ମହାଭାରତ

                ସେମାନେ ପାଂଚାଳ ଦେଶରେ ପହଁଚିବା ପରେ ଅର୍ଜୁନ ଦ୍ରୋଣଙ୍କୁ କହିଲେ, “ପ୍ରଥମେ ଦୁର୍ଯ୍ୟୋଧନ ଆଦି ଭାଇମାନେ ଯାଇ ଯୁଦ୍ଧ କରି ଦେଖନ୍ତୁ; ଯଦି ସେମାନେ ତାଙ୍କୁ ଯୁଦ୍ଧରେ ହରାଇ ବାନ୍ଧି ଆଣିବେ ତ ଏହା ଅତି ଉତ୍ତମ । ଆଉ ସେମାନେ ଯଦି ବିଫଳ ହୁଅନ୍ତି ତେବେ ଆମେ ପାଣ୍ଡବମାନେ ତାଙ୍କ ନିକଟକୁ ଯୁଦ୍ଧ କରିବାକୁ ଯିବୁ ଓ ଦ୍ରୁପଦଙ୍କୁ ବନ୍ଦୀ କରି ଆପଣଙ୍କ ଚରଣରେ ତାଙ୍କୁ ଅର୍ପଣ କରିବୁ ।”

                ଦୁର୍ଯ୍ୟୋଧନ ତାଙ୍କ ଭାଇମାନଙ୍କୁ ନେଇ ଯୁଦ୍ଧ କରିବାକୁ ଗଲେ । ଦ୍ରୁପଦ ବି ଏ ସମ୍ବାଦ ବହୁ ଆଗରୁ ପାଇଥା’ନ୍ତି । ଏଣୁ ସେ ମଧ୍ୟ ପ୍ରସ୍ତୁତ ଥିଲେ । ଘମାଘୋଟ ଯୁଦ୍ଧ ହେଲା । ଦ୍ରୁପଦଙ୍କ ସୈନ୍ୟମାନେ ବଡ କୁଶଳତାର ସହିତ ଯୁଦ୍ଧ କଲେ । ଶେଷକୁ କୌରବମାନେ ହାରିଯାଇ କୌଣସିମତେ ଆପଣା ପ୍ରାଣ ଧରି ସେଠାରୁ ପଳାଇ ଆସିଲେ । ତା’ପରେ ଅର୍ଜୁନ ଦ୍ରୋଣଙ୍କୁ ପ୍ରଣାମ କଲେ ଓ ଧର୍ମରାଜଙ୍କର ଅନୁମତି ନେଲେ । ଭୀମ ହେଲେ ସେନାପତି, ନକୁଳ ସହଦେବ ତାଙ୍କର ରଥ ରକ୍ଷା କଲେ । ତା’ପରେ ସେ ଯୁଦ୍ଧକୁ ବାହାରିଲେ ।

                ପାଂଚାଳ ରାଜ୍ୟର ସୈନ୍ୟବାହିନୀ ଓ ଅର୍ଜୁନଙ୍କ ସୈନ୍ୟବାହିନୀ ଯୁଦ୍ଧଭୂମିରେ ଏକତ୍ର ହେଲେ । ଦୁଇପଟରୁ ଘମାଘୋଟ ଯୁଦ୍ଧ ହେଲା । ସେହି ଯୁଦ୍ଧରେ ଅର୍ଜୁନଙ୍କ ପକ୍ଷରୁ ଅନବରତ ବାଣବର୍ଷଣ ହେଉଥାଏ । ଅସଂଖ୍ୟ ସୈନ୍ୟ ମୃତାହତ ହେଲେ । ଦ୍ରୁପଦଙ୍କ ପକ୍ଷର ସୈନ୍ୟବାହିନୀ ଅର୍ଜୁନଙ୍କ ବାଣ ସମ୍ମୁଖରେ ଆଉ ବେଶି ସମୟ ତିଷ୍ଠି ରହିପାରିଲେ ନାହିଁ । କେତେକ ପ୍ରାଣ ଦେଲେ ଓ ଆଉ କେତେକ ନିଜର ପ୍ରାଣ ଧରି ଯୁଦ୍ଧଭୂମି ଛାଡି ପଳାଇଲେ । ଦ୍ରୁପଦ ବଡ ହତୋତ୍ସାହିତ ହୋଇ ପଡିଲେ । ଦ୍ରୁପଦ ନିଜେ ସମ୍ମୁଖକୁ ଆସି ଯୁଦ୍ଧ କଲେ । ଅର୍ଜୁନଙ୍କର ବାଣର ସମ୍ମୁଖୀନ ହେବାକୁ ସେ ବି ତାଙ୍କର ପାରୁପର୍ଯ୍ୟନ୍ତ ଚେଷ୍ଟା କରୁଥା’ନ୍ତି । କିନ୍ତୁ ଅର୍ଜୁନଙ୍କ ବାଣ ସହିବା ଭୀଷଣ କଷ୍ଟକର ବ୍ୟାପାର । ଶେଷକୁ ରଥ ଉପରେ ଥାଇ ଅର୍ଜୁନ ଦ୍ରୁପଦଙ୍କ ସହ ଯୁଦ୍ଧକରି ତାଙ୍କୁ ବନ୍ଦୀ କଲେ । ମାତ୍ର ଏକଥା ଭୀମ, ନକୁଳ ଓ ସହଦେବ ଜାଣି ନଥିଲେ । ଦ୍ରୁପଦ ବନ୍ଦୀ ହୋଇ ସାରିଥିଲେ ମଧ୍ୟ, ଭୀମ ସୈନ୍ୟମାନଙ୍କୁ ଗୋଡେଇ ଗୋଡେଇ ମାରୁଥା’ନ୍ତି । ତା’ପରେ ଅର୍ଜୁନ ତାଙ୍କୁ ଡାକି କହିଲେ, “ଦ୍ରୁପଦଙ୍କୁ ତ ମୁଁ ବନ୍ଦୀ କରି ସାରିଲିଣି । ଆମେ ଯେଉଁ କାର୍ଯ୍ୟ ପାଇଁ ଆସିଥିଲେ ତାହା ତ ହୋଇସାରିଲାଣି । ଏବେ ଆଉ ଅଯଥା ସୈନ୍ୟମାନଙ୍କୁ ମାର ନାହିଁ ।”

                ଅର୍ଜୁନ ଦ୍ରୁପଦଙ୍କୁ ବନ୍ଧନ କରି ଗୁରୁ ଦ୍ରୋଣଙ୍କ ନିକଟରେ ଆସି ପହଁଚିଲେ । ସେତେବେଳେ ଦ୍ରୋଣ ଦ୍ରୁପଦଙ୍କୁ କହିଲେ, “ପାଂଚାଳରାଜ, ତୁମର ରାଜ୍ୟ ଏବେ ଆମ ହାତରେ । ଏବେ ମାନୁଛଟି ମୁଁ ତୁମର ବାଲ୍ୟମିତ୍ର ବୋଲି? ଭୟ କରନାହିଁ । ମୁଁ ବ୍ରାହ୍ମଣ ଓ ଖୁବ୍ ଶାନ୍ତ ସ୍ୱଭାବର । ଆହୁରି ପୁଣି ମୁଁ ବି ଆମର ବାଲ୍ୟକାଳର ବନ୍ଧୁତା କଥା କିଛି ହେଲେବି ଭୁଲି ନାହିଁ । ସେହି ପୂର୍ବବନ୍ଧୁତା କଥା ମନେ ପକାଇ ଦେବାକୁ ମୁଁ ଆଜି ତୁମକୁ ଏଠାକୁ ଅଣାଇଛି । ମୁଁ ଶାସକଙ୍କ ସହିତ ବନ୍ଧୁତା କରିବାକୁ ଚାହେଁ । କିନ୍ତୁ ଏବେ ତୁମେ ଆଉ ଶାସକ ନୁହଁ । ତୁମର ସମଗ୍ର ରାଜ୍ୟ ଏବେ ମୋର । କିନ୍ତୁ ମୁଁ ବନ୍ଧୁତା ଚାହେଁ, ତେଣୁ ଅଧେ ରାଜ୍ୟ ତୁମକୁ ଦେଲି । ଗଙ୍ଗା ନଦୀର ଉତ୍ତରପଟ ଆମର ଓ ଦକ୍ଷିଣ ପଟ ତୁମର । ଏହି ଅଧାରାଜ୍ୟ ସ୍ୱୀକାର କର । ଏଣିକି ଆଉ କୌଣସି ଶତ୍ରୁତା ନକରି ପରସ୍ପର ବନ୍ଧୁ ହୋଇ ରହିବା ।”

                ଦ୍ରୁପଦ ଦ୍ରୋଣଙ୍କ କଥାକୁ ସ୍ୱୀକାର କଲେ । ତା’ପରେ ଦ୍ରୋଣ ତାଙ୍କୁ ଛାଡିଦେଲେ । ତାଙ୍କୁ ସମସ୍ତେ ଭଲ ବ୍ୟବହାର କଲେ ଓ ରଥରେ ବସାଇ ନେଇ ଛାଡି ଆସିଲେ ।

                ଦ୍ରୁପଦ ସେହି ଦିନଠାରୁ ଗଙ୍ଗାନଦୀର ଦକ୍ଷିଣପଟରେ ରାଜ୍ୟ କରି ରହିଲେ । ସେ ଜାଣିପାରିଲେ ଯେ ସୈନ୍ୟବଳରେ ଦ୍ରୋଣଙ୍କୁ ଜିତିବା ଅସମ୍ଭବ । ସେଥିପାଇଁ ସେ ରାଜ୍ୟ ଛାଡି ଜଙ୍ଗଲ ଭିତରକୁ ଯାଇ ସେଠାରେ ସାଧୁମାନଙ୍କ ସହିତ ଦେଖା କଲେ ଓ ସେମାନଙ୍କ ପରାମର୍ଶ ଲୋଡିଲେ; ସେତେବେଳ ପର୍ଯ୍ୟନ୍ତ ତାଙ୍କର ବି କେହି ପିଲାପିଲି ନଥା’ନ୍ତି ।

                ବର୍ଷକ ପରେ ଧ୍ରୁତରାଷ୍ଟ୍ର ଧର୍ମରାଜ ଯୁଧିଷ୍ଠିରଙ୍କୁ ଯୁବରାଜ ପଦରେ ଅଭିଷିକ୍ତ କଲେ । ସେ ସମସ୍ତ କୁମାରମାନଙ୍କ ମଧ୍ୟରେ ଜ୍ୟେଷ୍ଠ ଥିଲେ ଓ ଶାସକ ପାଇଁ ସେ ଦକ୍ଷ ଓ ପ୍ରଜାମାନଙ୍କର ମଧ୍ୟ ପ୍ରିୟ ଥିଲେ । ସେ ଦୟାଳୁ, ନୀତିବାନ୍, ବିଦ୍ୱାନ୍ ଓ ଜ୍ଞାନୀ ଥିଲେ; ସମସ୍ତ ଅସ୍ତ୍ରଶସ୍ତ୍ର, କଳା, ଶାସ୍ତ୍ର ସବୁଥିରେ ସେ ନିପୁଣ ଥିଲେ । ସେ ରାଜ୍ୟଶାସନ ବଡ ସୁନ୍ଦର ଭାବରେ ଚଳାଇଲେ । ରାଜ୍ୟସାରା ସମସ୍ତେ ଖୁସି ହେଲେ ।

                ଭୀମସେନ ଓ ଦୁର୍ଯ୍ୟୋଧନ ଉଭୟ ତ ବଳରାମଙ୍କଠାରୁ ଗଦାଯୁଦ୍ଧ ଶିଖିଥିଲେ । ଅର୍ଜୁନଙ୍କର ବୀରତ୍ୱ ସର୍ବଶ୍ରେଷ୍ଠ ଥିଲା । ଥରେ ସେ ତାଙ୍କ ହାତକୁ ଧନୁର୍ବାଣ ନେଲେ ତାଙ୍କୁ କେହି ମଧ୍ୟ ହରାଇ ପାରୁ ନଥିଲେ । ତାଙ୍କ ତୀରଚାଳନାର କୌଶଳ ଅତି ଚମତ୍କାର । ପୁଣି ଲକ୍ଷ୍ୟଭେଦରେ ସେ ଅଦ୍ୱିତୀୟ । ତେଣୁ ସ୍ୱତଃ ସେ ଗୁରୁଦ୍ରୋଣଙ୍କର ପ୍ରିୟତମ ଶିଷ୍ୟ ହେଲେ ।

                ଯୁଧିଷ୍ଠିର ଯୁବରାଜ ହେବା ପରେ ପାଣ୍ଡବ ଭାଇମାନେ, ବିଶେଷତଃ ଅର୍ଜୁନ ଅନେକ ରାଜ୍ୟ ଜୟ କରି ସେମାନଙ୍କୁ ନିଜ ଅଧୀନରେ ରଖିଲେ । ଦ୍ରୋଣ ସର୍ବଦା ଅର୍ଜୁନଙ୍କୁ କହିଥା’ନ୍ତି ଯେ ଯୁଦ୍ଧ ସମୟରେ ତାଙ୍କ ମନ ଯେପରି ଚଂଚଳ ନହୁଏ । ଜଣେ ବୟସ୍କ ବ୍ୟକ୍ତିଙ୍କ ସହ ଯୁଦ୍ଧ କରିବାକୁ ହେଲେ କିଛି ଚିନ୍ତା ନକରି ଯୁଦ୍ଧ କରିବ । ବୟସ ଯୋଗୁଁ ସମ୍ମାନ ଦେଖାଇବ କିନ୍ତୁ ଯୁଦ୍ଧ ଛାଡିବ ନାହିଁ ।

ଅର୍ଜୁନ ଅନେକ ରାଜ୍ୟ ଜୟ କରି ଅନେକ ଧନସମ୍ପତ୍ତି ନେଇ ଆସିଲେ । ସାରା ରାଜ୍ୟରେ ତାଙ୍କ ଭୂରିଭୂରି ପ୍ରଶଂସା । ଏସବୁ ଦେଖି ଧ୍ରୁତରାଷ୍ଟ୍ର ତାଙ୍କ ମନେ ମନେ ବଡ ବିଷାଦଗ୍ରସ୍ଥ ହେଲେ, ଦୁଃଖରେ ଭାଙ୍ଗି ପଡିଲେ । ଏପରି ଦୁଃଖ ଓ ଈର୍ଷ୍ୟା ଯୋଗୁଁ ସେ ପାଣ୍ଡବପୁତ୍ରଙ୍କୁ ତାଙ୍କ ଶତ୍ରୁ ଭାବରେ ଦେଖିଲେ । ସେମାନଙ୍କୁ କିପରି ନିପାତ କରିହେବ, ସେହି ବିଷୟରେ ସେ ସଦା ସର୍ବଦା ଚିନ୍ତା କଲେ । ଏ ବିଷୟରେ ସେ ତାଙ୍କର ବ୍ରାହ୍ମଣ ମନ୍ତ୍ରୀ କଣକଙ୍କ ସହିତ ପରାମର୍ଶ କଲେ । କଣକ କହିଲେ ଯେ ଶତ୍ରୁଙ୍କୁ ଛଳେବଳେ, କୌଶଳେ ଯେମିତି ହେଉ ପଛେ ଓ ଯେତେଶୀଘ୍ର ହେଉ ନିପାତ କରିବାକୁ ହେବ । ଏକେତ ଶତ୍ରୁ ପ୍ରବଳ ତତ୍ସହିତ ପୁଣି ପ୍ରଜାପ୍ରିୟ । ଏଣେ ଧାର୍ମିକ ଓ ନୀତିବାନ । ତେଣୁ ସେମାନେ ସର୍ବଦା ଧର୍ମ ଓ ନୀତିର କବଚ ଦ୍ୱାରା ସୁରକ୍ଷିତ ରହୁଛନ୍ତି । ସେପରି ଶତ୍ରୁକୁ ପରାହତ କରିବା ବଡ କଷ୍ଟକର । ତେଣୁ କୌଶଳ ଦ୍ୱାରା ସେମାନଙ୍କୁ ହରାଇବାକୁ ହେବ ।

ଏଣେ ଦୁର୍ଯ୍ୟୋଧନ ଓ ତାଙ୍କର ଭାଇମାନେ ଈର୍ଷ୍ୟାରେ ଖାଲି ଜଳୁଥାନ୍ତି । ସେ ତାଙ୍କର ଭାଇମାନଙ୍କୁ, କର୍ଣ୍ଣଙ୍କୁ ଓ ମାମୁ ଶକୁନୀଙ୍କୁ ନେଇ ପାଣ୍ଡବମାନଙ୍କୁ ନିପାତ କରିବା ପାଇଁ ଆଲୋଚନା କଲେ । ତାଙ୍କ ଆଲୋଚନାରେ ସେମାନେ ଯାହା ସ୍ଥିର କଲେ ସେକଥା ଧ୍ରୁତରାଷ୍ଟ୍ରଙ୍କୁ ଶୁଣାଇବାକୁ ଯାଇ ଦୁର୍ଯ୍ୟୋଧନ କହିଲେ, “ବାବା, ପାଣ୍ଡବମାନଙ୍କର ଖ୍ୟାତି ଦିନକୁ ଦିନ ତ ବଢି ଚାଲିଛି । ପ୍ରଜାମାନେ ବି ସେମାନଙ୍କର ପ୍ରଶଂସା କରି ଚାଲିଛନ୍ତି । ସେମାନଙ୍କର ଗୁଣଗାନ କରିଚାଲିଛନ୍ତି । ଏପରିକି ପ୍ରଜାମାନେ ମଧ୍ୟ ତାଙ୍କୁ ପୂଜା କରୁଛନ୍ତି । ସେମାନଙ୍କ ସମ୍ମୁଖରେ ଆମେ ନିଜକୁ ନିହାତି କ୍ଷୁଦ୍ର ଓ ହୀନ ମନେ କରୁଛୁ । ସେମାନେ ଯେପରି ଭାବରେ ଅଗ୍ରଗତି କରୁଛନ୍ତି, ମନେହେଉଛି ଭବିଷ୍ୟତରେ ସେହିଁ ସମ୍ରାଟ ହେବେ ଓ ଆମ ଅବସ୍ଥା ବହୁତ ଖରାପ ହେବ । ବରଂ ଏବେଠାରୁ ସେମାନଙ୍କୁ କୌଣସିମତେ ମାରିଦେବାହିଁ ଉଚିତ୍ ।”ଏଭଳି କଥା ଶୁଣି ଧ୍ରୁତରାଷ୍ଟ୍ର ବଡ ଖୁସି ହେଲେ ଓ ସେହି ପ୍ରସ୍ତାବରେ ନିଜର ସମ୍ମତି ବି ଦେଲେ ।

ଧ୍ରୁତରାଷ୍ଟ୍ର ଦିନେ ଯୁଧିଷ୍ଠିରଙ୍କୁ ଡାକି କହିଲେ, “ବତ୍ସ, ତୁମେ ଥରେ ତୁମ ମା’ ଓ ଭାଇମାନଙ୍କୁ ଧରି ବାରୁଣାବନ୍ତ ପୁରକୁ ଯାଅ । ନିକଟରେ ସେଠାରେ ଶିବଙ୍କ ଉତ୍ସବ ହେବାର ଅଛି । କୁହାଯାଏ ସେଠାକୁ ଗଲେ କୁଆଡେ ଜନ୍ମ ସାର୍ଥକ ହୁଏ । ତୁମେମାନେ ଯାଇ ଥରେ ବୁଲି ଆସ । ସେଠାରେ ଆମର ପ୍ରାସାଦ ଓ ପରିଚାରକମାନେ ଅଛନ୍ତି । ସେମାନେ ତୁମମାନଙ୍କର ଉପଯୁକ୍ତ ଯତ୍ନ ନେବେ । କିଛିଦିନ ସେଠାରେ ରହି ପୁଣି ଫେରି ଆସ ।”

ଯୁଧିଷ୍ଠିର ବିଶେଷ ଉତ୍ସାହ ଦେଖାଇଲେ ନାହିଁ । କିନ୍ତୁ ଏହାକୁ ମହାରାଜାଙ୍କର ଆଦେଶ ବୋଲି ଭାବି ସେଠାକୁ ଯିବାର ସେ ବନ୍ଦୋବସ୍ତ କଲେ । ଇତିମଧ୍ୟରେ ଦୁର୍ଯ୍ୟୋଧନ ପୁରୋଚନ ନାମକ ଏକ ବ୍ୟକ୍ତିଙ୍କୁ ଡାକି କହିଲେ, “ଦେଖ, ତୁମେ ତ ମୋର ଅତି ବିଶ୍ୱାସୀ ବୋଲି ଏକାମ ମୁଁ କେବଳ ତୁମକୁହିଁ ଦେଉଛି । ଏକଥା ଯେପରି କେହି ହେଲେ ମଧ୍ୟ ନଜାଣନ୍ତି । ତୁମେ ବାରୁଣାବନ୍ତପୁରକୁ ଯାଇ ସୁନ୍ଦର ପ୍ରାସାଦକୁ ସଜାଇ ରଖ । ସେଥିରେ ଶୀଘ୍ର ଅଗ୍ନି ଧରିବା ଭଳି ଶୋଲ, ଲାଖ ଓ ତେଲ ସବୁ ଲଗାଇ ରଖିଥିବ । ଏମାନେ ସେଠାରେ ପହଁଚି କିଛିଦିନ ସେଠି ରହିବା ପରେ, ଦିନେ ରାତିରେ ତୁମେ ସେହି ପ୍ରାସାଦରେ ଅଗ୍ନି ସଂଯୋଗ କରିବ । ଯେପରି ସେଥିରୁ ଆଉ କେହି ମଧ୍ୟ ବଞ୍ଚିକରି ଆସିପାରିବେ ନାହିଁ । ଏହି ଯୋଜନାଟି ସୂଚାରୁରୂପେ କାର୍ଯ୍ୟକାରୀ ହେଲେ ମୁଁ ସମ୍ରାଟ ହେବି ଓ ତୁମକୁ ବହୁ ପୁରସ୍କାର ଦେବି ।”

ପୁରୋଚନ ସବୁକଥା ବୁଝିଗଲା ଓ ସେହି ଘରରେ ଜଉଲେପ ଦେବା ସକାଶେ ସବୁ ବନ୍ଦୋବସ୍ତ କରିବା ପାଇଁ ଘୋଡା ଛୁଟାଇ ବାରୁଣାବନ୍ତକୁ ଯାଇ ନିଜ କାମରେ ଲାଗିଗଲା ।

Find Amazon’s best deals & get advantage of the more hidden discounts!

Find over 75% discounts

Discover hidden offers, sales & discounts when searching for products on Amazon.

Keyword/s (optional)

(eg Iphone 5s Gold or Ipad Mini 16GB)

Search Discount
ବିସ୍ଵାଶ କରିବା ଆଗରୁ ବିଜ୍ଞାପନ ଗୁଡିକର ସଠିକତାକୁ ତଦନ୍ତ କରନ୍ତୁ ।
loading...

ଗପ ସାରଣୀ

ବିସ୍ଵାଶ କରିବା ଆଗରୁ ବିଜ୍ଞାପନ ଗୁଡିକର ସଠିକତାକୁ ତଦନ୍ତ କରନ୍ତୁ ।

ସାଢି | ଲାପଟପ୍ | ଟେଲିଭିଜନ୍ | ଯୋତା | ମୋବାଇଲ୍ |ବହି

ପ୍ରଥମେ ଯେକୌଣସି ଜିନିଷ ସର୍ଚ୍ଚ କରନ୍ତୁ, ପରେ କ୍ୟାସ ଅନ ଡେଲିଭରିରେ ଅଡ଼ର୍ କରନ୍ତୁ, ମାନେ ଜିନିଷ ପାଇଲା ପରେ ହିଁ ପଇସା ଦିଅନ୍ତୁ

ତାଲିକାଭୁକ୍ତ ଗପ

ନୂଆ ତାଲିକାଭୁକ୍ତ ଗପ

loading...