ଅସଦିସ ଜାତକ

         ବ୍ରହ୍ମଦତ କୁମାର ଭୟରେ କାତର ହୋଇ ପଡିଲେ । ତାଙ୍କର ଧ୍ୱଂସ ଅନିବାର୍ଯ୍ୟ ମନେକରି ସେ ବଡଭାଇଙ୍କର ଶରଣ ନେବାକୁ ସ୍ଥିର କଲେ । ସେ ଜଣେ ଅନୁଚର ହସ୍ତରେ ଖଣ୍ଡିଏ ପତ୍ର ଭାଇଙ୍କ ନିକଟକୁ ପଠାଇଲେ । ସେ ଲେଖିଥିଲେ –

         “ଭାଇ,

         ମୁଁ ତୁମ ନିକଟରେ ଘୋର ଅପରାଧ କରିଅଛି । ମୁଁ ତୁମକୁ ଅବିଶ୍ୱାସ କରି ବନ୍ଦୀ କରିବାକୁ ବସିଥିଲି । ସେଥିନିମନ୍ତେ ମୁଁ ଅନୁତାପ କରୁଛି । ଏବେ କେବଳ ମୋର ଜୀବନ ଯେ ବିପଦଗ୍ରସ୍ତ ତାହା ନୁହେଁ; ବାରାଣସୀ ରାଜ୍ୟ ବିପଦର ସମ୍ମୁଖୀନ । ତୁମେ ମହାନ୍ ଉଦାର । ମୋତେ କ୍ଷମା ଦେଇ ପୈତୃକ ରାଜ୍ୟ ଶତ୍ରୁମାନଙ୍କ ହସ୍ତରୁ ରକ୍ଷା କର ।”

         ଅସଦୃଶ କୁମାର ପତ୍ରଟି ପାଇଲା ମାତ୍ରେ ରାଜାଙ୍କ ଅନୁମତି ନେଇ ବାରାଣସୀକୁ ଫେରିଆସିଲେ । ବ୍ରହ୍ମଦତ କୁମାର ତାଙ୍କର ପଦ ବନ୍ଦନା କଲେ । ଅସଦୃଶ କୁମାର ସାନଭାଇଙ୍କର ସମସ୍ତ ଦୋଷ ଭୁଲିଯାଇ ଗୋଟିଏ ଶରରେ ଉତ୍ତର ଲେଖି ଶତ୍ରୁମାନଙ୍କ ପାଖକୁ ପଠାଇଦେଲେ । ସେଥିରେ ଲେଖାଥିଲା – “ପୈତୃକ ରାଜ୍ୟକୁ ରକ୍ଷା କରିବା ପାଇଁ ମୁଁ ବାରାଣସୀକୁ ଫେରିଆସିଛି । ତୁମ୍ଭେମାନେ ସଂଗେ ସଂଗେ ବାରାଣସୀ ତ୍ୟାଗ କରି ଚାଲିନଗଲେ ଗୋଟିଏ ମାତ୍ର ଶରରେ ତୁମ୍ଭମାନଙ୍କର ବିନାଶ ସାଧନ କରିବି ।”

         ସେତେବେଳକୁ ଶତ୍ରୁରାଜାମାନେ ଏକତ୍ର ବସି ପାନଭୋଜନରେ ରତ ଥିଲେ । ଶରଟି ଆସି ସେମାନଙ୍କ ଭୋଜନ ପାତ୍ରରେ ପଡିଲା । ସେଥିରେ ଲେଖାଥିବା ସମ୍ବାଦଟି ପାଠ କରିବା ମାତ୍ରେ ସେମାନେ ପ୍ରାଣଭୟରେ ବାରାଣସୀ ସୀମା ଅତିକ୍ରମ କରି ପଳାଇଗଲେ । ଏହିପରି ବିନ୍ଦୁମାତ୍ର ରକ୍ତପାତ ନକରି ଅସଦୃଶ କୁମାର ରାଜ୍ୟକୁ ଶତ୍ରୁ ହସ୍ତରୁ ମୁକ୍ତ କଲେ । ସାନଭାଇ ତାଙ୍କୁ ରାଜସିଂହାସନରେ ବସିବାକୁ ଅନୁରୋଧ କଲେ, କିନ୍ତୁ ସେ ରାଜପଦର ଅଭିଳାଷୀ ନଥିଲେ । ତେଣୁ ସେ ସଂସାରତ୍ୟାଗୀ ସନ୍ନ୍ୟାସୀଜୀବନଯାପନ କରି ଶେଷରେ ଯଶ ଲାଭ କଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ