ଅପୂର୍ବଙ୍କ ପରାକ୍ରମ

ସ୍ତ୍ରୀ ଲୋକଟିର ଏଭଳି ଚିତ୍କାର ଶୁଣି ତା’ର ପଡୋଶୀମାନେ ନିଜ ନିଜ ଘରୁ ବାହାରି ଆସିଲେ । ସମସ୍ତେ ଅଳ୍ପ ସମୟ ଭିତରେ ବୁଝିଗଲେ ଯେ ଘଟଣା କ’ଣ ହୋଇଛି । କିନ୍ତୁ ସମସ୍ତେ ଭୈରବ ସର୍ଦ୍ଦାର ଆଗରେ ଏକଦମ୍ ଅସହାୟ । କେହି କିଛି ହେଲେବି କରିପାରିଲେ ନାହିଁ ।

ଅପୂର୍ବ ଦେଖିଲା ଯେ ଗାଁ ବାଲା କେହି କିଛି କରୁନାହାଁନ୍ତି, କାରଣ ଭୈରବ ସର୍ଦ୍ଦାର ଆଗରେ ତାଙ୍କର ଏତେ ସାହସ ନଥିଲା । ତେଣୁ ଆଉ କାଳବିଳମ୍ବ ନକରି ଅପୂର୍ବ ସେମାନଙ୍କର ପିଛା କଲା ।

ସେମାନେ ପ୍ରାୟ ପାଞ୍ଚମାଇଲ୍ ପର୍ଯ୍ୟନ୍ତ ଚାଲିଲେ । ତା’ପରେ ପାହାଡ ଦ୍ୱାରା ଘେରିଥିବା ଏକ ଛୋଟ ପାହାଡ ଉପରେ ସେମାନେ ଯାଇ ପହଁଚିଲେ । ସେଠାରେ କେତେଗୁଡିଏ ଗୁମ୍ଫା ଓ ସେହି ଗୁମ୍ଫାମାନଙ୍କ ସାମନାରେ ସବୁ ଡାକୁମାନେ ଠିଆ ହୋଇଥିଲେ ।

ସର୍ଦ୍ଦାର ପ୍ରଶ୍ନ କଲା “ଦେବତାଙ୍କ କରୁଣାରୁ ଆମକୁ ଆମର ପସନ୍ଦମତ ଜିନିଷ ମିଳିଗଲା ସର୍ବଲକ୍ଷଣ ସମ୍ପନ୍ନ । ତୁମେମାନେ ପୂଜା ପାଇଁ ପ୍ରସ୍ତୁତ ତ?”

ଜଣେ ଡାକୁ କହିଲା “ପ୍ରସ୍ତୁତ ସର୍ଦ୍ଦାର, ଜ୍ୟୋତିଷ ପାଞ୍ଜିଦେଖି ସମୟ ନିର୍ଦ୍ଧାରିତ କରିଛି; ଅଧରାତି ହେଉଛି ଏଥିପାଇଁ ପ୍ରକୃଷ୍ଟ ସମୟ ।”

ସର୍ଦ୍ଦାର ହୁକୁମ୍ ଦେଲା “ସାବାସ୍ । ଏବେ ଏହାକୁ ନେଇ ଦେବତାଙ୍କ ଗୁମ୍ଫାର ପାଖ ଗୁମ୍ଫାରେ ବନ୍ଦୀ କରି ରଖ । ଏହି ନିଅ ନିଦର ଔଷଧ । ଅଳ୍ପ ପାଣି ସହିତ ତାହା ଖୁଆଇବ । ଅଳ୍ପ ଔଷଧ ପକାଇବ । ବେଶି ହେଲେ ରାତିରେ ସେ ଆଉ ଉଠିପାରିବ ନାହିଁ । କର୍ମକାଣ୍ଡ ସମ୍ପୂର୍ଣ୍ଣ କରିବା ପର୍ଯ୍ୟନ୍ତ; ସେ ବନ୍ଦୀ ସମୟରେ ଜାଗ୍ରତ ହେବା ଦରକାର ।”

ଅପୂର୍ବ ଦେଖିଲା ଜଣେ ବ୍ୟକ୍ତି ଗୁମ୍ଫାରୁ ହାତରେ କିଛି ପାଣି ସହିତ ବାହାରି ଆସିଲା, ତହିଁରେ ନିଦ ଔଷଧ ମିଶାଇଲା ଓ ପିଲାଟିକୁ ଜୋର୍ ଜବରଦସ୍ତ ସେତକ ଗିଳାଇବା ପାଇଁ ଚେଷ୍ଟା କଲା ।

ଭୈରବ ସର୍ଦ୍ଦାର କହିଲା “ସିଏ ନିଦରେ ଶୋଉ ନା ନାହିଁ, ଔଷଧ ଖାଉ ନା ନାହିଁ, ଏତେ କଷ୍ଟରେ ଆମେ ଲକ୍ଷଣଯୁକ୍ତ ପିଲାଟିଏ ପାଇଛୁ ତାକୁ ଯେପରି କେହି ଛଡାଇ ନ ନିଏ ।”

ଜଣେ ଡାକୁ କହିଲା “କିଏ ନେବ ଓ କୁଆଡେ ବା ନେବ? ଏଠାରୁ ରାସ୍ତା ପାଇ ପଳାଇବା ପରି ବୁଦ୍ଧିମାନ୍ ସେ ନୁହେଁ । ଏ ଘାଟିରୁ ବାହାରକୁ ଯିବାର ରାସ୍ତା ମିଳିଲେ ତ?”

ସର୍ଦ୍ଦାର କହିଲା “ଏବେ କଥା ବନ୍ଦ କରି ମୁଁ ଯାହା କହୁଛି ତାହା କର ।”

ଜଣେ ଡାକୁ କହିଲା “ଯେ ଆଜ୍ଞା ସର୍ଦ୍ଦାର । ହୁକୁମ୍ ଦିଅନ୍ତୁ ।”

ପିଲାଟିକୁ ଗୁମ୍ଫା ଭିତରକୁ ନେଇ ତାକୁ ଏକ ସପ ଉପରେ ଶୁଆଇ ଦିଆଗଲା । ଅପୂର୍ବ ଏସବୁ ଲୁଚି ଲୁଚି ଦେଖୁଥିଲା । ସେ ହଲିବାରୁ ଗଛଗୁଡା ବି ହଲିଲା । ଜଗୁଆଳୀ ଡାକୁ କହିଲା, “କିଏ କିରେ ଏଠି ଗଛ ହଲାଉଛି?” ଆଉ ଜଣେ କହିଲା, “ହୁଏତ ଠେକୁଆ ହୋଇଥିବ ନହେଲେ ଏଠିକି ଆଉ କିଏ ବା ଆସିବ?”

ଡାକୁ ଦୁଇଜଣ ସେ ଶବ୍ଦ କଥା ଭୁଲିଯାଇ ପୁଣି ନିଜ କାମରେ ମନ ଦେଲେ । ଅନ୍ଧାର ହୋଇଥିବାରୁ ଅପୂର୍ବ ପାଇଁ ଅଧିକ ସୁବିଧା ହେଲା । ସେ ଅନ୍ଧାର ଭିତରେ ବୁଲି ବୁଲି ସେମାନଙ୍କ କାମ ଦେଖିଲା । ତା’ପରେ ସେ ଅପୂର୍ବ ପୂର୍ବୋକ୍ତ ବାଳକ ବନ୍ଦୀ ହୋଇଥିବା ଗୃହକୁ ଗଲା । ଦେଖିଲା ବାଳକଟି ଔଷଧ ଖାଇ ଶୋଇ ପଡିଛି । ଅପୂର୍ବ ଦେହରେ ତ ହାତୀଟିଏ ଟେକି ନେବାର ବି ଅଲୌକିକ ଶକ୍ତି ଥିଲା । କିନ୍ତୁ ସେ ବିଚାର କରି ଦେଖିଲା ଯେ ସେ ଯଦି ପିଲାକୁ ସେଠାରୁ ଟେକିନେବ ତେବେ ଡାକୁମାନେ ତାକୁ ନପାଇ ଖୋଜିବେ ଓ ଶେଷରେ ସେ ଦୁହେଁ ଧରା ପଡିବେ । କାରଣ ଅପୂର୍ବର ସିନା ଅଦୃଶ୍ୟ ହୋଇଯିବାର ଶକ୍ତି ଅଛି, କିନ୍ତୁ ସେ ବାଳକର ତ ଆଉ ନାହିଁ ।

ତା’ପରେ ସେ ବାହାରକୁ ଆସି ଦେଖିଲା, ସେମାନେ ସମସ୍ତେ ମଦ ପିଇ ହସି ହସି ଗଡୁଛନ୍ତି ତାହା ପୁଣି ତାଙ୍କ ଦେବତାଙ୍କ ସମ୍ମୁଖରେ; ତାଙ୍କର ଦେବତା ହେଲେ ଶାର୍ଦ୍ଦୁଳର ଏକ ପ୍ରତିମୂର୍ତ୍ତି । ଅପୂର୍ବ ଏସବୁ ଦେଖି ନିଜେ ଟିକିଏ ହସିଦେଲା ।

ସର୍ଦ୍ଦାର ଗର୍ଜି ଉଠି କହିଲା ଦଦୁଆ, ତୁମେ ପୂଜକ । ତୁମେ ଆମଭଳି ବହୁତ ପିଇଲେ ବଳୀ ପକାଇବାବେଳେ ହାତରେ ଆଉ ବଳ ରହିବ ନାହିଁ ହାତ ଥରିବ । ତା’ପରେ ତମେ ଏକା ଚୋଟରେ ସେ ଟୋକାଟାର ମୁଣ୍ଡଗଣ୍ଡି ଦି’ଖଣ୍ଡ କରିପାରିବ ନାହିଁ । ସେତକ କରି ନପାରିଲେ ଜାଣିଥାଅ ଯେ ତୁମର ମୁଣ୍ଡଟି ଗଣ୍ଡିଠାରୁ ଅଲଗା ହୋଇଯିବ । ସେ ପୁଣି ଧମକ ଦେଇ କହିଲା “ମନେରଖ, ଭୈରବ ସର୍ଦ୍ଦାର ପାଖରେ ଦୁର୍ବଳତାର କୌଣସି ସ୍ଥାନ ନାହିଁ ।”

“ସର୍ଦ୍ଦାର, ସେଥିଲାଗି ତୁମେ ଆଦୌ ଚିନ୍ତା କରନାହିଁ । ମୁଁ ମୋଟେ ପିଇବି ନାହିଁ, ତୁମେ ଯେତେ ଚାହୁଁଛ ପିଇନିଅ ।” ଏହା କହି ସେ ପୂଜକ ଶାର୍ଦ୍ଦୁଳ ଦେବତାଙ୍କ ଉପରେ ଫୁଲ ଚଢାଇଲା । ଜଣେ ଡାକୁ ମଦ ପାତ୍ରରୁ ପଥର ପିଆଲାରେ ମଦ ନେଇ ସମସ୍ତିଙ୍କ ପାତ୍ରରେ ଢାଳି ଚାଲିଲା ଓ ସେମାନେ ସେତକ ପିଇ ଚାଲିଲେ ସେ ପିଇବାରେ ତାଙ୍କର ଯେପରି ଶେଷ ନାହିଁ । ସମସ୍ତେ ଆନନ୍ଦରେ ବିଭୋର ।

ଏବେ ଅପୂର୍ବ ମନକୁ ଗୋଟାଏ କଥା ଜୁଟିଲା । ସେ ଦେଖିଲା ନିଦ ଔଷଧ ଭିତର ଘର ଚଟାଣରେ କିଛି ରଖା ହୋଇଛି ସେଗୁଡିକ ନେଇ ଏକ ଛୋଟ ପାଣି ସୁରେଇରେ ଢାଳି ତାକୁ ଭଲକରି ମିଶାଇଲା ଓ ତା’ପରେ ସେ ତାକୁ ନେଇ ମଦ ଘଡାରେ ଢାଳି ମିଶାଇଲା । ଦ୍ୱିତୀୟ ମଦଘଡା ପିଉ ପିଉ ସମସ୍ତେ ହାଇ ମାରିଲେ ତୃତୟ ଘଡା ଆରମ୍ଭ କରିବା ପୂର୍ବରୁ ସମସ୍ତେ ହସି ହସି ଗଡୁଥାନ୍ତି ଓ ଢୁଳେଇ ପଡୁଥା’ନ୍ତି; ଅଳ୍ପ ସମୟ ମଧ୍ୟରେ ସମସ୍ତେ ଘୁଙ୍ଗୁଡି ମାରି ଶୋଇଗଲେ ।

ଦଦୁଆ ପୂଜକ ଡାକ ପକାଇଲା “ଆରେ ବଳୀ ପକାଇବାର ସମୟ ହୋଇଗଲା, ବଳୀ ପାଇଁ ଥିବା ଟୋକାକୁ ଆଣ ।” କିନ୍ତୁ ସମସ୍ତେ ତ ଶୋଇ ପଡିଛନ୍ତି, କାହାର ହେଲେବି ହୋସ୍ ନାହିଁ । ଏସବୁ ଦେଖି ସେ ପୂଜକ ବଡ ଅଡୁଆରେ ପଡିଲା ।

ସେ ଚିତ୍କାର କରି ପଚାରିଲା “ତୁମମାନଙ୍କର କ’ଣ ହେଲା? ଏମିତି ସବୁ କ’ଣ ପଡିଛ?” କିନ୍ତୁ ସେ ଆଉ କୌଣସି ଉତ୍ତର ପାଇଲା ନାହିଁ ।

ଇତିମଧ୍ୟରେ ବନ୍ଦୀ ବାଳକର ଆଖି ଖୋଲି ଗଲାଣି । ଅପୂର୍ବ ନିଜର ଅଦ୍ଭୁତ ଶକ୍ତି ଦ୍ୱାରା ପିଲାଟିର ବନ୍ଧନ କାଟିଦେଲା । ବିଚାରା ପିଲାଟି ଖାଲି ଆଶ୍ଚର୍ଯ୍ୟ ହୋଇ ଦେଖୁଥାଏ ।

ଅପୂର୍ବ କହିଲା “ଏବେ ଚମକି ଦେଖିବା ପାଇଁ ଆଉ ସମୟ ନାହିଁ । ଚାଲ ଆମେ ପଳାଇବା, ହଁ ଆହୁରି ଜଣେ ଲୋକକୁ ବି ମୁକ୍ତି ଦିଆଯିବ ।”

ତା’ର କଣ୍ଠରେ ଯେପରି ଯାଦୁ ଥିଲା । ପିଲାଟି ତା’ ପଛରେ ଚାଲିବାକୁ ଲାଗିଲା । ତା’ପରେ ଅପୂର୍ବ ସେଠାରେ ପଡିଥିବା ଗୋଟାଏ ଛୁରା ଉଠାଇଲା । ଛୁରାଟି ନିଜ ଶରୀର ପରି ଲମ୍ବା । ତା’ପରେ ସେ ଦଦୁଆ ପୂଜକକୁ କହିଲା “ବାକି ଯାହା ମଦ ଅଛି ସେତକ ତୁ ପିଇ ଦେ, ନହେଲେ ତୋତେ ମୁଁ ଜୀବନରୁ ମାରିଦେବି – ଦେଖ୍ ଏ ଛୁରାକୁ ।” ଅପୂର୍ବ ପଲାଟାକୁ କହିଲା, “ମଦ ଆଣି ଏହି ପୂଜକକୁ ଦେ – ” ବାଳକ ଯନ୍ତ୍ରବତ୍ କାର୍ଯ୍ୟ କଲା । ପୂଜାରୀଙ୍କର ହାତପାଦ ଫୁଲିଥାଏ । ଅପୂର୍ବକୁ ଦେଖି ସେ ଭୟରେ ଚିତ୍କାର କଲା – ଭାବିଲା ବୋଧହୁଏ କେହି ଭୂତପ୍ରେତ ଜାତୀୟ ହେବ ।

ବାଳକ ମଧ୍ୟ ତାକୁ ଆଦେଶ ଦେଲା “ପିଅ” । ଦଦୁଆ ପୂଜକ ଭୟରେ କିଛି କିଛି ମଦ ପିଇଦେଲା । ପିଇଦେବା ମାତ୍ରେ ସେ ମଧ୍ୟ ସେଇଠି ଢୁଳେଇ ପଡିଲା ।

ଅପୂର୍ବ ସେହି ପିଲାଟିକୁ ପଚାରିଲା “ତୁମର ନାମ କ’ଣ?”

ପିଲାଟି କହିଲା “ସମୀର” ।

“ଚାଲ, ଶୀଘ୍ର ଚାଲ ।” ଏହା କହି ସେ ପିଲାଟିର ହାତ ଧରି ଚାଲିଲା । ତା’ପରେ ଆସ୍ତେ ଆସ୍ତେ ସେମାନଙ୍କ ଗତି ତ୍ୱରାନ୍ୱିତ ହେଲା । ବାଳକଟି ଭାବିଲା ଯେ ଅପୂର୍ବ ହୁଏତ ଜଣେ ସ୍ୱର୍ଗଦୂତ । ଏଥର ସକାଳ ହେବା ପୂର୍ବରୁ ସେ ଦୁହେଁ ସମୀରର ଗ୍ରାମରେ ଯାଇ ପହଁଚିଲେ । ଏଣେ ଗ୍ରାମବାସୀମାନେ ରାଜାଙ୍କର ଜଣେ ସିପାହୀକୁ ଡାକି ତାଙ୍କୁ ସବୁକଥା କହୁଥିଲେ ଠିକ୍ ସେତିକିବେଳେ ଏମାନେ ଯାଇ ସେଠାରେ ପହଁଚିଲେ । ଅପୂର୍ବ ସେହି ପିଲାଟିକୁ କହିଲା, “ତୁମେ ସେମାନଙ୍କୁ କହିଦିଅ କି ଏବେ ସେମାନେ ଅତି ସହଜରେ ଡାକୁମାନଙ୍କୁ ଧରି ପାରିବେ । କାରଣ କେତେଘଂଟା ଧରି ସେମାନଙ୍କ ନିଦ ଆଉ ଭାଙ୍ଗିବ ନାହିଁ । ଏବେ ମୁଁ ତୁମଠାରୁ ବିଦାୟ ନେଇ ଯାଉଛି ।” ଏହା କହି ସେ ସେଠାରୁ ଯିବାକୁ ବାହାରିଲା ।

ସମୀର ଛଳ ଛଳ ଆଖିରେ କହିଲା “ଟିକିଏ ରହିଯାଅ ।” “ତୁମ ପ୍ରତି ମୋର କୃତଜ୍ଞତା କିପରି ପ୍ରକାଶ କରିବି? ସେଥିପାଇଁ ମୋ ପାଖରେ କିଛି ଭାଷାହିଁ ନାହିଁ ।”

“ଆଜି ତୁମେ ଯଦି ମୃତ୍ୟୁ ମୁଖରୁ ବର୍ତ୍ତୀଗଲ ତ ଜାଣିରଖ ଯେ ଜୀବନରେ ତୁମକୁ ବହୁତ କାମ କରିବାକୁ ପଡିବ । ହଁ, ମନେରଖ ଯଦି ଭବିଷ୍ୟତରେ ମୋର କେବେବି ସାହାଯ୍ୟ ଚାହଁ ତେବେ ପୁରା ମନରେ ମୋତେ ସ୍ମରଣ କଲେ ମୁଁ ଆସିଯିବି । ମୋର ନାମ ହେଉଛି ଅପୂର୍ବ ।”

ଏତିକି କହି ସେ ଅପୂର୍ବ କୁଆଡେ ଅଦୃଶ୍ୟ ହୋଇଗଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ