ଦୂରଦ୍ରଷ୍ଟା ବଣିକ

ବହୁଦିନ ତଳେ ବାରାଣସୀ ନଗରୀରେ ମୋହନ ଓ ସୋହନ ନାମରେ ଦୁଇଜଣ ବଣିକ ବାସ କରୁଥିଲେ । ମୋହନ ଯେମିତି ବିଜ୍ଞ ଥିଲା, ସେ ସେମିତି ବୁଦ୍ଧିମାନ ବି ଥିଲା । ସୁଯୋଗର ସଦ୍ବ୍ୟବହାର କିପରି କରିବାକୁ ହୁଏ, ସେ କଥା ସେ ଠିକ୍ ଜାଣିଥିଲା । ତେଣୁ ସେ ପ୍ରଚୁର ସମ୍ପତ୍ତିର ଅଧିକାରୀ ହୋଇ ପାରିଥିଲା । ଅନ୍ୟ ପକ୍ଷରେ ସୋହନ ନିଜକୁ ଖୁବ୍ ବିଜ୍ଞ ବୋଲି କହୁଥିଲା ସିନା, ହେଲେ ପ୍ରକୃତରେ ସେ ବୋକା ଥିଲା ।

ମୋହନ ଥରେ ବଣିଜ କରିବା ଉଦ୍ଧେଶ୍ୟରେ ଦୂରକୁ ଯିବାକୁ ବାହାରିଲା । ସେ ନାନା ପ୍ରକାର ପଣ୍ୟଦ୍ରବ୍ୟ ସଂଗ୍ରହ କରି ପାଞ୍ଚଶହ ବଳଦ ଗାଡିରେ ସେସବୁ ବୋଝାଇ କଲା । ସୋହନ ଏ ଖବର ପାଇ କହିଲା, “ମୁଁ ବି ବଣିଜ କରିବାକୁ ଦୂରଦୂରାନ୍ତରକୁ ଯିବି । ମୁଁ ନିଶ୍ଚୟ ମୋହନକୁ ବଳିଯିବି ।”

ସୋହନର ପୁଞ୍ଜି ନ ଥିଲା । କିନ୍ତୁ ସେ କରଜ କରି ମୋହନ ଯେତେ ପ୍ରକାର ପଣ୍ୟଦ୍ରବ୍ୟ ସଂଗ୍ରହ କରିଥିଲା, ସେତେ ପ୍ରକାର ସେ ବି ସଂଗ୍ରହ କଲା । ସେ ମଧ୍ୟ ପାଞ୍ଚଶହ ବଳଦଗାଡି ସଂଗ୍ରହ କଲା ।

ଯେତେବେଳେ ମୋହନ ଏକଥା ଶୁଣିଲା, ସେ ପ୍ରମାଦ ଗଣିଲା । ସେ ସୋହନ ପାଖକୁ ଯାଇ କହିଲା, “ଆମେ ଦୁଇଜଣ ଯାକ ଯଦି ଗୋଟିଏ ରାସ୍ତାରେ ଯିବା ତେବେ କିଛି ସମୟ ଅନ୍ତରରେ ଯିବା ଉଚିତ୍ । କାରଣ ଏକାବେଳକେ ହଜାରେଟା ଶଗଡର ଓଜନ ସମ୍ଭାଳିବା ଭଳି ଏହା ସଡକ ନୁହେଁ । ତା’ଛଡା ବାଟରେ ଯେଉଁ ଗାଁ ଗଣ୍ଡାମାନ ପଡିବ, ସେଠାରେ ଏକାବେଳେ ଏତେ ମଣିଷ ଓ ବଳଦଙ୍କ ସକାଶେ ଖାଦ୍ୟ ପେୟ ମଧ୍ୟ ମିଳିବ ନାହିଁ । ତେଣୁ ଆମେ ଅଲଗା ଅଲଗା ଯିବା । ତୁମେ ଆଗେ ଯିବ କି ପଛେ ଯିବ, ତାହା ଏବେ ତୁମେହିଁ ସ୍ଥିର କର ।”

ଏକଥା ଶୁଣି ସୋହନ ଖୁବ୍ ଖୁସି ହେଲା । ସେ ଚିନ୍ତାକଲା, “ମୁଁ ନିଶ୍ଚୟ ଆଗେ ଯିବି । ସଡକ ଭଲ ପଡିବ । ମୋ ବଳଦମାନେ ତଟକା ଘାସ ପାଇବେ । ମୋ ଲୋକେ ଗାଁ ଗଣ୍ଡାରେ ଭଲ ଅଭ୍ୟର୍ଥନା ପାଇବେ । ସହରରେ ପହଁଚିବା ପରେ ମୋ ଜିନିଷତକ ଆଗେ ବିକ୍ରୟ ହୋଇଯିବ ।”

ମୋହନ ମୁଣ୍ଡକୁ ବି ପ୍ରଥମେ ଏଇସବୁ ଯୁକ୍ତି ଜୁଟିଥିଲା । କିନ୍ତୁ ସେ ବହୁତ ଭାବିଚିନ୍ତି ଭିନ୍ନପ୍ରକାର ସିଦ୍ଧାନ୍ତ କରିଥିଲା । ଅତଏବ ସୋହନ ଯେତେବେଳେ ଆଗେ ଯିବାପାଇଁ ପ୍ରସ୍ତାବ କଲା, ମୋହନ ସେଥିରେ ସାନନେ୍ଦ ରାଜିହେଲା ।

ପାଞ୍ଚଶହ ଶଗଡ ଧରି ସୋହନ ତା’ଯାତ୍ରା ଆରମ୍ଭ କଲା । ନିକଟ ଭବିଷ୍ୟତରେ ସେ କେତେ ଧନ ସମ୍ପଦର ମାଲିକ ହେବ, ସେଇ କଥା କଳ୍ପନା କରି ସେ ଆନନ୍ଦରେ ଗୀତ ବୋଲୁଥାଏ । କିନ୍ତୁ ତା’ର ସେ ଦିବାନିଦ୍ରା ଦୀର୍ଘସ୍ଥାୟୀ ହେଲା ନାହିଁ । ସଡକର ଅବସ୍ଥା ଭଲ ନଥିଲା । ରାସ୍ତାଯାକ ବଡ ବଡ ପଥରମାନ ପଡିଥିଲା; ପୁଣି ଅନେକ ସ୍ଥାନରେ ଖାଲ ବା ଢିପ ।

ରାସ୍ତାରୁ ସେସବୁ ପଥର ସଫା କରିବାକୁ ପଡିଲା; ଖାଲ ପୋତିବାକୁ ପଡିଲା । ତେବେ ଯାଇ ଶଗଡଯାକ ଆଗକୁ ଚାଲିଲେ । ଏସବୁ କାମରେ ଅବଶ୍ୟ ରାସ୍ତାକଡର ଗ୍ରାମବାସୀମାନେ ତାଙ୍କୁ ସାହାଯ୍ୟ କଲେ, କିନ୍ତୁ ସେମାନଙ୍କୁ ମଜୁରୀ ଦେବାକୁ ପଡିଲା । ପୁଣି ଏସବୁ କରିବାକୁ ମଧ୍ୟ ବହୁତ ସମୟ ଲାଗିଲା ।

ରାସ୍ତା ମରାମତି କରି କରି ଶଗଡସବୁ ଧୀରେ ଧୀରେ ଆଗେଇ ଚାଲିଲେ । କିଛି ସମୟ ପରେ ସେମାନେ ଗୋଟିଏ ଜଙ୍ଗଲ ଭିତରେ ଯାଇ ପଶିଲେ । ଶଗଡଗୁଡିକୁ ଆଗେଇନେବା ସକାଶେ ଅନେକ ଗଛଲତା କଟାକଟି କରିବାକୁ ପଡିଲା । ସେ ଜଙ୍ଗଲରେ ଅନେକ ହିଂସ୍ରଜନ୍ତୁ ଥିଲେ: ବାଘ, ସିଂହ, ଚିତାବାଘ ଓ ହେଟାବାଘ ପ୍ରଭୃତି । ରାତିରେ ଯେତେବେଳେ କ୍ଳାନ୍ତ ହୋଇ ସଭିଏଁ ଶୋଇ ପଡିଲେ, ଏଇ ଜନ୍ତୁମାନେ ସେତେବେଳେ ଅନେକଗୁଡିଏ ବଳଦଙ୍କୁ ମାରି ଖାଇଗଲେ ।

ସୋହନ ଓ ତା’ର ସହକାରୀମାନେ ବଡ ହତାଶ ହୋଇପଡିଲେ । ଘରକୁ ଫେରିଯିବେ କି ଆଗକୁ ଯିବେ, ଯେତେବେଳେ ସେମାନେ ଏଇ କଥା ଆଲୋଚନା କରୁଛନ୍ତି, ଠିକ୍ ସେତିକିବେଳେ ସେମାନଙ୍କ ବିପରୀତ ଦିଗରୁ ଗୋଟିଏ ଶଗଡ ଆସୁଥିବାର ସେମାନେ ଦେଖିଲେ । ସେଇଟା ଗୋଟିଏ ବିରାଟ ଶଗଡ । ଯୋଡାଏ ଧଳା ବଳଦ ତାକୁ ଟାଣୁଥିଲେ । ସେ ଶଗଡ ଭିତରେ ଛଅଜଣ ସରିକି ମଣିଷ ବସିଥିଲେ । ସେମାନଙ୍କ ଲୁଗାପଟାରୁ ପାଣି ବହି ପଡୁଥିଲା । ସେମାନେ ଧଳା ପଦ୍ମ ହାରଟିମାନ ପିନ୍ଧିଥିଲେ ।

ସୋହନ ସେମାନଙ୍କୁ ନମସ୍କାର କରି ନମ୍ର ଭାବରେ ପଚାରିଲା, “ଆପଣମାନେ କେଉଁ ରାସ୍ତାରେ ଆସୁଛନ୍ତି, ସେ ରାସ୍ତାରେ ଆମେ ଗଲେ ଆମକୁ ଯଥେଷ୍ଟ ଖାଦ୍ୟ ପେୟ ମିଳିବତ?”

ସେମାନେ ଏକସୁରରେ କହିଲେ, “ସେଥିରେ କ’ଣ ଆଉ କିଛି ସନ୍ଦେହ ଅଛି? ଆମେ ତିନ୍ତିଯାଇଛୁ, ଦେଖୁନ? ଆଉ ଆମ ଶଗଡ ଚକକୁ ଚାହଁ । ସେଥିରେ କାଦୁଅ ଲାଗିନାହିଁ? ଆମେ ଯେଉଁ ଅଂଚଳରୁ ଆସୁଛୁ, ସେ ଅଂଚଳରେ ପ୍ରବଳ ବର୍ଷା ହୋଇଛି । ସବୁଜ କ୍ଷେତମାନଙ୍କରେ ଯିମିତି ଉଛୁଳା ଫସଲ ହୋଇଛି, ତାହା ଦେଖିଲେ ଆଖି ପୂରିଯିବ ।”

ସୋହନର ଶଗଡମାନଙ୍କରେ ମାଠିଆ ମାଠିଆ ପାଣି ଭର୍ତ୍ତି ହୋଇଥିବାର ଦେଖି ସେହି ଯାତ୍ରୀମାନେ ହସରେ ବେଦମ୍ ହୋଇ କହିଲେ, “ପାଣି ବୋହି ଚାଲିଛ କାହିଁକି ହେ? ପାଣି, ବଳଦଙ୍କ ଦାନା, ଏସବୁ ଫେପାଡିଦେଇ ବଳଦଙ୍କ କଷ୍ଟ ଟିକିଏ ଲାଘବ କରିଦିଅ । ଆଗରେ ଏସବୁ ବହୁତ ମିଳିବ ।”

ଯାତ୍ରୀମାନଙ୍କ ପରାମର୍ଶକ୍ରମେ ସେସବୁ ଫୋପାଡି ଦିଆଗଲା । ଓଜନ କମ୍ ହେବାରୁ ବଳଦମାନେ କିଛି ସମୟ ପର୍ଯ୍ୟନ୍ତ ବେଶ୍ ସୁରୁଖୁରୁରେ ଗାଡି ଟାଣିଲେ । ସେହି ସବୁଜ ଅଂଚଳ କେତେବେଳେ ପଡିବ ବୋଲି ସୋହନ ଅନାଇ ବସିଥାଏ । କିନ୍ତୁ କ୍ରମେ ଅଧିକରୁ ଅଧିକ ଶୁଖିଲା ଅଂଚଳମାନ ପଡିବାକୁ ଲାଗିଲା । କିଛି ସମୟ ପରେ ସେମାନେ ଗୋଟିଏ ମରୁଭୂମିଭଳି ଅଂଚଳ ଭିତରେ ଯାଇ ପଡିଲେ ।

ପାଣି ଅଭାବରେ ସେଠାରେ ଅନେକ ବଳଦ ଓ ଲୋକ ମଲେ । ଅନ୍ୟମାନେ କୌଣସି ପ୍ରକାରେ ଆଗକୁ ଚାଲିଥାନ୍ତି । କିନ୍ତୁ କିଛିସମୟ ପରେ ସେମାନଙ୍କୁ ମିଛକହି ଠକିବାକୁ ସେହି ଦସ୍ୟୁମାନେ ଆସି ସେମାନଙ୍କ ଜିନିଷପତ୍ର ଓ ବଳଦମାନଙ୍କୁ ଛଡାଇନେଲେ । ସୋହନର ଅଧିକାଂଶ ଲୋକଙ୍କୁ ସେମାନେ ମାରି ପକାଇଲେ । ଅଳ୍ପ କେତେଜଣଙ୍କ ସହ ସୋହନ କୌଣସି ପ୍ରକାରେ ସେମାନଙ୍କ ହାବୁଡରୁ ଖସି ପଳାଇଲା ।

ଅବଶେଷରେ ସେମାନେ ଯାଇ ସହରରେ ପହଁଚିଲେ । ଯାହା ସାମାନ୍ୟ ଜିନିଷପତ୍ର ସେମାନଙ୍କ ପାଖରେ ଥିଲା, ସେଠାରେ ସେମାନେ ତାହା ବିକ୍ରି କଲେ । କିନ୍ତୁ ସେଠାକାର ଦରଦାମ୍ ବିଷୟରେ ସେମାନଙ୍କର କୌଣସି ଧାରଣା ନଥିବା ହେତୁ ଓ ସେମାନେ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ପଡିଥିବା ହେତୁ ସହରର ଲୋକେ ତାଙ୍କୁ ସେସବୁ ଜିନିଷ ପାଇଁ ଖୁବ୍ କମ୍ ଦାମ୍ ଦେଲେ । ସୋହନ ନିଃସ୍ୱ ଓ ନିରଶ ହୋଇ ଘରକୁ ଫେରିଲା ।

ତା’ପରେ ମୋହନ ତା’ର ଅଭିଯାନ ଆରମ୍ଭ କଲା । ସୋହନ ଓ ତା’ଦଳ ତ ସଡକକୁ ପୂର୍ବରୁ ମରାମତି କରି ରଖିଥିଲେ । ବଣ ଭିତରଦେଇ ମଧ୍ୟ ରାସ୍ତା କରା ହୋଇଥିଲା । ହିଂସ୍ର ଜନ୍ତୁମାନେ ବି ପୂର୍ବରୁ ତରକି ଯାଇଥିଲେ ।

ଯଥାସମୟରେ ସେଇ ଦସ୍ୟୁମାନେ ଦେଖାଦେଇ ସେମାନଙ୍କୁ ପାଣି ଓ ଖାଦ୍ୟପଦାର୍ଥମାନ ଫୋପାଡି ଦେବାକୁ ପରାମର୍ଶ ଦେଲେ । କିନ୍ତୁ ବିଜ୍ଞ ମୋହନ ତା’ର ସହକାରୀମାନଙ୍କୁ କହିଲା, “ଏମାନଙ୍କ କଥାରେ ମୋର କାହିଁ ବିଶ୍ୱାସ ହେଉନାହିଁ । ଆଗରେ ଏକ ଶୁଖିଲା ଅଂଚଳ ପଡିବ ବୋଲି ମନେ ହେଉଛି । ଏ ଲୋକଗୁଡିକ ଓଦା ଲୁଗା ଓ ପଦ୍ମହାର ପିନ୍ଧିଛନ୍ତି । କିନ୍ତୁ ନିକଟରେ ବର୍ଷା ହୋଇଛି ବୋଲି ମନେ ହେଉନାହିଁ । କାହିଁକିନା ଆକାଶ ମେଘମୁକ୍ତ । ଏମାନେ ଅବଶ୍ୟ କିଛି ମତଲବ୍ ରଖି ଆମକୁ ଠକିବାକୁ ଚେଷ୍ଟା କରୁଛନ୍ତି ।”

ମୋହନ ସେ ଠକମାନଙ୍କ ପରାମର୍ଶରେ ଆଦୌ ମନ ଦେଲାନାହିଁ । ଅଳ୍ପସମୟ ପରେ ସେ ମରୁଭୂମିଟି ଭିତରେ ଯାଇ ପହଁଚିଲା । କିନ୍ତୁ ସେମାନଙ୍କ ପାଖରେ ପ୍ରଚୁର ଖାଦ୍ୟ ପେୟ ଥିବାରୁ ସେମାନଙ୍କୁ ବିଶେଷ କିଛି ଅସୁବିଧା ପଡିଲା ନାହିଁ ।

ସହରରେ ପହଁଚି ସେମାନେ ସେଠାକାର ଦରଦାମ୍ ବିଷୟରେ ଆଗେ ଖୋଜଖବର ସଂଗ୍ରହ କଲେ । ତା’ପରେ ସୁଯୋଗ ସୁବିଧା ଦେଖି ମୋହନ ତା’ର ପଣ୍ୟଦ୍ରବ୍ୟ ସବୁକୁ ଯଥେଷ୍ଟ ଲାଭରଖି ବିକ୍ରୟ କଲା ଓ ସନ୍ତୋଷ ସହକାରେ ଘରକୁ ଫେରିଲା ।

Find Amazon’s best deals & get advantage of the more hidden discounts!

Find over 75% discounts

Discover hidden offers, sales & discounts when searching for products on Amazon.

Keyword/s (optional)

(eg Iphone 5s Gold or Ipad Mini 16GB)

Search Discount
ବିସ୍ଵାଶ କରିବା ଆଗରୁ ବିଜ୍ଞାପନ ଗୁଡିକର ସଠିକତାକୁ ତଦନ୍ତ କରନ୍ତୁ ।
loading...

ଗପ ସାରଣୀ

ବିସ୍ଵାଶ କରିବା ଆଗରୁ ବିଜ୍ଞାପନ ଗୁଡିକର ସଠିକତାକୁ ତଦନ୍ତ କରନ୍ତୁ ।

ସାଢି | ଲାପଟପ୍ | ଟେଲିଭିଜନ୍ | ଯୋତା | ମୋବାଇଲ୍ |ବହି

ପ୍ରଥମେ ଯେକୌଣସି ଜିନିଷ ସର୍ଚ୍ଚ କରନ୍ତୁ, ପରେ କ୍ୟାସ ଅନ ଡେଲିଭରିରେ ଅଡ଼ର୍ କରନ୍ତୁ, ମାନେ ଜିନିଷ ପାଇଲା ପରେ ହିଁ ପଇସା ଦିଅନ୍ତୁ

ତାଲିକାଭୁକ୍ତ ଗପ

ନୂଆ ତାଲିକାଭୁକ୍ତ ଗପ

loading...