ଅଦୃଶ୍ୟ ପରିଚାରିକା

ସୁନ୍ଦରୀ ଥିଲା ଧନୀ ସୁକୁମାରୀର ସାଙ୍ଗ । ସେ ବହୁତ ଗରୀବ ଥିଲା । କିନ୍ତୁ କୌଣସି ପରିସ୍ଥିତିରେ ବି ସେ କେବେ କାହା ଆଗରେ ହାତ ପାତୁ ନଥିଲା । ନିଜର ଆତ୍ମାଭିମାନ ତାକୁ ଏହା କରିବାକୁ କେବେବି ପ୍ରଶ୍ରୟ ଦେଉନଥିଲା । ଦୁଇଜଣ ସାଙ୍ଗ କୌଣସି ଭେଦଭାବ ନରଖି ମିଶୁଥିଲେ ।

                ଥରେ ଦୂରଯାଗାରୁ ଜଣେ ଗହଣା ବେପାରୀ ସୁକୁମାରୀ ଘରକୁ ଆସିଲେ । ତାଙ୍କ ପାଖରେ ଦାମିକା ସୁନ୍ଦର ଗହଣା ଥିଲା । ଗହଣା ବେପାରୀ ସାଙ୍ଗରେ ନନ୍ଦ ନାମକ ଜଣେ ଯୁବକ ଥିଲେ । ସେ ଦେଖିବାକୁ ବହୁତ ସୁନ୍ଦର । ସେ ମିଠା କଥା କହିବାରେ ଅତ୍ୟନ୍ତ ପ୍ରବୀଣ ଥିଲେ । ହାସ୍ୟ ଭରା କଥାରେ ଅନ୍ୟର ମନ ମୋହି ନେଉଥିଲେ । ସୁକୁମାରୀ ମନରେ ତାଙ୍କ ପ୍ରତି ପ୍ରୀତି ଜନ୍ମିଲା । ସେ ତାଙ୍କୁ ବିବାହ କରିବାକୁ ଭାବିଲା । ସେ ନିଜର ସାଙ୍ଗ ସୁନ୍ଦରୀକୁ ଡାକି ନିଜର ଇଚ୍ଛା ତା’ ଆଗେ ପ୍ରକାଶ କରି କହିଲା, “ଗହଣା ବେପାରୀ ପାନ୍ଥଶାଳାରେ ରହୁଛନ୍ତି । ଯେମିତି ହେଲେବି ତୁମେ ସେ ଯୁବକକୁ ମୋ କଥା ଯାଇ କୁହ । ସେ ଯଦି ରାଜି ହେଲେ ମୋ ବାପାକୁ ମନାଇବା କିଛି କଷ୍ଟ ହେବନି ।”

                ସେହିଦିନ ସୁନ୍ଦରୀ ପାନ୍ଥଶାଳାରେ ନନ୍ଦକୁ ଭେଟିଲା । ନିଜର ପରିଚୟ ଦେଇ, ସାଙ୍ଗ ସୁକୁମାରୀର ମନ କଥା ସେ ତାଙ୍କୁ କହିଲା । ନନ୍ଦ ସୁନ୍ଦରୀକୁ ଦେଖି ସ୍ଥିର ହୋଇଗଲା । ପୁରା ବିବରଣୀ ଜାଣିବା ପରେ ସେ ସୁନ୍ଦରୀକୁ କହିଲା, “ତୁମର ସୌନ୍ଦର୍ଯ୍ୟ ମୋ ଉପରେ ଯାଦୁ କରିଦେଇଛି । ମୁଁ ଯଦି କେବେ ବାହା ହେବି ତ କେବଳ ତୁମକୁହିଁ ବାହା ହେବି ।”

                ଘଟଣାଟା ଏପରି ଘଟିବ ବୋଲି ସୁନ୍ଦରୀ ତ କେବେବି କଳ୍ପନା ସୁଦ୍ଧା କରି ନଥିଲା । ସୁତରାଂ ସେଠାରୁ ସେ ଖୁବ୍ ବ୍ୟସ୍ତ ହୋଇ ଚାଲିଗଲା । ଗହଣା ବେପାରୀ ଦୂରରୁ ସେମାନଙ୍କ କଥା ଶୁଣୁଥିଲେ । ସେ ନନ୍ଦ ପାଖକୁ ଆସି କହିଲେ, “ଏହି ଝିଅଟି ବହୁତ ବୁଦ୍ଧିମତୀ ଲାଗୁଛି । ଯଦି ସେ ତୁମର ସ୍ତ୍ରୀ ହେବ, ତାହେଲେ ତୁମେ ତୁମ ଜୀବନରେ ଆହୁରି ଉନ୍ନତି କରିବ । କିନ୍ତୁ ସେ ତ ତା’ର ସାଙ୍ଗ କଥା କହିବାକୁ ଏଠାକୁ ଆସିଥିଲା । ତେଣୁ ତୁମକୁ ସୁକୁମାରୀ ସାଙ୍ଗରେ କଥାବାର୍ତ୍ତା କରି ଏହି ବିବାହ ପାଇଁ ସ୍ୱୀକୃତି ନେବାକୁ ହେବ ।” ନନ୍ଦ ଦ୍ୱିତୀୟ ଦିନ ସୁକୁମାରୀକୁ ଦେଖାକରି ତାକୁ ସବୁକଥା କହିଲା । ତାହା ଶୁଣି ସୁକୁମାରୀ ନୀରବ ହୋଇଗଲା ଓ ମନେ ମନେ ସେ ତା’ ଉପରେ ଭାରି ବିରକ୍ତ ହେଲା; ସୁନ୍ଦରୀ ଏବଂ ନନ୍ଦର ବିବାହ ହେଲା । ତା’ପରେ ସେ ଦୁଇଜଣ ଗାଁ ଛାଡି ଚାଲିଗଲେ । ତାର କିଛିଦିନ ପରେ ସୁକୁମାରୀର ବିବାହ ସେହି ଗାଁର ଜଣେ ଧନୀଲୋକ ସହିତ ହେଲା ।

                କିଛିଦିନ ପରେ; ସୁକୁମାରୀ ଜାଣିଲା ଯେ ସୁନ୍ଦରୀ ତା’ ସ୍ୱାମୀ ସାଙ୍ଗରେ ଚକ୍ରପୁରୀରେ ରହୁଛି । ଦୁଇଜଣ ବହୁତ ସୁଖ ଓ ଆନନ୍ଦରେ ରହୁଛନ୍ତି । ସେ ଇର୍ଷ୍ୟାରେ ଜଳିଗଲା । ସେ ଚାହୁଁଥିଲା ଯେ ସେ କେତେ ବିଭବ ଓ ଆରାମରେ ଅଛି, ନନ୍ଦ ସେକଥା ଜାଣୁ । ନନ୍ଦଙ୍କୁ ଜଳାଇବା ପାଇଁ ସେ ସୁନ୍ଦରୀ ଘରକୁ ଯିବା ପାଇଁ ଠିକ୍ କଲା । ସାଙ୍ଗରେ ଜଣେ ଦାସୀ ନେଇ ସେ ଚକ୍ରପୁରୀ ଗଲା ।

                ସୁନ୍ଦରୀ ବହୁତ ଆଦରର ସହିତ ନିଜ ସାଙ୍ଗକୁ ସ୍ୱାଗତ କଲା । ଦ୍ୱିତୀୟ ଦିନ ମିଛରେ ସେ ସୁନ୍ଦରୀକୁ କହିଲା, “ବଡ ଦୁଃଖର କଥା ମୋ ଘରେ କୌଣସି ଚାକରାଣୀ ନାହାଁନ୍ତି ।”

                ସୁନ୍ଦରୀ ଏଥିରେ ହସି ହସି କହିଲା, “ଆମଘରେ ଚାକରାଣୀ ଅଛି; କିନ୍ତୁ ତୁମକୁ ସେ ଦେଖା ନ ଦେଇ ସବୁ କାମ କରିଯାଉଛି । ଦେଖୁଛ ନା ଆମ ଘର କେତେ ସଫା ସୁତୁରା ।”

                ସାଙ୍ଗର ଏହି କଥାରେ ସୁକୁମାରୀର ଆଗ୍ରହ ବଢିଗଲା । ଏଣିକି ସେ ସାବଧାନ ହୋଇ ରହିଲା; ହେଲେବି ଚାକରାଣୀ କେଉଁଠାରେ ତା’ ଆଖିରେ ପଡିଲା ନାହିଁ । ସେଠି ଚାରିଦିନ ରହିଲା ପରେ ସେଠୁ ସେ ଯିବାପାଇଁ ଠିକ୍ କଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ