ମଧୁମତିଙ୍କ ପସନ୍ଦ

ଅନେକ ଦିନ ତଳର କଥା । ସେତେବେଳେ କୋଶଳ ଦେଶରେ ବଲ୍ଲଭବର୍ମା ରାଜୁତି କରୁଥିଲେ । ସେ ଯେପରି ସୁଶାସକ ଥିଲେ, ଠିକ୍ ସେହିପରି ସେ ବୁଦ୍ଧିମାନ ବି ଥିଲେ । ଲୋକେ କହୁଥାନ୍ତି, “ଏମିତି ରାଜା ସହଜରେ ମିଳନ୍ତି ନାହିଁ ।”

                ସେ ରାଜାଙ୍କର ଦୁଇ ପୁଅ ଥିଲେ: ସେମାନେ ହେଲେ ସୁମନ୍ତ ଓ ପ୍ରବୀର । ରାଜା ସେ ଦୁହିଁଙ୍କୁ ସମାନ ପ୍ରକାରେ ସ୍ନେହ କରୁଥିଲେ । ଏହା ଯେଉଁ ସମୟର କଥା କୁହାଯାଉଛି, ସେତେବେଳେ ବଡ ପୁଅ ହେଲେହିଁ ରାଜା ହେବ, ସେ ଦେଶରେ ସେଭଳି ପ୍ରଥା ନଥିଲା । ରାଜା ତାଙ୍କର ଯେଉଁ ପୁଅକୁ ଯୋଗ୍ୟ ବିବେଚିତ କରିବେ, ସେ ପୁଅକୁ ସେ ଯୁବରାଜ ପଦରେ ବସାଇ ପାରିବେ ।

                ସୁମନ୍ତ ଓ ପ୍ରବୀର ଭିତରୁ କାହାକୁ ଯୁବରାଜ ପଦ ଦେବେ ଓ ତାହାଦ୍ୱାରା ତାଙ୍କ ଉତ୍ତରଧିକାରୀ ରୂପେ ବରଣ କରିବେ, ରାଜା ସେକଥା ଠଉରାଇ ପାରୁ ନ ଥିଲେ । ସୁମନ୍ତକୁ ସେ ଯୁବରାଜ ପଦ ଦେବା ସ୍ୱାଭାବିକ ହୁଅନ୍ତା, କିନ୍ତୁ ସୁମନ୍ତ ବହୁତ ମାନ୍ଦା ପ୍ରକୃତିର ଯୁବକ ବୋଲି ତାଙ୍କର ଧାରଣା ହୋଇଥିଲା । ସୁମନ୍ତ ଅତି ଧୀର ଭାବରେ କଥା କହନ୍ତି, ବିଶେଷ କାହା ସହ ସେ ଏତେଟା ମିଳାମିଶା କରନ୍ତି ନାହିଁ । କେବେ କାହାକୁ କଡା ଭାବରେ କିଛି କହିବାର ବା ଧମକ ଦେବାର ଶୁଣାଯାଏ ନାହିଁ । ଯିଏ ରାଜା ହେବ, ତା’ର ବିପରୀତ ଗୁଣମାନ ରହିବା ଆବଶ୍ୟକ!

                ସେସବୁ ବିପରୀତ ଗୁଣ ପ୍ରବୀରଙ୍କଠିଁ ଥିଲା । ସେ ଚଂଚଳ ସ୍ୱଭାବର ତରୁଣ । ଯେଉଁ କାମ କରିବାକୁ ସ୍ଥିର କରୁଥିଲେ, ସେ କାମ ସେ କରାଇ ନେଉଥିଲେ । ଅମାତ୍ୟକୂଳର ଯୁବକମାନଙ୍କ ଭିତରେ ତାଙ୍କର ଅନେକ ବନ୍ଧୁ ଥିଲେ ।

                ରାଜଗାଦି ପାଇଁ ଉତ୍ତରଧିକାରୀ ମନୋନୟନ ସମ୍ପର୍କରେ ଆଲୋଚନା ହେବା ବେଳେ ମନ୍ତ୍ରୀମାନେ ପ୍ରାୟ ରାଜାଙ୍କୁ କହୁଥିଲେ, “ମହାରାଜ, ଯୁବରାଜ ସୁମନ୍ତ ଅତ୍ୟନ୍ତ ସାଧୁ ପ୍ରକୃତିର ଯୁବକ । ତାଙ୍କଠାରେ ବୁଦ୍ଧିର ଗଭୀରତା ମଧ୍ୟ ଅଛି । କିନ୍ତୁ ରାଜ୍ୟଶାସନ ପାଇଁ ଯେଉଁ ସବୁ ଗୁଣର ଆବଶ୍ୟକ ସେସବୁ ମନେ ହୁଏ ପ୍ରବୀରଙ୍କଠାରେହିଁ ଅଧିକ ମାତ୍ରାରେ ଅଛି । ତେଣୁ ରାଜପଦ ପାଇଁ ସେ ହିଁ ଯୋଗ୍ୟ ।”

                ରାଜା ମଧ୍ୟ କ୍ରମେ ସେହି ସିଦ୍ଧାନ୍ତରେ ଯାଇ ପହଁଚିଥିଲେ । ଜଣେ ରାଜପୁତ୍ର ରାଜା ହେଲେ ଅନ୍ୟ ଜଣେ କୌଣସି ଗୁରୁତର ରାଜକାର୍ଯ୍ୟ ତୁଲାଇବେ, ଏହା ଥିଲା ପରମ୍ପରା । ସେଥିପାଇଁ ରାଜ୍ୟର ଜନସାଧାରଣଙ୍କ ଜୀବନ ଓ ସମସ୍ୟା ବିଷୟରେ ସେମାନଙ୍କର ପ୍ରତ୍ୟକ୍ଷ ଧାରଣା ହେବା ଆବଶ୍ୟକ । ରାଜା ବଲ୍ଲଭବର୍ମା ରାଜା ହେବା ପୂର୍ବରୁ ସେ ତାଙ୍କ ପିତାଙ୍କ ଆଦେଶରେ ଏକାକୀ ରାଜ୍ୟ ଭ୍ରମଣ କରିଥିଲେ । ସେ ସୁମନ୍ତ ଓ ପ୍ରବୀରଙ୍କୁ ମଧ୍ୟ ସେଇଆ କରିବା ନିମନ୍ତେ ନିର୍ଦ୍ଧେଶ ଦେଲେ ।

                ସୁମନ୍ତ ଓ ପ୍ରବୀର କେଇମାସ କାଳ ରାଜ୍ୟ ଭ୍ରମଣ କରି ଶେଷକୁ ସେମାନେ ରାଜଧାନୀକୁ ଫେରିବାକୁ ମନସ୍ଥ କଲେ । ଗୋଟିଏ ବଣ ଭିତର ଦେଇ ଆସିଲେ ସିଧା ରାସ୍ତା ପଡିବ ବୋଲି ସେ ଦୁହେଁ ବଣରେ ପଶିଲେ । ସେହି ବଣଟି କୋଶଳ ଓ ମଧୁପୁର ରାଜ୍ୟର ସୀମାରେ ଅବସ୍ଥିତ ।

ଦୁହେଁ ବଣ ଭିତରେ ବିଶ୍ରାମ କରୁଛନ୍ତି, ହଠାତ୍ ଗୋଟିଏ ନାରୀ କଣ୍ଠର ଆର୍ତ୍ତନାଦ ଉଭୟେ ଶୁଣିଲେ । କେହି ଜଣେ କହୁଥିଲା, “ମୋତେ ବଞ୍ଚାଅ!”

ପ୍ରବୀର ଚଟାପଟ୍ ଉଠି ପଡି ଚାରିଆଡକୁ ଦୃଷ୍ଟିପାତ କଲେ ଓ ତା’ପରେ ସେ କହିଲେ, “ଭାଇ! କେହି କୁଆଡେ ନାହିଁ । ଏ କଣ୍ଠସ୍ୱର ନିଶ୍ଚୟ କୌଣସି ପିଶାଚିନୀର । ଚାଲ, ଆମେ ଆମ ବାଟରେ ଯିବା ।”

କିନ୍ତୁ ସୁମନ୍ତ କହିଲେ, “ଚାରିଆଡକୁ ଅନାଇଲେହିଁ ସବୁ ଦେଖି ହୁଏନାହିଁ । ଏଠି କେଉଁଠି ଖାଲ ବା କୂଅ ନାହିଁ?”

ଦେଖିବା ବେଳକୁ ଗୋଟିଏ ଅତ୍ୟନ୍ତ ସୁନ୍ଦରୀ କନ୍ୟା ଗୋଟିଏ କୂଅ ଭିତରେ ପଡିଯାଇଛି । ସେ ଉପରକୁ ଅନାଇ କହିଲା, “ବଣ ବୁଦା ଯୋଗୁଁ ଦେଖି ନପାରି ପଡିଗଲି ।”

ପ୍ରବୀର ତତ୍କ୍ଷଣାତ୍ ସେହି କୂଅ ଭିତରକୁ ଡେଇଁ ପଡିବାକୁ ଉଦ୍ୟତ ହେଲେ । କିନ୍ତୁ ସୁମନ୍ତ ତାଙ୍କୁ ରୋକିଦେଲେ ଓ କହିଲେ, “ଜଣେ ତଳେ ପଡି ବାହାରି ପାରୁନାହିଁ । ତୁମେ ପୁଣି ପଡି କ’ଣ ଲାଭ ହେବ? ଦୁହିଁଙ୍କୁ ମୁଁ କିପରି ବାହାର କରିବି? ଦେଖ, କେଉଁଠି ଟାଣ ଲଟା ଥିଲେ ତାକୁ ଖୋଜି ବାହାର କର ।”

ପ୍ରବୀର ଟାଣୁଆ ଲଟା ଖୋଜି ବାହାର କଲେ । ତା’ର ଗୋଟିଏ ପ୍ରାନ୍ତ ସୁମନ୍ତ ଧରିଲେ । ଲଟା ଧରି ପ୍ରବୀର ଓହ୍ଲାଇଗଲେ ଓ ସେହି କନ୍ୟାଟିକୁ ଉପରକୁ ଆଣିଲେ । କନ୍ୟା ପ୍ରବୀରକୁ ଧନ୍ୟବାଦ ଦେଲେ । ପ୍ରବୀରଙ୍କ ଆନନ୍ଦ କଥା କହିଲେ ନ ସରେ ।

ଉପରକୁ ଉଠି ଆସି କନ୍ୟା ନିଜର ପରିଚୟ ଦେଲେ । ସେ ମଧୁପୁର ରାଜ୍ୟର ରାଜକନ୍ୟା ମଧୁମତି । ସଖିମାନଙ୍କ ସହ ଲୁଚକାଳି ଖେଳୁଥିବା ଅବସ୍ଥାରେ ସେମାନଙ୍କଠୁଁ ଦୂରେଇ ଆସି ସେ କୂଅରେ ପଡିଯାଇଥିଲେ ।

ସେ ଏକଥା କହିସାରିବା ବେଳକୁ ତାଙ୍କ ସଖିମାନେ ସେଠାରେ ଆସି ପହଁଚିଗଲେ । ରାଜକନ୍ୟା ସେମାନଙ୍କ ସହ ଚାଲିଗଲେ ।

ଦୁଇ ରାଜପୁତ୍ର ରାଜଧାନୀକୁ ଫେରିଲେ ଓ ସେମାନଙ୍କ ରାଜ୍ୟ ଭ୍ରମଣର ଅଭିଜ୍ଞତା ରାଜାଙ୍କୁ ଶୁଣାଇଲେ । ସେସବୁ ଶୁଣି ରାଜା ବହୁତ ଖୁସି ହେଲେ । ଦୁଇଦିନ ପରେ ରାଜାଙ୍କ ବୟସ୍ୟ ଆସି ରାଜାଙ୍କୁ କହିଲା, “ମଧୁପୁରର ରାଜକନ୍ୟା ମଧୁମତି ଅତ୍ୟନ୍ତ ସୁନ୍ଦରୀ । ମୋର ମନେ ହୁଏ ରାଜକୁମାର ସୁମନ୍ତ ଓ ରାଜକୁମାର ପ୍ରବୀର ଉଭୟେ ତାଙ୍କୁ ବିଭା ହେବାକୁ ଚାହାଁନ୍ତି ।”

“ସତେ? ତେବେ ରାଜକନ୍ୟା କାହାକୁ ପସନ୍ଦ କରୁଛନ୍ତି, ସେକଥା ବୁଝିବାକୁ ହେବ ।”

କୋଶଳ ଓ ମଧୁପୁର ରାଜ୍ୟ ଭିତରେ ବିଶେଷ ବନ୍ଧୁତା ଥାଏ । କୋଶଳରେ ଗୋଟିଏ ବଡ ଉତ୍ସବ ହେବାର ଥାଏ । ସେହି ଉପଲକ୍ଷ୍ୟେ ରାଜା ବଲ୍ଲଭବର୍ମା ସପରିବାରେ ମଧୁପୁର ରାଜାଙ୍କୁ ନିମନ୍ତ୍ରଣ କଲେ । ରାଜା ସପରିବାରେ ଆସିବାରୁ ବଲ୍ଲଭବର୍ମା ଅତିଥି ରାଜାଙ୍କ ଅନୁମତି ସହ କନ୍ୟା ମଧୁମତିଙ୍କୁ ପଚାରିଲେ, “ତମେ ମୋର ଦୁଇପୁଅଙ୍କ ଭିତରୁ ଜଣକୁ ବିଭା ହେବାକୁ ରାଜି?”

ମଧୁମତି ହଁ ଭରିଲେ । ସେତେବେଳକୁ ପ୍ରବୀର ପ୍ରଚାର କରି ସାରିଥାନ୍ତି ଯେ ମଧୁମତି ତାଙ୍କୁହିଁ ବିଭା ହେବେ । କିନ୍ତୁ ଆଶ୍ଚର୍ଯ୍ୟର କଥା, ମଧୁମତି ଜ୍ୟେଷ୍ଠ ରାଜପୁତ୍ରଙ୍କୁ ବିଭା ହେବେ ବୋଲି କହିଲେ ।

ରାଜା ବଲ୍ଲଭବର୍ମା ପରେ ଏକାନ୍ତରେ ମଧୁମତିଙ୍କୁ ପଚାରିଲେ “ମା, ସୁମନ୍ତ ଓ ପ୍ରବୀର ଭିତରେ ତୁମେ ସୁମନ୍ତକୁ କାହିଁକି ପସନ୍ଦ କଲ?”

ରାଜକନ୍ୟା କହିଲେ “ମହାରାଜ! ସୁମନ୍ତ ଜ୍ଞାନୀ, ବୁଦ୍ଧିମାନ ଓ ବ୍ୟକ୍ତିତ୍ୱବାନ ଓ ସମ୍ଭ୍ରାନ୍ତ ।”

ରାଜା ପଚାରିଲେ “କିପରି?”

ରାଜକନ୍ୟା ବୁଝାଇଦେଲେ : ପ୍ରବୀର ଚାରିଆଡକୁ ଦୃଷ୍ଟିପାତ କରି କାହାକୁ ନ ଦେଖି ଚାଲିଯିବାକୁ ପ୍ରସ୍ତାବ କଲାବେଳେ ଆଖପାଖରେ କୂଅ ଥିବାର ସମ୍ଭାବନା କଥା କେବଳ ସୁମନ୍ତହିଁ କହିଥିଲେ । ତାହା ଜ୍ଞାନର ପରିଚୟ । ଆହୁରି ପୁଣି ପ୍ରବୀର କୂଅ ଭିତରକୁ ଡେଇଁ ପଡିବାକୁ ବସିଥିବା ବେଳେ ସୁମନ୍ତ ତାଙ୍କୁ ରୋକି ପ୍ରଥମେ ଲଟା ଯୋଗାଡ କରିବାକୁ କହି ବାସ୍ତବ ବୁଦ୍ଧିର ପରିଚୟ ଦେଇଥିଲେ । ସେ ଧୀର ଭାବରେ କଥା କହୁଥିଲେ ବି ତାଙ୍କ କଥାର ପ୍ରଭାବକୁ ପ୍ରବୀର ଏଡାଇ ଦେଇ ପାରୁ ନଥିଲେ ଓ ତାଙ୍କ ନିର୍ଦ୍ଧେଶରେ ସେ ସବୁକାମ କରୁଥିଲେ । ଏହା ତାଙ୍କ ବ୍ୟକ୍ତିତ୍ୱର ପରିଚୟ । ପ୍ରବୀର ରାଜକନ୍ୟା ତାଙ୍କୁ ବିଭା ହେବେ ବୋଲି ଏଣେ ତେଣେ ପ୍ରଗଳଭ ଭାବରେ କହିଥିବା ସ୍ଥଳେ ସୁମନ୍ତ ସେକଥା ନ କହି ନିଜ ସମ୍ଭ୍ରମ ବୋଧର ପରିଚୟ ଦେଇଥିଲେ ।

                ରାଜକନ୍ୟା ମଧୁମତିଙ୍କ ବିଚାରରେ ରାଜା ଅତ୍ୟନ୍ତ ମୁଗ୍ଧ ହେଲେ । ତା’ପରେ ସେ ସୁମନ୍ତଙ୍କୁ ହିଁ ଯୁବରାଜ ପଦରେ ଅଭିଷିକ୍ତ କଲେ ।

Find Amazon’s best deals & get advantage of the more hidden discounts!

Find over 75% discounts

Discover hidden offers, sales & discounts when searching for products on Amazon.

Keyword/s (optional)

(eg Iphone 5s Gold or Ipad Mini 16GB)

Search Discount

ସାଢି | ଲାପଟପ୍ | ଟେଲିଭିଜନ୍ | ଯୋତା | ମୋବାଇଲ୍ |ବହି

ପ୍ରଥମେ ଯେକୌଣସି ଜିନିଷ ସର୍ଚ୍ଚ କରନ୍ତୁ, ପରେ କ୍ୟାସ ଅନ ଡେଲିଭରିରେ ଅଡ଼ର୍ କରନ୍ତୁ, ମାନେ ଜିନିଷ ପାଇଲା ପରେ ହିଁ ପଇସା ଦିଅନ୍ତୁ

ଗପ ସାରଣୀ

ନୂଆ ତାଲିକାଭୁକ୍ତ ଗପ