ଅସନ୍ତୋଷର ରହସ୍ୟ

                ଏହାର କିଛି ଦିନ ପରେ ରାଣୀଙ୍କର ଆସନ୍ତା ଜନ୍ମଦିନ ସକାଶେ ଦୁଇ କାରିଗର ପ୍ରସ୍ତାବିତ ସାଢୀ ଓ ଅଳଙ୍କାରର ନକ୍ସା ତଥା ନକଲ ନମୁନା ଆଣି ରାଜାଙ୍କୁ ଦେଖାଇଲେ । ରାଜା ସେସବୁ ରାଣୀଙ୍କ ପାଖକୁ ପଠାଇଦେଲେ । କିନ୍ତୁ ତାହା ରାଣୀଙ୍କ ମନଃପୂତ ହେଲା ନାହିଁ । ସେ ତାହା ରାଜାଙ୍କ ପାଖକୁ ଫେରସ୍ତ ପଠାଇଦେଲେ ।

                ରାଜା ସେ ଦୁଇ କାରିଗରଙ୍କୁ ଡକାଇ ନୂଆ ନମୁନା ପ୍ରସ୍ତୁତ କରିବା ନିମନ୍ତେ ସେମାନଙ୍କୁ ନିର୍ଦେଶ ଦେଲେ । କାରିଗରମାନେ ପୁଣି ଯାହା ପଠାଇଲେ, ତାହା ମଧ୍ୟ ରାଣୀଙ୍କ ମନକୁ ପାଇଲା ନାହିଁ । ରାଜା କାରିଗରମାନଙ୍କୁ ପୁଣି ଥରେ କୌଣସି ଏକ ନୂଆ ଧରଣର ନକ୍ସା ଅନୁସରଣ କରି ନୂଆ ସାଢୀ ଓ ଅଳଙ୍କାରର ନମୁନା ପ୍ରସ୍ତୁତ କରିବାକୁ କହିଲେ । କାରିଗରମାନେ ଏଥର ବି ଯାହା ତିଆରି କଲେ ସେତକ ବି ସବୁ ସେ ରାଣୀ ନାମଞ୍ଜୁର କରିଦେଲେ ।

                ମନ୍ତ୍ରୀ କହିଲେ, “ମହାରାଜ! ଏହା କାରିଗରମାନଙ୍କ ବୟସର ଦୋଷ ।”

                ରାଜା ଦୁଇ କାରିଗରଙ୍କୁ ଡକାଇ ବିରକ୍ତ ହୋଇ କହିଲେ, “ତମ ଦୁହିଁଙ୍କର ବୟସ ବଢିବା ସଙ୍ଗେ ସଙ୍ଗେ ଶିଳ୍ପ ନିପୁଣତା କ୍ରମେ ହ୍ରାସ ପାଉଛି ବୋଲି ମୋର କାହିଁ ମନେ ହୁଏ । ତମମାନଙ୍କୁ ଦରବାରରେ ରଖି କ’ଣ ବା ଲାଭ? ତମେମାନେ ବି କରିବ କ’ଣ! ଏହା ତ ବୟସର ଦୋଷ!” ଏସବୁ ଶୁଣି ଦୁଇ କାରିଗର ମୁଣ୍ଡ ତଳକୁ କରି ଚାଲିଗଲେ ।

                ସେତିକିବେଳେ ମହେନ୍ଦ୍ର ରାଜାଙ୍କ ମନ୍ତ୍ରଣା ପ୍ରକୋଷ୍ଠ ପାଖ ଦେଇ ଯାଉଥିଲେ । ସେ ଭିତରକୁ ପଶି ଆସି କହିଲେ, “ରାଜା! ବୟସର ଦୋଷ ବୋଲି ଆପଣ ଯାହା କହିଲେ, ତାହା ତ ଠିକ୍ । ମାତ୍ର ଆମ କାରିଗରମାନଙ୍କର ନିପୁଣତା ମୋଟେ ହ୍ରାସ ହୋଇ ନାହିଁ । ସେମାନଙ୍କୁ ଏପ୍ରକାର ଧମକ ଚମକ ଦେଇ କିଛିବି ଲାଭ ନାହିଁ । ସମସ୍ୟାର ଅସଲ କାରଣ ବୁଝିବାକୁ ଥରେ ମାତ୍ର ଚେଷ୍ଟା କରନ୍ତୁ ଓ ଶାନ୍ତ ରହନ୍ତୁ ।”

ରାଜା ତାଙ୍କ ବାଲ୍ୟବନ୍ଧୁଙ୍କ କଥା ସସମ୍ମାନେ ଶୁଣିଲେ ଓ ଅନ୍ତଃପୁରକୁ ଯାଇ ରାଣୀଙ୍କୁ ଅବିକଳ ଭାବରେ ତାହା ଶୁଣାଇଲେ ।

ରାଣୀ ଅନେକ ସମୟ ଧରି ସ୍ତବ୍ଧ ହୋଇ ରହିଲେ । ତାଙ୍କ ଆଖି ସଜଳ ହୋଇଗଲା । ସେ କହିଲେ, “ମହାରାଜ! ମୋ ଦ୍ୱାରା ବହୁତ ବଡ ଭୁଲ୍ ହୋଇଛି । ଆପଣ ସେ ଦୁଇ କାରିଗରଙ୍କୁ ଯାଇ କୁହନ୍ତୁ, ସେମାନେ ପଠାଇଥିବା ନମୁନା ସବୁ ଭିତରୁ ଯାହା ଇଚ୍ଛା ତାହା ଅନୁସରଣ କରି ସାଢୀ ଓ ଅଳଙ୍କାର ନିର୍ମାଣ କରି ଦିଅନ୍ତୁ । ଆଉ ଗୋଟିଏ ଅନୁରୋଧ । ଏ ବର୍ଷ ମୋ ଜନ୍ମ ଦିନରେ ସେହି ଦୁଇ କାରିଗରଙ୍କୁ ବିଶେଷ ଭାବରେ ସମ୍ମାନ ଦିଆଯାଉ ।”

ରାଜା ରାଣୀଙ୍କ ପ୍ରସ୍ତାବରେ ରାଜି ହେଲେ । ସେହି ଅନୁସାରେ ଦୁଇ କାରିଗରଙ୍କୁ ବିଶେଷ ଭାବରେ ସମ୍ମାନିତ କରାଗଲା ।

ବେତାଳ ଟିକିଏ ଚୁପ୍ ରହି ତା’ପରେ ତୀବ୍ର କଣ୍ଠରେ ସେ ପ୍ରଶ୍ନ କଲା,  “ରାଜା! ରାଣୀଙ୍କର ଏଭଳି ମତି ପରିବର୍ତ୍ତନର କାରଣ କ’ଣ? ଯେଉଁ ବୁଣାଳୀ ଓ କାରିଗରଙ୍କ ଜିନିଷମାନ ସେ ବାରମ୍ବାର ପ୍ରତ୍ୟାଖ୍ୟାନ କରି ଦେଉଥିଲେ, ସେମାନେ ହଠାତ୍ ଯାହା ଇଚ୍ଛା ତାହା ତିଆରି କରିଦେଲେ ସେ ପରିଧାନ କରିବାକୁ ପ୍ରସ୍ତୁତ, ଏହା କହିବା ଏକ ପ୍ରକାର ରହସ୍ୟଜନକ ନୁହେଁ କି? ସ୍ୱାମୀଙ୍କ ମିତ୍ରଙ୍କ କଥାକୁ ସମ୍ମାନ ଦେବାକୁ ସେ ଏପରି କହିଲେ ନା ଏହାର ଆଉ କୌଣସି ଗୁଢ କାରଣ ରହିଛି? ପାରିଲେ ମୋ ପ୍ରଶ୍ନର ଉତ୍ତର ଦିଅ । ଉତ୍ତର ଦେବାର ଶକ୍ତି ଥିବା ସତ୍ତ୍ୱେ ତମେ ଯଦି ନୀରବ ରହିବ, ତେବେ ତମ ଶୀର ସ୍କନ୍ଧଚ୍ୟୁତ ହେବ ।”

ରାଜା ବିକ୍ରମାର୍କ ମୁହୂର୍ତ୍ତେ ମଧ୍ୟ ଆଉ ବିଳମ୍ବ ନକରି ଉତ୍ତର ଦେବାକୁ ଯାଇ କହିଲେ, “ରାଣୀଙ୍କ ମତି ପରିବର୍ତ୍ତନର ଗୁଢ ରହସ୍ୟ ନିଶ୍ଚୟ ରହିଛି । ମନ୍ତ୍ରୀ ଓ ରାଜା ଯେତେବେଳେ ସେ କାରିଗର ଦୁହିଁଙ୍କର ବୟସର ଦୋଷ ବୋଲି କହିଥିଲେ, ସେମାନେ ସେତେବେଳେ ଭାବୁଥିଲେ ଯେ ବୟସ ବଢିବା ସଙ୍ଗେ ସଙ୍ଗେ କାରିଗର ଦୁହେଁବି ନିଜ ନିଜର ଶିଳ୍ପନିପୁଣତା ହରାଇଛନ୍ତି । ମହେନ୍ଦ୍ର ଆସି କହିଲେ ଯେ ବୟସର ଦୋଷ ନିଶ୍ଚୟ, କିନ୍ତୁ କାରିଗରମାନଙ୍କ ନିପୁଣତା ଆଦୌ ହ୍ରାସ ହୋଇ ନାହିଁ । ତାଙ୍କ କଥା ରହସ୍ୟମୟ ନୁହେଁ କି? ମାତ୍ର ରାଣୀ କିନ୍ତୁ ଏ ରହସ୍ୟ ଠିକ୍ ବୁଝି ପାରିଲେ । ସେ ବୁଝିଲେ ଯେ ସେ ନିଜେ ବୟସ୍କା ହୋଇ ଗଲେଣି । ବୟସର ଦୋଷ ଠିକ୍, କିନ୍ତୁ ତାଙ୍କ ନିଜ ବୟସର ଦୋଷ, କାରିଗରମାନଙ୍କ ବୟସର ଦୋଷ ନୁହେଁ । ପୂର୍ବେ ସାଢୀ ଓ ଅଳଙ୍କାର ତାଙ୍କୁ ଯେପରି ମାନୁଥିଲା, ଏବେ ଆଉ ସେପରି ମାନିବ ନାହିଁ । ସେକଥା ନ ବୁଝି ସେ ଖାଲି କାରିଗରମାନଙ୍କ ଦୋଷ ଧରୁଥିଲେ । ମହେନ୍ଦ୍ରଙ୍କ କଥା ତାଙ୍କୁ ନିଜ ଚେହେରାର ପରିବର୍ତ୍ତନ ବିଷୟରେ ଚେତାଇ ଦେଲା ।”

ରାଜାଙ୍କ ମୌନ ଭଙ୍ଗ ହେବା ମାତ୍ରେ ଶବ ସହ ଶବସ୍ଥିତ ବେତାଳ ତାଙ୍କ କାନ୍ଧରୁ ଖସିଯାଇ ପୁନର୍ବାର ସେ ପ୍ରାଚୀନ ବୃକ୍ଷ ଡାଳରେ ଝୁଲି ପଡିଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ