ସାଧୁଙ୍କ ଯାଦୁ

ବିଦ୍ୟାଧରପୁରରେ ଜଣେ ଖୁବ୍ ଥିଲାବାଲା ଲୋକଥିଲେ, ତାଙ୍କ ନାମ ସୁରେନ୍ଦ୍ର ମହାରାଣା । ତାଙ୍କର ଦୁଇ ପୁଅ, ସୁରେଶ ଓ ସୂର୍ଯ୍ୟକାନ୍ତ । ମହାରଣାଙ୍କ ମୃତ୍ୟୁ ପରେ ଦୁଇଭାଇ ଭିନେ ହୋଇଗଲେ । କିନ୍ତୁ ସେହି ପୈତୃକ ଘରକୁ ଦୁଇଭାଗ କରି ଦୁଇଭାଇ ସେଠାରେ ରହିଥାନ୍ତି । ସେଯାଏଁ କାହାରି ମଧ୍ୟ ବାହାଘର ହୋଇ ନଥାଏ । ଯିଏ ଯାହାର ନିଜ ପାଇଁ ରୋଷେଇ କରି ଖାଉଥାନ୍ତି ।

                ସୁରେଶର ଭାରି ଇଚ୍ଛା, ସେ ପଇସାପତ୍ର ସଂଚୟ କରି ଶୀଘ୍ର ଶୀଘ୍ର ଧନୀ ହୋଇଯିବ । ତେଣୁ ସେ କାହାକୁ ପଇସାଟାଏ ଦିଏ ନାହିଁ କି ଅତ୍ୟନ୍ତ ପ୍ରୟୋଜନ ନ ପଡିଲେ ନିଜେ ମଧ୍ୟ କିଛି ଖର୍ଚ୍ଚ କରେନାହିଁ । ସୂର୍ଯ୍ୟକାନ୍ତର କିନ୍ତୁ ଧନୀ ହେବା ପାଇଁ ଆଦୌ କୌଣସି ବ୍ୟାକୁଳତା ନଥାଏ । ବରଂ ଅନ୍ୟ କାହାରିର ଉପକାର କରି ପାରିଲେ ସେ ଖୁସି ହେଉଥାଏ । ଏହିପରି ଭାବରେ ସେ ଦୁହେଁ ଦିନ ବିତାଉଥାନ୍ତି ।

                ଦିନେ ଜଣେ ସାଧୁ ଆସି ସାନଭାଇ ସୂର୍ଯ୍ୟକାନ୍ତ ଘରେ ପହଁଚିଲେ ଓ ତାକୁ କିଛି ଖାଇବାକୁ ମାଗିଲେ । ସୂର୍ଯ୍ୟକାନ୍ତ କହିଲା, “ନା ସାଧୁଜୀ, ମୁଁ ସେମିତି ଦାନ ଧର୍ମରେ ମୋଟେ ବିଶ୍ୱାସ କରେ ନାହିଁ ।”

                ସାଧୁ ଦୀର୍ଘନିଃଶ୍ୱାସ ଛାଡି ଚାଲି ଯାଉଥିଲେ । କିନ୍ତୁ ବଡଭାଇ ସୁରେଶ ତାଙ୍କୁ ଡାକି ନିଜ ଘରକୁ ନେଇଗଲା ଓ ନିଜ ପାଇଁ ଯେତିକି ଯାହା ରୋଷେଇ କରିଥିଲା, ସେସବୁ ସେ ସେହି ସାଧୁଙ୍କୁ ପରଶି ଦେଲା ।

                ସାଧୁ କହିଲେ, “ଦେଖୁଛି, ଦୁଇଭାଇଙ୍କ ଭିତରେ ବହୁତ ଫରକ୍ ।”

                ସୁରେଶ କହିଲା, “ମୋ ସାନଭାଇ ଘରର ସବୁ ଭଲ ଜିନିଷ ମାଡି ବସିଛି । ମୋଠୁ ଦିନେ ସେ ଶହେଟଙ୍କା ନେଲା, ଆଉ ଦେଉନାହିଁ । ସେ ବୁଦ୍ଧିମାନ ଓ ଟଙ୍କା ପଇସା କରଜ ଦେବା କାରବାର କରି ବେଶ୍ ଭଲ ରୋଜଗାର କରେ । ମୁଁ ବୋଧହୁଏ ବେଶି ଚାଲାକ୍ ଚତୁର ନୁହେଁ । ସେଥିପାଇଁ ମୁଁ ଜମିଜମା ଉପରେ ନିର୍ଭର କରି କୌଣସି ମତେ ଚଳିଯାଏ ।”

                ସାଧୁ କହିଲେ “ତୁ କ’ଣ ଚାହୁଁ କହ । ମୁଁ ହୁଏତ ତୋ ମନକାମନା ପୂର୍ଣ୍ଣ କରି ପାରିବି!”

                ସୁରେଶ କହିଲା “ମୋ ସାନଭାଇ ସୂର୍ଯ୍ୟକାନ୍ତ ଯେମିତି ମୋତେ ହଇରାଣ ହରକତ କରି ନ ପାରିବ, ମୋତେ ସେତିକି ବର ଦିଅନ୍ତୁ ।”

                ସାଧୁ ପଚାରିଲେ “ବେଶ । ତୋ ଘରେ ପନିପରିବା ବା ଫଳମୂଳ କିଛି ଅଛି?”

                ସୁରେଶ ଯାଇ ଦେଖିଲା, ମାତ୍ର ପାଂଚଗୋଟି ପିଆଜ ଛଡା ତା’ ଘରେ ଆଉ କିଛିବି ନାହିଁ । ସେ ସେତକ ଆଣି ସାଧୁଙ୍କୁ ଦେଖାଇଲା । ସାଧୁ କହିଲେ, “ଗୋଟାଏ କାମ କର । ଏ ପାଂଚଗୋଟି ପିଆଜ ଜଳରେ ପକାଇ ସିଝା । ଯେଉଁ ଚାରିଗୋଟି ସିଝି ଯିବ, ତାକୁ ତୁ ଖାଇଦେବୁ । କିନ୍ତୁ ଯେଉଁ ଗୋଟିଏ ସିଝିବ ନାହିଁ, ତୁ ତାକୁ ସେମିତି ପାଣିରେ ରଖିବୁ । ସକାଳ ହେଲେ ଯାଇ ତାକୁ ଖାଇବୁ । ତାହା ଦ୍ୱାରା ତୋର କ’ଣ ଉପକାର ହେବ, ସେତେବେଳେ ବୁଝିବୁ । ମୁଁ ରାତିରେ ଏଠାରେ ରହୁଛି । କାମ ଶେଷ କରି ଯିବି ।”

                ସାଧୁଙ୍କ ପରାମର୍ଶ ଅନୁସାରେ ସୁରେଶ ସବୁ କାମ କଲା । ପାଂଚଟି ପିଆଜରୁ ଚାରିଗୋଟି ସିଝିଗଲା ଓ ସେ ସେଗୁଡିକ ଖାଇଦେଲା । ପଞ୍ଚମଟିକୁ ସେ ସେମିତି ଚୁଲି ପାଖରେ ରଖିଲା ।

                କିନ୍ତୁ ସକାଳେ ଦେଖିବା ବେଳକୁ ସେ ଅସିଝା ପିଆଜର ଦେଖା ନାହିଁ । ରାତିରେ ତାକୁ କିଏ ଚୋରାଇ ନେଇଛି । ସୁରେଶ ପ୍ରାୟ କାନ୍ଦିଲା । ସାଧୁ କହିଲେ, “ତୁ ବ୍ୟସ୍ତ ହେବାର କାରଣ ନାହିଁ । ତୁ ତାକୁ ଖାଇଥିଲେ ମୁଁ ଏକ ପ୍ରକାର ମନ୍ତ୍ର ପଢିଥାନ୍ତି । ଫଳରେ ତୋର ଗୋଟାଏ ଧରଣର ଉନ୍ନତି ହୋଇଥାନ୍ତା । ତାକୁ ଆଉ କେହି ଚୋରାଇ ଖାଇଛି ବୋଲି ବୁଝୁଛି । ବର୍ତ୍ତମାନ ମୁଁ ତୋ ଉପରେ ଆଉ ଗୋଟାଏ ପ୍ରକାର ମନ୍ତ୍ର ପଢିଦେଇ ଯାଉଛି । ତୁ କହିବୁ, ‘ଅସିଝା ପିଆଜ! ମୋର ଅମୁକ ଦରକାର!’ ଯିଏ ସେ ପିଆଜ ଖାଇଥିବ, ସେ ଆସି ତୋତେ ସେ ଚିଜ ଯୋଗାଇ ଦେବାକୁ ବାଧ୍ୟ ହେବ । ମୁଁ ଆଜି ଯାଉଛି । ଛଅମାସ ପରେ ଆସିବି । ହଁ, ଲୋଭ ବା ପ୍ରତିଶୋଧମୂଳକ ଭାବର ବଶବର୍ତ୍ତୀ ହୋଇ ଏମିତି କିଛି ମାଗିବୁ ନାହିଁ । ଯଦି ତାହା କରିବୁ, ତେବେ ତୋର ପୁଣି ଅନିଷ୍ଟ ହେବ ।” ସାଧୁ ଏହା କହି ସେଠାରୁ ବିଦାୟ ନେଲେ ।

                ସୁରେଶ ଯାଇ ନିଜ କୋଠରୀ ଭିତରେ ବସିପଡି କହିଲା, “ଅସିଝା ପିଆଜ, ମୋର ଗୋଟାଏ ଭଲ ଖଟ ଓ ସୁକୁମାର ଶଯ୍ୟା ଦରକାର ।” ସୂର୍ଯ୍ୟକାନ୍ତ ସଙ୍ଗେ ସଙ୍ଗେ ଆସି ପହଁଚିଯାଇ କହିଲା, “ଭାଇ, ମୁଁ ଖଟ ଓ ଶେଯର ବ୍ୟବସ୍ଥା କରୁଛି । ସନ୍ଧ୍ୟା ପୂର୍ବରୁ ତାହା ପାଇଯିବ ।” ସୁରେଶ ବର୍ତ୍ତମାନ ବୁଝିଲା ଯେ, ସୂର୍ଯ୍ୟକାନ୍ତହିଁ ସେଦିନ ସେହି ପିଆଜଟି ଚୋରାଇ ନେଇ ଖାଇଛି । ବାସ୍ତବରେ ସୁରେଶ ସାଧୁକୁ ନିଜ ଘରକୁ ଡାକି ଆଣିବା ବେଳଠୁ ସୂର୍ଯ୍ୟକାନ୍ତ କାନଡେରି ସେ ଦୁହିଁଙ୍କ ଭିତରେ ହେଉଥିବା କଥାବାର୍ତ୍ତା ସବୁ ଶୁଣୁଥିଲା ।

                ସନ୍ଧ୍ୟା ପୂର୍ବରୁ ସୂର୍ଯ୍ୟକାନ୍ତ ଗୋଟାଏ ଭଲ ଖଟ ଓ ଉତ୍ତମ ଶେଯ ଦେଇଗଲା । ସୁରେଶକୁ ଠକିଦେଇ ସମ୍ପତ୍ତି ଭାଗ ବେଳେ ସୂର୍ଯ୍ୟକାନ୍ତ ଘରର ମୂଲ୍ୟବାନ ଆସବାବପତ୍ର ନିଜ ତରଫକୁ ନେଇଯାଇଥିଲା । ବର୍ତ୍ତମାନ ସୁରେଶ ତାଠୁଁ ଖଟ ଓ ଶେଯ ହାସଲ କରି ଖୁବ୍ ଖୁସି ହେଲା ।

                ସୁରେଶ କହିଲା “ଅସିଝା ପିଆଜ! ମୋର ଶହେ ଟଙ୍କା ଦରକାର ।” ଅଧଘଂଟାକ ଭିତରେ ସୂର୍ଯ୍ୟକାନ୍ତ ଶହେଟଙ୍କା ଆଣି ତାକୁ ଧରାଇ ଦେଲା । ତେଣିକି ସୁରେଶ ତା’ ପଟ ଘର ସଫାସୁତୁରା କରିବାଠୁ ଆରମ୍ଭ କରି ତା’ ରୋଷେଇ ପର୍ଯ୍ୟନ୍ତ ସବୁ କାମ ‘ଅସିଝା ପିଆଜ’କୁ କରିବାକୁ କହେ । ଅର୍ଥାତ୍ ଯାହା ପେଟରେ ସେ ଅସିଝା ପିଆଜ ରହିଛି, ସେହି ସୂର୍ଯ୍ୟକାନ୍ତ ସବୁ କରିବାକୁ ବାଧ୍ୟ ହୁଏ ।

ଗାଁ ଲୋକେ ତ ଆଉ ଏ କଥାର ରହସ୍ୟ ଜାଣନ୍ତି ନାହିଁ, ସେମାନେ କହୁଥାନ୍ତି, “ଦେଖ, ବଡଭାଇ ପ୍ରତି ସୂର୍ଯ୍ୟକାନ୍ତର କେତେ ଭକ୍ତି ଦେଖ!”

ଚାହୁଁ ଚାହୁଁ ଛଅ ମାସ ବିତିଗଲା । ହଠାତ୍ ଦିନେ ସାଧୁ ସେଠାରେ ଆସି ପହଁଚିଲେ । ସୂର୍ଯ୍ୟକାନ୍ତ ପ୍ରଥମେ ସେହି ସାଧୁକୁ ଦେଖି ପକାଇଲା । ସେ ଯାଇ ତାଙ୍କ ଗୋଡତଳେ ପଡିଯାଇ କହିଲା, “ସାଧୁ ମହାରାଜ! ମୋତେ କ୍ଷମା କରନ୍ତୁ । ମୁଁ ବଡ ହଇରାଣ ହୋଇଗଲିଣି । ଭାଇ କିଛି ଇଚ୍ଛା ପ୍ରକାଶ କରିବା ମାତ୍ରେ ମୁଁ ତାହା ଯନ୍ତ୍ର ଭଳି ପୂରଣ କରିବାକୁ ବାଧ୍ୟ ହେଉଛି । ତାଙ୍କ କାମ କରି କରି ନିଜ ପାଇଁ କିଛି କରିବାକୁ ମୁଁ ଆଦୌ ସମୟ ପାଉନାହିଁ । ଦାଣ୍ଡର ଭିଖାରୀ ହେବାକୁ ବସିଲିଣି ।”

“ଏପରି କଥା? ହେଉ, ତୁ ଯାଇ ତୋ ଭାଇକୁ କହିଦେ – ସେ କହୁ, ‘ଅସିଝା ପିଆଜ! ମୋର ସନ୍ତୋଷ ହୋଇଗଲା । ଏଣିକି ତୁ ହଜମ ହୋଇ ଯା ।’ ତା’ହେଲେ ପରିସ୍ଥିତି ପୁଣି ସ୍ୱାଭାବିକ ହୋଇଯିବ ।”

ସୂର୍ଯ୍ୟକାନ୍ତ ପଚାରିଲା “ଯଦି ଭାଇ ମୋ କଥା ନ ଶୁଣେ?”

ସାଧୁ କହିଲେ “ନ ଶୁଣିଲେ ବୁଝିବା ଯେ ସେ ଲୋଭୀ ହୋଇ ଯାଇଛି । ତେଣିକି ଫଳ ଓଲଟା ହେବ ।”

ସାଧୁଙ୍କୁ ସେଇଠି ବସାଇ ରଖି ସୂର୍ଯ୍ୟକାନ୍ତ ଯାଇ ସୁରେଶକୁ କହିଲା, “ଭାଇ, ଛଅମାସ କାଳ ତମର ସବୁ ଦାବି ତ ମୁଁ ମାନି ଆସିଲିଣି । ଏଥର ମୋତେ ମୁକ୍ତି ମିଳୁ । ତମେ କୁହ, ‘ଅସିଝା ପିଆଜ! ମୋର ସନ୍ତୋଷ ହୋଇଗଲା । ଏଥର ହଜମ ହୋଇ ଯା!’ ଏହାପରେ ବି ମୁଁ ତମର ସହାୟତା କରୁଥିବି ।”

ସୁରେଶ କହିଲା “ମୁଁ କାହିଁକି ସେପରି କହିବି? ମୋର ସନ୍ତୋଷ ହୋଇ ନାହିଁ । ଯା, ଶହେଟଙ୍କା ନେଇଆ ।”

ସଙ୍ଗେ ସଙ୍ଗେ ସୂର୍ଯ୍ୟକାନ୍ତ ମୁହଁଦେଇ ପିଆଜଟି ଛିଟିକି ଯାଇ ସୁରେଶ ମୁହଁରେ ତାହା ପଡିଲା ଓ ସୁରେଶ ତାକୁ ଗିଳି ପକାଇଲା ।

ସୂର୍ଯ୍ୟକାନ୍ତ କହିଲା “ଭାଇ! ତମେ ତ ମୋ କଥା ଶୁଣିଲ ନାହିଁ । ଏଥର ଫଳ ଓଲଟା ହେବ । ମୁଁ ଯାହା କହିବି, ତମକୁ ତାହା କରିବାକୁ ପଡିବ ।”

କିଛି ସମୟ ସ୍ତବ୍ଧ ହୋଇ ରହି ସୁରେଶ କହିଲା, “ଆରେ ସୂର୍ଯ୍ୟକାନ୍ତ, ବାସ୍ତବିକ ମୁଁ ଲୋଭୀ ହୋଇ ଯାଇଥିଲି । ତୋ ସେବା ପାଇ ମୁଁ ଅଳସୁଆ ବି ହୋଇ ଯାଇଥିଲି । ବର୍ତ୍ତମାନ ମୁଁ ପ୍ରାୟଶ୍ଚିତ କରିବା ଉଚିତ୍ । ହେଉ, ତୁ ଯାହା କହିବୁ, ତାହାହିଁ କରିବି!”

“ନା ଭାଇ, ମୁଁ ବଡ ନୀଚମନା ଥିଲି ବୋଲି ତମ ଉଦାରତାର ସୁଯୋଗ ନେଇ ତମକୁ ମୁଁ ବହୁତ ହଇରାଣ କରିଛି । ଏଣିକି ମୁଁ ଆଉ ସେପରି ନୁହେଁ । ଆମେ ଦୁହେଁ ଏକତ୍ର ହୋଇ ରହିବା । ଭିନେ ହେବାର କୌଣସି ଆବଶ୍ୟକତା ନଥିଲା । ମୁଁ ନିଜେ କହିବାରୁ ଆମେ ଭିନେ ହୋଇଥିଲେ । ହେଲେ ବର୍ତ୍ତମାନ ମୁଁ ସେଥିଲାଗି ବହୁତ ଅନୁତପ୍ତ । ତମେ ମୁରବୀ । ଏଥର ବାହା ହୁଅ । ନୂଆବୋଉ ଆସିଲେ ସେ ଆମ ଦୁହିଁଙ୍କ ପାଇଁ ରୋଷେଇ କରିଦେବେ । ଆମେ ଦୁହେଁ ଏକତ୍ର କାରବାର କରିବା ଓ ଜମିଜମା ବି ଦେଖିବା ।” ଏତିକି କହି ସୂର୍ଯ୍ୟକାନ୍ତ ପୁଣି କହିଲା, “ଅସିଝା ପିଆଜ! ମୋର ସନ୍ତୋଷ ହୋଇଗଲା । ତୁ ଏଥର ହଜମ ହୋଇ ଯା!”

ପିଆଜ ହଜମ ହୋଇଗଲା । ଏହାପରେ ସେ ଦୁଇଭାଇ ସ୍ୱାଭାବିକ ଭାବରେ ଅତ୍ୟନ୍ତ ସୁଖରେ ରହିଲେ ।

Find Amazon’s best deals & get advantage of the more hidden discounts!

Find over 75% discounts

Discover hidden offers, sales & discounts when searching for products on Amazon.

Keyword/s (optional)

(eg Iphone 5s Gold or Ipad Mini 16GB)

Search Discount
ବିସ୍ଵାଶ କରିବା ଆଗରୁ ବିଜ୍ଞାପନ ଗୁଡିକର ସଠିକତାକୁ ତଦନ୍ତ କରନ୍ତୁ ।
loading...

ଗପ ସାରଣୀ

ବିସ୍ଵାଶ କରିବା ଆଗରୁ ବିଜ୍ଞାପନ ଗୁଡିକର ସଠିକତାକୁ ତଦନ୍ତ କରନ୍ତୁ ।

ସାଢି | ଲାପଟପ୍ | ଟେଲିଭିଜନ୍ | ଯୋତା | ମୋବାଇଲ୍ |ବହି

ପ୍ରଥମେ ଯେକୌଣସି ଜିନିଷ ସର୍ଚ୍ଚ କରନ୍ତୁ, ପରେ କ୍ୟାସ ଅନ ଡେଲିଭରିରେ ଅଡ଼ର୍ କରନ୍ତୁ, ମାନେ ଜିନିଷ ପାଇଲା ପରେ ହିଁ ପଇସା ଦିଅନ୍ତୁ

ତାଲିକାଭୁକ୍ତ ଗପ

ନୂଆ ତାଲିକାଭୁକ୍ତ ଗପ

loading...