ଅଜ୍ଞାନୀ – ଜ୍ଞାନୀ

      ରାଜକୁମାର ଯଥାବିଧି ତାଙ୍କ ପିତାଙ୍କର ସଂସ୍କାର କଲେ ଓ ତା’ପରେ ସେ ବାସ୍ତବ ଭାବରେ ରାଜ୍ୟଭାର ଗ୍ରହଣ କଲେ । ପ୍ରଥମେ କେତେ ସପ୍ତାହ ପର୍ଯ୍ୟନ୍ତ ସେ ତାଙ୍କ ରାଜ୍ୟର ଇତିହାସ, ଭୂଗୋଳ, ଅର୍ଥନୀତି ଇତ୍ୟାଦି ଅଧ୍ୟୟନ କରିବା ସଙ୍ଗେ ସଙ୍ଗେ ମନ୍ତ୍ରୀ ଓ ଅମାତ୍ୟମାନଙ୍କ ସହିତ ନାନା ବିଷୟରେ ପରାମର୍ଶ କଲେ ଓ ସେମାନଙ୍କଠାରୁ ଯାହା ଯେତେ ଶିଖିବାର କଥା, ସେସବୁ ସେ ଶିଖିଲେ । ସେ ସମସ୍ତଙ୍କ ସହ ନମ୍ର ବ୍ୟବହାର କଲେ । ସମସ୍ତେ ସୁଖୀ ହେଲେ ।

      ଯୁବକ ରାଜା ଦେବବର୍ମା କର୍ତ୍ତବ୍ୟ ପରାୟଣ ଭାବରେ ରାଜକାର୍ଯ୍ୟ ପରିଚାଳନା କଲେ ସତ, କିନ୍ତୁ ତାଙ୍କ ମନ ସେଥିରେ ଆଦୌ ଲାଗୁ ନଥାଏ । ନିର୍ଜନରେ ରହି ବହିପତ୍ର ପଢାପଢି କରିବାରେ ତାଙ୍କର ଅତ୍ୟନ୍ତ ଆଗ୍ରହ ଥାଏ । ଲୋକଙ୍କ ସହ ବିଶେଷ ଭାବରେ ମିଳାମିଶା କରିବାକୁ ସେ ମୋଟେ ସୁଖ ପାଉ ନଥାନ୍ତି ।

ଦିନେ ବିଦ୍ୟାବ୍ରତ ନାମକ ଜଣେ ବିଦେଶୀ ଯୁବକ ତାଙ୍କୁ ଆସି ଭେଟିଲେ । ବୟସ ଓ ଚେହେରାରେ ଦେଖିବାକୁ ଗଲେ ସେ ଯୁବକ ଜଣକ ଠିକ୍ ରାଜା ଦେବବର୍ମାଙ୍କ ଭଳି । ସେ କହିଲେ, “ମହାରାଜ! ଅନ୍ୟର କଣ୍ଠସ୍ୱର ଓ ଚାଲିଚଳନ ଅନୁକରଣ କରିବାରେ ମୁଁ ଅଦ୍ୱିତୀୟ । ମୋର ଏହି ଗୁଣ ଯୋଗୁଁ ମୁଁ ଅନେକ ସ୍ଥାନରେ ଅନେକ ପୁରସ୍କାର ପାଇଛି । ଆପଣ ଚାହିଁଲେ ମୋତେ ପରୀକ୍ଷା କରି ଦେଖି ପାରନ୍ତି ।”

ବିଦ୍ୟାବ୍ରତ ଏକଥା କହିବା ବେଳେ ରାଜାଙ୍କ ପାଖରେ ଆଉ କେହି ବି ନଥିଲେ । ରାଜା କୌତୁହଳୀ ହୋଇ କହିଲେ, “ସତେ? ଆଚ୍ଛା, ଜମାଳଗଡର ରାଜା ସୁରସେନ ଆମର ଅତିଥି ହୋଇ ରହିଛନ୍ତି । ଆଜି ସେ ଦରବାରକୁ ଆସିବେ । ତମେ ତାଙ୍କୁ ଲକ୍ଷ୍ୟ କର । ଆଗାମୀ କାଲି ସେ ଭୋର୍ରୁ ବିଦାୟ ନେଇ ଏଠାରୁ ଚାଲିଯିବେ । ତମେ କିଛି ସମୟ ପରେ ଦରବାରକୁ ଆସି ଯଦି ତାଙ୍କ ଭଳି ଅଭିନୟ କରିବ ଏବଂ ମୋର ପାତ୍ର ମିତ୍ର ତୁମକୁ ସତ ସୁରସେନ ବୋଲି ଭାବିବେ, ତେବେ ଯାଇ ତୁମକୁ ମୁଁ ବହୁତ ପୁରସ୍କାର ଦେବି ।”

ବିଦ୍ୟାବ୍ରତ ଏଥିରେ ସମ୍ମତ ହେଲେ । ସେଦିନ ସେ ଦରବାରରେ ବସି ରହି ସୁରସେନଙ୍କୁ ଲକ୍ଷ୍ୟ କଲେ । ପରଦିନ ସେ ସୁରସେନ ବେଶରେ ଦରବାରକୁ ଆସି କହିଲେ, “ମହାରାଜ! ଗୋଟାଏ କଥା କହିବାକୁ ବାକି ରହିଯାଇଥିଲା । ତେଣୁ ମୁଁ ଲେଉଟି ଆସିଲି ।” ବିଦ୍ୟାବ୍ରତଙ୍କୁ ବାସ୍ତବିକ ସୁକାନ୍ତି ଦରବାରରେ ସମସ୍ତ ପାତ୍ର ମିତ୍ରମାନେ ଅସଲ ସୁରସେନ ବୋଲି ଭାବିଲେ ।

ସେଦିନ ରାତିରେ ରାଜା ଦେବବର୍ମା ବିଦ୍ୟାବ୍ରତଙ୍କୁ କହିଲେ, “ଶୁଣ ଯୁବକ! ତୁମେ ମୋର ଆଉ ଗୋଟିଏ ବିଶେଷ ଉପକାର କରିପାରିବ । ଏ ରାଜକାର୍ଯ୍ୟରେ ମୋର ମନ ମୋଟେ ଲାଗୁନାହିଁ । ମୁଁ ଚୁପ୍ଚାପ୍ ଅଧ୍ୟୟନ କରିବାକୁ ଚାହେଁ । ଏହି ନଅର ଆଗରେ ଥିବା କୋଠାରେ ମୁଁ ରହିବି । ଅତ୍ୟନ୍ତ ବିଶ୍ୱସ୍ତ ପରିଚାରକ ଜଣେ କିମ୍ବା ଦୁଇଜଣଙ୍କ ବ୍ୟତିତ ଏକଥା ଯେପରି ଆଉ କେହି ବି ଜାଣିବେ ନାହିଁ । ତୁମେ ସଫଳ ଭାବରେ ମୋର ଅଭିନୟ କରିପାରିବ । କାରଣ ତୁମେ ଯେ ଖାଲି ଅଭିନୟ ଓ ଅନୁକରଣ କଳାରେ ସୁଦକ୍ଷ, ତାହା ନୁହେଁ, ବରଂ ତୁମେ ବୟସରେ ଓ ଚେହେରାରେ ମଧ୍ୟ ଠିକ୍ ମୋରି ଭଳି ଦେଖିବାକୁ ।”

      ଏହା ଶୁଣି ବିଦ୍ୟାବ୍ରତ ସନ୍ଦେହ ପ୍ରକାଶ କରି କହିଲେ “ମହାରାଜ! ଏହା କ’ଣ ଉଚିତ୍ ହେବ?”

      ତହୁଁ ଦେବବର୍ମା କହିଲେ “ଏଥିରେ ଅନୁଚିତ କ’ଣ? ତୁମେ ସବୁଦିନ ସଂନ୍ଧ୍ୟାବେଳେ ମୋତେ ଭେଟିବ ଓ ମୋ ସହ ପରାମର୍ଶ କରିବ ।”

      ବିଦ୍ୟାବ୍ରତ ଏଥିରେ ରାଜି ହେଲେ । ତା’ପରେ ଦୁଇ ତିନିଦିନ ଧରି ରାଜା ଦେବବର୍ମା ବିଦ୍ୟାବ୍ରତଙ୍କୁ ରାଜୋଚିତ ବ୍ୟବହାରର ଶିକ୍ଷା ଦେଲେ । ତୃତୀୟ ଦିନ ବିଦ୍ୟାବ୍ରତ ରାଜାଙ୍କ ବେଶରେ ଦରବାରକୁ ଆସିଲେ । ଏଣେ ଅସଲ ରାଜା ନିର୍ଜନ କୋଠାରେ ଯାଇ ଆଶ୍ରୟ ନେଲେ ।

ଆଶ୍ଚର୍ଯ୍ୟର କଥା, ବିଦ୍ୟାବ୍ରତ ଏଡେ ଚମତ୍କାର ଅଭିନୟ କଲେ ଯେ ପାତ୍ର ମିତ୍ରମାନେ କେହି ବି ଜାଣିପାରିଲେ ନାହିଁ ଯେ ସେ ରାଜା ଅସଲ ରାଜା ନୁହଁନ୍ତି ବୋଲି । ସଂନ୍ଧ୍ୟାବେଳେ ବିଦ୍ୟାବ୍ରତ ଯାଇ ରାଜା ଦେବବର୍ମାଙ୍କୁ ସବୁ କହିଲେ । ରାଜା ଦେବବର୍ମା ତାଙ୍କୁ ଯାହା ପରାମର୍ଶ ଦେବା କଥା ଦେଲେ ।

ଦିନ ବିତିଗଲା । କ୍ରମେ କ୍ରମେ ବିଦ୍ୟାବ୍ରତ ରାଜକାର୍ଯ୍ୟରେ ନିପୁଣ ହେଲେ । ତେଣେ ଦେବବର୍ମା ଦେଖିଲେ ଯେ ରାଜକାର୍ଯ୍ୟ ଠିକ୍ ଚାଲିଛି । ସେ ଖାଲି ମୋଟାମୋଟି କିଛି ନିର୍ଦ୍ଧେଶ ଦେବା ବ୍ୟତୀତ ଆଉ କିଛି ବି କଲେ ନାହିଁ । କିନ୍ତୁ ବିଦ୍ୟାବ୍ରତ ନିଜ ବୁଦ୍ଧି ଖଟାଇ ନାନା ପ୍ରଜାହିତକର କାର୍ଯ୍ୟ କରି ଚାଲିଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ