ବିଚିତ୍ର ବୀଣା

ସଙ୍ଗୀତପୁରୀରେ କେହି ଜଣେ ହେଲେବି ସଙ୍ଗୀତବିଦ୍ୱାନ ନଥିଲେ । କିନ୍ତୁ ବାଦ୍ୟଯନ୍ତ୍ରର ବଡ ଦୋକାନଟିଏ ଥାଏ । ସମସ୍ତ ପ୍ରକାର ବାଦ୍ୟ ସେଠାରେ ମିଳୁଥାଏ ।

                ରାମଚନ୍ଦ୍ର ହେଲେ ସେ ଦୋକାନର ମାଲିକ । ସେ ବୁଢା ହୋଇଯିବାରୁ ତାଙ୍କ ପୁଅ ମୁରଲୀ ଦୋକାନର ଦେଖାଶୁଣା କରୁଥାଏ । ଗ୍ରାମଟିର ଅନତିଦୂରରେ ଏକ ଜଙ୍ଗଲ ଓ ପାହାଡ ଥାଏ । ସେହି ଜଙ୍ଗଲରେ ନାନା ପ୍ରକାରର ଦ୍ରୁମ ସବୁ ଥାଏ । ବାଦ୍ୟଯନ୍ତ୍ର ସବୁ ବନାଇବାପାଇଁ ସେହି ଜଙ୍ଗଲରୁହିଁ କାଠ ସଂଗ୍ରହ କରାଯାଏ । ମାସକୁ ଥରେ ମୁରଲୀ କେତେକ ଶ୍ରମିକ ଓ ଗାଡି ନେଇ ଯାଏ । ଆବଶ୍ୟକୀୟ ଦ୍ରବ୍ୟସବୁ ପାଇଁ ଶ୍ରମିକମାନେ ଗଛ କାଟି କାଠ ସଂଗ୍ରହ କରନ୍ତି । ବାଦ୍ୟଯନ୍ତ୍ର ବନାଇବା ଯୋଗୁଁ ସେହି ଦୋକାନର ଖୁବ୍ ସୁଖ୍ୟାତି ଅଛି । ଆଖପାଖରେ ଥିବା ଗ୍ରାମର ଲୋକେ ମଧ୍ୟ ସେହିଠାରୁ ବାଦ୍ୟଯନ୍ତ୍ର କିଣନ୍ତି ।

ଥରେ ସେହି ରାଜ୍ୟର ରାଜକୁମାରୀ ଏକ ସାଗୁଆନ୍ କାଠର ବୀଣା ତିଆରି କରି ଆଣିବା ପାଇଁ ଜଣେ ଲୋକକୁ ସେହି ଦୋକାନକୁ ପଠାଇଲେ । ମୁରଲୀ ସବୁ ଶୁଣି କହିଲା, “ରାଜକୁମାରୀକୁ କହିଦିଅ ଏବେ ଦୋକାନରେ ସେପରି ବୀଣା ନାହିଁ । ଅଳ୍ପ ଦିନ ମଧ୍ୟରେ ବୀଣାଟିଏ ତିଆରି କରି ମୁଁ ନିଜେ ଯାଇ ଦେଇ ଆସିବି ।”

ପରଦିନ ସକାଳୁ ଉଠି ବୀଣା ପାଇଁ ଆବଶ୍ୟକୀୟ କାଠ ସଂଗ୍ରହ କରିବା ପାଇଁ ଜଣେ ଶ୍ରମିକକୁ ଧରି ମୁରଲୀ ବଣକୁ ଗଲା । ସେ ବହୁତ ଖୋଜିଲେ ମଧ୍ୟ ଭଲ ସାଗୁଆନ୍ ଗଛ ତାକୁ କେଉଁଠି ହେଲେବି ମିଳିଲା ନାହିଁ । ଦ୍ୱିପ୍ରହର ହେବାରୁ ସେମାନେ ଭୋଜନ କରି ଟିକିଏ ବିଶ୍ରାମ କଲେ । ତା’ପରେ ପୁଣି ସେମାନେ ଗଛ ଖୋଜିବାକୁ ଲାଗିଲେ । ଅବଶେଷରେ ଛୋଟ ଝରଣା କୂଳରେ ସେମାନେ ଏକ ସାଗୁଆନ୍ ଗଛ ଦେଖିବାକୁ ପାଇଲେ । ମୁରଲୀ ଦେଖିଲା ଗଛର ଡାଳପତ୍ର ଖୁବ୍ ଘଂଚ ଭାବରେ ବଢିଛି । ଶ୍ରମିକଟି କୁରାଢୀ ଉଠାଇ ଗଛ କାଟିବାକୁ ଆରମ୍ଭ କରିବା ମାତ୍ରେ ସେଥିରୁ ଏକ ଧ୍ୱନି ବାହାରିଲା ।

“ପୁଅ, ଟିକିଏ ରହିଯାଅ । ମୋର ବାସସ୍ଥାନ ନଷ୍ଟ କରନାହିଁ ।” ତାହା ଏକ ସ୍ତ୍ରୀକଣ୍ଠର ଧ୍ୱନି ଥିଲା । ସଙ୍ଗେସଙ୍ଗେ ଜଣେ ଯକ୍ଷିଣୀ ସେହି ବୃକ୍ଷ ମଧ୍ୟରୁ ପ୍ରକଟ ହେଲେ ।

ମୁରଲୀ ଓ ଶ୍ରମିକ ତାଙ୍କୁ ଦେଖି ଭୟରେ ଖାଲି ଥରିଲେ । ତା’ପରେ ସେ ଯକ୍ଷିଣୀ କହିଲେ, “ଏ ବୃକ୍ଷ ହେଉଛି ମୋର ବାସସ୍ଥାନ, ବହୁବର୍ଷ ଧରି ମୁଁ ଏଠାରେ ରହି ଆନନ୍ଦରେ କାଳାତିପାତ କରୁଛି । ତମେମାନେ ଏହି ବୃକ୍ଷଟି କାଟିବାର କାରଣ କ’ଣ?

ମୁରଲୀ ଦେଖିଲା, ଯକ୍ଷିଣୀ ଶାନ୍ତଭାବରେ କଥା କହୁଛନ୍ତି । ତେଣୁ ସେ ନିଜ ମନରେ ସାହସ ବାନ୍ଧି କହିଲା, “ଏହି ଦେଶର ରାଜକୁମାରୀଙ୍କ ସକାଶେ ବୀଣାଟିଏ ତିଆରି କରିଦେବା ପାଇଁ ମୁଁ କଥା ଦେଇଛି । ସାରା ଜଙ୍ଗଲ ବୁଲି ବୁଲି ଭଲ ଗଛ ନପାଇବାରୁ ଆମେ ଶେଷରେ ବାଧ୍ୟ ହୋଇ ଏହି ଗଛକୁ କାଟିବାକୁ ଆସିଲୁ । ମୋତେ ଏକ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ବୀଣାଟିଏ ତିଆରି କରିଦେବାକୁ ହେବ ।”

ମୁରଲୀର କଥା ଶୁଣି ସେ ଟିକିଏ ଗମ୍ଭୀର ହୋଇ କହିଲେ, “ମାତ୍ର ଗୋଟିଏ ବୀଣା ପାଇଁ ତମକୁ ମୋରି ଗଛଟି କାଟିବାକୁ ମିଳିଲା?” ଏତିକି କହି ସେ ଶୁନ୍ୟରେ ହାତ ପାତି ଦେବା ମାତ୍ରେ, ତାଙ୍କ ହାତକୁ ଏକ ଅଦ୍ଭୁତ ବୀଣା ଆସିଲା । ସେଥିରେ ସବୁ ସୁନାର ପାତିଆ ଲାଗିଛି । ମଣିମୁକ୍ତା ମଧ୍ୟ ଖଞ୍ଜା ହୋଇଛି । ମୁରଲୀ ସେହି ବୀଣାଟିକୁ ଦେଖି ବଡ ଆଶ୍ଚର୍ଯ୍ୟ ହେଲା । ଯକ୍ଷିଣୀ କହିଲେ, “ଏହା ଏକ ମହାନ୍ ବୀଣା । ସଙ୍ଗୀତର ସାରେଗାମା ନ ଜାଣିଥିବା ଲୋକ ମଧ୍ୟ ଏହା ବଜାଇ ପାରିବ । ଏହି ବୀଣାର ନିକଟରେ ବସି ସରସ୍ୱତୀଙ୍କୁ ଧ୍ୟାନ କରି ଯେଉଁ ରାଗ ଚାହିଁବ ଏଥିରେ ତାହା ବଜାଇ ପାରିବ । ଖାଲି ବୀଣାର ତାର ଉପରେ ହାତ ରଖିଲେହିଁ ସେ ବାଜିବ । କିନ୍ତୁ ମାତ୍ର ଦୁଇଟି ରାଗ ଟିକିଏ ଭାବିଚିନ୍ତି ବଜାଇବା କଥା । ଯଦି ମୋହନରାଗ ବଜାଇବ, ତେବେ ଯେଉଁ ସ୍ତ୍ରୀକୁ ସ୍ମରଣ କରିବ ସେ ତୁମପ୍ରତି ଅନୁରାଗ ଦେଖାଇବ । ବରୁଣରାଗ ବଜାଇଲେ ଖୁବ୍ ବର୍ଷା ହେବ । ଗୋଟିଏ କଥା ମନେରଖ ଏହି ବୃକ୍ଷଟି ଜୀବିତ ରହିବା ପର୍ଯ୍ୟନ୍ତ ମୁଁ ଏଠାରେ ରହିଥିବି ଓ ଏହା ବଦଳରେ ଅନ୍ୟ ରାଗ ବଜାଇଲେ କିଛିବି ଅସାଧାରଣ ଘଟଣା ଘଟିପାରେ ।” ତା’ପରେ ସେ ସେହି ବୀଣା ମୁରଲୀକୁ ଦେଇ ଅଦୃଶ୍ୟ ହୋଇଗଲେ । ମୁରଲୀ କେବେ ମଧ୍ୟ ଏହା କଳ୍ପନା କରି ନଥିଲା କି ଏପରି ଏକ ମହାନ୍ ଅଦ୍ଭୁତ ବୀଣା ସେ ଏତେ ସହଜରେ ପାଇଯିବ ବୋଲି । ସେ ଭାବିଲା ଏହି ବୀଣା ସାହାଯ୍ୟରେ ମୁଁ ରାଜକୁମାରୀ ଚାରୁଲତାଙ୍କୁ ମଧ୍ୟ ବିବାହ କରିପାରିବି । ନିଜ କଳ୍ପନାରେ ସେ ବିଭୋର୍ ହୋଇଗଲା । ସେତେବେଳେ ଶ୍ରମିକ କହିଲା, “ଆଜ୍ଞା, ସୂର୍ଯ୍ୟ ଅସ୍ତ ହେବାକୁ ଗଲେଣି ଘରକୁ ଫେରିବା ନାହିଁ କି?”

ମୁରଲୀ କଳ୍ପନାଲୋକରୁ ଫେରି ଆସି କହିଲା, “ହଁ ଏବେ ତ ଫେରିବା, କିନ୍ତୁ ସାବଧାନ ଏହି ବୀଣା ବିଷୟରେ ତମେ ଯେପରି କାହାକୁ କିଛି ନକୁହ ।” ଶ୍ରମିକଟି ହଁ କଲା ସିନା, ଘରେ ପହଁଚିବା ମାତ୍ରେ ତା’ ସ୍ତ୍ରୀକୁ ସେ ସବୁକଥା କହିଦେଲା ଓ ତାକୁ ସାବଧାନ କରି କହିଲା ଯେ ସେ ଯେପରି ଏକଥା ଆଉ କାହାରିକୁ ମଧ୍ୟ ନକହେ । ସ୍ତ୍ରୀ ତା’କଥା ମାନିନେଲା ସିନା ତାକୁ ତ ରାତିରେ ନିଦ ନହୁଏ । ସକାଳୁ ସକାଳୁ କୁଅକୁ ପାଣି ଆଣିବାକୁ ଯାଇ ସେଠାରେ ସମସ୍ତିଙ୍କୁ ସେ ସେହିକଥା କହିଲା । କଥାଟା ଚାରିଆଡେ ପ୍ରଘଟ ହୋଇଗଲା ମୁରଲୀ ନିଦରୁ ଉଠି ସକାଳୁ ଦେଖିଲା ତା’ଘର ଚାରିପଟରେ ଭିଡ, ମନେହେଲା ଯେମିତି କିଛି ଉତ୍ସବ ହେଉଛି । ମୁରଲୀ ଘଟଣାଟା ବୁଝିଗଲା । ଏକତ୍ରିତ ଜନତା ତାକୁ ଅନୁରୋଧ କଲେ ଯେ ଥରେ ହେଲେ ବୀଣାଟି ସେ ବଜାଉ । ତେବେ ସେମାନେ ଶୁଣି ସନ୍ତୁଷ୍ଟ ହୋଇ ଚାଲିଯିବେ । ଭିଡ ଭିତରେ ଥିବା ଜଣେ ଯୁବକ ଏସବୁ ଆଦୌ ବିଶ୍ୱାସ କରୁନଥିଲା । ସେ ରାଗିଯାଇ କହିଲା, “ଆଉ କାହିଁକି ବିଳମ୍ବ? ବୀଣାଟିର ମହିମା ଦେଖାଅ ଓ ରାଜକୁମାରୀଙ୍କୁ ବିବାହ କରିନିଅ । ରାଜାଙ୍କର ତ ପୁଅ ନାହିଁ । ତାଙ୍କ ପରେ ତମେ ଏ ଦେଶର ରାଜା ବି ହୋଇପାରିବ ।”

ଏସବୁ କଥା ମୁରଲୀକୁ ଭାରି ଖରାପ ଲାଗିଲା । ସେ କହିଲା “ତୁମେ ଏତେ କଥା କହିଯାଉଛ କାହିଁକି ବୀଣାଟି ତ ମୁଁ ଏପର୍ଯ୍ୟନ୍ତ ବଜାଇ ନାହିଁ । ଚେଷ୍ଟା କରି ଦେଖିବି । ଏତେ ଲୋକଙ୍କ ଅନୁରୋଧ ମୁଁ ଏଡାଇ ପାରିବି ନାହିଁ ବୋଲି ବୀଣାଟି ବଜାଇବାକୁ ଚେଷ୍ଟା କରିବି । ଫଳ କ’ଣ ହେବ ମୁଁ ତାହା ଜାଣେନାହିଁ ।” ତା’ପରେ ସେହି ବୀଣାର ମହିମା ଦେଖାଇବାକୁ ସେ ଘର ଭିତରକୁ ଯାଇ ବୀଣାଟି ଆଣିଲା । ଅଳ୍ପସମୟ ସେଠାରେ ବସି ଦେବୀ ସରସ୍ୱତୀଙ୍କୁ ସେ ଧ୍ୟାନ କଲା । ତା’ପରେ ମୋହନ ମନେ ମନେ ରାଗ କଥା ଚିନ୍ତା କଲା ଓ ତାଙ୍କୁ ସ୍ମରଣ କଲା । ତା’ପରେ ସେ ବୀଣାର ତାର ଉପରେ ଅଙ୍ଗୁଳି ଚାଳନା କଲା । ଅତି ସୁନ୍ଦର ଧ୍ୱନି ଶୁଣି ଜନତା ଅତ୍ୟନ୍ତ ମୁଗ୍ଧ ହୋଇଗଲେ । ହଠାତ୍ ବାତାବରଣରେ ପରିବର୍ତ୍ତନ ହେଲା । ଆକାଶରେ ମେଘ ଉଠିଲା । ମୁରଲୀ ନିଜେ ଓ ଲୋକମାନେ ଆଶ୍ଚର୍ଯ୍ୟ ହେଲେ । ସେ ବୁଝିପାରିଲା ତା’ର ଭୁଲ୍ ହୋଇ ଯାଇଛି । ସେ ମୋହନ ରାଗ ବଦଳରେ ବରୁଣରାଗ ସ୍ମରଣ କରିଛି । ତେଣୁ ବର୍ଷା ହେଲା । ସମସ୍ତେ କହି ଉଠିଲେ “ଏ ଭୟଙ୍କର ଗ୍ରୀଷ୍ମକାଳରେ ବର୍ଷା କୁଆଡୁ ଆସିଲା?” ତା’ପରେ ବର୍ଷାରେ ଓଦା ହୋଇ ସେମାନେ ସେ ସ୍ଥାନ ଛାଡି ପଳାଇଲେ । ଆକାଶରେ ବିଜୁଳି ଚମକୁଥାଏ, ଘଡଘଡି ମାରୁଥାଏ । ମୁରଲୀ ନିଜର ତୃଟି ପାଇଁ ବହୁତ ଅନୁତାପ କଲା । ଏସବୁ କ୍ଷେତ୍ରରେ ଖାଲି ଅନୁତାପ ତ ଯଥେଷ୍ଟ ନୁହେଁ । ସମ୍ପୂର୍ଣ୍ଣ ନୂଆ ଜିନିଷ ନିଜେ ଚେଷ୍ଟା ନକରି, ଲୋକଙ୍କ ସମ୍ମୁଖରେ ସେଥିରେ ହାତ ଦେବା ଉଚିତ୍ ନଥିଲା । ସେ ବୀଣା ଉପରେ ହାତରଖି ବସିଥାଏ । ମନେହେଲା ତା’ହାତକୁ କିଛି କୋମଳ ଲାଗୁଛି । ସେ ଚମକି ପଡି ଦେଖିଲା ଯେ ବୀଣା ସ୍ଥାନରେ ଏକ ବିରାଟ ସାପ ଶୋଇଛି, ଏହା ଦେଖି ମୁରଲୀ ହଠାତ୍ ଚିତ୍କାର କରି ଠିଆ ହୋଇ ପଡିଲା । ସାପଟି ସେଠାରୁ ତଳକୁ ଯାଇ ନିଜର ଫଣା ଟେକି ଆକାଶରେ ଉଡି କୁଆଡେ ଅଦୃଶ୍ୟ ହୋଇଗଲା ।

ଚିତ୍କାର ଶୁଣି ଘରଭିତରୁ ବୁଢା ରାମଚନ୍ଦ୍ର ବାହାରକୁ ଆସି ପୁଅଠାରୁ ସବୁ କଥା ଶୁଣିବା ପରେ କହିଲା, “ପୁଅ, ତୋର ବ୍ୟବହାର ଆମ ବୃତ୍ତିର ବିରୁଦ୍ଧ । ତେଣୁ ନିଜ ଅନୁଭୂତିରୁ ଶିକ୍ଷା ପାଇବା ପରେ ବ୍ୟର୍ଥ ଦୂରାଶା ଛାଡି ବ୍ୟବସାୟରେ ମନୋନିବେଶ କର । ନହେଲେ ଲୋକମାନେ ତୋର ଏ ଅବସ୍ଥା ଦେଖି ହସିବେ । ଆଜି ପୁଣି ଥରେ ବଣକୁ ଯାଇ କାଠ କାଟିଆଣ ଓ ରାଜକୁମାରୀଙ୍କ ପାଇଁ ବୀଣା ତିଆରି କର ।”

ମୁରଲୀ ଚୁପ୍ ଚାପ୍ ଜଙ୍ଗଲ ଭିତରକୁ ପୁଣି କାଠ କାଟିବାକୁ ଗଲା । ପୂର୍ବସ୍ଥାନରେ ପହଁଚି ଦେଖିଲା ଯକ୍ଷିଣୀଙ୍କ ନିବାସସ୍ଥଳୀ ଗଛଟି ଉପରେ ବଜ୍ରପଡି ତାହା ଜଳି ଯାଇଛି । ସେ ଅନ୍ୟ ଏକ ଗଛ କଟାଇ କାଠ ଆଣି ଘରକୁ ଫେରିଲା । କିଛିଦିନ ମଧ୍ୟରେ ସୁନ୍ଦର ବୀଣାଟିଏ ବନାଇ ରାଜକୁମାରୀଙ୍କୁ ତାହା ସେ ଭେଟି ଦେଲା ।

Find Amazon’s best deals & get advantage of the more hidden discounts!

Find over 75% discounts

Discover hidden offers, sales & discounts when searching for products on Amazon.

Keyword/s (optional)

(eg Iphone 5s Gold or Ipad Mini 16GB)

Search Discount

ସାଢି | ଲାପଟପ୍ | ଟେଲିଭିଜନ୍ | ଯୋତା | ମୋବାଇଲ୍ |ବହି

ପ୍ରଥମେ ଯେକୌଣସି ଜିନିଷ ସର୍ଚ୍ଚ କରନ୍ତୁ, ପରେ କ୍ୟାସ ଅନ ଡେଲିଭରିରେ ଅଡ଼ର୍ କରନ୍ତୁ, ମାନେ ଜିନିଷ ପାଇଲା ପରେ ହିଁ ପଇସା ଦିଅନ୍ତୁ

ଗପ ସାରଣୀ

ନୂଆ ତାଲିକାଭୁକ୍ତ ଗପ