ବିଷ୍ଣୁ ପୁରାଣ

ଶ୍ରୀକୃଷ୍ଣ ଅର୍ଜୁନଙ୍କ ରଥକୁ ନେଇ ଦୁଇସେନା ମଝିରେ ରଖିଲେ । ଦୁଇପକ୍ଷର ସୈନ୍ୟଙ୍କୁ ଦେଖି ଅର୍ଜୁନଙ୍କ ମନ ବିଷାଦରେ ପୂର୍ଣ୍ଣ ହେଲା । ଶତୃପକ୍ଷରେ ଯେଉଁମାନେ ଯୁଦ୍ଧ ପାଇଁ ପ୍ରସ୍ତୁତ ହୋଇ ରହିଥିଲେ ସେମାନଙ୍କ ମଧ୍ୟରେ ତାଙ୍କର ଗୁରୁଜନ, ବନ୍ଧୁଜନ, ଭାଇମାନେ ଓ ଅନ୍ୟାନ୍ୟ ଆତ୍ମୀୟମାନେ ବି ଥିଲେ । ଅର୍ଜୁନଙ୍କ ହସ୍ତ ଶିଥିଳ ହୋଇ ସେଥିରୁ ଧନୁ ଖସି ପଡିଲା ଓ ସେ ଅତ୍ୟନ୍ତ ଦୁଃଖରେ ଭାଙ୍ଗି ପଡି କହିଲେ, “ଏମାନଙ୍କୁ ମାରି ଯେଉଁ ରାଜ୍ୟ ଲାଭ ହେବ ସେଥିରେ ଆମର କୌଣସି ପ୍ରୟୋଜନ ନାହିଁ । ଯେଉଁମାନେ ଆମର ବନ୍ଧୁ, ଆତ୍ମୀୟ ଓ ସୁହୃଦ ସେମାନଙ୍କୁ ସାମାନ୍ୟ ରାଜ୍ୟ ପାଇଁ ହତ୍ୟା କରି ନରକଗାମୀ ହେବାକୁ ମୁଁ ଚାହେଁନାହିଁ । ମୁଁ ଏ ଯୁଦ୍ଧ କରିବି ନାହିଁ ।” ଏତିକି କହି ଅର୍ଜୁନ ତୀବ୍ର ବିଷାଦ ଭାବରେ ଅସ୍ତ୍ର ତ୍ୟାଗ ପୂର୍ବକ ସେଇଠାରେ ହିଁ ବସି ପଡିଲେ ।

                ଶ୍ରୀକୃଷ୍ଣ ଅର୍ଜୁନଙ୍କର ଏପରି ଅବସ୍ଥା ଦେଖି ତାଙ୍କୁ ସେ କହିଲେ, “ହେ ଅର୍ଜୁନ, ଯୁଦ୍ଧ କ୍ଷେତ୍ରରେ ଅସ୍ତ୍ର ଶସ୍ତ୍ର ତ୍ୟାଗ କରି ଏପରି ହତାଶ ହୋଇ ବସି ରହିବା କୌଣସି ବିବେକବାନ୍ କ୍ଷତ୍ରିୟର କାର୍ଯ୍ୟ ନୁହେଁ; କେବଳ ଭୀରୁ ଓ କାପୁରୁଷମାନେହିଁ ଏପରି କରନ୍ତି । ଦେଶ ଓ କାଳ ଅନୁସାରେ ନିଜର କର୍ତ୍ତବ୍ୟ ପାଳନ କରିବାହିଁ ସବୁଠାରୁ ବଡ ଧର୍ମ । ପ୍ରକୃତରେ ପରମେଶ୍ୱରହିଁ ଏକମାତ୍ର କର୍ତ୍ତା । ଅନ୍ୟାୟ ଓ ଅଧର୍ମକୁ ସମୂଳେ ବିନାଶ କରି ଧର୍ମ ସ୍ଥାପନ କରିବା ହେଲା ତାଙ୍କର କାର୍ଯ୍ୟ । ମନୁଷ୍ୟ ତ କେବଳ ନିମିତ ମାତ୍ର । ଯୁଗ ଯୁଗ ଧରି ଏଇ ଧର୍ମ ସଂସ୍ଥାପନ ପାଇଁ ତମେ ଓ ମୁଁ ନରନାରାୟଣ ରୂପେ ଅବତୀର୍ଣ୍ଣ ହୋଇ ଆସୁଛେ । ବୋଧହୁଏ ତମର ଏସବୁ କିଛି ସ୍ମରଣ ନାହିଁ, ମାତ୍ର ମୋର ସ୍ମରଣ ଅଛି । ତମେ ନିଜର କର୍ତ୍ତବ୍ୟ କର ଓ ଭଗବାନଙ୍କ ଯନ୍ତ୍ର ଭାବରେ ମୋର ଉପଦେଶ ଶ୍ରବଣ କରି ସେହି ଅନୁସାରେ କାର୍ଯ୍ୟ କର । ଏବେ ଉପସ୍ଥିତ କ୍ଷେତ୍ରରେ ତମେ ପୁନଶ୍ଚ ଅସ୍ତ୍ର ଧାରଣ କରି କ୍ଷତ୍ରିୟୋଚିତ କର୍ତ୍ତବ୍ୟ ସ୍ମରଣ କରି ଯୁଦ୍ଧରେ ପ୍ରବୃତ ହୁଅ ।”

                ଶ୍ରୀକୃଷ୍ଣ ଏତେ କହିବା ପରେ ମଧ୍ୟ ଅର୍ଜୁନଙ୍କ ମନରେ ଆହୁରି ବି କିଛି ସନ୍ଦେହ ଥିଲା । ଅର୍ଜୁନଙ୍କୁ ସମ୍ପୂର୍ଣ୍ଣ ଜ୍ଞାନ ଦେବା ପାଇଁ ଶ୍ରୀକୃଷ୍ଣ ତାଙ୍କ ସମକ୍ଷରେ ନିଜର ବିଶ୍ୱରୂପ ପ୍ରକଟ କଲେ । ତହିଁରେ ଅର୍ଜୁନ ଦେଖିଲେ ବିଶ୍ୱବ୍ରହ୍ମାଣ୍ଡ, ଛତିଶକୋଟି ଦେବତା, ସୃଷ୍ଟି, ସ୍ଥିତି, ପ୍ରଳୟ । ସେଥିରେ ସେ ଶ୍ରୀକୃଷ୍ଣଙ୍କୁ ମହାକାଳ ରୂପେ ଦେଖିଲେ – ଯେଉଁଥିରେ କି ସବୁ କିଛି ଅବଶେଷରେ ବିଲୟ ହୋଇ ଯାଉଛି ।

                ଶ୍ରୀକୃଷ୍ଣଙ୍କର ବିଶ୍ୱରୂପ ଦେଖି ଅର୍ଜୁନ ଅବତାରଙ୍କ କାର୍ଯ୍ୟର ଗୁରୁତ୍ୱ ଉପଲବ୍ଧ କଲେ । ତା’ପରେ ସେ ଦୃଢ ଭାବରେ କେବଳ ଗୋଟିଏ କଥା ସ୍ମରଣ ରଖିଲେ ଯେ “ଶ୍ରୀକୃଷ୍ଣହିଁ ଜଗତର ପ୍ରଭୁ, ସେ ଯାହା କହିବେ ମୁଁ କେବଳ ତାହାହିଁ କରିବି, ମୁଁ ତ ତାଙ୍କରି ହାତରେ ଯନ୍ତ୍ରଟିଏ ମାତ୍ର ।”

                ସେ ହୃଦୟଙ୍ଗମ କଲେ ଯେ କ’ଣ ଠିକ୍ କ’ଣ ଭୁଲ୍ ଏସବୁ ନିର୍ଣ୍ଣୟ କରିବା ମଣିଷର ମନ ପକ୍ଷରେ ଯମା ସହଜ ନୁହେଁ । ପୃଥିବୀରେ ନାନା ପ୍ରକାର ନୀତି ନିୟମ ରହିଛି । ଗୋଟାଏ ନୀତି ପାଳନ କରିବାକୁ ଯାଇ ଜଣେ ଅନ୍ୟ ଏକ ନୀତି ଲଙ୍ଘନ କରିବା କିଛିବି ଅସମ୍ଭବ ନୁହେଁ । କିନ୍ତୁ ଭଗବାନ ସ୍ୱୟଂ ହେଲେ ସବୁ ନୀତି ଓ ସବୁ ଧର୍ମର ଉଦ୍ଧ୍ୱର୍ରେ ଥିବା ଏକମାତ୍ର ସତ୍ୟ । ତାଙ୍କ ପ୍ରେରଣାରେ କାର୍ଯ୍ୟ କରିବାର ସୁଯୋଗଠୁଁ ବଳି ସୌଭାଗ୍ୟ ଆଉ କ’ଣ ବା ଥାଇପାରେ? ଶ୍ରୀକୃଷ୍ଣଙ୍କୁ ସଖା ତଥା ଦିଗ୍ଦର୍ଶକ ରୂପେ ପାଇଥିବାରୁ ଅର୍ଜୁନ ନିଜକୁ ଧନ୍ୟ ମନେ କଲେ ଓ ତାଙ୍କୁ ପ୍ରଣାମ କଲେ ।

                ଏଇ ଭାବ ମନ ଭିତରେ ଉଦୟ ହେବା ମାତ୍ରେ ଅର୍ଜୁନଙ୍କ ମନରେ ଯଥେଷ୍ଟ ବଳ ଆସିଲା ଓ ସେ ତତ୍କ୍ଷଣାତ୍ ନିଜର ପରିତ୍ୟକ୍ତ ଧନୁ ଓ ଅସ୍ତ୍ରଶସ୍ତ୍ର ଧାରଣ ପୂର୍ବକ ଯୁଦ୍ଧ ପାଇଁ ପ୍ରସ୍ତୁତ ହୋଇ ରହିଲେ । ଏହି ସୁଯୋଗରେ ଶ୍ରୀକୃଷ୍ଣ ଯୁଦ୍ଧାରମ୍ଭର ସୂଚନା ଦେବାକୁ ଯାଇ ନିଜର ପଂଚଜନ୍ୟ ଶଙ୍ଖ ବଜାଇଲେ । ତା’ପରେ ପରେ ଦୁଇ ପକ୍ଷରୁ ଶତ ଶତ ଶଙ୍ଖ ବାଜି ଉଠିଲା ଓ ଯୁଦ୍ଧ ଆରମ୍ଭ ହେଲା ।

                ଦିନ ପରେ ଦିନ ଏଇପରି ଅଠର ଦିନ ଯୁଦ୍ଧ ଲାଗି ରହିଲା । ମାତ୍ର ଅବଶେଷରେ ଶ୍ରୀକୃଷ୍ଣଙ୍କ ସହାୟତାରେ ପାଣ୍ଡବଦଳ ବିଜୟ ଲାଭ କଲେ ।

                ଶାନ୍ତିଦୂତ ରୂପରେ ଶ୍ରୀକୃଷ୍ଣଙ୍କ ଭବିଷ୍ୟତବାଣୀର ସତ୍ୟତା ପ୍ରମାଣିତ ହେଲା । ଭୀମ ନିଜର ପ୍ରତିଜ୍ଞା ପାଳନ କରିବାକୁ ଯାଇ ଦୁଃଶାସନର ରକ୍ତରେ ଦ୍ରୌପଦୀଙ୍କର ବେଣୀବନ୍ଧନ କଲେ । ଅଭିମନ୍ୟୁ ଯୁଦ୍ଧରେ ବୀରଗତିକୁ ପ୍ରାପ୍ତ ହେଲେ । କର୍ଣ୍ଣ ମଧ୍ୟ ନିଜର ସ୍ୱରୂପ ପ୍ରାପ୍ତ ହୋଇ ଶିବଙ୍କ ସହ ଲୀନ ହୋଇଗଲେ । ପୃଥିବୀମାତାଙ୍କୁ ବିଷ୍ଣୁ ଦେଇଥିବା କଥା ଅନୁସାରେ ପାପଭାର ଲାଘବ ହେଲା ।

                ଯୁଦ୍ଧ ପରେ ଦୁର୍ଯ୍ୟୋଧନର ମୃତ୍ୟୁ ଯୋଗୁଁ ଧୃତରାଷ୍ଟ୍ରଙ୍କ ହୃଦୟ ଦୁଃଖ ଓ ରାଗରେ ଜର୍ଜରିତ ହେଲା । ପ୍ରତିଶୋଧ ପରାୟଣ ଅନ୍ଧ ରାଜା ଛଳନା କରି ଭୀମ ସହିତ ମିଳିତ ହେବାକୁ ଚାହିଁଲେ । ଶ୍ରୀକୃଷ୍ଣ ତାଙ୍କର ଦୁରଭିସନ୍ଧି ବୁଝିପାରି ଭୀମ ବଦଳରେ ଏକ ଲୌହଭୀମକୁ ତାଙ୍କ ହାତରେ ଦେଲେ । ଧୃତରାଷ୍ଟ୍ର ତାକୁ ଆଲିଙ୍ଗନ କରି ମୁହୂର୍ତ୍ତକରେ ଚୂର୍ଣ୍ଣବିଚୂର୍ଣ୍ଣ କରି ଧୂଳିସାତ୍ କଲେ । ଗାନ୍ଧାରୀ ପୁତ୍ରଶୋକରେ ବ୍ୟାକୁଳ ହୋଇ ଶ୍ରୀକୃଷ୍ଣଙ୍କୁ ଏହି ଅଭିଶାପ ଦେଲେ କି, “ହେ କୃଷ୍ଣ, କୌରବମାନଙ୍କ ପରି ତୁମ ଯାଦବବଂଶ ମଧ୍ୟ ଧ୍ୱଂସ ହେବ ।”

                ଶ୍ରୀକୃଷ୍ଣ ଅଳ୍ପ ହସି କହିଲେ, “ଦେବୀ, ଆପଣ ତ ମହାସତୀ, ଆପଣଙ୍କ କଥା କଦାପି ମଧ୍ୟ ମିଥ୍ୟା ହେବ ନାହିଁ, ନିୟତିର ନିର୍ଣ୍ଣୟହିଁ ଆପଣଙ୍କ ମୁଖରେ ପ୍ରକାଶ ପାଇଲା, ତାହାହିଁ ହେବ ।”

                ସୁପ୍ତ ଅବସ୍ଥାରେ ଦ୍ରୌପଦୀଙ୍କର ପାଞ୍ଚପୁତ୍ରଙ୍କୁ ଅଶ୍ୱତ୍ଥାମା ହତ୍ୟା କଲା । ସେଇ ଘଟଣାର ପ୍ରତିଶୋଧ ନେବା ପାଇଁ କୃଷ୍ଣ ଓ ଅର୍ଜୁନ ଅଶ୍ୱତ୍ଥାମାକୁ ବାନ୍ଧି ଦ୍ରୌପଦୀଙ୍କ ସମ୍ମୁଖରେ ଆଣି ହାଜର୍ କରାଇଲେ । କିନ୍ତୁ ଦ୍ରୌପଦୀ ଅଶ୍ୱତ୍ଥାମାଙ୍କୁ ମୁକ୍ତି ଦେଲେ ଓ କହିଲେ, “ତୁମ ପାଇଁ ଉଚିତ୍ ଦଣ୍ଡ ହେଉଛି ଶାଶ୍ୱତ ନାରକୀୟ ଜୀବନ । ମୃତ୍ୟୁ ହେଲେ ତ ତମେ ସେଥିରୁ ମୁକ୍ତ ହେବ । ତେଣୁ ମୃତ୍ୟୁ ମଧ୍ୟ ତୁମ ନିକଟକୁ ଆସିବ ନାହିଁ ।”

                ଶ୍ରୀକୃଷ୍ଣଙ୍କ ଆଦେଶ ଅନୁସାରେ ଅର୍ଜୁନ ଅଶ୍ୱତ୍ଥାମାର ଶିରସ୍ଥାନରୁ ମଣି ନେଇ ତାକୁ ଛାଡି ଦେଲେ । ମଣିହୀନ ହେବାରୁ ସେ ମାନସିକ ରୋଗ ଦ୍ୱାରା ଆକ୍ରାନ୍ତ ହୋଇ ଚାରିଆଡେ ଘୁରି ବୁଲିଲା ।

                ଅଶ୍ୱତ୍ଥାମା ପାଣ୍ଡବଙ୍କୁ ନିର୍ବଂଶ କରିବା ପାଇଁ ତାଙ୍କ ବଂଶର ଶେଷ ଆଶା ଉତରାଙ୍କ ଗର୍ଭସ୍ଥିତ ଶିଶୁକୁ ମାରିବା ପାଇଁ ବ୍ରହ୍ମ ଅସ୍ତ୍ର ପ୍ରୟୋଗ କରିଥିଲା । ତେଣୁ ସେହି ପିଲାଟି ପେଟରୁ ମରି ଜନ୍ମ ହେଲା । ଏଥିରେ ପାଣ୍ଡବକୁଳର ସମସ୍ତେ ମର୍ମାହତ ହେଲେ । ଅବଶେଷରେ ଶ୍ରୀକୃଷ୍ଣ ଆସି ପରୀକ୍ଷା କରି ଦେଖିଲେ ଯେ ତା’ ଭିତରେ ଅଳ୍ପ ଜୀବନ ଅଛି । ତେଣୁ ସେ ତା’ ପାଦସ୍ପର୍ଶ କରି ତାକୁ ସୁସ୍ଥ ଜୀବନ ଦାନ କଲେ । କେବଳ ସେଇଥିପାଇଁ ତା’ର ନାମ ପରୀକ୍ଷିତ ହେଲା ।

                ଶରଶଯ୍ୟା ଉପରେ ଶୋଇ ରହି ବୃଦ୍ଧ ଭୀଷ୍ମ ସୂର୍ଯ୍ୟଙ୍କ ଉତରାୟଣ ଗତି ପାଇଁ ଅପେକ୍ଷା କରୁଥିଲେ । ସେହିଠାରେ ଥାଇ ସେ ଯୁଧିଷ୍ଠିରଙ୍କୁ ରାଜଧର୍ମର ଉପଦେଶ ଦେଲେ । ସମୟ ଅନୁସାରେ ସେ ତାଙ୍କ ଦେହ ତ୍ୟାଗ କରି ସ୍ୱର୍ଗଗମନ କଲେ ।

                ଯୁଧିଷ୍ଠିରଙ୍କର ରାଜ୍ୟାଭିଷେକ ହେଲା । ତା’ ସହିତ ଅଶ୍ୱମେଧ ଯଜ୍ଞ ପାଇଁ ବି ସବୁ ପ୍ରକାର ପ୍ରସ୍ତୁତି ଚାଲିଥାଏ, ଯେତେବେଳେ ଶ୍ରୀକୃଷ୍ଣ ଓ ଅନ୍ୟ ଯାଦବବୀରମାନେ ଯୁଦ୍ଧ ପାଇଁ କୁରୁକ୍ଷେତ୍ରରେ ଥିଲେ ସେତେବେଳେ ଅନ୍ୟାନ୍ୟ ଯଦୁବଂଶୀ ଯୁବକମାନେ ଅତ୍ୟନ୍ତ ଉଦ୍ଧତ ଓ ଗର୍ବୀ ହୋଇ ଉଠିଲେ । ବଳରାମ ତ ଯୁଦ୍ଧ ପୂର୍ବରୁହିଁ ତୀର୍ଥାଟନରେ ବାହାରି ଯାଇଥିଲେ ।

                ଦିନେ ଦ୍ୱାରକାକୁ କେତେକ ଋଷିମୁନି ବୁଲି ଆସିଥାନ୍ତି । ମୂର୍ଖ ଯାଦବମାନେ ଶ୍ରୀକୃଷ୍ଣ ପୁତ୍ର ଶାମ୍ବକୁ ସ୍ତ୍ରୀ ବେଶ କରାଇ ମଜା କରିବା ପାଇଁ ଋଷିମାନଙ୍କୁ ପଚାରିଲେ, “କୁହନ୍ତୁ ତ ଦେଖି ଏହା ପେଟରେ ଯେଉଁ ପିଲା ଅଛି ସେଇଟି ପୁଅ ନା ଝିଅ ।”

                ଏପରି ଅଶାଳୀନ ବ୍ୟବହାରରେ ଭୀଷଣ କ୍ରୁଦ୍ଧ ହୋଇ ସେ ଋଷିମାନେ ଅଭିଶାପ ଦେଲେ ଯେ ଏହା ପେଟରେ ଯିଏ ଅଛି କେବଳ ତା’ରି ଦ୍ୱାରାହିଁ ଏ ସମସ୍ତ ଯଦୁ ବଂଶ ଦିନେ ଅଚୀରେ ଧ୍ୱଂସ ହେବ ।

                ପ୍ରକୃତରେ ତା’ ଲୁଗା ଭିତରୁ ଏକ ଲୌହରମୂଷଳ ବାହାରିଲା ଓ ତାକୁ ଦେଖି ସମସ୍ତେ ଡରିଗଲେ । ପରେ ଶ୍ରୀକୃଷ୍ଣ ଓ ବଳରାମ ଫେରିବା ପରେ ସେମାନେ ମଧ୍ୟ ଏକଥା ଜାଣିଲେ । ଶ୍ରୀକୃଷ୍ଣଙ୍କ ଆଜ୍ଞାରେ ଭୀମ ସେହି ଲୌହରମୂଷଳଟିକୁ ଘସି ଘସି ସମୁଦ୍ରରେ ପକାଇଲା । ଶେଷରେ ବଳିଥିବା ଛୋଟ ଖଣ୍ଡେ ଲୁହାକୁ ସମୁଦ୍ରରେ ଥିବା ମାଛଟିଏ ଗିଳି ଦେଲା । ପରେ ଜଣେ ଶବରର ଜାଲରେ ସେହି ମାଛଟି ପଡିଲା । ମାଛଟିକୁ କାଟି ଏଡେ ସୁନ୍ଦର ଲୁହା ଖଣ୍ଡେ ପାଇ ତାକୁ ସେ ତା’ର ତୀରରେ ଲଗାଇଲା ।

                କିଛିଦିନ ପରେ ଥରେ ଯଦୁବଂଶୀମାନେ କୌଣସି ଏକ ଉତ୍ସବରେ ଆମୋଦ ପ୍ରମୋଦ କରିବାବେଳେ ବହୁତ କାଦମ୍ବରୀ ରସ ପାନକରି ନିଜର ଜ୍ଞାନ ହରାଇ ପରସ୍ପର ମଧ୍ୟରେ ମାଡଗୋଳ ହୋଇ ସେମାନେ ମରିଗଲେ ।

                ଏସବୁ କଥା ଶୁଣି ବଳରାମ ଖୁବ୍ ବିରକ୍ତ ହୋଇ ନିଜେ ଜଙ୍ଗଲକୁ ଚାଲିଯାଇ ସମାଧି ଅବସ୍ଥାରେ ଶରୀର ତ୍ୟାଗ କଲେ ଓ ଶେଷନାଗ ରୂପେ ନିଜର ସ୍ୱରୂପ ପ୍ରାପ୍ତ ହୋଇ ସେ ବୈକୁଣ୍ଠକୁ ଗମନ କଲେ ।

                ଶ୍ରୀକୃଷ୍ଣ ଦ୍ୱାରକା ନଗରୀର କିଛି ଅଂଶ ସମୁଦ୍ରଠାରୁ ମାଗି ନେଇଥିଲେ । ସେଇ କେତେକ ଭୂମିକୁ ତାଙ୍କୁ ସମୁଦ୍ରକୁ ଫେରାଇବାର କଥା ଥିଲା । ତେଣୁ ସେ ଅର୍ଜୁନଙ୍କୁ ଡାକି କହିଲେ, “ଏବେ ତମେ ସ୍ତ୍ରୀ, ପିଲା, ବୁଢା ଓ ଅନ୍ୟମାନଙ୍କୁ ଇନ୍ଦ୍ରପ୍ରସ୍ଥ ନେଇଯାଅ । କାରଣ ମୋ କଥା ଅନୁସାରେ ଏବେ ସମୁଦ୍ର ପୁଣି ମାଡି ଆସିବ ।”

                ତା’ପରେ ଶ୍ରୀକୃଷ୍ଣ ତାଙ୍କର ପ୍ରିୟ ଭକ୍ତ ଉଦ୍ଧବକୁ ଅନେକ ଉପଦେଶ ଦେଇ ବଦ୍ରିକାଶ୍ରମକୁ ପଠାଇ ଦେଲେ । ତାଙ୍କର ଅବତାର ହେବାର ସମସ୍ତ କାର୍ଯ୍ୟ ସମ୍ପନ୍ନ ହେଲା ।

                ଅବଶେଷରେ ସେ ସମୁଦ୍ର ତଟସ୍ଥିତ ବନ ମଧ୍ୟରେ ପ୍ରବେଶ କରି ଦିବ୍ୟ ବେଣୁବାଦନ କଲେ । ତାଙ୍କ ବଂଶୀ ମଧ୍ୟରେ ସେ ରାଗ ହିନ୍ଦୋଳ, ଯମୁନାକଲ୍ୟାଣୀ ଓ ଦେବଗାନ୍ଧାର ରାଗମାନ ବଜାଇଲେ । ସମଗ୍ର ପ୍ରକୃତି ପୁଲକିତ ହୋଇ ଉଠିଲା । ସମୁଦ୍ରର ଜଳ ଶାନ୍ତ ହେଲା । ସେ କ୍ଳାନ୍ତ ହୋଇ ଗୋଟିଏ ଗଛକୁ ଆଉଜି ବସିଥା’ନ୍ତି । ସବୁଜ ଘାସ ଭିତରେ ତାଙ୍କ ପାଦ ପ୍ରସାରିତ ହୋଇଥାଏ । ପୂର୍ବୋକ୍ତ ବ୍ୟାଧଟି ଦୂରରୁ କୃଷ୍ଣଙ୍କୁ ଆଉ ଦେଖି ପାରନି, କେବଳ ତାଙ୍କର କୋମଳ ଗୋଲାପି ରଙ୍ଗର ପାଦଟିଏ ଘାସ ଭିତରେ ଦେଖି ହରିଣ କାନର ଭ୍ରମ କରି ତୀର ମାରିଲା । ତା’ର ସେଇ ତୀରରେ ହିଁ ସେହି ଅଭିଶପ୍ତ ମୁଷଳର ଶେଷାଂଶ ଥିଲା ।

                ତୀର ମାରିବା ପରେ ଶିକାର ସଂଗ୍ରହ କରିବା ପାଇଁ ବ୍ୟାଧ ଆସି ସେଠାରେ ପହଁଚିଲା ଓ ଶ୍ରୀକୃଷ୍ଣଙ୍କର ଏ ଦଶା ଦେଖି ସେ ଅତ୍ୟନ୍ତ ବ୍ୟାକୁଳ ହୋଇ କାନ୍ଦିବାକୁ ଲାଗିଲା । କିନ୍ତୁ ଦୟାସାଗର ଶ୍ରୀକୃଷ୍ଣ ତାକୁ ସାନ୍ତ୍ୱନା ଦେଇ ବୁଝାଇ କହିଲେ, “ମୋର ଆଜି ଏ ଅବସ୍ଥା ପାଇଁ ତୁମେ ଆଦୌ ମନଦୁଃଖ କରନାହିଁ । ରାମ ଅବତାରରେ ମୁଁ ଗଛ ଉହାଡରେ ଥାଇ ବାଳୀକୁ ମାରିଥିଲି । ସେତେବେଳେ ତମେ ବାଳୀର ପୁଅ ଅଙ୍ଗଦ ଥିଲ । ତମ ମନ ଭିତରେ ଯେଉଁ ପ୍ରତିଶୋଧ ନେବାର ଇଚ୍ଛା କ୍ଷଣକ ପାଇଁ ହୋଇଥିଲା ଆଜି ତାହାହିଁ କାର୍ଯ୍ୟକାରୀ ହୋଇଛି । ତେଣୁ ତମେ ଆଉ କିଛିବି ଚିନ୍ତା କରନାହିଁ ।” ଏହିକଥା କହି ଶ୍ରୀକୃଷ୍ଣ ସେ ବ୍ୟାଧକୁ ଦିବ୍ୟଚକ୍ଷୁ ଦାନ କରି ନିଜର ରାମାବତାର ଘଟଣା ସବୁ ଦେଖାଇଲେ । ରାମଙ୍କର ଦର୍ଶନ ହେବାମାତ୍ରେ ବ୍ୟାଧ ତା’ ପୂର୍ବଜନ୍ମର ସମସ୍ତ ଘଟଣା ପୁନଃ ସ୍ମରଣ କରିପାରିଲା ।

                ତା’ପରେ ଶ୍ରୀକୃଷ୍ଣଙ୍କ ସାରଥୀ ତାଙ୍କୁ ଖୋଜି ଖୋଜି ଆସି ସେଠାରେ ପହଁଚିଲା । ଶ୍ରୀକୃଷ୍ଣ ସେଇ ଅବସ୍ଥାରେ ଥାଇ ଯାହା ପାଇଁ ଯେପରି ସମ୍ବାଦ ଦେବାର ଥିଲା ବା ବ୍ୟବସ୍ଥା କରିବାର ଥିଲା ସେସବୁ କରିବାକୁ ସେ ତାଙ୍କ ସାରଥିକୁ ନିର୍ଦେଶ ଦେଲେ । ସମସ୍ତ କଥା ନିର୍ଦେଶ ଦେବା ପରେ ସେ ତାଙ୍କ ସାରଥିକୁ ସେଠାରୁ ବିଦାୟ ଦେଲେ । ତା’ପରେ ସେ ତାଙ୍କର ପାର୍ଥିବ ଲୀଳା ସମାପ୍ତ କରି ବିଷ୍ଣୁଙ୍କ ଦିବ୍ୟ ରୂପ ଧରି ବୈକୁଣ୍ଠ ଗମନ କଲେ ।

                ଶ୍ରୀକୃଷ୍ଣଙ୍କ ଶରୀର ତ୍ୟାଗ ପରେ ସମୁଦ୍ର ଦ୍ୱାରା ଦ୍ୱାରକା ଜଳମଗ୍ନ ହେଲା । ତା’ପରେ ଗୋଟିଏ ଯୁଗର ଅବସାନ ହେଲା ଓ କଳିଯୁଗ ଆରମ୍ଭ ହେଲା ।

                ଗୀତାରେ ଶ୍ରୀକୃଷ୍ଣ ଯାହା କହିଛନ୍ତି ସେହି ଅନୁସାରେ ତାଙ୍କର ସମସ୍ତ କାର୍ଯ୍ୟ ଅବତାର ଭାବରେ ସେ ସୁମ୍ପନ୍ନ କରିଥିଲେ । ଯେତେବେଳେ ଅସୁର ଶକ୍ତିର ପ୍ରାବଲ୍ୟ ଯୋଗୁଁ ଧର୍ମର ଗ୍ଳାନି ଘଟିଥିଲା, ସେତେବେଳେ ସେ ପୃଥିବୀ ପୃଷ୍ଠରେ ଅବତୀର୍ଣ୍ଣ ହୋଇ ଦୁଷ୍ଟମାନଙ୍କୁ ବିନାଶ କରି ସାଧୁମାନଙ୍କୁ ରକ୍ଷାକରି ଧର୍ମର ସଂସ୍ଥାପନ କରିଥିଲେ । ସେ ଜନ୍ମରୁ ନିଜ ଅବତାର ବିଷୟରେ ସଚେତନ ଥିଲେ ।

                ତାଙ୍କ ପରେ କଳିଯୁଗ ପ୍ରବେଶ କଲା । ସେ ଜାଣିଥିଲେ ସେଥିରେ ପାପର ଭାରା ପୁଣି ଧୀରେ ଧୀରେ ବଢିଯିବ । ମନୁଷ୍ୟ ସମାଜକୁ ଭୟଙ୍କର ପାପର କବଳରୁ ମୁକ୍ତ କରିବାକୁ ସେ ଯେଉଁ ଜ୍ଞାନ ଓ ଭକ୍ତିଯୋଗ ଗୀତା ମାଧ୍ୟମରେ ଦେଇଛନ୍ତି ତାହା ଅମୂଲ୍ୟ । ମହର୍ଷି ବ୍ୟାସହିଁ ତାକୁ ରଚନା କରିଥିଲେ । କିନ୍ତୁ ତାହା ଭଗବାନ୍ ଶ୍ରୀକୃଷ୍ଣଙ୍କ ମୁଖ ନିଶୃତ ବାଣୀ ଉପରେ ଆଧାରିତ ।

ପ୍ରକୃତରେ ସବୁ ଜ୍ଞାନରେ ଭରା ଗୀତା ବିଷୟରେ ଲେଖା ଅଛି ଉପନିଷଦ ମାନଙ୍କର ଜ୍ଞାନ ସବୁ ହେଲେ ଗାଈ; ଯାହାକୁ ଗୋପାଳନନ୍ଦନ କୃଷ୍ଣ ଦୋହନ କରୁଛନ୍ତି; ପାର୍ଥ ହେଉଛନ୍ତି ବାଛୁରୀ । ଆଉ ଯେଉଁ ଦୁଗ୍ଧ ଦୋହନ ହେଉଛି ତାହା ଗୀତାର ଅମୃତମୟ ବାଣୀ । ତାକୁ କେବଳ ସୁଧୀ ବା ଜ୍ଞାନୀଗଣହିଁ ପାନ କରି ଧନ୍ୟ ହେବେ ।

Find Amazon’s best deals & get advantage of the more hidden discounts!

Find over 75% discounts

Discover hidden offers, sales & discounts when searching for products on Amazon.

Keyword/s (optional)

(eg Iphone 5s Gold or Ipad Mini 16GB)

Search Discount
ବିସ୍ଵାଶ କରିବା ଆଗରୁ ବିଜ୍ଞାପନ ଗୁଡିକର ସଠିକତାକୁ ତଦନ୍ତ କରନ୍ତୁ ।
loading...

ଗପ ସାରଣୀ

ବିସ୍ଵାଶ କରିବା ଆଗରୁ ବିଜ୍ଞାପନ ଗୁଡିକର ସଠିକତାକୁ ତଦନ୍ତ କରନ୍ତୁ ।

ସାଢି | ଲାପଟପ୍ | ଟେଲିଭିଜନ୍ | ଯୋତା | ମୋବାଇଲ୍ |ବହି

ପ୍ରଥମେ ଯେକୌଣସି ଜିନିଷ ସର୍ଚ୍ଚ କରନ୍ତୁ, ପରେ କ୍ୟାସ ଅନ ଡେଲିଭରିରେ ଅଡ଼ର୍ କରନ୍ତୁ, ମାନେ ଜିନିଷ ପାଇଲା ପରେ ହିଁ ପଇସା ଦିଅନ୍ତୁ

ତାଲିକାଭୁକ୍ତ ଗପ

loading...