ନିର୍ଭୀକ ସଲମା

ପୂର୍ବକାଳରେ ତୁର୍କୀସ୍ଥାନରେ ଅମୀର ଖାଁ ନାମକ ଜଣେ ଲୋକ ଥା’ନ୍ତି । ତାଙ୍କର ସ୍ତ୍ରୀ ମୃତ, ମାତ୍ର କନ୍ୟା ସନ୍ତାନଟିଏ ଥାଏ । ତା’ରି ନାମ ସଲମା । ସଲମା ଏବେ ବଡ ହୋଇ ଗଲାଣି । ପିଲାଦିନରୁ ଭୂତଗପ ଶୁଣି ଶୁଣି ସେ ଭୂତ ପ୍ରେତଙ୍କୁ ଆଦୌ ଡରେ ନାହିଁ ।

ଦିନେ ତାଙ୍କ ଘରେ ଏକ ଭୋଜୀ ହେଲା । ଅମୀର ଖାଁଙ୍କର ପିଲାଦିନର ସାଙ୍ଗ ଅହମଦ ମଧ୍ୟ ସେଠାକୁ ଆସିଥିଲେ । ସେ ଧନୀ ଥିଲେ । ଭୋଜି ଅଧରାତି ପର୍ଯ୍ୟନ୍ତ ଚାଲିଲା । ଏଣେ ରୁଟି ଶେଷ ହୋଇଯିବାରୁ ଅମୀର ଖାଁ ଝିଅକୁ କହିଲେ, “ଝିଅ, ଯାଇ ଦାଦାଙ୍କ ଦୋକାନରୁ କିଛି ରୁଟି ନେଇ ଆସ ।” ଏକଥା ଶୁଣି ଅହମଦଙ୍କୁ ବଡ ଅସୁବିଧା ଲାଗିଲା, କାରଣ ସେ ହିଁ ଦୋକାନ ବନ୍ଦ କରି ଡେରୀରେ ଆସିଥା’ନ୍ତି । ସେ କହିଲେ, “ଅଧରାତିରେ ଶ୍ମଶାନ ପାରିହୋଇ ରୋଟି ଦୋକାନକୁ ଯିବାର ଆଉ କୌଣସି ଦରକାର ନାହିଁ । ସେଠାକୁ ଯିବାକୁ ତାକୁ ଡର ଲାଗିବ ନାହିଁ?” ଅମୀର ଖାଁ କହିଲେ, “ସଲମା କେବେବି ଡରେ ନାହିଁ ।” ତା’ପରେ ସଲମା ସେଇ ରାତ୍ରିରେ ଯାଇ ଦୋକାନରୁ ରୁଟି ନେଇ ଫେରିଲା । ଅହମଦ କହିଲେ, “କାଲି ରାତିରେ ଚନ୍ଦ୍ର ଉଠିବ ନାହିଁ । ସେହି ଅନ୍ଧକାର ରାତ୍ରିରେ ତୁମ ଝିଅ ଶ୍ମଶାନରୁ ମଣିଷମୁଣ୍ଡର ଖପୁରୀଟିଏ ଆଣିଦେଇ ପାରିବ?”

ଏହା ଶୁଣି ଅମୀର ଖାଁ ହସି ହସି ଉତ୍ତର ଦେଲେ, “ବାସ୍ । ମାତ୍ର ଗୋଟିଏ ଖପୁରୀ? ତମେ କହିବ ତ ସେ ଶ୍ମଶାନର ସମସ୍ତ ଖପୁରୀ ନେଇ ଚାଲି ଆସିବ । କିନ୍ତୁ ସର୍ତ୍ତ କ’ଣ ଶହେଟି ଅସର୍ପି?”

ଅଧରାତି ବେଳକୁ ଅହମଦ ଯାଇ ଅମୀର ଖାଁଙ୍କ ଘରେ ପହଁଚିଲେ ଓ ସଲମାକୁ କହିଲେ ଯେ ସେ ଯେପରି ଶୀଘ୍ର ଯାଇ ଶ୍ମଶାନରୁ ଖପୁରୀଟିଏ ସଂଗ୍ରହ କରି ଆଣେ । ଅମୀର ଖାଁ ଏଥିରେ ସ୍ୱୀକୃତି ଦେଲେ । ସଲମା ଶ୍ମଶାନକୁ ଚାଲିଗଲା । ଅହମଦଙ୍କ ଯୋଜନା ଅନୁସାରେ ବୁଢା ଅଖତର ଆଗରୁ ଯାଇ ସେଠାରେ ଗୋଟିଏ କବରର ପଛପଟେ ଲୁଚି ରହିଥିଲା । ସଲମା ଯେମିତି ସେଠାରେ ପହଁଚି ଖପୁରୀଟିଏ ଉଠାଇଛି, ବୁଢା ଏକ ଅଚିହ୍ନା କଣ୍ଠରେ କହିଲା, “ହେ ଝିଅ ସେ ଜିନିଷ ଛୁଅଁନା । ସେଇଟା ମୋ ମା’ର ଖପୁରୀ ।” ସଲମା ଚଟକରି ସେଇଟା ଛାଡି ଅନ୍ୟ ଗୋଟିଏ ଖପୁରୀ ଉଠାଇଲା । ଅଖତର ପୁଣି କହିଲା, “ହେ ଝିଅ, ତାକୁ ସ୍ପର୍ଶ କର ନା, ତାହା ମୋ ବାପାଙ୍କ ଖପୁରୀ ।”

ସଲମା ରାଗିଯାଇ ସେହି ଖପୁରୀଟିକୁ ଫିଙ୍ଗିଦେଲା ଓ ଯେଉଁଠାରୁ କଥା ଶୁଭୁଥିଲା ସେହି ଆଡକୁ ଗଲା । ଯାଇ ଦେଖିଲା ଗୋଟିଏ କବରର ପଛପଟରେ ଗୋଟିଏ ଖାଲି ଗାତରେ ପଶି ଚନ୍ଦାମୁଣ୍ଡିଆ ଅଖତର କଥା କହୁଛି । ସେ ହାତରେ ଚନ୍ଦାମୁଣ୍ଡିଆର କାନ ଧରି କହିଲା, “ଆବେ ଚନ୍ଦାମୁଣ୍ଡିଆ, ସୈତାନ, ଶୁଣ, ଏବେ ଯଦି ତୁ ମୁହଁ ଖୋଲିବୁ ତ ତୋ ଚନ୍ଦା ମୁଣ୍ଡକୁ ପଥର ମାରି ମୁଁ ଚୂର୍ଣ୍ଣ କରିଦେବି ।” ଏତିକି କହି ସେ ତାକୁ ଦୁଇଟି ନାତ ଦେଲା ।

ସଲମାଠାରୁ ଲାତ ଖାଇକରି ସେ ବେହୋସ ହୋଇ ପଡିଗଲା । ସଲମା ଗୋଟାଏ ଖପୁରୀ ସେଠାରୁ ଉଠାଇ ଘରକୁ ଫେରିଲା । ଅମୀର ଖାଁ ବାଜି ଜିତିଲେ ଓ ସର୍ତ୍ତ ଅନୁସାରେ ଶହେଟି ଅସର୍ପି ସେ ପାଇଗଲେ । ସେହି ଦିନରୁ ସଲମାକୁ ସମସ୍ତେ ଜାଣିଗଲେ । କେବଳ ସେହି ଗ୍ରାମରେ ନୁହେଁ, ପଡୋଶୀ ଗ୍ରାମରେ ମଧ୍ୟ ତାକୁ ସଭିଏଁ ଜାଣିଗଲେ ।

ପଡୋଶୀ ଗ୍ରାମରେ ସୁଲେମାନ ନାମକ ଏକ ଧନୀ ଯୁବକ ରହୁଥାଏ । ସେ ଦେଖିବାକୁ ସ୍ୱାସ୍ଥ୍ୟବାନ୍ ଓ ସୁନ୍ଦର, ପୁଣି ଧନୀ । ହେଲେ ସେ ପର୍ଯ୍ୟନ୍ତ ତାର ବିବାହ ହୋଇପାରି ନଥାଏ । ଚାକରବାକର ମଧ୍ୟ ସେଠାରେ ବେଶିଦିନ ଯାଏଁ ରହିପାରନ୍ତି ନାହିଁ । କାରଣ ସମସ୍ତେ କହନ୍ତି ସୁଲେମାନର ମୃତା ମାତା ରାତିରେ ସେ ଘରେ ଘୁରି ବୁଲନ୍ତି ଓ ଅନ୍ୟମାନଙ୍କୁ ହଇରାଣ କରନ୍ତି ।

ସଲମା କଥା ଶୁଣି ସୁଲେମାନ ଦିନେ ଯାଇ ସଲମା ଘରେ ପହଁଚି ତା’ ବାପାଙ୍କୁ କହିଲା କି ସେ ଯଦି ଅନୁମତି ଦିଅନ୍ତେ ତେବେ ସଲମା ତାଙ୍କ ଘର ଦେଖାଶୁଣା କରନ୍ତା । ପ୍ରତି ମାସକୁ ତାକୁ ଭଲ ଦରମା ଦିଆଯିବ । ସୁଲେମାନର ଘରେ ଭୂତ ଉପଦ୍ରବ ରହି ଥିବାର ଅମୀର ଖାଁ ଆଗରୁ ଜାଣିଥିଲେ ମଧ୍ୟ ଝିଅକୁ ଯିବାକୁ ଅନୁମତି ଦେଲେ ।

ସଲମା ପ୍ରଥମ ଦିନ ସୁଲେମାନଙ୍କୁ ରାନ୍ଧିବାଢି ଖାଇବାକୁ ଦେବାବେଳେ ଅନ୍ୟ ଏକ ଥାଳୀରେ ମଧ୍ୟ ରନ୍ଧା ପଦାର୍ଥ ସବୁ ସଜାଇ ରଖି କହିଲା, “ମା’ ଆସନ୍ତୁ ଖାଇବେ । ମୁଁ ବହୁତ ଭଲ ଜିନିଷସବୁ ବନାଇଛି ।” ସଲମାର ଏଭଳି ମଧୁର ବ୍ୟବହାରରେ ପ୍ରେତଟି ବଡ ଖୁସି ହୋଇ ତା’ର ବଶରେ ରହିଲା ।

ଦିନେ ସୁଲେମାନ ସହରକୁ ଗଲା । ଏଥର ସଲମା ଘରେ ଏକେଲା ଥାଏ । ରାତିକୁ ସୁଲେମାନର ମା’କୁ ସଲମା ଦେଖି ପାରିଲା ହେଲେ ସେ ଆଦୌ ଡରିଲା ନାହିଁ । ପ୍ରେତ କହିଲା, “କିରେ ଝିଅ ମୋତେ ଦେଖି ତୋତେ ଡର ଲାଗୁନାହିଁ ।”

ସଲମା ସରଳ ଭାବରେ କହିଲା, “ଡର? ଡର ପୁଣି କ’ଣ? ମୁଁ ତ ମୋ ଜୀବନରେ କେବେବି ଡରିନାହିଁ । ପୁଣି ତୁମ ପରି ଭଲ ମା’ଙ୍କୁ ମୁଁ ଡରିବି କାହିଁକି?”

ଏକଥା ଶୁଣି ପ୍ରେତ ଅଳ୍ପ ହସି କହିଲା, “ତୋର ଏ ନିର୍ଭୀକ ଗୁଣ ଓ ତୋ ଚେହେରା ମୋର ବହୁତ ପସନ୍ଦ । ମୁଁ ଅନୁମାନ କରୁଛି ଓ ଆଶା ମଧ୍ୟ କରୁଛି, ତୋପରି ଜଣେ ନିର୍ଭୀକ ଝିଅ ଏହି ଘରର ମାଲିକାଣୀ ହେବା ଉଚିତ୍ । ସାଧାରଣ ଝିଅ ଏଠାରେ ରହିପାରିବେ ନାହିଁ । ମୁଁ ତ ତାକୁ ରଖାଇ ଦେବି ନାହିଁ । ତୁ ରହିଲେ ମୁଁ ବହୁତ ଖୁସି ହେବି ଓ ଏଠା ଛାଡି ନିଶ୍ଚିନ୍ତରେ ଜଙ୍ଗଲକୁ ଚାଲି ଯିବି । ମୋ ପୁଅ ପାଇଁ ତୋ ଉପରେ ମୁଁ ଖୁବ୍ ନିର୍ଭର କରୁଛି । କିନ୍ତୁ ଏ ଘରର ମାଲିକାଣୀ ହେବାକୁ ହେଲେ ଟିକିଏ ସବୁ କଥାରେ ହୁସିଆର ହେବାକୁ ହେବ । ମୁଁ ଜାଣେ ନାହିଁ, ତୁ କେତେଦୂର ହୁସିଆର ।”

ଏକଥା ଶୁଣି ସଲମା ଖାଲି ଅଳ୍ପ ହସି ଦେଲା । ତା’ପରେ ପ୍ରେତ କହିଲା, “ଏଘର ତଳେ ଏକ ଛୋଟ ଘର ଅଛି । ସେଥିରେ ବହୁତ ସୁନା ମୋହର ଅଛି । ତୁ ମୋ ସହିତ ସେଠାକୁ ଯାଇ ପାରିବୁ?” ସଲମା କହିଲା “ନିଶ୍ଚୟ ଯାଇ ପାରିବି ।”

ପ୍ରେତ ଆଗେ ଆଗେ ଚାଲିଥାଏ । ସଲମା ପଛେ ପଛେ ଚାଲିଥାଏ । ଗୋଟିଏ ନିର୍ଦ୍ଦିଷ୍ଟ ସ୍ଥାନରେ ପହଁଚି ପ୍ରେତ ତାକୁ କହିଲା “ପଥରଟି ଘୁଂଚାଇ ଦେ । ବହୁତ ମୋହର ଅଛି ।” ପଥରଟି ଘୁଂଚାଇ ସଲମା ସତରେ ଦେଖିଲା ଦୁଇଟି ଗରାରେ ମୋହର ଭର୍ତ୍ତି ।

ପ୍ରେତ କହିଲା, “ବଡ ଗରାଟି ମୋ ପୁଅର, ଛୋଟଟି ତୋର; ମୁଁ ଆଉ ଏଠାକୁ ଆସିବି ନାହିଁ । ମୋର ତୋ ଉପରେ ପୁରା ଭରସା ଅଛି ।” ତା’ପରେ ପ୍ରେତ ସେଠାରୁ ଚାଲିଗଲା । ପରଦିନ ସୁଲେମାନ ସହରରୁ ଲେଉଟି ଆସିବାପରେ ସଲମା ତାକୁ ସବୁ କଥା କହିଲା । ଶେଷରେ କହିଲା “ପ୍ରେତର କଥା ଅନୁସାରେ ବଡ ଗରାଟି ମୋର, ଛୋଟଟା ତୁମର ।”

ସୁଲେମାନ ବ୍ୟସ୍ତ ହୋଇ କହିଲା, “ଆଉ ବଡ ଛୋଟ କାହିଁକି? ମୁଁ ତୁମକୁ ବିବାହ କରିବି । ଦୁଇଟି ଗରା ଆମର ହୋଇ ରହିବ । ଏଥିରେ ତୁମର ମତ କ’ଣ?”

ସଲମା ଅଳ୍ପ ହସି କହିଲା, “ମୋ ବାପା ଉପରେ ମୋ ବାହାଘର ଦାଇତ୍ତ୍ଵ । ସେ ଯାହା କହିବ ତାହାହିଁ ହେବ । ତୁମ କଥାରେ ସେ ଖୁସିରେ ରାଜି ହେବ । ମୋତେ ତୁମେ ବିବାହ ନ କଲେ ଜୀବନସାରା ତ ବାହା ହୋଇ ପାରିବ ନାହିଁ ।” ତା’ପରେ ସେ ତା ବାପା ପାଖକୁ ଯାଇ ସବୁ ଘଟଣା କହିଲା । ଅମୀର ଖାଁ ଖୁସି ହୋଇ ଯାଇ ତାକୁ ସୁଲେମାନ ସହିତ ବିବାହ କରାଇ ଦେଲା । ସଲମା ନିଜର ନିର୍ଭୀକ ଭାବ ଯୋଗୁଁ ସବୁ କିଛି ପାଇଲା ।

Find Amazon’s best deals & get advantage of the more hidden discounts!

Find over 75% discounts

Discover hidden offers, sales & discounts when searching for products on Amazon.

Keyword/s (optional)

(eg Iphone 5s Gold or Ipad Mini 16GB)

Search Discount
ବିସ୍ଵାଶ କରିବା ଆଗରୁ ବିଜ୍ଞାପନ ଗୁଡିକର ସଠିକତାକୁ ତଦନ୍ତ କରନ୍ତୁ ।
loading...

ଗପ ସାରଣୀ

ବିସ୍ଵାଶ କରିବା ଆଗରୁ ବିଜ୍ଞାପନ ଗୁଡିକର ସଠିକତାକୁ ତଦନ୍ତ କରନ୍ତୁ ।

ସାଢି | ଲାପଟପ୍ | ଟେଲିଭିଜନ୍ | ଯୋତା | ମୋବାଇଲ୍ |ବହି

ପ୍ରଥମେ ଯେକୌଣସି ଜିନିଷ ସର୍ଚ୍ଚ କରନ୍ତୁ, ପରେ କ୍ୟାସ ଅନ ଡେଲିଭରିରେ ଅଡ଼ର୍ କରନ୍ତୁ, ମାନେ ଜିନିଷ ପାଇଲା ପରେ ହିଁ ପଇସା ଦିଅନ୍ତୁ

ତାଲିକାଭୁକ୍ତ ଗପ

ନୂଆ ତାଲିକାଭୁକ୍ତ ଗପ

loading...