ମୌନାମୌନୀ

ପ୍ରାୟ ଅର୍ଦ୍ଧଶତ ବର୍ଷପୂର୍ବେ ଖଣ୍ଡଗିରି ଓ ଚତୁର୍ଦ୍ଦିଗସ୍ଥ ଉପତ୍ୟକା ଭୂମି ବିବିଧ ଜାତୀୟ ବୃକ୍ଷ ଓ ଲତା ଜାଲରେ ବେଷ୍ଟିତ ଥିଲା । କେବଳ ଗୁମ୍ଫା ଓ ତା’ ସମୀପବର୍ତ୍ତୀ ସ୍ଥାନ ଉଦ୍ଭିଦଶୂନ୍ୟ, ପରିଷ୍କୃତ ପରିଚ୍ଛନ୍ନ, ସାଧୁ ସନ୍ନ୍ୟାସୀମାନଙ୍କ ଆଶ୍ରମରେ ପରିପୂର୍ଣ୍ଣ ଥିଲା । ବିଭୂତିଭୂଷଣ କୌପୀନଧାରୀ ସାଧୁମାନେ ଧୁନି ଲଗାଇ ବସିଥାନ୍ତି, ବସ୍ତ୍ରଧାରୀ ସାଧୁମାନେ ନିର୍ଧୁନିକ । ସାଧୁ ନାନା ଶ୍ରେଣୀର- ସନ୍ନ୍ୟାସୀ, ନାଗା, ରାମାଉତ କେହି ବା ଉପାଧି ରହିତ । ପ୍ରାୟ ପ୍ରତିଦିନ ସେ ସାଧୁମାନଙ୍କ ଗତାୟାତ ଲାଗିଥାଏ । ଥୋକେ ଚାଲିଯିବା ମାତ୍ରେ ନବାଗତା ସାଧୁମାନେ ଶୂନ୍ୟସ୍ଥାନ ଅଧିକାର କରି ବସୁଥାନ୍ତି । ମୁଦ୍ରିତ ନେତ୍ର ଥୋକେ ସବୁ ଧ୍ୟାନ ନିମଗ୍ନ । ତୁଳସୀ ବା ରୁଦ୍ରାକ୍ଷମାଳା ହସ୍ତ ଥୋକେ ଭଜନରେ ନିଯୁକ୍ତ । କେହି ଗ୍ରନ୍ଥପାଠ, କେହି ବା ଗ୍ରନ୍ଥ ଶ୍ରବଣ କରୁଅଛନ୍ତି । କେହି ଗଞ୍ଜିକା ଟିପ୍ପନ ସେବନରେ ନିଯୁକ୍ତ । କେହି କେହି ସାଧୁ ଖଟୁଲିରେ ପୁଷ୍ପମଣ୍ଡିତ ଦେବତାବିଜେ କରାଇ ଦେଇ ତୀର୍ଥଯାତ୍ରୀମାନଙ୍କଠାରୁ ଅର୍ଥ ସଂଗ୍ରହରେ ମନୋଯୋଗୀ । ବାସ୍ତବରେ ଏହା ଗୋଟିଏ ବିଚିତ୍ର ଦୃଶ୍ୟ । ଏହି ପବିତ୍ର ସ୍ଥାନ ଦର୍ଶନ କଲେ ନିତାନ୍ତ ପାଷାଣ ହୃଦୟ ମଧ୍ୟ ଭକ୍ତିରସରେ ଆପ୍ଳୁତ ହୋଇଯାଏ ।

                କେବେ କେବେ ଜମାଉତ ଦଳର ମଧ୍ୟ ଏ ସ୍ଥାନକୁ ଶୁଭାଗମନ ହୋଇଥାଏ । ଏମାନେ କିନ୍ତୁ ଗୁମ୍ଫା ନିକଟକୁ ଯା’ନ୍ତି ନାହିଁ । ଖଣ୍ଡଗିରି ପାଦ ଦେଶରେ ଦୁଇ ଚାରି ଦିନ ଧୁନି ସ୍ଥାପନ କରି ଅନ୍ୟତ୍ର ଚାଲିଯାନ୍ତି । ଜମାଉତ ଦଳର ସନ୍ନ୍ୟାସୀ ସଂଖ୍ୟା ଚାଳିଶ ପଚାଶଠାରୁ ହଜାରେ ବାରଶ ପର୍ଯ୍ୟନ୍ତ । ସେହି ସନ୍ନ୍ୟାସୀମାନଙ୍କ ସାମାନ ବହିବା ନିମନ୍ତେ ଓଟ ଓ ଘୋଡା ଥା’ନ୍ତି । କଦାଚିତ୍ ହାତୀର ମଧ୍ୟ ସେଠାରେ ଅଭାବ ନ ଥାଏ । ଗାଭୀ ବୃଷଭ ମଧ୍ୟ କାହାରି କାହାରି ଦଳରେ ଥିବାର ଦେଖାଯାଏ । ଜମାଉତ ଅଧିକାରୀଙ୍କ ଉପାଧି, ମହନ୍ତବାବା । ଏହି ମହନ୍ତବାବାଙ୍କ ଆଜ୍ଞାରେ ଜମାଉତ ଚାଳିତ । ତାଙ୍କ ଭିତରେ ଜଣେ କୋଠରୀ ଓ ଜଣେ ଭଣ୍ଡାରୀ ଥାଏ । କୋଠରୀ ଧନରକ୍ଷକ, ଭଣ୍ଡାରୀ ଜିମାରେ ଖାଦ୍ୟ ଓ ଅନ୍ୟାନ୍ୟ ଦ୍ରବ୍ୟ ଥାଏ । ଅଧିକାଂଶ ଜମାଉତ ନିତ୍ୟ ଯାଯାବର, ଭାରତର ସର୍ବତ୍ର ଭ୍ରମଣ କରି ସେମାନେ ରାଜା, ଜମିଦାର ଓ ଧନବନ୍ତ ଲୋକମାନଙ୍କଠାରୁ ଅର୍ଥ ସଂଗ୍ରହରେ ନିଯୁକ୍ତ ଥା’ନ୍ତି । ସଂଚିତ ଅର୍ଥ ଚାରି ଛ’ମାସକୁ ଥରେ ସେହି ସନ୍ନ୍ୟାସୀମାନଙ୍କ ମଧ୍ୟରେ ବଂଟନ କରାଯାଏ । ଅବଶ୍ୟ ମହନ୍ତବାବାଙ୍କ ଭାଗରେ ଅଧିକାଂଶ ପଡିଥାଏ । ସନ୍ନ୍ୟାସୀମାନଙ୍କୁ ଏକତ୍ର ଆବଦ୍ଧ କରି ରଖିବାର ଏହା ଗୋଟିଏ ଉପାୟ ଅଟେ । ତେଣୁ ଅନେକ ଜମାଉତ୍ତର ସ୍ଥାନେ ସ୍ଥାନେ ମଠ ଓ ବିପୁଳ ଭୂସମ୍ପତ୍ତି ଅଛି, କେହି କେହି ମହାଜନୀ ମଧ୍ୟ କରିଥାନ୍ତି । ମଫସଲ ଗ୍ରାମମାନଙ୍କରେ ଏମାନଙ୍କର ଭୟଙ୍କର ଜୁଲମ ଥିଲା । ଜମାଉତ୍ତର ଶୁଭାଗମନ ହେଲେ ଗ୍ରାମବାସୀମାନେ ବ୍ୟତିବ୍ୟସ୍ତ ହୋଇପଡନ୍ତି । ଭେଦାଦ୍ୱାରା ସାଧୁମାନଙ୍କର ଟହଲ ଚଳାଇବାକୁ ହୁଏ । ଜମାଉତଙ୍କ ସାଧୁ ସେବା ରାଜବିଜେବିଶେଷ । ଧୁନି ସକାଶେ ଉପଯୁକ୍ତ ଗଡିକାଠ ସଂଗୃହୀତ ନ ହେଲେ ଗରିବ ପ୍ରଜାମାନଙ୍କ ଘରର ଖୁମ୍ବ, ଶେଣି ଲୁଣ୍ଠିତ ହେଉଥିଲା । ଗ୍ରାମରେ ଜମାଉତ ବିଜେ ହେବା ମାତ୍ରକେ ପ୍ରଥମେ ବାଳଭୋଗ, ସାଧୁଙ୍କ ଗଞ୍ଜେଇ ଖର୍ଚ୍ଚ ଓ ଦେବତାଦର୍ଶନୀ ଦେବାର ନିୟମ । କେହି ବଡଲୋକ ବା ରାଜା ପ୍ରଥମେ ଉପଯୁକ୍ତ ରୂପେ ଦେବତାଙ୍କଠାରେ ଭେଟି ଦାଖଲ ନ କଲେ ସାଧୁମାନେ ଦୁଇ ତିନି ଦିବସ ପର୍ଯ୍ୟନ୍ତ ଉପବାସରେ ପଡିରହନ୍ତି । ପ୍ରକୃତରେ ସେମାନେ ଉପବାସରେ ରହନ୍ତି କି ନାହିଁ ଲୋକନେତ୍ରରେ ତାହା ଅଗୋଚର । ସାଙ୍ଗର ଜମା ଥିବା ମଇଦା ରାତ୍ରି ଯୋଗେ ଧୁନିରେ ପଡି ପୋଡପିଠାରେ ପରିଣତ ହୁଏ । ଧର୍ମପ୍ରାଣ ନିରୀହ ଗ୍ରାମବାସୀ ହିନ୍ଦୁ ପ୍ରଜାମାନେ ନୀରବରେ ସମସ୍ତ ସହ୍ୟ କରୁଥିଲେ । ପ୍ରକୃତ ସାଧୁ ଜମାଉତ୍ତର ମଧ୍ୟ କିଛି ବି ଅଭାବ ନ ଥିଲା; ମାତ୍ର ବ୍ୟବସାୟୀ ଅଧିକାଂଶ । ବଙ୍ଗଳାରେ ଡକାଇତ, ପୂର୍ବ ସମୁଦ୍ରଠାରୁ ଦିଲ୍ଲୀ ପ୍ରାଚୀର ପର୍ଯ୍ୟନ୍ତ ସମସ୍ତ ଆର୍ଯ୍ୟାବର୍ତରେ ଲୁଣ୍ଠନକାରୀ ପିଣ୍ଡାରି ଏବଂ ସମସ୍ତ ଭାରତବ୍ୟାପୀ ନାନା ଜମାଉତଙ୍କ ଉତ୍ପାତରେ ପ୍ରଜାମଣ୍ଡଳୀ ନିତାନ୍ତ ଉତ୍ୟକ୍ତ ହୋଇପଡିଥିଲେ । ଧନ୍ୟ ଇଂରେଜ ଗଭର୍ଣ୍ଣମେଂଟ! ସେମାନଙ୍କ ହସ୍ତରୁ ଆମକୁ ରକ୍ଷା କରିଅଛନ୍ତି ।

Find Amazon’s best deals & get advantage of the more hidden discounts!

Find over 75% discounts

Discover hidden offers, sales & discounts when searching for products on Amazon.

Keyword/s (optional)

(eg Iphone 5s Gold or Ipad Mini 16GB)

Search Discount

ସାଢି | ଲାପଟପ୍ | ଟେଲିଭିଜନ୍ | ଯୋତା | ମୋବାଇଲ୍ |ବହି

ପ୍ରଥମେ ଯେକୌଣସି ଜିନିଷ ସର୍ଚ୍ଚ କରନ୍ତୁ, ପରେ କ୍ୟାସ ଅନ ଡେଲିଭରିରେ ଅଡ଼ର୍ କରନ୍ତୁ, ମାନେ ଜିନିଷ ପାଇଲା ପରେ ହିଁ ପଇସା ଦିଅନ୍ତୁ

ଗପ ସାରଣୀ

ନୂଆ ତାଲିକାଭୁକ୍ତ ଗପ