ଯଥାର୍ଥ ଐଶ୍ୱର୍ଯ୍ୟ – Page 2 – Odia Gapa

ଯଥାର୍ଥ ଐଶ୍ୱର୍ଯ୍ୟ

                ସଂଧ୍ୟାବେଳକୁ ଏମାନେ ଯାଇ ବିବାହ ଉତ୍ସବରେ ପହଁଚିଲେ । ସେଠାରେ ସମସ୍ତ ବନ୍ଧୁବାନ୍ଧବ ବହୁତ ଦାମି ଦାମି ଶାଢୀ ଓ ପୋଷାକ ପିନ୍ଧି ବୁଲୁଛନ୍ତି । ଦୁଇ ତିନିଟା କକ୍ଷ ପାର୍ ହୋଇ ଯିବା ପରେ ଶଙ୍କର ମା’ର ବାନ୍ଧବୀ ଇନ୍ଦୁମତୀ ସେମାନଙ୍କୁ ଦେଖିଲେ, “ଆସ ଆସ” କହି ସେ ତାଙ୍କ ହାତ ଧରି ନାନା କଥା ପଚାରିଲେ ।

                ଶଙ୍କର ମା’ ପଚାରିଲେ “କିନ୍ତୁ ବର କେଉଁଠି?” ଇନ୍ଦୁମତୀ କହିଲେ “ଆସ ଦେଖାଉଛି । ପଛପଟ ଘରେ ସେ ବସିଛି ।” ସେମାନେ ଆଉ ଟିକିଏ ଆଗକୁ ଯାଇ ଦେଖିଲେ ପୁଅ କମଳ ବର ବେଶ ପକାଇ ବସିଛି । ତା’ର ସାଙ୍ଗପିଲାମାନେ ତା’ ସହିତ ଥଟ୍ଟା ମଜା କରୁଛନ୍ତି ।

                ମା’ଙ୍କୁ ଦେଖି କମଳ କହିଲା, “ମା’ ମୁଁ ତୁମକୁ କେତେଥର କହିଛି ଯେ ମୁଁ ମୋ ସାଙ୍ଗମାନଙ୍କ ସହିତ ଥିଲାବେଳେ ତମେ ମୋ ପାଖକୁ ଆସିବ ନାହିଁ ।”

                ସେପରି ନିଷ୍ଠୁର ବାକ୍ୟ ଶୁଣି ଇନ୍ଦୁମତୀ ଅତ୍ୟନ୍ତ ଦୁଃଖିତ ହୋଇ କହିଲେ, “ମୋର ସାଙ୍ଗ ତୋତେ ଦେଖିବାକୁ ଚାହୁଁଥିଲେ ବୋଲି ମୁଁ ତାଙ୍କୁ ଏଠାକୁ ନେଇ ଆସିଲି ।”

                କମଳ କହିଲା “ଯୁଆଡୁ ଯିଏ ଆସିବ ସବୁ ତ ଖାଲି ତୁମରି ବାନ୍ଧବୀ ସବୁ ହୋଇଥିବେ ।” ଅନ୍ନପୂର୍ଣ୍ଣା ସେକଥା ନିଜ କାନକୁ ମୋଟେ ନନେଇ କମଳ ପାଖକୁ ଯାଇ ତାକୁ ଆଶୀର୍ବାଦ ଦେଲେ । “ଶହେ ବର୍ଷ ବଞ୍ଚିରହ, ସୁଖ ଆନନ୍ଦରେ ଜୀବନ ବିତାଅ ।” ଏସବୁ କହି ସେ ତାକୁ ନୂଆ ଲୁଗା ଦେଲେ ।

                କମଳ ସେ ନୂଆ ଲୁଗାକୁ ତୀକ୍ଷ୍ନ ଦୃଷ୍ଟିରେ ଦେଖି ବ୍ୟଙ୍ଗ ଭାବରେ କହିଲା, “ଠିକ୍ ସମୟରେ ଲୁଗା ମିଳିଛି । ଚାକରଟା କାହିଁଗଲା?” ଏତିକି କହି ସେ ତା’ ଚାକରକୁ ଡାକି ସେ ଲୁଗା ଦେଇ ଦେଲା । ଅନ୍ନପୂର୍ଣ୍ଣା ଓ ଇନ୍ଦୁମତୀ ଦୁହେଁ ଦୁହିଁଙ୍କୁ ଚାହିଁଲେ ଓ ତଳକୁ ମୁହଁ ପୋତି ଦେଲେ । ତା’ପରେ ସମସ୍ତେ ସେହି କକ୍ଷରୁ ବାହାରକୁ ଆସିଲେ । ସେତେବେଳକୁ ତ ଶଙ୍କର ରାଗ ଓ ଅପମାନରେ ଅଗ୍ନିଶର୍ମା ହୋଇ ଗଲାଣି ।

                ଦୁଇଟି ରାସ୍ତା ଛାଡି ବିବାହର ଧୂମ୍ଧାମ୍ ଅନ୍ୟ ଏକ ଧନୀ ଲୋକ ଘରେ ଲାଗିଛି । ତାହା କନ୍ୟା ଘର ଥିଲା । ଅନ୍ନପୂର୍ଣ୍ଣା ଓ ଶଙ୍କରଙ୍କର ଉପସ୍ଥିତିକୁ ଖାତିର ନକରି କମଳ ତା’ର ବନ୍ଧୁମାନଙ୍କୁ କହିଲା, “କ’ଣ କରିବି, ଯେଉଁ ବ୍ୟବସାୟ କରୁଛି ସେଥିରେ ମୁଁ ସନ୍ତୁଷ୍ଟ ନୁହେଁ । ଏଠାରେ କେବଳ ଯୌତୁକ ପାଞ୍ଚଲକ୍ଷ ଟଙ୍କା ମିଳିବ । ତେଣୁ କନ୍ୟା ଅସୁନ୍ଦର ହେଉ ବା ଅଗୁଣର ହେଉ ସେକଥା କିଏ ପଚାରୁଛି? ମୋର ଯାହା ଦୁର୍ଭାଗ୍ୟ ।”

                ଶଙ୍କର ଅଳ୍ପ ଦୂରରେ ଥାଇ ଏସବୁ କଥା ଶୁଣି ବହୁତ ବିରକ୍ତ ହେଲା, ଅନ୍ନପୂର୍ଣ୍ଣାଙ୍କ ଆଖିରେ ପାଣି ଚାଲି ଆସିଲା । ସେହିଦିନହିଁ ମାପୁଅ ଗାଡିଟିଏ ଭଡାନେଇ ଘରକୁ ଫେରି ଆସିଲେ । ଶଙ୍କର ଦେଖିଲା ମା’ ଏଥିରେ ବହୁତ ଦୁଃଖିତ ହୋଇଛନ୍ତି; ସେ ତାଙ୍କ ଆଖିରୁ ବାରମ୍ବାର ଲୁହ ପୋଛୁଛନ୍ତି । ଶଙ୍କର ବ୍ୟସ୍ତ ହୋଇ କହିଲା, “ମା’ କମଳର ଦୁର୍ବ୍ୟବହାର ପାଇଁ ଏବେ ମଧ୍ୟ ତମେ କାନ୍ଦୁଛ? ଆମର କରିବାର କ’ଣ ଅଛି? ମଣିଷ ଧନ ଯୋଗୁଁ ଏତେ ଗର୍ବୀ ହୋଇପାରେ ।”

                ମା’ ନିଜ ଲୁହ ପୋଛୁ ପୋଛୁ ପଚାରିଲେ “ପୁଅ, ଜାଣିଛୁ କି କମଳ କିଏ?” ଶଙ୍କର ଉତ୍ତର ଦେଲା “ତମେ ତ କହିଲ ସେ ତୁମ ସାଙ୍ଗର ପୁଅ ।”

ମା କହିଲେ “ନା, ସେହିଁ ତୋର ନିଜ ଭାଇ । ଆଜି ପର୍ଯ୍ୟନ୍ତ ଏକଥା ମୁଁ ତୋ ପାଖରୁ ଗୋପନ ରଖିଥିଲି । ମାତ୍ର ଆଜି ଆଉ ପାରୁ ନାହିଁ ।” ସ୍ୱାମୀ ମରିଯିବା ପରେ ଅନ୍ନପୂର୍ଣ୍ଣା ନାନା ପ୍ରକାର କାର୍ଯ୍ୟ କର୍ମ କରି ଦୁଇପିଲାଙ୍କୁ ମଣିଷ କରୁଥିଲେ ।

ଦିନେ ଇନ୍ଦୁମତୀ ସେହି ରାସ୍ତାରେ ସହରରୁ ଘରକୁ ଘୋଡାଗାଡିରେ ଫେରୁଥିଲେ । ଅତ୍ୟନ୍ତ ଗରମ ଝାଞ୍ଜି ପବନ ବହିବାରୁ ରାତିରେ ସେ ବେହୋସ୍ ହୋଇଗଲେ । ତା’ପରେ ଗାଡିବାଲା ଏ ଅବସ୍ଥା ଦେଖି ଅନ୍ନପୂର୍ଣ୍ଣାଙ୍କ ଘର ସମ୍ମୁଖରେ ଗାଡି ରଖିଲା । ସେତେବେଳେ ଶଙ୍କର ନଡିଆ ବିକ୍ରି କରି ଘରକୁ ଫେରୁଥିଲା । ସେ ଇନ୍ଦୁମତୀଙ୍କ ମୁହଁରେ ନଡିଆ ପାଣି ଛିଂଚିଲା । ତା’ପରେ ସଚେତନ ହେବାରୁ ତାଙ୍କୁ ସେ ନଡିଆ ପାଣି ପିଆଇଲା । ସେ ଅଳ୍ପ ସମୟରେ ସୁସ୍ଥ ହୋଇ ଉଠିଲେ ଓ କିଛି ସମୟ ତାଙ୍କ ଘରେ ବିଶ୍ରାମ କଲେ । ସେ ଶଙ୍କରର ବ୍ୟବହାରରେ ବହୁତ ଖୁସି ହୋଇଗଲେ ।

ଇନ୍ଦୁମତୀ ସେଠାରୁ ଯିବା ପୂର୍ବରୁ, ଅନ୍ନପୂର୍ଣ୍ଣାଙ୍କୁ ନିଭୃତକୁ ଡାକି ନେଇ ସେ କହିଲେ, “ଭଉଣୀ, ତୁମ ପୁଅ ଆଜି ମୋର ଜୀବନ ବଂଚାଇଲା । ମୋର ତ କୌଣସି ସନ୍ତାନ ନାହିଁ । ତେଣୁ ମୁଁ ପୁଅଟିଏ ପାଳିବି ବୋଲି ମନସ୍ଥ କରିଛି । ତୁମର କିଛି ଅସୁବିଧା ନଥିଲେ ଶଙ୍କରକୁ ମୁଁ ମୋ ପୁଅ କରି ନିଅନ୍ତି । ଭଲ କରି ଭାବିଚିନ୍ତି ଚାରିଦିନ ମଧ୍ୟରେ ମୋତେ ଖବର ପଠାଅ ।” ତା’ପରେ ସେ ନିଜ ନାମ ଓ ଠିକଣା ଗୋଟିଏ କାଗଜରେ ଲେଖି ଦେଲେ ।

ଅନ୍ନପୂର୍ଣ୍ଣା କହିଲେ “ଶଙ୍କର ତ ବଡ ହୋଇଗଲାଣି; ମୋତେ କାମରେ ସେ ବହୁତ ସାହାଯ୍ୟ କରୁଛି । ତାକୁ ଛାଡିଦେଲେ ମୋ କଷ୍ଟ ଦୁଇଗୁଣ ହୋଇଯିବ । ଛୋଟ ପୁଅ କମଳର ମୁଁ ଭଲଭାବରେ ଦେଖାଶୁଣା କରିପାରୁ ନାହିଁ । ମୋର ତ ଆନ୍ତରିକ ଇଚ୍ଛା ନାହିଁ, ତଥାପି ତୁମ ହାତରେ ତାକୁ ଦେଇ ମୁଁ ମଧ୍ୟ ଟିକେ ନିଶ୍ଚିନ୍ତ ହେବି । ଏତଦ୍ଦ୍ୱାରା ତା’ର ଭବିଷ୍ୟତ ମଧ୍ୟ ଖୁବ୍ ଉଜ୍ଜ୍ୱଳ ହେବ ।”

ଗ୍ରାମରେ ଦିନେ ସେ କୁମ୍ଭମେଳା ଯିବା ବାହାନାରେ ଇନ୍ଦୁମତୀଙ୍କ ଘରକୁ ଯାଇ କମଳକୁ ତାଙ୍କୁ ଦେଇ ଆସିଲେ । ଗ୍ରାମକୁ ଫେରି କହିଲେ ଯେ ସାନପୁଅ କୁମ୍ଭମେଳାରେ କୁଆଡେ ହଜିଗଲା ।

ଇନ୍ଦୁମତୀ ମଧ୍ୟ ସେଥିରେ ରାଜି ହେଲେ ଏଇଥିପାଇଁ ଯେ ତା’ର ପୂର୍ବସ୍ମୃତି ଇତ୍ୟାଦି ଆଉ ରହିବ ନାହିଁ । ତେଣୁ ସେ ପିଲାକୁ ଗ୍ରହଣ କରିବା ପରେ ଅନ୍ନପୂର୍ଣ୍ଣାଙ୍କୁ କହିଲେ ଯେ ସେ ଯେପରି ଭୁଲ୍ରେ ମଧ୍ୟ କାହାରିକୁ ଏକଥା କହିବେ ନାହିଁ । କିମ୍ବା ଏ ପିଲା ସହିତ କୌଣସି ସମ୍ପର୍କ ରଖିବେ ନାହିଁ । ଅନ୍ନପୂର୍ଣ୍ଣା କହିଲେ, “ଏତିକି କହି ସେ ମୋତେ ଦଶହଜାର ଟଙ୍କା ଦେଇଥିଲେ ।”

କିନ୍ତୁ ମୁଁ ତାଙ୍କୁ କହିଥିଲି, “ଏ ଟଙ୍କା ମୁଁ କେବେବି ନେବି ନାହିଁ । ମୁଁ ତା’ର ସୁଖମୟ ଭବିଷ୍ୟତ କଥା ଭାବି ମୋ ହୃଦୟରେ ପଥର ଲଦି ତାକୁ ତୁମକୁ ଦେଉଛି । ହେଲେ ଗୋଟିଏ କଥା ତା’ର ବିବାହ ବେଳକୁ ତମେ ମତେ ଜେମିତି ହେଲେବି ଡାକିବ । ଅନ୍ତତଃ ମା’ ବୋଲି ତାକୁ ଆଶୀର୍ବାଦ କରି ଆସିବି ।”

ଅନ୍ନପୂର୍ଣ୍ଣା ଶଙ୍କରକୁ ସବୁକଥା ଖୋଲି କହିବା ପରେ କହିଲେ, “ପ୍ରକୃତରେ ସେ ତ ତୋତେହିଁ ପୁଅ କରି ନେବାକୁ ଚାହିଁଥିଲେ । ଏବେ ସେ ପାଇଥିବା ସମସ୍ତ ଧନ ଐଶ୍ୱର୍ଯ୍ୟ ତୋରହିଁ ହୋଇଥା’ନ୍ତା ।

ଶଙ୍କର ଅଳ୍ପ ହସି କହିଲା, “ମା’ ସଂସାରରେ ସୁଖ, ଆନନ୍ଦ ଓ ସନ୍ତୋଷ କେବଳ ଧନରୁ ମିଳେ ନାହିଁ । ଦେଖିଲ ତ ଏତେ ସମ୍ପତ୍ତିର ଅଧିକାରୀ ହୋଇ ମଧ୍ୟ କମଳ ଅଧିକ ପଇସା ପାଇଁ ଭଲ କନ୍ୟା ଛାଡି ଯାହା ମିଳିଲା ବାହା ହୋଇ ପଡୁଛି । କମଳର ଧନ ଅଛି, କିନ୍ତୁ ସେଥିରେ ସେ ସନ୍ତୁଷ୍ଟ ନୁହେଁ । ଲୋଭ ଅଧିକ ବଢୁଛି । ତା’ ପାଖରେ ତ ତୃପ୍ତି ନାମକ ଧନ ଆଦୌ ନାହିଁ । ଯାହାକି ମୋ ପାଖରେ ବହୁତ ।”

ପୁଅର କଥା ଶୁଣି ଅନ୍ନପୂର୍ଣ୍ଣାଙ୍କ ମୁଣ୍ଡରୁ ଯେପରି ଏକ ବୋଝ ଉତୁରି ଗଲା । ଶଙ୍କରର ଏପରି ବିଚାର ଓ ମନୋଭାବ ଦେଖି ସେ ବହୁତ ଖୁସି ହେଲେ । ଏହାଠାରୁ ଗୋଟେ ମା’ର ଅଧିକ ଆଉ କ’ଣ ବା ଆବଶ୍ୟକ?

Find Amazon’s best deals & get advantage of the more hidden discounts!

Find over 75% discounts

Discover hidden offers, sales & discounts when searching for products on Amazon.

Keyword/s (optional)

(eg Iphone 5s Gold or Ipad Mini 16GB)

Search Discount
ବିସ୍ଵାଶ କରିବା ଆଗରୁ ବିଜ୍ଞାପନ ଗୁଡିକର ସଠିକତାକୁ ତଦନ୍ତ କରନ୍ତୁ ।
loading...

ଗପ ସାରଣୀ

ବିସ୍ଵାଶ କରିବା ଆଗରୁ ବିଜ୍ଞାପନ ଗୁଡିକର ସଠିକତାକୁ ତଦନ୍ତ କରନ୍ତୁ ।

ସାଢି | ଲାପଟପ୍ | ଟେଲିଭିଜନ୍ | ଯୋତା | ମୋବାଇଲ୍ |ବହି

ପ୍ରଥମେ ଯେକୌଣସି ଜିନିଷ ସର୍ଚ୍ଚ କରନ୍ତୁ, ପରେ କ୍ୟାସ ଅନ ଡେଲିଭରିରେ ଅଡ଼ର୍ କରନ୍ତୁ, ମାନେ ଜିନିଷ ପାଇଲା ପରେ ହିଁ ପଇସା ଦିଅନ୍ତୁ

ତାଲିକାଭୁକ୍ତ ଗପ

ନୂଆ ତାଲିକାଭୁକ୍ତ ଗପ

loading...