ସ୍ୱର୍ଗୀୟ ଦାନ

ଗୋଟିଏ ଗ୍ରାମରେ ଦୁଇଜଣ ସ୍ତ୍ରୀ ଥା’ନ୍ତି । ତନ୍ମଧ୍ୟରୁ ଜଣେ ଧନୀ ଓ କଞ୍ଜୁସ୍ । ଆଉ ଜଣେ ଭାରି ଗରୀବ ଥିଲେ ମଧ୍ୟ ସେ ଅତ୍ୟନ୍ତ ଦୟାଳୁ ଥିଲା । ତା’ର ହୃଦୟ ନବନୀତ କୋମଳ ଥିଲା, ଗରୀବ ବା ଅସହାୟ ଲୋକଙ୍କର ଯେତିକି ପାରେ ସେ ସହାୟତା କରେ । ତା’ ଦୁଆର ମୁହଁରୁ ଦୁଃଖିରଙ୍କି କେବେବି ଖାଲି ହାତରେ ଫେରନ୍ତି ନାହିଁ । ଦୁଇଜଣ ପରସ୍ପରର ପଡୋଶୀ ।

                ଧନୀ ମହିଳାଙ୍କ ପରିବାର ସହରରେ ରହି ବ୍ୟବସାୟ କରୁଥାନ୍ତି । ଗାଁରେ ସେମାନଙ୍କର କିଛି ଜମିଜମା ଥାଏ ବୋଲି ମହିଳାଟି ଗାଁରେ ରହି ସେସବୁର ତତ୍ତ୍ୱାବଧାନ କରୁଥାନ୍ତି । ଗରୀବ ମହିଳାଟିର ଖାଲି ପୁଅଟିଏ ଥାଏ । ସେ ବି ସହରରେ ଥାଏ, ତେବେ ସାଧାରଣ ଚାକିରୀ କରୁଥାଏ । ତା’ ମା ଘରେ ଗୋଟିଏ ତନ୍ତ ରଖିଥାଏ । ବହୁତ ପରିଶ୍ରମ କରି ସେଥିରେ ଲୁଗା ବୁଣି ସେ କିଛି ଆୟ କରେ । ଗାଁ ଲୋକେ ସେ ଗରୀବ ମହିଳାକୁ ବହୁତ ଶ୍ରଦ୍ଧା କରୁଥାନ୍ତି । ତେଣୁ ସେ ନିଜର ଦାରିଦ୍ର୍ୟ ଯୋଗୁଁ କେବେ ମଧ୍ୟ ଦୁଃଖ ବୋଧ କରୁ ନଥାଏ ।

                ଦିନେ ସଂଧ୍ୟା ସମୟରେ ଜଣେ ଭିଖାରୀ ରାସ୍ତାରେ ବୁଲୁ ବୁଲୁ ଧନୀ ସ୍ତ୍ରୀର ଘର ସମ୍ମୁଖରେ ଅଟକିଗଲା ଓ ଭିଖ ମାଗିଲା । ଧନୀ ସ୍ତ୍ରୀ କବାଟ ଖୋଲି ସେ ଭିଖାରୀକୁ ଦେଖି ଧଡାସ୍ କରି କବାଟ ବନ୍ଦ କରିଦେଲା ।

                ଭିଖାରୀ କହିଲା “ଆଚ୍ଛା ମା, ଭିଖ ନ ମିଳିଲା ନାହିଁ, ମୁନ୍ଦିଏ ପାଣି ପିଇବାକୁ ମିଳୁ । ମୋତେ ବହୁତ ଶୋଷ କରୁଛି ।” କିନ୍ତୁ ଭିତରୁ ଖାଲି ଏତିକି ଶୁଭିଲା, “ଏଠି ଗୋଳମାଳ କରନାହିଁ । ଯାଅ ।”

                ତଥାପି ସେ ଭିଖାରୀ ସେଠି କିଛି ସମୟ ଠିଆ ହୋଇ ରହି ତା’ପରେ ପୁଣି ଚାଲିବାକୁ ଆରମ୍ଭ କଲା ।

                ଭିଖାରୀ ଦୁଇପାଦ ଆଗକୁ ଯାଇ ଗରୀବ ସ୍ତ୍ରୀର ଘରେ ଯାଇ ପହଁଚିଲା । ତାକୁ ଦେଖି ସ୍ତ୍ରୀ ଲୋକଟି ଭିତରକୁ ଗଲା । ସେଦିନ କିନ୍ତୁ ନିଜ ପେଟ ଭରିଲା ଭଳି ଖାଦ୍ୟ ତା’ ଘରେ ନଥିଲା । ତେଣୁ ସେ ଖଣ୍ଡେ ରୁଟି ଓ କିଛି ଦହି ନେଇ ଆସି ତାକୁ ଦେଲା ଓ କହିଲା, “ଭାଇ ମୋ ଘରେ ତ ଆଉ ବେଶି କିଛି ନାହିଁ, ଏତିକି ଖାଇନିଅ । ଯଦି ବିଶ୍ରାମ କରିବାକୁ ଇଚ୍ଛା, ତେବେ ପିଣ୍ଡାରେ ଶୋଇଯାଅ ।”

ଭିଖାରୀ ରୋଟି ଖାଇ, ଦହି ପିଇଦେଲା ଓ ସେହି ସ୍ତ୍ରୀକୁ ପଚାରିଲା, “ମା’ ତୁମର କୌଣସି କିଛିରେ ଅଭାବ ନାହିଁ ତ? ସବୁ ଠିକ୍ ଚାଲିଛି ତ?”

ସ୍ତ୍ରୀଟି କହିଲା, “ଭାଇ, ମୋର ଅଧିକ କ’ଣ ଦରକାର? କୌଣସି ମତେ ଭଗବାନ୍ଙ୍କ ଦୟାରୁ ମୁଁ ଚଳିଯାଉଛି । ସେଇଥିରେ ମୋର ବହୁତ ଖୁସି ।”

“ମା’, ଯିଏ ଦିଏ ସିଏ ପାଏ । କାଲି ଦେଖିବ ତମେ ସକାଳୁ ଯେଉଁ କାମ କରିବ ତାହା ସଂଧ୍ୟା ପର୍ଯ୍ୟନ୍ତ ଚାଲିବ ।” ଏତିକି କହି ସେଠାରୁ ସେ ଭିଖାରୀଟି ତା’ ନିଜ ରାସ୍ତାରେ ଚାଲିଗଲା ।

ଗରୀବ ସ୍ତ୍ରୀଟି ଭିଖାରୀ କଥା ବିଶେଷ କିଛି ବୁଝିପାରିଲା ନାହିଁ । ସେସବୁ ସେ ସମ୍ପୂର୍ଣ୍ଣ ଭୁଲିଗଲା ।

ସକାଳୁ ଉଠି ସେ ପ୍ରଥମେ ଭାବିଲା କାଲି କେତେ ସୁତା କାଟିଛି ଓ କେତେ ଲୁଗା ବୁଣିଛି ମାପି ଦେଖିଲେ ଆଉ କିଛି ଅଧିକା ବୁଣିଦେଲେ ସେ ସପ୍ତାହର ଘର ଖର୍ଚ୍ଚ ଚଳିଯିବ ।

ତା’ପରେ ସେ ସିନ୍ଦୁକରୁ ଲୁଗା କାଢି ମାପିବାକୁ ଲାଗିଲା । ଏକ, ଦୁଇ, ତିନି କାହିଁ ଶେଷ ହେଉନାହିଁ ଯେ! ସେ ମାପି ଚାଲିଛି ଓ ଲୁଗା ଗଦା ହୋଇ ଚାଲିଛି । ସେତେବେଳେ ଯାଇ ତା’ର ମନେ ପଡିଲା ଯେ ଗତକାଲି ସେ ଭିଖାରୀଟି କହିଥିଲା, “ତୁମେ ସକାଳୁ ଯାହା କାମ କରିବ ସଂଧ୍ୟା ପର୍ଯ୍ୟନ୍ତହିଁ କରୁଥିବ ।” ସେଦିନ ସଂଧ୍ୟା ପର୍ଯ୍ୟନ୍ତ ସେ ଲୁଗା ମାପି ମାପି ଥକି ଗଲା । ସୂର୍ଯ୍ୟାସ୍ତ ପରେ ଯାଇ ତାହା ବନ୍ଦ ହେଲା । ସେଥିରେ ତ ଘର ପୁରିଗଲା । ଗରୀବ ସ୍ତ୍ରୀଟି ଅଚାନକ ବହୁତ ଲୁଗା ପାଇ ଖୁବ୍ ଖୁସି ହେଲା ଓ ଭିଖାରୀର ଶକ୍ତି ଦେଖି ସେ ବହୁତ ଆଶ୍ଚର୍ଯ୍ୟ ମଧ୍ୟ ହୋଇଥିଲା ।

ପରଦିନ ଗ୍ରାମବାସୀମାନେ ତା’ଠାରୁ ଲୁଗା କପଡା କିଣିଲେ । କଥାଟା ଆଉ ଲୁଚି ରହିଲା ନାହିଁ । ପଡୋଶୀ ଧନୀ ମହିଳାଟି ଈର୍ଷ୍ୟାରେ ଖାଲି ଜଳିଲା । କାରଣ ଭିଖାରୀଟି ତ ପ୍ରଥମେ ତାଙ୍କରି ଦ୍ୱାରକୁହିଁ ଆସିଥିଲା । “ଆହାରେ କି କଲି” ଏହା ଭାବି ସେ ତା’ ମଥା କୋଡିଲା ।

ମନେ ମନେ ସେ କହୁଥାଏ, “ଆଉ ଥରେହେଲେ ସେ ଅଦ୍ଭୁତ ଭିଖାରୀଟି ଆସନ୍ତା କି! ଏଥର ମୁଁ ତା’ ସହ ଏମିତି ଭଲ ବ୍ୟବହାର କରନ୍ତି ଯେ ମୋତେ ଆହୁରି ଅଧିକା ବର କିଛି ସେ ଦେଇ ପକାନ୍ତା!”

ଏ ଘଟଣାର ତିନି ଚାରିଦିନ ପରେ କିଏ ଜଣେ ଆସି ଦରଜା ଖଟଖଟ କଲା । ଧନୀ ସ୍ତ୍ରୀଟି ଯାଇ ଖୋଲି ଦେଇ ଦେଖିଲେ ସେହି ପୂର୍ବ ଭିଖାରୀ ପୁଣି ଆସିଛି । ତା’ର ଆନନ୍ଦ କହିଲେ ନ ସରେ ।

“ପୁଅ, ତମେ ଆସିଛ? ଆସ, ଆସ, ଭିତରକୁ ଆସ । ସେଦିନ ମୁଁ କାର୍ଯ୍ୟବ୍ୟସ୍ତ ଥିବାରୁ ତୁମର ଅତିଥି ସତ୍କାର କରିପାରି ନାହିଁ, ମୋର ବଡ ଭୁଲ୍ ହୋଇଛି ।” ସେ ଭିଖାରୀକୁ ଭଲ କରି ଖାଇବାକୁ ଦେଲା । ଭିଖାରୀର ମନ ରଖିବାକୁ ପଡିବ, ନହେଲେ ବର କିପରି ପାଇବ?

ଖାଇବାକୁ ଦେଇସାରି ସେ କହିଲା, “ଆଚ୍ଛା ପୁଅ, ତମେ ଏତେ ରାତିରେ ବା କୁଆଡେ ଯିବ? ଆସ ଘର ଭିତରକୁ । ମୁଁ ଭଲ ଶେଯ ବିଛାଇ ତମପାଇଁ ବିଛଣା କରିଛି ଓ ରେଜେଇ ରଖିଛି; ଘୋଡି ହୋଇ ଆରାମ୍ରେ ଶୋଇଯାଅ ।”

ଭିଖାରୀ ସେଥିରେ ସମ୍ମତ ହେଲା ନାହିଁ । ସେ ଖାଇପିଇ ସାରି ହସିଦେଇ ଘରୁ ବାହାରି ଯିବାକୁ ବସିଲା । ଏଣେ ମହିଳାଙ୍କ ମନ ମରିଗଲା । ଭିଖାରୀ କ’ଣ ବିନା ବରଦାନରେ ପଳାଇଯିବ? ବରଂ ତା’ର ଆଉ କିଛି ପରିଚର୍ଯ୍ୟା କରାଯାଉ, ଯେତିକି ପରିଚର୍ଯ୍ୟା କରାହୋଇଛି ତାହା ଯେପରି ଅର୍ଥହୀନ ହୋଇ ନ ଯାଉ!

ସେ କହିଲେ, “ ପୁଅ, ତମେ ତ ବହୁତ କ୍ଳାନ୍ତ ଦିଶୁଛ । ଏଠାରେ ରାତିଟି କଟାଇଲେ କ୍ଷତି କ’ଣ? କଥା ହେଲା, ମୁଁ କାହାର କଷ୍ଟ ଦେଖି ଆଦୌ ସହିପାରେ ନାହିଁ!”

ଭିଖାରୀ କହିଲା, “ନାହିଁ ମା’ ମୋତେ ଅନେକ ଦୂର ଯିବାକୁ ଅଛି । ତମେ ମୋର ବହୁତ ଯତ୍ନ କରିଛ ମୁଁ ଆଶିର୍ବାଦ କରୁଛି ତମେ କାଲି ସକାଳୁ ଯେଉଁ କାମ କରିବ ତାହା ସଂଧ୍ୟା ପର୍ଯ୍ୟନ୍ତ ଲାଗି ରହିଥାଉ ।” ଏତିକି କହି ସେଠାରୁ ସେ ଚାଲିଗଲା ।

ଧନୀ ସ୍ତ୍ରୀ ତ ଖୁସିରେ ନାଚିଲା । ରାତି ସାରା ତାକୁ ଆଉ ନିଦ ହେଲା ନାହିଁ । ଶେଷକୁ ରାତି ପାହିଲା । ଆଗରୁ ତ ସେ ଠିକ୍ କରିଥିଲା ଯେ ଯଦି ସେ ସକାଳୁ ତା’ର ସୁନା ମୋହର ଚାରୋଟି ଗଣି ବସିବ ତେବେ ସୂର୍ଯ୍ୟାସ୍ତ ହେବା ସୁଦ୍ଧା ତା’ର ଲକ୍ଷ ଲକ୍ଷ ମୋହର ଆସିଯିବ । ସେ ବିଛଣାରୁ ଉଠି ପଡି ମୋହର ବାକ୍ସ ପାଖକୁ ଯାଉଛି ହଠାତ୍ କାହୁଁ ଗୋଟିଏ ବିରୁଡି ଆସି ତାକୁ କାମୁଡି ଦେଲା । ସେ ବିରୁଡିକୁ ମାରିଲା । ପୁଣି ଗୋଟିଏ ବିରୁଡି ଆସିଲା । ତାକୁ ପୁଣି ସେ ମାରିଲା । ଏହିପରି ଭାବେ ଏକ ଶହ ଶହ ହଜାର ହଜାର ବିରୁଡି ଆସି ତାକୁ ମାରିବାକୁ ଲାଗିଲେ । ସେ ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ ଯନ୍ତ୍ରଣାରେ ଛଟପଟ ହେଲା । ଭିଖାରୀ କ’ଣ ଆଶିର୍ବାଦ ଦେଇଛି ବୋଲି ଗ୍ରାମ ସାରା ଲୋକେ ବହୁତ କୌତୁହଳୀ ହୋଇ ଦେଖିବାକୁ ଆସିଥା’ନ୍ତି । ସେହି ନିଷ୍ଠୁରା, ନିର୍ଦ୍ଦୟା ସ୍ତ୍ରୀ କଷ୍ଟ ପାଇବାରୁ ସମସ୍ତେ ମଜ୍ଜା ଦେଖୁଥା’ନ୍ତି । ସୂର୍ଯ୍ୟାସ୍ତ ପରେ କ୍ରମେ ବିରୁଡିମାନେ ପଳାଇଲେ । ଗ୍ରାମବାସୀମାନେ ମଧ୍ୟ ନିଜ ନିଜ ଘରକୁ ଚାଲିଗଲେ । ସ୍ତ୍ରୀ ଲୋକଟି ଏ ଘଟଣା ଯୋଗୁଁ ଏତେ ଅପମାନ ବୋଧକଲା ଯେ ତା’ପରେ ସେ ସକାଳ ହେବା ବେଳକୁ ଗୋଟିଏ ଗାଡି ଭଡା କରି ସେଥିରେ ସବୁ ଜିନିଷ ନେଇ ଗ୍ରାମ ଛାଡି ସହରକୁ ପଳାଇଲା ।

Find Amazon’s best deals & get advantage of the more hidden discounts!

Find over 75% discounts

Discover hidden offers, sales & discounts when searching for products on Amazon.

Keyword/s (optional)

(eg Iphone 5s Gold or Ipad Mini 16GB)

Search Discount

ସାଢି | ଲାପଟପ୍ | ଟେଲିଭିଜନ୍ | ଯୋତା | ମୋବାଇଲ୍ |ବହି

ପ୍ରଥମେ ଯେକୌଣସି ଜିନିଷ ସର୍ଚ୍ଚ କରନ୍ତୁ, ପରେ କ୍ୟାସ ଅନ ଡେଲିଭରିରେ ଅଡ଼ର୍ କରନ୍ତୁ, ମାନେ ଜିନିଷ ପାଇଲା ପରେ ହିଁ ପଇସା ଦିଅନ୍ତୁ

ଗପ ସାରଣୀ

ନୂଆ ତାଲିକାଭୁକ୍ତ ଗପ