ଅଦ୍ଭୁତ ବଂଶୀ

                ସାଧୁ ହସି ହସି କହିଲେ, “ଦେଖ, ପ୍ରତ୍ୟେକ ପ୍ରାଣୀ ଜନ୍ମ ହେବା ମାତ୍ରେ ମୃତ୍ୟୁକୁ ତା’ ସହିତ ସେ ନେଇକରି ଆସିଥାଏ । ନିଜର ଆୟୁଷ ଅନୁସାରେ ଦିନେ ନା ଦିନେ ତ ଏହା ଘଟିବ । କିନ୍ତୁ ଆତ୍ମହତ୍ୟା ଯେ ଏକ ମହାପାପ । ତମେ ତମର ଦୁଃଖ ମୋତେ ବୁଝାଇ କୁହ, ମୁଁ ତାହା ଦୂର କରିବାର ଯଥେଷ୍ଟ ପ୍ରୟାସ କରିବି ।”

                “ସ୍ୱାମୀନ୍, ଏହି ସଂସାରରେ ତ ପ୍ରତ୍ୟେକ ପ୍ରାଣୀ କିଛି ନା କିଛି ଦୁଃଖ ଭୋଗ କରୁଛି । କେତେକ ବ୍ୟକ୍ତିଙ୍କ ଧାରଣା ସବୁ ଦୁଃଖର ଓ ସବୁ ସୁଖର ମୂଳ ହେଉଛି ଧନ । ମୁଁ କିନ୍ତୁ ଏହା ମାନେ ନାହିଁ । ମୁଁ ଭାବେ ମାନସିକ ଶାନ୍ତି ରହିଲେ ଦୁଃଖର ପ୍ରଭାବ କଟିଯିବ । ଆଉ ସେଥିପାଇଁ ସର୍ବୋତ୍ତମ ହେଉଛି ସଙ୍ଗୀତ ବିଦ୍ୟା । କିନ୍ତୁ ମୁଁ ସଙ୍ଗୀତ ବିଦ୍ୟାରେ ଏତେ ପାରଙ୍ଗମ ନୁହେଁ ଯେ ସମସ୍ତିଙ୍କୁ ଶାନ୍ତି ଓ ଆନନ୍ଦ ଦେଇ ପାରିବି । ମୋର ଇଚ୍ଛା ମୁଁ ସଙ୍ଗୀତ ଦ୍ୱାରା ସମସ୍ତିଙ୍କର ଯେପରି ମଙ୍ଗଳ କରିପାରିବି । ମହାତ୍ମନ, ଆପଣ କ’ଣ ମୋର ଏ ଅଭିଳାଷ ପୁରଣ କରି ପାରିବେ?”

                ବିକାଶର କଥା ଶୁଣି ସାଧୁ ଅଳ୍ପ ହସିଲେ । ତା’ପରେ ତା’ ହାତରେ ଗୋଟିଏ ଥଳୀ ଓ ଗୋଟିଏ ବଂଶୀ ଦେଇ ସେ କହିଲେ, “ବତ୍ସ, ତୁମେ ଯେତେବେଳେ ଏହି ବଂଶୀଟି ବଜାଇବ, ସେତେବେଳେ ଏଥିରୁ ଏକ ସୁନ୍ଦର ଅଦ୍ଭୁତ ସ୍ୱର ପ୍ରକଟ ହେବ; ତାହା ଶୁଣି ଶ୍ରୋତାମାନେ ଖୁବ୍ ଆନନ୍ଦ ପାଇବେ । ସେମାନଙ୍କର ଆନନ୍ଦହିଁ ତୁମକୁ ମାନସିକ ପ୍ରଶାନ୍ତି ଆଣିଦେବ । ଏବେ ବାକି ରହିଲା ଥଳୀଟି । ଥଳୀଟି ତୁମକୁ ତୁମ ଇଚ୍ଛା ଅନୁସାରେ ଖାଦ୍ୟ ଓ ବସ୍ତ୍ର ଯୋଗାଉଥିବ । ତେଣୁ ତମେ ଆଉ କାହା ଉପରେ ନିର୍ଭର ନ କରି ବଂଶୀବାଦନ କରି ସମସ୍ତିଙ୍କୁ ଆନନ୍ଦ ପ୍ରଦାନ କରୁଥିବ । ମନେରଖ ଯେ ଏହି ଥଳୀ ଓ ବଂଶୀର ଗୁଣ କେବଳ ତୁମ ପାଖରେହିଁ କାମ ଦେବ । ଅନ୍ୟ କିଏ ଚେଷ୍ଟା କଲେ ସୁଦ୍ଧା ପାରିବେ ନାହିଁ ।”

ସାଧୁଙ୍କଠାରୁ ଥଳୀ ଓ ବଂଶୀ ପାଇ ବିକାଶ ଆନନ୍ଦରେ ଅଧୀର ହୋଇ ପଡିଲା । ସେ ସାଧୁଙ୍କ ଚରଣରେ ପ୍ରଣାମ କରି କହିଲା, “ମହାତ୍ମନ, ଆପଣଙ୍କ କୃପାରୁହିଁ ମୋର ଆଜି ପୁନର୍ଜୀବନ ଲାଭ ହୋଇଛି । ଏବେ ମୁଁ ମୋର ଗ୍ରାମକୁ ଫେରିଯାଇ ଆପଣ ଦେଇଥିବା ଏହି ଥଳୀ ଦ୍ୱାରା ଗ୍ରାମବାସୀମାନଙ୍କର ସେବା କରିବି । ମୋତେ ଆଶୀର୍ବାଦ କରନ୍ତୁ ।”

ସାଧୁ ବିକାଶକୁ ଆଶୀର୍ବାଦ ଦେଇ କହିଲେ, “ଅତି ଆନନ୍ଦର କଥା ଯେ ତୁମେ ନିଃସ୍ୱାର୍ଥ ଭାବରେ ଲୋକହିତକର କାର୍ଯ୍ୟ କରିବାକୁ ଯାଉଛ । ତୁମର ସଂକଳ୍ପ ପ୍ରଶଂସନୀୟ । କିନ୍ତୁ ଏପରି ମଧ୍ୟ ହୁଏ ଯେ ହଠାତ୍ କୌଣସି ସ୍ୱାର୍ଥ ବା ଦୁର୍ବଳତା ମନ ଭିତରେ ଦେଖାଦିଏ । ସେପରି ହେଲେ ଏହି ଥଳୀ ଓ ବଂଶୀ ସେମାନଙ୍କର ଶକ୍ତି ହରାଇବେ, ସେଥିପାଇଁ ସାବଧାନ୍ କରି ଦେଉଛି । ପୁଣି ସ୍ୱାର୍ଥକୁ ଛାଡି ଯଦି ନ୍ୟାୟସଙ୍ଗତ ବିଷୟ ପ୍ରତି ତୁମର ମତ ବଦଳାଇବ ତେବେ ଏ ବଂଶୀରେ ଏକ ସ୍ୱର ବାଜିବ ଯାହାକି କେବଳ ତୁମକୁହିଁ ଆନନ୍ଦ ଦେବ । ଅନ୍ୟମାନଙ୍କୁ ନୁହେଁ । ପୁଣି ଏହି ଥଳୀ ତୁମର ହଜି ଯାଇଥିବା ସମ୍ପତ୍ତିର ସନ୍ଧାନ ମଧ୍ୟ ଦେବ । ତମେ ପୁଣି ନୂଆ ଉତ୍ସାହରେ ସବୁ ଆରମ୍ଭ କରିବ – ”

ବିକାଶ କହିଲା “ଯେ ଆଜ୍ଞା, ଆପଣଙ୍କ ଆଦେଶକୁ ମୁଁ ଅକ୍ଷରେ ଅକ୍ଷରେ ପାଳନ କରିବି ।” ଏହାପରେ ସାଧୁଙ୍କୁ ପ୍ରଣାମ କରି ସେ ତା’ ଗ୍ରାମକୁ ଗଲା ।

ପ୍ରଥମେ ତ ବିକାଶ ବିଷୟରେ ଗ୍ରାମରେ କାହାର କିଛି ଆଗ୍ରହ ନଥିଲା । କିନ୍ତୁ କ୍ରମେ ସେହି ଅଦ୍ଭୁତ ବଂଶୀଟି ବଜାଇବାରୁ ଲୋକମାନେ ତା’ପ୍ରତି ଆକର୍ଷିତ ହେଲେ । ସେହି ବଂଶୀର ମଧୁର ସ୍ୱର ଶୁଣି ସମସ୍ତେ ମୁଗ୍ଧଚକିତ ହେଉଥିଲେ । କିଛିଦିନ ମଧ୍ୟରେ ତା’ର ଖ୍ୟାତି ଦୂର ଗ୍ରାମ ମାନଙ୍କରେ ମଧ୍ୟ ବ୍ୟାପିଗଲା । ଶାରୀରିକ ଓ ମାନସିକ ବ୍ୟାଧିଯୁକ୍ତ ଲୋକମାନେ ସବୁ ସେଠାକୁ ଆସି ବଂଶୀ ଶୁଣି ଆରୋଗ୍ୟ ଲାଭ କରୁଥିଲେ । ଅଗଣିତ ଲୋକ ଆରୋଗ୍ୟ ଲାଭ କରି ଆନନ୍ଦିତ ହେଉଥିବାରୁ ବିକାଶ ମଧ୍ୟ ଆନନ୍ଦିତ ହେଉଥିଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ