ସ୍ୱର୍ଗ ଗମନ

ରାଜାଙ୍କର ପ୍ରଧାନ ମାଳି ହେଲା ଶଙ୍କର । ରାଜାଙ୍କ ବଗିଚା ମାଇଲ୍ ମାଇଲ୍ ବ୍ୟାପି ବିସ୍ତୃତ । ତହିଁ ଭିତରେ କେତେ ରଙ୍ଗର ଫୁଲ, ସବୁଜ ଘାସର ମଖମଲ, ଆଉ ବିରାଟ ବିରାଟ ଗଛ । ଏଣୁ ଶଙ୍କରକୁ ସକାଳଠୁ ସଞ୍ଜ ଯାଏଁ ବ୍ୟସ୍ତ ରହିବାକୁ ପଡୁଥିଲା । ଶୁଖିଲା ପତ୍ରମାନ ଝାଡୁଦେଇ ପରିଷ୍କାର କରିବା, ଫୁଲଗଛମାନଙ୍କରେ ପାଣିଦେବା, ଟିକି ଚାରାଟିମାନ ବଢାଇବା, ଅନାବନା ଗଛଲତା ସବୁ ଉପାଡିବା, ମାଟି କୋଡିବା, ସାରଦେବା ଇତ୍ୟାଦି କାମ ତାକୁ କରିବାକୁ ପଡୁଥିଲା । ତା’ କୁଡିଆଟି ସେ ବଗିଚାର ଗୋଟିଏ କୋଣରେ ଥିଲା । ତେଣୁ ବିଶ୍ରାମ କଲାବେଳେ ବି ସେ ବଗିଚା ଉପରେ ଆଖି ରଖି ପାରୁଥିଲା ।

ଦିନେ ରାତିରେ ଶଙ୍କରକୁ ଆଦୌ ନିଦ ହେଲା ନାହିଁ । ସେ ମଝି ରାତିଯାଏଁ ବିଛଣାରେ ପଡିରହି ଏକଡ ସେକଡ ହେଉଥାଏ । ତା’ପରେ ସେ ଝରକା ପାଖକୁ ଯାଇ ବଗିଚା ଭିତରକୁ ଅନାଇଲା । ସେତେବେଳେ ସେ ଯାହା ଦେଖିଲା, ସେଥିରେ ସେ ତା’ ନିଜ ଆଖିକୁ ମୋଟେ ବିଶ୍ୱାସ କରି ପାରିଲା ନାହିଁ । ସେ ବିଚାରିଲା ତା ନିଜ ଆଖି ଯୋଡିକ ନିଶ୍ଚୟ ତା ସହିତ ଖେଳ ଖେଳୁଛନ୍ତି । ସେ ପୁଣିଥରେ ଆଖିମଳି ଭଲ ଭାବରେ ବଗିଚା ଭିତରକୁ ଅନାଇଲା । ରୂପେଲି ଜହ୍ନଆଲୁଅରେ ସେ ଦେଖିଲା, ବଗିଚା ଭିତରେ ଗୋଟିଏ ଅତିକାୟ ହାତୀ ସବୁଜ ଘାସ ଉପରେ ଧୀରେ ଧୀରେ ବୁଲୁଛି ।

ଏସବୁ ଦେଖି ଶଙ୍କର ତାଟକା ହୋଇଗଲା । ଏ ହାତୀ କେଉଁଠୁ ଆସିଲା? ହାତୀଟିର ବର୍ଣ୍ଣ ଧଳା । ଶଙ୍କର ତ ଆଗରୁ କେବେହେଲେବି ଧଳାହାତୀ ଦେଖି ନଥିଲା । ହଠାତ୍ ତାର ଗୋଟିଏ କଥା ମନେ ପଡିଲା । ପିଲାଦିନେ ବୋଉଙ୍କଠାରୁ ଶୁଣିଥିବା ସ୍ୱର୍ଗର ଦେବଦେବୀଙ୍କ ସମ୍ପର୍କୀୟ କାହାଣୀ ସବୁ ତା’ର ମନେ ପଡିଲା । ସ୍ୱର୍ଗର ଦେବଦେବୀମାନଙ୍କ ରାଜା ଇନ୍ଦ୍ର ଐରାବତ ନାମକ ଗୋଟିଏ ହାତୀ ଚଢୁଥିଲେ । ସେହି ସୁନ୍ଦର ହାତୀଟିର ଦେହର ରଙ୍ଗ ବରଫ ଭଳି ଧଳା ।

ଶଙ୍କର ଉତ୍ତେଜିତ ହୋଇ କହିଲା “ଏଇଟି ନିଶ୍ଚୟ ଐରାବତ!” ତା’ପରେ ସେ ଭାବିଲା “ସ୍ୱର୍ଗର ଭଲ ଭଲ ଖାଦ୍ୟଖାଇ ଅରୁଚି ଜନ୍ମିବାରୁ ସେ ଟିକିଏ ପରିବର୍ତ୍ତନ ପାଇଁ ମର୍ତ୍ତ୍ୟକୁ ଆସିଛି । ମୁଁ ଯଦି ତା’ର ଲାଞ୍ଜ ଧରି ଓହଳି ପଡିବି, ତେବେ ତା ସିହତ ସ୍ୱର୍ଗରେ ପହଁଚି ସେଠାକାର ବିସ୍ମୟକର ବସ୍ତୁମାନ ମୁଁ ଦେଖି ପାରିବି ।”

ତା’ପରେ ଶଙ୍କର ପାଦ ଚିପି ଚିପି ଏଭଳି ନିଃଶବ୍ଦରେ ଘରୁ ବାହାରିଗଲା ଯେ ତା’ ସ୍ତ୍ରୀ କିଛି ହେଲେବି ଜାଣି ପାରିଲା ନାହିଁ ।

ଶଙ୍କର ଗୋଟିଏ ଗଛ ଆଢୁଆଳରେ ରହି ସେ ହାତୀଟିକୁ ଲକ୍ଷ୍ୟ କରିବାକୁ ଲାଗିଲା । ମନ ଇଚ୍ଛା ଘାସ ଖାଇସାରି ହାତୀଟି ଗଛ ଲତାର ନରମ ପତ୍ରମାନ ଖାଇଲା । ତା’ପରେ ସେ ଅଧା ପାଚିଲା ଆମ୍ବ ଗୁଡାଏ ଖାଇଲା । ଶଙ୍କର ଉଁ କି ଚୁଁ କିଛି କଲାନାହିଁ । ସ୍ୱର୍ଗ ଦେଖିବା ପାଇଁ ତା’ ମନ ଉଚ୍ଛନ୍ନ ହେଉଥାଏ । ତେଣୁ ହାତୀକୁ ସେ ହୁରୁଡାଇଲା ନାହିଁ ।

ଭୋର ହୋଇ ଆସିବାବେଳକୁ ସେ ହାତୀର ବୋଧହୁଏ ପେଟ ପୂରିଗଲା । ତା’ପରେ ସେ ତା’ ଶୁଣ୍ଢ ଉପରକୁ ଉଠେଇ ଆରାମ୍ରେ ହାକୁଟି ମାରିଲା । ଏଥିରୁ ସେ ଶଙ୍କର ବୁଝିପାରିଲା ଯେ ଏଥର ଏ ହାତୀ ମର୍ତ୍ତ୍ୟ ଛାଡିବ । ତେଣୁ ସେ ଦୌଡିଯାଇ ତା’ ଲାଞ୍ଜ ଧରି ଝୁଲିପଡିଲା । ଐରାବତ ଗୋଟିଏ ହେଲିକୋପ୍ଟର ଭଳି ଶୂନ୍ୟକୁ ଉଠିଲା । ଚାହୁଁ ଚାହୁଁ ସେ ମେଘମାଳାର ବହୁ ଉଚ୍ଚରେ ଉଡିବାକୁ ଲାଗିଲା । ଶଙ୍କର ତଳକୁ ଅନାଇ ଦେଖିଲା, କାହିଁ କେତେ ତଳେ ରାଜାଙ୍କ ବଗିଚା ଗୋଟାଏ ବିନ୍ଦୁଭଳି ଦେଖାଯାଉଛି । ଭୟରେ ଶଙ୍କରର ଚେହେରା ଶେତା ପଡିଗଲା । ତା ମୁହଁରେ ବିନ୍ଦୁ ବିନ୍ଦୁ ଝାଳ ବି ଦେଖାଦେଲା । କିନ୍ତୁ ସ୍ୱର୍ଗରେ ପହଁଚିବାକୁ ସେମାନଙ୍କୁ ବିଶେଷ ବିଳମ୍ବ ହେଲାନାହିଁ । ଶଙ୍କର ଐରାବତର ଲାଞ୍ଜ ଛାଡିଦେଇ ସ୍ୱର୍ଗରେ ଛିଡା ହୋଇ ଚାରି ଆଡକୁ ଅନାଇବାକୁ ଲାଗିଲା ।

ତା’ ଆଖିରେ ବିସ୍ମୟ ଭରିଗଲା । “ଏହାହିଁ ବୋଧହୁଏ ସ୍ୱର୍ଗର ଉଦ୍ୟାନ – ନନ୍ଦନକାନନ ।” ସେ ଆନନ୍ଦରେ ନିଜକୁ ନିଜେ କହିଲା – “ଏ ଗଛଗୁଡିକ କେଡେ ବଡ ବଡ ହୋଇଛନ୍ତି ମ! ଇନ୍ଦ୍ରଙ୍କ ମାଳି କି ପ୍ରକାର ସାର ବ୍ୟବହାର କରେ?” ଶଙ୍କର ଏହିସବୁ କଥା ଭାବି ଭାବି ବୁଲି ବୁଲି ସବୁ ଦେଖିବାକୁ ଲାଗିଲା । ମର୍ତ୍ତ୍ୟର ଗଛଠାରୁ ସ୍ୱର୍ଗର ଗଛଗୁଡିକ ଦଶଗୁଣ ବଡ । ପତ୍ରଗୁଡିକ ବି ସେହିପରି ଖୁବ୍ ବଡ । ଫଳଗୁଡିକ ଦଶଗୁଣ ଅଧିକ ସୁସ୍ୱାଦୁ । ଫୁଲଗୁଡିକ ଦଶଗୁଣ ଅଧିକ ସୁନ୍ଦର ଓ ରଙ୍ଗୀନ । ସେହି ରସାଳ ମଧୁର ଫଳଗୁଡିକର ସ୍ୱାଦ ଚାଖୁ ଚାଖୁ, ସେହି ସୁନ୍ଦର ଫୁଲଗୁଡିକର ମହକ ଉପଭୋଗ କରୁ କରୁ, ଶଙ୍କରର ସାରାଦିନ ବିତିଗଲା ।

ଠିକ୍ ସଞ୍ଜବେଳକୁ ହଠାତ୍ ତା’ର ମନେ ପଡିଲା ଯେ ତା’ ସ୍ତ୍ରୀ ଲକ୍ଷ୍ମୀ ନିଶ୍ଚେ ତା’ ପାଇଁ ବ୍ୟସ୍ତ ହେଉଥିବ । ସ୍ୱର୍ଗ ରାଇଜର କିଛି ଗୋଟିଏ ଚିଜ ତା’ ପାଇଁ ଉପହାର ହିସାବରେ ନେଇଯିବା ଉଚିତ୍ ହେବ ବୋଲି ସେ ଚିନ୍ତା କଲା ।

ସେ ଗୋଟିଏ ଗୁଆ ସଂଗ୍ରହ କଲା । ସେ ଗୁଆଟି ଗୋଟିଏ ନଡିଆ ପରି ଖୁବ୍ ବଡ । ତା’ପରେ ସେ ପାନପତ୍ରଟିଏ ତୋଳିଲା । ସେଇଟି ମଧ୍ୟ ଦେଖିବାକୁ ଗୋଟିଏ କଦଳୀ ପତ୍ର ଭଳି ବଡ । ରାତିଅଧକୁ ଐରାବତ ପୁଣି ଶୁଣ୍ଢ ଟେକି ନାଦ କଲା । ଶଙ୍କର ବୁଝିପାରିଲା ଯେ ଏଥର ଏ ହାତୀ ମର୍ତ୍ତ୍ୟକୁ ଯିବ । ତେଣୁ ସେ ଦୌଡିଯାଇ ତା’ ଲାଞ୍ଜଧରି ଓହଳି ପଡିଲା । କେଇ ମିନିଟ୍ ଭିତରେ ସେ ଆସି ରାଜାଙ୍କ ବଗିଚା ଭିତରେ ପହଁଚିଲା । ହାତୀ ଲାଞ୍ଜ ଛାଡି ଶଙ୍କର ତା’ କୁଡିଆକୁ ଯାଇ ଦେଖିଲା ଯେ ତା’ ସ୍ତ୍ରୀ ମନଦୁଃଖରେ ବସିଛି । ଶଙ୍କରକୁ ଦେଖି ତା’ମନ ଭଲ ହେଲା, କିନ୍ତୁ ସେ ରାଗିଯାଇ ପଚାରିଲା, “କଥା କ’ଣ? କୁଆଡେ ପଳାଇଥିଲ?”

ଶଙ୍କର ନରମ କଣ୍ଠରେ କହିଲା, “ରାଗ ନାହିଁ । ହେଇ ଦେଖ ମୁଁ ତୁମପାଇଁ କ’ଣ ଆଣିଛି ।” ଲକ୍ଷ୍ମୀ ସେ ଅଦ୍ଭୁତ ଗୁଆ ଓ ପାନ ଦେଖି ବଡ ଆଶ୍ଚର୍ଯ୍ୟ ହୋଇ ପଚାରିଲା, “ଏଭଳି ପାନ ଗୁଆ କେଉଁଠାରୁ ପାଇଲ?”

ତହୁଁ ଶଙ୍କର କହିଲା, “କେଉଁଠାରୁ ଆଉ ପାଇବି? ସ୍ୱର୍ଗରୁ ।” ଏହାପରେ ଶଙ୍କର ସବୁ କଥା କହିଲା । ଲକ୍ଷ୍ମୀ ତ ପ୍ରଥମେ ତାକୁ ବିଶ୍ୱାସ କରୁ ନ ଥିଲା । କିନ୍ତୁ ସେହି ବିରାଟ ପାନ ଓ ଗୁଆ ଦେଖି ବିଶ୍ୱାସ ନ କରି ଉପାୟ କ’ଣ? ଶଙ୍କର ତାକୁ ସତର୍କ କରିଦେଲା, “ଏକଥା ଅତ୍ୟନ୍ତ ଗୋପନ ରଖିବ । ଏ ଗୁଆଟି ଶେଷ ହେବାକୁ ସାତଦିନ ଲାଗିବ । କିନ୍ତୁ କାହାକୁ କିଛି କଦାପି ମଧ୍ୟ କହିବ ନାହିଁ ।”

ଲକ୍ଷ୍ମୀ କଥାଟି ଗୋପନ ରଖିବ ବୋଲି କହିଲା ସିନା କିନ୍ତୁ ତାହା ସେ ରଖିପାରିଲା ନାହିଁ । ଗପିବାକୁ ସେ ଭାରି ସୁଖ ପାଉଥିଲା । ଆଉ ଥରେ ସ୍ୱର୍ଗକୁ ଯାଇ ଶଙ୍କର ଯେତେବେଳେ ଗୋଟିଏ ପ୍ରକାଣ୍ଡ ସୁସ୍ୱାଦୁ ଫଳ ଧରି ଫେରିଲା, ସେତେବେଳେ ସେ କଥା ପେଟରେ ରଖିବା ଲକ୍ଷ୍ମୀ ପକ୍ଷରେ ବଡ କଷ୍ଟକର ହୋଇ ଉଠିଲା । ସାଙ୍ଗ ପଡୋଶୀମାନଙ୍କୁ ଦେଖିଲେ ତା’ଜିଭ ଯେମିତି ସଲ ସଲ ହେବାକୁ ଲାଗିଲା । ତଥାପି ବି ସେ କୌଣସି ପ୍ରକାରେ ସବୁକଥା ଲୁଚେଇ ରଖିଥିଲା । କିନ୍ତୁ ଶଙ୍କର ତୃତୀୟଥର ପାଇଁ ସ୍ୱର୍ଗକୁ ଯାଇ ଯେଉଁଦିନ ଏକ ପ୍ରକାଣ୍ଡ ଫୁଲ ତୋଳିନେଇ ଆସିଲା ଓ ସେ ଫୁଲର ମହକରେ ସାରା କୁଡିଆ ଉଛୁଳି ଉଠିଲା, ସେଦିନ ଲକ୍ଷ୍ମୀ ଆଉ ନିଜକୁ ସଂଯତ କରି ରଖି ପାରିଲା ନାହିଁ । ତା’ଘରକୁ ବୁଲି ଆସିଥିବା ତା’ର ଜଣେ ସାଙ୍ଗ ପଚାରିଲା, “ତୁମେ କି ପ୍ରକାର ଅତର ଲଗାଇଛ କି? ବାବାରେ କି ମହକ! ତୁମେ କେଉଁଠାରୁ ଏ ଅତର ପାଇଲ?”

ଲକ୍ଷ୍ମୀ କହିଲା, “ମୁଁ କୌଣସି ଅତର ଲଗାଇ ନାହିଁ । ଆମ ଘର ଭିତରେ ଗୋଟିଏ ଅଦ୍ଭୁତ ଫୁଲ ଅଛି । ଏହା ସେହି ଫୁଲର ମହକ ।”

ସାଙ୍ଗ ଜଣକ ସେ ଫୁଲଟି ବିଷୟରେ ନାନା ପ୍ରଶ୍ନ କଲା । ଲକ୍ଷ୍ମୀ ସବୁ ସତକଥା କହି ପକାଇଲା । ଅବଶ୍ୟ ଏକଥା ଆଉ କାହାକୁ କହିବ ନାହିଁ ବୋଲି ସେ ପ୍ରତିଶୃତି ଦେଲା ।

ସାଙ୍ଗ ଜଣକ ଯାଇ ତା’ର ସବୁଠୁଁ ଅନ୍ତରଙ୍ଗ ସାଙ୍ଗ ପାଖରେ ସେକଥା କହିଲା । ସେ ମଧ୍ୟ କାହାପାଖରେ ଏକଥା କହିବ ନାହିଁ ବୋଲି କଥା ଦେଲା । କ୍ରମେ ସେ ସହରର ସବୁ ସ୍ତ୍ରୀଲୋକ ଶଙ୍କରର ସ୍ୱର୍ଗଭ୍ରମଣ କଥା ଜାଣିଗଲେ । ସେମାନଙ୍କ ଠାରୁ ସେମାନଙ୍କ ସ୍ୱାମୀମାନେ ତଥା ପରିବାରର ଅନ୍ୟମାନେ ବି ଏକଥା ଜାଣିଲେ ।

ଦିନେ ସକାଳେ ସହରର ସମସ୍ତ ବାସିନ୍ଦା ଆସି ଶଙ୍କରର କୁଡିଆ ଆଗରେ ଠୁଳ ହେଲେ । ଶଙ୍କର ଯେତେବେଳେ ପୁଣି ଥରେ ସ୍ୱର୍ଗକୁ ଯିବ, ସେତେବେଳେ ସେ ଯିମିତି ସେମାନଙ୍କୁ ସାଥିରେ ନେଇଯାଏ, ସମସ୍ତେ ଏଇ ଜିଦ୍ କଲେ ।

ଶଙ୍କର ତା’ ସ୍ତ୍ରୀର ବୋକାମି ଯୋଗୁଁ ବହୁତ ବିରକ୍ତ ହେଲା । କିନ୍ତୁ ସେ ବା କ’ଣ କରନ୍ତା? ସେ ଲୋକଙ୍କ ପ୍ରସ୍ତାବରେ ରାଜି ହେବାକୁ ବାଧ୍ୟ ହେଲା । ସେ କହିଲା, “ଠିକ୍ ଅଛି । ଆଜି ରାତିରେ ସଭିଏଁ ଆସି ରାଜାଙ୍କ ବଗିଚାରେ ଜମା ହେବ । କିନ୍ତୁ ସାବଧାନ! କେହି ହଲ୍ଚଲ୍ ହେବନାହିଁ!”

ସେ ରାତିରେ ରାଜାଙ୍କ ବଗିଚାରେ ଏକ ଅପୂର୍ବ ଦୃଶ୍ୟ ଦେଖାଗଲା । ସେଠାରେ ଗଛ ଅପେକ୍ଷା ଅଧିକ ମଣିଷ ଥିଲେ । ଗଛମାନେ ତ ପବନରେ ଦୋହଲୁଥିଲେ । ମଣିଷମାନେ କିନ୍ତୁ ପାଷାଣ ପ୍ରତିମା ଭଳି ନିଶ୍ଚଳ ଭାବରେ ଛିଡାହୋଇ ରହିଥିଲେ । ଯେତେବେଳେ ଐରାବତ ଅବତରଣ କଲା, ସେତେବେଳେ ବି କେହି ଉଁ କି ଚୁଁ କଲେ ନାହିଁ ।

ଭୋର୍ ବେଳକୁ ହାତୀ ଯେମିତି ଆକାଶକୁ ଉଠିବାକୁ ଆରମ୍ଭ କରିଛି, ଶଙ୍କର ସିମିତି ସମସ୍ତଙ୍କୁ ଇଙ୍ଗିତରେ ଡାକି ନିଜେ ପ୍ରଥମେ ଯାଇ ହାତୀର ଲାଞ୍ଜ ଧରି ଓହଳି ପଡିଲା । ଲକ୍ଷ୍ମୀ ଯାଇ ଶଙ୍କରର ଗୋଡ ଧରି ଝୁଲି ପଡିଲା । ତା’ର ସାଙ୍ଗ ତା’ ଗୋଡ ଧରି ଝୁଲିଲା । ସାଙ୍ଗଟିର ସ୍ୱାମୀ ତା’ ଗୋଡ ଧରି ଝୁଲିଲା । ଆଉ ଜଣେ ଲୋକ ତା’ ଗୋଡ ଧରି ଝୁଲି ପଡିଲା । ସେ ଲୋକର ସ୍ତ୍ରୀ ତା’ ଗୋଡ ଧରି ଝୁଲିଲା । ଏହିପରି ଭାବରେ ସମସ୍ତେ ଝୁଲିରହି ସେ ହାତୀ ସହିତ ଶୂନ୍ୟକୁ ଉଠିବାକୁ ଲାଗିଲେ ।

ସେମିତି ଝୁଲନ୍ତା ଅବସ୍ଥାରେ କିଛି ସମୟ ବିତିଗଲା । ଯେଉଁ ସ୍ତ୍ରୀଲୋକଟି ସବା ଶେଷରେ ଥିଲା, ସେ ଆଉ ତା’ର କୌତୁହଳ ସମ୍ଭାଳି ନ ପାରି ତା’ ସ୍ୱାମୀଙ୍କୁ କହିଲା, “ଲକ୍ଷ୍ମୀ କହୁଥିଲା, ସ୍ୱର୍ଗର ଫୁଲ, ଫଳମାନ ଖୁବ୍ ବଡ ବଡ । କିନ୍ତୁ ଠିକ୍ କେତେ ବଡ, ତୁମେ ତୁମ ଉପରେ ଥିବା ଲୋକଙ୍କୁ ଏ ବିଷୟରେ ଟିକିଏ ପଚାରନ୍ତ ନାହିଁ?”

ପ୍ରଶ୍ନଟି ଜଣ ଜଣଙ୍କ ମୁହଁରେ ତଳୁ ଉପରକୁ ଯାଇ ଶେଷରେ ଲକ୍ଷ୍ମୀ କାନରେ ପଡିଲା । ଲକ୍ଷ୍ମୀ ଶଙ୍କରକୁ କହିଲା, “ଶୁଣୁଛ? ସ୍ୱର୍ଗର ଫୁଲ ଫଳମାନ କେତେବଡ ସେମାନେ ପଚାରୁଛନ୍ତି ।”

ଶଙ୍କର କହିଲା “ଆମେ ସ୍ୱର୍ଗରେ ପହଁଚିଲେ ସମସ୍ତେ ଦେଖିବେ ନାହିଁ?”

କିନ୍ତୁ ଲକ୍ଷ୍ମୀ ଗୋଡକୁ ଧରି ଓହଳିଥିବା ସ୍ତ୍ରୀଲୋକଟି ଲକ୍ଷ୍ମୀକୁ ବାରମ୍ବାର ସେ ପ୍ରଶ୍ନଟି ପଚାରିବାକୁ ଲାଗିଲା । ଲକ୍ଷ୍ମୀ ତା’ ସ୍ୱାମୀକୁ କହିଲା, “ମୋ ସାଙ୍ଗର ଆଉ ଧୈର୍ଯ୍ୟ ନାହିଁ । ସ୍ୱର୍ଗର ଫୁଲ ଫଳର ଆକାର ତୁମେ ଥରେ କହିଦେବ ଟି ।”

ଶଙ୍କର ବିରକ୍ତ ହୋଇ କହିଲା, “ସ୍ୱର୍ଗର ଫଳସବୁ ମର୍ତ୍ତ୍ୟର ଫଳ ଅପେକ୍ଷା ଦଶଗୁଣ ବଡ । ତୁମେ ତ ଦେଖିଛ ସେ ଗୁଆଟା ଏତେ ବଡ ଥିଲା……”

ଶଙ୍କର ଗୁଆର ଆକାର ଦୁଇ ହାତରେ ଦେଖାଇ ଦେବାକୁ ଯାଇ ହାତୀର ଲାଞ୍ଜ ଛାଡିଦେଲା ଏବଂ……

ଶଙ୍କର, ତା’ ପାଦ ଧରିଥିବା ଲକ୍ଷ୍ମୀ, ତା’ ପାଦ ଧରିଥିବା ସ୍ତ୍ରୀଲୋକ, ତା’ ପାଦ ଧରିଥିବା ତା’ ସ୍ୱାମୀ, ତା’ ପାଦ ଧରିଥିବା ତା’ର ବନ୍ଧୁ, ତା’ପରେ ତା’ର ସ୍ତ୍ରୀ – ଏହିପରି ଶେଷ ସ୍ତ୍ରୀଲୋକଟି ପର୍ଯ୍ୟନ୍ତ ସମସ୍ତେ ଶୂନ୍ୟରୁ ଖସି ପଡିଲେ ।

ସେତେବେଳେ ପ୍ରଶ୍ନଟିର ପୁନରାବୃତି କରିବା ପାଇଁ ଆଉ କେହିବି ଜୀବିତ ନଥିଲେ ।

Find Amazon’s best deals & get advantage of the more hidden discounts!

Find over 75% discounts

Discover hidden offers, sales & discounts when searching for products on Amazon.

Keyword/s (optional)

(eg Iphone 5s Gold or Ipad Mini 16GB)

Search Discount
ବିସ୍ଵାଶ କରିବା ଆଗରୁ ବିଜ୍ଞାପନ ଗୁଡିକର ସଠିକତାକୁ ତଦନ୍ତ କରନ୍ତୁ ।
loading...

ଗପ ସାରଣୀ

ବିସ୍ଵାଶ କରିବା ଆଗରୁ ବିଜ୍ଞାପନ ଗୁଡିକର ସଠିକତାକୁ ତଦନ୍ତ କରନ୍ତୁ ।

ସାଢି | ଲାପଟପ୍ | ଟେଲିଭିଜନ୍ | ଯୋତା | ମୋବାଇଲ୍ |ବହି

ପ୍ରଥମେ ଯେକୌଣସି ଜିନିଷ ସର୍ଚ୍ଚ କରନ୍ତୁ, ପରେ କ୍ୟାସ ଅନ ଡେଲିଭରିରେ ଅଡ଼ର୍ କରନ୍ତୁ, ମାନେ ଜିନିଷ ପାଇଲା ପରେ ହିଁ ପଇସା ଦିଅନ୍ତୁ

ତାଲିକାଭୁକ୍ତ ଗପ

loading...