ଅଦୃଶ୍ୟ ସଂଚୟ

ଶ୍ରୀପୁର ସହରରେ ଜଣେ ବିଶିଷ୍ଟ ଅଳଙ୍କାର ବ୍ୟବସାୟୀ ଥିଲେ । ତାଙ୍କ ନାମ ଧନଗୁପ୍ତ । ଶ୍ରୀଧର ତାଙ୍କ ପାଖରେ କାମ କରୁଥିଲା । ସେଭଳି ସଚ୍ଚୋଟ ସହକାରୀ ପାଇବା ଏତେ ସହେଜ ନୁହେଁ । ସେ ଯେପରି ନିଷ୍ଠାବାନ୍, ଠିକ୍ ସେହିପରି ସତ୍ ମଧ୍ୟ । ତା’ ଉପରେ ଧନଗୁପ୍ତ ପୁରାପୁରି ନିର୍ଭର କରି ପାରୁଥିଲେ । ଦୋକାନର ସମ୍ପୂର୍ଣ୍ଣ ଦାୟିତ୍ୱ ତା’ ଉପରେ ଛାଡିଦେଇ ସେ ଥରେ ଥରେ ବଡ ସହରକୁ ସୁନା ଖରିଦ୍ କରିବାକୁ ଚାଲିଯାଉଥିଲେ ।

                କିନ୍ତୁ ଶ୍ରୀଧରକୁ ସେ ଯେତିକି ଦରମା ଦେଉଥିଲେ, ତାହା ଯଥେଷ୍ଟ ନୁହେଁ । ଶ୍ରୀଧରର ପରିବାର ସେଥିରେ କଷ୍ଟେମଷ୍ଟେ ଚଳି ଯାଉଥିଲେ ସତ, କିନ୍ତୁ ତା’ ସ୍ତ୍ରୀ ପିଲାପିଲିଙ୍କ ସଉକ୍ ସେ ଆଦୌ ମେଂଟାଇ ପାରୁ ନଥିଲା । ପ୍ରତିବର୍ଷ ଶ୍ରୀଧର ଆଶା କରୁଥାଏ, ମାଲିକ ତା’ ଦରମା ବଢାଇ ଦେବେ । କିନ୍ତୁ ତା’ର ସେ ଆଶା ନିରାଶାରେ ପରିଣତ ହେଉଥାଏ ।

                ଶ୍ରୀଧର ଏହିପରି ପନ୍ଦର ବର୍ଷ କାମ କରିବା ପରେ ଭାବିଲା, ସେ ଧନଗୁପ୍ତଙ୍କ ଚାକିରୀ ଛାଡିଦେଇ ଅନ୍ୟ କେଉଁଠି ଚାକିରୀ କରିବ । ଏଣୁ ଗୋଟିଏ ରବିବାର ସେ ଯାଇ ଦୂରବର୍ତ୍ତୀ ବଜାରରେ ଥିବା ଶ୍ୟାମଳ ଶେଠ୍ ନାମକ ଜଣେ ଅଳଙ୍କାର ଦୋକାନୀ ସହ ଦେଖାକଲା ଓ ଚାକିରୀ ପାଇଁ ଅନୁରୋଧ କଲା । ଶ୍ୟାମଳ ଶେଠ୍ ତା’ସହ କଥାବାର୍ତ୍ତା କରି ବୁଝିଲେ ଯେ ସେ ବାସ୍ତବିକ ବହୁତ ଅଭିଜ୍ଞ ଲୋକ । ପରଦିନ ସେ ଆସି ଧନଗୁପ୍ତଙ୍କୁ ଦେଖା କରି ଶ୍ରୀଧର ସମ୍ପର୍କରେ ପଚାରିଲେ । ଧନଗୁପ୍ତ କହିଲେ, “ଶ୍ରୀଧର ଖାଲି ଅଭିଜ୍ଞ ନୁହେଁ, ଅତ୍ୟନ୍ତ ନିରଳସ ଓ ଜଣେ ବିଶ୍ୱାସଯୋଗ୍ୟ କର୍ମୀ ମଧ୍ୟ ।”

                ଶ୍ୟାମଳ ଶେଠ୍ ଖୁସି ହୋଇ ଚାଲିଗଲେ । ପରଥର ଶ୍ରୀଧର ତାଙ୍କୁ ଦେଖା କରିବା ମାତ୍ରେ ସେ ତାକୁ ଚାକିରୀ ଦେବାକୁ ରାଜି ଅଛନ୍ତି ବୋଲି କହିଲେ । କିନ୍ତୁ ସେ ଯେତେ ଦରମା ଦେବେ ବୋଲି କହିଲେ, ତାହା ଧନଗୁପ୍ତ ଦେଉଥିବା ଦରମାଠୁଁ ଯମା ଅଧିକ ନୁହେଁ । ଅତଏବ ଶ୍ରୀଧର ତାଙ୍କଠି ଚାକିରୀ କରିବ ନାହିଁ ବୋଲି ସଫା ସଫା କରି କହିଦେଲା ।

                ସେ ଯାଇ ଅନ୍ୟ ଜଣେ ବ୍ୟବସାୟୀଙ୍କୁ କହିଲା । ସେ ବ୍ୟବସାୟୀ ମଧ୍ୟ ଶ୍ରୀଧରର ବ୍ୟବହାର ଓ ଅଭିଜ୍ଞତା ଦେଖି ଭାରି ଖୁସି ହେଲେ ଓ ଚାରିଦିନ ପରେ ଶ୍ରୀପୁର ଆସିବା ଅବସରରେ ଧନଗୁପ୍ତଙ୍କୁ ସେ ଶ୍ରୀଧର ବିଷୟରେ ପ୍ରଶ୍ନ କଲେ । ଧନଗୁପ୍ତ ଶ୍ୟାମଳ ଶେଠ୍ଙ୍କୁ ଯାହା କହିଥିଲେ, ତାଙ୍କୁ ମଧ୍ୟ ସେ ଠିକ୍ ସେଇଆ କହିଲେ । ଶ୍ରୀଧର ସେ ବ୍ୟବସାୟୀଙ୍କୁ ପୁଣି ଦେଖା କରିବାରୁ ସେ ବି ତାକୁ ଚାକିରୀ ଦେବାକୁ ପ୍ରସ୍ତୁତ ବୋଲି କହିଲେ । କିନ୍ତୁ ସେ ଯେତିକି ଦରମା ଦେବେ ବୋଲି କହିଲେ, ତାହା ଧନଗୁପ୍ତ ଦେଉଥିବା ଦରମାଠାରୁ ସାମାନ୍ୟ ମାତ୍ର ଅଧିକା । ଶ୍ରୀଧର ଦେଖିଲା, ଶ୍ରୀପୁର ଗାଁରେ ନିଜ ପରିବାର ଛାଡି ସେତେ ଦୂରରେ ରହିବା ଫଳରେ ତା’ର ଯେତିକି ଅଧିକା ଖର୍ଚ୍ଚ ଓ ଅସୁବିଧା ହେବ, ସେତିକି ମାତ୍ର ଅଧିକା ଟଙ୍କା ଦ୍ୱାରା ସେ ଅସୁବିଧା ଦୂର ହେବ ନାହିଁ । ତେଣୁ ସେ ସେଠାରେ ମଧ୍ୟ ମନା କରିଦେଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ