ଅଶୁଭ ଗୃହ

ସ୍ନାନ କରି ସାରିବା ପରେ ସେ ଯାତ୍ରୀଙ୍କୁ ବହୁତ ଭୋକ ଲାଗିଲା । ଭିତରେ ଏକ ବିରାଟ କକ୍ଷରେ ଏକ ବିରାଟ ମେଜ ଥିଲା । ତା’ ଉପରେ ଅନେକ ଖାଦ୍ୟପୂର୍ଣ୍ଣ ପାତ୍ର ଢଙ୍କା ହୋଇଥିଲା । ଯାତ୍ରୀ ଯାହା ଚାହିଁଲେ ସେ ତାହା ଖାଇବାକୁ ବାଢିଦେଲା । ସେ ବାମନକୁ ବହୁତ ପ୍ରଶ୍ନ ପଚାରିବାକୁ ଚାହୁଁଥିଲେ । କିନ୍ତୁ ବାମନ ମୁହଁରେ ହାତ ରଖି ନୀରବ ରହିବାକୁ ନିର୍ଦ୍ଧେଶ ଦେଲା ଓ ନିଜେ ମଧ୍ୟ ଚୁପ୍ ରହିଲା ।

ତା’ପରେ ଅନ୍ୟ ଏକ ବଡ କକ୍ଷରେ ଶୋଇବା ପାଇଁ ବନ୍ଦୋବସ୍ତ କରାଗଲା । ଖଟ ଉପରେ ଖୁବ୍ କୋମଳ ଶଯ୍ୟା ଥିଲା । ଜଣେ ବାମନ ଝରକାରେ ଥିବା ରେଶମୀ ପର୍ଦ୍ଦାକୁ ଖୋଲିଦେଲା । ପୁଷ୍ପର ସୁଗନ୍ଧରେ ଭରା ପବନ ସୁଲୁ ସୁଲୁ ହୋଇ ପଶି ଆସିଲା । ବାହାରେ ଜ୍ୟୋସ୍ନାରାତି । ଇନ୍ଦ୍ରଭବନ ପରି ଏହି ଘରକୁ, ସେହି ବୁଢାଟା କାନ୍ଦି କାନ୍ଦି ଆସି କ’ଣ କହୁଛି ନା ଅଶୁଭ ଗୃହ । ଯାତ୍ରୀ ଏ ବିଷୟରେ ବହୁତ ଚିନ୍ତା କଲେ କିନ୍ତୁ ଆଦୌ କିଛି ବି ବୁଝି ପାରିଲେ ନାହିଁ । କ୍ରମେ ତାଙ୍କ ମନ ମଧ୍ୟରେ ନାନା ପ୍ରକାର ଚିନ୍ତା ଆସିଲା, ତାଙ୍କୁ ସବୁ କିଛି କୁହୁକ ପରି ଲାଗିଲା । କିନ୍ତୁ ତାଙ୍କର କୌତୁହଳୀ ମନ ଚୁପ୍ ରହି ପାରିଲା ନାହିଁ । ସେବିଷୟରେ କିଛି ଗୋଟାଏ ଖବର ନେବା ପାଇଁ ସେ ମନ ମଧ୍ୟରେ ସ୍ଥିର କଲେ । ରାତିରେ ସେ ସବୁ କିଛି ଭାବିଚିନ୍ତି ଯୋଜନା କରି ରଖିଲେ । ସେ ସ୍ଥିର କଲେ ଯେମିତି ହେଲେ, ବାମନ ମନା କରିଥିବା ଘରକୁ ସେ ଯିବେ ଓ ଦେଖିବେ ସେଥିରେ କ’ଣ ଅଛି । ଏହିପରି ଭାବୁ ଭାବୁ ସେ ଶୋଇଗଲେ ।

ସକାଳ ହେବା ପରେ ତାଙ୍କ ସ୍ନାନ ଓ ଭୋଜନ ପାଇଁ ସବୁ ପ୍ରକାର ବନ୍ଦୋବସ୍ତ ହୋଇଥାଏ । ସେ ଦିନଟି ଆନନ୍ଦରେ ସେ ରହିଲେ ଓ ଗୃହର ଷୋଳଟି କକ୍ଷ ବୁଲି ଦେଖିଲେ । ତା’ପରେ ସେ ଘରର ଉପର ମହଲାକୁ ଗଲେ; ସେଠାରେ ଗୋଟିଏ ମାତ୍ର ଘର ଥାଏ । ସୁନାର ସେହି ଘର ଝଟକୁଥାଏ । କକ୍ଷଟିର କବାଟ ଅତି ଚମତ୍କାର ଥିଲା । ଯାତ୍ରୀ ଭାବିଲେ ଭିତରପଟେ କାଳେ ଅଧିକ ଅଦ୍ଭୁତ କିଛି ଥିବ । କିନ୍ତୁ ବାମନ ସେହି କବାଟ ନ ଖୋଲିବାକୁ କହିଥିଲା । କିନ୍ତୁ ଯାତ୍ରୀ ଭାବିଲେ ଏହି ଘରର କବାଟ ନ ଖୋଲିଲେ ରାତିରେ ତ ତାଙ୍କୁ କେବେବି ନିଦ ଆସିବ ନାହିଁ । ତେଣୁ ସେ ଧୀରେ ଧୀରେ କବାଟ ଖୋଲିଲେ । ତାଙ୍କ ଆଖି ଝଲସି ଗଲା ।

ସେ ଘରର ଚଟାଣ ଶଙ୍ଖମଲମଲ ପଥରରେ ହୋଇଥିଲା । ତା’ର କାନ୍ଥ ସବୁ ସୁନାପାତରେ ଢଙ୍କା ହୋଇଥିଲା । ସେଥିରେ ପୁଣି କେଉଁଠି କେଉଁଠି ବା ହୀରାମୋତିର କାରୁକାର୍ଯ୍ୟ ବି ହୋଇଥିଲା । ସେହି ଘର ଭିତରେ ତଳ ଘରକୁ ଯିବା ପାଇଁ ସିଡି ଥିଲା । ଯାତ୍ରୀ ପଡିଯିବା ଭୟରେ ବଡ ସାବଧାନତାର ସହିତ ତଳକୁ ଓହ୍ଲାଇଲେ ।

ହଠାତ୍ ବଡ କାଉଟାଏ କାହୁଁ ଆସି ତାଙ୍କ ମୁଣ୍ଡକୁ ଖୁମ୍ପିବାକୁ ଲାଗିଲା, ବିଲେଇଟାଏ ଶବ୍ଦ କରି ଆସି ତାଙ୍କ ଛାତି ଉପରକୁ କୁଦି ପଡିଲା । ଏତେ ଜୋର୍ରେ ବିଲେଇଟା ଚିତ୍କାର କଲା ଯେ ଯେପରି ତାଙ୍କ କାନ ଫାଟିଯିବ । ଗୋଟାଏ ଚେମଣିଆ ତାଙ୍କ ମଥା ଉପରେ ତିନିଥର ଉଡିଲା । ଏସବୁ ଦେଖି ସେ ଭୟରେ ଥରିଲେ । ସେ ସେଠାରୁ ବାହାରି ଆସିବାକୁ ପଛପଟକୁ ଘୂରିବା ମାତ୍ରେ ଏକ ଭୟଙ୍କର ସ୍ୱର କହିଲା, “ମୂର୍ଖ, ଠିକ୍ କୋଡିଏ ବର୍ଷ ପରେ ଆଜିର ଦିନରେହିଁ ତୋର ମୃତ୍ୟୁ ନିଶ୍ଚିତ ।”

ଏକଥା ଶୁଣି ସେ ଯାତ୍ରୀ ଜଣକ ଭାରି ଖୁସି ହେଲେ ଓ ନିଜ କକ୍ଷକୁ ଫେରି ଆସିଲେ । ସେଠାରେ ପାଂଚଜଣ ବାମନ ଫୁସ୍ ଫାସ୍ ହୋଇ କ’ଣ କଥାବାର୍ତ୍ତା ହେଉଥିଲେ । ଯାତ୍ରୀ ପଚାରିଲେ, “ସମସ୍ତେ ଏଠାରେ ଏକତ୍ର କାହିଁକି ହୋଇଛ?”

ଜଣେ ବାମନ କହିଲା, “ତୁମେ ମୃତ୍ୟୁର ଦିନ ଜାଣିକରି ମଧ୍ୟ ହସୁଛ, ଏହା ତ ବଡ ଆଶ୍ଚର୍ଯ୍ୟ କଥା?”

ଯାତ୍ରୀ କହିଲେ “ମୁଁ କାହିଁକି କାନ୍ଦିବି? ମୋର ମୃତ୍ୟୁ ସମୟ ଜାଣି କରି ମୁଁ ତ ବହୁତ ଖୁସି ।”

“ବହୁତ ଦିନ ପରେ ଆମେ ତୁମ ପରି ଜଣେ ବ୍ୟକ୍ତି ଦେଖିଲୁ । ଏକଥା ତୁରନ୍ତ ଆମେ ଆମ ମୁଖିଆଙ୍କୁ ଯାଇ କହିବୁ । ମନେ ହେଉଛି ଭବିଷ୍ୟତରେ ଏହି ଅଶୁଭଗୃହରେ ଆମର ଆଉ କିଛି ବି କାମ ନାହିଁ ।” ଏକଥା କହୁ କହୁ ବାମନମାନେ ସେଠାରୁ କୁଆଡେ ଅଦୃଶ୍ୟ ହେଲେ ।

ତା’ର ଠିକ୍ ପର ମୁହୂର୍ତ୍ତରେ ସେ ଅଶୁଭଗୃହ ମଧ୍ୟ କୁଆଡେ ଉଭେଇଗଲା । ଏବେ ଯାତ୍ରୀଜଣକ ଦେଖିଲେ ସେ ଗୋଟିଏ ଗଛ ତଳେ ଠିଆ ହୋଇଛନ୍ତି । ସେ ଖୁସିରେ ମନକୁ ମନ କହିଲେ, “ଏକଥା ସତ ଯେ ନିଜର ମୃତ୍ୟୁ କଥା ଶୁଣି ମଣିଷ ଖୁବ୍ ବିଚଳିତ ହୋଇପଡେ । କିନ୍ତୁ କୋଟିକରେ ଗୋଟିଏ ମୋ ପରି ଯିଏ କି ତା’ ମୃତ୍ୟୁ କଥା ଶୁଣି ବି ଖୁସି ହେଉଛି ।”

ସେହି ଯାତ୍ରୀ ଜଣକ ଜଣେ ଗ୍ରାମୀଣ ବ୍ୟକ୍ତି ଥିଲେ । ତାଙ୍କର ହୃଦରୋଗ ଥିଲା । ଯେଉଁ ବୈଦ୍ୟମାନେ ଓ ଜ୍ୟୋତିଷମାନେ ତାଙ୍କୁ ପରୀକ୍ଷା କରିଥିଲେ ସେମାନେ କହିଥିଲେ କି ଛଅମାସ ମଧ୍ୟରେ ତାଙ୍କ ମୃତ୍ୟୁ ହେବ । ତେଣୁ ତାଙ୍କର ସମସ୍ତ ସାଂସାରିକ ବନ୍ଧନ ଛାଡି ସେ ଜଙ୍ଗଲରେ ଘୁରିବୁଲୁଥିଲେ । ତାଙ୍କୁ ଯେତେବେଳେ କୁହାଗଲା ଯେ କୋଡିଏ ବର୍ଷ ଅଧିକ ସେ ବଂଚିବେ ସେତେବେଳେ ସେ ଖୁବ୍ ଖୁସି ହୋଇଗଲେ । ତାଙ୍କର ଆତ୍ମବଳ ଓ ବିଶ୍ୱାସ ବଢିଗଲା ।

ଯାତ୍ରୀ ତାଙ୍କ ମନ ମଧ୍ୟରେ ସେ ବାମନଙ୍କୁ ଅନେକ ଅନେକ କୃତଜ୍ଞତା ଜଣାଇ, ନିଜ ଇଷ୍ଟଦେବଙ୍କୁ ସ୍ମରଣ କରି ପ୍ରାର୍ଥନା ପୂର୍ବକ ଆପଣା ଘରକୁ ଫେରିଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ