ଯୌତୁକର ଭୂତ

ସୀତାପୁର ନାମକ ଗ୍ରାମରେ ଗୋବିନ୍ଦ ଦାସ ନାମରେ ଜଣେ ସାଧାରଣ ଗୃହସ୍ଥ ଥିଲେ । ତାଙ୍କର ସୁଭାଷିନୀ ନାମକ ଝିଅଟିଏ ଥାଏ । ସେ ତାଙ୍କର ଏକମାତ୍ର ସନ୍ତାନ ।

କ୍ରମେ ସେ ସୁଭାଷିନୀର ବିବାହ ବୟସ ହେଲା । ଏଣୁ ଗୋବିନ୍ଦ ଦାସ ତା’ପାଇଁ ବର ଖୋଜିବାକୁ ଲାଗିଲେ । କିନ୍ତୁ ଯେଉଁଠି ପ୍ରସ୍ତାବ ପଡୁଥାଏ ସେମାନେ ନଗଦ ତିନିହଜାର ଟଙ୍କା ଯୌତୁକ ଦେବାକୁ ଦାବୀ କରନ୍ତି । ବିଚରା ଗୋବିନ୍ଦ ଦାସ ବିବାହ ଖର୍ଚ୍ଚ ନିମନ୍ତେ ଏତେ ଟଙ୍କା କେଉଁଠୁ ଆଣିବ ଭାବି ବାଧ୍ୟ ହୋଇ ପ୍ରସ୍ତାବ ଗୁଡିକ ଛାଡି ଚାଲିଆସେ ।

ଥରେ ସହରରୁ ଗୋବିନ୍ଦ ଦାସଙ୍କ ବାଲ୍ୟବନ୍ଧୁ ସୁଦର୍ଶନ ଆସିଥା’ନ୍ତି । ତାଙ୍କୁ ଗୋବିନ୍ଦ ଦାସ ସବୁକଥା କହିଲେ । ସୁଦର୍ଶନ ତ ସହରରେ ବ୍ୟବସାୟ କରି ବେଶ୍ କିଛି ରୋଜଗାର କରନ୍ତି ।

ସବୁକଥା ଶୁଣି ସୁଦର୍ଶନ କହିଲେ, “ଗୋଟିଏ ପରେ ଗୋଟିଏ ପ୍ରସ୍ତାବ ଟଙ୍କା ଯୋଗୁଁ ବନ୍ଦ କଲେ ଶେଷରେ ଫଳ ଖରାପ ହେବ । ଏବେ ତମେ ଗୋଟିଏ ଭଲ ବରପିଲାଟିଏ ଦେଖି ବାଛି ନିଅ । ମୁଁ ତ ମୋର ବ୍ୟବସାୟରୁ ନିଶ୍ଚୟ ପାଞ୍ଚ ଛ ହଜାର ଟଙ୍କା ଦେବି ।”

ତାଙ୍କ କଥାରେ ଗୋବିନ୍ଦ ଦାସଙ୍କ ମନ ଖୁବ୍ ଉତଫୁଲ୍ଲ ହୋଇ ଉଠିଲା । ସେ ପରଦିନଠାରୁ ବର ଖୋଜିବାରେ ଲାଗି ପଡିଲେ । ନିକଟସ୍ଥ ଏକ ଗ୍ରାମରେ ଯୋଗ୍ୟ ପିଲାଟିଏ ମିଳିଲା । ବରର ବାପ ମା ବାହାଘର ସକାଶେ ନଗଦ ତିନିହଜାର ଟଙ୍କା ଯୌତୁକ ଆକାରରେ ମାଗିଲେ । ସବୁକଥା ତୁଟିଯିବା ପରେ ବିବାହ ତାରିଖ ଧାର୍ଯ୍ୟ ହେଲା । ଗୋବିନ୍ଦ ଦାସ ଜିନିଷପତ୍ର କିଣିବାକୁ ସହରକୁ ଗଲେ । ସେଠାରେ ସେ ତାଙ୍କ ବନ୍ଧୁ ସୁଦର୍ଶନଙ୍କ ଘରେ ରହିଲେ । ସେ ବନ୍ଧୁଙ୍କୁ ତାଙ୍କ ପ୍ରତିଶୃତି କଥା ମନେ ପକାଇ ଦେଲେ ।

ତାଙ୍କ କଥା ଶୁଣି ସୁଦର୍ଶନ ଅତ୍ୟନ୍ତ ଆଶ୍ଚର୍ଯ୍ୟ ହୋଇ କହିଲେ ପାଞ୍ଚ ଛ ହଜାର ଟଙ୍କା କଥା ତାଙ୍କର ଆଦୌ ମନେ ନାହିଁ । ଏବେ କିଛିଦିନ ହେବ ତାଙ୍କ ବ୍ୟବସାୟରେ ବହୁତ ଲୋକସାନ ହୋଇଥିବାରୁ ସେ ହଜାରେ ଟଙ୍କା ମଧ୍ୟ ଦେଇ ପାରିବେ ନାହିଁ ।

ସୁଦର୍ଶନଙ୍କ କଥା ଶୁଣି ଗୋବିନ୍ଦ ଦାସଙ୍କ ମଥାରେ ଯେପରି ଶତବଜ୍ରପାତ ହେଲା । ସେ ଚୁପ୍ଚାପ୍ ଗ୍ରାମକୁ ଫେରି ଆସିଲେ ।

ଗୋବିନ୍ଦ ଦାସ ମହା ଚିନ୍ତାରେ ପଡିଲେ । ଏବେ ତାଙ୍କ ଆଗରେ ଗୋଟିଏ ମାତ୍ର ଉପାୟ ଥିଲା: ତାହା ହେଉଛି ଶୀଘ୍ର ଯାଇ ସମୁଧିଙ୍କୁ କହି ବିବାହ ତାରିଖ ଘୁଂଚେଇ ଦେବା । ଏଇକଥା ଭାବି ଉପରବେଳା ସେ ଦିନେ ତାଙ୍କ ସମୁଧିଙ୍କ ଗ୍ରାମକୁ ଗଲେ । ଯାଉ ଯାଉ ବାଟରେ ହଠାତ୍ ସଂଧ୍ୟା ହୋଇଗଲା । ସେତେବେଳେ ସେ ଗୋଟିଏ ଜଙ୍ଗଲ ରାସ୍ତାରେ ଏକା ଯାଉଥା’ନ୍ତି । ବେଶି ରାତି ହେବା ଭୟରେ ଶୀଘ୍ର ଶୀଘ୍ର ସେ ଚାଲିଥା’ନ୍ତି ।

ମଧ୍ୟେ ମଧ୍ୟେ ସେ ରାସ୍ତାରେ ଲୋକ ଓ ଗାଡି ସବୁ ଯିବା ଆସିବା କରୁଥାଏ; ତେଣୁ ତାଙ୍କର କାହାପ୍ରତି କୌଣସି ଭୟ ମୋଟେ ନଥାଏ । ମଝି ଜଙ୍ଗଲରେ ଗୋଟିଏ ଗଛ ତଳେ ଯିବାବେଳେ ସେ କିଛି ଗୋଟେ ଶବ୍ଦ ଶୁଣି ମୁଣ୍ଡ ଟେକି ଗଛ ଉପରକୁ ଚାହିଁଲେ । ଦେଖିଲେ ଏକ ବିକଟାଳ ମୂର୍ତ୍ତି ସେ ଗଛ ଉପରେ ବସିଛି । ସେ ଗୋବିନ୍ଦ ଦାସ ଆଗକୁ ଡେଇଁ ପଡି ତାଙ୍କୁ ପଚାରିଲା, “ଏପରି ସମୟରେ ଏକେଲା ଯିବାକୁ ତତେ କ’ଣ ଟିକିଏ ବି ଡର ମାଡୁନାହିଁ?”

ସ୍ୱଭାବତଃ ଗୋବିନ୍ଦ ଦାସ ଭାରି ସାହସୀ ଥିଲେ । ତେଣୁ ସେ ଆଦୌ ଡରିଲେ ନାହିଁ ଓ ବୁଝିଗଲେ ଯେ ତାଙ୍କ ଆଗରେ ଏକ ପିଶାଚ ଠିଆ ହୋଇଛି । ଡରୁଆମାନଙ୍କୁ ପିଶାଚମାନେ ବେଶି ହଇରାଣ କରନ୍ତି । ତେଣୁ ଗୋବିନ୍ଦ ଦାସ ପିଶାଚ ଆଡକୁ କଟମଟ କରି ଅନାଇ କହିଲେ, “କାହିଁକି ଡରିବି? ଏବେ ମୋର ପାଖ ଗାଁରେ ଗୋଟିଏ କାମ ଅଛି, ମୁଁ ସେଠାକୁ ଯାଉଛି ।”

ପିଶାଚ କହିଲା “କି କାମ କହ । ତେବେ ଯାଇ ମୁଁ ତତେ ରାସ୍ତା ଛାଡିବି ।”

“ମୋ କାମ କଥା କେତେ ଲୋକଙ୍କୁ କହି କହି ଥକି ଗଲିଣି । କେବଳ ତମକୁ ଶୁଣାଇବାକୁ ଯାହା ବାକି ଅଛି!” ଏକଥା କହି ଗୋବିନ୍ଦ ଦାସ ସେ ପିଶାଚକୁ ତା’ ଜୀବନରେ ଘଟିଯାଇଥିବା ସମସ୍ତ ଘଟଣା ଶୁଣାଇ ସାରି କହିଲା, “ମୁଁ ବୁଝିପାରୁ ନାହିଁ ମୋ ଝିଅର ଏ ଜନ୍ମରେ ବିବାହ ଯୋଗ ଅଛି ନା ନାହିଁ ।”

ପିଶାଚ କହିଲା “ନାହିଁ କାହିଁକି? ତୁମେ ତ ସମୟ ଧାର୍ଯ୍ୟ କରିଦେଇଛ । ଆଉ ପୁଣି ସମୟ ବଦଳାଇବାକୁ ଯାଅ ନାହିଁ । ଯୌତୁକ ବାବଦକୁ ମୁଁ ତୁମକୁ ସେ ତିନିହଜାର ଟଙ୍କା ଦେଉଛି ।” ସେ ଏତିକି କହି ଗୋବିନ୍ଦ ଦାସଙ୍କ ଆଖି ଆଗରେ ତୁରନ୍ତ ସେହି ଗଛ ଉପରକୁ ଉଠିଯାଇ ତିନିହଜାର ଟଙ୍କାର ଏକ ପୋଟଳୀ ସହିତ ସେଠୁ ଫେରି ଆସିଲା । ତା’ପରେ ସେ କହିଲା, “ନିଅ, ଏଥିରେ ତିନିହଜାର ଟଙ୍କା ଅଛି । ଯାଇ ଝିଅର ବିବାହ ଶୀଘ୍ର କରିଦିଅ ।”

ଏପରି ଭାବରେ ତାଙ୍କ ସମାସ୍ୟାର ସମାଧାନ ହେବ ବୋଲି ସେ ଗୋବିନ୍ଦ ଦାସ କେବେବି କଳ୍ପନା ମଧ୍ୟ କରି ନଥିଲେ । ସେ ପିଶାଚକୁ କୃତଜ୍ଞତା ଜଣାଇ ଟଙ୍କାଥଳୀ ଧରି ସେଠାରୁ ଫେରିଲେ । ଧାର୍ଯ୍ୟ ହୋଇଥିବା ତାରିଖରେ ବିବାହ ଭଲରେ ଭଲରେ ହୋଇଗଲା । ବିବାହର ଦୁଇଦିନ ପରେ ବରର ମା’ ବାପ ତାଙ୍କ ପୁଅ ବୋହୁଙ୍କୁ ଧରି ଗାଡିରେ ସେଇ ରାସ୍ତାରେ ଫେରୁଥା’ନ୍ତି । ଯେତେବେଳେ ସେମାନଙ୍କ ଗାଡି ଜଙ୍ଗଲର ସେଇ ଗଛ ପାଖରେ ଯାଇ ପହଁଚିଲା, ପିଶାଚ ସେ ଗାଡି ଆଗକୁ କୁଦିପଡି କହିଲା, “ଆରେ ପିଶାଚ, ମୁଁ ତତେ ମାରି ଖାଇଯିବି ।”

ପିଶାଚକୁ ଦେଖି ସେ ଗାଡିରେ ଥିବା ଲୋକେ ଭୟରେ ଥରି ଉଠିଲେ । ବରର ବାପା ଥରି ଥରି କହିଲା, “ଆମେ ମନୁଷ୍ୟ, ପିଶାଚ ନୋହୁଁ । ପୁତ୍ରର ବିବାହ ପରେ ଆମେ ଏକାଠି ଗାଁକୁ ଫେରୁଛୁ । ଆମ ପାଖରେ ଭଲ ମିଠାଇ ଅଛି । ତୁମର କ’ଣ ଦରକାର କୁହ, ତାହା ଦିଆଯିବ ।”

“ଗାଡି ଭିତରେ ଅର୍ଥ-ପିଶାଚ ଥିବାର ମୁଁ ସଫା ସଫା ଦେଖି ପାରୁଛି । ତାକୁ ମୁଁ ଖାଇଯିବି ।” ଏହା କହି ସେ ପିଶାଚ ଆହୁରି ନିକଟକୁ ଆସିଲା ।

ବରର ମା’ କହିଲେ “ଏ ତ ପିଶାଚ ନୁହେଁ, ଆମ ବୋହୁ । ବୋହୁ ତୁ ଆମର ଟିକିଏ ମୁହଁ ଦେଖାଇ ଦେ ତ!”

ଏକଥା ଶୁଣି ପିଶାଚ ଅଟ୍ଟହାସ କରି କହିଲା, “ମୁଁ ତୁମ ସ୍ୱାମୀଙ୍କ ପାଖରେ ଲୁଚିଥିବା ଯୌତୁକର ପିଶାଚକୁ ଠିକ୍ ଦେଖି ପାରୁଛି । ତାକୁ ମୁଁ ଆଜି ଖାଇବି ।”

ବରର ବାପା କହିଲେ, “ଏଇ ଟଙ୍କା କଥା କହୁଛ? ଏଇଟା ତ ମୋର ସମୁଧି ତାଙ୍କ ଜ୍ୱାଇଁଙ୍କୁ ଯୌତୁକ ରୂପେ ଦେଇଛନ୍ତି । ଭଲ କରି ଦେଖିନିଅ ।”

ପିଶାଚ ଧନପୂର୍ଣ୍ଣ ଥଳୀକୁ ଥରେ ସ୍ପର୍ଶ କରି ଘୃଣାପୂର୍ଣ୍ଣ ସ୍ୱରରେ କହିଲା, “ତମେ ସବୁ ବିବାହର ମଙ୍ଗଳମୟ କାର୍ଯ୍ୟରେ ଯୌତୁକରୁପୀ ପିଶାଚର ନାମ କାହିଁକି ନିଅ? ଏହି ଧନପିଶାଚ ପାଇଁ କେତେକ ଲୋକ ପିଶାଚଠାରୁ ମଧ୍ୟ ଅତି ଖରାପ ବ୍ୟବହାର କରନ୍ତି ।” ଏତିକି କହି ଥଳୀଟି ଧରି ସେ ଗଛ ଉପରକୁ ଚଢିଗଲା ।

ଏକଥା ଦେଖି ସୁଭାଷିନୀ ତା’ର ଶାଶୁଙ୍କୁ କହିଲା, “ଆପଣମାନେ କହିଥିଲେ ଯୌତୁକ ଟଙ୍କା ଆଗରେ ନ ରଖିଲେ ବାହାଘର କେବେବି ହେବ ନାହିଁ । ମାତ୍ର ଏବେ ସେ ଧନ ତ ପିଶାଚ ନେଲା । ଅଧୁନା ମୋର ଗତି କ’ଣ ହେବ?”

“ସୁଭାଷିନୀର ଶାଶୁ ତା’ର ହାତକୁ ଧରି ପକାଇ କହିଲେ, “ସୁଭାଷିନୀ, ସେଇ ପିଶାଚ ଯୌତୁକରୂପୀ ପିଶାଚକୁ ନେଇ ଯାଇଛି । ତୁ କିନ୍ତୁ ଆମର ମୋଟେ ଚିନ୍ତା କରନା । ମୁଁ ତୋପାଇଁ ତିନିହଜାର ଟଙ୍କାର ଗହଣା ବନାଇ ଦେବି । ତୋ ବାପାଙ୍କୁ ଡାକି ଯୌତୁକ ଦାବୀ କରିଛି ବୋଲି ମୁଁ କ୍ଷମା ପ୍ରାର୍ଥନା ବି କରିବି ।”

ଏକଥା ଶୁଣି ସୁଭାଷିନୀର ଦେହରେ ଟିକେ ପ୍ରାଣ ପଶିଲା । କାହିଁକିନା ସେ ତ ପ୍ରଥମେ ଭାବୁଥିଲା ଏପରି ଭାବରେ ଟଙ୍କା ଗଲେ ହୁଏତ ତା’ ଶାଶୁ ଶ୍ୱଶୁର ତା’ ସହିତ ଖରାପ ବ୍ୟବହାର କରିବେ । ଏବେ ଚିନ୍ତାର କିଛି କାରଣ ନଥିଲା । ସମସ୍ତେ କିଛି ଶବ୍ଦ ଶୁଣି ଉପରକୁ ଚାହିଁ ଦେଖିଲେ ଟଙ୍କା ଥଳୀ ଧରି ଗଛଡାଳରେ ପିଶାଚ ବସିଛି ଓ ମନ ଖୁସିରେ ତାଳି ମାରୁଛି ।

Find Amazon’s best deals & get advantage of the more hidden discounts!

Find over 75% discounts

Discover hidden offers, sales & discounts when searching for products on Amazon.

Keyword/s (optional)

(eg Iphone 5s Gold or Ipad Mini 16GB)

Search Discount
ବିସ୍ଵାଶ କରିବା ଆଗରୁ ବିଜ୍ଞାପନ ଗୁଡିକର ସଠିକତାକୁ ତଦନ୍ତ କରନ୍ତୁ ।
loading...

ଗପ ସାରଣୀ

ବିସ୍ଵାଶ କରିବା ଆଗରୁ ବିଜ୍ଞାପନ ଗୁଡିକର ସଠିକତାକୁ ତଦନ୍ତ କରନ୍ତୁ ।

ସାଢି | ଲାପଟପ୍ | ଟେଲିଭିଜନ୍ | ଯୋତା | ମୋବାଇଲ୍ |ବହି

ପ୍ରଥମେ ଯେକୌଣସି ଜିନିଷ ସର୍ଚ୍ଚ କରନ୍ତୁ, ପରେ କ୍ୟାସ ଅନ ଡେଲିଭରିରେ ଅଡ଼ର୍ କରନ୍ତୁ, ମାନେ ଜିନିଷ ପାଇଲା ପରେ ହିଁ ପଇସା ଦିଅନ୍ତୁ

ତାଲିକାଭୁକ୍ତ ଗପ

loading...