ବ୍ୟାକରଣ

ବାକ୍ୟ

୧ । ପବନ ବହୁଅଛି ।

୨ । ଶିଶୁଟି ଶେଯରେ ଶୋଇଛି ।

୩ । ତୁମେ କାହିଁକି କାନ୍ଦୁଅଛ?

୪ । ଆମ୍ଭେମାନେ ଇଣ୍ଡିଆ ର ସନ୍ତାନ ଅଟୁ ।

୫ । ଶିକ୍ଷକ ଛାତ୍ରକୁ ଡାକି ….

ଉପରେ ଲେଖାଯାଇଥିବା ପାଂଚଟି ଉଦାହରଣ ମଧ୍ୟରୁ ପ୍ରଥମ ଚାରୋଟି ଉଦାହରଣକୁ ବୁଝିହେଉଛି; ମାତ୍ର ଶେଷ ଉଦାହରଣଟିର ଭାବ ଠିକ୍ ଭାବରେ ବୁଝି ହେଉନାହିଁ । କାରଣ ‘ଶିକ୍ଷକ ଛାତ୍ରକୁ ଡାକି’ ପରେ ଆଉ କିଛି କହିବାର ବାକି ଅଛି, ଏଣୁ ଶେଷ ଉଦାହରଣଟିରୁ ମନର ଭାବ ବା ଅର୍ଥ ପୂର୍ଣ୍ଣ ରୂପେ ପ୍ରକାଶିତ ହେଉନାହିଁ ।

ମନେରଖ – ଏକ ବା ଏକାଧିକ ପଦ ମିଶି ମନର ଗୋଟିଏ ପୂର୍ଣ୍ଣଭାବ ପ୍ରକାଶ କଲେ ତାକୁ ବାକ୍ୟ କହନ୍ତି ।

ଅନ୍ୟ ଉଦାହରଣ :

୧ । ଇଣ୍ଡିଆ ର ଉତ୍ତରରେ ହିମାଳୟ ଅଛି ।

୨ । ଆସ ।

୩ । ଗୁରୁଜନଙ୍କୁ ଭକ୍ତି କର ।

୪ । ଓଡିଶାରେ ତିରିଶଟି ଜିଲ୍ଲା ଅଛି ।

ଉପର ଲିଖିତ ଉଦାହରଣଗୁଡିକରୁ ମନର ଭାବ ପୂର୍ଣ୍ଣ ଭାବରେ ବୁଝାପଡୁଛି । ଏଣୁ ପ୍ରତ୍ୟେକ ଗୋଟିଏ ଗୋଟିଏ ବାକ୍ୟ ।

  • ମନେରଖ – ବାକ୍ୟର ଶେଷରେ ସବୁବେଳେ ପୂର୍ଣ୍ଣଚ୍ଛେଦ ରହିବ ।

ପଦ

 ୧ । ମହାତ୍ମା ଗାନ୍ଧୀଙ୍କୁ ଜାତିର ଜନକ କହନ୍ତି ।

୨ । ମହାନଦୀ କୂଳରେ କଟକ ସହର ଅବସ୍ଥିତ ।

୩ । ଜୟଦେବ ଗୀତଗୋବିନ୍ଦ ଲେଖିଥିଲେ ।

ଉପରେ ତିନୋଟି ବାକ୍ୟ ଲେଖାଯାଇଛି । ଏହି ବାକ୍ୟଗୁଡିକରୁ ମନର ପୂର୍ଣ୍ଣଭାବ ପ୍ରକାଶିତ ହେଉଛି । ମାତ୍ର ପ୍ରତ୍ୟେକ ବାକ୍ୟକୁ ଭାଗ ଭାଗ କଲେ ପ୍ରତ୍ୟେକ ଭାଗ ପୂର୍ଣ୍ଣ ଅର୍ଥ ପ୍ରକାଶ ନକରି କିଛି ଅର୍ଥ ପ୍ରକାଶ କରନ୍ତି । ବାକ୍ୟର ଏହି ଭାଗ ବା ଅଂଶଗୁଡିକ ଗୋଟିଏ ଗୋଟିଏ ପଦ ।

ଅନ୍ୟ ଉଦାହରଣ ଦେଖ :

କୋଇଲି – ଏହା ଏକ ଶବ୍ଦ

କୋଇଲି ମଧୁର ସ୍ୱରରେ ଗାଏ । ଏହି ବାକ୍ୟରେ ରେଖାଙ୍କିତ କୋଇଲି ଏକ ‘ପଦ’ ଅଟେ ।

ମନେରଖ – ୧ । ବାକ୍ୟର ପ୍ରତ୍ୟେକ ଅଂଶକୁ ‘ପଦ’ କହନ୍ତି ।

୨ । ଶବ୍ଦ ବାକ୍ୟରେ ବ୍ୟବହୃତ ହେଲେ ତାକୁ ‘ପଦ’ କୁହାଯାଏ ।

ଶବ୍ଦ

ମା,ବହି, ଘର, ଡଙ୍ଗା, ପର୍ବତ, ଆନନ୍ଦ

ଉପରେ ଲେଖାଥିବା ପ୍ରତ୍ୟେକ ଉଦାହରଣର ଏକ ଏକ ଅର୍ଥ ଥିବା ବୁଝାପଡୁଛି । ପ୍ରତ୍ୟେକ ଉଦାହରଣରେ ଅକ୍ଷରସବୁ ରହିଛନ୍ତି । ଏହି ଅକ୍ଷରଗୁଡିକୁ ବର୍ଣ୍ଣ ମଧ୍ୟ କୁହାଯାଏ ।

ଆମେ ଜାଣିଲେ ଯେ ଏକ ବା ଏକରୁ ଅଧିକ ବର୍ଣ୍ଣ ମିଶି ଅର୍ଥ ପ୍ରକାଶ କଲେ ତାକୁ ‘ଶବ୍ଦ’ କୁହାଯାଏ ।

ଏଥର ଅନ୍ୟ ଉଦାହରଣ ଦେଖ –

ବଲଣ, ମଦପ, ହଗାବ, ମଫାଡାଇ

ଏହି ଉଦାହରଣଗୁଡିକରେ ଏକାଧିକ ବର୍ଣ୍ଣର ମିଳନ ହୋଇଥିଲେ ମଧ୍ୟ କେହି ଅର୍ଥ ପ୍ରକାଶ କରୁନାହାନ୍ତି । ଏଣୁ ଏଗୁଡିକୁ ଶବ୍ଦ କୁହାଯାଇପାରିବ ନାହିଁ ।

‘କଲମ’ ଏକ ଶବ୍ଦ, ମାତ୍ର ‘ମୁଁ କଲମରେ ଲେଖେ ।’ ଏହି ବାକ୍ୟରେ ‘କଲମ’ ଏକ ପଦ ।

ବର୍ଣ୍ଣ ଓ ଯୁକ୍ତାକ୍ଷର

ଓଡିଆ ଭାଷାରେ ଅକ୍ଷରକୁ ବର୍ଣ୍ଣ କୁହାଯାଏ । ‘ଅ’ ଠାରୁ ଂ, ଃ, ଁ ପର୍ଯ୍ୟନ୍ତ ଗୋଟିଏ ଗୋଟିଏ ବର୍ଣ୍ଣ ଅଟନ୍ତି ।

ବର୍ଣ୍ଣ ଦୁଇପ୍ରକାର, ଯଥା – (୧) ସ୍ୱରବର୍ଣ୍ଣ (୨) ବ୍ୟଞ୍ଜନବର୍ଣ୍ଣ

ସ୍ୱରବର୍ଣ୍ଣ – ଯେଉଁ ଧ୍ୱନି ଉଚ୍ଚାରଣ କଲାବେଳେ ଶ୍ୱାସବାୟୁ ମୁଖଗହ୍ୱର ବା ପାଟିର କୌଣସି ସ୍ଥାନରେ ବାଧା ନ ପାଇ ଉଚ୍ଚାରିତ ହୁଏ, ତାହାକୁ ସ୍ୱରବର୍ଣ୍ଣ କହନ୍ତି ।

ଆମ ଭାଷାରେ ୧୧ଟି ସ୍ୱରବର୍ଣ୍ଣର ବ୍ୟବହାର ହେଉଅଛି ।

ଯଥା – ଅ, ଆ, ଇ (ହ୍ରସ୍ୱଇ), ଈ (ଦୀର୍ଘଈ), ଉ (ହ୍ରସ୍ୱଉ), ଊ (ଦୀର୍ଘଉ), ଋ, ଏ, ଐ, ଓ, ଔ

ୠ (ଦୀର୍ଘ ୠ) ର ଆଉ ବିଶେଷ ବ୍ୟବହାର ନାହିଁ ।

ବ୍ୟଞ୍ଜନବର୍ଣ୍ଣ – ଯେଉଁ ଧ୍ୱନି ଉଚ୍ଚାରଣ କଲାବେଳେ ମୁଖଗହ୍ୱର ବା ପାଟିର କୌଣସି ନା କୌଣସି ସ୍ଥାନରେ ବାଧା ପାଇ ଉଚ୍ଚାରିତ ହୁଏ, ତାକୁ ବ୍ୟଞ୍ଜନବର୍ଣ୍ଣ କହନ୍ତି ।

ଆମ ଭାଷାରେ ୩୯ ଟି ବ୍ୟଞ୍ଜନବର୍ଣ୍ଣ ଅଛି ।

କ୍, ଖ୍, ଗ୍, ଘ୍, ଙ୍, ଯ୍ (ଅନ୍ତସ୍ଥ ଯ), ର୍, ଳ୍, ବ୍ (ଅବର୍ଗ୍ୟ ବ)

ଚ୍, ଛ୍, ଜ୍, ଝ୍, ଞ୍ଜ ୍, ଶ୍ (ତାଲବ୍ୟ ଶ), ଷ (ମୁର୍ଦ୍ଧଣ୍ୟ ଷ)

ଟ୍, ଠ୍, ଡ୍, ଢ୍, ଣ୍, ସ୍ (ଦନ୍ତ୍ୟ ସ), ହ୍, କ୍ଷ୍

ତ୍, ଥ୍, ଦ୍, ଧ୍, ନ୍, ୟ୍, ଲ୍, ଂ (ଅନୁସ୍ୱାର), ଃ (ବିସର୍ଗ)

ପ୍, ଫ୍, ବ୍, ଭ୍, ମ୍, ଁ (ଚନ୍ଦ୍ରବିନ୍ଦୁ)

ବ୍ୟଞ୍ଜନବର୍ଣ୍ଣଗୁଡିକ ସ୍ୱରବର୍ଣ୍ଣ ସହିତ ମିଶି ଉଚ୍ଚାରିତ ହୁଅନ୍ତି ।

କ୍ + ଅ = କ, କ୍ + ଆ = କା, କ୍ + ଇ = କି, କ୍ + ଈ = କୀ, କ୍ + ଉ = କୁ , କ୍ + ଊ = କୂ, କ୍ + ଋ = କୃ

ମାତ୍ରା – ସ୍ୱରବର୍ଣ୍ଣଗୁଡିକର ସାଙ୍କେତିକ ରୂପକୁ ‘ମାତ୍ରା’ବା ‘କାର’ କୁହାଯାଏ ।

ା – ଆକାର, ି – ହ୍ରସ୍ୱଇ କାର, ୀ – ଦୀର୍ଘଈ କାର, ୁ – ହ୍ରସ୍ୱଉ କାର, ୂ – ଦୀର୍ଘଉ କାର, ୃ – ଋକାର

ଫଳା – ନ୍, ମ୍, ୟ୍, ଜ୍, ଲ୍, ବ୍ – ଏହି ବ୍ୟଞ୍ଜନବର୍ଣ୍ଣଗୁଡିକ ପୂର୍ବବର୍ତୀ ବ୍ୟଞ୍ଜନବର୍ଣ୍ଣ ସହିତ ମିଳିତ ହୋଇ ଯେଉଁ ରୂପ ଧରନ୍ତି ତାକୁ ଫଳା କହନ୍ତି ।

ମ୍ + ନ୍ + ଅ = ମ୍ନ – ନିମ୍ନ

ଦ୍ + ମ୍ + ଅ = ଦ୍ମ – ପଦ୍ମ

ତ୍ +ଯ୍ +ଅ = ତ୍ୟ – ନିତ୍ୟ

ପ୍ + ର୍ +ଅ = ପ୍ର – ପ୍ରଧାନ

କ୍ + ଳ୍ + ଅ = କ୍ଳ – ଶୁକ୍ଳ

ହ୍ + ଲ୍ + ଆ = ହ୍ଲା – ଚହ୍ଲା

ଶ୍ + ବ୍ + ଅ = ଶ୍ୱ – ଅଶ୍ୱ

ବ୍ୟଞ୍ଜନବର୍ଣ୍ଣ ସହିତ ବ୍ୟଞ୍ଜନବର୍ଣ୍ଣର ମିଶ୍ରଣ ବା ଯୁକ୍ତରୂପକୁ ଯୁକ୍ତାକ୍ଷର କୁହାଯାଏ ।

କ୍ + ତ୍ + ଅ = କ୍ତ – ରକ୍ତ, ଶକ୍ତ

ତ୍ + କ୍ + ଅ = ତ୍କ – ଉତ୍କଳ, ସତ୍କାର

ଷ୍ + ଟ୍ +ର୍ + ଅ = ଷ୍ଟ୍ର – ରାଷ୍ଟ୍ର, ଲୋଷ୍ଟ୍ର

ଷ୍ + ଣ୍ + ଅ = ଷ୍ଣ – ଉଷ୍ଣ, କୃଷ୍ଣ

ଷ୍ + ଟ୍ + ଅ = ଷ୍ଟ – କଷ୍ଟ, ଇଷ୍ଟ

ଷ୍ + ଠ୍ + ଅ = ଷ୍ଠ – ଷଷ୍ଠ, କାଷ୍ଠ

ଷ୍ + ପ୍ + ଅ = ଷ୍ପ – ବାଷ୍ପ

ସ୍ + ପ୍ + ଅ = ସ୍ପ – ଶସ୍ପ

ଙ୍ + କ = ଙ୍କ – ରଙ୍କ, ଡଙ୍କ

ଙ୍ + ଖ = ଙ୍ଖ – ଶଙ୍ଖ

ଙ୍ + ଗ = ଙ୍ଗ – ରଙ୍ଗ, ମଙ୍ଗଳ

ଙ୍ + ଘ = ଙ୍ଘ – ସଙ୍ଘ, ଜଙ୍ଘ

ଞ୍ + ଚ = ଂଚ – କଂଚନ, ସଂଚୟ

ଞ୍ + ଛ = ଁଛ – ବାଁଛାନିଧି, ପିଁଛ

ଞ୍ + ଜ = ଞ୍ଜ – ସଞ୍ଜ, ପିଞ୍ଜରା

ଞ୍ + ଝ = ଞ୍ଝ – ବାଞ୍ଝ

ଣ୍ + ଟ = ଂଟ – କଂଟା, ବଂଟନ

ଣ୍ + ଠ = ଣ୍ଠ – କଣ୍ଠ, ସଣ୍ଠଣା

ଣ୍ + ଡ = ଣ୍ଡ – ମଣ୍ଡଳୀ, ଗଣ୍ଡ

ଣ୍ + ଢ = ଣ୍ଢ – ଷଣ୍ଢ

ନ୍ + ତ = ନ୍ତ – ଶାନ୍ତ, ଦାନ୍ତ

ନ୍ + ଥ = ନ୍ଥ – ସନ୍ଥ, କାନ୍ଥ

ନ୍ + ଦ = ନ୍ଦ – ଚନ୍ଦନ, ନନ୍ଦନ

ନ୍ + ଧ = ନ୍ଧ – କାନ୍ଧ, ଗନ୍ଧ

ମ୍ + ପ = ମ୍ପ – ତମ୍ପ, ଚମ୍ପକ

ମ୍ + ଫ = ମ୍ଫ – ବାମ୍ଫ

ମ୍ + ବ = ମ୍ବ – ଲମ୍ବ, ଆମ୍ବ

ମ୍ + ଭ = ମ୍ଭ – ଦମ୍ଭ, ଶୁମ୍ଭ

ମନେରଖ – ସ୍ୱରବର୍ଣ୍ଣଗୁଡିକ ଅନ୍ୟ ବର୍ଣ୍ଣର ସାହାଯ୍ୟ ନ ନେଇ ଉଚ୍ଚାରିତ ହୁଅନ୍ତି, ମାତ୍ର ବ୍ୟଞ୍ଜନବର୍ଣ୍ଣଗୁଡିକ ସ୍ୱରବର୍ଣ୍ଣର ସାହାଯ୍ୟ ନେଇ ଉଚ୍ଚାରିତ ହୁଅନ୍ତି ।

ବିଶେଷ୍ୟ

(କ) ହରି ପିଠା ଖାଉଅଛି ।

(ଖ) ପକ୍ଷୀଗୁଡିକ ଗଛରେ ବସିଛନ୍ତି ।

(ଗ) ସୁନା ଏକ ମୂଲ୍ୟବାନ ପଦାର୍ଥ ।

(ଘ) ଲୋଭ କରିବା ଅନୁଚିତ୍ ।

(ଙ) ସକାଳେ ବ୍ୟାୟାମ କରିବା ଉଚିତ୍ ।

ଉପର ବାକ୍ୟଗୁଡିକରେ “ହରି” ଗୋଟିଏ ପିଲାର ନାମ । “ପକ୍ଷୀଗୁଡିକ” ଏକ ଜାତିର ନାମ । “ସୁନା” ଏକ ବସ୍ତୁର ନାମ । “ଲୋଭ” ଏକ ଗୁଣ ଅଟେ । “ବ୍ୟାୟାମ କରିବା” ଏକ କ୍ରିୟାର ନାମ ଅଟେ ।

ମନେରଖ – ଯେଉଁ ପଦ କୌଣସି ବ୍ୟକ୍ତି, ଜାତି, ବସ୍ତୁ, ଗୁଣ ଓ କ୍ରିୟାର ନାମକୁ ବୁଝାଏ, ତାକୁ ବିଶେଷ୍ୟ ପଦ କହନ୍ତି ।

ବିଶେଷ୍ୟପଦ ପାଂଚପ୍ରକାର । ଯଥା –

(୧) ନାମ ବା ବ୍ୟକ୍ତିବାଚକ ବିଶେଷ୍ୟ । (୨) ଜାତିବାଚକ ବିଶେଷ୍ୟ । (୩) ଗୁଣ ବାଚକ ବିଶେଷ୍ୟ । (୪) ବସ୍ତୁବାଚକ ବିଶେଷ୍ୟ । (୫) କ୍ରିୟାବାଚକ ବିଶେଷ୍ୟ ।

୧ । ନାମ ବା ବ୍ୟକ୍ତିବାଚକ ବିଶେଷ୍ୟ

(କ) ବୀଣା ଗୀତ ଗାଉଅଛି ।

(ଖ) ଗୋଦାବରୀ ଏକ ପବିତ୍ର ନଦୀ ଅଟେ ।

(ଗ) ଇଣ୍ଡିଆ ଆମର ଦେଶ ।

(ଘ) ବୈଶାଖ ମାସରେ ଟାଣ ଖରା ହୁଏ ।

ଏହି ବାକ୍ୟଗୁଡିକରେ ‘ବୀଣା’, ‘ଗୋଦାବରୀ’, ‘ଇଣ୍ଡିଆ’ଓ ‘ବୈଶାଖ’ ଯଥାକ୍ରମେ ବ୍ୟକ୍ତି, ନଦୀ, ଦେଶ ଓ ମାସର ନାମକୁ ବୁଝାଉଛି । ତେଣୁ ଏହି ପଦଗୁଡିକ ନାମ ବା ବ୍ୟକ୍ତିବାଚକ ବିଶେଷ୍ୟ ଅଟେ ।

ମନେରଖ – ଯେଉଁ ବିଶେଷ୍ୟପଦ କୌଣସି ଏକ ନିର୍ଦ୍ଦିଷ୍ଟ ବ୍ୟକ୍ତି; ସ୍ଥାନ; ପର୍ବତ; ଗ୍ରାମ; ମାସ; ବହି; ଦେଶର ନାମକୁ ବୁଝାଏ, ତାହା ନାମବାଚକ ବା ବ୍ୟକ୍ତିବାଚକ ବିଶେଷ୍ୟ ।

ଉଦାହରଣ – ଯଦୁ, ରାମ, ଉମା, କଟକ, ଜ୍ୟେଷ୍ଠ, କୋରାନ୍, ମହାନଦୀ, ପୁରୀ, ନୀଳଗିରି, ଗନ୍ଧମାର୍ଦ୍ଦନ, ଚୀନ, ଅଷ୍ଟ୍ରେଲିଆ ଇତ୍ୟାଦି ଗୋଟିଏ ଗୋଟିଏ ନାମବାଚକ ବିଶେଷ୍ୟ ।

୨ । ଜାତିବାଚକ ବିଶେଷ୍ୟ

(କ) ଗାଈଗୁଡିକ ପଡିଆରେ ଚରୁଛନ୍ତି ।

(ଖ) ମଣିଷ ଜୀବ ମଧ୍ୟରେ ଶ୍ରେଷ୍ଠ ।

(ଗ) ଶିକ୍ଷକମାନେ ଦେଶ ଗଠନ କରନ୍ତି ।

ଏହି ବାକ୍ୟଗୁଡିକରେ ଗାଈଗୁଡିକ, ମଣିଷ, ଶିକ୍ଷକମାନେ ପଦଗୁଡିକ ଏକ ଏକ ଜାତିକୁ ବୁଝାଉଛି । ତେଣୁ ଏସବୁ ‘ଜାତିବାଚକ ବିଶେଷ୍ୟ’ ଅଟେ ।

ମନେରଖ – ଯେଉଁ ପଦ କୌଣସି ଏକ ଜାତି ବା ଗୋଷ୍ଠୀର ନାମକୁ ବୁଝାଏ, ତାହା ‘ଜାତିବାଚକ ବିଶେଷ୍ୟ’ ଅଟେ ।

ଉଦାହରଣ – ହାତୀ, ବୃକ୍ଷ, ଲତା, ନଦୀ, ପର୍ବତ, ପଶୁ, ପକ୍ଷୀ ପ୍ରତ୍ୟେକ ଗୋଟିଏ ଗୋଟିଏ ଜାତିବାଚକ ବିଶେଷ୍ୟ ।

ନାମବାଚକ ଓ ଜାତିବାଚକ ବିଶେଷ୍ୟ ମଧ୍ୟରେ ପାର୍ଥକ୍ୟ ।

ନଦୀ – ଜାତିବାଚକ ବିଶେଷ୍ୟ । ମହାନଦୀ – ନାମବାଚକ ବିଶେଷ୍ୟ । ହିମାଳୟ – ନାମ ବାଚକ ବିଶେଷ୍ୟ, କିନ୍ତୁ ପର୍ବତ ଜାତିବାଚକ ବିଶେଷ୍ୟ

୩ । ଗୁଣବାଚକ ବିଶେଷ୍ୟ

(କ) ଗରିବର ସେବା ଭଗବାନଙ୍କର ସେବା ସହ ସମାନ ।

(ଖ) କ୍ଷମା ଦେବା ଗୁଣୀମାନଙ୍କର ବଳ ।

(ଗ) ବାଲ୍ୟରୁ ଧର୍ମ ଅର୍ଜନ କର ।

ଏହି ବାକ୍ୟଗୁଡିକରେ ସେବା, କ୍ଷମା, ଧର୍ମ ଗୋଟିଏ ଗୋଟିଏ ଗୁଣର ନାମ । ବାଲ୍ୟ ଗୋଟିଏ ଅବସ୍ଥାର ନାମ । ଏଣୁ ଏହା ଗୁଣବାଚକ ବିଶେଷ୍ୟ ।

ମନେରଖ – ଯେଉଁ ପଦ କୌଣସି ଗୁଣ ବା ଅବସ୍ଥାକୁ ବୁଝାଏ ତାହା ଗୁଣବାଚକ ବିଶେଷ୍ୟ ।

ଉଦାହରଣ – ଶ୍ରଦ୍ଧା, ଭକ୍ତି, ଲୋଭ, କ୍ରୋଧ, ଡର, ସାଧୁତା , ନିଷ୍ଠୁରତା ଗୋଟିଏ ଗୋଟିଏ ଭଲ ବା ମନ୍ଦ ଗୁଣର କାମ ।

ସୁଖ, ଦୁଃଖ, ଯୌବନ ଗୋଟିଏ ଗୋଟିଏ ଅବସ୍ଥାର ନାମ ।

୫ । କ୍ରିୟାବାଚକ ବିଶେଷ୍ୟ

(କ) ପିତାମାତାଙ୍କର କୁହା ମାନ ।

(ଖ) ଖରାରେ ଦୌଡିବା ଉଚିତ୍ ନୁହେଁ ।

(ଗ) ଶୋଇକରି ପଢିବା ଅନୁଚିତ୍ ।

(ଘ) ଭୋଜନ ପରେ ବିଶ୍ରାମ ନିଅ ।

ଏହି ବାକ୍ୟଗୁଡିକରେ ଥିବା କୁହା, ଦୌଡିବା, ପଢିବା, ଭୋଜନ ପଦଗୁଡିକ କ୍ରିୟାର ନାମକୁ ବୁଝାଉଛି । ତେଣୁ ଏସବୁ କ୍ରିୟାବାଚକ ବିଶେଷ୍ୟ ଅଟେ ।

ମନେରଖ – ଯେଉଁ ପଦ କୌଣସି କ୍ରିୟାର ନାମକୁ ବୁଝାଏ, ତାହା କ୍ରିୟାବାଚକ ବିଶେଷ୍ୟ ଅଟେ ।

ଉଦାହରଣ – ଭୋଜନ, ଶୟନ, ପାଳନ, ମିଶାଣ, ଗୁଣନ, ହସିବା, ପିଇବା, ଶ୍ରବଣ ଇତ୍ୟାଦି ଗୋଟିଏ ଗୋଟିଏ କାର୍ଯ୍ୟ ବା କ୍ରିୟାର ନାମ ଅଟେ । ଏଣୁ ଏଗୁଡିକ କ୍ରିୟାବାଚକ ବିଶେଷ୍ୟ ।

ବଚନ

୧ । ଛାତ୍ର ପଡିଆରେ ଖେଳୁଅଛି ।

୨ । ଛାତ୍ରମାନେ ପଡିଆରେ ଖେଳୁଛନ୍ତି ।

୩ । ତୁମେ ବହିଟି ନିଅ ।

୪ । ତୁମେ ବହିଗୁଡିକ ନିଅ ।

ଉପରେ ଲେଖାଥିବା ଅକ୍ଷରର ପଦମାନଙ୍କ ମଧ୍ୟରୁ ଛାତ୍ର ଜଣକୁ ବୁଝାଇଲା ବେଳେ ଛାତ୍ରମାନେ ଏକରୁ ଅଧିକ ଛାତ୍ରଙ୍କୁ ବୁଝାଉଛି । ସେହିପରି ବହିଟି ଗୋଟିଏ ବହିକୁ ବୁଝାଉଛି, ମାତ୍ର ବହିଗୁଡିକ କହିଲେ ଏକରୁ ଅଧିକ ବହିକୁ ବୁଝାଉଛି । ଛାତ୍ର ଓ ବହିଟି ଏକବଚନ । ଛାତ୍ରମାନେ ଓ ବହିଗୁଡିକ ବହୁବଚନ ।

ମନେରଖ – ବିଶେଷ୍ୟ କିମ୍ବା ସର୍ବନାମ ପଦ ଗୋଟିଏ ପ୍ରାଣୀ ବା ବସ୍ତୁକୁ ବୁଝାଇଲେ ଏକବଚନ ହୁଏ । ଏକରୁ ଅଧିକ ପ୍ରାଣୀ ବା ବସ୍ତୁକୁ ବୁଝାଇଲେ ବହୁବଚନ ହୁଏ ।

ବଚନ ପରିବର୍ତନ – ବିଭିନ୍ନ ପ୍ରଣାଳୀରେ ଏକବଚନ ପଦକୁ ବହୁବଚନରେ ପରିଣତ କରାଯାଏ । ତଳେ ସେଗୁଡିକର ଉଦାହରଣ ଦିଆଯାଇଛି ।

୧ । ‘ଏ’ ଯୋଗଦ୍ୱାରା ।

ଏକବଚନ ବହୁବଚନ ଏକବଚନ ବହୁବଚନ
ଲୋକ ଲୋକେ ପିଲା ପିଲେ, ପିଲାଏ
ବାଳକ ବାଳକେ ପୁଅ ପୁଏ
ଦେବ ଦେବେ

୨ । ‘ମାନେ’ ଯୋଗଦ୍ୱାରା

ଦେବତା ଦେବତାମାନେ ଭକ୍ତ ଭକ୍ତମାନେ
ଛାତ୍ର ଛାତ୍ରମାନେ ଝିଅ ଝିଅମାନେ

୩ । ‘ଗଣ’ ଯୋଗଦ୍ୱାରା

ଦେବ ଦେବଗଣ ପକ୍ଷୀ ପକ୍ଷୀଗଣ
ଶିକ୍ଷକ ଶିକ୍ଷକଗଣ ତାରା ତାରାଗଣ

୪ । ‘ଗୁଡିକ, ଗୁଡାକ’ ଯୋଗଦ୍ୱାରା

ଗାଈ ଗାଈଗୁଡିକ ବହି ବହିଗୁଡିକ
ପିଲା ପିଲାଗୁଡିକ ଛୁଆ ଛୁଆଗୁଡାକ

୫ । ‘ମାଳା’ ଯୋଗଦ୍ୱାରା

ବକ ବକମାଳା ପର୍ବତ ପର୍ବତମାଳା
ମେଘ ମେଘମାଳା ଗଳ୍ପ ଗଳ୍ପମାଳା

୬ । ‘ବର୍ଗ’ ଯୋଗଦ୍ୱାରା

ସଂତାନ ସଂତାନବର୍ଗ ଛାତ୍ର ଛାତ୍ରବର୍ଗ
ପ୍ରଜା ପ୍ରଜାବର୍ଗ ପ୍ରାଣୀ ପ୍ରାଣୀବର୍ଗ

୭ । ‘ରାଜି’ ଯୋଗଦ୍ୱାରା

ବୃକ୍ଷ ବୃକ୍ଷରାଜି ଦନ୍ତ ଦନ୍ତରାଜି
ବନ ବନରାଜି ମୃଗ ମୃଗରାଜି

୮ । ‘ଦଳ’ ଯୋଗଦ୍ୱାରା

ସୈନ୍ୟ ସୈନ୍ୟଦଳ ପିଲା ପିଲାଦଳ
ପଶୁ ପଶୁଦଳ ପିମ୍ପୁଡି ପିମ୍ପୁଡିଦଳ
ଶ୍ରମିକ ଶ୍ରମିକଦଳ

୯ । ‘ପଲ’ ଯୋଗଦ୍ୱାରା

ଗୋରୁ ଗୋରୁପଲ ହାତୀ ହାତୀପଲ
ମେଣ୍ଢା ମେଣ୍ଢାପଲ ହରିଣ ହରିଣପଲ

୧୦ । ‘ପୁଞ୍ଜ’ ଯୋଗଦ୍ୱାରା

ତାରା ତାରାପୁଞ୍ଜ ନକ୍ଷତ୍ର ନକ୍ଷତ୍ରପୁଞ୍ଜ
ଗ୍ରହାଣୁ ଗ୍ରହାଣୁପୁଞ୍ଜ ଗ୍ରାମ ଗ୍ରାମପୁଞ୍ଜ

୧୧ । ‘ବୃନ୍ଦ’ ଯୋଗଦ୍ୱାରା

କବି କବିବୃନ୍ଦ ଛାତ୍ର ଛାତ୍ରବୃନ୍ଦ
ସଭ୍ୟ ସଭ୍ୟବୃନ୍ଦ ଦେବ ଦେବବୃନ୍ଦ

୧୨ । ‘ସମୂହ’ ଯୋଗଦ୍ୱାରା

ବୃକ୍ଷ ବୃକ୍ଷସମୂହ ଲୋକ ଲୋକସମୂହ
ପାଦପ ପାଦପସମୂହ ଶିକ୍ଷକ ଶିକ୍ଷକସମୂହ

୧୩ । ‘କୁଳ’ ଯୋଗଦ୍ୱାରା

କୃଷକ କୃଷକକୁଳ ପକ୍ଷୀ ପକ୍ଷୀକୁଳ

୧୪ । ‘ଆବଳୀ’ ଯୋଗଦ୍ୱାରା

ଗ୍ରନ୍ଥ ଗ୍ରନ୍ଥାବଳୀ ପତ୍ର ପତ୍ରାବଳୀ
ଦୀପ ଦୀପାବଳୀ ଲେଖା ଲେଖାବଳୀ

୧୫ । ‘ଶ୍ରେଣୀ’’ ଯୋଗଦ୍ୱାରା

ପାଦପ ପାଦପଶ୍ରେଣୀ ଶିକ୍ଷକ ଶିକ୍ଷକଶ୍ରେଣୀ
ପର୍ବତ ପର୍ବତଶ୍ରେଣୀ

ଉଦାହରଣଗୁଡିକୁ ପଢ ।

୧ । ଶୀ୍ରଯୁକ୍ତ ପ୍ରଫୁଲ୍ଲ କର ଓଡିଶାର ଜଣେ ପ୍ରସିଦ୍ଧ ଗାୟକ ।

୨ । ହରିଣ ଓ ହରିଣୀ ପାଣି ପିଉଛନ୍ତି ।

୩ । ଲେଖକ ଓ ଲେଖିକାମାନେ ସମାଜରେ ସମ୍ମାନ ପାଆନ୍ତି ।

୪ । ମୋ ଛୁଆଟିର ଦେହ ଭଲ ନାହିଁ ।

୫ । ଏ ବହିଟି କାହାର?

ଉପରେ ଲେଖାଯାଇଥିବା ଉଦାହରଣଗୁଡିକରେ ପ୍ରଫୁଲ୍ଲ , ଗାୟକ, ହରିଣ, ଲେଖକ ପଦଗୁଡିକ ପୁରୁଷ ଜାତିକୁ ବୁଝାଉଛି ।

ହରିଣୀ, ଲେଖିକା ସ୍ତ୍ରୀଜାତିକୁ ବୁଝାଉଛି ।

‘ଛୁଆ’ ଏହା ପୁରୁଷ ଓ ସ୍ତ୍ରୀ ଉଭୟଙ୍କୁ ବୁଝାଉଛି ।

‘ବହି’ ପୁରୁଷ ବା ସ୍ତ୍ରୀ କାହାକୁ ବୁଝାଉନାହିଁ ।

ଏଥିରୁ ଜଣାଗଲା –

(କ) ଯେଉଁ ପଦ ପୁରୁଷ ଜାତି ବା ପୁରୁଷ ନାମକୁ ବୁଝାଏ, ତାକୁ ଫୁଲିଙ୍ଗ କହନ୍ତି । ଯଥା – ଛାତ୍ର, ନର, ଦେବ ।

(ଖ) ଯେଉଁ ପଦ ସ୍ତ୍ରୀଜାତି ବା ସ୍ତ୍ରୀର ନାମକୁ ବୁଝାଏ, ତାକୁ ସ୍ତ୍ରୀଲିଙ୍ଗ କହନ୍ତି ।

ଯଥା – ଛାତ୍ରୀ, ନାରୀ, ଦେବୀ, ସେବିକା ।

(ଗ) ଯେଉଁ ପଦ ପୁରୁଷ ଓ ସ୍ତ୍ରୀ ଉଭୟଙ୍କୁ ବୁଝାଏ, ତାକୁ ଉଭୟଲିଙ୍ଗ କହନ୍ତି । ଯଥା – ଛୁଆ, ପିଲା, ଶିଶୁ ।

(ଘ) ଯେଉଁ ପଦ ପୁରୁଷ କିମ୍ବା ସ୍ତ୍ରୀର ନାମକୁ ବୁଝାଏ ନାହିଁ, ତାକୁ କ୍ଲୀବଲିଙ୍ଗ କହନ୍ତି ।

ଯଥା – ପଥର, ପାଣି, ଘର, ଖାତା, ଟେବୁଲ ।

ଫୁଲିଙ୍ଗ ଶବ୍ଦକୁ ସ୍ତ୍ରୀଲିଙ୍ଗରେ ପରିଣତ କରିବାର କେତେକ ନିୟମ:

ଫୁଲିଙ୍ଗ ସ୍ତ୍ରୀଲିଙ୍ଗ ଫୁଲିଙ୍ଗ ସ୍ତ୍ରୀଲିଙ୍ଗ

୧ । ‘ଆ’ କାର (ା) ଯୋଗଦ୍ୱାରା

ଶିକ୍ଷକ ଶିକ୍ଷିକା ଶିବ ଶିବା
ବୃଦ୍ଧ ବୃଦ୍ଧା ଭଦ୍ର ଭଦ୍ରା
ସୁତ ସୁତା ସେବକ ସେବିକା
ପାଠକ ପାଠିକା ମହାଶୟ ମହାଶୟା

୨ । ‘ଈ’ କାର (ୀ) ଯୋଗଦ୍ୱାରା –

ନଦ ନଦୀ କୁମାର କୁମାରୀ
ଛାତ୍ର ଛାତ୍ରୀ କିଶୋର କିଶୋରୀ
ଛାଗ ଛାଗୀ ମାନବ ମାନବୀ
ଦେବ ଦେବୀ ତରୁଣ ତରୁଣୀ
ନର ନାରୀ ସୁନ୍ଦର ସୁନ୍ଦରୀ
ପୁତ୍ର ପୁତ୍ରୀ ମୟୂର ମୟୂରୀ
ବକ ବକୀ କୁକୁର କୁକୁରୀ
ହଂସ ହଂସୀ ପିଉସା ପିଉସୀ
ସିଂହ ସିଂହୀ ଘୋଟକ ଘୋଟକୀ
ଟେରା ଟେରୀ ମାତାମହ ମାତାମହୀ
ରଜକ ରଜକୀ ରାକ୍ଷସ ରାକ୍ଷସୀ

୩ । ‘ଆଣୀ’ ଯୋଗଦ୍ୱାରା –

ଇନ୍ଦ୍ର ଇନ୍ଦ୍ରାଣୀ ଠାକୁର ଠାକୁରାଣୀ
ତନ୍ତୀ ତନ୍ତିଆଣୀ ମାଲିକ ମାଲିକାଣୀ
ଯୋଗୀ ଯୋଗିଆଣୀ ସାଆନ୍ତ ସାଆନ୍ତାଣୀ
ସାମନ୍ତ ସାମନ୍ତାଣୀ ଚାକର ଚାକରାଣୀ
ମେହେନ୍ତର ମେହେନ୍ତରାଣୀ ସାହେବ ସାହେବାଣୀ

୪ । ‘ଉଣୀ’ ଯୋଗଦ୍ୱାରା –

ବାଘ ବାଘୁଣୀ କେଳା କେଳୁଣୀ
ନାଗ ନାଗୁଣୀ କନ୍ଧ କନ୍ଧୁଣୀ
ହାତୀ ହାତୁଣୀ କୁମ୍ଭାର କୁମ୍ଭାରୁଣୀ
ଗଧ ଗଧୁଣୀ ସଙ୍ଗାତ ସଙ୍ଗାତୁଣୀ
ଚାଷୀ ଚାଷୁଣୀ ଭିକାରି ଭିକାରୁଣୀ
ଗଉଡ ଗଉଡୁଣୀ ଗୋପାଳ ଗୋପାଳୁଣୀ

୫ । ‘ଣୀ’ ଯୋଗଦ୍ୱାରା –

ବାୟା ବାୟାଣୀ ଗୁଡିଆ ଗୁଡିଆଣୀ
ମିତ ମିତଣୀ ପାଟରା ପାଟରାଣୀ
ଧୋବା ଧୋବଣୀ ମୂଲିଆ ମୂଲିଆଣୀ
ଚୋର ଚୋରଣୀ ଓଡିଆ ଓଡିଆଣୀ

୬ । ‘ଲିଙ୍ଗସୂଚକ ଶବ୍ଦ’ ଯୋଗଦ୍ୱାରା –

ଅଣ୍ଡିରାବାଛୁରି ମାଈବାଛୁରୀ ପୁରୁଷଲୋକ ସ୍ତ୍ରୀଲୋକ
ଅଣ୍ଡିରିପିଲା ମାଈପିଲା ପୁତ୍ରସନ୍ତାନ କନ୍ୟାସନ୍ତାନ
ପୁଅପିଲା ଝିଅପିଲା ପୁରୁଷଯାତ୍ରୀ ସ୍ତ୍ରୀଯାତ୍ରୀ
ପୁରୁଷଡାକ୍ତର ମହିଳାଡାକ୍ତର ପୁରୁଷକବି ନାରୀକବି

୭ । ‘ଭିନ୍ନ ଶବ୍ଦ’ ବ୍ୟବହାରଦ୍ୱାରା –

ପିତା ମାତା ପୁରୁଷ ସ୍ତ୍ରୀ
ବାପା ମା’ ରାଜା ରାଣୀ
ଅଜା ଆଈ ପତି ପତ୍ନୀ
ମାମୁଁ ମାଈଁ ବର କନ୍ୟା
ପୁଅ ଝିଅ, ବୋହୁ ଭାଇ ଭଉଣୀ,ଭାଉଜ

କାରକ

୧ । ପ୍ରଭାତୀ ପଢୁଛି ।

୨ । ସୋନୁ ପିଠା ଖାଉଛି ।

୩ । ଚାଷୀ ଦାଆଦ୍ୱାରା ଧାନ କାଟେ ।

୪ । କର୍ଣ୍ଣ ଗରିବ ଲୋକଙ୍କୁ ଦାନ କରୁଥିଲେ ।

୫ । ଗଛରୁ ଫଳଟି ପଡିଲା ।

୬ । ଏହି ନଦୀର ଜଳ ମିଠା ।

୭ । ପିଲାମାନେ ପଡିଆରେ ଖେଳନ୍ତି ।

ଏହି ବାକ୍ୟଗୁଡିକ ପଢ । ଏଗୁଡିକରେ ବ୍ୟବହାର କରାଯାଇଥିବା କ୍ରିୟାପଦଗୁଡିକ ସହ ଅନ୍ୟ ପଦମାନଙ୍କର ଯେଉଁ ସମ୍ପର୍କ ଅଛି ଦେଖ ।

କ୍ରିୟାପଦକୁ ଧରି ପ୍ରଶ୍ନ ପଚାରିଲେ ଆମେ କି ଉତ୍ତର ପାଇବା ଦେଖ ।

ପ୍ରଶ୍ନ ଉତ୍ତର
୧ ।   କିଏ ପଢୁଛି? ପ୍ରଭାତୀ ।
୨ ।   ସୋନୁ କ’ଣ ଖାଉଛି? ପିଠା ।
୩ ।   ଚାଷୀ କାହାଦ୍ୱାରା ଧାନ କାଟେ? ଦାଆଦ୍ୱାରା ।
୪ ।   କର୍ଣ୍ଣ କାହାକୁ ଦାନ କରୁଥିଲେ? ଗରିବଲୋକଙ୍କୁ ।
୫ ।   କେଉଁଠି ଫଳଟି ପଡିଲା? ଗଛରୁ ।
୬ ।   କାହାର ଜଳ ମିଠା? ନଦୀର ।
୭ ।   ପିଲାମାନେ କେଉଁଠି ଖେଳନ୍ତି? ପଡିଆରେ ।

ଆମେ ଜାଣିଲେ ଯେ ବାକ୍ୟରେ କ୍ରିୟାପଦ ସହିତ ଅନ୍ୟ ପଦର ସମ୍ବନ୍ଧକୁ କାରକ କହନ୍ତି ।

କାରକର ପ୍ରକାରଭେଦ:

କାରକ ଛଅ ପ୍ରକାର । ଯଥା – କର୍ତ୍ତାକାରକ, କର୍ମକାରକ, କରଣକାରକ, ସମ୍ପ୍ରଦାନକାରକ, ଅପାଦାନକାରକ, ଅଧିକରଣକାରକ ।

୧ । କର୍ତ୍ତାକାରକ – ପ୍ରଭାତୀ

୨ । କର୍ମକାରକ – ପିଠା

୩ । କରଣକାରକ – ଦାଆ

୪ । ସମ୍ପ୍ରଦାନକାରକ – ଗରିବଲୋକଙ୍କୁ

୫ । ଅପାଦାନକାରକ – ଗଛରୁ

୬ । ଅଧିକରଣକାରକ – ପଡିଆରେ

୭ । ଷଷ୍ଠ ବାକ୍ୟରେ ନଦୀର ସମ୍ବନ୍ଧପଦ ।

୧ । କର୍ତ୍ତାକାରକ

୧ । ଗୋପାଳ ଲେଖୁଛି ।                                                          ୨ । ଶିକ୍ଷକ ପଢାଉଛନ୍ତି ।

ବାକ୍ୟ ଦୁଇଟିକୁ ଦେଖ । ଏଠାରେ ଲେଖିବା କାର୍ଯ୍ୟ ‘ଗୋପାଳ’ଓ ପଢାଇବା କାର୍ଯ୍ୟ ‘ଶିକ୍ଷକ’ କରୁଛନ୍ତି । ତେଣୁ ‘ଗୋପାଳ’ ଓ ‘ଶିକ୍ଷକ’ କର୍ତ୍ତାକାରକ ଅଟନ୍ତି ।

ମନେରଖ – ଯେ କାର୍ଯ୍ୟ କରେ ବା କରାଏ ତାହାର କର୍ତ୍ତାକାରକ ହୁଏ କର୍ତ୍ତାକାରକରେ ପ୍ରଥମା ବିଭକ୍ତି ହୁଏ । ପ୍ରଥମ ବାକ୍ୟରେ ଲେଖିବା କାର୍ଯ୍ୟ ଗୋପାଳ କରୁଛି । ଦ୍ୱିତୀୟ ବାକ୍ୟରେ ପଢିବା କାର୍ଯ୍ୟ ଶିକ୍ଷକ ଛାତ୍ରମାନଙ୍କ ଦ୍ୱାରା କରାଉଛନ୍ତି ।

୨ । କର୍ମକାରକ

୧ । ପ୍ରତିମା ଭାତ ଖାଉଛି ।

୨ । ବାପା ପୁରୀ ଗଲେ ।

୩ । ଆଈ ଗପ କହିବେ ।

ଏହି ବାକ୍ୟ ତିନୋଟି ପଢ । ‘ଖାଉଛି’ , ‘ଗଲେ’, ‘କହିବେ’ କ୍ରିୟାଗୁଡିକର କର୍ମ ହେଉଛି ଯଥାକ୍ରମେ ‘ଭାତ’, ‘ପୁରୀ’ , ‘ଗପ’ ।

ମନେରଖ – କର୍ତ୍ତା ଯାହା କରେ, ତାହା କର୍ମକାରକ । କର୍ମକାରକରେ ଦ୍ୱିତୀୟା ବିଭକ୍ତି ହୁଏ ।

କରଣକାରକ

୧ । କୃଷକ ଲଙ୍ଗଳଦ୍ୱାରା ଚାଷ କରେ ।

୨ । ମୁଁ କଲମରେ ଲେଖେ ।

୩ । ତୁମଦେଇ ଏ କାମ ହେବ ନାହିଁ ।

ଏହି ବାକ୍ୟଗୁଡିକୁ ପଢ । ପ୍ରଶ୍ନ କଲେ କି ଉତ୍ତର ପାଇବା ଦେଖ ।

ପ୍ରଶ୍ନ ଉତ୍ତର
କୃଷକ କାହାଦ୍ୱାରା ଚାଷ କରେ? ଲଙ୍ଗଳଦ୍ୱାରା
ମୁଁ କେଉଁଥିରେ ଲେଖେ? କଲମରେ
କାହା ଦେଇ କାମ ହେବ ନାହିଁ? ତୁମ ଦେଇ

ମନେରଖ – କର୍ତ୍ତା ଯାହାଦ୍ୱାରା କାର୍ଯ୍ୟ ସାଧନ କରେ, ତାହା କରଣକାରକ । କରଣକାରକରେ ତୃତୀୟା ବିଭକ୍ତି ହୁଏ ।

ସମ୍ପ୍ରଦାନକାରକ

୧ । ହରିଶ୍ଚନ୍ଦ୍ର ଦରିଦ୍ରକୁ ଦାନ କରୁଥିଲେ ।

୨ । ମାଆ ଭିକାରିଟିକୁ ଚାଉଳ ଦେଲେ ।

୩ । ବଳିରାଜା ବାମନଙ୍କୁ ତିନିପାଦ ଭୂମି ଦେଇଥିଲେ ।

ବାକ୍ୟଗୁଡିକୁ ପଢ । ପ୍ରଶ୍ନ କଲେ କି ଉତ୍ତର ପାଇବା ଦେଖ ।

ପ୍ରଶ୍ନ ଉତ୍ତର
୧ ।   ହରିଶ୍ଚନ୍ଦ୍ର କାହାକୁ ଦାନ କରୁଥିଲେ? ଦରିଦ୍ରକୁ
୨ ।   ମାଆ କାହାକୁ ଚାଉଳ ଦେଲେ? ଭିକାରିକୁ
୩ ।   ବଳିରାଜା କାହାକୁ ଭୂମି ଦେଇଥିଲେ? ବାମନଙ୍କୁ

ଯାହାକୁ ଦାନ କରାଯାଏ, ତାହାର ସମ୍ପ୍ରଦାନକାରକ ହୁଏ । ଏଠାରେ ଦରିଦ୍ରକୁ, ଭିକାରିକୁ, ବାମନଙ୍କୁ – ସମ୍ପ୍ରଦାନକାରକ ।

ମନେରଖ – ଯାହାକୁ ଦାନ କରାଯାଏ, ସେଠାରେ ସମ୍ପ୍ରଦାନକାରକ ହୁଏ । ସମ୍ପ୍ରଦାନକାରକରେ ଚତୁର୍ଥୀ ବିଭକ୍ତି ହୁଏ ।

ଅପାଦାନକାରକ

୧ । ଗଛରୁ ପତ୍ରଟି ପଡିଲା ।

୨ । ଗଙ୍ଗାନଦୀ ହିମାଳୟରୁ ବାହାରିଛି ।

୩ । ଗୀତା ପୁରୀରୁ ଫେରିଲା ।

ବାକ୍ୟଗୁଡିକୁ ପଢ । ପ୍ରଶ୍ନ ପଚାରିଲେ କି ଉତ୍ତର ମିଳୁଛି ଦେଖ ।

ପ୍ରଶ୍ନ ଉତ୍ତର
୧ ।   ପତ୍ରଟି କେଉଁଠୁ ପଡିଲା? ଗଛରୁ
୨ ।   ଗଙ୍ଗାନଦୀ କେଉଁଠୁ ବାହାରିଛି? ହିମାଳୟରୁ
୩ ।   ଗୀତା କେଉଁଠୁ ଫେରିଲା? ପୁରୀରୁ

ଏଠାରେ ଗଛରୁ, ହିମାଳୟରୁ, ପୁରୀରୁ ଅପାଦାନକାରକ ।

ମନେରଖ – ବ୍ୟକ୍ତି, ବସ୍ତୁ ଓ ପ୍ରାଣୀ ଯେଉଁଠାରୁ ବିଚ୍ଛିନ୍ନ ବା ଅଲଗା ହୁଏ, ସେଠାରେ ଅପାଦାନକାରକ ହୁଏ । ଅପାଦାନ କାରକରେ ପଂଚମୀ ବିଭକ୍ତି ହୁଏ ।

୬ । ଅଧିକରଣକାରକ

୧ । ଆମେ ବିଦ୍ୟାଳୟରେ ପଢୁ ।

୨ । ବର୍ଷାକାଳରେ ନଈବଢି ହୁଏ ।

୩ । ଆମ ଶିକ୍ଷକ ଗଣିତରେ ପଟୁ ।

ବାକ୍ୟଗୁଡିକ ପଢ । ପ୍ରଥମ ବାକ୍ୟରେ ‘ବିଦ୍ୟାଳୟ’ ଏକ ସ୍ଥାନ । ପଢିବା କାମ ‘ବିଦ୍ୟାଳୟରେ’ ହେଉଛି ।

ଦ୍ୱିତୀୟ ବାକ୍ୟରେ ‘ନଈବଢି ହୁଏ’ କ୍ରିୟା ବର୍ଷାକାଳରେ ହେବା ସୂଚାଉଛି । ବର୍ଷାକାଳ ଏକ ସମୟ ।

ତୃତୀୟ ବାକ୍ୟରେ ‘ଗଣିତ’ ଏକ ବିଷୟ ।

ଏଠାରେ ବିଦ୍ୟାଳୟରେ, ବର୍ଷାକାଳରେ, ଗଣିତରେ – ଅଧିକରଣକାରକ ।

ପ୍ରଶ୍ନ କଲେ କି ଉତ୍ତର ପାଉଛେ ଦେଖ ।

ପ୍ରଶ୍ନ ଉତ୍ତର
୧ ।   ଆମେ କେଉଁଠି ପଢୁ? ବିଦ୍ୟାଳୟରେ
୨ ।   କେତେବେଳେ ନଈବଢି ହୁଏ? ବର୍ଷାକାଳରେ
୩ ।   ଶିକ୍ଷକ କେଉଁ ବିଷୟରେ ପଟୁ? ଗଣିତରେ

ମନେରଖ – କ୍ରିୟା ଯେଉଁ ସ୍ଥାନରେ, ଯେଉଁ ସମୟରେ ବା ଯେଉଁ ବିଷୟରେ ହେବାର ଜଣାଯାଏ, ତାହାର ଅଧିକରଣକାରକ ହୁଏ । ଅଧିକରଣକାରକରେ ସପ୍ତମୀ ବିଭକ୍ତି ହୁଏ ।

ସମ୍ବନ୍ଧ ପଦ

୧ । ରମାର ଗୋଟିଏ କଲମ ଅଛି ।

୨ । ଚନ୍ଦ୍ରଙ୍କ କିରଣ ଶୀତଳ ।

୩ । ଅନାଥ ଅଜାଙ୍କ ଘରେ ଅଛି ।

୪ । ହରିବାବୁଙ୍କ ପୁଅ ଗୋପୀ ଭଲ ପଢୁଛି ।

ପ୍ରଥମ ବାକ୍ୟରେ ରମା ସହିତ କଲମର, ଦ୍ୱିତୀୟ ବାକ୍ୟରେ ଚନ୍ଦ୍ର ସହ କିରଣର, ତୃତୀୟ ବାକ୍ୟରେ ଅଜାଙ୍କ ସହ ଅନାଥର ଏବଂ ଚତୁର୍ଥ ବାକ୍ୟରେ ହରିବାବୁଙ୍କ ସହିତ ପୁଅର ସମ୍ବନ୍ଧ ଅଛି । ତେଣୁ ରମାର, ଚନ୍ଦ୍ରଙ୍କ, ଅଜାଙ୍କ, ହରିବାବୁଙ୍କ ସମ୍ବନ୍ଧ ପଦ ।

ବାକ୍ୟଗୁଡିକୁ ପଢ । ପ୍ରଶ୍ନ ପଚାରିଲେ କି ଉତ୍ତର ପାଉଛ?

ପ୍ରଶ୍ନ ଉତ୍ତର
୧ । କାହାର କଲମ ଅଛି? ରମାର
୨ । କାହାର କିରଣ ଶୀତଳ? ଚନ୍ଦ୍ରଙ୍କ
୩ । କାହାର ଘରେ ଅନାଥ ଅଛି? ଅଜାଙ୍କ
୪ । ଗୋପୀ କାହାର ପୁଅ? ହରିବାବୁଙ୍କ

ମନେରଖ – ଯେଉଁ ପଦର କ୍ରିୟାପଦ ବ୍ୟତୀତ ଅନ୍ୟ ପଦ ସହିତ ସମ୍ପର୍କ ଥାଏ; ତାହା ସମ୍ବନ୍ଧ ପଦ । ସମ୍ବନ୍ଧ ପଦରେ ଷଷ୍ଠୀ ବିଭକ୍ତି ହୁଏ ।

ସମ୍ବୋଧନ ପଦ

୧ । ଦାସେ! କୁଆଡେ ଯାଉଛ?

୨ । ଭାଇ! ମୋତେ ଦୟା କର ।

୩ । ବୋଉ! ଭୋକ ହେଲାଣି ।

ଏହି ବାକ୍ୟଗୁଡିକୁ ଦେଖ । ‘ଦାସେ’, ‘ଭାଇ’, ‘ବୋଉ’ ସମ୍ବୋଧନ ପଦ । ଏହି ପଦଗୁଡିକରେ ସମ୍ବୋଧନ କରି କିଛି କୁହାଯାଉଛି ।

ମନେରଖ – ଯାହାକୁ ସମ୍ବୋଧନ କରି କିଛି କୁହାଯାଏ, ତାହାକୁ ସମ୍ବୋଧନ ପଦ କହନ୍ତି । ସମ୍ବୋଧନ ପଦରେ ପ୍ରଥମାବିଭକ୍ତି ହୁଏ ।

ବିଭକ୍ତି

ଛାତ୍ରମାନେ ଖେଳପଡିଆକୁ ଯାଉଛନ୍ତି ।

ଏଠାରେ ଛାତ୍ର ଶବ୍ଦରେ ‘ମାନେ’ ଓ ଖେଳପଡିଆ ଶବ୍ଦରେ ‘କୁ’ ଯୋଗ କରାଯାଇଥିବାରୁ ଛାତ୍ର ଶବ୍ଦର ବହୁବଚନ ଓ ଖେଳପଡିଆ ଶବ୍ଦର ଏକବଚନ ବୁଝାଉଅଛି । ପୁଣି ଛାତ୍ର ଶବ୍ଦ କର୍ତ୍ତାକାରକ ଓ ଖେଳପଡିଆ ଶବ୍ଦର କର୍ମକାରକ ହୋଇଥିବା ବୁଝାପଡୁଅଛି । ଏଣୁ ‘ମାନେ’ ଓ ‘କୁ’ ଚିହ୍ନ ଦୁଇଟି ବିଭକ୍ତିର ଉଦାହରଣ ଅଟେ ।

ମନେରଖ- ଯେଉଁ ଚିହ୍ନ ବଚନ, କାରକ ଓ ସମ୍ବନ୍ଧ ପଦକୁ ଚିହ୍ନାଇଦିଏ ତାକୁ ବିଭକ୍ତି କହନ୍ତି ।

ବିଭକ୍ତି ସାତ ପ୍ରକାର; ଯଥା – ପ୍ରଥମା, ଦ୍ୱିତୀୟା, ତୃତୀୟା, ଚତୁର୍ଥୀ, ପଂଚମୀ, ଷଷ୍ଠୀ, ସପ୍ତମୀ ।

କାରକ ସମ୍ବନ୍ଧ ପଦର ବିଭକ୍ତି

୧ । କର୍ତ୍ତାକାରକ – ପ୍ରଥମା ବିଭକ୍ତି

୨ । କର୍ମକାରକ – ଦ୍ୱିତୀୟା ବିଭକ୍ତି

୩ । କରଣକାରକ – ତୃତୀୟା ବିଭକ୍ତି

୪ । ସମ୍ପ୍ରଦାନକାରକ – ଚତୁର୍ଥୀ ବିଭକ୍ତି

୫ । ଅପାଦାନକାରକ – ପଂଚମୀ ବିଭକ୍ତି

୬ । ଅଧିକରଣକାରକ – ସପ୍ତମୀ ବିଭକ୍ତି

୭ । ସମ୍ବନ୍ଧ ପଦ – ଷଷ୍ଠୀ ବିଭକ୍ତି

ବିଭକ୍ତିଗୁଡିକର ଚିହ୍ନ

ବିଭକ୍ତି ଏକବଚନ ବହୁବଚନ
ପ୍ରଥମା ଟି, ଟାଏ, ଏ, ମାନ, ମାନେ, ଏ, ଗୁଡିଏ, ଗୁଡିକ, ଗୁଡାକ
ଦ୍ୱିତୀୟା କି, କୁ, ଙ୍କୁ, ଟାକୁ, ଟିକୁ ମାନଙ୍କୁ, ଗୁଡିକୁ, ଗୁଡାକୁ
ତୃତୀୟା ରେ, ଦ୍ୱାରା, ଦେହି, କର୍ତୃକ ମାନଙ୍କଦ୍ୱାରା, ମାନଙ୍କକର୍ତୃକ
ଚତୁର୍ଥୀ କୁ, ଙ୍କୁ, ପାଇଁ, ନିମିତ ଙ୍କୁ, ମାନଙ୍କୁ
ପଂଚମୀ ରୁ, ଠାରୁ, ଠୁଁ ମାନଙ୍କରୁ, ମାନଙ୍କଠୁ
ଷଷ୍ଠୀ ର, ଙ୍କ, ଙ୍କର, ଟିର, ଟାର ଙ୍କ, ଙ୍କର, ମାନଙ୍କ, ମାନଙ୍କର, ଗୁଡିକର
ସପ୍ତମୀ ରେ, ଠାରେ ମାନଙ୍କରେ, ମାନଙ୍କଠାରେ, ଗୁଡିକରେ

ସର୍ବନାମ

ବିପିନ ଚତୁର୍ଥ ଶ୍ରେଣୀରେ ପଢେ । ବିପିନ ଗୋଟିଏ ଭଲ ପିଲା । ଶିକ୍ଷକ ବିପିନର ପ୍ରଶଂସା କରନ୍ତି । ବିପିନର ସାନଭାଇ ରାମ । ବିପିନ ପିତାମାତାଙ୍କ କଥା ମାନେ । ପିତାମାତା ବିପିନକୁ ଆଦର କରନ୍ତି । ବିପିନ ଓ ରାମ ଠିକ୍ ସମୟରେ ସବୁ କାମ କରନ୍ତି ।

ଉପରେ ବିପିନ ବିଷୟରେ ଲେଖାଯାଇଥିବା ବାକ୍ୟଗୁଡିକରେ ‘ବିପିନ’ ପଦଟି ବାରମ୍ବାର ବ୍ୟବହୃତ ହେଉଅଛି । ତେଣୁ ତାହା କାନକୁ ଭଲ ଶୁଣାଯାଉ ନାହିଁ । ତାହାକୁ ବଦଳାଇ ଏହିପରି ଲେଖାଯାଏ ।

ବିପିନ ଚତୁର୍ଥ ଶ୍ରେଣୀରେ ପଢେ । ସେ ଗୋଟିଏ ଭଲପିଲା । ଶିକ୍ଷକ ତାର ପ୍ରଶଂସା କରନ୍ତି । ତାର ସାନଭାଇ ରାମ । ସେ ପିତାମାତାଙ୍କ କଥା ମାନେ । ପିତାମାତା ତାକୁ ଆଦର କରନ୍ତି । ସେ ଦୁଇଜଣ ଠିକ୍ ସମୟରେ ସବୁ କାମ କରନ୍ତି ।

ପ୍ରଥମ ଲେଖାରେ ବାରମ୍ବାର ବ୍ୟବହୃତ ହୋଇଥିବା ବିଶେଷ୍ୟ ପଦ ପରିବର୍ତେ ଆଉ କେତେକ ପଦ ବ୍ୟବହାର କରାଯାଇଛି । ଯଥା – ସେ; ତାର

ମନେରଖ – ବିଶେଷ୍ୟ ପଦ ବଦଳରେ ଯେଉଁ ପଦ ବ୍ୟବହାର କରାହୁଏ, ତାହା ସର୍ବନାମ ପଦ ଅଟେ ।

ସେ, ତାର, ତାକୁ, ସେମାନେ, ସେମାନଙ୍କୁ, ମୁଁ, ତୁମ୍ଭେ, ଆମ୍ଭେମାନେ, ଯେତିକି, ଏ, ଏହା, ଯେ, ଯାହା ଇତ୍ୟାଦି ସର୍ବନାମ ପଦ ଅଟେ ।

ପୁରୁଷ

ଓଡିଆ ଭାଷାରେ ତିନୋଟି ପୁରୁଷ ଅଛି ।

ସେଗୁଡିକ ହେଉଛି – ୧ମ ପୁରୁଷ, ୨ୟ ପୁରୁଷ ଓ ୩ୟ ପୁରୁଷ ।

୧ମ ପୁରୁଷ – ମୁଁ, ଆମେ, ଆମ୍ଭେ, ଆମ୍ଭେମାନେ

୨ୟ ପୁରୁଷ – ତୁ, ତୁମେ, ତୁମ୍ଭେ, ତୁମ୍ଭେମାନେ

ସମ୍ମାନ ଦେଇ କହିଲାବେଳେ ବା ଲେଖିଲାବେଳେ ତୁ, ତୁମେ ବଦଳରେ ଆପଣ, ଆପଣମାନେ ବ୍ୟବହାର କରାଯାଏ ।

୩ୟ ପୁରୁଷ – ସେ, ସେମାନେ, ଯେ, ଯେଉଁମାନେ, କିଏ, କେଉଁମାନେ, ଏ, ଏହି, ଏହିମାନେ, ଏହା, ତାହା, ଯାହା, କାହା

ସବୁ ବିଶେଷ୍ୟ ପଦ ୩ୟ ପୁରୁଷର ଅନ୍ତର୍ଗତ । ସର୍ବନାମ ଏବଂ ବିଶେଷ୍ୟ ପଦମାନଙ୍କର ପୁରୁଷ ହୁଏ । କର୍ତ୍ତାର ପୁରୁଷକୁ ଦେଖି କ୍ରିୟାର ଠିକ୍ ରୂପେ ବ୍ୟବହାର କରାଯାଏ ।

‘ମୁଁ’ ଏବଂ ‘ଆମେ’ ରୁ ଯେଉଁ ସର୍ବନାମ ତିଆରି କରାଯାଏ, ସେଗୁଡିକ ୧ମ ପୁରୁଷର ଅନ୍ତର୍ଭୁକ୍ତ । ‘ତୁ’ ଓ ‘ତୁମେ’ ରୁ ଯେଉଁ ସର୍ବନାମ ସୃଷ୍ଟି କରାଯାଏ, ସେଗୁଡିକ ୨ୟ ପୁରୁଷର ଅନ୍ତର୍ଗତ ।

୧ମ ଓ ୨ୟ ପୁରୁଷକୁ ଛାଡି ଅନ୍ୟ ସର୍ବନାମ ୩ୟ ପୁରୁଷ ।

ବିଶେଷଣ

୧ । ଗୁଣୀ ଲୋକ ସବୁଠାରେ ପୂଜାପାଏ ।

୨ । ଏହି କଲମଟିର ଦାମ୍ ଦଶ ଟଙ୍କା ।

୩ । ଛୋଟା ଲୋକଟି ଗୀତ ଗାଉଛି ।

ପ୍ରଥମ ବାକ୍ୟରେ ‘ଲୋକ’ ଗୋଟିଏ ବିଶେଷ୍ୟ ପଦ । ‘ଗୁଣୀ’ ପଦଟି ଏହାର ଗୁଣ ବୁଝାଉଅଛି । ଦ୍ୱିତୀୟ ବାକ୍ୟରେ ‘ଟଙ୍କା’ ଗୋଟିଏ ବିଶେଷ୍ୟ ପଦ । ‘ଦଶ’ ବିଶେଷ୍ୟ ପଦର ସଂଖ୍ୟାକୁ ବୁଝାଉଅଛି । ତୃତୀୟ ବାକ୍ୟରେ ‘ଛୋଟା’ ଲୋକ ବିଶେଷ୍ୟ ପଦର ଅବସ୍ଥାକୁ ବୁଝାଉଅଛି । ତେଣୁ ବିଶେଷ୍ୟ ପଦର ଗୁଣ, ଅବସ୍ଥା, ପରିମାଣ ବା ସଂଖ୍ୟାକୁ ବୁଝାଉଥିବା ପଦକୁ ‘ବିଶେଷଣ ପଦ’ କୁହାଯାଏ ।

ବିଶେଷଣ ନଅ ପ୍ରକାର । ଯଥା (୧) ଗୁଣବାଚକ ବିଶେଷଣ (୨) ସଂଖ୍ୟାବାଚକ ବିଶେଷଣ (୩) ପୂରଣବାଚକ ବିଶେଷଣ (୪) ଅବସ୍ଥାବାଚକ ବିଶେଷଣ (୫) ନିର୍ଦ୍ଧେଶ ବାଚକ ବିଶେଷଣ (୬) ପରିମାଣବାଚକ ବିଶେଷଣ (୭) କ୍ରିୟା ବିଶେଷଣ (୮) ବିଧେୟ ବିଶେଷଣ (୯) ବିଶେଷଣର ବିଶେଷଣ ।

ଗୁଣବାଚକ ବିଶେଷଣ

ଯେଉଁ ପଦ ବିଶେଷ୍ୟ ପଦର କୌଣସି ଗୁଣକୁ ବୁଝାଏ, ତାକୁ ଗୁଣବାଚକ ବିଶେଷଣ କହନ୍ତି ।

ଉଦାହରଣ – (୧) ବୁଦ୍ଧିଆ ବାଳକ ପ୍ରଶଂସା ପାଏ ।

(୨) ଅପ୍ରିୟ କଥା ସମସ୍ତଙ୍କୁ କଷ୍ଟ ଦିଏ ।

(୩) ଦୁଷ୍ଟ ଲୋକଠାରୁ ଦୂରରେ ରୁହ ।

ଉପର ବାକ୍ୟଗୁଡିକରେ ବୁଦ୍ଧିଆ, ଅପ୍ରିୟ, ଦୁଷ୍ଟ ଗୋଟିଏ ଗୋଟିଏ ଗୁଣ ବୁଝାଉଛି । ତେଣୁ ଏଗୁଡିକ ଗୁଣବାଚକ ବିଣେଷଣ ଅଟନ୍ତି ।

ସଂଖ୍ୟାବାଚକ ବିଶେଷଣ

ଯେଉଁ ବିଶେଷଣ ପଦ କୌଣସି ସଂଖ୍ୟାକୁ ବୁଝାଏ, ତାକୁ ସଂଖ୍ୟାବାଚକ ବିଶେଷଣ କହନ୍ତି ।

ଉଦାହରଣ – (୧) ବାର ମାସରେ ଏକବର୍ଷ ହୁଏ ।

(୨) ହରି ଦିନକୁ ତିରିଶ ଟଙ୍କା ମଜୁରି ପାଏ ।

(୩) ଆମର ପାଂଚଟି ଗାଈ ଅଛନ୍ତି ।

ଉପର ବାକ୍ୟଗୁଡିକରେ ବାର, ତିରିଶ, ପାଂଚ ଗୋଟିଏ ଗୋଟିଏ ସଂଖ୍ୟାକୁ ବୁଝାଉଛି । ଏଣୁ ଏଗୁଡିକ ସଂଖ୍ୟାବାଚକ ବିଶେଷଣ ।

ପୂରଣବାଚକ ବିଶେଷଣ

ଯେଉଁ ପଦ କୌଣସି ସଂଖ୍ୟାରୁ ତିଆରି ହୋଇ ନିର୍ଦ୍ଦିଷ୍ଟ କ୍ରମରେ କାହାରିକୁ ବୁଝାଏ, ତାକୁ ପୂରଣବାଚକ ବିଶେଷଣ କହନ୍ତି ।

ଉଦାହରଣ – (୧) ଲକି ଏବର୍ଷ ଚତୁର୍ଥ ଶ୍ରେଣୀରେ ପଢିବ ।

(୨)   କେ.ଆର. ନାରାୟଣନ୍ ଇଣ୍ଡିଆ ର ଦଶମ ରାଷ୍ଟ୍ରପତି ।

(୩)   ରିଙ୍କି ପ୍ରଦୀପବାବୁଙ୍କ ତୃତୀୟ ସନ୍ତାନ ।

(୪)   ଈଶାନୀ ଶ୍ରେଣୀରେ ପ୍ରଥମ ହୁଏ ।

ଉପର ବାକ୍ୟଗୁଡିକରେ ଚତୁର୍ଥ, ଦଶମ, ତୃତୀୟ ଓ ପ୍ରଥମ ପୂରଣବାଚକ ବିଶେଷଣ ।

ଅବସ୍ଥାବାଚକ ବିଶେଷଣ

ଯେଉଁ ପଦ କୌଣସି ବ୍ୟକ୍ତି ବା ବସ୍ତୁର ଅବସ୍ଥାକୁ ବୁଝାଏ, ତାହାକୁ ଅବସ୍ଥାବାଚକ ବିଶେଷଣ କୁହାଯାଏ ।

ଉଦାହରଣ –           (୧) ବଳୁଆ ଲୋକଙ୍କୁ ସମସ୍ତେ ଡରନ୍ତି ।

(୨) ନୂଆ ପୋଷାକ ପିନ୍ଧିବାକୁ ପିଲାମାନେ ଭଲ ପାଆନ୍ତି ।

(୩) ଛୋଟାଲୋକଙ୍କୁ ସାହାଯ୍ୟ କର ।

(୪) ଭଙ୍ଗା ଘରକୁ ଯାଅ ନାହିଁ ।

ଉପର ବାକ୍ୟଗୁଡିକରେ ବଳୁଆ, ନୂଆ, ଛୋଟା ଓ ଭଙ୍ଗା ପଦଗୁଡିକ ଅବସ୍ଥାବାଚକ ବିଶେଷଣ ।

ନିର୍ଦ୍ଧେଶ ବାଚକ ବିଶେଷଣ

ଯେଉଁ ବିଶେଷଣ ପଦ ପରବର୍ତୀ ବିଶେଷ୍ୟ ପଦକୁ ନିଦେ୍ର୍ଦଶ କରେ, ତାକୁ ନିର୍ଦ୍ଧେଶ ବାଚକ ବିଶେଷଣ କହନ୍ତି ।

ଉଦାହରଣ – (୧) ମୁଁ ଏସବୁ କଥା ଜାଣି ନଥିଲି ।

(୨) ଯେଉଁ କଥା ଅନ୍ୟକୁ ଦୁଃଖ ଦିଏ, ତାହା ନ କହିବା ଭଲ ।

ଉପର ବାକ୍ୟରେ ‘ଏସବୁ’ ଓ ‘ଯେଉଁ କଥା’କୁ ନିର୍ଦ୍ଧେଶ କରୁଛି । ଏଣୁ ଏ ଦୁଇଟି ପଦ ନିର୍ଦ୍ଧେଶ ବାଚକ ବିଶେଷଣ ଅଟନ୍ତି ।

ପରିମାଣବାଚକ ବିଶେଷଣ

ଯେଉଁ ପଦ କୌଣସି ବିଶେଷ୍ୟ ପଦର ପରିମାଣକୁ ସୂଚାଏ ତାହାକୁ ପରିମାଣବାଚକ ବିଶେଷଣ କହନ୍ତି ।

ଉଦାହରଣ – (୧) ରାମବାବୁଙ୍କର ବହୁତ ଧନ ଅଛି ।

(୨) ଗରିବକୁ ମୁଠାଏ ଚାଉଳ ଦିଅ ।

(୩) ମୋତେ ଗିଲାସେ ପାଣି ଦରକାର ।

(୪) ଶ୍ରମିକଟି ବସ୍ତାଏ ଧାନ ଟେକି ନେଉଛି ।

ଏଠାରେ ବହୁତ, ମୁଠାଏ, ଗିଲାସେ ଓ ବସ୍ତାଏ କୌଣସି ବସ୍ତୁର ପରିମାଣ ବୁଝାଉଛି । ତେଣୁ ଏଗୁଡିକ ପରିମାଣବାଚକ ବିଶେଷଣ ।

କ୍ରିୟାବିଶେଷଣ

ଯେଉଁ ପଦ କ୍ରିୟାଟି କିପରି ସାଧିତ ହେଉଛି ଜଣାଇଦିଏ, ତାକୁ କ୍ରିୟାବିଶେଷଣ କହନ୍ତି ।

ଉଦାହରଣ –

(୧)         ପବନ ବେଗରେ ବହୁଛି ।

(୨)         କାଦୁଅ ରାସ୍ତାରେ ଆସ୍ତେ ଆସ୍ତେ ଚାଲ ।

(୩)         ଦୀପଟି ମିଞ୍ଜି ମିଞ୍ଜି ଜଳୁଛି ।

ଏଠାରେ ବେଗରେ, ଆସ୍ତେ ଆସ୍ତେ, ମିଞ୍ଜି ମିଞ୍ଜି ପଦଗୁଡିକ କ୍ରିୟାବିଶେଷଣ ଅଟନ୍ତି ।

ବିଧେୟ ବିଶେଷଣ

ଯେଉଁ ବିଶେଷଣ ପଦ ବିଶେଷ୍ୟ ପଦ ପରେ ବ୍ୟବହୃତ ହୋଇଥାଏ, ତାହା ବିଧେୟ ବିଶେଷଣ ।

ଉଦାହରଣ – (୧) ଲୋକଟି ବୋକା ।

(୨) ରାମ ଦୁଷ୍ଟ ଅଟେ ।

(୩) ଆମ୍ବଟି କଂଚା ।

ଏଠାରେ ବୋକା, ଦୁଷ୍ଟ ଓ କଂଚା ଯଥାକ୍ରମେ ଲୋକ, ରାମ ଓ ଆମ୍ବ ପରେ ବ୍ୟବହୃତ ହୋଇଛି । ତେଣୁ ସେ ସବୁ ବିଧେୟ ବିଶେଷଣ ।

ବିଶେଷଣର ବିଶେଷଣ

ଯେଉଁ ବିଶେଷଣ ପଦ ଅନ୍ୟ ବିଶେଷଣ ପଦ ବିଷୟରେ କିଛି କହେ ବା ଜଣାଏ ତାହାକୁ ବିଶେଷଣର ବିଶେଷଣ କୁହାଯାଏ । ବିଶେଷଣ ପଦ ପୂର୍ବରୁ ବ୍ୟବହୃତ ବିଶେଷଣ ବିଶେଷଣର ବିଶେଷଣ ଅଟେ ।

ଉଦାହରଣ –

(୧) ଦାମ ବଡ ବୁଦ୍ଧିଆ ।

(୨) ସେ ଅତି ସରଳ ପିଲା ।

(୩) ବରଫ ଭାରି ଥଣ୍ଡା ଲାଗେ ।

(୪) ମୋତେ ଗାଢ ନାଲି ରଙ୍ଗ ଫୁଲ ଭଲ ଲାଗେ ।

ଏଠାରେ ବଡ, ଅତି, ଭାରି ଓ ଗାଢ ପଦଗୁଡିକ ବିଶେଷଣର ବିଶେଷଣ ଅଟନ୍ତି ।

କ୍ରିୟା

୧ ।   ମେଘ ବର୍ଷୁଅଛି ।

୨ ।   ବାପା ପୁରୀ ଗଲେ ।

୩ ।   ଶିଶୁ କ୍ଷୀର ପିଇବ ।

୪ ।   ପିଲାମାନେ ପଡିଆରେ ଖେଳୁଛନ୍ତି ।

ଉପରେ ଦିଆଯାଇଥିବା ଚାରୋଟି ବାକ୍ୟକୁ ପଢ । ପ୍ରଥମ ବାକ୍ୟରେ ‘ବର୍ଷୁଅଛି’, ଦ୍ୱିତୀୟ ବାକ୍ୟରେ ‘ଗଲେ’, ତୃତୀୟ ବାକ୍ୟରେ ‘ପିଇବ’ ଓ ଚତୁର୍ଥ ବାକ୍ୟରେ ‘ଖେଳୁଛନ୍ତି’ ପଦରୁ ବର୍ଷିବା, ଯିବା, ପିଇବା ଓ ଖେଳିବା କାର୍ଯ୍ୟ ହେବାର ବୁଝାପଡୁଅଛି ।

କାର୍ଯ୍ୟ ବୁଝାଉଥିବା ପଦହିଁ କ୍ରିୟାପଦ । ବର୍ଷୁଅଛି, ଗଲେ, ପିଇବା ଓ ଖେଳୁଛନ୍ତି ଏକ ଏକ କ୍ରିୟାପଦ ।

ମନେରଖ- ବାକ୍ୟରେ ବ୍ୟବହୃତ ଯେଉଁ ପଦରୁ କୌଣସି କାର୍ଯ୍ୟର ସୂଚନା ମିଳେ ତାହା କ୍ରିୟା ପଦ ।

କ୍ରିୟାର କାଳ

୧ । ଛାତ୍ରମାନେ ଖେଳୁଛନ୍ତି ।                    ୨ । ଛାତ୍ରମାନେ ଖେଳିଥିଲେ ।       ୩ । ଛାତ୍ରମାନେ ଖେଳିବେ ।

ପ୍ରଥମ ବାକ୍ୟରେ ‘ଖେଳୁଛନ୍ତି’ କ୍ରିୟାରୁ ଖେଳିବା କାର୍ଯ୍ୟ ବର୍ତମାନ ଚାଲିଥିବାର ଜଣାଯାଏ । ଦ୍ୱିତୀୟ ବାକ୍ୟରେ ‘ଖେଳିଥିଲେ’ କ୍ରିୟାରୁ ଖେଳିବା କାର୍ଯ୍ୟ ଅତୀତରେ ହୋଇଥିବାର ସୂଚିତ ହେଉଛି । ତୃତୀୟ ବାକ୍ୟରେ ‘ଖେଳିବେ’ କ୍ରିୟାରୁ ଖେଳିବା କାର୍ଯ୍ୟ ଆଗକୁ ବା ଭବିଷ୍ୟତରେ ହେବାର ସୂଚନା ମିଳୁଛି । ‘ଖେଳିବା’ କ୍ରିୟାର ଏହି ତିନୋଟି ରୂପରୁ ତିନୋଟି ସମୟ ସମ୍ବନ୍ଧରେ ଜଣାଯାଉଅଛି ।

ମନେରଖ – କ୍ରିୟାର ସମୟସୂଚକ ରୂପକୁ କ୍ରିୟାର କାଳ କୁହାଯାଏ ।

ପ୍ରକାର : କ୍ରିୟାର କାଳ ୩ ପ୍ରକାର ।

୧ ।   ବର୍ତମାନ କାଳ – କ୍ରିୟାର ଯେଉଁ ରୂପରୁ କାର୍ଯ୍ୟ ବର୍ତମାନ ଚାଲିଥିବାର ଜଣାଯାଏ ତାହା ବର୍ତମାନ କାଳ ।

ଯଥା – (କ) ଶିଶୁ କ୍ଷୀର ପିଉଛି ।                                (ଖ)   ଚାଷୀ ହଳ କରୁଛି ।         (ଗ) ବାଛୁରୀଟି ଧାଉଁଛି ।

ପିଉଛି, କରୁଛି ଓ ଧାଉଁଛି କ୍ରିୟାଗୁଡିକ ବର୍ତମାନକାଳର କ୍ରିୟା ।

୨ ।   ଅତୀତ କ୍ରିୟା – କ୍ରିୟାର ଯେଉଁ ରୂପରୁ କାର୍ଯ୍ୟ ସରିଯାଇଥିବାର ଜଣାଯାଏ, ତାହା ଅତୀତ କାଳ ।

ଯଥା – (କ) ବାପା ରାମାୟଣ ପଢିଥିଲେ ।

(ଖ) ଆମ୍ଭେମାନେ ପୁରୀ ଯାଇଥିଲୁ ।

(ଗ) ଶିକ୍ଷକ ଉପଦେଶ ଦେଇଥିଲେ ।

ପଢିଥିଲେ, ଯାଇଥିଲୁ ଓ ଦେଇଥିଲେ ଅତୀତ କାଳର କ୍ରିୟା ।

୩ ।   ଭବିଷ୍ୟତ କାଳ – କ୍ରିୟାର ଯେଉଁ ରୂପରୁ କାର୍ଯ୍ୟ ଆଗକୁ ବା ଭବିଷ୍ୟତରେ ହେବାକୁ ଥିବାର ଜଣାଯାଏ ତାହା ଭବିଷ୍ୟତ କାଳ ।

ଯଥା – (କ) ମୁଁ ଜଣେ ଦେଶସେବକ ହେବି ।

(ଖ) ଛାତ୍ରମାନେ କୋଣାର୍କ ଯିବେ ।

(ଗ) ସେମାନେ ଶିକ୍ଷକଙ୍କୁ ପ୍ରଶ୍ନ ପଚାରିବେ ।

ଉପର ଉଦାହରଣରେ ଥିବା ହେବି, ଯିବେ ଓ ପଚାରିବେ ଭବିଷ୍ୟତ କାଳର କ୍ରିୟା ।

ସମାପିକା ଓ ଅସମାପିକା କ୍ରିୟା

୧ । ମୁଁ ପୁରୀ ଯାଇ ଜଗନ୍ନାଥଙ୍କୁ ଦେଖିବି ।

୨ । ତୁମେ ପ୍ରଶ୍ନଟି ପଢି ଉତ୍ତର ଦିଅ ।

୩ । ବାପାଙ୍କ ଡାକ ଶୁଣି ପୁଅମାନେ ଆସିଲେ ।

୪ । ପିଲାଟି ଯାଉଯାଉ ପଡିଗଲା ।

ପ୍ରଥମ ବାକ୍ୟରେ ‘ଯାଇ’ ଓ ‘ଦେଖିବି’ କ୍ରିୟା ପଦରୁ ଯିବା ଓ ଦେଖିବା କାର୍ଯ୍ୟର ସୂଚନା ମିଳୁଛି । ‘ଦେଖିବି’ କ୍ରିୟାରୁ ବାକ୍ୟର ଅର୍ଥ ଶେଷ ହେବାର ଜଣାଯାଉଛି । ମାତ୍ର ‘ଯାଇ’ ଏହି ପଦରୁ ବାକ୍ୟର ଅର୍ଥ ସମାପ୍ତି ଜଣାଯାଉ ନାହିଁ । ‘ଯାଇ’ ପରେ ଆଉ କିଛି କହିବାର ଅଛି । ସେହିପରି ‘ଦିଅ’, ‘ଆସିଲେ’, ଓ ‘ପଡିଗଲା’ କ୍ରିୟାପଦରୁ ବାକ୍ୟର ଅର୍ଥ ଶେଷ ହେଉଥିବା ବୁଝାପଡୁଛି । ଏଣୁ ଏଗୁଡିକ ସମାପିକା କ୍ରିୟା, କିନ୍ତୁ ‘ପଢି’, ‘ଶୁଣି’ ଓ ‘ଯାଉଯାଉ’ ପଦରୁ ବାକ୍ୟ ଅର୍ଥ ନ ସରିବା ବୁଝାପଡୁଛି । ଏଣୁ ଏଗୁଡିକ ଅସମାପିକା କ୍ରିୟାର ଉଦାହରଣ ।

ମନେରଖ – ଯେଉଁ କ୍ରିୟାପଦ ଦ୍ୱାରା ବାକ୍ୟର ଅର୍ଥ ସମ୍ପୂର୍ଣ୍ଣ ହୁଏ ତାହା ସମାପିକା କ୍ରିୟା ।

ଉଦାହରଣ –

୧ । ସେ ଯିବ ।                                              ୨ । ଇଣ୍ଡିଆ ଶାନ୍ତି ଚାହେଁ ।

୩ । ସୂର୍ଯ୍ୟକିରଣ ଶକ୍ତି ଦିଏ ।                          ୪ । ଦେଶବାସୀ ସୁଖରେ ରହନ୍ତୁ ।

ମନେରଖ – ଯେଉଁ କ୍ରିୟାପଦ ଦ୍ୱାରା ବାକ୍ୟର ଅର୍ଥ ଅସମ୍ପୂର୍ଣ୍ଣ ରହେ, ତାହା ଅସମାପିକା କ୍ରିୟା ।

୧ । ବୁଢାଟି ଚାଲିଚାଲି ହାଲିଆ ହୋଇଗଲାଣି ।

୨ । ତୁମେ ପଢିଲେ ଅନେକ କଥା ଜାଣିବ ।

୩ । ମୁଁ ଆସୁଆସୁ ବେଳ ହୋଇଗଲା ।

୪ । ନିଜେ ହସି ଦୁନିଆକୁ ହସାଅ ।

ମିଶ୍ରକ୍ରିୟା

୧ । ଛାତ୍ରଟି ସାହିତ୍ୟପୁସ୍ତକ ପଢୁଛି ।

୨ । ଛାତ୍ରଟି ସାହିତ୍ୟପୁସ୍ତକ ପଠନ କରୁଛି ।

ପ୍ରଥମ ଉଦାହରଣରେ ‘ପଢୁଛି’ ଓ ଦ୍ୱିତୀୟ ଉଦାହରଣରେ ‘ପଠନ କରୁଛି’ କ୍ରିୟାପଦ ଦୁଇଟିର ଅର୍ଥ ସମାନ ।

‘ପଢୁଛି’ ଗୋଟିଏ ପଦ ହୋଇଥିଲାବେଳେ ‘ପଠନ କରୁଛି’ ଦୁଇଟି ପଦ ମିଶି ହୋଇଅଛି । ଏଣୁ ‘ପଠନ କରୁଛି’ ଏକ ‘ମିଶ୍ରକ୍ରିୟା’ । ଏହି କ୍ରିୟାରେ ପୂର୍ବପଦ ‘ପଠନ’ କ୍ରିୟାବାଚକ ବିଶେଷ୍ୟ ।

ଆଉ ଗୋଟିଏ ଉଦାହରଣ ଦେଖ:

୧ । ଫଳଟି ଗଛରୁ ପଡିଲା ।                              ୨ । ଫଳଟି ଗଛରୁ ପତିତ ହେଲା ।

ଉଦାହରଣରେ ଥିବା ‘ପଡିଲା’ ଓ ‘ପତିତ ହେଲା’ ଦୁଇଟି କ୍ରିୟାପଦ, ଉଭୟର ଅର୍ଥ ଏକା । ମାତ୍ର ‘ପତିତ ହେଲା’ କ୍ରିୟାପଦର ‘ପତିତ’ ଓ ‘ହେଲା’ ଦୁଇଟି ପଦ ଅଛି । ‘ପତିତ’ ଏକ ବିଶେଷଣ ପଦ । ବିଶେଷଣ ପଦ ପରେ ‘ହେଲା’ କ୍ରିୟାପଦ ଲାଗିଅଛି । ଏଣୁ ‘ପତିତ ହେଲା’ ଏକ ମିଶ୍ର କ୍ରିୟା ।

ମନେରଖ – ବିଶେଷ୍ୟ ବା ବିଶେଷଣ ପଦ ପରେ କ୍ରିୟାପଦ ରହି ଯେଉଁ କ୍ରିୟାପଦ ଗଠିତ ହୁଏ ତାହାକୁ ‘ମିଶ୍ରକ୍ରିୟା’ କୁହାଯାଏ ।

ତଳେ କେତେକ କ୍ରିୟାର ମିଶ୍ର କ୍ରିୟାରୂପ ପ୍ରଦାନ କରାଗଲା ।

କ୍ରିୟା ମିଶ୍ରକ୍ରିୟା କ୍ରିୟା ମିଶ୍ରକ୍ରିୟା
ଶୋଇଲେ ଶୟନ କଲେ ପିଇବ ପାନ କରିବ
ଧାଇଁଲେ ଧାବନ କଲେ ପଢିଲା ପଠନ କଲା
ଯିବ ଗମନ କରିବ ଉଇଁବ ଉଦିତ ହେବ
କିଣିବ କ୍ରୟ କରିବ ପାଇବ ପ୍ରାପ୍ତ ହେବ
ଦେଖିବ ଦର୍ଶନ କରିବ ପାଚିବ ପକ୍ୱ ହେବ

ସକର୍ମକ ଅକର୍ମକ କ୍ରିୟା

୧ । ଆମ୍ଭେମାନେ ନନ୍ଦନକାନନ ଦେଖିବୁ ।                 ୨ । ଯାମିନୀ ଜଳଖିଆ ଖାଉଛି ।      ୩ । ଛାତ୍ରମାନେ ବ୍ୟାକରଣ ପଢୁଛନ୍ତି ।

ଉଦାହରଣଗୁଡିକରେ ଦିଆଯାଇଥିବା ‘ଦେଖିବୁ’, ‘ଖାଉଛି’ ଓ ‘ପଢୁଛନ୍ତି’ କ୍ରିୟାପଦ । ଏହି କ୍ରିୟାପଦ ପୂର୍ବରୁ କ’ଣ ଲଗାଇ ପ୍ରଶ୍ନକଲେ କେଉଁ ଉତ୍ତର ମିଳୁଛି ଦେଖ ।

କ’ଣ ଦେଖିବୁ?     ନନ୍ଦନକାନନ

କ’ଣ ଖାଉଛି?      ଜଳଖିଆ

କ’ଣ ପଢୁଛନ୍ତି?     ବ୍ୟାକରଣ

ନନ୍ଦନକାନନ, ଜଳଖିଆ, ବ୍ୟାକରଣ ଯଥାକ୍ରମେ ଦେଖିବୁ, ଖାଉଛି ଓ ପଢୁଛନ୍ତି କ୍ରିୟାପଦମାନଙ୍କର କର୍ମ । ଏଣୁ ଦେଖିବୁ, ଖାଉଛି ଓ ପଢୁଛନ୍ତି ସକର୍ମକ କ୍ରିୟା ।

ମନେରଖ – ଯେଉଁ କ୍ରିୟାପଦର କର୍ମ ଥାଏ, ତାହା ସକର୍ମକ କ୍ରିୟା । ବର୍ତମାନ ତଳ ଉଦାହରଣଗୁଡିକ ପଢ:

୧ । ଝିଅଟି ସୁନ୍ଦର ନାଚୁଛି ।                      ୨ । ପକ୍ଷୀ ଆକାଶରେ ଉଡେ ।       ୩ । ଶିଶୁଟି ଶେଯରେ ଶୋଇଛି ।

ଏହି ଉଦାହରଣଗୁଡିକରେ ନାଚୁଛି, ଉଡେ, ଶୋଇଛି ଏକ ଏକ କ୍ରିୟାପଦ । ଏହି କ୍ରିୟାପଦ ପୂର୍ବରୁ କ’ଣ ଲଗାଇ ପ୍ରଶ୍ନକଲେ କି ଉତ୍ତର ମିଳୁଛି ଦେଖ :

କ’ଣ ନାଚୁଛି?                       ଉତ୍ତର ନାହିଁ ।

କ’ଣ ଉଡେ?                        ଉତ୍ତର ନାହିଁ ।

କ’ଣ ଶୋଇଛି?                    ଉତ୍ତର ନାହିଁ ।

ଅତଏବ ନାଚୁଛି, ଉଡେ, ଶୋଇଛି କ୍ରିୟାପଦମାନଙ୍କର କର୍ମ ନାହିଁ । ତେଣୁ ଏହି କ୍ରିୟାଗୁଡିକୁ ଅକର୍ମକ କ୍ରିୟା କୁହାଯାଏ ।

ମନେରଖ- ବାକ୍ୟରେ ଯେଉଁ କ୍ରିୟାର କର୍ମ ନ ଥାଏ, ତାହା ଅକର୍ମକ କ୍ରିୟା ।

ତଳେ ଆଉ କେତେକ ଅକର୍ମକ କ୍ରିୟାର ଉଦାହରଣ ଦିଆଯାଇଛି । ଯଥା –

ହସିବା, କାନ୍ଦିବା, ଧାଇଁବା, ପଡିବା, ଉଠିବା, ବଢିବା, କମିବା, ଜୀଇଁବା, ମରିବା, ଜାଗିବା, ରହିବା, କାନ୍ଦିବା, ପହଁରିବା, ଭୁକିବା, ରାଗିବା, ଉଇଁବା, ଛିଙ୍କିବା, ଗର୍ଜିବା ଇତ୍ୟାଦି ।

ପ୍ରେରଣାର୍ଥକ କ୍ରିୟା

୧ । ଛାତ୍ର ମାନଚିତ୍ର ଦେଖୁଅଛି ।

୨ । ଶିକ୍ଷକ ଛାତ୍ରକୁ ମାନଚିତ୍ର ଦେଖାଉଛନ୍ତି ।

୩ । ସାପ ଖେଳୁଛି ।

୪ । ସାପୁଆକେଳା ସାପକୁ ଖେଳାଉଛି ।

ପ୍ରଥମ ଉଦାହରଣରେ ଛାତ୍ରଟି ନିଜେ ଦେଖୁଥିବାର ଜଣାପଡୁଛି । କିନ୍ତୁ ଦ୍ୱିତୀୟ ବାକ୍ୟରେ ଶିକ୍ଷକ ଛାତ୍ରକୁ ମାନଚିତ୍ର ଦେଖାଇବାରେ ସାହାଯ୍ୟ କରୁଛନ୍ତି । ଏଣୁ ‘ଦେଖୁଅଛି’ ସାଧାରଣ କ୍ରିୟା ବା ମୂଳକ୍ରିୟା । ମାତ୍ର ‘ଦେଖାଉଛନ୍ତି’ ‘ପ୍ରେରଣାର୍ଥକ କ୍ରିୟା’ ଅଟେ । ସେହିପରି ତୃତୀୟ ବାକ୍ୟରେ ‘ଖେଳୁଛି’ ସାଧାରଣ କ୍ରିୟା ହୋଇଥିଲାବେଳେ ‘ଖେଳାଉଛି’ ପ୍ରେରଣାର୍ଥକ କ୍ରିୟା ଅଟେ ।

ମନେରଖ – ଯେଉଁ କ୍ରିୟାଦ୍ୱାରା କେହି କାର୍ଯ୍ୟ କରାଉଥିବାର ଜଣାଯାଏ, ତାହା ପ୍ରେରଣାର୍ଥକ କ୍ରିୟା ଅଟେ ।

ତଳେ କେତୋଟି କ୍ରିୟାର ପ୍ରେରଣାର୍ଥକ ରୂପ ଦିଆଯାଇଛି ।

ମୂଳକ୍ରିୟା ପ୍ରେରଣାର୍ଥକ କ୍ରିୟା ମୂଳକ୍ରିୟା ପ୍ରେରଣାର୍ଥକ କ୍ରିୟା
ପଢିବା ପଢାଇବା, ପଢେଇବା ହଲିବା ହଲେଇବା
ଖେଳିବା ଖେଳାଇବା କହିବା କୁହାଇବା
ଦେବା ଦିଆଇବା ଶୁଣିବା ଶୁଣାଇବା
ନେବା ନିଆଇବା ଲାଗିବା ଲଗାଇବା
ବୁଲିବା ବୁଲାଇବା ପଡିବା ପକାଇବା
ଆଣିବା ଅଣାଇବା ରୋଇବା ରୁଆଇବା
ଉଡିବା ଉଡାଇବା ରହିବା ରୁହାଇବା

 ଅବ୍ୟୟ

୧ । ଗୋପାଳ ଓ ଗୋବିନ୍ଦ ଦୁଇଭାଇ ।

୨ । ଗୋପାଳ ଭଲ ପଢେ; କିନ୍ତୁ ଗୋବିନ୍ଦ ପଢେ ନାହିଁ ।

୩ । ଗଛଟା ମଡ୍ମଡ୍ ହୋଇ ଭାଙ୍ଗିଗଲା ।

୪ । ଆହା, ଲୋକଟି କି କଷ୍ଟ ପାଉଛି!

ଉପର ବାକ୍ୟମାନଙ୍କରେ ଥିବା ‘ଓ, କିନ୍ତୁ, ମଡ୍ମଡ୍, ଆହା’ ପଦଗୁଡିକ ଅବ୍ୟୟ ପଦ ଅଟନ୍ତି । କାରଣ ଏଗୁଡିକର ଲିଙ୍ଗ, ବଚନ ଓ ବିଭକ୍ତିରେ କୌଣସି ପରିବର୍ତନ ହୋଇନଥାଏ ।

ଆଉ ଗୋଟିଏ ଉଦାହରଣ ଦେଖ –

ବାଳିକା ଗୀତ ଗାଉଅଛି ।

ବାଳିକା – ସ୍ତ୍ରୀଲିଙ୍ଗ, ଏକବଚନ ଓ ପ୍ରଥମା ବିଭକ୍ତି । ମାତ୍ର ‘ବାଳିକା’ ପଦଟି ଫୁଲିଙ୍ଗରେ ବାଳକ, ବହୁବଚନରେ ବାଳିକାମାନେ ୨ୟା ବିଭକ୍ତିରେ ବାଳିକାକୁ ଓ ତୃତୀୟା ବିଭକ୍ତିରେ ବାଳିକା ଦ୍ୱାରା ଏହିପରି ବଦଳିଯାଉଛି ।

ଓ, କିନ୍ତୁ, ମଡ୍ମଡ୍, ଆହା ପଦଗୁଡିକ ଲିଙ୍ଗ, ବଚନ ଓ ବିଭକ୍ତିରେ ଆଦୌ ବଦଳୁ ନାହିଁ ।

ମନେରଖ – ଲିଙ୍ଗ, ବଚନ ଓ ବିଭକ୍ତିରେ ଯେଉଁ ପଦର ରୂପରେ କିଛି ପରିବର୍ତନ ହୁଏ ନାହିଁ ତାହା ଅବ୍ୟୟ ପଦ ।

ଅବ୍ୟୟର ପ୍ରକାର : ବ୍ୟବହାରକୁ ନେଇ ବିଭିନ୍ନ ପ୍ରକାର ଅବ୍ୟୟ ପଦ ରହିଅଛି ।

୧ । ସଂଯୋଜକ ଅବ୍ୟୟ – ଓ, ଏବଂ, ଆଉ, ପୁଣି, ବି, ମଧ୍ୟ ଏହି ଅବ୍ୟୟ ଦୁଇଟି ପଦ ବା ବାକ୍ୟକୁ ଯୋଗ କରିଥାଏ ।

ଯଥା – ସୁଖ ଓ ଦୁଃଖ, ରାମ ଯିବ ଏବଂ ଶ୍ୟାମ ଯିବ ।

୨ । ବିଯୋଜକ ଅବ୍ୟୟ – କିନ୍ତୁ, ମାତ୍ର, ଅଥଚ, ନଚେତ୍, କିମ୍ବା – ଏହି ଅବ୍ୟୟ ଦୁଇଟି ପଦ ବା ବାକ୍ୟକୁ ପରସ୍ପରଠାରୁ ପୃଥକ କରିଥାନ୍ତି । ଯଥା  – ଯାଅ କିନ୍ତୁ ସାବଧାନ ।

– ସେ ଭଲ ଖେଳେ ମାତ୍ର ପଢେ ନାହିଁ ।

୩ ।   ବିସ୍ମୟସୂଚକ ଅବ୍ୟୟ – ଯେଉଁ ଅବ୍ୟୟ ପଦରୁ ମନର ଆଶ୍ଚର୍ଯ୍ୟ ବା ବିସ୍ମୟଭାବ ପ୍ରକାଶିତ ହୁଏ ତାହା ବିସ୍ମୟସୂଚକ ଅବ୍ୟୟ ।

ଯଥା- ଓଃ, ଓହୋ, ଏଁ

୪ । ଦୁଃଖସୂଚକ ଅବ୍ୟୟ – ଓହୋ, ଆହା, ହାୟ

୫ ।   ସମ୍ବୋଧନସୂଚକ ଅବ୍ୟୟ – ହେ, ଆହେ, ଗୋ, ଆଗୋ, କିଲୋ, ରେ

୬ ।   ପ୍ରଶ୍ନସୂଚକ ଅବ୍ୟୟ – କି, କଅଣ, କିଏ, କାହିଁକି, ପରା

୭ ।   ସମୟସୂଚକ ଅବ୍ୟୟ – ଏବେ, କେବେ, ଯେବେ, ସର୍ବଦା, ହଠାତ୍

୮ ।   ଶବ୍ଦପ୍ରକାଶକ ଅବ୍ୟୟ – ଠନ୍ଠନ୍, କଟ୍କଟ୍, ଧଡ୍ଧଡ୍, ମଡ୍ମଡ୍, ଭୁସ୍ଭୁସ୍, କେଁକେଁ, ଠୋଠୋ, ଭୋଭୋ

୯ ।   କାରଣସୂଚକ ଅବ୍ୟୟ – ଏଣୁ, ତେଣୁ, ଯେଣୁ, ସୁତରାଂ, ଅତଏବ

୧୦ ।   ସମ୍ଭାବନାସୂଚକ ଅବ୍ୟୟ – ଯେବେ, ଯଦି, ଯଦ୍ୟପି, ବା

ବିରାମ ଚିହ୍ନ

ଆମ୍ଭେମାନେ ମନର ଭାବକୁ ଭାଷାଦ୍ୱାରା ପ୍ରକାଶ କରୁଛେ । ଏହି ଭାଷାକୁ ଲେଖାଦ୍ୱାରା ମଧ୍ୟ ପ୍ରକାଶ କରାଯାଇଥାଏ । ଆମେ ଯାହା ଲେଖୁଛେ, ତାକୁ ଭଲଭାବରେ ବୁଝିବାପାଇଁ ଲେଖାରେ ବା ବାକ୍ୟରେ ବିଭିନ୍ନ ଚିହ୍ନ ଦେଇଥାଉ । ସେହି ଚିହ୍ନକୁ ବିରାମଚିହ୍ନ ବା ବାକ୍ୟବିନ୍ୟାସ ଚିହ୍ନ କୁହାଯାଏ ।

ବିରାମ ଚିହ୍ନର ଉଦାହରଣ:

୧ ।   ପୂର୍ଣ୍ଣଚ୍ଛେଦ ( ।) – ମନର ଏକ ଭାବ ସମ୍ପୂର୍ଣ୍ଣ ହେଲାପରେ ବାକ୍ୟ ଶେଷରେ ପୂର୍ଣ୍ଣଚ୍ଛେଦ ଦିଆଯାଏ ।

କୋଇଲି ରାବୁଛି । ମେଘ ବର୍ଷୁଛି । ମାଘ ମାସରେ ସରସ୍ୱତୀପୂଜା ହୁଏ ।

୨ ।   କମା ବା ପ୍ରଥମ ଚ୍ଛେଦ (,) – ବାକ୍ୟରେ ବ୍ୟବହୃତ ଏକାଧିକ ପଦକୁ ଅଲଗା କରିବା ପାଇଁ ‘କମା’ ଦିଆଯାଏ ।

ରାମ, ଲକ୍ଷ୍ମଣ, ଭରତ ଓ ଶତ୍ରୁଘ୍ନ ଦଶରଥଙ୍କର ଚାରିପୁଅ ଥିଲେ ।

୩ ।   ସେମିକୋଲନ ବା ଦ୍ୱିତୀୟ ଚ୍ଛେଦ (;) – ଗୋଟିଏ ବଡ ବାକ୍ୟ କହିଲାବେଳେ ସେଥିରେ ଅନେକ ଭାବନା ଥାଏ । ପ୍ରତି ଭାବନାକୁ ଅଲଗା କରିବା ପାଇଁ ସେମିକୋଲନ ବା ଦ୍ୱିତୀୟ ଚ୍ଛେଦ ଦିଆଯାଏ ।

ଭିକାରିଟିର କଥା ଶୁଣି ମୁଁ କାନ୍ଦିପକାଇଲି; ତାକୁ ଦୁଇଟଙ୍କା ଦେଲି ।

୪ ।   ବିସ୍ମୟ ଚିହ୍ନ (!) – ମନର ଆନନ୍ଦ, ବିସ୍ମୟ, ଭୟ ଓ ଘୃଣା ଆଦି ଭାବ ପ୍ରକାଶ କରୁଥିବା ବାକ୍ୟ ଶେଷରେ ବିସ୍ମୟସୂଚକ ଚିହ୍ନ ଦିଆଯାଏ ।

ଓଃ କି ଭୟଙ୍କର ଦୁର୍ଘଟଣା!

କି ସୁନ୍ଦର ପବନ!

୫ ।   ପ୍ରଶ୍ନ ଚିହ୍ନ (?) – ଯେଉଁ ବାକ୍ୟରେ ପ୍ରଶ୍ନ ପଚରା ଯାଇଥାଏ ତାହାର ଶେଷରେ ପ୍ରଶ୍ନ ଚିହ୍ନ (?) ରହେ ।

ତୁମର ନାମ କଅଣ?

କିଏ ତୁମ ଭିତରୁ ପ୍ରଥମ ହୋଇଛି?

ଆପଣ କେତେବେଳେ ଆସିବେ?

୬ ।   ଉଦ୍ଧୃତି ଚିହ୍ନ (“”) – ଜଣକର କଥାକୁ ବା ଲେଖାକୁ ଆଉ ଜଣେ ଅବିକଳ ଭାବରେ ବ୍ୟବହାର କଲେ ଉଦ୍ଧୃତି ଚିହ୍ନ ଦିଆଯାଏ ।

ଶିକ୍ଷକ କହିଲେ, “ତୁମ୍ଭେମାନେ ଠିକ୍ ସମୟରେ ସ୍କୁଲକୁ ଆସ ।”

କବି କହିଛନ୍ତି,

“ଯାହାକୁ ରଖିବେ ଅନନ୍ତ

କି କରିପାରେ ବଳବନ୍ତ ।”

ବିପରୀତାର୍ଥବୋଧକ ଶବ୍ଦ

ଆମେ ଦୈନନ୍ଦିନ ଜୀବନରେ କହିବା ଓ ଲେଖିବାବେଳେ କେତେକ ବିପରୀତାର୍ଥବୋଧକ ଶବ୍ଦର ବ୍ୟବହାର କରିଥାଉ । ସେଗୁଡିକର ସଠିକ ବ୍ୟବହାର ସମ୍ପର୍କରେ ଜାଣିରଖିବା ଉଚିତ । ମନେରଖିବାକୁ ହେବ, ବିଶେଷ୍ୟର ବିଶେଷ୍ୟ ଓ ବିଶେଷଣର ବିଶେଷଣ ପରୀତାର୍ଥବୋଧକ ଶବ୍ଦ ଲେଖିବାକୁ ହେବ । ତଳେ ଦିଆଯାଇଥିବା ଶବ୍ଦଗୁଡିକର ବିପରୀତାର୍ଥବୋଧକ ଶବ୍ଦଗୁଡିକୁ ମନେରଖ ।

ଶବ୍ଦ ବିପ. ଶବ୍ଦ ଶବ୍ଦ ବିପ. ଶବ୍ଦ
ଅଗ ମୂଳ ଆବାହନ ବିସର୍ଜନ
ଅଗ୍ର ପଶ୍ଚାତ୍ ଆବିର୍ଭାବ ତିରୋଭାବ
ଅଧିକ ଅନଧିକ, ଊଣା ଆଲୋକ ଅନ୍ଧାର
ଅନୁକୂଳ ପ୍ରତିକୂଳ ଆୟ ବ୍ୟୟ
ଅନୁଗ୍ରହ ନିଗ୍ରହ ଇଷ୍ଟ ଅନିଷ୍ଟ
ଅନ୍ଧାର ଆଲୁଅ ଇହ ପର
ଅମୃତ ବିଷ ଉଚିତ ଅନୁଚିତ
ଅରୁଆ ଉଷୁନା ଉଦୟ ଅସ୍ତ
ଅପେକ୍ଷା ଉପେକ୍ଷା ଉତ୍ଥାନ ପତନ
ଅଭିଜ୍ଞ ଅନଭିଜ୍ଞ ଉତ୍କର୍ଷ ଅପକର୍ଷ
ଅଲଣା ଲୁଣିଆ ଉଠାଣି ଗଡାଣି
ଅଳ୍ପ ବହୁତ ଉନ୍ନତି ଅବନତି
ଅସ୍ତ୍ର ଶସ୍ତ୍ର ଉଦାର ଅନୁଦାର
ଆକାଶ ପାତାଳ ଉପକାର ଅପକାର
ଆଜି କାଲି ଓଦା ଶୁଖିଲା
ଆଦାନ ପ୍ରଦାନ କଠିନ କୋମଳ
ଆଦୃତ ଅନାଦୃତ କପଟ ନିଷ୍କପଟ
ଆସ୍ତିକ ନାସ୍ତିକ କପଟୀ ନିଷ୍କପଟ, ସରଳ
ଆଗ ପଛ କାଳ୍ପନିକ ବାସ୍ତବ
କୀର୍ତି ଅକୀର୍ତି, ଅପକୀର୍ତି ଦିନ ରାତି
କୃତଜ୍ଞ ଅକୃତଜ୍ଞ, କୃତଘ୍ନ ଦୈର୍ଘ୍ୟ ପ୍ରସ୍ଥ
କୃପଣ ବଦାନ୍ୟ ଦୁଃଖ ସୁଖ
କ୍ରୟ ବିକ୍ରୟ ଦୁର୍ବଳ ସବଳ
ଖଟା ମିଠା ଦୁଷ୍ଟ ଶିଷ୍ଟ
ଖାତକ ମହାଜନ ଦୋଷୀ ନିର୍ଦ୍ଧେଶ
ଖାଲ ଢିପ ଧନୀ ଦରିଦ୍ର, ନିର୍ଦ୍ଧନ
ଖୋଲା ବନ୍ଦ, ମୁଦା ଧଳା କଳା
ଗୁଣ ଦୋଷ ନିଦା ପୋଲା
ଗୁରୁ ଲଘୁ, ଶିଷ୍ୟ ନିନ୍ଦା ପ୍ରଶଂସା, ଅପନିନ୍ଦା
ଗେଡା ଡେଙ୍ଗା ନୀତି ଅନୀତି
ଚେତନ ଅଚେତନ ନୂଆ ପୁରୁଣା
ଚଂଚଳ ଅଚଂଚଳ, ମଠୁଆ, ଧୀର ନୂତନ ପୁରାତନ
ଜୁଆର ଭଟ୍ଟା ପଡିଆ ଉଠିଆ
ଜନ୍ମ ମରଣ, ମୃତ୍ୟୁ ପଣ୍ଡିତ ମୂର୍ଖ
ଜଣା ଅଜଣା ପର ଆପଣା
ଜୟ ପରାଜୟ ପରୋକ୍ଷ ପ୍ରତ୍ୟକ୍ଷ
ଜ୍ୟେଷ୍ଠ କନିଷ୍ଠ ପକ୍ଷପାତ ନିରପେକ୍ଷ
ଜ୍ଞାତ ଅଜ୍ଞାତ ପସନ୍ଦ ଅପସନ୍ଦ, ନାପସନ୍ଦ
ଜ୍ଞାନୀ ଅଜ୍ଞାନ ପାପ ପୁଣ୍ୟ
ଡେଙ୍ଗା ବାଙ୍ଗରା ପୁରସ୍କାର ତିରସ୍କାର
ତୋଷ ରୋଷ ପ୍ରତ୍ୟୁଷ ପ୍ରଦୋଷ
ଦାତା ଗ୍ରହୀତା ପ୍ରଶ୍ନ ଉତ୍ତର
ପ୍ରସନ୍ନ ବିଷର୍ଣ୍ଣ ଶତ୍ରୁ ମିତ୍ର
ପ୍ରାକୃତିକ କୃତ୍ରିମ ଶାସକ ଶାସିତ
ବକ୍ତା ଶ୍ରୋତା ଶାରୀରିକ ମାନସିକ
ବନ୍ଧନ ମୋଚନ ସଂକୀର୍ଣ୍ଣ ପ୍ରଶସ୍ତ
ବାଟ ଅବାଟ ସଜ ବାସି
ବାହାର ଭିତର ସଞ୍ଜ ସକାଳ
ବିନୀତ ଅବିନୀତ, ଉଦ୍ଧତ ସରଳ ଜଟିଳ, କୁଟିଳ, ବକ୍ର
ଭଲ ମନ୍ଦ ସାକାର ନିରାକାର
ଭୀମ କାନ୍ତ ସାକ୍ଷର ନିରକ୍ଷର
ଭୀରୁ ସାହସୀ ସାମ୍ୟ ବୈଷମ୍ୟ
ମଠୁଆ ଚଂଚଳିଆ ସ୍ଥାବର ଅସ୍ଥାବର, ଜଙ୍ଗମ
ମଲା ଜୀଅନ୍ତା ସ୍ୱାଧୀନ ପରାଧୀନ
ମହଙ୍ଗା ଶସ୍ତା ସୁଗମ ଦୁର୍ଗମ
ମିଳନ ବିଚ୍ଛେଦ୍ ସୁନ୍ଦର ଅସୁନ୍ଦର, କୁତ୍ସିତ
ମୁଖ୍ୟ ଗୌଣ ସୁପ୍ତ ଜାଗ୍ରତ
ମୁଦେଇ ମୁଦାଲା ସୁଲଭ ଦୁର୍ଲଭ
ମୂକ ବାଚାଳ ସୁସ୍ଥ ଅସୁସ୍ଥ, ପୀଡିତ
ଯଜମାନ ପୁରୋହିତ ସୂକ୍ଷ୍ମ ସ୍ଥୂଳ
ରକ୍ଷକ ଭକ୍ଷକ ହର୍ଷ ବିଷାଦ
ରାଜା ପ୍ରଜା ହାନି ଲାଭ
ରୁଗ୍ଣ ସୁସ୍ଥ ହିତ ଅହିତ
ରୋଗୀ ନୀରୋଗ ହୋସ୍ ବେହୋସ
ଲାଭ କ୍ଷତି କ୍ଷୁଦ୍ର ବୃହତ୍

ସମୋଚ୍ଚାରିତ ଶବ୍ଦାବଳୀ

ଅଂଶ ଭାଗ କୋଟି (୧) ଶହେ ଲକ୍ଷ
ଅଂସ କାନ୍ଧ କୋଟି (୨) ଅଗ୍ରଭାଗ, ପ୍ରାନ୍ତ
ଅନ୍ନ ଖାଦ୍ୟ, ଭାତ ଗୁଣି ତନ୍ତ୍ରବିଦ୍ୟା
ଅର୍ଣ୍ଣ ଜଳ ଗୁଣୀ ଗୁଣବାନ
ଅଶନ ଭୋଜନ ଚରିତ ଜୀବନବୃତାନ୍ତ
ଅସନ କ୍ଷେପଣ, ଏକପ୍ରକାର ଗଛ ଚରିତ୍ର ସ୍ୱଭାବ
ଅଶୀ ସଂଖ୍ୟାବିଶେଷ ଚିର ଦୀର୍ଘକାଳ, ଆଜୀବନ
ଅସି ଖଣ୍ଡା ଚୀର ଚିରାଲୁଗା
ଆଭାଷ ଭାଷଣ ଚୂଡା ଅଗ୍ରଭାଗ, ମସ୍ତକ
ଆଭାସ ସୂଚନା, ଇଙ୍ଗିତ ଚୁଡା ଏକ ଖାଦ୍ୟପଦାର୍ଥ
ଇତି ଶେଷ ଚୂତ ଆମ୍ବ
ଈତି ଅନାବୃଷ୍ଟି ଆଦି ବିପଦ ଚୁ୍ୟତ ସ୍ଖଳିତ
ଈଶ ସ୍ୱାମୀ, ଈଶ୍ୱର ଜାତ ଜନ୍ମପ୍ରାପ୍ତ, ଉତ୍ପନ୍ନ
ଈଷ ଲଙ୍ଗଳ ଦଣ୍ଡ ଯାତ ଯାତ୍ରା
କାଳି ସ୍ୟାହି ଦିନ ଦିବସ
କାଳୀ ଦୁର୍ଗା ଦୀନ ଦରିଦ୍ର, ଗରିବ
କୁଜନ ମନ୍ଦଲୋକ ଦ୍ୱିପ ହସ୍ତୀ
କୂଜନ ପକ୍ଷୀର କାକଳି ଦ୍ୱୀପ ଜଳବେଷ୍ଟିତ ଭୂଭାଗ
କୁଳ ବଂଶ, ସମୂହ ଦୀପ ପ୍ରଦୀପ
କୂଳ ତଟ ନିତି ପ୍ରତିଦିନ
କୃତି କାର୍ଯ୍ୟ ନୀତି ନିୟମ
କୃତୀ ସମର୍ଥ, ପଣ୍ଡିତ ପରିଚ୍ଛଦ ପୋଷାକ
ପୁର ନଗର, ପ୍ରବାହ ପରିଚ୍ଛେଦ ଅଧ୍ୟାୟ
ପୂର ଜଳରାଶି, ପ୍ରବାହ ଶିଳ ବଟାପଥର
ପ୍ରସାଦ ଭୋଗ, ଅନୁଗ୍ରହ ଶୀଳ ସ୍ୱଭାବ, ଚରିତ୍ର
ପ୍ରାସାଦ କୋଠା ଶୀତ ଶିଶିର ଋତୁ, ଥଣ୍ଡା
ପାବନି ହନୁମାନ, ଭୀମ ସିତ ଧଳା, ଧଳାରଙ୍ଗ
ପାବନୀ ପବିତ୍ରକାରିଣୀ ଶୂକର ଘୁଷୁରି, ବରାହ
ପୁଷ୍ଟ ପାଳିତ, ମୋଟା ସୁକର ସହଜ
ପୃଷ୍ଟ ପଚରା ଯାଇଥିବା ଶୁଚି ପବିତ୍ର, ନିର୍ମଳ
ପ୍ରକାର ରକମ, ପ୍ରଭେଦ ସୂଚୀ ଛୁଁଚି
ପ୍ରାକାର ପ୍ରାଚୀର ଶୁକ୍ତି ଶାମୁକା
ବଳି ପ୍ରାଣୀ ହତ୍ୟା, ବିଖ୍ୟାତ ଅସୁରରାଜା
ବଳୀ ବଳୁଆ ସୂକ୍ତି ନୀତିବାକ୍ୟ
ବଧ ହତ୍ୟା ଶୂର ବୀର
ବଦ୍ଧ ବନ୍ଧନ, ଅଟକ ସୁର ଦେବତା, ସୂର୍ଯ୍ୟ
ବିଷ ଗରଳ ଶୁଦ୍ଧ ପବିତ୍ର
ବିସ ପଦ୍ମନାଡ ସୁଧ କଳନ୍ତର
ଲକ୍ଷ ଏକ ସଂଖ୍ୟା ସୁତ ପୁତ୍ର
ଲକ୍ଷ୍ୟ ଉଦ୍ଧେଶ୍ୟ ସୂତ ସାରଥି
ଶକଳ ଖଣ୍ଡ, ଅଂଶ ସୁଧା ଅମୃତ
ସକଳ ସମଗ୍ର, ସମସ୍ତ ସୁଦ୍ଧା ମଧ୍ୟ
ଶତ ଶହେ ସାକ୍ଷର ଯେ ଲେଖିପଢି ଜାଣେ
ସତ ସତ୍ୟ ସ୍ୱାକ୍ଷର ଦସ୍ତଖତ
ଶର ବାଣ ଶ୍ରବଣ କାନ, ଶୁଣିବା
ସର ସରୋବର, ଦୁଧ ବା ସ୍ରବଣ ଝରିବା
ସପ୍ତ ସାତ
ଶପ୍ତ ଶାପ ପାଇଥିବା (ଅଭିଶାପ)

ପ୍ରତିଶବ୍ଦାବଳୀ

୧ । ଅମୃତ – ସୁଧା, ପୀୟୂଷ

୨ । ଅସୁର – ଦୈତ୍ୟ, ଦାନବ, ଦନୁଜ, ରାକ୍ଷସ

୩ । ଅଗ୍ନି – ଅନଳ, ପାବକ, ହୁତାଶନ, ବହ୍ନି

୪ । ଆକାଶ – ଗଗନ, ଅମ୍ବର, ଅନ୍ତରୀକ୍ଷ, ବ୍ୟୋମ

୫ । ଆଖି – ନେତ୍ର, ନୟନ, ଚକ୍ଷୁ, ଲୋଚନ

୬ । କଥା – ବାଣୀ, ବଚନ, ଭାରତୀ

୭ । କଢ – କଳି, କଳିକା, କୋରକ

୮ । କୋଇଲି – କୋକିଳ, କଳକଣ୍ଠ, ପିକ, ବନପ୍ରିୟ

୯ । ଗଛ – ବୃକ୍ଷ, ତରୁ, ପାଦପ, ମହୀରୁହ

୧୦ । ଗଣେଷ – ଗଣପତି, ଗଜାନନ, ଲମ୍ବୋଦର, ବିଘ୍ନେଶ୍ୱର

୧୧ । ଘର – ଗୃହ, ସଦନ, ନିଳୟ, ଆଳୟ

୧୨ । ଘୋଡା – ଘୋଟକ, ଅଶ୍ୱ, ବାଜୀ, ତୁରଙ୍ଗ

୧୩ । ଚନ୍ଦ୍ର – ଚନ୍ଦ୍ରମା, ଶଶୀ, ସୁଧାକର, ନିଶାକର

୧୪ । ଚଢେଇ – ପକ୍ଷୀ, ଖଗ, ବିହଗ, ବିହଙ୍ଗ ।

୧୫ । ଜଳ – ବାରି, ନୀର, ଉଦକ, ଅମ୍ବୁ

୧୬ । ଝିଅ – କନ୍ୟା, ସୁତା, ଦୁହିତା, ନନ୍ଦିନୀ

୧୭ । ଢେଉ – ଊର୍ମି, ବୀଚି, ଲହରୀ, ତରଙ୍ଗ

୧୮ । ନଦୀ – ତରଙ୍ଗିଣୀ, ସରିତ୍, ନିମ୍ନଗା, ତଟିନୀ

୧୯ । ନାରୀ – ରମଣୀ, ମହିଳା, ଲଳନା, କାମିନୀ

୨୦ । ପର୍ବତ – ଗିରି, ଶିଖରୀ, ଶୈଳ, ଅଚଳ

୨୧ । ପଦ୍ମ – କମଳ, ନଳିନୀ, ପଙ୍କଜ, ଅରବିନ୍ଦ

୨୨ । ପଥର – ପାଷାଣ, ପ୍ରସ୍ତର, ଶିଳା

୨୩ । ପବନ – ସମୀର, ସମୀରଣ, ଅନିଳ, ବାୟୁ

୨୪ । ପୋଖରୀ – ସର, ସରସୀ, ସରୋବର, ପୁଷ୍କରିଣୀ

୨୫ । ପୁଅ – ପୁତ୍ର, ସୁତ, ନନ୍ଦନ, ଆତ୍ମଜ

୨୬ । ପୃଥିବୀ – ଧରା, ଧରଣୀ, ଧରିତ୍ରୀ, ଅବନୀ, ମହୀ

୨୭ । ଫୁଲ – ପୁଷ୍ପ, କୁସୁମ, ସୁମନ

୨୮ । ବସ୍ତ୍ର – ବସନ, ବାସ, ଲୁଗା

୨୯ । ବଣ – ବନ, ବିପିନ, କାନନ, ଅରଣ୍ୟ

୩୦ । ଭ୍ରମର – ଅଳି, ମିଳିନ୍ଦ, ମଧୁପ, ଷଟ୍ପଦ

୩୧ । ମହାଦେବ – ଶିବ, ଶମ୍ଭୁ, ଶୂଳପାଣି, ମହେଶ୍ୱର

୩୨ । ମୟୂର – ଶିଖୀ, କେକୀ, କଳାପୀ, ନୀଳକଣ୍ଠ

୩୩ । ମନୁଷ୍ୟ – ମାନବ, ନର, ଜନ

୩୪ । ମାଆ – ମା, ମାତା, ଜନନୀ, ଅମ୍ବା

୩୫ । ମେଘ – ଘନ, ବାରିଦ, ଜଳଦ, ବଳାହକ

୩୬ । ମୁହଁ – ମୁଖ, ଆନନ, ଲପନ, ବଦନ

୩୭ । ସାପ – ସର୍ପ, ଭୁଜଗ, ଉରଗ, ଫଣୀ

୩୮ । ସମୁଦ୍ର – ସିନ୍ଧୁ, ସାଗର, ରତ୍ନାକର, ଅକୂପାର, ବାରିଧି

୩୯ । ସିଂହ – ମୃଗରାଜ, ପଶୁରାଜ, କେଶରୀ, ହର୍ଯ୍ୟକ୍ଷ

୪୦ । ସୂର୍ଯ୍ୟ – ରବି, ଭାସ୍କର, ପ୍ରଭାକର, ତପନ, ମିହିର

୪୧ । ସୁନ୍ଦର – ଚାରୁ, ମଞ୍ଜୁଳ, ମନୋରମ, ମନୋହର

୪୨ । ଶତ୍ରୁ – ରିପୁ, ଅରି,ବୈରୀ, ଅରାତି

୪୩ । ହାତୀ – କରୀ, ଗଜ, ଦ୍ୱିପ, ବାରଣ

୪୪ । ହାତ – ହସ୍ତ, କର, ଭୁଜ

ଯୁଗ୍ମଶବ୍ଦ

ଆମ ଭାଷାରେ ଅନେକ ଯୁଗ୍ମ ବା ଯୋଡି ଶବ୍ଦର ବ୍ୟବହାର ଅଛି । ସେଥିରୁ ଛାତ୍ରଛାତ୍ରୀଙ୍କ ଜାଣିବା ପାଇଁ କେତୋଟି ଉଦାହରଣ ଦିଆଯାଇଛି ।

ଅନାବନା ଗପସପ ତେଲମସଲା
ଆଖପାଖ ଗହଣାଗାଣ୍ଠି ତେଲଲୁଣ
ଆଗପଛ ଘରଦ୍ୱାର ଦଫାରଫା
ଆମୋଦପ୍ରମୋଦ ଚାଲିଚଳନ ଦିନରାତି
ଆଶାଭରସା ଚାଷବାସ ଦୁଃଖଦୁର୍ଦ୍ଦଶା
ଆଉଟୁପାଉଟୁ ଜୀବଜନ୍ତୁ ଦେଖାଦେଖି
କାମଦାମ ଝାଟିମାଟି ଧନଦୌଲତ
କଳକାରଖାନା ଝଗଡାଝାଟି ଧଇଁସଇଁ
ଖିଆପିଆ ଟଙ୍କାପଇସା ଧାନଚାଉଳ
ଖବରଅନ୍ତର ଟାହିଟାପରା ନାଟତାମସା
ଖାଦ୍ୟପେୟ ଠେଲାପେଲା ପଇସାପତ୍ର
ଖୋଜାଲୋଡା ଡଉଲଡାଉଲ ପଢାପଢି
ଖରାବରଷା ଢଙ୍ଗଢାଙ୍ଗ ପନିପରିବା
ପାପପୁଣ୍ୟ ଭୋଜିଭାତ ସତମିଛ
ପିଠାପଣା ମଉଜମଜଲିସ୍ ସୁନାରୂପା
ପିଲାଝିଲା ମଳମୂତ୍ର ହାତହତିଆର
ପୋଷାକପତ୍ର ମସଲାମସଲି ହାଲଚାଲ୍
ବାଟଘାଟ ମାନମହତ କ୍ଷେତବାଡି
ବଡସାନ ମାପଚୁପ ଲାଭକ୍ଷତି
ବଂଟାକୁଂଟା ରଙ୍ଗବେରଙ୍ଗ ଲିପାପୋଛା
ବହିପତ୍ର ରୋଷେଇବାସ ଲୁଗାପଟା
ବିପଦଆପଦଣ୍ଟ ଶାନ୍ତିଶୃଙ୍ଖଳା ଲେଖାପଢା

ଭ୍ରମସଂଶୋଧନ

ସାଧାରଣତଃ କହିବା ଓ ଲେଖିବାବେଳେ ଛାତ୍ରଛାତ୍ରୀମାନେ କେତେକ ଭୁଲ୍ କରିଥାନ୍ତି । ସାବଧାନତା ଅବଲମ୍ବନ କଲେ ଏ ଭୁଲ୍ ରହିବ ନାହିଁ । ନିମ୍ନରେ କେତେଗୁଡିଏ ଅଶୁଦ୍ଧ ଓ ଶୁଦ୍ଧ ଶବ୍ଦ ଦିଆଯାଇଛି ।

ଅଶୁଦ୍ଧ ଶୁଦ୍ଧ ଅଶୁଦ୍ଧ ଶୁଦ୍ଧ
ଅନସୁୟା ଅନସୂୟା ଉର୍ଦ୍ଧ ଊଦ୍ଧ୍ୱର୍
ଅଞ୍ଜଳୀ ଅଞ୍ଜଳି ଉତିର୍ଣ୍ଣ ଉତୀର୍ଣ୍ଣ
ଅରାତୀ ଅରାତି ଉଚ୍ଛବ ଉତ୍ସବ
ଅକ୍ଷୁର୍ଣ୍ଣ ଅକ୍ଷୁଣ୍ଣ ଉଜ୍ଜଳ ଉଜ୍ଜ୍ୱଳ
ଅଭିଳାଷ ଅଭିଳାଷ କଜ୍ଜଳ କଜ୍ଜ୍ୱଳ
ଅପରାଧି ଅପରାଧୀ କୃର୍ଷ୍ଣ କୃଷ୍ଣ
ଆଶୀସ ଆଶିଷ ଗ୍ରାହାକ ଗ୍ରାହକ
ଆଶ୍ରୀବାଦ ଆଶୀର୍ବାଦ ଗୋଲକବିହାରୀ ଗୋଲୋକବିହାରୀ
ଇଶ୍ୱର ଈଶ୍ୱର ଗଣେଷ ଗଣେଶ
ଉକ୍ତୃଷ୍ଟ ଉତ୍କୃଷ୍ଟ ଜନତାମାନଙ୍କର ଜନତାର
ତୃଟି ତ୍ରୁଟି ବାହାନ ବାହନ
ଦିପ୍ତୀ ଦୀପ୍ତି ବିଶ୍ୱସ୍ଥ ବିଶ୍ୱସ୍ତ
ଦୃତଗାମୀ ଦ୍ରୁତଗାମୀ ବିଷର୍ଣ୍ଣ ବିଷଣ୍ଣ
ଦୂର୍ଗା ଦୁର୍ଗା ବିକ୍ଷାତ ବିଖ୍ୟାତ
ଦୂରାବସ୍ଥା ଦୁରବସ୍ଥା ଭୂବନେଶ୍ୱର ଭବନେଶ୍ୱର
ଦିଗାମ୍ବର ଦିଗମ୍ବର ଭୂଲ ଭୁଲ
ଧନୀକ ଧନିକ ଭୌଗଳିକ ଭୌଗୋଳିକ
ଧୂମ୍ରପାନ ଧୂମପାନ ମନଭାବ ମନୋଭାବ
ନିତ୍ୟାନ୍ତ ନିତାନ୍ତ ମହତ୍ୱ ମହତ୍ୱ
ନିଦେ୍ର୍ଦାଷୀ ନିଦେ୍ର୍ଦାଷ ମାର୍ଗଶୀର ମାର୍ଗଶିର
ନିରୋଗୀ ନୀରୋଗ ମୀନତି ମିନତି
ପଦ୍ୟାଂଶ ପଦ୍ୟାଂଶ ମୂଖ୍ୟ ମୁଖ୍ୟ
ପରଷ୍ପର ପରସ୍ପର ମୂହୁର୍ତ ମୁହୂର୍ତ
ପରିସ୍କାର ପରିଷ୍କାର ରବିନ୍ଦ୍ର ରବୀନ୍ଦ୍ର
ପରିକ୍ଷା ପରୀକ୍ଷା ଶାରିରୀକ ଶାରୀରିକ
ପାର୍ଥନା ପ୍ରାର୍ଥନା ଶିକ୍ଷୟତ୍ରୀ ଶିକ୍ଷୟିତ୍ରୀ
ପୁରଷ୍କାର ପୁରସ୍କାର ସମାସ୍ୟା ସମସ୍ୟା
ପୂଜ୍ୟାସ୍ପଦ ପୂଜାସ୍ପଦ ସମ୍ମାନୀୟ ସମ୍ମାନନୀୟ
ପ୍ରତିଯୋଗି ପ୍ରତିଯୋଗୀ ସକ୍ଷମ କ୍ଷମ
ପ୍ରତିଯୋଗୀତା ପ୍ରତିଯୋଗିତା ସଣ୍ମାସିକ ଷାଣ୍ମାସିକ
ପ୍ରୀୟ ପ୍ରିୟ ସାହାର୍ଯ୍ୟ ସାହାଯ୍ୟ
ପୃଷ୍ଟିକର ପୁଷ୍ଟିକର ସାହାସ ସାହସ
ବଳିଷ୍ଠ ବଳିଷ୍ଠ

ପଦ ପରିବର୍ତନ

ବିଶେଷ୍ୟ ବିଶେଷଣ ବିଶେଷ୍ୟ ବିଶେଷଣ
ଅର୍ଥ ଆର୍ଥିକ ଦୟା ଦୟାଳୁ
ଅଭିନୟ ଅଭିନୀତ ଦର୍ଶନ ଦର୍ଶନୀୟ, ଦୃଷ୍ଟ
ଅଂଶ ଆଂଶିକ ଦକ୍ଷତା ଦକ୍ଷ
ଅଗ୍ନି ଆଗ୍ନେୟ ଦାଗ ଦାଗୀ
ଆଲୋକ ଆଲୋକିତ ଦେହ ଦୈହିକ
ଆକର୍ଷଣ ଆକର୍ଷଣୀୟ, ଆକୃଷ୍ଟ ଦାରିଦ୍ର୍ୟ ଦରିଦ୍ର
ଆବଶ୍ୟକତା ଆବଶ୍ୟକ ଦୁଃଖ ଦୁଃଖୀ, ଦୁଃଖିତ
ଆବିଷ୍କାର ଆବିଷ୍କୃତ ଦିନ ଦୈନିକ
ଉପକାର ଉପକୃତ, ଉପକାରୀ ଧ୍ୱଂସ ଧ୍ୱସ୍ତ
ଉତ୍ପାଦନ ଉତ୍ପାଦିତ ନିୟମ ନିୟମିତ
ଉତାପ ଉତପ୍ତ ନିରୂପଣ ନିରୂପିତ
ଉଚ୍ଚତା ଉଚ୍ଚ ନିରାପତା ନିରାପଦ
କ୍ଳାନ୍ତି କ୍ଳାନ୍ତ ନିର୍ବୋଧତା ନିର୍ବୋଧ
କ୍ରୋଧ କ୍ରୁଦ୍ଧ, କ୍ରୋଧୀ ନୀତି ନୈତିକ
ଗ୍ରହଣ ଗୃହୀତ ନିର୍ମାଣ ନିର୍ମିତ
ଘର ଘରୁଆ, ଘରୋଇ ନିଷ୍ଠୁରତା ନିଷ୍ଠୁର
ଚକ୍ଷୁ ଚାକ୍ଷୁଷ ନୂତନତା ନୂତନ
ଚେଷ୍ଟା ଚେଷ୍ଟିତ ନିର୍ଜନତା ନିର୍ଜନ
ଚିକିତ୍ସା ଚିକିତ୍ସିତ ପଥ ପାଥେୟ
ଛବି ଛବିଳ ପକ୍ଷ ପାକ୍ଷିକ
ଜଳ ଜଳୀୟ ପଠନ ପଠିତ
ଯନ୍ତ୍ର ଯାନ୍ତ୍ରିକ ପାଣି ପାଣିଆ
ଜୀବନ ଜୀବିତ ପାଣ୍ଡିତ୍ୟ ପଣ୍ଡିତ
ଜଙ୍ଗଲ ଜଙ୍ଗଲୀ ପାହାଡ ପାହାଡିଆ
ପୃଥିବୀ ପାର୍ଥିବ ମାଟି ମାଟିଆ
ପିତା ପୈତୃକ ମାନବ ମାନବୀୟ, ମାନବିକ
ପାନ ପାନୀୟ ମାସ ମାସିକ
ପ୍ରକୃତି ପ୍ରାକୃତିକ ମୂଳ ମୌଳିକ
ବଳ ବଳୁଆ ରଚନା ରଚିତ
ବର୍ଷ ବାର୍ଷିକ ଶତ୍ରୁତା ଶତ୍ରୁ
ବିଜ୍ଞାନ ବୈଜ୍ଞାନିକ ଶରୀର ଶାରୀରିକ
ବିଦୁ୍ୟତ୍ ବୈଦୁ୍ୟତିକ ଶାନ୍ତି ଶାନ୍ତ
ବୁଦ୍ଧି ବୁଦ୍ଧିଆ ଶିକ୍ଷା ଶିକ୍ଷିତ, ଶିକ୍ଷଣୀୟ
ବିନୟ ବିନୟୀ, ବିନୀତ ସମର ସାମରିକ
ବିସ୍ତାର ବିସ୍ତୃତ ସପ୍ତାହ ସାପ୍ତାହିକ
ବିବାଦ ବିବାଦୀୟ ସମୟ ସାମୟିକ
ବିମାନ ବୈମାନିକ ସମ୍ବନ୍ଧ ସମ୍ବନ୍ଧୀୟ
ବିସ୍ମିୟ ବିସ୍ମିତ ସମ୍ପର୍କ ସମ୍ପର୍କୀୟ, ସଂପୃକ୍ତ
ବାର୍ଦ୍ଧକ୍ୟ ବୃଦ୍ଧ ସରକାର ସରକାରୀ
ବ୍ୟଥା ବ୍ୟଥିତ ସାଧୁତା ସାଧୁ
ବୀରତ୍ୱ ବୀର ସାହସ ସାହସିକ
ଭୟ ଭୀତ, ଭୟାଳୁ ସାହିତ୍ୟ ସାହିତ୍ୟିକ
ଇଣ୍ଡିଆ ଭାରତୀୟ ସ୍ଥିରତା ସ୍ଥିର
ମରଣ ମୃତ ଲୋକ ଲୌକିକ
ମଧୁରତା ମଧୁର ଲୁଣ ଲୁଣିଆ

_______ ***_______

Find Amazon’s best deals & get advantage of the more hidden discounts!

Find over 75% discounts

Discover hidden offers, sales & discounts when searching for products on Amazon.

Keyword/s (optional)

(eg Iphone 5s Gold or Ipad Mini 16GB)

Search Discount

ସାଢି | ଲାପଟପ୍ | ଟେଲିଭିଜନ୍ | ଯୋତା | ମୋବାଇଲ୍ |ବହି

ପ୍ରଥମେ ଯେକୌଣସି ଜିନିଷ ସର୍ଚ୍ଚ କରନ୍ତୁ, ପରେ କ୍ୟାସ ଅନ ଡେଲିଭରିରେ ଅଡ଼ର୍ କରନ୍ତୁ, ମାନେ ଜିନିଷ ପାଇଲା ପରେ ହିଁ ପଇସା ଦିଅନ୍ତୁ

ଗପ ସାରଣୀ

ନୂଆ ତାଲିକାଭୁକ୍ତ ଗପ