ଭିକ୍ଷାଦାନ

ଲକ୍ଷ୍ମଣ ଓ ତା’ର ସ୍ତ୍ରୀ ମାଧବୀ ବଡ ଦୟାଳୁ ଓ ଉଦାର ପ୍ରକୃତିର ଥିଲେ । ଦାନ ଦେଇ ସମ୍ପତ୍ତି ଶେଷ ହୋଇଗଲା । ତା’ପରେ ସେମାନେ ଦରିଦ୍ର ହୋଇଗଲେ । ବାଡିରେ ନାନା ପ୍ରକାର ପରିବାପତ୍ର ଲଗାଇଲେ । ବହୁତ ପନିପରିବା, ଫଳ ସବୁ ଫଳିଲା । ସେସବୁ ବିକ୍ରି ହେବାକୁ ଯିବା ପୂର୍ବରୁ ଅଧେ ଦାନ ଦକ୍ଷିଣାରେ ଚାଲିଯାଏ ।

ଲକ୍ଷ୍ମଣ ଭାବିଲା ବରଂ ଅଧ୍ୟାପନା କାର୍ଯ୍ୟ କଲେ ଭଲ । କିଛିଟା ଜୀବିକାର୍ଜନ ସୁବିଧାରେ ହେବ । ସେ ଜଣେ ବିଦ୍ୱାନ୍ ଥିଲା । ବହୁତ ପିଲା ଓ ବଡ ମଣିଷ ମଧ୍ୟ ତା’ପାଖକୁ ଆସି ପଢିଲେ । କିନ୍ତୁ କେହି ଖାଲି ହାତରେ ଫେରେ ନାହିଁ । କିନ୍ତୁ ଅଧ୍ୟପନା ପାଇଁ କେହି କିଛି ଟଙ୍କା ଦିଅନ୍ତି ନାହିଁ ।

ଲକ୍ଷ୍ମଣ ଦେଖିଲା ଧନ ଆସିବାର ପନ୍ଥା ସବୁଆଡୁ ବନ୍ଦ । ତେଣୁ ଦିନେ କୁରାଢିଟି ଧରି ସେ ଜଙ୍ଗଲକୁ ଗଲା ଓ କାଠ କାଟିଲା । ସେ ଅନେକ କାଠ କାଟି ଗଦାକଲା । ଘରକୁ ଫେରିବା ବାଟରେ ଜଣେ ଦରିଦ୍ର ଲୋକ ତାକୁ ଦେଖି କହିଲା, “ମହାଶୟ, ମୁଁ ଅତ୍ୟନ୍ତ ଦରିଦ୍ର, ଖାଇବାକୁ ମୋ ପାଖରେ ପଇସାଟିଏ ବି ନାହିଁ । ମୋ ସ୍ତ୍ରୀ ଜୀବିତ ଥିବା ପର୍ଯ୍ୟନ୍ତ କୌଣସିମତେ ପରିଶ୍ରମ କରି ମାଗି ଯାଚି ସେ ଚଳାଇ ନେଉଥିଲା । କିନ୍ତୁ ସେ ଆଜି ମରିଗଲା । ତା’ର ଦାହ ସଂସ୍କାର ପାଇଁ ଯଦି କିଛି କାଠ ଓ କିଛି ପଇସା ଦିଅନ୍ତେ ତେବେ ସାରା ଜୀବନ ମୁଁ ଆପଣଙ୍କ ନିକଟରେ ଋଣି ରହିବି । ପୁଣି ଟଙ୍କା ହେଲେ ମୁଁ ନିଶ୍ଚୟ ପରିଶୋଧ କରିଦେବି ।

ଲକ୍ଷ୍ମଣ ତାକୁ ସବୁ କାଠ ଦେଇ ଦେଇ ଘରକୁ ଫେରିଲା । ସବୁକଥା ସ୍ତ୍ରୀକୁ କହିଲା । ସେ କହିଲା, “ଆମେ ତ ଆଉ ଭିକ ମାଗି ପାରିବା ନାହିଁ । ବ୍ୟବସାୟ କରି ଆସେ ନାହିଁ । ଜୀବନ କଷ୍ଟକର ହୋଇଗଲାଣି । ଏଣିକି ଆତ୍ମହତ୍ୟା ବ୍ୟତୀତ ଆଉ କିଛିବି ଉପାୟ ନାହିଁ ।”

ମାଧବୀ ତାକୁ ସାନ୍ତ୍ୱନା ଦେଇ କହିଲା, “ଯେପରି ବୀଜ ବୁଣିଛ ସେପରି ଫଳ ପାଇବ । ଚିନ୍ତିତ ହୁଅ ନାହିଁ । ମୃତ୍ୟୁ ବେଳକୁ ବାବା ଯାହା କହିଥିଲେ ତାହାହିଁ କରିବା ।”

ଲକ୍ଷ୍ମଣର ପିତା ତାଙ୍କ ମୃତ୍ୟୁବେଳକୁ କହିଥିଲେ “ପୁଅ ଲକ୍ଷ୍ମଣ, ତୋର ଦାନୀ ପଣ ଯୋଗୁଁ ଦିନେ ନାଦିନେ ତୋତେ କଷ୍ଟ ସହିବାକୁ ହେବ । କିନ୍ତୁ ଏହି ଭଲଗୁଣକୁ ଛାଡି ଦେବାକୁ ମଧ୍ୟ ମୁଁ ତୋତେ କହୁନାହିଁ । ଗୋଟିଏ କଥା ମନେ ରଖିଥିବୁ । ଯେଉଁଦିନ ଦେଖିବୁ ଜୀବିକାର୍ଜନ ପାଇଁ ସମସ୍ତ ପନ୍ଥା ବନ୍ଦ, ଆତ୍ମହତ୍ୟା ଛଡା ତୋ ପାଖରେ ଆଉ ଅନ୍ୟ ଉପାୟ କିଛି ନାହିଁ । ସେତେବେଳେ ସ୍ନାନ କରି ସାରି ଭଗବାନଙ୍କୁ ପ୍ରାର୍ଥନା କରିବୁ । ତା’ପରେ ତୁ ମୋର ଚିତ୍ରପଟକୁ ଦୁଇ ହାତରେ ସ୍ପର୍ଶ କରିବୁ । ଦେଖିବୁ ତା’ପରେ ଜଣେ ଭିକାରୀ ତୁମ ଘରକୁ ଆସିବ । ସେ ଯାହା ମାଗିବ ତାକୁ ତୁ ତାହା ଦେଇ ଦେବୁ । ତଦ୍ୱାରା ତୋର ମଙ୍ଗଳ ହେବ ।”

ମାଧବୀ ଏକଥା ମନେ ପକାଇ ଦେବାରୁ ଲକ୍ଷ୍ମଣ ଖୁବ୍ ଖୁସି ହୋଇଗଲା । ପରଦିନ ସକାଳୁ ଉଠି ସ୍ୱର୍ଗତଃ ପିତାଙ୍କ କଥା ଅନୁସାରେ ସେ ସମସ୍ତ କାମ କଲା । ଦେଖିଲା ବାହାରେ ଜଣେ ଭିକାରୀ କହୁଛି, “ବାବା, ଭିକ ଦିଅ; ମୁଠିଏ ଚାଉଳ ଦିଅ ।”

ମାଧବୀ ଚେଷ୍ଟା କରି ଅନେକ ଖୋଜା ଖୋଜି କରି ମୁଠାଏ ଚାଉଳ ଆଣି ସେହି ଭିକାରୀର ଝୁଲିରେ ଦେଲା; ସେତେବେଳେ ସେ ଭିକାରୀ କହିଲା, “ଏଥିରୁ ଗୋଟିଏ ଦାନ ଚାଉଳ ରଖି ନିଅ ତାହା ଅକ୍ଷୟ ହୋଇ ରହିବ ।” ଏତିକି କହି ସେହି ଭିକାରୀଟି ସେଠାରୁ ଚାଲିଗଲା । ମାଧବୀ ଚାଉଳ ଦାନାଟି ଆଣି ତାକୁ ଗୋଟିଏ ଡିବାରେ ପକାଇଲା ତତ୍କ୍ଷଣାତ୍ ସେହି ଡିବାଟି ଚାଉଳରେ ଭରିଗଲା । ସେହିଦିନଠାରୁ ଚାଉଳ, ଡାଲି, ପନିପରିବା, ଟଙ୍କା ପଇସା ସବୁ ଅକ୍ଷୟ ହୋଇ ରହିଲା । ଘର ଭରି ଉଠିଲା । ଲକ୍ଷ୍ମଣ ଓ ମାଧବୀଙ୍କ ଦାନ ଦେବାର ଅଭ୍ୟାସ ମଧ୍ୟ ବନ୍ଦ ହେଲା ନାହିଁ, ବରଂ ବଢି ଚାଲିଲା ।

ମାଧବୀ ବରାବର ଭାବୁଥାଏ ସେହି ଭିକାରୀକୁ ଥରେ ଦେଖନ୍ତା, ଯାହାର ଦୟାରୁ ସେମାନେ ଆଜି ଏତେ ବଡ ହୋଇପାରିଛନ୍ତି । ସେ କିଏ ହୋଇ ପାରନ୍ତି? ସବୁକିଛି ତ ଆଶ୍ଚର୍ଯ୍ୟ ଭାବରେ ଘଟିଗଲା ।

ଅନେକ ଦିନ ପରେ ଥରେ ସେମାନେ ତାଙ୍କର କୌଣସି ବନ୍ଧୁବାନ୍ଧବଙ୍କ ବିବାହ ଉତ୍ସବରେ ଯୋଗ ଦେବା ପାଇଁ ସହରକୁ ଯାଇଥା’ନ୍ତି । ସେଠାରେ କାଙ୍ଗାଳୀଭୋଜନ ହେଉଥାଏ । ମାଧବୀ ଭିକାରୀମାନଙ୍କ ଆଡକୁ ଚାହିଁ ଚାହିଁ ପୂର୍ବୋକ୍ତ ସେହି ଭିକାରୀଟିକୁ ଖୋଜୁଥାଏ । ହଠାତ୍ ତାର ମନେ ହେଲା ଯେ ସେହି ଭିକାରୀଟି ସେମାନଙ୍କ ମଧ୍ୟରେ ଅଛି । ସେ ସେଠାକାର ଜଣକୁ ଡାକି କହିଲା, “ଏହି ଭିକାରୀକୁ ଡାକି ରଖିଥିବ, ମୁଁ ତାଙ୍କ ସହିତ ଦେଖା କରିବାକୁ ଚାହେଁ ।”

ଲୋକଟି ଆଶ୍ଚର୍ଯ୍ୟ ହୋଇ କହିଲା, “କାହିଁକି? ତା’ ସହିତ ଆପଣଙ୍କର କ’ଣ କାମ? ସେ ଜଣେ ବଡ ଲୋଭୀ ଲୋକ; ପେଟ ଭରି ସେ ଖାଇବ; ଚାଉଳ ନେବ, ପୁଣି ଭିକ ମାଗିବ । ତାକୁ ଲାଜ ମାଡେନି ।”

କାଙ୍ଗାଳୀ ଭୋଜନ ପରେ ତାକୁ ଡକାହେଲା । କିନ୍ତୁ ସେ ଆସିଲା ନାହିଁ । ମାଧବୀ ଓ ଲକ୍ଷ୍ମଣ ତାହାର ପଛେ ପଛେ ଗଲେ ।

ଭିକାରୀଟି ସେଠାରୁ ଯାଇ ଜଣେ ଲୋଭୀଲୋକ ଘରେ ପଶି ଭିକ ମାଗିଲା । ସେହି ବ୍ୟକ୍ତି ଜଣକ ତାକୁ ଗାଳି ଦେଇ ସେଠାରୁ ତଡି ଦେଲା । ତା’ପରେ ସେ ଦୁଇ ତିନିଜଣଙ୍କ ଘରକୁ ଗଲା; କିନ୍ତୁ ସବୁଠାରୁ ସେ ଖାଲି ତଡା ଖାଇଲା ।

ତା’ପରେ ଲକ୍ଷ୍ମଣ ଓ ମାଧବୀ ତା’ପାଖକୁ ଯାଇ ତାକୁ କହିଲେ, “ମହାଶୟ, ଆପଣ ତ କୌଣସି ସାଧାରଣ ମନୁଷ୍ୟ ନୁହଁନ୍ତି । ଆପଣଙ୍କ କୃପାରୁ ଓ ମହିମାରୁ ଆମେ ଆଜି ଭଲରେ ଚଳୁଛୁ । ଆମେ ବୁଝିପାରୁନାହୁଁ ଯେ ଆପଣ କାହିଁକି ଘର ଘର ବୁଲି ଭିକ ମାଗୁଛନ୍ତି? ଆପଣ ଆସନ୍ତୁ, ଶାନ୍ତିରେ ଆମରି ଘରେ ରହି ଖୁସିରେ ଦିନ କାଟିବେ ।”

ଭିକାରୀ କହିଲା, “ତୁମ ଘରେ ଯାଇ ବସିଲେ ମୋର ସମୟ କିପରି କଟିବ? ଦୁଇ ଚାରିଟା ଘରକୁ ଯାଇ ଭିକ ମାଗେ ଓ ସେମାନଙ୍କ ଠାରୁ ଗାଳି ଖାଏ । ଯାହା ପାଖରେ ସବୁକିଛି ଥାଇ ଗାଳି ଦେବେ ଓ ଭିକ ଦେବେ ନାହିଁ, ତେବେ ଜାଣିରଖ ଯେ ସେହିଦିନଠାରୁ ତା’ର ଅବସ୍ଥା ତଳକୁ ଗଲା । ସେହିସବୁ ସମ୍ପତ୍ତି ତୁମ ଘରକୁ ଆସି ଅକ୍ଷୟ ହୋଇ ରହିବ ।”

ଲକ୍ଷ୍ମଣ ଆଶ୍ଚର୍ଯ୍ୟ ହୋଇ ପଚାରିଲା, “ତେବେ କ’ଣ ଆମ ପାଇଁ ଆପଣ ଘରଘର ବୁଲି ଭିକ୍ଷା କରୁଛନ୍ତି?”

“ଆଶ୍ଚର୍ଯ୍ୟ ହୁଅ ନାହିଁ । ମୋର ଏହି ରୂପରେ ତୁମେ ମୋତେ ଚିହ୍ନିବ ନାହିଁ ମୁହିଁ ତୁମର ବାପା ।” ଏହାପରେ ପୁଅ ବୋହୁ ତାଙ୍କୁ ଚିହ୍ନି ପ୍ରଣାମ କଲେ ।

ଦୁଇଜଣଙ୍କୁ ଉଠାଇ ସେ କହିଲେ, “ଯେତେଦିନ ପର୍ଯ୍ୟନ୍ତ ମୁଁ ଅଛି, ତୁମର କୌଣସି ଅସୁବିଧା ହେବ ନାହିଁ । ଘରକୁ ଫେରି ସୁଖରେ ରହ ।”

ପତିପତ୍ନୀ ସେହି ଭିକାରୀକୁ ଅର୍ଥାତ୍ ତାଙ୍କ ବାପାଙ୍କୁ ନିଜ ଘରକୁ ନେବା ପାଇଁ ବହୁତ ଜିଦ୍ କଲେ । ସେ କହିଲେ, “ତୁମେ ଦୁଇଜଣ ଅତ୍ୟନ୍ତ ବୋକା । ତୁମେ ଏକଥା ଭୁଲିଗଲ କି ବହୁଦିନ ପୂର୍ବରୁ ମୋର ମୃତ୍ୟୁ ହୋଇଯାଇଛି ବୋଲି?”

ମାଧବୀ କହିଲା “ଆପଣ ତ ପୁଣି ମାନବଜନ୍ମ ଧାରଣ କରିଛନ୍ତି ନା?”

ଭିକାରୀଟି ସହାନୁଭୂତିପୂର୍ଣ୍ଣ ଦୃଷ୍ଟିରେ ତାକୁ ଚାହିଁ କହିଲା, “ମୃତ ବ୍ୟକ୍ତିଙ୍କର ଯଦି କୌଣସି ଇଚ୍ଛା ବା ଚିନ୍ତା ନଥାଏ, ତେବେ ତ ସେମାନେ ଭଗବାନଙ୍କ ପାଖରେ ପହଁଚି ଯା’ନ୍ତି । ମୋର ଆଶ୍ରୟ ତ ତୁମ ଘରେ ରହିଥିବା ମୋର ସେହି ଚିତ୍ରପଟ । ଏବେ ମଧ୍ୟ ତୁମେ ଜାଣିପାରୁ ନାହଁ ଯେ ପଇସା କିପରି ରୋଜଗାର କରିବାକୁ ହୁଏ? ଦାନ ଧର୍ମ କରିବା ତ ବହୁତ ଭଲ କଥା । କିନ୍ତୁ ତମେ ଏହା ଶିଖିବା ଉଚିତ୍ ଯେ ରୋଜଗାର କରିବା ପରେ କିଛି ରଖି ତା’ପରେ ଦାନ ଦେବ । ତୁମେ ଏକଥା ନଶିଖିବା ପର୍ଯ୍ୟନ୍ତ ମୁଁ ଭିକାରୀ ହୋଇ ସେମିତି ବୁଲୁଥିବି । ତୁମ ଘରେ ମୋର ରହିବା ଆଉ ସମ୍ଭବ ନୁହେଁ । ଏହା ପ୍ରକୃତି ବିରୁଦ୍ଧ ।”

ବାପର କଥା ଶୁଣି ଲକ୍ଷ୍ମଣର ଆଖି ଅଶ୍ରୁରେ ଭରିଗଲା । ସେ ମାଧବୀକୁ କହିଲା, “ଦାନ ଦେବା ଦ୍ୱାରା ମୁଁ ଭାବୁଥିଲି କି ମୁଁ ଦରିଦ୍ରନାରାୟଣଙ୍କ ସେବା କରୁଛି । ଏହି ଭ୍ରମ ଏବେ ମୁଁ ବୁଝୁଛି ତଦ୍ୱାରା ମୋର ଦେବତା ପ୍ରତିମ ପିତାଙ୍କୁ ମୁଁ ଅନେକ କଷ୍ଟ ଦେଉଛି । ଏଣିକି ମୁଁ ବହୁତ ଧନ ଅର୍ଜନ କରିବି ଓ ତା’ପରେ ଯାଇ ଦାନ ଦେବି । ତେବେ ଯାଇ ମୋ ବାପାଙ୍କୁ ମୁକ୍ତି ମିଳିବ ।”

ମଣିଷ ଜାଣେ ନାହିଁ କି ତା’ର ପୂର୍ବପୁରୁଷଙ୍କ ଧନ ପାଣିପରି ବୋହିଯାଏ । ନିଜେ ରୋଜଗାର କରି ରଖିଥିବା ସଂଚିତ ଧନ ଏପରି ବାଂଟି ଦେଲେ ବିଚରା ତାଙ୍କ ମନ ବହୁତ ଦୁଃଖ ହେବ । ତେଣୁ ସୁବିଧା ଅନୁସାରେ ପଇସା ଖର୍ଚ୍ଚ କରିବ । ମାତ୍ର ଅଯଥାରେ ନୁହେଁ ।

Find Amazon’s best deals & get advantage of the more hidden discounts!

Find over 75% discounts

Discover hidden offers, sales & discounts when searching for products on Amazon.

Keyword/s (optional)

(eg Iphone 5s Gold or Ipad Mini 16GB)

Search Discount
ବିସ୍ଵାଶ କରିବା ଆଗରୁ ବିଜ୍ଞାପନ ଗୁଡିକର ସଠିକତାକୁ ତଦନ୍ତ କରନ୍ତୁ ।
loading...

ଗପ ସାରଣୀ

ବିସ୍ଵାଶ କରିବା ଆଗରୁ ବିଜ୍ଞାପନ ଗୁଡିକର ସଠିକତାକୁ ତଦନ୍ତ କରନ୍ତୁ ।

ସାଢି | ଲାପଟପ୍ | ଟେଲିଭିଜନ୍ | ଯୋତା | ମୋବାଇଲ୍ |ବହି

ପ୍ରଥମେ ଯେକୌଣସି ଜିନିଷ ସର୍ଚ୍ଚ କରନ୍ତୁ, ପରେ କ୍ୟାସ ଅନ ଡେଲିଭରିରେ ଅଡ଼ର୍ କରନ୍ତୁ, ମାନେ ଜିନିଷ ପାଇଲା ପରେ ହିଁ ପଇସା ଦିଅନ୍ତୁ

ତାଲିକାଭୁକ୍ତ ଗପ

ନୂଆ ତାଲିକାଭୁକ୍ତ ଗପ

loading...