ଅପୂର୍ବଙ୍କ ପରାକ୍ରମ

ଦିନେ ଯୋଗୀ ସଦାନନ୍ଦ ଅପୂର୍ବକୁ ପାଖକୁ ଡାକି କହିଲେ, “ବତ୍ସ, ତୁମ ପୂର୍ବରୁ ଅନେକ ଯୋଗୀଋଷି ଧ୍ୟାନ ତପସ୍ୟା କରିଛନ୍ତି । ତେଣୁ ତୁମର ଏସବୁ କରିବା ମୋଟେ ଦରକାର ନାହିଁ । ତୁମ ଉପରେ ଯେଉଁ ବିଶେଷ ଦାୟିତ୍ୱ ଦିଆଯାଇଛି ତୁମେ ତାହା ସଫଳତାର ସହିତ ତୁଲାଇବ ବୋଲି ମୋର ଆଶା । ମୁଁ ଏତେଦିନ ତପସ୍ୟା କରି ଯେଉଁ ଯୋଗଶକ୍ତି ପାଇଛି ସେଥିରୁ ଅର୍ଦ୍ଧେକ ତୁମକୁ ଦେଉଛି, ତୁମେ ତାହାର ଯଥାର୍ଥ ଉପଯୋଗ କର । ଅର୍ଥାତ୍ ମାନବଜାତିର କଲ୍ୟାଣ ସକାଶେ ସେ ଶକ୍ତିକୁ ଉପଯୋଗ କର, ତାହାହିଁ ତୁମର କର୍ତ୍ତବ୍ୟ ।”

ଏକଥା ଶୁଣି ଅତ୍ୟନ୍ତ ବିନମ୍ର ସହକାରେ ଅପୂର୍ବ କହିଲା, “ମୁଁ ତ ତାହା ପ୍ରଥମରୁହିଁ କରି ଚାଲିଛି । ମୁଁ କ’ଣ ଆପଣଙ୍କ ଇଚ୍ଛାର ବିପରୀତ କେବେ କିଛି କରିଛି କି? ଯଦ୍ୱାରା ଆପଣ ମନରେ ଆଘାତ ପାଇଛନ୍ତି?”

ତହୁଁ ସେ ଯୋଗୀ ସଦାନନ୍ଦ କହିଲେ, “ନାହିଁ ବତ୍ସ, ତୁମେ ସେପରି କିଛି କରିନାହଁ । ବରଂ ମୋର ସଂକଳ୍ପ ଅନୁସାରେହିଁ ତୁମେ ସବୁକାର୍ଯ୍ୟ କରିଛ । ତୁମକୁ ଦେଖିବା ମାତ୍ରେ ମୋର ମନ ଆନନ୍ଦରେ ଭରି ଉଠେ ।”

                ଏହା ଶୁଣି ଅପୂର୍ବ କହିଲା, “ମୁଁ ଧନ୍ୟ ହେଲି । ଆଜିକାଲି ରାଜ୍ୟରେ ସବୁକିଛି ଠିକ୍ଠାକ୍ ଚାଲୁଛି । ଯାହାକିଛି ଛୋଟ ଛୋଟ ସମସ୍ୟା ଦେଖା ଦେଉଛି, ସେଗୁଡିକ ସେମାନେ ନିଜେ ସମାଧାନ କଲେ ସେ ଦିଗରେ ତାଙ୍କର ଅଭିଜ୍ଞତା ହେବ । ସର୍ବଦା ସାହାଯ୍ୟ କଲେ, ଆତ୍ମନିର୍ଭରଶୀଳ ହେବାରେ ସେମାନଙ୍କ ମଧ୍ୟରେ ବାଧା ସୃଷ୍ଟି ହେବ । ନୁହେଁ କି?”

ଯୋଗୀ ସଦାନନ୍ଦ କହିଲେ, “ହଁ, ଠିକ୍ କଥା । ତଥାପି ମଧ୍ୟ ମାନବ ସ୍ୱଭାବ ଅତ୍ୟନ୍ତ କ୍ଳିଷ୍ଟ । ଶାନ୍ତିରେ ଜୀବନଯାପନ କରିବା କେତେକ ଲୋକଙ୍କ ପକ୍ଷେ ସଂପୂର୍ଣ୍ଣ ଅସମ୍ଭବ । ପୁଣି ଆଉ କେତେଲୋକ ସର୍ବଦା କିଛି ନା କିଛି ସମସ୍ୟା ସୃଷ୍ଟି କରିବେ । ଯେପରିକି ବିନା ସମସ୍ୟାରେ ସେମାନଙ୍କର ନିଦ ହେବନାହିଁ ।”

                ଏକଥା ଶୁଣି ଅପୂର୍ବ ଚମକି ଉଠି କହିଲା, “କାହିଁକି? କିଏ ଏବେ କୌଣସି ଦୁଷ୍କର୍ମ କଲା କି?”

                ସବୁଶୁଣି ସଦାନନ୍ଦ ଦୀର୍ଘଶ୍ୱାସ ଛାଡି କହିଲେ, “ହଁ ବତ୍ସ, ସେପରି ଲୋକ ଚୋର ଡକାୟତଙ୍କଠାରୁ ମଧ୍ୟ ଅଧିକ ବିପଜ୍ଜନକ । କାରଣ ସେମାନଙ୍କୁ ତୁମେ ହୁଏତ ସତ୍ ମାର୍ଗରେ ନେଇଥିବ । କିନ୍ତୁ ନିଜର ଲୋଭ, ଦୁର୍ବଳତାବଶରୁ ସେମାନେ ଏପରି କରନ୍ତି । ଏଣେ ସମାଜରେ ସେମାନେ ତଥାକଥିତ ପ୍ରତିଷ୍ଠିତ ବ୍ୟକ୍ତି । ସେମାନଙ୍କ ମଧ୍ୟରେ କାହା ପାଖରେ ପଇସାବଳ ଅଛି ତ କାହାର ଅଧିକାର ବଳ ଅଛି । ପୁଣି ଆଉ କାହାର ବା ବୁଦ୍ଧିବଳ ବି ଅଛି ।”

                ଏହାଶୁଣି ଅପୂର୍ବ କହିଲା, “ସେମାନେ ଏବେ କି ପ୍ରକାର ଉପଦ୍ରବ କରୁଛନ୍ତି ମୋତେ କୁହନ୍ତୁ ।”


ଗପ ସାରଣୀ

ତାଲିକାଭୁକ୍ତ ଗପ