ଅହଂକାରୀ ଓ ମୂର୍ଖ

ପ୍ରାଚୀନ କାଳରେ ରଣଜିତ୍ କର୍ପୁରଦେଶର ରାଜା ଥିଲେ । ତାଙ୍କ ପୁତ୍ର ଶେଖର ବଡ ପରାକ୍ରମୀ ସାହସୀ ଓ ଧୈର୍ଯ୍ୟବାନ୍ ଥିଲେ । କିନ୍ତୁ ତାଙ୍କ ସ୍ୱଭାବରେ ଏକ ମାତ୍ର ତୃଟି ଥିଲା, ତାହା ହେଲା ତାଙ୍କ ଗର୍ବ ।

                ଶେଖର, ଜ୍ଞାନୀ, କବି ପ୍ରଭୃତିଙ୍କ ପ୍ରତି କୌଣସି ଆଦର, ସମ୍ମାନ ଦେଖାଉ ନଥିଲେ; ସାଧୁସନ୍ନ୍ୟାସୀଙ୍କୁ ଚିଡୁଥିଲେ । ସେ ନାସ୍ତିକ ଥିଲେ ।

                ଦିନେ ଜଣେ ଋଷି ତାଙ୍କ ରାଜଭବନକୁ ଆସିଲେ । ଋଷି ଜ୍ଞାନୀ ଓ ଦିବ୍ୟଦ୍ରଷ୍ଟା ଥିଲେ । ସେ ରାଜାଙ୍କୁ କହିଲେ, “ରାଜନ୍, ତୁମେ ଜାଣିଛ ତୁମ ରାଜ୍ୟ ଉପରେ ହଜାର ବର୍ଷର ବିପଦ ପଡୁଛି ।”

                ଏ ବିଷୟରେ ପ୍ରଜାମାନେ ଖୁବ୍ ଆଲୋଚନା କଲେ । ଦୁର୍ଭାରାରଣ୍ୟ ନିକଟରେ ଗୋଟିଏ ଗ୍ରାମ ଅଛି; ସେଠାରେ ଗୋଟିଏ ଘଂଟି ଥାଏ । ହଜାର ବର୍ଷରେ ଥରେ ତାହା ବାଜେ । କୁହାଯାଏ ଯେ ଭୂମି କମ୍ପି ଉଠେ ଓ ସାରା ରାଜ୍ୟର ଘରଦ୍ୱାର ସବୁ ଭୂଷୁଡି ପଡି ଧ୍ୱଂସ ହୋଇଯାଏ । ପୁଣି ସେହି ଅରଣ୍ୟ ନିକଟରେ ଏକ ଗଭୀର କୂପ ବି ଅଛି । ଯିଏ ସେହି ଅରଣ୍ୟ କୂପ ଭିତରକୁ ଯା’ନ୍ତି ସେମାନେ ଆଉ ଫେରନ୍ତି ନାହିଁ । ଲୋକମାନେ କୁହନ୍ତି ତାହା କୁଆଡେ ପାତାଳକୁ ମାର୍ଗ । ହଜାର ବର୍ଷରେ ଥରେ ସେଥିରୁ ଦଶଟି ଫଣା ଥିବା ମହାନାଗ ବାହାରେ ଓ ଅନେକ ମନୁଷ୍ୟ, ଜନ୍ତୁସବୁ ଖାଇଯାଏ । ସେହି ବିଷାକ୍ତ ସର୍ପର ବିଷ ଜ୍ୱାଳାରେ ରାଜ୍ୟର ବୃକ୍ଷରାଜି ଓ କ୍ଷେତବାଡି ନଷ୍ଟ ହୋଇଯାଏ । ସୁନ୍ଦର ସବୁଜ କ୍ଷେତସବୁ ସେହି ବିଷଜ୍ୱାଳାରେ ପୋଡିଯାଏ ।

                ସେହି ଅରଣ୍ୟରେ ଗୋଟିଏ ରାକ୍ଷସ ମଧ୍ୟ ଅଛି । ସେ କୌଣସି ଏକ ରହସ୍ୟମନ୍ଦିରରେ ଗଭୀର ନିଦ୍ରାରେ ଶୋଇଥାଏ । ସେ କେଉଁଠି ଥାଏ, ସେକଥା କେହିବି ଜାଣେ ନାହିଁ । ହଜାର ବର୍ଷ ପରେ ସେ ନିଦ୍ରାରୁ ଉଠି ମଣିଷମାନଙ୍କୁ ଗିଳିପକାଇ ପୁଣି ଶୋଇ ଯାଏ । ଏହିପରି ଘଟଣା ହଜାରେ ବର୍ଷରେ ଥରେ ଘଟେ ।

                ତା’ପରେ ପୁଣି ଏହାର ପୁନରୁତ୍ଥାନ ହୋଇଥାଏ । ଋଷିଙ୍କର ଏସବୁ କଥା ଶୁଣି ସେ ରାଜା ଭୟରେ ଛାନିଆ ହୋଇ ପଡିଲେ ।

                ଋଷି କହିଲେ “ଆସନ୍ତା ପୂର୍ଣ୍ଣିମାର ଠିକ୍ ଦୁଇମାସ ପରେ ଏହି ରାଜ୍ୟ ସମ୍ପୂର୍ଣ୍ଣ ରୂପେ ଧ୍ୱଂସ ହୋଇଯିବ । ଏକଥା ମୁଁ ମୋର ଦିବ୍ୟ ଦୃଷ୍ଟି ଦ୍ୱାରା ଦେଖିଲି । ତେଣୁ ତୁମକୁ ମୁଁ ସାବଧାନ କରିବାକୁ ଆସିଲି ।”

                ଏକଥା ଶୁଣି ଯୁବରାଜ ଶେଖର ହସିଦେଲେ । ସେ ତ ଏସବୁ କଥାରେ ଆଦୌ ବିଶ୍ୱାସ କରନ୍ତି ନାହିଁ । ସେ ଭାବନ୍ତି ନିଜ ସ୍ୱାର୍ଥ ପାଇଁ ଓ ବାହାରେ ଏକ ପ୍ରଭାବ ପକାଇବା ପାଇଁ ଏପରି କଥାସବୁ ସାଧୁମାନେ କୁହନ୍ତି । ତା’ପରେ ସେ ଋଷିଙ୍କ ଉପରେ ରାଗି ଯାଇ ତାଙ୍କ ଉପରକୁ ତଲବାରଟିଏ ଫିଙ୍ଗିଲେ । ତଦ୍ୱାରା ଋଷିଙ୍କର ଆଶାବାଡି ଓ କମଣ୍ଡଳୁ ହାତରୁ ଖସି ଯାଇ ତାହା ମାଟି ଉପରେ ପଡିଲା ।

                ଯୁବରାଜ ଶେଖର କହିଲେ “ଯିଏ ଏତିକିମାତ୍ର ଜାଣିପାରେ ନାହିଁ ଯେ ଏହି ତଲବାର କାହା ମୁଣ୍ଡ ଉପରେ କେବେ ପଡିବ, ସେ କିପରି ହଜାର ବର୍ଷରେ ଥରେ ପଡୁଥିବା ବିପଦର ସମୟ କହି ପାରିବ? ଏପରି ମନଗଢା କଥା କେବଳ ଜଣେ ବୋକା ଲୋକ ହିଁ ବିଶ୍ୱାସ କରିବ, ଏଠାରେ କିଏ କରେ?”

                ଋଷି ନିଜର ଆଶାବାଡି ଓ କମଣ୍ଡଳୁ ଭୂମି ଉପରୁ ଗୋଟାଇ ନେଉ ନେଉ କହିଲେ, “ଏଭଳି ଅହଂକାରୀ ରାଜା ଯୋଗୁଁ ଦେଶ ନଷ୍ଟ ହୁଏ । ଯେକୌଣସି ମୁହୂର୍ତ୍ତରେ ଦେଶର ବିନାଶ ଘଟିପାରେ । ହଜାର ବର୍ଷର ବିପଦରୁ ଦେଶକୁ ରକ୍ଷା କରିବା ଓ ଏପରି ଅହଂକାରୀ ରାଜାଙ୍କର ପରିବର୍ତ୍ତନ କରିବା ମୋର ଦାୟିତ୍ୱ । ଠିକ୍ ଚାରିଦିନ ପରେ ଏଠାକୁ ଜଣେ ମହାବୀର ଆସିବେ । ସେ ରାଜକୁମାରଙ୍କ ସହ ଯୁଦ୍ଧକରି ଏହି ଦେଶକୁ ତାଙ୍କ ହାତକୁ ନେବେ ଓ ଏହାର ପ୍ରଜାବର୍ଗଙ୍କୁ ରକ୍ଷା କରିବେ ।”


ଗପ ସାରଣୀ

ତାଲିକାଭୁକ୍ତ ଗପ