ଅଧର୍ମ ବିତ୍ତ

                କୁବେର ସାହୁର ଦୂରଦୂରାନ୍ତର କୋଠିମାନଙ୍କରୁ ତିରିଶଖଣ୍ଡ ସରିକି ନାଆ ସରକ ବୋଝେଇ କରି ସେଠାରେ ଉପସ୍ଥିତ । ନାଆସବୁ ପୂରା ବୋଝାଇ, ପାଣିଲହଡି ଚାଳକୁ ଛୁଇଁ ଦେଉଛି । କୋଶେଯାଏଁ ସବୁ ନାଆ ଖଟା ହୋଇଛି । ଆଜିଠାରୁ ଦେଖଣାହାରୀମାନେ ମଫସଲରୁ ଆସି କୂଳରେ କାତାର ଦେଲେଣି ।

                ଆଷାଢ କୃଷ୍ଣ ଦଶମୀ ଦିନ ଯାତ୍ରା ଠିକ୍ ହେଲା । ରଥ-କାଠ ମେଲାଣି ଭଳିଆ ପାଣିକୁ ଚାହିଁ ବସିଛନ୍ତି – ନୋହିଲେ ନାଆସବୁ ଭୀଷ୍ମ ପାରି ହୋଇପାରିବ ନାହିଁ । ଠିକ୍ ପୂରା ପାଣି ବି ହୋଇଗଲା । ଆଜି ଯାତ୍ରାର ଦିନ । ହଜାର ହଜାର ଦେଖଣାହାରୀ ନଈ ଦୁଇ କୂଳରେ କାତାର ଦେଇ ଛିଡା ହୋଇଛନ୍ତି । ଗୋଟାଏ ଗୋଟାଏ ନାଆରେ ଚାରି ଚାରିଜଣ ଆହୁଲା ଧରି ଛିଡା ହୋଇଗଲେ । ପଛରେ ମଙ୍ଗଧରା, ଆଗ ମଙ୍ଗ ଉପରେ ବାଟକଢାଣିଆ ଛିଡା । ଏହି କଢାଣିଆ ନ ହେଲେ ନାଆ ଭୀଷ୍ମ ପାର ହୋଇପାରିବ ନାହିଁ ।

                ଆଠମଲ୍ଲିକ ଉପରକୁ ମୁଣ୍ଡାପଡା ଗାଁଠାରୁ କଇଁତ୍ରାଗଡଯାଏଁ ଷୋଳ ସତର ମାଇଲ ଭିତରେ ଭୀଷ୍ମ ପଡେ । ବଡ ବଡ ପଥର ସବୁ ମୁଣ୍ଡଟେକି ନଦୀ ମଧ୍ୟରେ ସଭା କରି ବସିଲା ପରି ବସିଛନ୍ତି । ବଡପାଣିରେ ସେହି ପଥର ସବୁ ବୁଡିଗଲେ ତା ଉପର ଦେଇ ନାଆ ଭାସିଯାଏ । ମାତ୍ର କେତେକ ପଥର ବୁଡେ ନାହିଁ । ଗୁଡାଏ ପଥର ଉପରେ ଚାଖଣ୍ଡେ ଚାରି ଆଙ୍ଗୁଳ ଜଳ । ନାଉରିକୁ ତ ଆଉ ପଥର ଦିଶେ ନାହିଁ । ଏଇ ଭୀଷ୍ମ ଜାଗାଟାରେ ନଈ କମ୍ ଓସାର ଯୋଗୁଁ ପାଣିର ଭାରି ତୋଡ, ଘଂଟାକ ମଧ୍ୟରେ କୋଡିଏ ମାଇଲ୍ ବାଟ ନାଆ ଭାସିଯାଏ । ସେହି ଭୀଷ୍ମ ମଧ୍ୟରେ ଅଙ୍କାବଙ୍କା ସାପଚଳ ପରି ବାଟ । ନାଆ ସେହି ବାଟେ ଯାଏ । ସେ ବାଟଟା କଢାଣିଆକୁ ଠିକ୍ ଜଣା । ସେ ଜାଗାରେ ପାଣିର ଭାରି ତୋଡ । ପଥରରେ ବାଜି ଏପରି ଶବ୍ଦ କରେ ଯେ, କଢାଣିଆ କଥା ପଛ ମଙ୍ଗଧରାକୁ ବି ଶୁଭେ ନାହିଁ । କଢାଣିଆ ଦୁଇ ହାତରେ ବାଟ ଠାରି ଦେଉଥାଏ । ଭୀଷ୍ମ ପାର କରିଦେଇ ବାଟକଢା କଇଁତ୍ରାଗଡଠାରେ ନାଆରୁ ଓହ୍ଲାଇପଡେ । ତା କାମ ଛିଡିଲା । ତିନି ଦିନ ହେଲା ଶ୍ରବଣା ପଶିଥିଲା, ଭାରି ପାଣି, ଭାରି ଝଡ । କାଲି ସଞ୍ଜରୁ ପାଣି ଛାଡିଛି । ସକାଳେ ଆକାଶ ନିର୍ମଳ, ସୂର୍ଯ୍ୟଦେବତା ଜ୍ୱଳନ୍ତ ସୁନାପେଣ୍ଡୁଟି ପରି ଉଇଁ ଆସିଲେ । ଫେର୍ ଥରେ ସାହୁ ଘର ଭିତରୁ ଭାରି କାନ୍ଦଣା, ଶଙ୍ଖ, ହୁଳହୁଳି ଶୁଭିଲା । ବରକନ୍ୟା ନାଆରେ ବସିଲେ । ‘ଜେ ଜେ ଗଙ୍ଗାମାତା’ କହି କହି ନାଉରିମାନେ ଆଗେ ବରକନ୍ୟା ନାଆ ମେଲି ଦେଲେ, ତା ପଛକୁ ତା ପଛକୁ ସବୁ ନାଆ ମେଲିଗଲା । ଦୁଇ କୂଳରୁ ହଜାର ହଜାର ଲୋକ ‘ହରିବୋଲ’ ପକାଉଛନ୍ତି ।

                ଆଗ ନାଆ ଭାସିଯାଇ ଦୁଇକୋଶ ଦୂର ଶ୍ୟାମପୁର ଗାଁ ସଳଖରେ ଯେମିତି ପହଁଚିଛି, ସୂର୍ଯ୍ୟଦେବତା ଅଚାନକ ଭାବେ ବୁଡିଗଲେ । ନାଉରିଏ ଜାଣନ୍ତି, “ଉଇଁ ନ ଦିଶେ, ହସି ପଶେ, ବାପ ବୋଲେ ପୁତା ନିଶ୍ଚେ ବରଷେ ।” ନଈ ଦୁଇ କୂଳେ ଲୋକେ ଛିଡା ହୋଇ ଅନାଇଛନ୍ତି, ନାଉରିଏ ଭାରି ଆନନ୍ଦରେ ‘ହରିବୋଲ’ ଦେଇ ନାଆ ବାହିଯାଉଛନ୍ତି । ଯୋଡାଏ ନାଆ ଖଜା ପିଠା ବୋଝେଇ । ନାଆ ଖଟାଇ ଖାଇବେ । ଠିକ୍ ଏତିକିବେଳେ ଉତ୍ତର-ପଶ୍ଚିମ କୋଣରୁ ହେଁସଖଣ୍ଡ ପରି ଖଣ୍ଡେ ସାନ ଧୂଳିଆ ମେଘ ଉଇଁ ଆସିଲା । ସିଲିସିଲି ପବନ ଝିଲକେଇଲା । ଏସବୁ ଦେଖି ସେ ନାଉରିଏ ଡରିଗଲେ । ଆଉ ସମସ୍ତେ ବାହଣରେ ଲାଗିଛନ୍ତି । ‘ଜେ ଜେ – ଗଙ୍ଗାମାତାକି ଜେ’ ଗୀତ ଗାଇ ଆହୁଲା ବାହୁଛନ୍ତି । ନାଆ ଯିମିତି ମୁଣ୍ଡାପଡା ଗାଁ ମୁଣ୍ଡ ଛୁଇଁଛି, କଥା ପଦକେ ଗୋଟା ଆକାଶ ମେଘ ଘୋଡାଇ ପକାଇଲା – ସଙ୍ଗେ ସଙ୍ଗେ ପବନ, ତା ପଛକୁ ପାଣି । ପବନ ତ ପବନ, ଏପରି ଘୁଙ୍ଗୁଳିଆ ପବନ ଅକାଳେ ସକାଳେ ଦେଖିବାର ନାହିଁ । ବେତନାସି ଗୋଛାରେ ବାଡେଇଲାପରି ନାଉରିମାନଙ୍କ ଦେହକୁ ପାଣିଛାଟ ମାରୁଛି । ଦିନଯାକ ବରଷା ଖାଇ ଯେଉଁମାନେ ନାଆ ବାହିଯାଆନ୍ତି, ଦଣ୍ଡକ ମଧ୍ୟରେ ସେ ନାଉରିଗୁଡାକ ହାଲିଆ ହୋଇପଡିଲେଣି । ଦୁଇ କୂଳରୁ ଡାକ ପଡିଛି, “ନାଉରି, କୂଳ ଭିଡା, କୂଳ ଭିଡା ।” ବାଟକଢା ଡାକୁଛି, “ମଙ୍ଗୁଆଳ କୂଳ ଦେଖା – ଆରେ କୂଳକୁ ଦେଖା ।” ନାଆ କ’ଣ ମଙ୍ଗ ମାନୁଛି । ଘୁଙ୍ଗୁଳିଆ ପବନ ନାଆର ଆଗ ମଙ୍ଗ ପଛକୁ କରିଦେଉଛି, କେବେ ନାଆକୁ ଚକପରି ବୁଲାଇ ଦେଉଛି । ନଈକୂଳର ଭାରୀ ଭାରୀ ପୁରୁଣା ଆମ୍ବ, ବର, ଓସ୍ତଗଛଗୁଡିକ ମାରିଷ ଗଛ ପରି ଉପୁଡି ପଡୁଛି । ପୂବାଳି ଗୋଟାଏ ଭାରି ଦମକା ପବନ ବାଡେଇ ଦେଲା । ନାଆ ଉପର ମଙ୍ଗଧରା, ବାହାଣିଆ, ବାଟକଢା, ସବୁଗୁଡାକ ଝୁପ୍ଝାପ୍ କରି ନଈରେ ପଡିଗଲେ । ତଂଟିଆ ଦେଇ ସେମାନଙ୍କୁ କିଏ ଯେମନ୍ତ ପାଣିରେ ମାଡିଦେଲା । ନାଆଗୁଡାକ ଗୋଟାକ ଉପରେ ଗୋଟାଏ ବାଡେଇ ହେଉଛନ୍ତି, ଗୁଡାଏ ଠୋକର ଖାଇ ଭାଙ୍ଗି ଗୁଣ୍ଡା ହୋଇଗଲାଣି । ଆଉ ଦଣ୍ଡେ ସତାର କରିଥିଲେ ନାଆସବୁ ସୁଅପାଣିରେ ପଡି ଭାସିଯାଇଥାନ୍ତେ; ମାତ୍ର କଇଁତ୍ରାଗଡ ମୁଣ୍ଡରେ ନଈ ମଝିରେ ଗୋଟାଏ ବଡ ଭୀଷ୍ମ ମହାକାଳ ଦୂତ ପରି ଛିଡା ହୋଇଥିଲା, ସବୁ ନାଆ ତା ଉପରେ ବାଡେଇ ହୋଇ ଭାଙ୍ଗି ଚୂନା ହୋଇଗଲା । ଏମିତିକି ଖଣ୍ଡେ ବି ନାଆ ବର୍ତିପାରିଲା ନାହିଁ । ମନୁଷ୍ୟ ବା ବୋଝେଇ ଜିନିଷ କାହାରି ମଧ୍ୟ ଚିହ୍ନବର୍ଣ୍ଣ ନାହିଁ, ଗୁଡାଏ ପଟା ଭାସି ଭାସି ଯାଉଛି ।

                ଆଜକୁ ଠିକ୍ ହାତଗଣତା ହେଲା ବରଷେ । ଯୋଗ ଦେଖ, ଆଜି ବି ମିଥୁନ କୃଷ୍ଣଦଶମୀ, ମହାନଦୀ ଦୁଇକୂଳ ଖାଉଛି, ଉଛୁଳି ପଡିଲା ଭଳି । ଲଙ୍ଗଳକଂଟା ଗାଁ ତଳେ କୂଳ ଉପରେ ଯୋଡାଏ କୁସୁମଗଛରେ ଯୋଡାଏ ଲମ୍ବ ଲମ୍ବ ଦଉଡିରେ ଯୋଡାଏ ଝାଡୁଆ ନାଆ ଆଗ ମଙ୍ଗ ଖଟା ହୋଇଛି । ଟାଣ ସୁଅରେ ନାଆ ପଛ ମଙ୍ଗ ଅଳ୍ପ ଅଳ୍ପ ବିଂଚି ହେଉଛି । ବେଳେବେଳେ ସେ ନାଆ ଯୋଡାକ ନାଚି ଉଠୁଛନ୍ତି । ସେ ନାଉରିଗୁଡାକ ତ ଦିନଯାକ କାତ ପେଲି ଥକିଥିଲେ । ଯିମିତି ପଡିଯାଇଛନ୍ତି, ନିଘୋଡ ନିଦ, ଘୁଙ୍ଗୁଡି ମାରୁଛନ୍ତି । ଆକାଶରେ ଗୋଟାଏ ବି ତରା ନାହିଁ, ଘୋର ଅନ୍ଧାର । ବେଳେବେଳେ ଲତାବିଜୁଳି ଚମକି ଯାଉଛି । ଗୋଟାଏ ଭେଣ୍ଡିଆ ଖଣ୍ଡେ ନାଆ ପଛମଙ୍ଗରେ ଗାଲରେ ହାତ ଦେଇ ବସି କଣ ଚିନ୍ତା କରୁଛି । ଏଣେ ରାତି ତ ଅଧାଅଧି ଗଡିଗଲାଣି, କିଆଁ ଶୋଇବାକୁ ଯାଇ ନାହିଁ? ତପସ୍ୟା କଲା ପରି ଆଖିବୁଜି ଉଇହୁଙ୍କାଟି ପରି ତୁନି ହୋଇ ସେ ବସିଛି । ମଙ୍ଗଟା ଠିକ୍ ଗାଧୁଆତୁଠରେ ଅଂଟାଏ ସରିକି ପାଣିରେ ଭାସୁଛି । ଏତିକିବେଳେ ସେ ତୁଠର କିଛି ଦୂରରୁ ‘ହେ ଠାକୁରେ! ହେ ଗଙ୍ଗାମାତା! ମୋ ଧର୍ମ ରଖ!’ ବିକଳ ରଡି ଶୁଣି ସେ ମୌନୀ ଭେଣ୍ଡିଆଟି ଚମକି ପଡିଲା । ଯେମନ୍ତ ଦେବୀ ପ୍ରତିମାଟିଏ ଧାଇଁଛି, ତା ପଛରେ ଯେମନ୍ତ ଗୋଟାଏ କାଳିଆଭୂତ ମତୁଆଲା ମଣିଷ ପରି ଟଳି ଟଳି ପଡି ଉଠି ଗୋଡାଉଛି । ନିତାନ୍ତ କର୍କଶ ଭାଷାରେ ସେ ପାଟିକରି କହୁଛି, “ଏ ବରଷକୁତା ତୋ ପିଛା ଲାଗିଛି, କଥା ଶୁଣୁ ନ ଥିଲୁ ପରା? ଆଜି ଆଚ୍ଛା ବେଳେ ଆଚ୍ଛା ଜାଗାରେ ଆପେ ଆପେ ତୋର ଭେଟ ମିଳିଗଲା । ଡାକିଲୁ ମୋ ମା’କୁ, ତା ବୋପା ଆସି ରଖୁ । ମୋ ବୋଉ ତୋତେ ଜଗି ବସିଥିଲା! କେହି ତୋ ପିଠିରେ ପଡୁ ନାହିଁ?” ଏଣେ ଏ ଯୁବତୀଟି ଆକୁଳରେ ରଡି ଛାଡିଛି, “ମହାପ୍ରଭୁ! ମୋ ଧର୍ମ ରକ୍ଷାକର । ମା’ ଗଙ୍ଗା! ମୋତେ କୋଳକୁ ନିଅ । ମୋ ସ୍ୱାମୀ – ମୋ ମୁଣ୍ଡର ମଣି – ମୋ ପ୍ରାଣ ଦେବାତାକୁ କୋଳକୁ ନେଇଛ, ଏବେ ମୋତେ ନିଅ ।”

                ନାଆ ମଙ୍ଗପାଖରୁ ସେ ଘଟଣା ଜାଗା ପାଂଚ ଛ’ ହାତ ଛଡା । ଯୁବତୀ ଆଉ ଆଗନ୍ତୁକ ଭିଡାଭିଡି ଲାଗିଛନ୍ତି । ମଙ୍ଗ ଉପର ଲୋକ ଯୁବତୀର ସ୍ୱର ଶୁଣି ହଠାତ୍ ଚମକି ପଡିଲା । ସେତିକିବେଳେ ବିଜୁଳିଟାଏ ବି ଚମକିଗଲା । ଯୁବକ ଆଖିକୁ ଝକ୍ଝକ୍ ପଦ୍ମାବତୀ ରୂପ ପରି ଦିଶିଗଲା । ତା’ପରେ ସେ ଆଉ ମୋଟେ ସମ୍ଭାଳି ପାରିଲା ନାହିଁ । ଆଗରେ ଗୋଟାଏ କାଠୁଆ ଆହୁଲା ପଡିଥିଲା, ତାକୁ ଧରି ମଙ୍ଗଠାରୁ ସାତ ଆଠ ହାତ ଦୂରକୁ ହୁଙ୍କାର ଦେଇ ଯିମିତି ସେ ଡେଇଁ ପଡିଛି, ସେହି ଉଦଣ୍ଡା ରାକ୍ଷସଟା ମୁଣ୍ଡରେ ଟାଣି ଏକ ପାହାର । ଲୋକଟା ‘ବାପାରେ’ ବୋଲି କହି ସେ ନଈ ଭିତରେ ସାତ ଆଠ ହାତ ଦୂରକୁ ଛିଟିକି ପଡିଲା । ପାଣିଟା ଟବ୍ କରି ଯାହା ଶୁଭିଛି, ବାସ୍ ସେତିକି । ଯୁବକ ଆଉ ପାହାରେ ବାଡେଇବାକୁ ଆହୁଲା ଉଂଚାଇଲା – ଦେଖିଲା ସେ ମଣିଷର ଆଉ ଚିହ୍ନ ନାହିଁ । ଯୁବତୀ ବିଜୁଳି ଆଲୁଅରେ ମାତ୍ର ଏତିକି ଦେଖିଲା ଯେମନ୍ତ ଆକାଶରୁ ଗୋଟିଏ ଦେବତା ଖସି ପଡି ସେ ପାଷାଣ୍ଡ ହାତରୁ ତାକୁ ରକ୍ଷା କଲେ । ଏହା ଦେଖି ଅତ୍ୟନ୍ତ ଆକୁଳରେ ସେ ଯୁବତୀଟି ‘ମୋ ପ୍ରଭୁ! ଦେବତା’ ଏତିକି କହି ସେ ଯୁବକକୁ କୁଣ୍ଢେଇ ପକାଇଲା । ଆଉ ତାହାର ଜ୍ଞାନ ନାହିଁ ।


ଗପ ସାରଣୀ

ତାଲିକାଭୁକ୍ତ ଗପ