ଅଲୀନଚିତ ଜାତକ

       ସେ ହଠାତ୍ ସୈନ୍ୟସାମନ୍ତ ଘେନି ବାରାଣସୀ ନଗର ଆକ୍ରମଣ କଲେ । ମନ୍ତ୍ରୀମାନେ ନଗର ଦ୍ୱାର ଅବରୁଦ୍ଧ କରି କୋଶଳ ରାଜାଙ୍କ ନିକଟକୁ ଦୂତଦ୍ୱାରା ସମ୍ବାଦ ଦେଲେ – “ଆମର ରାଣୀ ଅତି ନିକଟରେ ସନ୍ତାନ ପ୍ରସବ କରିବେ । ଜ୍ୟୋତିଷୀମାନେ କହିଛନ୍ତି ଯେ, ସାତଦିନ ପରେ ତାଙ୍କର ଏକ ପୁତ୍ର ଜାତ ହେବ । ତାହାହେଲେ ସେ ରାଜ୍ୟର ଉତ୍ତରାଧିକାରୀ ହେବେ । ତେଣୁ ଆମେମାନେ ତାଙ୍କ ରାଜ୍ୟ ଆପଣଙ୍କ ହାତରେ ସମର୍ପଣ କରିପାରିବୁ ନାହିଁ, ଆପଣଙ୍କ ସଂଗେ ଯୁଦ୍ଧକରି ରାଜ୍ୟ ରକ୍ଷା କରିବୁ ବା ଯୁଦ୍ଧଭୂମିରେ ପ୍ରାଣଦେବୁ; କିନ୍ତୁ ଯଦି ପୁତ୍ର ଜାତ ନହୋଇ କନ୍ୟା ହୁଏ, ତେବେ ଆମେମାନେ ସ୍ୱତଃ ଆପଣଙ୍କୁ ରାଜ୍ୟ ଛାଡିଦେବୁ । ତେଣୁ ଆପଣ ସାତଦିନ ପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ ।”

       କୋଶଳରାଜା ଏହି ପ୍ରସ୍ତାବରେ ସ୍ୱୀକୃତ ହେଲେ ।

       ସାତଦିନ ପରେ ରାଣୀ ଏକ ପୁତ୍ରସନ୍ତାନ ଲାଭ କଲେ । ମନ୍ତ୍ରୀମାନେ ଓ ନଗରବାସୀ କୋଶଳରାଜାଙ୍କୁ ଏହି ସମ୍ବାଦ ଜଣାଇ ଯୁଦ୍ଧ କରିବାକୁ ବାହାରିପଡିଲେ । ବାରାଣସୀର ସୈନ୍ୟ-ସାମନ୍ତ ଗୁଣରେ ବା ସଂଖ୍ୟାରେ କମ୍ ନଥିଲେ; କିନ୍ତୁ ଉପଯୁକ୍ତ ନେତାର ଅଭାବରୁ ସେମାନେ ପରାସ୍ତ ହେବାକୁ ବସିଲେ । ମନ୍ତ୍ରୀମାନେ ଅଧୀର ହୋଇ ରାଣୀଙ୍କୁ ଜଣାଇଲେ, “ଉପଯୁକ୍ତ ଚାଳକର ଅଭାବରୁ ଆମର ସୈନ୍ୟମାନେ ହାରି ଯାଉଅଛନ୍ତି । ଦେଶକୁ କିପରି ଶତ୍ରୁଠାରୁ ରକ୍ଷା କରାଯିବ, ସ୍ଥିର କରିପାରୁନାହୁଁ । ଶ୍ୱେତହସ୍ତୀ ସ୍ୱର୍ଗତ ରାଜା ବ୍ରହ୍ମଦତଙ୍କର ସର୍ବାପେକ୍ଷା ଅଧିକ ପ୍ରିୟ ଥିଲେ । ଏତେବେଳଯାଏଁ ସେ ଜାଣନ୍ତିନାହିଁ ଯେ ରାଜାଙ୍କର ମୃତ୍ୟୁ ହୋଇଅଛି ଓ ତାଙ୍କର ଗୋଟିଏ ପୁତ୍ର ଜନ୍ମି ଅଛି । ଦେଶକୁ ଯେ ଶତ୍ରୁ ଆକ୍ରମଣ କରିଛି, ତାହା ମଧ୍ୟ ତାଙ୍କୁ ଜଣାଇ ଦିଆଯାଇନାହିଁ । ଆପଣଙ୍କ ଅନୁମତି ହେଲେ ତାଙ୍କୁ ସମସ୍ତ ବିଷୟ ଜଣାଇବୁ ।”

       ରାଣୀ ଏହି ପ୍ରସ୍ତାବରେ ସ୍ୱୀକୃତ ହେଲେ ଓ ନିଜେ ସନ୍ତାନଟିକୁ କୋଳରେ ଧରି ମନ୍ତ୍ରୀମାନଙ୍କ ସହିତ ହସ୍ତୀଙ୍କ ନିକଟରେ ଉପସ୍ଥିତ ହୋଇ କହିଲେ, “ତୁମର ଭାତ୍ରୁତୁଲ୍ୟ ରାଜା ବ୍ରହ୍ମଦତ ଇହଧାମ ତ୍ୟାଗ କରିଯାଇଛନ୍ତି । ତାଙ୍କ ମୃତ୍ୟୁ ପରେ ତାଙ୍କର ଏହି ସନ୍ତାନଟି ଜନ୍ମି ଅଛି । କୋଶଳରାଜା ଏହି ଅବସ୍ଥାରେ ଆମର ନଗର ଆକ୍ରମଣ କରିଛି । ତୁମେ ଥିଲ ମୋ ସ୍ୱାମୀଙ୍କର ଏକାନ୍ତ ପ୍ରିୟ । ତୁମର ଯାହା ଇଚ୍ଛା ତାହା କର ।” ଏହା କହି ରାଣୀ ପିଲାଟିକୁ ତଳେ ରଖିଦେଲେ ।

       ହସ୍ତୀ ଚକ୍ଷୁରୁ ଲୋତକ ଢାଳି ରାଜାଙ୍କ ମୃତ୍ୟୁରେ ଦୁଃଖ ପ୍ରକାଶ କଲା ଓ ପିଲାଟିକୁ ଶୁଣ୍ଢରେ ଝୁଲାଇ ଆଦରରେ ପୁଣି ରାଣୀଙ୍କ କୋଳରେ ରଖିଦେଇ କହିଲା, “ଏଇ ଶିଶୁ ହେବ ବାରାଣସୀର ରାଜା । ମୁଁ ବଂଚି ଥାଉ ଥାଉ କୋଶଳର ରାଜା ଆମ ରାଜ୍ୟ ଅଧିକାର କରିପାରିବେନାହିଁ । ମୁଁ ଯୁଦ୍ଧ କରିବାକୁ ଯିବି ।”

       ମନ୍ତ୍ରୀମାନେ ହସ୍ତୀକୁ ରାଜୋଚିତ ବେଶଭୂଷା ପିନ୍ଧାଇ ଅସ୍ତ୍ରଶସ୍ତ୍ର ସହ ନଅରରୁ ବାହାରକୁ ନେଲେ । ହସ୍ତୀର ଗମ୍ଭୀର ବୃହିଂତ ନାଦରେ ରଣସ୍ଥଳୀ କମ୍ପିଉଠିଲା । ବାରାଣସୀର ସୈନ୍ୟସାମନ୍ତଙ୍କ ମଧ୍ୟରେ ନବୀନ ଉସିାହ ଓ ଉଦ୍ଧୀପନା ଖେଳିଗଲା । କୋଶଳରାଜାଙ୍କ ସୈନ୍ୟମାନେ ଛତ୍ରଭଙ୍ଗ ଦେଇ ପଳାଇଲେ । ଶେଷରେ ଶ୍ୱେତହସ୍ତୀ ସ୍ୱୟଂ କୋଶଳରାଜାଙ୍କୁ ଶୁଣ୍ଢରେ ଧରି ରାଜପ୍ରାସାଦରେ ଶିଶୁରାଜାଙ୍କ ପାଦତଳେ ରଖିଦେଲେ । କେତେଜଣ ମନ୍ତ୍ରୀ କୋଶଳରାଜାଙ୍କୁ ବଧ କରିବାକୁ ଉଦ୍ୟତ ହେଉଥିଲେ । ହସ୍ତୀ ସେମାନଙ୍କୁ ବାରଣ କରି ପରାଜିତ ନିରସ୍ତ୍ର ରାଜାଙ୍କୁ କହିଲେ, “ତୁମର ଜୀବନ ନେବା ଆମମାନଙ୍କର ଉଦ୍ଧେଶ୍ୟ ନୁହେଁ; କିନ୍ତୁ ଭବିଷ୍ୟତକୁ ସାବଧାନ ରହ । ଆମର ରାଜା ଶିଶୁ, ତେଣୁ ଦୁର୍ବଳ -ଏପରି ଭାବି ଆଉ କେବେହେଲେ ବାରାଣସୀ ରାଜ୍ୟ ଉପରେ ଲୋଲୁପଦୃଷ୍ଟି ପକାଇବନାହିଁ ।” କୋଶଳରାଜା ମୁକ୍ତିପାଇ ନିଜ ଦେଶକୁ ଫେରିଲେ ।

       ବୋଧିସତ୍ୱ ସପ୍ତମ ବର୍ଷ ବୟସରେ ବାରାଣସୀର ସିଂହାସନରେ ବସିଲେ । ସେ ନିଜ ପରାକ୍ରମରେ ସମଗ୍ର ଭାରତବର୍ଷକୁ ପଦାନତ କଲେ । ଦୀର୍ଘକାଳ ରାଜ୍ୟ ଶାସନ ପରେ ଶେଷରେ ସେ ସ୍ୱର୍ଗଗାମୀ ହେଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ