ଅଦ୍ଭୁତ ଦର୍ପଣ

ରାଜା ଭୂଦେବ ସେମାନଙ୍କୁ ଦର୍ପଣ ଗୃହକୁ ନେଇଗଲେ । ଦର୍ପଣ ସାମ୍ନାରେ ସେମାନଙ୍କୁ ଠିଆ କରାଇ ସେ ପ୍ରଶ୍ନ କଲେ, “ଅଦ୍ଭୁତ ଦର୍ପଣ, ଦୟା କରି କୁହ, ଏ ତିନିଜଣଙ୍କ ଭିତରୁ ସବୁଠାରୁ ଦକ୍ଷ କିଏ?”

                ଦର୍ପଣରୁ କିନ୍ତୁ କୌଣସି ଉତ୍ତର ଆସିଲା ନାହିଁ । ରାଜା ବାରମ୍ବାର ଏକା ପ୍ରଶ୍ନ କଲେ । କିନ୍ତୁ କିଛିବି ଫଳ ହେଲା ନାହିଁ । ଏସବୁ ଘଟଣା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହେଲେ । ରାଜା ତିନି ବୀରଙ୍କୁ କିଛି କିଛି ଉପହାର ଦେଇ ବିଦାୟ କଲେ ।

                ଏହାର କିଛି ଦିନ ପରେ ଧୂମକେତୁ ଓ ବଜ୍ରବାହୁ ନାମକ ସାଗର ରାଜ୍ୟର ଦୁଇ ମଲ୍ଲଯୋଦ୍ଧା ସେଠାରେ ଆସି ପହଁଚିଲେ ଓ ରାଜାଙ୍କ ଆଗରେ ନିଜ ବିଦ୍ୟା ପ୍ରଦର୍ଶନ କଲେ । ଦୁହିଁଙ୍କ ଭିତରେ ଯିଏ ସବୁଠାରୁ କୁଶଳୀ, ରାଜା ତାକୁ ସମ୍ମାନିତ କରିବା ବିଧି । କିନ୍ତୁ ଦୁହେଁ କେହି କାହାରିଠାରୁ କୌଣସି ଗୁଣରେ ଉଣା ନୁହଁନ୍ତି ବୋଲି ମନେ ହେଲା । ମଲ୍ଲ ଯୁଦ୍ଧ ପରେ ସେ ଦୁହେଁ ରାଜାଙ୍କୁ କହିଲେ, “ଆପଣଙ୍କ ଦର୍ପଣ ଦ୍ୱାରା ଆମଭିତରେ କିଏ ବଡ ଯୋଦ୍ଧା ଦୟାକରି ତାହା ନିରୂପଣ କରି ଦିଅନ୍ତୁ ।”

                ରାଜା ସେ ଦୁଇଜଣଙ୍କୁ ଦର୍ପଣ ଆଗକୁ ନେଇଗଲେ ଏବଂ ଦର୍ପଣକୁ ପ୍ରଶ୍ନଟି ପଚାରିଲେ । ଦର୍ପଣରୁ ଉତ୍ତର ଆସିଲା, “ବଜ୍ରବାହୁ ।”

ରାଜା ପଚାରିଲେ, “କିପରି?” ତହୁଁ ସେ ଦର୍ପଣ କହିଲା, “ଧୁମକେତୁ ତା’ ବାହୁରେ ଜଣେ ତାନ୍ତ୍ରିକ ଦେଇଥିବା କବଚ ପିନ୍ଧିଥିବାରୁ ତାକୁ କେହିବି ପରାସ୍ତ କରିପାରନ୍ତି ନାହିଁ ।”

ଏହା ଶୁଣି ବଜ୍ରବାହୁ ପ୍ରତିବାଦ କଲା । କିନ୍ତୁ ଧୁମକେତୁର କବଚ ଖୋଲି ନେଇ ପୁଣି ଥରେ ମଲ୍ଲଯୁଦ୍ଧ କରାଯିବାରୁ ଖୁବ୍ ଅଳ୍ପ ସମୟ ମଧ୍ୟରେ ବଜ୍ରବାହୁ ଧୁମକେତୁକୁ ଚିତ୍ କରିଦେଲେ ।

ରାଜା ଭୂଦେବ ତ ସେଯାଏଁ ବିବାହ କରି ନଥାନ୍ତି । ମହାମନ୍ତ୍ରୀ ସନ୍ଧାନନେଇ ବୁଝିଲେ, ପଡୋଶୀ ମାୟାପୁର ଏବଂ ଛାୟାପୁର ଏହି ଦୁଇ ରାଜ୍ୟର ଦୁଇ ରାଜକୁମାରୀ ଅତ୍ୟନ୍ତ ସୁନ୍ଦରୀ । ସେତେବେଳେ ଭୂଦେବଙ୍କ ଯଦୁପୁର ରାଜ୍ୟରେ ଗୋଟିଏ ବିଶେଷ ବାର୍ଷିକ ଉତ୍ସବ ହେଉଥାଏ । ଯେଉଁ ଶିବମନ୍ଦିର ଆଗରେ ସେ ଉତ୍ସବ ହେଉଥାଏ, ସେ ମନ୍ଦିରର ଶହେ ବର୍ଷ ପୂର୍ତ୍ତି ଉପଲକ୍ଷ୍ୟେ ସେବର୍ଷ ଦୁଇ ପଡୋଶୀ ରାଜ୍ୟର ରାଜା, ରାଜପୁତ୍ର ରାଜକନ୍ୟାମାନଙ୍କୁ ନିମନ୍ତ୍ରଣ କରାଗଲା । ନିମନ୍ତ୍ରଣ ରକ୍ଷାକରି ଉଭୟ ମାୟାପୁର ଓ ଛାୟାପୁରର ରାଜାମାନେ ନିଜ ନିଜ ସନ୍ତାନ ସନ୍ତତି ଧରି ସେଠାକୁ ଆସିଲେ । ଦୁଇ ରାଜାଙ୍କ ମନରେ ମଧ୍ୟ ଭୂଦେବଙ୍କୁ ଜାମାତା କରିବାର ପ୍ରବଳ ଇଚ୍ଛା ଥାଏ । ରାଜା ଭୂଦେବ ଉଭୟ ରାଜକୁମାରୀଙ୍କ ସହ କଥାବାର୍ତ୍ତା କରିବାର ସୁଯୋଗ ପାଇଲେ । ମାୟାପୁରର ରାଜକୁମାରୀଙ୍କ ନାମ ଇନ୍ଦୁମତୀ ଏବଂ ଛାୟାପୁରର ରାଜକନ୍ୟାଙ୍କ ନାମ ଶ୍ରୀଦେବୀ । ଏକାନ୍ତରେ ଦୁଇ ରାଜକନ୍ୟାଙ୍କୁ ରାଜା ଭୂଦେବଙ୍କ ମହାମନ୍ତ୍ରୀ କହିଲେ, “ଆମ ରାଜା ଆପଣ ଦୁହିଁଙ୍କ ଭିତରୁ ଜଣଙ୍କୁ ରାଣୀ କରିବାକୁ ଆଗ୍ରହୀ । ତେବେ ଆପଣମାନେ ତ ତାଙ୍କ ଅଦ୍ଭୁତ ଦର୍ପଣ ବିଷୟରେ ନିଶ୍ଚୟ ଶୁଣିଥିବେ । ଏବେ କେବଳ ସେହି ଅଦ୍ଭୁତ ଦର୍ପଣହିଁ ସ୍ଥିର କରିବ, ଆପଣ ଦୁହିଁଙ୍କ ଭିତରୁ କିଏ ତାଙ୍କ ରାଣୀ ହେବାକୁ ଯୋଗ୍ୟ ।”

ଇନ୍ଦୁମତୀ ଏ ପ୍ରସ୍ତାବରେ ଆଦୌ କୌଣସି ଆପତ୍ତି କଲେ ନାହିଁ । କିନ୍ତୁ ଶ୍ରୀଦେବୀ କହିଲେ, “ମହାମନ୍ତ୍ରୀ ମହୋଦୟ, ମୁଁ ଯାହାକୁ ବିଭା ହେବି, ସେ ଏକାଧାରରେ ଅନ୍ଧ, ମୂକ ଏବଂ କାଲ ହେଲେ ଚଳିବ ନାହିଁ ।” ଏହାକହି ସେ ହସିଦେଇ ତାଙ୍କ କୋଠରୀ ଭିତରକୁ ଚାଲିଗଲେ ।

ମହାମନ୍ତ୍ରୀ ତଟସ୍ଥ ହୋଇ ରାଜା ଭୂଦେବଙ୍କୁ ଏକଥା କହନ୍ତେ ସେ ପ୍ରଥମେ ଘୋର ଅପମାନ ବୋଧ କଲେ । କିନ୍ତୁ କିଛି ସମୟ ପରେ ତାଙ୍କ ମୁହଁରେ ହସ ଫୁଟିଲା । ଉତ୍ସବରେ ସେ ଅତିଥିମାନଙ୍କୁ ବିଦାୟ ଦେଲେ । ପରଦିନ ସେ ତାଙ୍କ ମହାମନ୍ତ୍ରୀଙ୍କୁ କହିଲେ, “ମହାଶୟ, ଆପଣ ନିଜେ ଛାୟାପୁର ଯାଇ ରାଜକୁମାରୀ ଶ୍ରୀଦେବୀଙ୍କ ସହ ମୋ ବିବାହ ପ୍ରସ୍ତାବ ରଖନ୍ତୁ । କହିବେ, ରାଜକୁମାରୀ ସମ୍ମତି ଦେବା ଦରକାର; ଏଥିଲାଗି ଖାଲି ତାଙ୍କ ପିତା ସମ୍ମତି ଦେଲେ ହେବ ନାହିଁ ।”

ମହାମନ୍ତ୍ରୀ ତାହାହିଁ କଲେ । ରାଜକୁମାରୀ ଶ୍ରୀଦେବୀ ଏଥିରେ ନିଜର ସମ୍ମତ ଦେଲେ । ବିବାହ ଯଥାସମାରୋହରେ ସମ୍ପନ୍ନ ହେଲା ।

ଏହାର ଠିକ୍ ମାସକ ପରେ ଦିନେ ଶ୍ରୀଦେବୀଙ୍କର ଗୋଟିଏ ମୋତିହାର ଚୋରି ହୋଇଥିଲା । ଚୋର ପ୍ରାସାଦର ଲଡୁଲାଲା ନାମକ ଜଣେ ପ୍ରହରୀ । ସେ ହାରଟି ବଗିଚାରେ ଗୋଟାଏ ଗଛ କୋଟରରେ ଲୁଚାଇ ରଖିବାବେଳେ ମଲ୍ଲିକା ନାମକ ଜଣେ ଦାସୀ ତାହା ଲକ୍ଷ୍ୟ କଲା । ପ୍ରହରୀ ଚାଲିଯିବା ପରେ ସେ ତାକୁ ନେଇ ଚାଲିଗଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ