ଅସୁନ୍ଦର ରାଜକୁମାର ଓ ସୁନ୍ଦରୀ ରାଜକୁମାରୀ

ଏତିକି କହି ରାଜକୁମାର ତା ରାଜ୍ୟକୁ ଫେରିଗଲା । ରାଜକୁମାରୀ ଏଣେ ତା ରାଜନବରକୁ ଫେରି ଆସିଲା । ସେହି ମୁହୂର୍ତରୁ କ’ଣ ହେଲା କେଜାଣି, ରାଜକୁମାରୀର ମନରେ ଆସିଲା ଅନେକ ପରିବର୍ତ୍ତନ । ହଠାତ୍ ତାର ବୋକୀପଣିଆ କୁଆଡେ ଚାଲିଗଲା । ଏଣିକି ସେ ସବୁକଥା ଠିକ୍ ଠିକ୍ କରି ବୁଝିପାରିଲା । ତାର ସମସ୍ତ ପାଠ ବି ମନେ ରହିଲା ।

ଦାସ ଦାସୀ, ରାଜା ରାଣୀ ସମସ୍ତେ ଏସବୁ ଦେଖି ଆଶ୍ଚର୍ଯ୍ୟ ମଣିଲେ ମଧ୍ୟ ଅତ୍ୟନ୍ତ ସୁଖୀ ହେଲେ ।

ଏଣିକି ସେ ବଡ ଜେମାଙ୍କର ରୂପ ସହିତ ଗୁଣର ମଧ୍ୟ ଅନେକ ଆଦର ହେଲା । ପାଖଆଖର ବହୁ ରାଜକୁମାର ଏ ବଡ ଜେମାକୁ ବିବାହ କରିବା ପାଇଁ ପ୍ରସ୍ତାବ କଲେ । ମାତ୍ର ସେ ବଡଜେମା କାହାରିକୁ ସୁଧା ବାହାହେବା ପାଇଁ ଆଦୌ ରାଜି ହେଲେ ନାହିଁ ।

ଏମିତି ଚାହୁଁ ଚାହୁଁ ବରଷୁଟିଏ ବିତିଗଲା । ସେଦିନ ରାଜକୁମାରୀ ରାଜନବର ପାଖ ଜଙ୍ଗଲକୁ ବୁଲି ଯାଇଥାଏ । ସେ ସେଠାରେ ଦେଖିବାକୁ ପାଇଲା ବହୁ ଲୋକଙ୍କର ସମାଗମ ହୋଇଛି । ଚାରିଆଡେ ଖାଲି ତମ୍ବୁ ଟଣା ହୋଇଛି । କେତେ ଘୋଡାହାତୀ ସୈନ୍ୟ-ସାମନ୍ତ ଅପେକ୍ଷା କରିଛନ୍ତି । ଭୋଜିଭାତ ଧୁମ୍ଧାମ୍ ଚାଲିଛି । ସେମାନଙ୍କ ପାଖକୁ ଯାଇ ରାଜକୁମାରୀ ସେମାନଙ୍କୁ ପଚାରି ବୁଝିଲା, ଜଟିଆ ରାଜକୁମାରଙ୍କର ବାହାଘର ହେବ । ସେଥିପାଇଁ ଏ ଉତ୍ସବ ଚାଲିଛି ।

ଠିକ୍ ଏତିକିବେଳେ ସେ ଜଟିଆ ରାଜକୁମାର ତମ୍ବୁ ମଧ୍ୟରୁ ହସି ହସି ବାହାରକୁ ଆସିଲା ଏବଂ ରାଜକୁମାରୀଙ୍କୁ ଅନେକ ଅଭିନନ୍ଦନ ମଧ୍ୟ ଜଣାଇଲା । କିନ୍ତୁ ସେ ରାଜକୁମାରୀ ଏପରି ଏକ ଅସୁନ୍ଦର ମଣିଷଟାକୁ ଦେଖି ନିଜ କପାଳରେ ଆଖିକୁ ଖୋସିଦେଲା । ଛି, ଛି, ମଣିଷ ପୁଣି ଏଡିକି କୁରୂପ ହୋଇ ପାରନ୍ତି ।

ସେହି କ୍ଷଣି ସେ ଜଟିଆ ରାଜକୁମାର ରାଜକୁମାରୀକୁ ମନେ ପକାଇ ଦେଲା ବରଷକ ତଳର ସମସ୍ତ କଥା । ସେ ତାକୁ ବୁଦ୍ଧି ଓ ଚତୁରପଣିଆ ଦେଇଥିଲା । ତାରି ବଦଳରେ ସେ ତାଙ୍କୁ ବାହାହେବ ବୋଲି ମଧ୍ୟ ପ୍ରତିଶୃତି ଦେଇଥିଲା । ରାଜକୁମାରୀ କହିଲା, “ସେତେବେଳେ ତ ମୋର ବୁଦ୍ଧି ନଥିଲା; ତେଣୁ ମୁଁ ତୁମକୁ ବାହାହବା ପାଇଁ ହଁ କରିଥିଲି । ଏବେ ତୁମେ କିପରି କହୁଛ, ତୁମ ରୂପର ମଣିଷକୁ ମୁଁ ପୁଣି ବିବାହ କରିବି ।”

ଜଟିଆ ରାଜକୁମାର ଏକଥା ଶୁଣି କହିଲା – ‘ରାଜକୁମାରୀ, ଏ ସଂସାରରେ ରୂପଟା ତ କିଛି ବଡ କଥା ନୁହେଁ । ଦିନେ ତୁମର ମଧ୍ୟ ରୂପ ଥିଲା । ମାତ୍ର ବୁଦ୍ଧି ନ ଥିବାରୁ ତୁମେ ଭାଙ୍ଗି ପଡୁଥିଲ । ଅପାମାନିତ ମଧ୍ୟ ହେଉଥିଲ । ମୋର ରୂପ ସିନା ନାହିଁ ହେଲେ ବୁଦ୍ଧି ତ ଅଛି । ମୋତେ ତ ତୁମେ ଜବାବ୍ ଦେଇଥିଲ ବାହାହେବାକୁ । ତେବେ ଏବେ ମନା କରୁଛ କାହିଁକି?

ଏସବୁ କଥା ଶୁଣି ହଠାତ୍ ସେ ରାଜକୁମାରୀ ଖୁବ୍ ଲଜ୍ଜିତ ହେଲା । ସେ ତା ମନେ ମନେ ନିଷ୍ପତି କଲା ଯେ, ଜଟିଆ ରାଜକୁମାରଙ୍କୁ ହିଁ ବିବାହ କରିବ ବୋଲି । ପରୀ ତ ତାକୁ ଆଗରୁ ବର ଦେଇଥିଲା । ସେ କଥା ବି ହଠାତ୍ ତାର ମନେ ପଡିଗଲା । ତାହା ଥିଲା ଯେ, “ସେ ଯେଉଁ ପୁରୁଷକୁ ଭଲ ପାଇବ, ତାକୁ ସେ ଅତିଶୟ ସୁନ୍ଦରପଣ ଦେଇ ପାରିବ ।”

ରାଜକୁମାରୀ ସେ ଜଟିଆ ରାଜକୁମାରକୁ ସୁନ୍ଦର ହୋଇଯିବା ପାଇଁ ମନେ ମନେ ଖୁବ୍ ପ୍ରାର୍ଥନା କଲା । ଦେଖୁ ଦେଖୁ ସେ ଜଟିଆ ରାଜକୁମାରର ଜଟଟି କୁଆଡେ ଉଭାନ୍ ହୋଇଗଲା । ତାପରେ ସେ ହୋଇଗଲା ଏକ ସୁନ୍ଦର ରାଜପୁରୁଷ । ସୈନ୍ୟ ସେନାପତିମାନେ ପ୍ରଥମେ ପ୍ରଥମେ ତାଙ୍କ ରାଜକୁମାରଙ୍କୁ ଆଦୌ ଚିହ୍ନିପାରିଲେ ନାହିଁ । ପରେ ତାଙ୍କୁ ରାଜକୁମାର ବୋଲି ଜାଣି ମହାଆନନ୍ଦରେ ଖାଲି ନାଚିବାକୁ ଲାଗିଲେ ସେ ଜଟିଆର ସୈନ୍ୟ ସେନାପତିମାନେ । ରାଜକୁମାରୀ ସେ ଜଟିଆ ରାଜକୁମାର ସହିତ ଯାଇ ନିଜ ରାଜନବରରେ ଉପସ୍ଥିତ ହେଲା । ରାଜାରାଣୀ ଏପରି ଦିବ୍ୟସୁନ୍ଦର ରାଜକୁମାରକୁ ଜେମା ବରଣ କରିଛି ଜାଣି ଅତ୍ୟନ୍ତ ସୁଖୀ ହେଲେ । ଭଲ ତିଥି ଦେଖି ମହା ଆଡମ୍ବରରେ ସେ ରାଜକୁମାରୀ ଓ ଜଟିଆ ରାଜକୁମାରର ବାହାଘର ହେଲା । ଏହାପରେ ଦୁଇ ରାଜ୍ୟରେ ଆନନ୍ଦ ଉତ୍ସବର ଆଉ କୌଣସି ସୀମା ରହିଲା ନାହିଁ ।


ଗପ ସାରଣୀ

ତାଲିକାଭୁକ୍ତ ଗପ