅନ୍ତଃପୁରକୁ ଯାଇ ରାଜକନ୍ୟାଙ୍କୁ ସବୁ କଥା ଜଣାଇଲେ ଓ କହିଲେ, “ଜେମା! ଏ ତିନିଜଣଯାକ ଯୁବକ ଦେଶପ୍ରେମୀ, ନିଃସ୍ୱାର୍ଥପର ଓ ମହତ୍ ବି । ନିଜ ନିଜ ସ୍ୱାର୍ଥ ସକାଶେ ଏହି ଅମୂଲ୍ୟ ମୁଦ୍ରିକା ତିନୋଟି ସେମାନେ ତାଙ୍କ ପାଖରେ ନରଖି ରାଜ୍ୟର ହିତ ଦୃଷ୍ଟିରୁ ସେଗୁଡିକ ମୋତେ ଯେ ଦେଇଦେଲେ, ଏହା ତ କିଛି କମ୍ କଥା ନୁହେଁ ।”

ରାଜକନ୍ୟା କହିଲେ “ଠିକ୍ କଥା ।”

“ଝିଅ! ତୁ ତ କାହିଁ କୌଣସିବି ରାଜପୁତ୍ରକୁ ପାସଙ୍ଗରେ ପକାଇଲୁ ନାହିଁ । ଏ ତିନି ମହତ୍ ଯୁବକଙ୍କ ମଧ୍ୟରୁ ତୁ ଜଣକୁ ବିଭା ହେଲେ ମୁଁ ବଡ ଆନନ୍ଦିତ ହୁଅନ୍ତି । ମୋ ରାଜ୍ୟର ଭବିଷ୍ୟତ ବିଷୟରେ ମୁଁ ମଧ୍ୟ ଟିକେ ନିଶ୍ଚିନ୍ତ ହୁଅନ୍ତି ।” ରାଜାଙ୍କ ଏଭଳି କଥା ଶୁଣି ରାଜକନ୍ୟା ଚୁପ୍ ରହିଲେ । ଫଳରେ ରାଜା ବୁଝିଲେ ଯେ ତାଙ୍କ ଝିଅ ବିବାହ ପାଇଁ ସମ୍ମତ ।

ରାଜା ପ୍ରଶ୍ନ କଲେ “ଝିଅ! ଏ ତିନୋଟି ମୁଦ୍ରିକା ଦେଖ । କେଉଁ ମୁଦ୍ରିକାର ଅଧିକାରୀ ତୋ ପାଣି ଗ୍ରହଣ କରିବ?” ଏହା କହି ରାଜା ତାଙ୍କ ପାପୁଲିରେ ସେ ତିନୋଟି ମୁଦ୍ରିକା ରଖି କନ୍ୟାକୁ ଦେଖାଇଲେ ।

ରାଜକନ୍ୟା ସେ ମୁଦ୍ରିକା ତିନୋଟି ଆଡକୁ କିଛି ସମୟ ଅନାଇ ମୁଣ୍ଡ ଅବନତ କଲେ । ରାଜା କହିଲେ, “ଝିଅ! ଯେ କୌଣସି ଗୋଟିଏ ମୁଦ୍ରିକାକୁ ତୁ ଖାଲି ଥରେ ସ୍ପର୍ଶ କରିଦେ । ତେଣିକି ଯାହା କରିବାର ସେସବୁ ମୁଁ କରିବି । ସଙ୍କୋଚ କର ନାହିଁ ।” ପିତାଙ୍କ ନିର୍ଦ୍ଧେଶାନୁସାରେ ରାଜକନ୍ୟା ସେ ଲାଲ୍ ଖଚିତ ମୁଦ୍ରିକାଟି ଉଠାଇ ପୁଣି ତାକୁ ରଖି ଦେଲେ ।

ଏଥର ରାଜା ବୁଝିଲେ । ପରେ ଜୟ ସହିତ ରାଜକନ୍ୟାଙ୍କର ବିବାହ ହୋଇଗଲା । ଜୟ ଯୁବରାଜ ପଦରେ ଅଭିଷିକ୍ତ ହେବା ପରେ ବିଜୟଙ୍କୁ ସେ ତାଙ୍କ ଭାବି ମନ୍ତ୍ରୀ ରୂପେ ଏବଂ ଅଜୟଙ୍କୁ ଭାବି ସେନାପତି ରୂପରେ ବରଣ କଲେ ।

ବେତାଳ ତା’ କାହାଣୀଟି ଏଇଠାରେ ଶେଷକରି ନିଜ କଣ୍ଠସ୍ୱର ତୀବ୍ର କରି ରାଜାଙ୍କୁ ପ୍ରଶ୍ନ କଲା, “ରାଜା! ରାଜକନ୍ୟା ବିଜୟ କିମ୍ବା ଅଜୟକୁ ବିଭା ନ ହୋଇ ଜୟକୁ ପସନ୍ଦ କରିବାଟା ଏକ ପ୍ରକାର ନିର୍ବୋଧତା ନୁହେଁକି? ଜୟ ତ କେବଳ ସତ୍କାର୍ଯ୍ୟର ପ୍ରେରଣା ପାଇବ ମାତ୍ର । କିନ୍ତୁ ସେ ପ୍ରେରଣା ତ କାର୍ଯ୍ୟକାରୀ ହେବା ଅନ୍ୟ ଦୁଇଜଣଙ୍କ ଉପରେ ନିର୍ଭର କରୁଥିଲା । ତେଣୁ ଜୟକୁ ବିଭା ହେବାର ସିଦ୍ଧାନ୍ତ କିପରି ମୂଲ୍ୟବାନ ହେଲା? ରାଜା, ତୁମେ ପାରିଲେ ମୋ ପ୍ରଶ୍ନର ଉତ୍ତର ଦିଅ । ଆଉ ଉତ୍ତର ଦେବାର ଶକ୍ତି ଥାଇ ଯଦି ତମେ ନୀରବ ରହିବ, ତେବେ ତୁମ ଶୀର ସ୍କନ୍ଧଚ୍ୟୁତ ହେବ ।”

ରାଜା ବିକ୍ରମାର୍କ ଆଉ ମୁହୂର୍ତ୍ତେ ମଧ୍ୟ ବିଳମ୍ବ ନ କରି କହିଲେ, “ବିନା ପ୍ରେରଣାରେ ତ କୌଣସି କାର୍ଯ୍ୟ କାର୍ଯ୍ୟକାରୀ ହେବାର ପ୍ରଶ୍ନହିଁ ଉଠୁ ନାହିଁ । ପ୍ରେରଣାହିଁ ସବୁର ଉତ୍ସ । ରାଜା ହେବା ପରେ ଅନ୍ୟମାନଙ୍କୁ ନିର୍ଦେଶ ଦେବାର ଅଧିକାର ଜୟର ହେବ । ତେଣୁ ସେ ନିଜ ପ୍ରେରଣା କାର୍ଯ୍ୟକାରୀ କରାଇ ପାରିବ । ପ୍ରେରଣା ପାଉନଥିବା ଲୋକଟିଏ ରାଜା ହେଲେ ସେ କ’ଣ ବା କାର୍ଯ୍ୟକାରୀ କରାଇବ? ଅତେବ ସେ ରାଜକନ୍ୟା ବୁଦ୍ଧିମତୀ । ଜୟ ଯେ ବିଜୟ ଓ ଅଜୟଙ୍କୁ ଯଥାକ୍ରମେ ମନ୍ତ୍ରୀ ଓ ସେନାପତି କଲେ ତାହା ମଧ୍ୟ ରାଜକନ୍ୟାଙ୍କ ପରାମର୍ଶ କ୍ରମେ ସେ କରିଥିବେ । ଜୟ ସତ୍କାର୍ଯ୍ୟର ପ୍ରେରଣା ପାଇବେ । ମନ୍ତ୍ରୀ ବିଜୟ ତାକୁ କାର୍ଯ୍ୟକାରୀ କରିବାର ସମୟ ଓ ପନ୍ଥା ନିରୂପଣ କରିବେ ଓ ସେନାପତି ଅଜୟ ନିଜ ସେନାବଳ ଦ୍ୱାରା ତାକୁ କାର୍ଯ୍ୟକାରୀ କରାଇବେ, ଏହାଠୁଁ ଉତ୍ତମ ବ୍ୟବସ୍ଥା ଆଉ କ’ଣ ବା ହୋଇପାରନ୍ତା?”

ରାଜାଙ୍କ ଉତ୍ତର ଦାନ ଶେଷହେବା ମାତ୍ରେ ଶବସହ ବେତାଳ ତାଙ୍କ କାନ୍ଧରୁ ଖସି ପୁନର୍ବାର ସେହି ବୃକ୍ଷଡାଳରେ ଯାଇ ଝୁଲିପଡିଲା ।

Find Amazon’s best deals & get advantage of the more hidden discounts!

Find over 75% discounts

Discover hidden offers, sales & discounts when searching for products on Amazon.

Keyword/s (optional)

(eg Iphone 5s Gold or Ipad Mini 16GB)

Search Discount
ବିସ୍ଵାଶ କରିବା ଆଗରୁ ବିଜ୍ଞାପନ ଗୁଡିକର ସଠିକତାକୁ ତଦନ୍ତ କରନ୍ତୁ ।
loading...

ଗପ ସାରଣୀ

ବିସ୍ଵାଶ କରିବା ଆଗରୁ ବିଜ୍ଞାପନ ଗୁଡିକର ସଠିକତାକୁ ତଦନ୍ତ କରନ୍ତୁ ।

ସାଢି | ଲାପଟପ୍ | ଟେଲିଭିଜନ୍ | ଯୋତା | ମୋବାଇଲ୍ |ବହି

ପ୍ରଥମେ ଯେକୌଣସି ଜିନିଷ ସର୍ଚ୍ଚ କରନ୍ତୁ, ପରେ କ୍ୟାସ ଅନ ଡେଲିଭରିରେ ଅଡ଼ର୍ କରନ୍ତୁ, ମାନେ ଜିନିଷ ପାଇଲା ପରେ ହିଁ ପଇସା ଦିଅନ୍ତୁ

ତାଲିକାଭୁକ୍ତ ଗପ

loading...