ଅଧିକାର

        ଠିକ୍ ଏହାର ଦୁଇଦିନ ପରେ ଆଉଜଣେ ରାଜକୁମାର ଆସି ପହଁଚିଲେ । ସେ ରାଜକୁମାରୀଙ୍କୁ କହିଲେ, “ମୁଁ ମୋର ଖଣ୍ଡା ଉପରେ ବିଶ୍ୱାସ କରେ । ମୁଁ ଯାହା ସହିତ ଯୁଦ୍ଧ ଆରମ୍ଭ କରେ, ତାକୁ ମାରିକରି ଛାଡେ ।” ରାଜକୁମାରଙ୍କର କଥା ଶୁଣିବାପରେ ରାଜକୁମାରୀ ତାଙ୍କୁ ମଧ୍ୟ ଅତିଥି ଗୃହରେ ରହିବାପାଇଁ କହିଲେ । ଶୀଘ୍ର ନିର୍ଣ୍ଣୟ କରିବାର ସମୟ ଆସିଲା । ନିର୍ଦ୍ଦିଷ୍ଟ ଦିନ ତିନିଜଣ ଯାକ ରାଜକୁମାର ଦରବାରରେ ଆସି ଉପସ୍ଥିତ ହେଲେ । ଏହି ସମୟରେ ହଠାତ୍ ଜଣେ ପରିଚାରିକା ଆସି ରାଜାଙ୍କୁ କହିଲା, “ମହାରାଜ! ରାଜକୁମାରୀ ତାଙ୍କ କକ୍ଷରେ ନାହାଁନ୍ତି ।” ପରିଚାରିକାର କଥା ଶୁଣି ସମସ୍ତେ ହତ୍ବାକ୍ ହୋଇଗଲେ । ରାଜାଙ୍କର ସମସ୍ତ କର୍ମଚାରୀ ଚାରିଆଡେ ଖୋଜାଖୋଜିରେ ଲାଗିପଡିଲେ । ହେଲେ କେଉଁଠାରେ ମଧ୍ୟ ରାଜକୁମାରୀଙ୍କର ପତା ମିଳିଲା ନାହିଁ । ଏହାପରେ ରାଜମାତା ପ୍ରଥମ ରାଜକୁମାରଙ୍କୁ କହିଲେ, “ତୁମେ ତ’ ତ୍ରିକାଳଦର୍ଶୀ । ତା’ ହେଲେ ତୁମେ ତ’ ଗଣନାକରି ରାଜକୁମାରୀ ବର୍ତ୍ତମାନ କେଉଁଠାରେ ଅଛନ୍ତି କହିପାରିବ?” ରାଜମାତାଙ୍କ କଥା ଶୁଣି ରାଜକୁମାର ସଂଗେ ସଂଗେ ଗଣନା ଆରମ୍ଭ କରିଦେଲେ । ସେହି ପ୍ରଥମ ରାଜକୁମାରଙ୍କର ନାମ ବୀରେନ୍ଦ୍ର ଥିଲା । ସେ ଗଣନା କରି କହିଲେ, “ରାଜକୁମାରୀଙ୍କୁ ଏକ ରାକ୍ଷସ ତା’ର ମାୟା ଜାଲରେ ବାନ୍ଧି ନେଇ ଯାଇଛି । ରାକ୍ଷସ ରାଜକୁମାରୀଙ୍କୁ ଆରାବଳୀ ପର୍ବତମାଳା ମଧ୍ୟରେ ଥିବା ଗୁମ୍ଫା ମଧ୍ୟରେ ରଖିଛି ।” ଏପରିକି ରାଜକୁମାର ବୀରେନ୍ଦ୍ର ମଧ୍ୟ ଗୁମ୍ଫା ନିକଟକୁ ଯିବାର ରାସ୍ତା କହିଦେଲେ ।

        ଏହାପରେ ଦ୍ୱିତୀୟ ରାଜକୁମାର ଉଦୟବୀର ତାଙ୍କର ଅଲୌକିକ ରଥ ମାଧ୍ୟମରେ ରାକ୍ଷସର ଗୁମ୍ଫା ନିକଟରେ ଯାଇ ପହଁଚିଗଲେ । ରାକ୍ଷସ ରଥ ଉପରେ ତିନି ଜଣ ରାଜକୁମାରଙ୍କୁ ଦେଖି ସେମାନଙ୍କ ସହିତ ଯୁଦ୍ଧ କରିବାକୁ ଆଗେଇ ଆସିଲା । ରାକ୍ଷସକୁ ସାମ୍ନାରେ ଦେଖିବା ମାତ୍ରକେ ତୃତୀୟ ରାଜକୁମାର ଧନଂଜୟ ଖଣ୍ଡା ଧରି ରାକ୍ଷସ ସହିତ ଯୁଦ୍ଧରେ ମାତିଗଲା । କିଛି ସମୟପରେ ଧନଂଜୟ ରାକ୍ଷସକୁ ମାରିଦେଲା । ରାକ୍ଷସକୁ ମାରିବାପରେ ତିନିଜଣଯାକ ରାଜକୁମାର ରାଜକୁମାରୀଙ୍କୁ ସାଂଗରେ ଧରି ମଗଧ ଦେଶରେ ଯାଇ ପହଁଚିଲେ । ତିନିଜଣ ରାଜକୁମାର ରାଜକୁମାରୀଙ୍କୁ କେମିତି ଉଦ୍ଧାର କଲେ ରାଜାଙ୍କ ଆଗରେ ବର୍ଣ୍ଣନା କଲେ । ଏହାପରେ ତିନିଜଣଯାକ ରାଜକୁମାର ରାଜକୁମାରୀଙ୍କୁ ବିବାହ କରିବାକୁ ଦାବି କଲେ । ପ୍ରଥମ ଜଣକ କହିଲା ମୁଁ ଭବିଷ୍ୟତ ସଂପର୍କରେ କହିବାରୁ ରାକ୍ଷସ ମରାଗଲା । ଦ୍ୱିତୀୟ ଜଣକ କହିଲା ମୋର ଅଲୌକିକ ରଥ ଥିବାରୁ ରାକ୍ଷସକୁ ମରାଗଲା । ତୃତୀୟ ଜଣକ କହିଲା ମୁଁ ଯୁଦ୍ଧ କରିବାରୁ ରାକ୍ଷସ ମଲା ।

        ଏହାପରେ ବେତାଳ ରାଜା ବିକ୍ରମଙ୍କୁ କହିଲା, “ରାଜା ତୁମେ ତ’ ନ୍ୟାୟବାନ୍ । ତୁମେ ବର୍ତ୍ତମାନ କୁହ ରାଜକୁମାରୀ କାହାକୁ ବିବାହ କଲେ ଠିକ୍ ହେବ?” ବେତାଳର କଥା ଶୁଣି ବିକ୍ରମ କିଛି ସମୟ ଚିନ୍ତା କରିବାପରେ କହିଲେ, “ଶୁଣ ବେତାଳ! ରାଜକୁମାରୀ ତୃତୀୟ ରାଜକୁମାର ଧନଂଜୟକୁ ବିବାହ କରିବା ଉଚିତ୍ । କାରଣ ରାଜକୁମାରୀଙ୍କୁ ରାକ୍ଷସ ନେଇଥିବା କଥା ଅସମ୍ଭବ ନୁହେଁ । ଦୁଇ ଚାରିଦିନ ଯିବା ପରେ ଏହି କଥା ନିଶ୍ଚିତ ଜଣାପଡିଥାଆନ୍ତା । କଥା ଜଣା ପଡିବା ପରେ ସେଠାରେ ପହଁଚିବା ଆଦୌ ଅସମ୍ଭବ ନୁହେଁ । ଯେମିତି ହେଲେ ରାଜା ସେଠାରେ ପହଁଚିପାରି ଥାଆନ୍ତେ । ଅସଲ କଥା ହେଉଛି ରାକ୍ଷସକୁ ମାରି ତା’ର କବଳରୁ ରାଜକୁମାରୀଙ୍କୁ ଉଦ୍ଧାର କରିବା । ଯେଉଁ କାର୍ଯ୍ୟ ଧନଂଜୟ କରିଦେଖାଇଲେ । ତେଣୁ ଯେହେତୁ ଧନଂଜୟ ଯୋଦ୍ଧା, ବୀର, ସାହସୀ ରାଜକୁମାରୀ ତାଙ୍କୁ ବିବାହ କଲେ ଠିକ୍ ହେବ ।”

        ରାଜାଙ୍କ କଥା ଶୁଣିସାରିବାପରେ ବେତାଳ କହିଲା, “ରାଜା! ତୁମେ ଠିକ୍ ନ୍ୟାୟ କରିଛ । ଏହି କଥା କହିସାରି ବେତାଳ ଅଟ୍ଟହାସ୍ୟ କରିବାକୁ ଲାଗିଲା । ସଂଗେ ସଂଗେ ବେତାଳ ରାଜାଙ୍କ କାନ୍ଧରୁ ଉପରକୁ ଉଠିଗଲା ଏବଂ ଉଡିବାକୁ ଲାଗିଲା ।” ବେତାଳ ଏତେ ଉଚ୍ଚରେ ଥିଲା ଯେ ରାଜାଙ୍କର ଖଣ୍ଡା ତାକୁ ଛୁଇଁ ପାରୁନଥାଏ । ଏହିପରି ଅଟ୍ଟହାସ୍ୟ କରି ବେତାଳ ତାର ସ୍ଥାନକୁ ଚାଲିଗଲା । ବିକ୍ରମ ପୁଣି ତା’ର ପଛେ ପଛେ ଯାଇ ସେହି ଗଛ ମୂଳରେ ପହଁଚିଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ