ପ୍ରସାଦ

ଦକ୍ଷିଣ ଭାରତର ଏକ ଛୋଟ ଗ୍ରାମରେ ଜଣେ ଗରୀବ କୃଷକ ବାସ କରୁଥିଲା । ତା’ର ଉମା ବୋଲି ଆଠବର୍ଷର ଗୋଟିଏ ଝିଅ ଓ ଗୋପାଳ ବୋଲି ଖୁବ୍ ଛୋଟ ପୁଅଟିଏ ଥିଲା । କୃଷକଟିର ସ୍ତ୍ରୀ ମରିଯିବା ଉତାରୁ ଉମାହିଁ ଗୋପାଳ କଥା ବୁଝା ବୁଝି କରିବାର ଦାୟିତ୍ୱ ଗ୍ରହଣ କଲା । କେଇ ବର୍ଷପରେ ସେ କୃଷକଟି ମଧ୍ୟ ମରିଗଲା । ପିଲା ଦୁଇଟି ଏଥର ବାପ ମା’ ଛେଉଣ୍ଡ ହେଲେ ।

                ଉମା ତା’ ବୟସ ତୁଳନାରେ ବହୁତ ବୁଦ୍ଧିମତୀ ଥିଲା । ସେ ଗୋପାଳକୁ ଉଭୟ ବାପା ଓ ମାଆର ଯତ୍ନ ଓ ସ୍ନେହ ଦେଲା । ପୁଣି ଦୁହିଁଙ୍କ ସକାଶେ ତାକୁହିଁ ଖାଦ୍ୟ ସଂଗ୍ରହ କରିବାକୁ ପଡୁଥିଲା । ସେ ନିଜ ଜମି ହଳକରେ, ମଞ୍ଜି ବୁଣେ ଓ ଶସ୍ୟ ଅମଳକରେ । ପଡୋଶୀମାନେ ତାକୁ ଭାରି ଭଲ ପାଉଥିଲେ ଓ ସାହାଯ୍ୟ ବି କରୁଥିଲେ । ଫଳରେ ଜମିରେ ଯାହା କିଛି ବି ଉତ୍ପାଦନ ହେଉଥିଲା, ସେଥିରେ ଭାଇ ଭଉଣୀ ବେଶ୍ ଚଳି ଯାଉଥିଲେ ।

                ଏମିତି କେତେ ବର୍ଷ ବିତିଗଲା । ଗୋପାଳର ପାଠପଢା ଶେଷ ହେଲା । ଦିନେ ସେ ତା’ର ଭଉଣୀକୁ କହିଲା, “ମୋ କଥା ବୁଝାବୁଝି କରୁ କରୁ ତୁମର ଏତେଦିନ ଗଲା । ଏତେବେଳକୁ ତୁମେ ବିଭା ହୋଇ ତୁମ ନିଜର ଗୋଟିଏ ନୂଆ ପରିବାର କରିବା କଥା । କିନ୍ତୁ ତୁମ ବିବାହ ପାଇଁତ ଗୁଡିଏ ଟଙ୍କା ଦରକାର । ମୋର ତ କିଛି ନାହିଁ ପୁଣି ମୁଁ ଯୌତୁକ ବି ଦେଇ ପାରିବି ନାହିଁ । ଏବେ କ’ଣ କରାଯିବ?”

                ଉମାର କିନ୍ତୁ କୌଣସି ଚିନ୍ତା ନ ଥିଲା । କିଛିଦିନ ପରେ ଗାଁର ଜଣେ ତରୁଣ ଆସି ଉମାକୁ ବିବାହ କରିବ ବୋଲି ଗୋପାଳ ପାଖରେ ପ୍ରସ୍ତାବ ଦେଲା । ସେ କହିଲା ଯେ ତା’ର ଦାନ ଯୌତୁକ କିଛିବି ଦରକାର ନାହିଁ । ସେ ଉମାର ସାହସ ଓ ନିଃସ୍ୱାର୍ଥପରତାରେ ମୁଗ୍ଧ ହୋଇ ତାକୁ ବିଭା ହେବାକୁ ଚାହେଁ ।

                ଯଥା ସମୟରେ ଉମାର ବିବାହ ହୋଇଗଲା । ସ୍ୱାମୀଘରକୁ ଚାଲିଯିବା ପୂର୍ବରୁ ସେ ଗୋପାଳକୁ କହିଲା, “ତୋର ମଧ୍ୟ ଅତିଶୀଘ୍ର ବିବାହ ହେବ । ପ୍ରତିବର୍ଷ ଶ୍ରାବଣ ମାସର ପ୍ରଥମ ଗୁରୁବାର ଦିନ ଲକ୍ଷ୍ମୀପୂଜା କରିବା ଆମ ଘରର ପରମ୍ପରା । ତୋ ବୋହୁ ଯେପରି ନିଶ୍ଚୟ ସେ ପୂଜା କରିବ, ଏ ବିଷୟରେ ତୁ ମୋତେ ନିର୍ଭରଯୋଗ୍ୟ ପ୍ରତିଶୃତି ଦେ ।” ତା’ପରେ ଗୋପାଳ ବିନାଦ୍ୱିଧାରେ ତା’ ଭଉଣୀର ଏଇ ଛୋଟ କଥାଟି ରଖିବା ପାଇଁ ପ୍ରତିଶୃତି ଦେଲା ।

                କେତେବର୍ଷ ବିତିଗଲା । ଗୋପାଳ ତା’ ବିଲ ବାଡିରେ କଠୋର ପରିଶ୍ରମ କରି ପ୍ରଚୁର ଫସଲ ଉପୁଜାଉଥାଏ । କିଛିଦିନ ପରେ ସେ ସେହି ଗାଁର ଜଣେ ଧନୀ କୃଷକର ସୁନ୍ଦରୀ ଝିଅକୁ ବିଭାହେଲା । ସେ ଝିଅଟିର ନାମ କମଳା ।

                ଶ୍ରାବଣମାସ ଆସିଲା । ଗାଁଯାକ ଲକ୍ଷ୍ମୀପୂଜାର ଧୁମ୍ଧାମ୍ ଲାଗିଲା । ଏହି ପୂଜା ଉପଲକ୍ଷ୍ୟରେ ନୂଆ ବାହା ହୋଇଥିବା ଝିଅ ଓ ଭଉଣୀମାନଙ୍କୁ ବିଶେଷ ସମ୍ମାନ ସହକାରେ ଚର୍ଚ୍ଚା କରିବା ଏକ ବିଧି । ନବ ବିବାହିତା କନ୍ୟାମାନଙ୍କର ଆଶୀର୍ବାଦରେ ଘରର ସମୃଦ୍ଧି ହେବ ବୋଲି ବିଶ୍ୱାସ । ସେମାନଙ୍କ ଅଭିଶାପରେ ଘରର ସର୍ବନାଶ ହୋଇପାରେ । ଗୋପାଳ ତା’ ଭଉଣୀକୁ ଦେଇଥିବା ପ୍ରତିଶୃତି କଥା ମନେ ପକାଇଲା । ସେ ତା’ ସ୍ତ୍ରୀ କମଳାକୁ ସବୁକଥା କହିଲା । କମଳା ଆଡମ୍ବର ସହକାରେ ଲକ୍ଷ୍ମୀପୂଜା କରିବାକୁ ରାଜିହେଲା । ମାତ୍ର ଗୋଟିଏ ସର୍ତ୍ତରେ । ସେ କହିଲା, “ତୁମେ ତୁମ ଭଉଣୀକୁ ନିମନ୍ତ୍ରଣ କଲେ ଚଳିବ ନାହିଁ । ସେ ଗରୀବ ଘରର ବୋହୁ । ସେ ହୁଏତ ଛିଣ୍ଡାଲୁଗା ପିନ୍ଧି, ତା’ର ଅପରିଚ୍ଛନ୍ନ ପିଲାଗୁଡିଙ୍କୁ ଧରି ଏଠାରେ ପହଁଚିବ । ମୋ ବାପଘରୁ ଆସିଥିବା ବନ୍ଧୁବାନ୍ଧବଙ୍କ ଆଗରେ ଆମକୁ ବହୁତ ଲଜ୍ଜା ଲାଗିବ । ଆମର ଏଭଳି ଗରୀବ ବନ୍ଧୁ ଅଛନ୍ତି ବୋଲି ସେମାନେ ଜାଣିଲେ ହସିବେ ।”

                ତା’ର ଏ କଥାରେ ଗୋପାଳ ରାଜି ହେଲା । ଧନବତୀ, ସୁନ୍ଦରୀ ସ୍ତ୍ରୀ ମନରେ କଷ୍ଟଦେବାକୁ ସେ ଆଉ ଇଚ୍ଛା କଲାନାହିଁ ।

                ଶ୍ରାବଣର ପ୍ରଥମ ଗୁରୁବାରରେ ଗୋପାଳର ଘର ଲୋକାରଣ୍ୟ ହୋଇ ଉଠିଲା । ନାନା ପ୍ରକାର ଫୁଲ ଓ ଧୂପବତୀର ମହକରେ ସାରାଘର ଭରିଯାଇଥାଏ । ରୋଷେଇଶାଳରୁ ମଶଲା ବାସନା ଭାସିଆସୁଥାଏ । ବିଭିନ୍ନ ପ୍ରକାର ସୁସ୍ୱାଦୁ ଖାଦ୍ୟ ତିଆରି କରିବା ପାଇଁ ବିଶିଷ୍ଟ ରୋଷେଇଆମାନେ ନିଯୁକ୍ତ ହୋଇଥାନ୍ତି । ଅତିଥିମାନେ ପହଁଚିବା ମାତ୍ରେ ସେମାନଙ୍କୁ ପୁଷ୍ପମାଲ୍ୟ ଦିଆଯାଉଥାଏ, ତାଙ୍କ ଉପରେ ଗୋଲାପଜଳ ସିଂଚିଦିଆ ହେଉଥାଏ ଏବଂ ସେମାନଙ୍କୁ ଖିଲିପାନ ମଧ୍ୟ ଦିଆ ହେଉଥାଏ ।

                ଉତ୍ସବ ଖୁବ୍ ଜମି ଉଠିଥିବା ବେଳେହିଁ ଉମା ଆସି ସେଠାରେ ପହଁଚିଲା । କମଳାର ସୁନ୍ଦର ମୁହଁ ହଠାତ୍ ଶେତା ପଡିଗଲା । ସେ ସେତେବେଳେ ଗୋଟିଏ ବଡ ରୁପା ଥାଳିରେ ପ୍ରସାଦ ଧରି ସମସ୍ତଙ୍କୁ ବିତରଣ କରୁଥାଏ । ଉମା ଆସି ତାକୁ କୁଣ୍ଢେଇ ପକେଇ ନିଜପାଇଁ ପ୍ରସାଦ ଉଠେଇନେଲା ଓ କହିଲା, “କମଳା! ତୁମେ ତ ଆଜି ବଡ ସୁନ୍ଦର ଦେଖାଯାଉଛ । ମୋ ଭାଇଟି କାହିଁ? ସେ ଯେ ମୋତେ ଦେଇଥିବା ପ୍ରତିଶୃତି ରକ୍ଷା କରିଛି, ଏଥିରେ ମୁଁ ଅତ୍ୟନ୍ତ ଆନନ୍ଦିତ । ମୁଁ ଜାଣେ ତମେମାନେ କେତେ ବ୍ୟସ୍ତ ରହି ମୋତେ ଡାକିବାକୁ ଭୁଲିଯାଇଛ । ସେଥିରେ କିଛି ଯାଏ ଆସେ ନାହିଁ । ମୁଁ ତ ଆଉ କେହି ପର ନୁହେଁ! ମୋ ଭାଇ ଘରକୁ ଆସିବା ପାଇଁ ମୁଁ କ’ଣ ନିମନ୍ତ୍ରଣକୁ ଅନାଇ ବସନ୍ତି?”

                ଉମା ଖୁସିମନରେ ଏସବୁ କଥା ଗପିଯାଉଥାଏ । ସେତେବେଳକୁ ସାରା କୋଠରୀ ଭର୍ତ୍ତି ଲୋକେ ଯେ ଚୁପ୍ ଚାପ୍ ହୋଇ ଯାଇଥାନ୍ତି, ସେ କଥା ସେ ଲକ୍ଷ୍ୟ କରୁ ନ ଥାଏ । କମଳାର ଧନୀ ବନ୍ଧୁବାନ୍ଧବ ଉମାର ବେଶଭୂଷା ଦେଖି ଖାଲି ନାକ ଟେକୁଥାନ୍ତି । କମଳା ସେଠାରେ ନିଜକୁ ଅପମାନିତା ବୋଧ କରୁଥାଏ । ଗୋପାଳ ଲଜ୍ଜିତ ହୋଇ ପଡିଥାଏ ।

                ଲଗାଦାର୍ ସାତବର୍ଷ ଧରି ପ୍ରତିବର୍ଷ ଏହିପରି ହେଲା । କମଳା ପ୍ରତିବର୍ଷ ଆଡମ୍ବର ସହକାରେ ଲକ୍ଷ୍ମୀପୂଜା କରୁଥାଏ । ଶହ ଶହ ଅତିଥି ଆପ୍ୟାୟିତ ହେଉଥାନ୍ତି । ଉମାକୁ କେବେବି ନିମନ୍ତ୍ରଣ କରା ହେଉ ନଥାଏ । ସବୁଥର ତାଳିପକା ଶାଢୀ ପିନ୍ଧି ସେଠାରେ ସେ ପହଁଚି କଦଳୀ ପତ୍ରରେ ପ୍ରସାଦ ପାଇ ଖୁସିମନରେ ଗୋପାଳ ଓ କମଳା ସହିତ କିଛି ସମୟ କଥାବାର୍ତ୍ତା କରି ସେମାନଙ୍କୁ ଆଶୀର୍ବାଦ ଦେଇ ସେ ପୁଣି ଲେଉଟି ଯାଉଥିଲା । ଏହା ଉଭୟ କମଳା ଓ ଗୋପାଳଙ୍କୁ ବଡ ଅଡୁଆ ଲାଗୁଥାଏ ।

                ଉମାର ସ୍ୱାମୀ ତା’ର ପରିବାରର ଭରଣପୋଷଣ ନିମନ୍ତେ କଠୋର ପରିଶ୍ରମ କରୁଥାଏ । ସେମାନଙ୍କର ସାମାନ୍ୟ ସମ୍ବଳକୁ ନେଇ ଉମା କିନ୍ତୁ ପରିତୃପ୍ତ ରହିଥାଏ । ତା’ପରେ ତା’ ସ୍ୱାମୀର ବ୍ୟବସାୟରେ ଉନ୍ନତି ଦେଖାଗଲା । ଫଳରେ ତାଙ୍କ ଘରକୁ ଅଧିକରୁ ଅଧିକ ପଇସାପତ୍ର ଆସିଲା । ସେମାନେ କ୍ରମେ ଧନୀ ହୋଇ ଉଠିଲେ । ଏଣିକି ସେମାନେ ଏକ ବିରାଟ କୋଠାରେ ଯାଇ ବାସକଲେ । ଉମା ସବୁଠାରୁ ମୂଲ୍ୟବାନ ରେଶମ ଶାଢୀ ପିନ୍ଧିଲା । କେତେ ଚାକର ଚାକରାଣୀ ସେମାନଙ୍କ ପାଖରେ ଖଟିଲେ । ଏଣିକି ଚାରିଗୋଟି ସୁନ୍ଦର ଧଳା ଘୋଡା ଟାଣୁଥିବା ଗୋଟାଏ ସୁନ୍ଦର ଗାଡିରେ ଉମା ବସି ବୁଲେ ।

                ଗୋପାଳ ଓ କମଳା ଉମାର ଏହି ସୌଭାଗ୍ୟ କଥା ଶୁଣିଲେ । ଶ୍ରାବଣ ମାସ ପାଖେଇ ଆସିବାରୁ କମଳା ତା’ ସ୍ୱାମୀକୁ କହିଲା, “ଉମା ଘରକୁ ଯାଇ ତାଙ୍କୁ ଓ ତାଙ୍କ ସ୍ୱାମୀଙ୍କୁ ନିମନ୍ତ୍ରଣ କରିଆସ । ଖାଲି ହାତରେ ଯିବ ନାହିଁ । କିଛି ମିଠେଇ ଓ ନଡିଆ ନେଇଯାଅ । ଯେତେ ଯାହା ହେଲେବି ତ ସେ ତୁମର ବଡ ଭଉଣୀ ।”

                ଗୋପାଳ ଉମା ଘରକୁ ଯାଇ ବ୍ୟକ୍ତିଗତ ଭାବେ ତାକୁ ନିମନ୍ତ୍ରଣ ଜଣାଇଲା । ଉମା ତା’ ଭାଇକୁ ସ୍ନେହଭରେ ସଙ୍ଖୋଳି ନିଶ୍ଚୟ ଯିବବୋଲି ପ୍ରତିଶୃତି ଦେଲା ।

                ପୂଜାତିଥି ଆସି ଉପସ୍ଥିତ ହେଲା । ଅତିଥିମାନେ ପହଁଚିବାକୁ ଲାଗିଲେ । ମନ୍ତ୍ର ପଢାହେଲା । ପ୍ରାର୍ଥନା ବୋଲା ହେଲା । ଫୁଲ ଓ କର୍ପୁର ବାସନାରେ ଘର ଭରିଗଲା । ହଠାତ୍ ଘୋଡାଟାପୁ ଶବ୍ଦ ଶୁଭିଲା । ଲୋକେ ଅନାଇଲେ । ସୁନ୍ଦର ଗାଡିଟିଏ ଆସି ଫାଟକ ପାଖରେ ରହିଲା । କଚୁଆନ ପାଖରେ ବସିଥିବା ଜଣେ ଭୃତ୍ୟ ଓହ୍ଲାଇ ଆସି ଗାଡିର ଦ୍ୱାର ଖୋଲି ଧରିଲା । ଉଜ୍ଜଳ ସୁବର୍ଣ୍ଣ ରଙ୍ଗର ବନାରସୀ ଶାଢୀ ପିନ୍ଧି, ଦେହରେ ହୀରା ଅଳଙ୍କାର ଝଲସାଇ ଯେଉଁ ସ୍ତ୍ରୀଲୋକ ଗାଡିରୁ ବାହାରି ଆସିଲେ, କମଳା ତ ପ୍ରଥମେ ତାଙ୍କୁ ଚିହ୍ନି ପାରିଲା ନାହିଁ ।

                ସେତେବେଳେ ଉମା ତ ବାସ୍ତବିକ ଅତ୍ୟନ୍ତ ସୁନ୍ଦର ଦେଖାଯାଉଥିଲା । କମଳା ତାକୁ ଅଭିବାଦନ କରି ସମ୍ଭ୍ରମରେ ବାଟ ଛାଡି ଗୋଟିଏ କଡକୁ ଛିଡା ହେଲା । ଗୋପାଳ ଉମାକୁ ଗୋଟାଏ ସୁନ୍ଦର ଗଦିଲଗା ଚୌକିରେ ନେଇ ବସାଇଲା । କମଳା ରୁପା ଥାଳିଆରେ ନାନା ପ୍ରକାର ମିଠେଇ ଆଣି ପରଶିଲା । ଉମା କୋମଳ ଭାବରେ ଟିକିଏ ହସି ଗୋପାଳକୁ ଆଉ ଗୋଟାଏ ଗଦିଲଗା ଚୌକି ଆଣି ସେଠାରେ ଥୋଇବାକୁ କହିଲା ।

                ଗୋପାଳ ଦୌଡିଯାଇ ଆଉ ଗୋଟାଏ ଚୌକି ଆଣି ଥୋଇଲା । ଉମା ତା’ର ସୁନାର ଜରିଲଗା ଚଦରଟି ସେ ଚୌକି ଉପରେ ରଖିଲା । ସେ କମଳାକୁ ଇଙ୍ଗିତରେ ଡାକି ପଙ୍ଖାଟିଏ ନେଇ ଆସିବାକୁ ବରାଦ କଲା ।

କମଳା ଦୌଡିଯାଇ ପଙ୍ଖାଟିଏ ଆଣି ଉମା ପାଖରେ ଛିଡା ହୋଇ ଧୀରେ ଧୀରେ ବିଂଚିବାକୁ ଲାଗିଲା ।

ତା’ପରେ ଉମା ଗୋଟାଏ ପରେ ଗୋଟାଏ ଅଳଙ୍କାର ନିଜ ଦେହରୁ କାଢି ସେହି ଚୌକି ଉପରେ ରଖିଲା । ଗୋପାଳ ପଚାରିଲା, “ଭଉଣୀ! ଅଳଙ୍କାରଗୁଡିକ ବୋଧହୁଏ ଖୁବ୍ ଓଜନିଆ ହୋଇଛି ।”

ଉମା କିଛି କହିଲା ନାହିଁ । ସବୁ ଅଳଙ୍କାର ଦେହରୁ ବାହାର କରି ଯେତେବେଳେ ଚୌକିରେ ରଖିସାରିଲା, ସେତେବେଳେ ସେ ରୂପା ଥାଳିଆରୁ ଗୋଟାଏ ଗୋଟାଏ ମିଠେଇ ନେଇ ଗୋଟାଏ ଗୋଟାଏ ଅଳଙ୍କାର ଉପରେ ଥୋଇଲା । ଲୋକେ ବିସ୍ମୟରେ ଅନାଇ ରହିଲେ ।

ଗୋପାଳ ଆଶ୍ଚର୍ଯ୍ୟ ହୋଇ ପଚାରିଲା, “ଇଏ କ’ଣ କରୁଛ?”

ଉମା ହସିଲା । ତା’ପରେ ସେ କହିଲା, “ଯେଉଁମାନେ ପ୍ରକୃତ ଅତିଥି, ସେହିମାନଙ୍କୁ ମୁଁ ମିଠେଇତକ ଦେଉଛି । ଏଇ ବିବିଧ ମିଠେଇ ମୋ ପାଇଁ ବଢା ହୋଇନାହିଁ – ମୋର ମୂଲ୍ୟବାନ ପୋଷାକ ଓ ଅଳଙ୍କାରମାନଙ୍କ ପାଇଁ ଏହା ବଢା ହୋଇଛି । ଖଣ୍ଡିଏ କଦଳୀ ପତ୍ରରେ ଟିକିଏ ପ୍ରସାଦ ପାଇଲେ ହିଁ ମୋର ତୃପ୍ତି । ଆଜିଯାଏଁ ମୋତେ ଓ ମୋ ପିଲାପିଲିଙ୍କୁ ତାହାହିଁ ତ ମିଳିଛି ।”

ଏକଥା ଶୁଣି ସମସ୍ତେ ନୀରବରେ ବସି ରହିଲେ । କିଛି ସମୟ ପରେ ଅତିଥିମାନେ ଗୋପାଳ ଓ କମଳା ଆଡକୁ ଅନାଇ ଚୁପ୍ଚାପ୍ ନିଜ ନିଜ ମନ୍ତବ୍ୟମାନ ପ୍ରକାଶ କଲେ । ସେତେବେଳେ ଯଦି ପୃଥିବୀ ଦୁଇଖଣ୍ଡ ହୋଇ ସେମାନଙ୍କୁ ଭିତରକୁ ନେଇ ଯାଇଥାନ୍ତା, ତେବେ ବୋଧହୁଏ ଗୋପାଳ ଓ କମଳା ଆଶ୍ୱସ୍ତ ବୋଧ କରିଥାନ୍ତେ!

ତା’ପରେ ଉମା ଧୀର ଭାବରେ ସେମାନଙ୍କୁ କହିଲା, “ଧନ ଦୌଲତ ବେଶୀ କମ୍ ହେବା ସହିତ ସ୍ନେହ ଶ୍ରଦ୍ଧା ବେଶୀ କମ୍ ହେବା କଥା ନୁହେଁ । ମୁଁ ତାଳିପକା ଶାଢୀ ପିନ୍ଧି ଆସିଥାଏ ବା ସୁନ୍ଦର ରେଶମ ଶାଢୀ ପିନ୍ଧି ଆସିଥାଏ, ମୁଁ ସଦାବେଳେ ତୁମମାନଙ୍କୁ ସମାନ ଭାବରେ ଆଶୀର୍ବାଦ କରିବି । ତୁମ ଘରେ ସର୍ବଦା ସମୃଦ୍ଧି ଓ ସୁଖ ବିରାଜିତ ଥାଉ ।”

Find Amazon’s best deals & get advantage of the more hidden discounts!

Find over 75% discounts

Discover hidden offers, sales & discounts when searching for products on Amazon.

Keyword/s (optional)

(eg Iphone 5s Gold or Ipad Mini 16GB)

Search Discount
ବିସ୍ଵାଶ କରିବା ଆଗରୁ ବିଜ୍ଞାପନ ଗୁଡିକର ସଠିକତାକୁ ତଦନ୍ତ କରନ୍ତୁ ।
loading...

ଗପ ସାରଣୀ

ବିସ୍ଵାଶ କରିବା ଆଗରୁ ବିଜ୍ଞାପନ ଗୁଡିକର ସଠିକତାକୁ ତଦନ୍ତ କରନ୍ତୁ ।

ସାଢି | ଲାପଟପ୍ | ଟେଲିଭିଜନ୍ | ଯୋତା | ମୋବାଇଲ୍ |ବହି

ପ୍ରଥମେ ଯେକୌଣସି ଜିନିଷ ସର୍ଚ୍ଚ କରନ୍ତୁ, ପରେ କ୍ୟାସ ଅନ ଡେଲିଭରିରେ ଅଡ଼ର୍ କରନ୍ତୁ, ମାନେ ଜିନିଷ ପାଇଲା ପରେ ହିଁ ପଇସା ଦିଅନ୍ତୁ

ତାଲିକାଭୁକ୍ତ ଗପ

loading...