ଅନୁସନ୍ଧାନ

ରାଜା ପଚାରିଲେ “ଭିଖାରୀଟା ଆମକୁ କେଉଁ ମୂଲ୍ୟବାନ ତଥ୍ୟ ଯୋଗାଇ ପାରିବ?”

“ଆଜ୍ଞା, ଭିଖାରୀ ହେଲେ ବି ତ ସେ ଆପଣଙ୍କ ପ୍ରଜା ନା! ତା’ ସହ କଥାବାର୍ତ୍ତା ହେବାରେ ଆମର କ୍ଷତି କ’ଣ? ମନ୍ତ୍ରୀ ଏହା କହିଲେ ଓ ସେ ଭିଖାରୀକୁ ପାଖକୁ ଡାକି ପଚାରିଲେ, “ତମେ କେତେଦିନ ହେଲା ଭିଖ ମାଗୁଛ?”

ଏକଥା ଶୁଣି ସେ ଭିଖାରୀ କହିଲା “ବାବୁ, ତିରିଶ ବର୍ଷ ହେଲା! କିନ୍ତୁ ମୁଁ ଯେ ଭିଖାରୀ, ସେକଥା ଏଇ ଗଲା ପନ୍ଦର ବର୍ଷ ହେଲା କ୍ରମେ କ୍ରମେ ମୁଁ ବୁଝୁଛି ।”

ମନ୍ତ୍ରୀ କହିଲେ “ତମ କଥା ତ କାହିଁ ସ୍ପଷ୍ଟ ହେଲା ନାହିଁ ।”

ଭିଖାରୀ ଦୀର୍ଘନିଃଶ୍ୱାସ ଛାଡି କହିଲା “ବାବୁ, ଦିନଥିଲା, ଲୋକେ ଭିଖ ଦେବାକୁ ଭାରି ଆଗ୍ରହୀ ଥିଲେ । ଦିନକରେ ଦୁଇଘଂଟା ବୁଲିଲେ ଯାହା ମିଳୁଥିଲା, ସେଥିରେ ଦିନଟି ବେଶ୍ ଭଲରେ କଟି ଯାଉଥିଲା । ଦଶବର୍ଷ ତଳେ ଦିନକରେ ଚାରି ପାଂଚଘଂଟା ବୁଲିବାକୁ ପଡୁଥିଲା । ଆଉ ଏଣିକି? ବାବୁ! ଗତ କାଲି ଓ ଆଜି ଦୁଇଦିନ କାଳ ଦୈନିକ ଆଠ ଘଂଟା ଲେଖାଏଁ ମୁଁ ବୁଲୁଛି । କିନ୍ତୁ କାଲି ପେଟପୁରା ଖାଇ ନଥିଲି କି ଆଜି ବି ପେଟପୁରା ଖାଇବି, ସେ ଆଶା ମୋର ନାହିଁ ।”

ମନ୍ତ୍ରୀ ନିଜ ମୁଣିରୁ କିଛି ପଇସା ବାହାର କରି ତାକୁ ଦେଲେ । ଏହାପରେ ସେ ଜୁହାର କରି ସେଠାରୁ ଚାଲିଗଲା ।

ମନ୍ତ୍ରୀ ରାଜାଙ୍କ ଆଡକୁ ଅନାଇଲେ । ରାଜା ଟିକିଏ ଚିନ୍ତିତ ଭାବରେ କହିଲେ, “ମନ୍ତ୍ରୀ, ଲୋକଙ୍କ ଭିତରେ ଧର୍ମଭାବ ଯେ କମି ଯାଉଛି, ଏଥିରେ ତ କୌଣସି ସନ୍ଦେହ ନାହିଁ । ଲୋକେ ଭିଖ ଦେଇ ପୂଣ୍ୟ ଅର୍ଜନ କରିବାକୁ ଆଉ ଆଗ୍ରହୀ ନୁହଁନ୍ତି ।”

ମନ୍ତ୍ରୀ ରାଜାଙ୍କ ଏକଥା ଉପରେ କୌଣସି ମନ୍ତବ୍ୟ ଦେଲେ ନାହିଁ ।

ରାଜା ପୁଣି ପଚାରିଲେ “ତମେ କ’ଣ ମୋ ସହ ଏକମତ ନୁହଁ?”

ମନ୍ତ୍ରୀ କହିଲେ “ମହାରାଜ! ଲୋକଙ୍କ ଭିତରେ ଧର୍ମଭାବ କମିଗଲେ ରାଜ୍ୟରେ ତ ଚୋରି ଡକାଏତି ଓ ଅନ୍ୟାନ୍ୟ ବିଶୃଙ୍ଖଳା ବଢିଯାଇଥାନ୍ତା । କିନ୍ତୁ ଏପର୍ଯ୍ୟନ୍ତ ତ କାହିଁ ସେପରି କିଛି ହୋଇନାହିଁ । ତେଣୁ ଭିଖାରୀର ଯେଉଁ ଅଭିଜ୍ଞତା ହେଉଛି, ତାହାର ଅର୍ଥ ଭିନ୍ନ ବୋଲି ମୋର ଧାରଣା ।”

ରାଜା ପ୍ରଶ୍ନ କଲେ “ତେବେ ତା’ର ଏଭଳି କହିବାର ଅର୍ଥ କ’ଣ ବା ହୋଇପାରେ?”

ମନ୍ତ୍ରୀ କହିଲେ “ତା’ର ଅର୍ଥ ସହଜ! ଲୋକେ ଯେତେବେଳେ ନିଜେ ଖାଇ ପିଇ ବିନା ଅଭାବରେ ରହନ୍ତି, ସେତେବେଳେ ଯାଇ ସେମାନେ ଅନ୍ୟକୁ କିଛି ଦେବାକୁ ମନ ବଳାନ୍ତି । ଲୋକଙ୍କର ଅଭାବ ବଢି ଚାଲିଛି ବୋଲି ଭିଖାରୀର ଆୟ କମି ଯାଉଛି ।”

ଏକଥା ଶୁଣି ସେ ରାଜା ଅତ୍ୟନ୍ତ ଆଶ୍ଚର୍ଯ୍ୟ ହେଲେ । କାରଣ ତାଙ୍କୁ ତାଙ୍କ ଚାଟୁକାରମାନେ ଭିନ୍ନ ଧାରଣା ଦେଇଥିଲେ! ରାଜା ଏହାପରେ ଆହୁରି ବହୁତ ବୁଲାବୁଲି କରି ମନ୍ତ୍ରୀଙ୍କ କହିବା କଥା ଠିକ୍ ବୋଲି ବୁଝିଲେ । ତେଣିକି ସେ ରାଜ୍ୟର ଅବସ୍ଥା ସୁଧାରିବାରେ ମନ ଦେଲେ । ଦୁର୍ନୀତିଗ୍ରସ୍ତ କର୍ମଚାରୀମାନଙ୍କୁ ତଡି ଦେଲେ ଓ ଦଣ୍ଡ ଦେଲେ । ବେପାର ବାଣିଜ୍ୟର ଯେପରି ଉନ୍ନତି ହେବ, ସେ ବ୍ୟବସ୍ଥା ମଧ୍ୟ କଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ