ସଂଚୟର ମହତ୍ୱ – Odia Gapa

ସଂଚୟର ମହତ୍ୱ

ଏକ ଛୋଟ ଗ୍ରାମରେ ଅନନ୍ତର ଜନ୍ମ । ଅଠର ବର୍ଷ ବୟସରେ ବିଦ୍ୟାଳୟ ଶିକ୍ଷା ସମାପ୍ତ କରିବା ବେଳକୁ ତା’ ପିତାଙ୍କର ଦେହାନ୍ତ ଘଟିଲା । ତାକୁହିଁ କ୍ଷେତ ବାଡିର କଥା ବୁଝିବାକୁ ପଡିଲା । ଏଥି ସହିତ ସେ ନିଜ ପାଇଁ ଚାକିରୀଟିଏ ମଧ୍ୟ ଯୋଗାଡ କଲା ।

      ଜମିଦାରଙ୍କ ଦୋକାନରେ ଛୋଟ ଚାକିରୀଟିଏ ପାଇ ସେ ଖୁବ୍ ଖୁସି ହେଲା । ଜମିଦାର ଜଗପତି ଜଣେ ସ୍ନେହଶୀଳ ବ୍ୟକ୍ତି । ନିଜର କର୍ମଚାରୀ ମାନଙ୍କର ସୁଖଦୁଃଖ, ଅଭାବ ଅସୁବିଧା ପ୍ରତି ତାଙ୍କର ଖୁବ୍ ଦରଦ ଥାଏ । ସେ ବ୍ୟକ୍ତିଗତ ଭାବରେ ଏହାକୁ ଗୁରୁତ୍ୱ ଦେଇ ସେମାନଙ୍କର ସହାୟତା କରନ୍ତି । କର୍ମଚାରୀମାନେ ଏଥିପାଇଁ ତାଙ୍କୁ ପିତୃତୁଲ୍ୟ ଜ୍ଞାନ କରନ୍ତି । ଚାକିରୀ କରିବାର ଏକ ସପ୍ତାହ ପରେ ସେ ଗ୍ରାମକୁ ଯାଇ ନିଜ ମା’ଙ୍କୁ ନିଜ ପାଖକୁ ସହରକୁ ନେଇ ଆସିବା ପାଇଁ ଚେଷ୍ଟା କଲେ ।”

      କିନ୍ତୁ ଅନନ୍ତର ମା’ ସହର ଆସିବା ପାଇଁ ଆଦୌ ରାଜି ହେଲେ ନାହିଁ । ସେ ତାଙ୍କ ପୁଅକୁ କହିଲେ, “ଏହା ଆମର ପିତୃ ପୁରୁଷଙ୍କର ଭିଟାମାଟି । ଏହି ଘରେ ତୋର ବାପା ଓ ମୁଁ କେତେ ସୁଖ ଦୁଃଖର ସମୟ ବିତାଇଛୁ । ମୋର ଶେଷ ନିଶ୍ୱାସ ଥିବାଯାଏଁ ମୁଁ ଏହି ଘରଛାଡି ଅନ୍ୟତ୍ର କେବେବି ଯିବିନାହିଁ । ମୋତେ ଦେଖିବା ପାଇଁ ତୁ ସମୟ ବାହାର କରି ମଝିରେ ମଝିରେ ଆସୁଥିବୁ । ସେହିଥିରେହିଁ ମୋର ଆନନ୍ଦ ।”

      ଅନନ୍ତ ତାର ମା’ଙ୍କୁ ଯେତେ ପ୍ରକାରେ ବୁଝାଇଲେ ମଧ୍ୟ ସେ ନିଜ ନିଷ୍ପତିରେ ବିଲକୁଲ୍ ଅଟଳ ରହିଲେ । ଅନନ୍ତ ଶେଷରେ ନିରୁପାୟ ହୋଇ କହିଲା, “ତୁମେ ମୋ ସହିତ ନ ରହିଲେ, ମୋ’ ଖାଇବା ପିଇବା କଥା କିଏ ବୁଝିବ? ଅସୁସ୍ଥ ହେଲେ କିଏ ମୋ ସେବା କରିବ?”

      ମା’ ସ୍ନେହରେ ପୁଅର ପିଠି ଆଉଁସି ଦେଇ କହିଲେ, “ସେଥିପାଇଁ ତ ମୁଁ ତୋଲାଗି କନ୍ୟା ଠିକ୍ କରି ରଖିଛି । ତୁ ରାଜି ହେବା ମାତ୍ରେ, ମୁଁ ତୋର ବିବାହ କରିଦେବି । ବୋହୂକୁ ସାଥିରେ ନେଇଗଲେ ତୋର ଆଉ କିଛିବି ଅସୁବିଧା ହେବ ନାହିଁ ।”

      ଭରତଙ୍କ ଏକମାତ୍ର କନ୍ୟା ବାଣୀ । ଅନନ୍ତ, ତା’ର ପିଲାଦିନର ସାଥୀ । ସେହି ପିଲାଦିନରୁହିଁ ଉଭୟଙ୍କର ପିତାମାତା ବିବାହ-ସମ୍ବନ୍ଧ ଠିକ୍ କରି ଦେଇଥିଲେ । ପରସ୍ପର ମଧ୍ୟରେ ମଧୁର ସମ୍ପର୍କ ମଧ୍ୟ ରହିଥିଲା । ତେଣୁ ଅନନ୍ତ ସେ ବିବାହ ନିମନ୍ତେ ସ୍ୱୀକୃତି ନ ଦେବାର କୌଣସି ପ୍ରଶ୍ନ ହିଁ ଉଠୁ ନ ଥିଲା ।

      ଏକ ସପ୍ତାହ ମଧ୍ୟରେ ସେମାନଙ୍କର ବିବାହ ଅନୁଷ୍ଠିତ ହେଲା । ବାଣୀ ଅନନ୍ତର ଧର୍ମପତ୍ନୀ ରୂପେ ସହରକୁ ଚାଲି ଆସିଲା । ସହରରେ ଭରତ ଏକ ଛୋଟ ଭଡାଘରେ ରହୁଥାଏ । ସେହି ଘରେ ଗୋଟିଏ ବଖରା ସହିତ ଏକ ଛୋଟ ରୋଷେଇ ଘର ଥାଏ । ଦୁଇଜଣ ସେହି ଘରେ କିଛିଦିନ କଷ୍ଟମଷ୍ଟେ ଚଳିଗଲେ । କିନ୍ତୁ ଯେତେବେଳେ ଏକବର୍ଷ ପରେ ସେମାନଙ୍କର ଏକ ପୁତ୍ର ସନ୍ତାନ ହେଲା । ତିନିଜଣ ଚଳିବାରେ ବହୁତ ସମସ୍ୟା ଉପୁଜିଲା । ବାଣୀ ଅନ୍ୟ କେଉଁଠାରେ ଏକ ବଡଘର ନେବାପାଇଁ ଅନନ୍ତ ଉପରେ ଚାପ ପକାଇଲା ।

      “ଆମର ତ ଆୟ ସୀମିତ । ବଡ ଘର ନେଲେ ଭଡା ଦେଇ ପାରିବା ନାହିଁ । ତୁମେ ତ ଜାଣୁଛ ସହରରେ ପରିବାର ଚଳାଇବା କେତେ କଷ୍ଟ ।” ଏପରି ଅନେକ କଥା କହି ଅନନ୍ତ ବାଣୀକୁ ବୁଝାଇବାକୁ ଚେଷ୍ଟାକରେ ।

      କିଛିଦିନ ପରେ ବାଣୀ ଏକ ପ୍ରସ୍ତାବ ଦେଲା ଯେ, “ଆମେ ନିଜର ଏକ ଘର ତୋଳାଇଲେ ହୁଅନ୍ତାନି!”

      ସ୍ତ୍ରୀ କଥାରେ ଅନନ୍ତ ଖୁବ୍ ବିସ୍ମିତ ହୋଇ କହିଲା, “କ’ଣ ଏପରି ବେକାର କଥା ସବୁ ଗପୁଛ? ଆମେ, ଆଉ ପୁଣି ଘରତୋଳିବା । ସେପରି ସ୍ୱପ୍ନ ଦେଖିବା ଅଭ୍ୟାସ ଛାଡିଦିଅ ।”

      କିନ୍ତୁ ବାଣୀ ନିଜର ପ୍ରଚେଷ୍ଟାରେ ଲାଗି ପଡିଥାଏ । ଯଥାସମ୍ଭବ ଖର୍ଚ୍ଚ କମାଇ, କିଛି ଅର୍ଥ ମଧ୍ୟ ସଂଚୟ କଲା । କିଛି ମାସ ପରେ ପତିଙ୍କୁ ଏହି କଥା ସେ ଜଣାଇଲା ।

      ଅନନ୍ତ ଏହାଶୁଣି ହସିଉଠି କହିଲା, “ଏତିକି ଟଙ୍କାରେ ସହରରେ ଦୁଇହାତ ଜମି କିଣିବା ମଧ୍ୟ ସମ୍ଭବ ନୁହେଁ । ଘର ତୋଳିବା ପାଇଁ ତୁମେ କିପରି ପ୍ରସ୍ତାବ ରଖୁଛ?” ମାତ୍ର ବାଣୀ ହତୋତ୍ସାହିତ ନ ହୋଇ ନିଜର ପ୍ରଚେଷ୍ଟା ଜାରି ରଖିଥାଏ ।

      ଏହି ସମୟରେ ଜମିଦାର ଜଗପତି ତାଙ୍କର ସମସ୍ତ କର୍ମଚାରୀଙ୍କୁ ପ୍ରୋତ୍ସାହନମୂଳକ ସାହାଯ୍ୟ ରୂପେ ଦେବା ପାଇଁ ସହର ନିକଟରେ ଏକ ବିରାଟ ଜମି କିଣିଲେ ଓ ତାହା କର୍ମଚାରୀଙ୍କ ମଧ୍ୟରେ ମାଗଣାରେ ସେ ବାଂଟିଦେଲେ । ଅନନ୍ତର ଭାଗରେ ମଧ୍ୟ ଏକଶହ ଗଜ ଜମି ପଡିଲା ।

ଜମି ମିଳିଯିବାର ଦେଖି ବାଣୀ ପୁନଶ୍ଚ ପ୍ରସ୍ତାବ ଦେଲା ଯେ, ଏବେ ଆମର ଘର ତୋଳିବାରେ ବିଶେଷ କିଛି ଅସୁବିଧା ନାହିଁ । ଦୁଇଟି ସନ୍ତାନଙ୍କ ପାଇଁ ଏଠାରେ ଚଳିବା ଅତ୍ୟନ୍ତ କଷ୍ଟକର ହୋଇପଡିଲାଣି । ବୟସ ବଢିବା ସହିତ ସେମାନଙ୍କର କ୍ରମେ ଆବଶ୍ୟକତା ବି ବଢିବ । ତେଣୁ ଆଉ ବିଳମ୍ବ ନ କରି ନୂଆ ଜମିରେ ଘର ତୋଳିବା ଏବେଠାରୁ ଆରମ୍ଭ କରିଦେଲେ ଖୁବ୍ ଭଲ ହେବ ।

ଅନନ୍ତ ପୂର୍ବପରି ଏଥର ମଧ୍ୟ ବାଣୀର ଉତ୍ସାହକୁ ଏତେଟା ଗୁରୁତ୍ୱ ଦେଲା ନାହିଁ, ସେ କହିଲା, “ଘର ତୋଳିବା କିଛି ପିଲାଖେଳ ନୁହେଁ । ଇଟା, ଚୁନ, ସିମେଂଟ, କାଠ ଏମିତି କେତେ ଜିନିଷ କିଣିବାକୁ ପଡିବ । ସେଥିରେ ମଜୁରୀ ପୁଣି ଏବେ ବହୁତ ବଢିଗଲାଣି । ଆମ ପରି ସାଧାରଣ ଲୋକର ଏହି ମହଙ୍ଗା ଯୁଗରେ ଘର କରିବାର ଶକ୍ତି ଆଦୌ ନାହିଁ ।”

ବାଣୀ ଅନନ୍ତର କଥାରେ ପ୍ରତିବାଦ କରି କହିଲା “ତୁମେ ଏପରି କହି ଆଦୌ କୌଣସି ଚେଷ୍ଟା କରୁ ନାହଁ । ପ୍ରଥମେ ଆମ ପାଖରେ ଯେତିକିବି ଟଙ୍କା ଅଛି ସେହିଥିରେ କାନ୍ଥ ଉଠାଇ ଦେବା ତା’ପରେ କାଠ, ଛାତ ବିଷୟରେ ଭାବିବା । ଯେମିତି ହେଉ ପଛେ ମୁଁ ନିଜର ଏକ ଘର ଠିଆ କରାଇବି । ତୁମେ ଚୁପ୍ ହୋଇ ରହିଥିଲେ ରହିଥାଅ ।”

ଅନନ୍ତ କିଛି ନ କହି ସେଠାରୁ ବାହାରିଗଲା । ବାଣୀ ତା’ ପାଖରେ ଯେତିକି ଟଙ୍କା ଥିଲା, ତାକୁ କାଢି ଗଣିଲା । ମିସ୍ତ୍ରୀଙ୍କ ସହିତ ଆଲୋଚନା କରି ଜମିଦାର ଦେଇଥିବା ଜାଗାରେ ନିଅଁ ଖୋଳିବା ପାଇଁ ସେ ବରାଦ ଦେଲା । ଯେହେତୁ ଅନନ୍ତ ଏହି ବିଷୟରେ କିଛି ବି ନ କହି ଚୁପ୍ ରହିଲା, ବାଣୀ ତାକୁ ନ ଜଣେଇ ନିଜ ଚେଷ୍ଟାରେ ଯାହା କିଛିବି ହୋଇ ପାରିବ, ତାହା କାର୍ଯ୍ୟକାରୀ କରିବା ପାଇଁ ଆରମ୍ଭ କଲା ।

ଅଳ୍ପଦିନ ଭିତରେ ନିଅଁ ପଡି କାନ୍ଥ ତୋଳା ହୋଇଗଲା । ଏହାପରେ ବାଣୀ, ଗ୍ରାମରେ ରହୁଥିବା ତା’ର ଭାଇଙ୍କ ନିକଟକୁ କାଠ ପାଇଁ ଖବର ପଠାଇଲା । ଭାଇ ନିଜର ବାଡିରେ ଥିବା ଗଛରୁ କିଛି କାଠ ଯୋଗାଡ କରି ଦେଲେ ଓ ଭଉଣୀର ଉଦ୍ୟମରେ ତାକୁ ସେ ସାହାଯ୍ୟ କଲେ ।

କବାଟ, ଝରକାର ବନ୍ଦୋବସ୍ତ ହୋଇଗଲା । ବାଣୀ ପାଖରେ ଥିବା ସମସ୍ତ ଅର୍ଥ ଖର୍ଚ୍ଚ ହୋଇଗଲା । କିନ୍ତୁ ସେତେବେଳକୁ ଛାତ କାମ ମୋଟେ ହୋଇ ନ ଥାଏ ।

ଏପରି ସ୍ଥିତିରେ ଦିନେ ଅନନ୍ତ ଭୋଜନ ପରେ ବିଶ୍ରାମ ନେଉଥିବା ସମୟରେ ବାଣୀ ତାକୁ କହିଲା ।, “ତୁମର କେହି ବନ୍ଧୁଙ୍କ ଠାରୁ କିଛି ଅର୍ଥ କରଜ ଯୋଗାଡ ହୋଇପାରିବ କି? ଛାତ କାମ ସରିଗଲେ, ଘର ସମ୍ପୂର୍ଣ୍ଣ ହୋଇଗଲା ଜାଣ । ଛାତ ପାଇଁ କେତେ ଖଣ୍ଡ କଡି ବରଗା ଓ ଟାଇଲ୍ ଲୋଡା । ତୁମେ ଏଥିପାଇଁ କିଛି ଅର୍ଥ ଯୋଗାଡ କରିପାରିଲେ ଭାରି ଭଲ ହୁଅନ୍ତା ।”

ଅନନ୍ତ ବିରକ୍ତ ହୋଇ କହି ଉଠିଲା, “ମୁଁ କେତେବେଳେ କାହାକୁ ହାତ ପତାଇବାର ତୁମେ ଦେଖିଛ? ଘରକାମ ପୁରା ହେଲେ ହେଉ, ନ ହେଲେ ନାହିଁ, ମୋର ସମ୍ମାନରେ ଆଂଚ ଆସିବା ପରି କାମ ମୁଁ ଆଦୌ କରିବି ନାହିଁ ।”

ଏହି ଘଟଣାର ଠିକ୍ ଦୁଇଦିନ ପରେ ଗ୍ରାମରୁ ବାଣୀର ଜଣେ ବାନ୍ଧବୀ ସହରକୁ ବୁଲି ଆସିଲେ । ଦୁଇ ବାନ୍ଧବୀ ସୁଖଦୁଃଖ ହେଉଥିବା ସମୟରେ ବାଣୀ ନିଜର ଅଭାବ ଅସୁବିଧା କଥା ତାଙ୍କୁ ଜଣାଇଲା । ସେ କହିଲେ, “ସେଥିପାଇଁ ଆଦୌ ବ୍ୟସ୍ତ ହେବୁ ନାହିଁ । ଆମ ବାଡିରେ ଅନେକ ତାଳଗଛ ଅଛି । କଡି, ବରଗା ପାଇଁ ତାହା ଖୁବ୍ ମଜଭୁତ୍ ହେବ । ମୁଁ ଗ୍ରାମକୁ ଯାଇ ତୋର ଯାହା କିଛିବି ଦରକାର ସେତକ ପଠାଇଦେବି ।” ବାନ୍ଧବୀର ଏଭଳି ପ୍ରତିଶୃତି ପାଇ ବାଣୀ ଟିକେ ଆଶ୍ୱସ୍ତ ହେଲା ।

ଏମିତି ସେହି କାଠରେ ଛାତର କଡି ବରଗା ହୋଇ ଗଲା ସିନା, ମାତ୍ର ଟାଇଲ୍ ଯୋଗାଡ ହୋଇ ନଥାଏ । ତେବେ ବାଣୀ ତା’ର ଉଦ୍ୟମ ସେମିତି ଜାରି ରଖିଥାଏ । ସହରରେ ଥିବା ଟାଇଲ୍ କାରଖାନାରୁ ସେ ଜାଣି ପାରିଲା ଯେ, ତା’ର ମାଲିକ ସବୁ ପଇସା ନ ରଖି କିସ୍ତିରେ ମଧ୍ୟ ଟାଇଲ୍ ବିକିବେ । କିନ୍ତୁ ଏଥିପାଇଁ କିଛି ପରିମାଣର ଅର୍ଥ ଓ ଜଣେ ଜଣାଶୁଣା ଲୋକ ମଧ୍ୟସ୍ଥି ହେବା ନିହାତି ଦରକାର । ବାଣୀ ଏଥିରେ ଖୁବ୍ ଚିନ୍ତିତ ହୋଇ ପଡିଲା । ଅନନ୍ତ କିଛି ନ କହୁଥିଲେ ମଧ୍ୟ ବୀଣାର ସମସ୍ତ କାର୍ଯ୍ୟକଳାପ ପ୍ରତି ତା’ର ତୀକ୍ଷ୍ନ ନଜର ଥାଏ ।

ତା’ ପରଦିନ ସକାଳବେଳା ବାଣୀ କବାଟ ପାଖରେ ବସି ନିଜ କେଶ ସଜାଡୁଥାଏ । ଦେଖିଲା, ଦୂରରୁ ଏକ ଟାଇଲ୍ ବୋଝେଇ ବଳଦଗାଡି ସେହି ଗଳିରେ ଆସୁଛି । କିଛି ସମୟ ପରେ ଗାଡିଟି ଠିକ୍ ତା ଦ୍ୱାର ସମ୍ମୁଖରେ ରହିଲା । ବାଣୀ ଆଶ୍ଚର୍ଯ୍ୟ ହୋଇ ବାହାରକୁ ଆସେ ତ, ଦେଖିଲା, ବଳଦଗାଡି ପଛେ ପଛେ ଅନନ୍ତ ମଧ୍ୟ ଆସିଛି ।

ବାଣୀକୁ ଅବାକ୍ ହୋଇ ଚାହିଁ ରହିଥିବାର ଦେଖି, ଅନନ୍ତ ସ୍ମିତ ହସି କହିଲା, “କ’ଣ ଏପରି ବୋକାଙ୍କ ପରି ଚାହିଁଛ? ଏହି ସବୁ ଟାଇଲ୍ ଆମ ଘରର ଛାତ ପାଇଁ ମୁଁ ଆଣିଛି । ତୁମେ ତ ଏହା ପ୍ରମାଣ କରି ଦେଖାଇଦେଲ ଯେ, ପ୍ରଚେଷ୍ଟା କଲେ ମନୁଷ୍ୟ ପକ୍ଷେ କୌଣସି କାର୍ଯ୍ୟବି ଅସାଧ୍ୟ ନୁହେଁ । ଏବେ ଶେଷ ମୁହୂର୍ତ୍ତରେ ମୁଁ କିଛି ସାହାଯ୍ୟ ନ କରି ଚୁପ୍ ରହିଲେ, ପ୍ରକୃତରେ ଏହା ବଡ ଅନ୍ୟାୟ ହେବ । ତେଣୁ ଡେରିରେ ହେଉ ପଛେ ମୁଁ ମୋର ଦାୟିତ୍ୱ ପ୍ରତି ସଚେତନ ହେଲି ।”

ବାଣୀ ବହୁଦିନରୁ ପତିଙ୍କ ଠାରେ ଏପରି ପରିବର୍ତ୍ତନକୁ ଆଶା କରି ରହିଥିଲା । ତେଣୁ ଅନନ୍ତର ଏଭଳି କଥାଶୁଣି ତା’ର ଆନନ୍ଦର ଆଉ କୌଣସି ସୀମା ରହିଲା ନାହିଁ । ସେ ଖୁସିରେ କହି ଉଠିଲା, “ଘର ତୋଳିବାରେ ତୁମେ ଯଦି ଟିକେ ଆଗରୁ ଏତିକି ସହଯୋଗ କରିଥାଆନ୍ତ, ତେବେ ଭଡା ଘରେ ରହିବାର ଦୁଃଖରୁ ଆମକୁ କେବେଠାରୁ ମିଳି ସାରନ୍ତାଣି ।”

ଅନନ୍ତ ପତ୍ନୀଙ୍କ ଆନନ୍ଦରେ ଭାଗ ନେଇ କହିଲା, “ପ୍ରକୃତରେ ଏପରି ଦୁଃସ୍ଥିତିରୁ ଉଦ୍ଧାର ପାଇଁ ତୁମର ଅବଦାନ ସବୁଠୁ ବେଶୀ, ଯେଉଁ ପତ୍ନୀ, ପତିର ଆୟର ଦୁରୁପଯୋଗ ନ କରି, ସଂଚୟ ମନୋବୃତ୍ତିରେ ପରିବାର ଚଳାଇବେ, ତାଙ୍କର ପରିବାରରେ ଏପରି ଅସାଧ୍ୟ କାର୍ଯ୍ୟ ସାଧନ ହେବା କିଛିବି ଅସମ୍ଭବ କଥା ନୁହେଁ ।”

Find Amazon’s best deals & get advantage of the more hidden discounts!

Find over 75% discounts

Discover hidden offers, sales & discounts when searching for products on Amazon.

Keyword/s (optional)

(eg Iphone 5s Gold or Ipad Mini 16GB)

Search Discount
ବିସ୍ଵାଶ କରିବା ଆଗରୁ ବିଜ୍ଞାପନ ଗୁଡିକର ସଠିକତାକୁ ତଦନ୍ତ କରନ୍ତୁ ।
loading...

ଗପ ସାରଣୀ

ବିସ୍ଵାଶ କରିବା ଆଗରୁ ବିଜ୍ଞାପନ ଗୁଡିକର ସଠିକତାକୁ ତଦନ୍ତ କରନ୍ତୁ ।

ସାଢି | ଲାପଟପ୍ | ଟେଲିଭିଜନ୍ | ଯୋତା | ମୋବାଇଲ୍ |ବହି

ପ୍ରଥମେ ଯେକୌଣସି ଜିନିଷ ସର୍ଚ୍ଚ କରନ୍ତୁ, ପରେ କ୍ୟାସ ଅନ ଡେଲିଭରିରେ ଅଡ଼ର୍ କରନ୍ତୁ, ମାନେ ଜିନିଷ ପାଇଲା ପରେ ହିଁ ପଇସା ଦିଅନ୍ତୁ

ତାଲିକାଭୁକ୍ତ ଗପ

ନୂଆ ତାଲିକାଭୁକ୍ତ ଗପ

loading...