ବୀର ଦାସ

କୋଶଳ ରାଜ୍ୟରେ ବୀରଦାସ ନାମରେ ଜଣେ ଯୁବକ ଥିଲା । ପିଲାଦିନରୁ ବାପମା’ ମରିଯାଇଥିବାରୁ ଜେଜେମା ତାକୁ ପାଳିଥାଏ; ଏତେ ଆଦରରେ ପାଳିଥାଏ ଯେ ସେ ତାକୁ କିଛି କାମ କରିବାକୁ ଦିଅନ୍ତି ନାହିଁ । ତେଣୁ ବୀରୁର ଦୁଇଟି ମାତ୍ର କାମ ଥାଏ ଖାଇବା ଓ ଶୋଇବା ।

କୋଶଳ ରାଜ୍ୟରେ ସେ ଜନ୍ମ ହୋଇ ମଣିଷ ହୋଇଛି । ଥରେ ପଡୋଶୀ ବିଦେହ ରାଜ୍ୟର ରାଜା ସିଂହସେନ କୋଶଳ ଉପରେ ଯୁଦ୍ଧ ଘୋଷଣା କଲେ । ଗୁପ୍ତଚରଙ୍କ ଠାରୁ କୋଶଳ ରାଜା ଚନ୍ଦ୍ରକାନ୍ତ ଏହି ଖବର ପାଇଲେ ଯେ ବିଦେହ ରାଜ୍ୟର ସୈନ୍ୟ ସଂଖ୍ୟା ତାଙ୍କ ରାଜ୍ୟର ସୈନସଂଖ୍ୟା ଠାରୁ ତିନିଗୁଣ ଅଧିକ । ତେଣୁ ସେ ରାଜ୍ୟରେ ଘୋଷଣା କଲେ କି ରାଜ୍ୟର ସମସ୍ତ ଯୁବକ ତୁରନ୍ତ ସୈନ୍ୟବିଭାଗରେ ଆସି ଯୋଗଦିଅନ୍ତୁ । ଏହାପରେ ଅନେକ ଯୁବକ ଆସି ଯୋଗ ଦେଲେ ଓ ଯୁଦ୍ଧ ବିଦ୍ୟା ଶିକ୍ଷା କଲେ । ବୀରଦାସ କିନ୍ତୁ ଲୁଚିଲୁଚି ବୁଲୁଥାଏ । ଦିନେ ଜଣେ ଗୁପ୍ତଚର ତାକୁ ଦେଖି କହିଲା, “କ’ଣ ଏ ପର୍ଯ୍ୟନ୍ତ ତମେ ସୈନ୍ୟବିଭାଗରେ ଯୋଗ ଦେଇ ନାହଁ? ଶୀଘ୍ର ଯାଇ ଯୋଗଦିଅ ଓ ତୁମର ଦେଶଭକ୍ତିର ପ୍ରମାଣ ଦିଅ ।”

“ଯୁଦ୍ଧ ଓ ଦେଶଭକ୍ତି କଥା ମୁଁ ତ ମୋ ଜୀବନରେ ଏଇ ପ୍ରଥମ ଥର ଲାଗି ଶୁଣୁଛି । ମୋ ଜେଜେମାର ଖାଦ୍ୟଖାଇ ଆରାମ୍ରେ ଶୋଇବା ଛଡା ମୁଁ ପୃଥିବୀରେ ଆଉ କିଛି ହେଲେବି ଜାଣିନାହିଁ ।” ଗୁପ୍ତଚର ବୁଝିଗଲା ଯେ ଇଏ ସୁସ୍ଥିଲୋକ, ଅଳସୁଆ ହୋଇ ଖାଲି ଖାଇ ଶୋଇ ସମୟ ବିତାଉଛି । ତେଣୁ ସେ ତାକୁ ବାଧ୍ୟ କରି ନେଇ ସୈନ୍ୟବିଭାଗରେ ନାମ ଲେଖାଇଲା ।

କିଛି ଦିନ ମଧ୍ୟରେ ଯୁଦ୍ଧର ବିପଦ ଘନେଇ ଆସିଲା । ବିଦେହ ରାଜ ସିଂହସେନ କୋଶଳର ସୀମାରେ ନିଜର ସୈନ୍ୟ ବାହିନୀ ଧରି ଆସି ପହଁଚିଗଲେ । ଚନ୍ଦ୍ରକାନ୍ତ ମଧ୍ୟ ତାଙ୍କ ସୈନ୍ୟବାହିନୀ ଧରି ସେଠାରେ ପହଁଚିଲେ । ଘମାଘୋଟ ଯୁଦ୍ଧ ହେଲା । ସୈନ୍ୟମାନେ ତଲବାର, କବଚ ଇତ୍ୟାଦି ଯୁଦ୍ଧ ପୋଷାକ ପିନ୍ଧି ପ୍ରସ୍ତୁତ ଥା’ନ୍ତି । ବୀରଦାସର ଯୁଦ୍ଧ ପୋଷାକ ବିଷୟରେ କିଛି ଜ୍ଞାନ ନ ଥିଲା । ତେଣୁ ସେ ଖାଲି ତରବାରୀ ଟିଏ ହାତରେ ଧରି ବାହାରି ପଡିଲା । କିନ୍ତୁ ଯୁଦ୍ଧଭୂମିରେ କାଳେ ଭୋକ ଲାଗିବ ବୋଲି ଏକ କଂସା ବାସନରେ ରୂଟି ପୁରାଇ ତାକୁ ପେଟ ପାଖରେ ବାନ୍ଧି ଦେଇଥିଲା ଓ ମାଟି ପାତ୍ରରେ କିଛି ପାଣି ମଧ୍ୟ ସେ ନେଇଥିଲା ।

ଯୁଦ୍ଧରେ ଅନେକ ସୈନ୍ୟ ମଲେ । ବୀରୁ ଦେଖିଲା ଜଣେ ବୁଢା ସୈନିକ ଯୁଦ୍ଧଭୂମିରେ ମୃତଦେହ ମାନଙ୍କ ମଧ୍ୟରେ ଆହତ ହୋଇ ପଡିଅଛି । ସେ ପାଣି ମାଗିଲା । ବୀରୁ ତାକୁ ପାଣି ପିଆଇଲା; ଟିକିଏ ସୁସ୍ଥ ହେବା ପରେ ବୁଢା ତା’ର ତଲବାର କାଢି ବିରୁକୁ କହିଲା “ମୋର ଖୁବ୍ ଆଶାଥିଲା ଏହି ତଲବାର ଦ୍ୱାରା ଶତୃମାନଙ୍କୁ ନିପାତ କରିଥା’ନ୍ତି । ଅନେକ ଶତ୍ରୁଙ୍କୁ ମାରିଛି, କିନ୍ତୁ ଶତୃ ରାଜାଙ୍କୁ ମାରିପାରିଲି ନାହିଁ । ପୁଅ, ତୋତେ ଦେଖି ମୋର ମନେ ହେଉଛି ତୁ ଯେପରି ମୋର କୌଣସି ଘନିଷ୍ଠ ବନ୍ଧୁ । ମୋ ନାତୁଣୀଟି ବହୁତ ସୁନ୍ଦରୀ ଓ ଗୁଣବତୀ ଝିଅ । ତା’ ଇଚ୍ଛା ମୁଁ ଯାହାକୁ ତା’ପାଇଁ ବାଛିବି ସେ ତାକୁହିଁ ବିବାହ କରିବ । ନିଅ ଏହି ମୁଦିଟି; ତାକୁ କହିବ ମୁଁ ତୁମକୁ ତା’ ପାଇଁ ବାଛି ପଠାଇଛି । ଯଦି ଯୁଦ୍ଧପରେ ତମେ ବଞ୍ଚି ରହିଥିବ, ତେବେ ଅବଶ୍ୟ ତା’ର ସ୍ୱାମୀ ହେବ ।” ଏତିକି କହି ମୁଦିଟି ସେ ବୀରୁହାତରେ ଧରାଇ ଦେଇ ସେଇଠି ମରିଗଲେ । କିନ୍ତୁ ସେ ପର୍ଯ୍ୟନ୍ତ ମଧ୍ୟ ତଲବାର ତାଙ୍କ ହାତମୁଠାରେ ସେମିତି ଦୃଢ ଥିଲା ।

ବୁଢାର ମୃତ୍ୟୁ ଦେଖି ବୀରୁ ଭାବିଲା ସେ କିପରି ମୃତ୍ୟୁ ମୁଖରୁ ବଞ୍ଚିବ । ଭାବି ଭାବି ସ୍ଥିର କଲା ଯେ ମୃତ ସୈନିକମାନଙ୍କ ମଧ୍ୟରେ ଶୋଇଯିବ । ଦେଖାଯାଉ । ଏହାଭାବି ସେ ସେହି ବୁଢାର ମୃତ ଦେହ କଡରେ ଯାଇ ଶୋଇଗଲା । ବୁଢାର ରକ୍ତାକ୍ତ ଲୁଗା ନିଜ ଉପରେ ପକାଇ ଦେଲା । ନିଦ୍ରାଳୁ ବୀରୁ ଅଳ୍ପ ସମୟ ମଧ୍ୟରେ ଗଭୀର ନିଦରେ ଶୋଇଗଲା ।

କିଛି ସମୟ ପରେ ବିରୁର ନିଦ ଭାଙ୍ଗିଗଲା । ସେ ଉଠି ଠିଆ ହେବାରୁ ଦେଖିଲା ଶତୃରାଜା ଘୋଡା ଉପରେ ବସି ତା’ର ଅଳ୍ପ ନିକଟରେ ଅଛନ୍ତି । ରାଜା ସିଂହସେନ ଭାବିଲେ ବିନା ଅସ୍ତ୍ରରେ ନିର୍ଭିକ ଭାବରେ ଠିଆ ହୋଇଥିବା ଯୁବକ ନିଶ୍ଚୟ ବଳଶାଳୀ ହୋଇଥିବ । ତେଣୁ ସେ କହିଲେ, “ବାଃ, ତୁମ ପରି ପରାକ୍ରମୀ ବୀର ସୈନିକର ମୃତ୍ୟୁ ଆଜି ମୋ ହାତରେ ହେବ ।” ଏତିକି କହି ସେ ପେଟରେ ତରବାରୀର ଚୋଟ ହାଣିଲେ । ବୀରୁ ପେଟ ପାଖରେ ଖାଦ୍ୟଥିବା କଂସା ପାତ୍ର ଥିଲା । ତେଣୁ ପାତ୍ର ଉପରେ ତରବାରୀ ବାଜି ବଡ ଶବ୍ଦ କଲା । ସେହି ଶବ୍ଦ ଯୋଗୁଁ ଘୋଡା ଡରିଯାଇ ପଛଗୋଡ ଦୁଇଟିରେ ଠିଆ ହୋଇପଡିଲା । ଫଳରେ ସେ ରାଜା ଆଉ ନିଜକୁ ସମ୍ଭାଳି ନପାରି ସିଧା ପଡିଗଲେ । ଦୂରରେ ପଡିଥିବା ନିଜର ତରବାରୀ ନେବାକୁ ଯିବା ପୂର୍ବରୁ ନିମିଷକ ମଧ୍ୟରେ ବୀରୁ ତାଙ୍କ ଉପରେ ବୁଢା ସୈନିକର ମୃତ ଶରୀରକୁ ପକାଇ ଦେଲା । ବୁଢାର ହାତରେ ଦୃଢ ଭାବରେ ଥିବା ତରବାରୀ ସେ ଶତୃରାଜାଙ୍କ ଦେହରେ ପଶିଗଲା । ଏହିପରି ଭାବେ ସେ ବୁଢାର ଶେଷ ଇଚ୍ଛା ମୃତ୍ୟୁ ପରେ ମଧ୍ୟ ପୁରଣ ହେଲା ।

ରାଜାଙ୍କର ଏପରି ଆକସ୍ମିକ ମୃତ୍ୟୁ ହେବାର ଦେଖି, ତାଙ୍କ ସୈନ୍ୟବାହିନୀ ଯୁଦ୍ଧ ଭୂମି ଛାଡି ପଳାଇ ଗଲେ । କିଛି ସମୟପରେ କୋଶଳ ସୈନିକମାନେ ଏସବୁ ଘଟଣା ଦେଖି ରାଜାଙ୍କୁ ଯାଇ କହିଲେ । ରାଜା ଚନ୍ଦ୍ରକାନ୍ତ ବୀରୁ ପାଖକୁ ନିଜେ ଆସି କହିଲେ, “ବତ୍ସ, ତୁମେତ ମହାବୀର, ଆମ ସୈନିକମାନେ ଯାହା କରିପାରିନଥିଲେ ତୁମେ ତାହା କରି ଦେଖାଇଲ । ତୁମ ପାଇଁ ମୁଁ ଓ ଆମର ସାରା ରାଜ୍ୟ ଅତ୍ୟନ୍ତ ଗର୍ବିତ ।” ଏହାପରେ ରାଜା ତାକୁ ନିଜ ସହିତ ନଅରକୁ ନେଇଗଲେ । ସେଠାରେ ପହଁଚି ରାଜା ପଚାରିଲେ, “ଏବେ କୁହ ତୁମେ କ’ଣ ଚାହଁ?”

“ମହାରାଜ, ଜଣେ ଯେତେବଡ ଶୁରବୀର ହେଲେ ମଧ୍ୟ ଯୁଦ୍ଧ ଭୂମିରେ ଅସଂଖ୍ୟ ଶତୃସେନା ନାଶ କରି ଯେତେବେଳେ ଫେରିଥାଏ, ସେତେବେଳେ ସେ ନିଶ୍ଚୟ କ୍ଳାନ୍ତ ହୋଇଥାଏ । ତେଣୁ ଆପଣଙ୍କର ପ୍ରଥମ କର୍ତ୍ତବ୍ୟ ମୋତେ ଭଲକରି ଖୁଆଇ, ଭଲ ଭାବରେ ଶୋଇବାକୁ ଦିଅନ୍ତୁ । ପରେ ସୁସ୍ଥ ହେବା ପରେ ଯାହା ହେବ ।”

ରାଜା ତତ୍କ୍ଷଣାତ୍ ଏକ ସୁନ୍ଦର ମହଲ ଓ ଦାସଦାସୀ ତାକୁ ଦେଲେ । ସେଠାରେ ତା’ର ମହଲକୁ ଜଗିବା ପାଇଁ ଓ ତା’ର ଆଦେଶ ପାଳନ ପାଇଁ କିଛି ସୈନିକ ମଧ୍ୟ ରଖି ଦେଲେ । ପ୍ରଥମ ଦିନ ରାଜାଙ୍କ ମହଲରୁ ଖାଦ୍ୟ ତା’ ପାଇଁ ଗଲା । ବୀରୁ ବଡ ସନ୍ତୋଷରେ ସେସବୁ ଖାଇଲା । ପ୍ରାୟ ସପ୍ତାହେ ପର୍ଯ୍ୟନ୍ତ ସେଠାରେ ସେ ଅତି ଆରାମ୍ରେ ରହିଲା । ତା’ପରେ ନିଜ ଗ୍ରାମକୁ ଯାଇ ଜେଜେମାଙ୍କୁ ପାଲିଙ୍କିରେ ବସାଇ ନେଇ ଆସିଲା । ଜେଜେମା ବୀରୁର ରାଜକୀୟ ବୈଭବ ଦେଖି ଅତି ମାତ୍ରାରେ ଖୁସି ହୋଇଗଲେ । ତା’ପରେ ବୀରୁ ତା’ର ଜେଜେମାଙ୍କୁ ନେଇ ବୃଦ୍ଧ ସୈନିକଙ୍କ ଘରକୁ ଯାଇ ସେମାନଙ୍କୁ ସବୁକଥା କହିଲା ଓ ସୁନ୍ଦରୀ ଝିଅଟିକୁ ସାଙ୍ଗରେ ନେଇ ଆସିଲା । କିଛିଦିନ ପରେ ରାଜାଙ୍କ ଉପସ୍ଥିତିରେ ତାଙ୍କର ବିବାହ ଉତ୍ସବ ମହା ଆଡମ୍ବରରେ ସମ୍ପନ୍ନ ହେଲା ।

କ୍ଷଣକ ପାଇଁ ହେଉ, ପୁଣି ମୃତ୍ୟୁଭୟ ପାଇଁ ବି ହେଉ, ବୀରୁଦାସ ନିଜର ପରାକ୍ରମ ଦେଖାଇଥିବା ଯୋଗୁଁହିଁ ସାରା ବୈଭବ ପ୍ରାପ୍ତ କଲା । ପରେ ବୀରୁ ବସି ବସି ସବୁ ଘଟଣାର ବିଶ୍ଲେଷଣ କରି ବୁଝିଲା ଯେ ଆରାମ କରି ବସି ରହିବା ଅର୍ଥ ଜୀବନ ବ୍ୟର୍ଥ ହୋଇଯିବା । ଏଣିକି ସେ ଯୁଦ୍ଧବିଦ୍ୟା ଶିକ୍ଷା କରି ଶେଷରେ ସେନାପତି ପଦ ପାଇଲା । ଏବେ ସେ ତା’ର ନାମକୁ ସାର୍ଥକ କଲା ।

Find Amazon’s best deals & get advantage of the more hidden discounts!

Find over 75% discounts

Discover hidden offers, sales & discounts when searching for products on Amazon.

Keyword/s (optional)

(eg Iphone 5s Gold or Ipad Mini 16GB)

Search Discount

ସାଢି | ଲାପଟପ୍ | ଟେଲିଭିଜନ୍ | ଯୋତା | ମୋବାଇଲ୍ |ବହି

ପ୍ରଥମେ ଯେକୌଣସି ଜିନିଷ ସର୍ଚ୍ଚ କରନ୍ତୁ, ପରେ କ୍ୟାସ ଅନ ଡେଲିଭରିରେ ଅଡ଼ର୍ କରନ୍ତୁ, ମାନେ ଜିନିଷ ପାଇଲା ପରେ ହିଁ ପଇସା ଦିଅନ୍ତୁ

ଗପ ସାରଣୀ

ନୂଆ ତାଲିକାଭୁକ୍ତ ଗପ