ଧନର ମୂଲ୍ୟ

କରଜ ଦେବା ପ୍ରଶାନ୍ତଙ୍କର ବ୍ୟବସାୟ ଥିଲା । ସେ ଏତେ ମଧୁର ଭାବରେ କଥା କୁହନ୍ତି ଯେ ଲୋକେ, ଅଳ୍ପ ଦରକାର ହେଲେ ମଧ୍ୟ ପ୍ରଶାନ୍ତଙ୍କ ପାଖକୁ ଦୌଡିବେ ।

                ବହୁତ ଲୋକ ଟଙ୍କା କରଜ ନେବାକୁ ଆସନ୍ତି । କ୍ରମେ ସେମାନଙ୍କ ସଂଖ୍ୟା ବଢିଚାଲିଲା । ତେଣୁ ସେଥିପାଇଁ ଗୁମାସ୍ତା ଚାରିଜଣ ରହିଥା’ନ୍ତି, କରଜ ନେଇଥିବା ଲୋକର ନାମଧାମ ଲେଖିବାକୁ ଓ କରଜ ଟଙ୍କା ଆଦାୟ କରିବାକୁ ।

ପ୍ରଶାନ୍ତଙ୍କ ଏହି କରଜ ଦେବାର ବ୍ୟବସାୟ ଦେଖି ସେହି ଗ୍ରାମର ଅନ୍ୟକେତେକ ଲୋକ ମଧ୍ୟ ଭାବିଲେ ଯେ ସେହିପରି ଟଙ୍କା କରଜ ଦେଇ ସୁଧ ଟଙ୍କାରେ ଘରେ ବସି କିଛି କାମ ନ କରି ଆରାମ୍ରେ ଚଳିବେ । କିନ୍ତୁ ଯେଉଁ ବ୍ୟକ୍ତି କରଜ ନେଇଥାଏ ତା’ଠାରୁ ଟଙ୍କା ଆଦାୟ କରିବା ଗୋଟାଏ ବିଦ୍ୟା କହିଲେ ଚଳେ । ସେ ବିଦ୍ୟା ତ ଆଉ ସମସ୍ତେ ଜାଣି ନଥା’ନ୍ତି । ଚନ୍ଦ୍ରକାନ୍ତ ନାମକ ଜଣେ ବ୍ୟକ୍ତି, ସେହି ଗ୍ରାମର ବାସିନ୍ଦା; ତାଙ୍କର କିଛି ଧନ ଥାଏ । ସେ ଚାହିଁଲେ ଏହିପରି କିଛି ଏକ ବ୍ୟବସାୟ କରି ଟଙ୍କା ଅର୍ଜନ କରିବେ ।

ବହୁତ ଭାବି ଭାବି ଶେଷରେ ସେ ଠିକ୍ କଲେ ଯେ ସେ ଏଥର ଟଙ୍କା କରଜ ଦେବାର ବ୍ୟବସାୟ କରିବେ । ସେ ଭାବିଲେ, “ପ୍ରଶାନ୍ତ ତ ଶହେ ଟଙ୍କାରେ ପନ୍ଦର ଟଙ୍କା ସୁଧ ନେଉଛନ୍ତି, ମୁଁ ଯଦି ସାଢେ ସାତଟଙ୍କା ସୁଧ ନିଏ, ତେବେ ମୋ ପାଖକୁ ବେଶି ଲୋକ ଆସିବେ ଓ ମୋ ପ୍ରତି କୃତଜ୍ଞ ରହିବେ ।” ଏହି କଥା ସେ ତାଙ୍କ ସ୍ତ୍ରୀ ସୁଜାତାଙ୍କୁ ମଧ୍ୟ କହିଲେ । ସୁଜାତା ବହୁତ ବୁଦ୍ଧିମତୀ । ସେ କହିଲେ, “ତମେ ଯଦି ଏପରି କରଜ ଦେବ ତ ବହୁତ ଲୋକ ଆସିବେ ସତ, କିନ୍ତୁ ଆମର ଯେତେକ ସମ୍ପତ୍ତି ଅଛି ସେସବୁ ନଷ୍ଟ ହୋଇ ଯିବ । ଦେଖୁ ଦେଖୁ ଆମେ ଦରିଦ୍ର ହୋଇ ଯିବା । ପ୍ରଶାନ୍ତ ଟଙ୍କା ଆଦାୟ କରିବାରେ ହଇରାଣ ହୋଇଯାଏ । ତମେ ଏତେ କମ୍ ସୁଧ ନେଲେ, ବହୁତ ଲୋକ ଆସିବେ ଓ ତମେ ଟଙ୍କା ଆଦାୟ କରିବାରେ ବଡ ହଇରାଣ ହେବ । ପୁଣି ପ୍ରଶାନ୍ତ ଆମର ବନ୍ଧୁବାନ୍ଧବ । ତା’ମନ ଭିତରେ ଆମ ପ୍ରତି ଖରାପ ଭାବ ଆସିବ । ଧର୍ମରାଜ ଯୁଧିଷ୍ଠିର ଯୁଦ୍ଧ ଜିତିବା ପାଇଁ ଶତ୍ରୁପକ୍ଷର ବ୍ୟକ୍ତି ଭୀଷ୍ମଙ୍କ ପାଖକୁ ଯାଇଥିଲେ । ତେଣୁ ତମେ ମଧ୍ୟ ପ୍ରଶାନ୍ତଙ୍କ ପାଖକୁ ଯାଇ ତାଙ୍କର ମତାମତ ନେଇ ଯାହା କରିବାର କର ।”

ସୁଜାତାଙ୍କର କଥାର ସତ୍ୟତା ଚନ୍ଦ୍ରକାନ୍ତ ଉପଲବ୍ଧି କଲେ । ସେ ପ୍ରଶାନ୍ତଙ୍କ ପାଖକୁ ଯାଇ ତାଙ୍କୁ ସମସ୍ତ କଥା କହିଲେ । ପ୍ରଶାନ୍ତ ସବୁ ଶୁଣି କହିଲେ, “ଭଲ ହେଲା, ତମେ ମୋ ପାଖକୁ ଆସିଲ; ଟଙ୍କା କରଜ ଦେବା ଓ ସୁଧ ମୂଳ ଆଦାୟ କରିବା ଏକ ବିରକ୍ତିକର କାମ । ଖଣ୍ଡାଧାରରେ ଚାଲିବା ଯାହା ସେ କାମ କରିବା ତାହା । ତେଣୁ ବରଂ ତୁମେ ତୁମ ଟଙ୍କାସବୁ ମୋତେ ଦେଇଦିଅ । ମୁଁ ତ ଆଉ ତୁମକୁ ଠକିବି ନାହିଁ; ଶହେ ଟଙ୍କାରେ ଦଶଟଙ୍କା ସୁଧ ଦେବି । ତୁମେ ଘରେ ଅଚିନ୍ତା ହୋଇ ବସି ଖୁସିରେ ସୁଧ ଟଙ୍କା ପାଉଥିବ । କିନ୍ତୁ ଗୋଟିଏ ସର୍ତ୍ତ । ତୁମେ ପାଂଚବର୍ଷ ପର୍ଯ୍ୟନ୍ତ ମୂଳ ଟଙ୍କା ଆଦୌ ମାଗିବ ନାହିଁ ।”

ଚନ୍ଦ୍ରକାନ୍ତ ଭାବିଲା, “ପ୍ରକୃତରେ ଇଏ ତ ଅତି ସହଜ କଥା । ମୁଁ ତ ସାଢେ ସାତ ଟଙ୍କା ଦେବାକୁ ଚାହିଁଥିଲି, ପ୍ରଶାନ୍ତ ତ ହେଲେ ଦଶଟଙ୍କା ଦେଉଛି । ସବୁ ଭଲ ଯେ, ଯଦି ହଠାତ୍ ପାଂଚବର୍ଷ ମଝିରେ ଟଙ୍କା ଦରକାର ପଡିଲେ କ’ଣ କରାଯିବ?” ନିଜ ମନରେ ଥିବା ଏହି ସନ୍ଦେହକୁ ସେ ପ୍ରଶାନ୍ତକୁ କହିଲେ । ପ୍ରଶାନ୍ତ କହିଲେ, “ଏଥିରେ ଭୟ କରିବାର କ’ଣ ଅଛି? ତମର ଯେତେବେଳେ ଦରକାର ହେବ, ତମେ ମୋଠାରୁ ଟଙ୍କା ନେବ, କିନ୍ତୁ ବାହାର ଲୋକଙ୍କ ପରି କରଜ ସୂତ୍ରରେ ନେବ । ସେତେବେଳେ ମୁଁ ତୁମଠାରୁ ସାଢେବାର ଟଙ୍କା ମାତ୍ର ସୁଧ ନେବି । ଆଉ ଯଦି ତୁମେ ଶୀଘ୍ର ଟଙ୍କା ଫେରାଇ ଦିଅ ତ କମ୍ ଟଙ୍କା ହାତରୁ ଦେବ ।”

ପ୍ରଶାନ୍ତଙ୍କ କଥା ଶୁଣି ତାଙ୍କ ମୁଣ୍ଡ ଘୁରିଗଲା । ସେ ସେଠାରୁ ଯାଇ ସୁଜାତାକୁ ସବୁ କଥା କହିଲେ । ସୁଜାତା ଏଥରେ ଖୁସି ହୋଇ କହିଲେ, “ପ୍ରତିବର୍ଷ ତ ଘରଖର୍ଚ୍ଚ ଠାରୁ ଅଧିକ ପଇସା କ୍ଷେତବାଡିରୁ ଆମକୁ ମିଳୁଛି । ତା’ଛଡା ନିଜର ଟଙ୍କା ମଧ୍ୟ ଅଛି । ତେଣୁ ତାଙ୍କୁ କିଛି ଟଙ୍କା ଦେଇ ଆରାମ୍ରେ ଘରେ ବସି ସୁଧ ପାଇବା । ପାଂଚବର୍ଷ ଯାଉ । ଆମେ ତ କିଛି କଷ୍ଟ ନ କରି ଟଙ୍କା ପାଇବା । ସେଥିରେ କ’ଣ ଅଛି? ପୁଣି ଏପରି ସହଜରେ ଟଙ୍କା ପାଇବା ପରେ ଆମର ଇଚ୍ଛା ହେବ ବେଶି ଟଙ୍କା ଆଣି ତାଙ୍କୁ ଦେବାକୁ । ସୁଧମୂଳ ଆଦାୟ କରିବାର ଝିନ୍ଝଟ୍ ତ ନାହିଁ । ସେଇଟା ତ ବଡ କଥା, ପୁଣି ଟଙ୍କା ମଧ୍ୟ ବଢି ଚାଲିବ ।” ସ୍ତ୍ରୀର କଥା ଶୁଣି ଚନ୍ଦ୍ରକାନ୍ତ ଆଉ ଅଧିକ ଚିନ୍ତା ନ କରି କିଛି ଟଙ୍କା ପ୍ରଶାନ୍ତଙ୍କୁ ଦେଇଦେଲେ ।

ଚନ୍ଦ୍ରକାନ୍ତଙ୍କର ବନ୍ଧୁ ଓ ପଡୋଶୀ ବୀରଭଦ୍ରଙ୍କର ଯେତିକି ଆମଦାନୀ ତା’ଠାରୁ ବେଶି ଖରଚ ହୋଇଯାଏ । ତେଣୁ ବେଳେବେଳେ ସେ ଚନ୍ଦ୍ରକାନ୍ତଙ୍କ ଠାରୁ ଟଙ୍କା ଧାର୍ ନିଅନ୍ତି । ତାଙ୍କୁ ଚନ୍ଦ୍ରକାନ୍ତ କହିଲେ, “ଅନାବଶ୍ୟକ ଖର୍ଚ୍ଚ କର ନାହିଁ । ବର୍ଷ ଶେଷରେ ଯାହା ଟଙ୍କା ବଳିବ ସେତକ ପ୍ରଶାନ୍ତଙ୍କୁ ଦେଇ ଦିଅ । ଦେଖିବ, ତୁମର ଆର୍ଥିକ ପରିସ୍ଥିତିରେ ଉନ୍ନତି ହେବ । ପ୍ରଶାନ୍ତଙ୍କ ପାଖରେ ଟଙ୍କା ରଖିଲେ ସେ ତୁମକୁ ସୁଧ ଦେବେ ପୁଣି ଟଙ୍କା ଓ ସୁଧ ଆଦାୟ କରିବାର ଝିନ୍ଝଟ୍ ନାହିଁ । ପ୍ରଶାନ୍ତ ଅତି ସାଧୁ ଲୋକ । ଏକଥା ମୁଁ ତୁମକୁ ଜୋର୍ ଦେଇ କହିପାରେ । ଘରେ ବସି ସୁଧ ଟଙ୍କା ପାଇବ । ଟଙ୍କା ଆପେ ଆପେ ବଢୁଥିବ । ତୁମର କିଛି କଷ୍ଟ କରିବାର ନାହିଁ:, କ’ଣ ଏହା ଭଲକଥା ନୁହେଁ କି?”

ବୀରଭଦ୍ର ଏକଥା ଯାଇ ତାଙ୍କ ସ୍ତ୍ରୀ ବୀଣାକୁ କହିଲେ । ବୀଣା କହିଲା, “ପ୍ରତ୍ୟେକ ଲୋକର ଧନ ଅର୍ଜନ କରିବାର ପଦ୍ଧତି ଭିନ୍ନ । କେହି ଧନକୁ ସୁରକ୍ଷିତ ରଖି ସୁଖୀ ହୁଅନ୍ତି । କିଏ ବା ଖର୍ଚ୍ଚ କରି ସୁଖୀ ହୁଅନ୍ତି, ଆମେ ଦ୍ୱିତୀୟ ପ୍ରକାରର ।”

କିଛି ଦିନ ପରେ ବୀରଭଦ୍ର ଫସଲରୁ ହଠାତ୍ ଚାରିହଜାର ଟଙ୍କା ଅଧିକା ପାଇଲେ । ବୀଣା ସେତକ ଟଙ୍କାରେ ନିଜର ହୀରାର ହାରଟିଏ ବନାଇବାକୁ ବଣିଆ ପାଖକୁ ଗଲା । ବଣିଆ କହିଲା ଏଥିଲାଗି ପୁରା ପାଂଚହଜାର ଲାଗିବ        । ବୀଣା ତା’ର ସ୍ୱାମୀ ବୀରଭଦ୍ରକୁ କହିଲା, “ତୁମ ବନ୍ଧୁ ଚନ୍ଦ୍ରକାନ୍ତ ଏବେ ନଡିଆ ବିକି ପାଂଚହଜାର ପାଇଛନ୍ତି ଯାଅ ତାଙ୍କଠାରୁ କରଜ ଆଣିବ । ସେ ଟଙ୍କା ସେ ଏବେ ମଧ୍ୟ ପ୍ରଶାନ୍ତଙ୍କୁ ଦେଇ ନାହାଁନ୍ତି ।”

ଏକଥା ଶୁଣି ବୀରଭଦ୍ର ଯାଇ ପ୍ରଶାନ୍ତଙ୍କୁ ସବୁକଥା କହିଲେ । ପ୍ରଶାନ୍ତ ତାଙ୍କ କଥା ଶୁଣି କହିଲେ; “ହୀରାହାର କରି କାହିଁକି ବାଜେ ଖର୍ଚ୍ଚ କରିବ? ଦେଖ ବୀରଭଦ୍ର ହୀରାହାରଟିଏ ପିନ୍ଧିଲେ କ’ଣ ତୁମ ସ୍ତ୍ରୀ ଧନୀ ହୋଇଯିବେ? ମୋ ସ୍ତ୍ରୀକୁ ତ ମୁଁ ଦୁଇଟା ହୀରା ହାର ଦେଇ ପାରନ୍ତି । କିନ୍ତୁ ତାହା ଅଯଥା ଖର୍ଚ୍ଚ । ଏବେ ତୁମର ପିଲାଟିଏ ହେଲାଣି ଭବିଷ୍ୟତ ପାଇଁ କିଛି ରଖ । ଉପାର୍ଜନ ତ ତୁମର ବେଶ୍ ହେଉଛି । ଅଥଚ ବଦ ଖର୍ଚ୍ଚ ଯୋଗୁଁ ଟଙ୍କା ନଅଂଟ ପଡୁଛି । ଟଙ୍କା ରଖିବା ପରେ ଘର ଖର୍ଚ୍ଚ ଯାଇ ଯାହା ବଳିବ ସେଥିରେ ହାରଟିଏ କଲେ ଭଲ ହୁଅନ୍ତା ନାହିଁ । ଟଙ୍କା ନିଅଂଟ ପଡିବା ବେଳେ ହାରଟିଏ ପିନ୍ଧିବାରେ କି ଆନନ୍ଦ ଥାଏ ମୁଁ ତ କାହିଁ କିଛି ବୁଝିପାରୁ ନାହିଁ । ଟଙ୍କାଗୁଡାଏ ଅଯଥା ଖର୍ଚ୍ଚ, ବରଂ ସେ ଟଙ୍କା ଯାଇ ଚନ୍ଦ୍ରକାନ୍ତକୁ ଦେଇ ଦିଅ ।”

ବୀରଭଦ୍ର କହିଲେ, “ଦେଖ ମୁଁ କେଉଁଠି ଟଙ୍କା ଖର୍ଚ୍ଚ କଲେ ଅଧିକ ସନ୍ତୋଷ ପାଇବି ସେକଥା ତୁମେ କିପରି ବୁଝିବ? ମୁଁ ହୀରା ହାର ନ ଦେଲେ ମୋ ସ୍ତ୍ରୀର ମନ ଭାରି ଦୁଃଖ ହେବ । ଟଙ୍କା ପାଇଁ ତା’ ମନରେ ଦୁଃଖ ଦେବା ଭଳି ଲୋକ ମୁଁ ନୁହେଁ । ତା’ପରେ ଟଙ୍କା କ’ଣ ହେବ, ଯଦି କାମରେ ନ ଲାଗିଲା?”

ଚନ୍ଦ୍ରକାନ୍ତ କହିଲେ, “ଆଚ୍ଛା ତେବେ ଗୋଟିଏ କାମ କରାଯାଉ । ତୁମ ସ୍ତ୍ରୀକୁ ଖୁସି କରିବା ଯେବେ ଏତେ ଜରୁରୀ ତେବେ ମୋ ଟଙ୍କା ମୁଁ ପ୍ରଶାନ୍ତଙ୍କୁ ଦେଇ ଦେଉଛି ଏବଂ ତୁମ ପାଇଁ ତାଙ୍କଠାରୁ ଧାର୍ ଆଣି ଦେବି । କାରଣ ତମେ ଧାର୍ କଲେ ଶହେ ଟଙ୍କାରେ ପନ୍ଦର ଟଙ୍କା ସେ ସୁଧ ନେବେ । ମୁଁ ଧାର୍ କଲେ ସାଢେବାର ଟଙ୍କା ନେବେ, କାରଣ ମୋର ମୂଳଧନ ରହିଛି । ତେଣୁ ତମେ ଅଢେଇ ଟଙ୍କା ଶସ୍ତାରେ ପାଇବ । ଏବେ କୁହ ତୁମର ଇଚ୍ଛା କ’ଣ?”

ଏକଥା ସତ ଯେ ବୀରଭଦ୍ର ଖୁବ୍ ଖର୍ଚ୍ଚ କରନ୍ତି । କିନ୍ତୁ ଏମିତି ସୁଧ ଦେଇ କରଜ ଆଜି ପର୍ଯ୍ୟନ୍ତ ସେ କେବେବି କରି ନାହାଁନ୍ତି । କିନ୍ତୁ ଜଣେ ବନ୍ଧୁ ଯଦି ଏପରି ପ୍ରସ୍ତାବ ଦେଉଛି ଏବଂ ତାଙ୍କର ମଧ୍ୟ ଟଙ୍କା ଆଣିବା ଜରୁରୀ ଦରକାର, ତେଣୁ ସେ ବାଧ୍ୟ ହୋଇ ତାଙ୍କ ପ୍ରସ୍ତାବ ମାନିନେଲେ ।

ତା’ପରେ ଚନ୍ଦ୍ରକାନ୍ତ ପ୍ରଶାନ୍ତଙ୍କୁ ନିଜର ଟଙ୍କା ଜମାଦେଲେ ଓ ବୀରଭଦ୍ରଙ୍କ ପାଇଁ କରଜ ଆଣିଲେ । ବୀରଭଦ୍ରର ସ୍ତ୍ରୀ ବୀଣା କହିଲା, “ମନେହୁଏ ତୁମ ବନ୍ଧୁଙ୍କର ମୁହଁରେ ଟଙ୍କା ଲାଗିଗଲାଣି, ନହେଲେ ବନ୍ଧୁତାକୁ ଭୁଲିଯାଇ ଏପରି ପ୍ରସ୍ତାବ ସେ ବା କାହିଁକି ଦିଅନ୍ତେ?”

ତା’ପରେ ବୀରଭଦ୍ର ତା’ ସ୍ତ୍ରୀ ପାଇଁ ହୀରାରହାର ତିଆରି କଲେ । କିଛି ମାସ ଧରି ଟଙ୍କା ଏକାଠି କରି ଦିନେ ବୀରଭଦ୍ର ଚନ୍ଦ୍ରକାନ୍ତଙ୍କୁ ଦୁଇହଜାର ଏକଶହ ଟଙ୍କା ସୁଝିବାକୁ ଗଲେ । ଚନ୍ଦ୍ରକାନ୍ତ କହିଲେ, “ତମେ ତ ମୋଠାରୁ ଦୁଇହଜାର ନେଇଥିଲ ପୁଣି ଶହେ କ’ଣ ପାଇଁ?”

ବୀରଭଦ୍ର କହିଲେ “ଇଏ ତ ସୁଧ ଟଙ୍କା ।”

ଚନ୍ଦ୍ରକାନ୍ତ କହିଲେ “ଛି, ଛି, ଏ କି କଥା କହୁଛ । ମୁଁ ପୁଣି ମୋର ବନ୍ଧୁଠାରୁ ସୁଧ ନେବି? ଆମେ ଦୁହେଁ ପରା ପିଲାଦିନରୁ ସାଥୀ ହୋଇ ରହିଛେ । ଆଜି ତୁମଠାରୁ ସୁଧ ନେବି । ତମେ ବୋଧେ ମୋତେ ଭୁଲ୍ ବୁଝିଲ ।”

ବୀରଭଦ୍ର କହିଲେ, “ହୁଏତ ଏବେ ତୁମ ମନ ବଦଳି ଯାଇଛି । ତୁମେ ଟଙ୍କା ଦେବାବେଳେ କହିଥିଲ କି ମୋ ପାଇଁ ତୁମେ ପ୍ରଶାନ୍ତଠାରୁ କରଜ କରି ଆଣିବ ।”

ତାଙ୍କ କଥା ଶୁଣି ଚନ୍ଦ୍ରକାନ୍ତ କହିଲେ “ତମେ ଏତିକି ବୁଝିଲ ନାହିଁ? ତୁମକୁ ମୂଳସୁଧ ପ୍ରଭୃତି ବିଷୟରେ ବୁଝାଇବାପାଇଁ ସେକଥା କହିଥିଲି । ସୁଧ ଟଙ୍କା ନେବାପାଇଁ ନୁହେଁ । ଯେମିତିକି ତୁମେ ବୁଝିପାରିବ ଯେ ଧନର ମୂଲ୍ୟ କ’ଣ?”

ଏବେ ବୀରଭଦ୍ର ବୁଝିଲେ ଯେ ଚନ୍ଦ୍ରକାନ୍ତ ତାଙ୍କର ଜଣେ ପ୍ରକୃତ ବନ୍ଧୁ ଓ ଧନର ମୂଲ୍ୟ କ’ଣ । ଏଣୁ ସେ ଚନ୍ଦ୍ରକାନ୍ତକୁ କ୍ଷମା ମାଗିଲେ ।

ଏହି ଘଟଣା ପରଠାରୁ ବୀରଭଦ୍ର ଖର୍ଚ୍ଚ କମ୍ କଲେ ଓ ବହୁତ ଆନନ୍ଦରେ ଚଳିଲେ ।

Find Amazon’s best deals & get advantage of the more hidden discounts!

Find over 75% discounts

Discover hidden offers, sales & discounts when searching for products on Amazon.

Keyword/s (optional)

(eg Iphone 5s Gold or Ipad Mini 16GB)

Search Discount
ବିସ୍ଵାଶ କରିବା ଆଗରୁ ବିଜ୍ଞାପନ ଗୁଡିକର ସଠିକତାକୁ ତଦନ୍ତ କରନ୍ତୁ ।
loading...

ଗପ ସାରଣୀ

ବିସ୍ଵାଶ କରିବା ଆଗରୁ ବିଜ୍ଞାପନ ଗୁଡିକର ସଠିକତାକୁ ତଦନ୍ତ କରନ୍ତୁ ।

ସାଢି | ଲାପଟପ୍ | ଟେଲିଭିଜନ୍ | ଯୋତା | ମୋବାଇଲ୍ |ବହି

ପ୍ରଥମେ ଯେକୌଣସି ଜିନିଷ ସର୍ଚ୍ଚ କରନ୍ତୁ, ପରେ କ୍ୟାସ ଅନ ଡେଲିଭରିରେ ଅଡ଼ର୍ କରନ୍ତୁ, ମାନେ ଜିନିଷ ପାଇଲା ପରେ ହିଁ ପଇସା ଦିଅନ୍ତୁ

ତାଲିକାଭୁକ୍ତ ଗପ

loading...