ଅଜ୍ଞାନୀ – ଜ୍ଞାନୀ

କିନ୍ତୁ ସତ କେତେଦିନ ବା ଲୁଚି ରହିବ? ଧିରେ ଧିରେ ଲୋକେ ଜାଣିଗଲେ ଯେ ବିଦ୍ୟାବ୍ରତ ଅସଲ ରାଜା ନୁହଁନ୍ତି । ତଥାପି ବି ସମସ୍ତେ ତାଙ୍କର ପ୍ରଶଂସା କଲେ । ଅସଲ ରାଜା ପ୍ରଜାଙ୍କ ପ୍ରତି ଉଦାସୀନ, ବିଦ୍ୟାବ୍ରତ ପ୍ରଜା-ହିତୈଷୀ, ଏହି ମର୍ମରେ କେହି ଜଣେ ଗୋଟିଏ ପ୍ରଚାର ପତ୍ର ବଂଟନ କରିବାକୁ ଲାଗିଲା । ରାଜା ଦେବବର୍ମା ସେ ପ୍ରଚାର ପତ୍ର ପଢିଲେ । ଫଳରେ ତାଙ୍କ ମନରେ ଭୀଷଣ ଦୁଃଖ ହେଲା ।

ରାଜା ଦେବବର୍ମାଙ୍କ ସିଂହାସନ ଆରୋହଣର ବାର୍ଷିକୀ ଉପଲକ୍ଷ୍ୟେ ଉତ୍ସବ ହେବାର ଥାଏ । ସେ ଉତ୍ସବକୁ ସବୁ ଅମାତ୍ୟ ଓ ଲୋକ-ପ୍ରତିନିଧିମାନେ ଆସିବାର କଥା । ସେମାନଙ୍କ ଭିତରେ ନାନା ପ୍ରକାର ଜନରବ ବ୍ୟାପିଥାଏ । ଉତ୍ସବ ପୂର୍ବ ଦିନ ରାତିରେ ଦେବବର୍ମା ବିଦ୍ୟାବ୍ରତଙ୍କୁ କହିଲେ, “ତମର ସଫଳ ଅଭିନୟ ଯୋଗୁଁ ମୋର ସମ୍ମାନ ଧୂଳିସାତ୍ ହେଲା ।”

ଏହା ଶୁଣି ବିଦ୍ୟାବ୍ରତ ଉତ୍ତର ଦେଲେ “ମହାରାଜ! ସଫଳ ଅଭିନୟ ମୋର କଳା । ଏଥିପାଇଁ ମୋର ସମ୍ମାନ ବଢିବ ବା କମିବ । ହେଲେ ଏଥିପାଇଁ ଆପଣଙ୍କ ସମ୍ମାନ ଧୂଳିସାତ୍ ହେଲା କହିବାଟା ଅଜ୍ଞାନତା ।”

ସେ ରାଜା ଏଥିରେ ଆହୁରି ମର୍ମାହତ ହେଲେ । ସେ କହିଲେ, “ଯାହା ହେବାର ତ ହେଲାଣି । ଆଗାମୀ କାଲି ଅମାତ୍ୟ ଓ ପ୍ରତିନିଧିବର୍ଗଙ୍କ ସଭାରେ ତୁମେ ରହିବ । ସେଠାରେ ମୁଁ ମୋର ଯାହା କହିବାର କଥା କହିବି ।”

ସଭାରେ ରାଜା ଦେବବର୍ମା କହିଲେ, “ଅମାତ୍ୟ ଓ ପ୍ରତିନିଧି ବର୍ଗ! ଆପଣମାନଙ୍କୁ ତ ଭଲଭାବେ ଜଣା ଅଛି, ମୁଁ ରାଜକାର୍ଯ୍ୟ ପରିଚାଳନା କରୁନଥିଲି । ଦେବବ୍ରତହିଁ ସବୁ କରୁଥିଲେ । ବର୍ଷକ ଭିତରେ ଆପଣମାନେ ବି ଦେଖିଛନ୍ତି, ସେ ବାସ୍ତବିକ ଅତ୍ୟନ୍ତ ଦକ୍ଷ । ଆଜି ମୁଁ ଘୋଷଣା କରୁଛି, ଏଣିକି ସେ ହିଁ ପ୍ରକୃତରେ ରାଜା ହେବେ । ଅର୍ଥାତ୍ ଏଣିକି ଅଭିନୟ ନ କରି ସେ ରାଜା ରୂପେ ଅଭିଷିକ୍ତ ହେବେ । ସୁକାନ୍ତି ରାଜ୍ୟରେ ନୂତନ ରାଜବଂଶର ଆରମ୍ଭ ହେବ ।”

ଏହିଭଳି ଘୋଷଣାକୁ ଅମାତ୍ୟ ଓ ପ୍ରତିନିଧିମାନେ କରତାଳି ଦ୍ୱାରା ସ୍ୱାଗତ କଲେ । କିନ୍ତୁ ବିଦ୍ୟାବ୍ରତ ତତ୍କ୍ଷଣାତ୍ କହିଲେ, “ଶୁଣନ୍ତୁ । ରାଜା ଦେବବର୍ମା ମହାନ୍-ହୃଦୟ ଓ ଜ୍ଞାନୀ । ସେ ନିଜ ଜ୍ଞାନ ପିପାସା ଚରିତାର୍ଥ କରିବା ନିମନ୍ତେ ଅକାତରରେ ଆଉ ଜଣଙ୍କୁ ସିଂହାସନ ସମର୍ପି ଦେଉଛନ୍ତି । ଏଭଳି ଜ୍ଞାନୀ ରାଜାଙ୍କୁ ହରାଇବାକୁ  ଯେଉଁମାନେ ପ୍ରସ୍ତୁତ, ସେମାନଙ୍କୁ ହତଭାଗ୍ୟ ଛଡା ଆଉ କ’ଣ ବା କୁହାଯାଇ ପାରେ? ଆପଣମାନେ ଯାହା ଜାଣି ନାହାଁନ୍ତି, ତାହା ମୁଁ ଏବେ କହିଦିଏ । ମୁଁ ରାଜ୍ୟର ହିତ ପାଇଁ ଯେତେ ଯାହା ବି କରିଛି, ସେସବୁ ମୁଁ କେବଳ ତାଙ୍କର ପ୍ରେରଣା ଓ ନିର୍ଦ୍ଧେଶରେ ହିଁ କରିଛି । ଆପଣମାନେ ଭାବିଛନ୍ତି ମୁଁ ସେସବୁର କର୍ତ୍ତା । ମାତ୍ର ତାହା ଭୁଲ୍ । ଅତଏବ ରାଜା ଦେବବର୍ମାଙ୍କୁ ହରାଇବା ଭଳି ମୂର୍ଖତା ଆପଣମାନେ କରନ୍ତୁ ନାହିଁ ।

ବିଦ୍ୟାବ୍ରତଙ୍କ ଏପ୍ରକାର ଘୋଷଣା ଶୁଣି ଲୋକେ ଆହୁରି ଅଧିକ ଉତ୍ସାହରେ କରତାଳି ଧ୍ୱନି ଦେଲେ । ରାଜା ଦେବବର୍ମା କହିଲେ, “ବେଶ୍! ଆଜିଠୁଁ ବିଦ୍ୟାବ୍ରତ ମୋର ଅନ୍ତରଙ୍ଗ ପରାମର୍ଶଦାତା ତଥା ପ୍ରଧାନ ମନ୍ତ୍ରୀ ହେଲେ ।”

ଏଥୁଅନ୍ତେ ସମସ୍ତେ ଆନନ୍ଦିତ ହେଲେ । ତେଣିକି ରାଜକାର୍ଯ୍ୟ ସୁରୁଖୁରୁରେ ଚାଲିଲା ।

ଗପଟି କହିସାରି ଟିକିଏ ଚୁପ୍ ରହି ବେତାଳ ମୁକାବିଲା କଲାଭଳି କଣ୍ଠରେ ରାଜା ବିକ୍ରମଙ୍କୁ ପ୍ରଶ୍ନ କଲା, “ରାଜା! ବିଦ୍ୟାବ୍ରତ ଓ ଦେବବର୍ମାଙ୍କ ଭିତରେ କିଏ ଅଧିକ ମହତ୍? ବିଦ୍ୟାବ୍ରତ ପ୍ରଥମେ ରାଜାଙ୍କୁ ଅଜ୍ଞାନ ବୋଲି କହି ସର୍ବସମକ୍ଷରେ ଜ୍ଞାନୀ ବୋଲି କହିବାର ତାତ୍ପର୍ଯ୍ୟ କ’ଣ? ରାଜା! ପାରିଲେ ମୋ ପ୍ରଶ୍ନର ଉତ୍ତର ଦିଅ । ଆଉ ଯଦି ଉତ୍ତର ଦେବାର ଶକ୍ତି ଥିବା ସତ୍ତ୍ୱେ ମଧ୍ୟ ତୁମେ ନୀରବ ରହିବ, ତେବେ ତମ ଶିର ଅବିଳମ୍ବେ ସ୍କନ୍ଧଚ୍ୟୁତ ହେବ ।”

ମୁହୂର୍ତ୍ତେ ମଧ୍ୟ ବିଳମ୍ବ ନକରି ରାଜା ବିକ୍ରମାର୍କ କହିଲେ, “ଉଭୟ ଦେବବର୍ମା ଓ ବିଦ୍ୟାବ୍ରତ ମହତ୍ । କିନ୍ତୁ ଦୁହିଁଙ୍କ ଭିତରେ ଦେବବର୍ମା ଟିକେ ଅଧିକ ମହତ୍ । କାରଣ ବିଦ୍ୟାବ୍ରତ ଦେବବର୍ମାଙ୍କ ନିର୍ଦ୍ଧେଶରେ ହିଁ ରାଜାର ଅଭିନୟ କରୁଥିଲେ । ଦେବବର୍ମା ତାଙ୍କୁ ଖାଂଟି ରାଜା ବନାଇଦେବାକୁ ପ୍ରସ୍ତୁତ ହୋଇଯିବା କିଛି ସହଜ କଥା ନୁହେଁ । କାହାରି ଦକ୍ଷତା ପ୍ରତି ଏଭଳି ସ୍ୱୀକୃତି ଦେବା ଦୁର୍ଲଭ ମହତ୍ୱର ପରିଚୟ ।

ବିଦ୍ୟାବ୍ରତ ରାଜା ଦେବବର୍ମାଙ୍କୁ ଅଜ୍ଞାନ କହିବାର କାରଣ ଦେବବର୍ମା ବୁଝୁନଥିଲେ କି ତାଙ୍କ ସମ୍ମାନ ହାନି ହେବାର କାରଣ ବିଦ୍ୟାବ୍ରତଙ୍କ ସଫଳ ଅଭିନୟ ନୁହେଁ, ବରଂ ରାଜକାର୍ଯ୍ୟରେ ତାଙ୍କ ନିଜର ଉଦାସୀନତା । ବିଦ୍ୟାବ୍ରତ ରାଜାଙ୍କୁ ପୁଣି ଜ୍ଞାନୀ ବୋଲି କହିବାର କାରଣ ରାଜା ଯେପରି ଅକାରରେ ରାଜସିଂହାସନ ତ୍ୟାଗ କରିବାକୁ ପ୍ରସ୍ତୁତ ଥିଲେ, ତାହା ସଂସାର ବନ୍ଧନରୁ ବହୁ ଉଦ୍ଧ୍ୱର୍ରେ ଥିବା ଜ୍ଞାନୀ ଛଡା ଆଉ କେହି ବି କରିବା ସମ୍ଭବପର ନୁହେଁ ।”

ରାଜାଙ୍କ ଉତ୍ତର ଦାନ ଶେଷ ହେବା ମାତ୍ରେ ଶବ ସହ ଶବସ୍ଥିତ ସେ ବେତାଳ ମଧ୍ୟ ତାଙ୍କ କାନ୍ଧରୁ ଖସିଯାଇ ପୁନର୍ବାର ସେହି ବୃକ୍ଷ ଡାଳରେ ଯାଇ ଝୁଲି ପଡିଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ