ଭାଗ୍ୟର ବିଡମ୍ବନା

ନିଶା ଗରଜୁଥାଏ । ତୁହାକୁ ତୁହା ଥଣ୍ଡା ପବନ ସାଙ୍ଗକୁ ଅସରାଏ ଲେଖାଏଁ ବର୍ଷା ବି ହୋଇ ଯାଉଥାଏ । ଘଡଘଡି ମଝିରେ ଶ୍ୱାନଶ୍ୱାପଦଙ୍କ ରଡି ତଥା ଅଶରିରୀମାନଙ୍କ ଅଟ୍ଟହାସ୍ୟ ଶୁଭୁଥାଏ । ଘନ ଘନ ବିଜୁଳି ଆଲୁଅର ଝଲକରେ ଭୟାବହ ମୁହଁଟିମାନ ଦିଶିଯାଉଥାଏ ।

                କିନ୍ତୁ ରାଜା ବିକ୍ରମାର୍କ ତିଳେ ହେଲେ ମଧ୍ୟ ଭୟଭୀତ ନ ହୋଇ ପୁନରାୟ ସେ ପ୍ରାଚୀନ ବୃକ୍ଷଟି ପାଖକୁ ଲେଉଟି ଆସିଲେ ଓ ବୃକ୍ଷାରୋହଣ କରି ଶବଟିକୁ ଉତାରି ଆଣିଲେ । ତା’ପରେ ତାକୁ କାନ୍ଧରେ ପକାଇ ସେ ଶୁନ୍ଶାନ୍ ଶ୍ମଶାନ ପଥ ଅତିକ୍ରମ କରିବାକୁ ଆରମ୍ଭ କରିବା ମାତ୍ରେ ଶବସ୍ଥିତ ବେତାଳ କହିଲା, “ରାଜା! ତୁମ ସାହସ ଓ ଅଧ୍ୟବସାୟ ସକାଶେ ତୁମେ ବାହାବା ପାଇବା କଥା । କିନ୍ତୁ ତୁମେ ଯେଉଁ କାମ ହାତକୁ ନେଇଛ, ସେଥିରେ ସଫଳ ହେବ କି ନ ହେବ ତାହା ଭାଗ୍ୟ ଉପରେ ନିର୍ଭର କରେ ସିନା! ମୋ କଥାର ଯଥାର୍ଥ ବୁଝାଇବା ନିମନ୍ତେ ମୁଁ ଗୋଟାଏ ଘଟଣା କହୁଛି, ତାହା ଶୁଣ । ତାହା ଶୁଣିଲେ ତମ ଶ୍ରମଭାର ଲାଘବ ମନେ ହେବ ।”

                ଏହାପରେ ସେ ବେତାଳ ଗପିଲା: ଗୋଟାଏ ବଡ ଗାଁ ମଝିରେ ଗୋଟାଏ ବରଗଛ ଥାଏ । ସେ ବରଗଛ ତଳେ ଜଣେ ଅନ୍ଧ ଭିଖାରୀ ରହୁଥାଏ ।

                ଦିନେ ସେ ଭିଖାରୀ ବୁଢା ଶିବ ମନ୍ଦିର ଆଡେ ବାଡି ଠୁକୁ ଠୁକୁ କରି ଯାଉଛି, ହଠାତ୍ ଗୋଟାଏ ପଥର ଝଂଟି ତଳେ ସେ ପଡିଗଲା । ଜଣେ ତରୁଣ ଦୌଡି ଆସି ତାକୁ ତଳୁ ଉଠାଇଲା ଓ କହିଲା, “ଏଡେ ବଡ ପଥରଟାଏ ପଡିଛି, ତମେ କ’ଣ ତାହା ଦେଖି ପାରୁନାହଁ?”

                ବୁଢା ଭିଖାରୀ କହିଲା “ପୁଅ! ମୁଁ ଜଣେ ଅନ୍ଧ । ତମେ ଏ ଗାଁରେ ନୂଆ ବୋଲି ଏକଥା ବୋଧହୁଏ ଜାଣି ନାହଁ ।”

                ତରୁଣ ଜଣକ ଆଶ୍ଚର୍ଯ୍ୟ ହୋଇ ପଚାରିଲା “ମୁଁ ଏ ଗାଁରେ ନୂଆ ବୋଲି ତମେ କିପରି ଜାଣିଲ?”

                ଭିଖାରୀ ହସିଲା ଓ କହିଲା, “ପୁଅ, ମୁଁ ସିନା ଅନ୍ଧ, କିନ୍ତୁ ଏ ଗାଁର ପ୍ରତ୍ୟେକ ଲୋକର କଣ୍ଠସ୍ୱର ସହ ମୁଁ ଖୁବ୍ ପରିଚିତ । ତମ କଣ୍ଠସ୍ୱର ନୂଆ । ତମେ କେଉଁଠାରୁ ଆସିଛ? ତମ ନାମ କ’ଣ? ଏଠାରେ କ’ଣ କରୁଛ?”

                ସାରଥୀ କହିଲା “ମୁଁ ବହୁତ ଦୂର ଗାଁରୁ ଆସିଛି । ମୋ ନାମ ସାରଥୀ । ଏହା ଗୋଟାଏ ବଡ ଗାଁ ବୋଲି ଏଠି କୌଣସି କାମ ମିଳିବ, ସେହି ଆଶାରେ ମୁଁ ଏଠାକୁ ଆସିଥିଲି । କିନ୍ତୁ ସକାଳଠୁଁ ବୁଲୁଛି । ବର୍ତ୍ତମାନ ସୂର୍ଯ୍ୟ ଆସି ଡୁବିବାକୁ ବସିଲେଣି । କିନ୍ତୁ କୌଣସି କାମ ମିଳୁନାହିଁ ।”

                ଅନ୍ଧ ପଚାରିଲା “ତମର କ’ଣ ବାପା ମା କେହି ନାହାଁନ୍ତି?”

                ସାରଥୀ ଦୀର୍ଘନିଃଶ୍ୱାସ ଛାଡି କହିଲା “ନା । ମୁଁ ଜନ୍ମ ହେବାର ବର୍ଷକ ଭିତରେ ସେ ଦୁହେଁ ଇହଧାମରୁ ବିଦାୟ ନେଇଥିଲେ । ସେଥିପାଇଁ ମୋତେ ମୋ ଜେଜେ ମା ପାଳୁଥିଲା । ସେ ବି ଏବେ ଚାଲିଗଲା!”

                ଅନ୍ଧ ପଚାରିଲା “ଖିଆପିଆ କରିଛ?”

                ଏ ପ୍ରଶ୍ନରେ ସାରଥୀ ତ ପ୍ରଥମେ କିଛି କହିଲା ନାହିଁ । କିନ୍ତୁ ଅନ୍ଧ ପୁଣି ସେହି ଏକା କଥା ପଚାରିବାରୁ ସେ ପୂର୍ବଦିନରୁ କିଛି ଖାଇନାହିଁ ବୋଲି ସ୍ୱୀକାର କଲା । ଅନ୍ଧ ତା’ ପୁଟୁଳିରେ ଦୁଇଖଣ୍ଡି ରୋଟି ଓ ଗୋଟିଏ କଦଳି ରଖିଥିଲା । ସାରଥୀକୁ ସେ ତାହା ଖାଇବାକୁ ଦେଲା । ସାରଥୀକୁ ତାହା ଅମୃତ ଭଳି ସୁଆଦୁ ଲାଗିଲା । ବୁଢାର ଏଭଳି ସ୍ନେହ ଓ ଉଦାରତା ଦେଖି ତା’ ଆଖିକୁ ଜଳ ଆସିଗଲା ।

                ଅନ୍ଧକୁ ସେ ବାଟ କଢାଇ ଶିବ ମନ୍ଦିର ଯାଏଁ ନେଇଗଲା । ମନ୍ଦିର ଆଗରେ ସେ ଦୁହେଁ ବସି ରହିଲେ । ମନ୍ଦିରକୁ ଆସୁଥିବା ଲୋକଙ୍କ ଭିତରୁ କେହି କେହି ଅନ୍ଧ ତା’ ଆଗରେ ବିଛାଇ ରଖିଥିବା ଲୁଗା ଉପରେ ପ୍ରସାଦରୁ କିଛି ବା ପଇସାପତ୍ର ପକାଇ ଦେଉଥାନ୍ତି ।

ରାତିରେ ବରଗଛ ତଳେ ଅନ୍ଧ ସହିତ ସାରଥୀ ବି ଶୋଇଗଲା । ସକାଳେ ସେ ଅନ୍ଧକୁ ଧରି ମନ୍ଦିର ପାଖକୁ ନେଇଗଲା । ଦିନଯାକ ଯେତିକି ପଇସା ମିଳିଲା, ସେଥିରେ ସେ ବଜାରରୁ କିଛି ଖାଦ୍ୟ କିଣି ଆଣିଲା । ଦୁହେଁ ମିଶି ଖିଆପିଆ କରି ପୁଣି ସେହି ବରଗଛ ତଳେ ରାତି କଟାଇଲେ । ତେଣିକି ସବୁଦିନେ ତାଙ୍କର ସେମିତି ଚାଲିଲା । ଅନ୍ଧ ଭିକାରୀ ସାରଥୀକୁ ନିଜ ପୁଅ ଭଳି ସ୍ନେହ କରିବାକୁ ଲାଗିଲା ।

ଦିନେ ଦୁଇପହର ବେଳେ ମନ୍ଦିର କାନ୍ଥକୁ ଆଉଜି ପଡି ଅନ୍ଧ ବୁଢା ଶୋଇ ପଡିଥାଏ । ସାରଥୀ ପାଖରେ ବସିଥିଲା । ତା’ ଆଖି ମଧ୍ୟ ବୁଜି ହୋଇ ଆସିଥାଏ । ହଠାତ୍ ଏକ ମୃଦୁ ଶବ୍ଦରେ ସେ ତା’ ଆଖି ଖୋଲି ଦେଖିଲା, ଅନ୍ଧ ବୁଢାର ଲୁଗା ଉପରେ ଛୋଟିଆ ଥଳିଟିଏ ପଡିଛି । ମୂଲ୍ୟବାନ ପୋଷାକ ପିନ୍ଧିଥିବା ଜଣେ ବୟସ୍କ ବ୍ୟକ୍ତି ଚାଲି ଯାଉଛନ୍ତି ।

ସାରଥୀ ଅନ୍ଧକୁ କହିଲା “ଶୋଇ ପଡିଛ କି? ଜଣେ ଭଦ୍ରଲୋକ ଗୋଟାଏ ଥଳି ପକାଇଦେଇ ଗଲେ ।” କିନ୍ତୁ ଅନ୍ଧକୁ ସେତେବେଳେ ଗାଢ ନିଦ ଘାରି ଆସିଥିଲା । ସେ ଉତ୍ତର ଦେଲା ନାହିଁ । ସାରଥୀ ଥଳିଟି ଉଠାଇ ନେଇ ଭଦ୍ରଲୋକଙ୍କ ଆଡେ ଅନାଇଲା । ଭଦ୍ରଲୋକ ଥରେ ପଛକୁ ଚାହିଁ ଅଳ୍ପ ହସିଦେଇ ପୁଣି ନିଜ ବାଟରେ ଚାଲିଗଲେ ।

ସାରଥୀ ସଙ୍ଗେ ସଙ୍ଗେ ସେହି ଥଳିଟି ଖୋଲି ଦେଖିଲା, ତହିଁ ଭିତରେ କେତୋଟି ସୁନା ମୋହର ଅଛି! ସେ ସେଗୁଡିକ ଦେଖି ଏକବାରେ କାବା ହୋଇଗଲା । ଭଦ୍ରଲୋକ ଭୁଲ୍ରେ କେଇ ପଇସା ବଦଳରେ ପକେଟରୁ ଏ ଥଳି କାଢି ଭିଖାରୀକୁ ଆଉ ଦେଇଗଲେ କି? ସେ ଉଠି ପଡି ଭଦ୍ରଲୋକଙ୍କ ପାଖକୁ ଦୌଡିଗଲା ଓ ଥଳିଟି ଦେଖାଇ ପଚାରିଲା, “ଆପଣ କ’ଣ ଜାଣି ଜାଣି ଏହା ଦେଇଗଲେ?”

“ହଁ ବାପା, ଅଜାଣତରେ କ’ଣ ଦିଅନ୍ତି? ମୋର ଯେତେବେଳେ ବେପାରରେ କିଛି ବିଶେଷ ଲାଭ ହୁଏ, ସେତେବେଳେ କୌଣସି ଗରୀବ ଲୋକର ଦୁଃଖ ଦୂର କରିବା ପାଇଁ ମୁଁ କିଛି ବିଶେଷ ଦାନ ଦେଇଥାଏ ।”

ସାରଥୀ କାବା ହୋଇ ସେ ଭଦ୍ରଲୋକ ଆଡେ ଚାହିଁ ରହିଲା । ଭଦ୍ରଲୋକ ଅଳ୍ପ ହସି କହିଲେ, “ତମେ କିଏ? କ’ଣ ସେ ବୁଢାର ପୁଅ?”

ସାରଥୀ କିଛି କହି ପାରିଲା ନାହିଁ ।

“ତମେ ଯିଏ ହୁଅ, ତମେ ବି ତ ଅଭାବରେ ପଡି ଭିଖ ମାଗିବା ସକାଶେ ବସିଥିଲ । ଯଦି ଏହାଦ୍ୱାରା ତମର ଜୀବନଧାରା ବଦଳିଯାଇ ପାରିବ, ତେବେ ଜାଣ ମୋ ଉଦ୍ଧେଶ୍ୟ ସାଧିତ ହେବ ।”

ବେପାରୀ ଏହା କହି ସହାସ୍ୟ ବଦନରେ ସେଠୁ ଚାଲିଗଲେ ।

ସାରଥୀ ସେଇଠି ସେମିତି ଠିଆ ହୋଇ ରହିଲା । ତା’ମନରେ ତୋଫାନ୍ ଉଠିଥାଏ । ବେପାରୀ ଅବଶ୍ୟ ଏତକ ଅନ୍ଧକୁହିଁ ଦେଇଛନ୍ତି । କିନ୍ତୁ ଯେ କୌଣସି ଗରୀବ ଲୋକର ଦୁଃଖ ଦୂର କରିବା ତାଙ୍କର ଉଦ୍ଧେଶ୍ୟ । ସେ ବି ତ ଗରୀବ । ଅନ୍ଧ ସୁନା ମୋହର ନେଇ କ’ଣ କରିବ? ସେ ଅନ୍ତତଃ ଏହାକୁ ଖଟାଇ ନିଜର ସମସ୍ତ ଦୁଃଖ ଦୂର କରି ପାରିବ!

ଏହିଭଳି ଚିନ୍ତା କରୁ କରୁ ସାରଥୀ କ୍ରମେ ମନ୍ଦିର ପାଖରୁ ଦୂରକୁ ଦୂରକୁ ଚାଲିଗଲା । ବଡ ରାସ୍ତାକୁ ଯାଇ ସେ ଦେଖିଲା, ଗୋଟାଏ ଘୋଡା ଗାଡି ସହରକୁ ଯାଉଛି । ସେ ଗାଡିବାଲାକୁ ଅନୁରୋଧ କରି ସେହି ଗାଡିରେ ସହର ଅଭିମୁଖେ ସେ ଚାଲିଲା ।

ବାଟରେ ସେ ଅନ୍ଧ ପାଇଁ ତା’ ମନ ବଡ ବିକଳ ହେଲା । କିନ୍ତୁ ଗାଡି ଖୁବ୍ ତୀବ୍ର ଗତିରେ ଛୁଟି ଚାଲିଥାଏ । ସୁତରାଂ ସେ ଗାଡିବାଲାକୁ ତାହା ଅଟକାଇବାକୁ ଆଉ କହି ପାରିଲା ନାହିଁ ।

ସେ ଯାଇ ସହରରେ ପହଁଚି ଏପରି ଜଣେ ମହତ୍ ଲୋକଙ୍କ ଆଶ୍ରା ପାଇଲା, ଯିଏ କି ତାକୁ ସବୁ ପ୍ରକାରେ ସାହାଯ୍ୟ କଲେ ଓ ସୁନାମୋହର ତକ ସେ ତାଙ୍କ ନିଜ ଜିମାରେ ରଖିଲେ । ସାରଥୀ ତାଙ୍କ ସହ ପରାମର୍ଶ କରି ନିଜ କର୍ମପନ୍ଥା ସ୍ଥିର କଲା ।

ଯଥାଶୀଘ୍ର ସେ ଗୋଟାଏ ବେପାର ଆରମ୍ଭ କଲା । ଦୁଇବର୍ଷ ଭିତରେ ସେ ଖାଲି ଯେ ଧନୀ ହୋଇଗଲା, ତାହା ନୁହେଁ, ସହରରେ ଜଣେ ଗଣ୍ୟମାନ୍ୟ ବ୍ୟକ୍ତି ରୂପେ ମଧ୍ୟ ସେ ସମ୍ମାନ ପାଇଲା ।

ସହରର ଜଣେ ବିଶିଷ୍ଟ ବ୍ୟବସାୟୀଙ୍କ ଝିଅକୁ ସେ ବିଭା ହେଲା ଓ ସେଠାରେ ସେ ସୁଖରେ ରହିଲା ।

ଦିନେ ସେ ତା’ ଘରେ ନଥିବା ବେଳେ ତା’ ନିଜ ଗାଁର ଜଣେ ପରିବା ବିକ୍ରେତା ଆସି ତା’ କୋଠାରେ ପରିବା ବିକିବା ଅବସରରେ ସାରଥୀ ପିଲାବେଳେ କେଡେ ଦୁଃଖରେ ଥିଲା, ସେକଥା ତା’ ସ୍ତ୍ରୀ ଆଗରେ ସେ ଗପିଲା ।

ସାରଥୀର ସ୍ତ୍ରୀ ଭାବିଲା, “ସତେ ତ! ମୋ ସ୍ୱାମୀଙ୍କର ନିଜର ବୋଲି ତ କେହି ନାହିଁ । ସେ କାହା ସାହାଯ୍ୟରେ ଏତେ ପଇସାପତ୍ର କମାଇଲେ, ସେକଥା ତ ମୁଁ ତାଙ୍କୁ କେବେବି ପଚାରି ନାହିଁ!”

ସେଦିନ ସାରଥୀ ଆସିବା ମାତ୍ରେ ସେ ତାଙ୍କୁ ପଚାରିଲା, “ତମେ କେଇବର୍ଷ ଭିତରେ ଏତେ ଉନ୍ନତି କିପରି କଲ?”

ଏପ୍ରକାର ଏକ ପ୍ରଶ୍ନଟି ଶୁଣି ସାରଥୀ ହଠାତ୍ ଚମକି ପଡିଲା । ସେ ଟିକିଏ ଥତମତ କରି ଉତ୍ତର ଦେଲା, “ପାପ ଧନରେ!”

ସ୍ତ୍ରୀ କହିଲା “ନା, ମୋର କାହିଁ ବିଶ୍ୱାସ ହେଉ ନାହିଁ!”

ସାରଥୀ ଆଉ କଥା ଲୁଚାଇ ରଖି ପାରିଲା ନାହିଁ । ସବୁ ବିସ୍ତାର କରି ସେ କହିଗଲା ।

“ପାପଧନ ବୋଲି କାହିଁକି କହୁଛ? ସେ ଭଦ୍ରଲୋକ ତ କହିଥିଲେ କି ତମେ ତାଙ୍କ ଦାନ ଦେଇପାର!”

ସାରଥୀ କହିଲା “କହିଥିଲେ ସତ, କିନ୍ତୁ ତଥାପି ମଧ୍ୟ ମୋ ମନରେ ପାପ ରହିଛି ।”

ତା’ ସ୍ତ୍ରୀ କହିଲା, “ଯାହା ତ ହେବାର ହୋଇଛି । ସେ ଅନ୍ଧ ବୁଢା ବି ବର୍ତ୍ତମାନ ସେହି ଗାଁରେ ଥିବେ । ଯାଅ, ତାଙ୍କୁ ସବୁ କଥା କହି ଏଠାକୁ ନେଇ ଆସ । ଆମେ ତାଙ୍କୁ ପରିବାରର ମୁରବି ରୂପେ ଦେଖିବୁ ।”

“ଯଦି ସେ ନ ଆସନ୍ତି?”

“ତେବେ ଅନ୍ତତଃ ସାଥିରେ କିଛି ଟଙ୍କା ନେଇ ଯାଇଥାଅ । ତାଙ୍କୁ ଦେଇ ଆସିବ । କିମ୍ବା ଗାଁ ଲୋକଙ୍କ ଜିମା ଦେଇ ତାଙ୍କ ଚଳିବାର ସବୁ ବ୍ୟବସ୍ଥା କରିଦେଇ ଆସିବ ।”

ସାରଥୀ ଖୁସି ହୋଇ ଟଙ୍କା ଧରି ସେଠୁ ବାହାରିଗଲା ଓ ପରଦିନ ସେ ଗାଁରେ ପହଁଚି ସେହି ବରଗଛ ପାଖକୁ ଗଲା । ସେଠାରେ ଜଣେ ଗ୍ରାମବାସୀ ତାକୁ କହିଲେ, “ଅନ୍ଧ ଆଜିକାଲି ମନ୍ଦିର ଭିତରେ ରହୁଛି । ଗାଁ ଲୋକେ ତାକୁ ଅନୁମତି ଦେଇଛନ୍ତି ।”

ସାରଥୀ ଯାଇ ଯେତେବେଳେ ମନ୍ଦିର ପାଖରେ ପହଁଚିଲା । ସେତେବେଳେ ସେଠାରେ କେହିବି ନଥିଲେ । ସେ ମନ୍ଦିର ଭିତରେ ପଶି ଅନ୍ଧାରୁଆ ପରିବେଶରେ ଏଣେତେଣେ ଅନାଇ ଅନ୍ଧକୁ ଠାବ କରିବାକୁ ଚେଷ୍ଟା କରୁଛି, ସେଠାରେ ଲୁଚି ରହିଥିବା ଜଣେ ଦସ୍ୟୁ ହଠାତ୍ ତା’ ବେକରୁ ସୁନା ହାରଟି ଛିଣ୍ଡାଇନେଲା ଓ ପକେଟରୁ ଟଙ୍କା ଥଳି ବି ବାହାର କରିନେଲା । ସେ ବାଧା ଦେବାକୁ ଚେଷ୍ଟା କରିବା ମାତ୍ରେ ଦସ୍ୟୁ ଲାଠିରେ ତା’ ଉପରେ ପାହାରେ କସିଦେଲା । ସେ ଚିତ୍କାର କରି ତଳେ ପଡିଗଲା ।

“କିଏ?” ବୋଲି ଅନ୍ଧ ପ୍ରଶ୍ନ କଲା । ସେ ସାରଥୀର କଣ୍ଠସ୍ୱର ସତେ ଅବା ବାରି ପାରିଥିଲା ।

“ମୁଁ ସାରଥୀ!” ଏହା କହି ସାରଥୀ ନିଜ ଯନ୍ତ୍ରଣା ଭୁଲିଯାଇ ସେ ଅନ୍ଧକୁ କୁଣ୍ଢାଇ ପକାଇଲା । ତା’ପରେ ସେ ତା’ ଅଶ୍ରୁ ସମ୍ବରଣ କରି ସବୁ କଥା କହିଲା । ଶେଷକୁ ସେ କହିଲା, “ତମରି ଟଙ୍କାରେ ମୁଁ ଆଜି ଏତେ ବଡ ଲୋକ ହୋଇଛି । ବର୍ତ୍ତମାନ ମୋତେ କିଛି ପରିମାଣରେ ଋଣ ପରିଶୋଧ କରିବାର ସୁଯୋଗ ଦିଅ । ତୁମକୁ ମୋ ସ୍ତ୍ରୀ ବାପା ଭଳି ଜ୍ଞାନ କରି ତୁମର ସେବା କରିବ । ମୋ ସହ ଚାଲ ।”

ଅନ୍ଧ କହିଲା “ନା ପୁଅ । ତାହା ତ କେବେବି ସମ୍ଭବ ନୁହେଁ ।”

ସାରଥୀ ଅଭିମାନଭରା କଣ୍ଠସ୍ୱରରେ ପଚାରିଲା “କାହିଁକି? ତୁମେ କ’ଣ ମୋତେ ଘୃଣା କର?”

ଅନ୍ଧ ସ୍ମିତହାସ୍ୟ ଖେଳାଇ କହିଲା, “ଘୃଣା କରିବା ତ ଦୂରର କଥା, ତୋତେ ପୁଅ ଭଳି ମୁଁ ସ୍ନେହ କରେ । ତେଣୁ ମୁଁ ତୋ ସାଥେ ଯିବି ନାହିଁ । ତୁ ଯା । ତୋ ପାଖରେ ତ ବର୍ତ୍ତମାନ ବାଟଖର୍ଚ୍ଚ ବି ନାହିଁ । ନେ । ଏ ପଇସାତକ ନେଇଯା ।” ଏହା କହି ଅନ୍ଧ ଗୋଟାଏ ପଇସା ପୁଟୁଳି ତାକୁ ଧରାଇ ଦେଲା ଓ ସ୍ୱଗତୋକ୍ତି କଲାଭଳି ସେ କହିଲା, “ଭାଗ୍ୟ!”

ସାରଥୀ ଯେତେ ବୁଝାଇଲେ ବି ଫଳ କିଛି ହେଲେବି ହେଲା ନାହିଁ ।

ସାରଥୀ ସହରକୁ ଫେରିଗଲା । ଦୁଇଦିନ ପରେ ପୁଣି ସେ ଟଙ୍କା ଧରି ଆସିଲା । ପ୍ରଥମ ଥର ଟଙ୍କା ତ ଦସ୍ୟୁ ନେଇ ଯାଇଥିଲା । ଏଥର ପୁଣି ଟଙ୍କାତକ ସେ ମନ୍ଦିରର ପରିଚାଳକମାନଙ୍କୁ ଦେଇ ଅନ୍ଧ ସକାଶେ ଗୋଟାଏ ସ୍ଥାୟୀ ବ୍ୟବସ୍ଥା କରିଦେବା ପାଇଁ ଆସିଥିଲା ।

କିନ୍ତୁ ଦେଖିବା ବେଳକୁ ଅନ୍ଧ ବୁଢା ସେ ଗାଁ ଛାଡି କୁଆଡ ଚାଲି ଯାଇଛି । କୁଆଡେ ଗଲା ସେକଥା କେହିବି ଜାଣି ନଥିଲେ । ସାରଥୀ ଦୀର୍ଘନିଃଶ୍ୱାସ ଛାଡି ଫେରିଗଲା ।

ବେତାଳ ଟିକିଏ ଚୁପ୍ ରହି ତୀବ୍ର କଣ୍ଠରେ ପଚାରିଲା, “ରାଜା! ମୋର କିଛି ସନ୍ଦେହ ରହିଛି । ଅନ୍ଧ ବୁଢା କାହିଁକି ସାରଥୀ ସହ ଗଲା ନାହିଁ? ସେ କାହିଁକି କହିଲା ଯେ ସାରଥୀକୁ ସେ ତା’ ପୁଅ ଭଳି ସ୍ନେହ କରେ ବୋଲି ତା’ ସହ ଯିବାକୁ ସେ ନାରାଜ? ପାରିଲେ ମୋ ପ୍ରଶ୍ନର ଉତ୍ତର ଦିଅ । ଆଉ ଉତ୍ତର ଦେବାର ଶକ୍ତି ଥାଇ ମଧ୍ୟ ତମେ ଯଦି ନୀରବ ରହିବ, ତେବେ ତମ ଶୀର ସ୍କନ୍ଧଚ୍ୟୁତ ହେବ ।”

ରାଜା ବିକ୍ରମାର୍କ ଆଉ ମୁହୂର୍ତ୍ତେ ମଧ୍ୟ ବିଳମ୍ବ ନକରି ଉତ୍ତର ଦେଲେ, “ଅନ୍ଧ ‘ଭାଗ୍ୟ’ ବୋଲି ଯେଉଁ ସ୍ୱଗତୋକ୍ତି କଲା, ତାହାରି ଭିତରେ ତା’ ପ୍ରକୃତ ମନୋଭାବ ଲୁଚି ରହିଛି । ସେ ବିଚାରିଲା ଯେ ଧନଭୋଗ କରିବା ତା’ ଭାଗ୍ୟରେ ନାହିଁ । ଯଦି ଥାନ୍ତା, ତେବେ ସାରଥୀ ପ୍ରଥମରୁ ଧନତକ ପାଇ ତାକୁ କେବେବି ତ୍ୟାଗ କରି ଚାଲିଯାଇ ନଥାନ୍ତା । ଦ୍ୱିତୀୟରେ, ତା’ ଭାଗ୍ୟ ଏପରି ଯେ ତା’ ସଂସ୍ପର୍ଶରେ ଆସିବା ମାତ୍ରେ ସାରଥୀ ମଧ୍ୟ ଭିଖାରୀ ହୋଇ ଯାଇଛି । ତାକୁ ଧନ ଦେବାକୁ ଆସି ସାରଥୀ ଖାଲି ଯେ ଧନତକ ହରାଇଲା, ସେତିକି ନୁହେଁ, ନିଜ ସୁନାହାରଟି ମଧ୍ୟ ସେ ହରାଇଲା । ସାରଥୀକୁ ଯେହେତୁ ସେ ନିଜ ପୁଅଭଳି ସ୍ନେହ କରୁଥିଲା, ସେ ତା’ ନିଜ ଦୁର୍ଭାଗ୍ୟରେ ସାରଥୀକୁ ସାଥୀ କରିବାକୁ ଆଉ ଚାହୁଁ ନଥିଲା । ଅନ୍ଧର ଏଭଳି ଧାରଣା ହୋଇପାରେ କୁସଂସ୍କାର, କିନ୍ତୁ ଏହି ଧାରଣାର ବଶବର୍ତ୍ତୀ ହୋଇ ସାରଥୀ ପୁଣି ଥରେ ସେଠି ଆସି ପହଁଚିବା ପୂର୍ବରୁ ସେ ସ୍ଥାନ ତ୍ୟାଗ କରି ନିରୁଦ୍ଦିଷ୍ଟ ହୋଇଗଲା ।”

ରାଜାଙ୍କ ଉତ୍ତର ପ୍ରଦାନ ଶେଷ ହେବା ମାତ୍ରେ ଶବସହ ଶବସ୍ଥିତ ବେତାଳ ବି ତାଙ୍କ କାନ୍ଧରୁ ଖସି ପୁନର୍ବାର ବୃକ୍ଷ ଡାଳରେ ଯାଇ ଝୁଲି ପଡିଲା ।

Find Amazon’s best deals & get advantage of the more hidden discounts!

Find over 75% discounts

Discover hidden offers, sales & discounts when searching for products on Amazon.

Keyword/s (optional)

(eg Iphone 5s Gold or Ipad Mini 16GB)

Search Discount
ବିସ୍ଵାଶ କରିବା ଆଗରୁ ବିଜ୍ଞାପନ ଗୁଡିକର ସଠିକତାକୁ ତଦନ୍ତ କରନ୍ତୁ ।
loading...

ଗପ ସାରଣୀ

ବିସ୍ଵାଶ କରିବା ଆଗରୁ ବିଜ୍ଞାପନ ଗୁଡିକର ସଠିକତାକୁ ତଦନ୍ତ କରନ୍ତୁ ।

ସାଢି | ଲାପଟପ୍ | ଟେଲିଭିଜନ୍ | ଯୋତା | ମୋବାଇଲ୍ |ବହି

ପ୍ରଥମେ ଯେକୌଣସି ଜିନିଷ ସର୍ଚ୍ଚ କରନ୍ତୁ, ପରେ କ୍ୟାସ ଅନ ଡେଲିଭରିରେ ଅଡ଼ର୍ କରନ୍ତୁ, ମାନେ ଜିନିଷ ପାଇଲା ପରେ ହିଁ ପଇସା ଦିଅନ୍ତୁ

ତାଲିକାଭୁକ୍ତ ଗପ

ନୂଆ ତାଲିକାଭୁକ୍ତ ଗପ

loading...