ଅଧିକ ବିଦ୍ୱାନ୍ ଓ ଗୁଣବାନ୍

         ପଣ୍ଡିତଙ୍କର ଦଳପତି ଏଥର ଯାଇ ନିଜର ଆସନରେ ବସିପଡନ୍ତେ ସମ୍ରାଟ୍ କହିଲେ – ସମ୍ବାଦ ପଠାଇଥିଲି ବିରବଲ ମୋ ଦରବାରରେ ଉପସ୍ଥିତ ହେଲେ ନା ନାହିଁ ।

         ବୀରବଲ ସଙ୍ଗେ ସଙ୍ଗେ ଚାଲିଥିବା ଦରବାର ମଧ୍ୟରେ ଦଣ୍ଡାୟମାନ ହୋଇଯାଇ କହିଲେ, ଜାହାଁପନା, କୁହନ୍ତୁ, ମୁଁ ଆପଣଙ୍କର ବୀରବଲ ଏଠାରେ ଉପସ୍ଥିତ ହୋଇଛି ।

         ଆସିଯାଇଛ ତାହା ହେଲେ, – ଏହା କହି ବାଦ୍ଶାହା ହସି ଦେବା ସହିତ କହିଲେ – ବିରବଲ ତୁମେ ଏଥର ମୋତେ କହିଲ ଦେଖି ଦରବାରର ପୃଷ୍ଠଦେଶରେ କାହାର ଶବ୍ଦ ହେଉଅଛି ।

         ଆଜ୍ଞା ହଜୁର୍ – କହି ବିରବଲ ଦରବାରର ପୃଷ୍ଠଦେଶକୁ ଚାଲିଗଲେ । ପାରିଷଦଗଣମାନେ ଚାହିଁ ରହିଥାନ୍ତି, ସଂଗେ ସଂଗେ ବିରବଲ ଫେରି ଆସି କହିଲେ – ହେ ଜାହାଁପନା, କୁତି ଗୋଟାକ ପାଂଚ ଗୋଟି ସନ୍ତାନ ପ୍ରସବ କରିଛି । କୁତି ତା’ର ଛୁଆକୁ କେହି ନେଇଯିବ କିମ୍ବା କେହି ଛୁଆମାନଙ୍କ ସାଥିରେ ଲାଗିବା ଭୟରେ ମଝିରେ ମଝିରେ କୁଆଁ କୁଆଁ ଶବ୍ଦରେ ବୋବାଉ ଅଛି । ଏହା ବ୍ୟତୀତ କିଛି ନାହିଁ ।

         ସମ୍ରାଟ୍ ପୁଣି ପଚାରିଲେ – କୁତିର ଯେଉଁ ପାଂଚଗୋଟି ଛୁଆ ଦେଖିଲ ସେମାନଙ୍କ ମଧ୍ୟରୁ ଅଣ୍ଡିରା ଓ ମାଈ ଛୁଆଙ୍କ ସଂଖ୍ୟା କହିପାରିବ?

         ବିରବଲ ସଂଗେ ସଂଗେ ଉତ୍ତର ଦେଲେ ଯେ, କୁତି ଦେଇଥିବା ଛୁଆଙ୍କ ମଧ୍ୟରୁ ଦୁଇଗୋଟି ଅଣ୍ଡିରା ଓ ତିନିଗୋଟି ମାଈ ଅଛନ୍ତି, ହଜୁର୍ ।

         ତୁମେ କ’ଣ ସେହି ଛୁଆଗୁଡିକର ରଙ୍ଗ କଥା ଏବେ କହିପାରିବ?

         ବିରବଲ କହିଲେ – କାହିଁକି କହିପାରିବିନି ଆଜ୍ଞା, ସମସ୍ତ କୁକୁରଙ୍କ ମଧ୍ୟରେ ଗୋଟିଏ ସଂପୂର୍ଣ୍ଣ କଳାରଙ୍ଗର ଓ ଅନ୍ୟଟି ବାଦାମୀ ରଙ୍ଗର ଏମାନେ ଅଣ୍ଡିରା ଅଟନ୍ତି । ଅବଶିଷ୍ଟ ତିନିଗୋଟି ମାଈ ଛୁଆଙ୍କ ମଧ୍ୟରୁ ଦୁଇଗୋଟି ସମ୍ପୂର୍ଣ୍ଣ କଳା ଓ ଅନ୍ୟ ଗୋଟିକ ବାଦାମୀ ରଙ୍ଗର ଅଟନ୍ତି ।

         ଦରବାରରେ ବିରବଲଙ୍କଠାରୁ ସମସ୍ତ ପ୍ରଶ୍ନର ଉତ୍ତର ଏକାଥରକେ ଶୁଣି ସାରି ସମ୍ରାଟ୍ ଆକବର ଖୁବ୍ ଆନନ୍ଦିତ ହୋଇ ଅନ୍ୟ ପଣ୍ଡିତମାନଙ୍କର ଦଳପତିଙ୍କୁ ଦେଖାଇ କହିବାକୁ ଆରମ୍ଭ କଲେ । ଏଥର ତୁମ୍ଭ ଦଳ ଓ ବିରବଲଙ୍କ ମଧ୍ୟରେ ପାର୍ଥକ୍ୟ କ’ଣ ଦେଖିଲ ।

         ଦଳପତି ଏହି ପ୍ରଶ୍ନର ଉତ୍ତର ଦେବାରେ ବିଳମ୍ବ କଲା ଓ ଯାହା କହିବ ବୋଲି ଚେଷ୍ଟା କରୁଥିଲା ସେଥିରେ ସେ ବିଫଳ ହେଲା ।

         ସମ୍ରାଟ୍ କହିଲେ – କୁକୁର ସମ୍ବନ୍ଧୀୟ ସମସ୍ତ ପ୍ରଶ୍ନର ଉତ୍ତର ଦେବା ଲାଗି ତୁମ୍ଭଙ୍କୁ କୁତି ପାଖକୁ ଗଣି ଗଣି ତିନିଥର ଯିବାକୁ ପଡିଲା ହେଲେ ବିରବଲ ମାତ୍ର ସେହି ଗୋଟିଏ ଥରରେ ମୋର ସମସ୍ତ ପ୍ରଶ୍ନର ଉତ୍ତର ଦେଇପାରିଲେ । ସେଥିଲାଗି ମୋ ଦରବାରରେ ବିରବଲଙ୍କ ସ୍ଥାନ ଅତି ଉଚ୍ଛରେ ରଖାଯାଇଛି ।

         ଆକବରଙ୍କ ମୁଖରୁ ଏକଥା ଶୁଣିବା ମାତ୍ରେ ପଣ୍ଡିତମାନେ ତଳକୁ ମୁଖ ପୋତି ବସିଲେ ଓ ସମସ୍ତ ଦରବାରର ସଦସ୍ୟଙ୍କ ଆଗରେ ନିଜର ଦୋଷ ସ୍ୱୀକାର କଲେ । ବିରବଲ ମଧ୍ୟ ସେମାନଙ୍କୁ ଯାଇ ଆଲିଙ୍ଗନ କଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ