ଅସନ୍ତୋଷର ରହସ୍ୟ

ନିଶା ଗରଜୁଥାଏ । ତୁହାକୁ ତୁହା ଶୀତଳ ପବନ ସାଙ୍ଗକୁ ମଧ୍ୟେ ମଧ୍ୟେ ବର୍ଷା ବି ପିଟୁଥାଏ । ବଜ୍ରଧ୍ୱନି ଓ ଶ୍ୱାନଶ୍ୱାପଦଙ୍କ ରଡି ମଝିରେ ଶୁଭୁଥାଏ ଅଶରୀରୀମାନଙ୍କ ଅଟ୍ଟହାସ୍ୟ । ଘନ ଘନ ବିଜୁଳି ଆଲୁଅରେ ଭୟାବହ ମୁହଁଟିମାନ ଦିଶିଯାଉଥାଏ ।

                ତଥାପି ତିଳେମାତ୍ର ଦ୍ୱିଧା ନକରି ରାଜା ବିକ୍ରମାର୍କ ପୁନର୍ବାର ସେ ପ୍ରାଚୀନ ବୃକ୍ଷଟି ପାଖକୁ ଲେଉଟି ଆସିଲେ ଓ ବୃକ୍ଷାରୋହଣ କରି ଶବଟିକୁ ଉତାରି ଆଣିଲେ । ତେବେ ତାକୁ କାନ୍ଧରେ ପକାଇ ସେ ଶୂନ୍ଶାନ୍ ଶ୍ମଶାନ ପଥ ଅତିକ୍ରମ କରିବାକୁ ଆରମ୍ଭ କରିବା ମାତ୍ରେ ଶବସ୍ଥିତ ବେତାଳ କହିଲା, “ରାଜା! ମୁଁ ଜାଣେନା ତମେ ନିଜ ଇଚ୍ଛାରେ ଏ ଭୟାବହ ରାତିରେ ଏଭଳି ବିପଜ୍ଜନକ କାମରେ ହାତ ଦେଇଛ, ନା କୌଣସି ମିତ୍ରର ପ୍ରରୋଚନାରେ ଏ କାମ ହାତକୁ ନେଇଛ । ମିତ୍ର କଥାକୁ ସମ୍ମାନ ଦେବାକୁ ଯାଇ ଅନେକ ସମୟରେ ଲୋକେ ନିଜ ସିଦ୍ଧାନ୍ତ ବଦଳାଇବାର ଦେଖାଯାଏ । ଗୋଟିଏ ଦୃଷ୍ଟାନ୍ତ ଦେଉଛି, ମନଦେଇ ତାହା ଶୁଣ । ଶୁଣିଲେ ତମ ଶ୍ରମଭାର ଲାଘବ ମନେ ହେବ ।”

                ବେତାଳ ଗପିଲା : ରାଜା ଶଶାଙ୍କ ସେତେବେଳେ କାଂଚନପୁର ଦେଶରେ ରାଜୁତି କରୁଥିଲେ । ତାଙ୍କ ରାଣୀ ସୁନନ୍ଦା ଅତ୍ୟନ୍ତ ରୂପବତୀ ଥିଲେ । ରାଜା ରାଣୀଙ୍କର ସମସ୍ତ ଇଚ୍ଛା ପୂରଣ କରିବାକୁ ଯଥାସାଧ୍ୟ ଚେଷ୍ଟା କରୁଥିଲେ । ଭଲ ବେଶ ପୋଷାକ ଓ ଅଳଙ୍କାର ପ୍ରତି ରାଣୀଙ୍କର ଅହେତୁକ ଆକର୍ଷଣ ଥିଲା । ତେଣୁ ରାଜା ଜଣେ କୁଶଳୀ ବୁଣାଳୀ ଓ ଜଣେ ଦକ୍ଷ ବଣିଆକୁ ରାଜଦରବାରରେ ରଖିଥିଲେ । ସେ ଦୁହିଁଙ୍କ ଭଳି ଶିଳ୍ପୀ କାଂଚନପୁର କାହିଁକି, ଆଖପାଖର ଆଉ କୌଣସି ରାଜ୍ୟରେ ବି ନଥିଲେ ।

                ପ୍ରତିବର୍ଷ ରାଣୀଙ୍କ ଜନ୍ମଦିନ ଖୁବ୍ ଜାକଜମକରେ ପାଳନ କରା ହେଉଥାଏ । ଉଭୟ ଶିଳ୍ପୀ ଜନ୍ମଦିନର ଯଥେଷ୍ଟ ପୂର୍ବରୁ ରାଣୀଙ୍କୁ ନୂଆ ସାଢୀ ଓ ନୂଆ ଅଳଙ୍କାରର ନକ୍ସା ଦେଖାଉଥିଲେ । ସେସବୁ ଏଡେ ଭଲ ହେଉଥାଏ ଯେ ରାଣୀ ସଙ୍ଗେ ସଙ୍ଗେ ସେସବୁ ମଞ୍ଜୁର କରିଦେଉଥାନ୍ତି । ଜନ୍ମଦିନ ପୂର୍ବରୁ ବୁଣାଳୀ ନୂଆ ସାଢୀ ଓ ବଣିଆ ନୂଆ ଅଳଙ୍କାରମାନ ପ୍ରସ୍ତୁତ କରି ଦେଉଥାନ୍ତି । ସାଧାରଣତଃ ସେସବୁ ସମସ୍ତଙ୍କ ଦ୍ୱାରା ଉଚ୍ଚ କଣ୍ଠରେ ପ୍ରଶଂସିତ ହେଉଥାଏ ।

                ରାଜାଙ୍କର ଜଣେ ବାଲ୍ୟବନ୍ଧୁ ଥିଲେ । ତାଙ୍କ ନାମ ମହେନ୍ଦ୍ର । ରାଜା ଯେତେବେଳେ କୌଣସି ବିଶେଷ କାମ ହାତକୁ ନେଉଥିଲେ ବା କୌଣସି ବିଶେଷ ସିଦ୍ଧାନ୍ତ କାର୍ଯ୍ୟକାରୀ କରିବାକୁ ଯାଉଥିଲେ, ସେତେବେଳେ ସେ ମହେନ୍ଦ୍ରଙ୍କୁ ସେକଥା ଜଣାଇ ଦେଉଥିଲେ । ମଜାର କଥା ହେଲା, ମହେନ୍ଦ୍ର ପ୍ରାୟ କୌଣସି କଥାରେ ମୋଟେ ପାଟି ଫିଟାଉ ନଥାନ୍ତି । ରାଜା ଯାହା କହୁଥାନ୍ତି, ସେ ତାହା ନୀରବରେ ଶୁଣି ଯାଉଥାନ୍ତି ମାତ୍ର ।

                ଦିନେ ମନ୍ତ୍ରୀ ରାଜାଙ୍କୁ ପଚାରିଲେ, “ମହାରାଜ, ମୁଁ ଗୋଟାଏ ବିଷୟରେ ଅନେକ ସମୟରେ ଭାରି ଆଶ୍ଚର୍ଯ୍ୟ ହୁଏ । ଆପଣ ସବୁ ଗୁରୁତର କଥା ମହେନ୍ଦ୍ରଙ୍କୁ କାହିଁକି କହନ୍ତି? ସେ ତ କେବେ କୌଣସି ପରାମର୍ଶ ଦେବାର ମୁଁ ଦେଖି ନାହିଁ!”

                ରାଜା କହିଲେ, “ମହେନ୍ଦ୍ର ମୋର ବାଲ୍ୟବନ୍ଧୁ । ତା’ ମନୋଭାବ ମୁଁ ତା’ ମୁହଁକୁ ଅନାଇଦେଇହିଁ ଠିକ୍ ବୁଝିପାରେ । ପ୍ରୟୋଜନ ନ ହେଲେ ସେ କେବେବି କିଛି କଥା କହେ ନାହିଁ । ମୁଁ ତାକୁ ଯାହା କହେ, ସେ ଯଦି ସେଥିରେ କିଛି ଭୁଲ୍ ଦେଖନ୍ତା, ତେବେ ନିଶ୍ଚୟ ମୁହଁ ଖୋଲି କହନ୍ତା ।”


ଗପ ସାରଣୀ

ତାଲିକାଭୁକ୍ତ ଗପ