ଅହଂକାରୀ ଓ ମୂର୍ଖ

                ଋଷିଙ୍କ କଥାରେ ରଣଜିତ୍ ପ୍ରସନ୍ନ ହେଲେ ମଧ୍ୟ ପୁଅର ଏପରି ବ୍ୟବହାରରେ ସେ ଆଦୌ କିଛିବି କହି ପାରିଲେ ନାହିଁ । ରାଜଭବନରୁ ଋଷି ବାହାରି ଚାଲିଗଲେ ଓ ଜଣେ ସାଧାରଣ ଗ୍ରାମୀଣ ଲୋକର ଘରେ ସେଦିନ ସେ ଅତିଥି ହୋଇ ରହିଲେ । ଗ୍ରାମବାସୀକୁ ଋଷି କହିଲେ, “ତୁମ ଆତିଥ୍ୟରେ ମୁଁ ଅତି ସନ୍ତୁଷ୍ଟ ହୋଇଛି । ତୁମର ଯଦି କିଛି ସମସ୍ୟା ଥାଏ ତ ମୋତେ କୁହ । ମୁଁ ତା’ର ସମାଧାନ କରିପାରିବି ।”

                ତା’ପରେ ସେ ଲୋକଟି କହିଲା, “ମୋର ବିଦ୍ୟାଧର ନାମକ ଏକ ଅଯୋଗ୍ୟ ପୁତ୍ର ଅଛି । ମୁଁ ତାକୁ ପଢାପଢି କରାଇବାର ଯତ୍ନ କରିବାରୁ ସେ କହୁଛି “ମୁଁ ମହାବୀର ହେବି ।” କିନ୍ତୁ ମହାବୀର ହେବାର ଯୋଗ୍ୟତା ତା’ଭିତରେ ମୋଟେ ନାହିଁ । ବିଲେଇଟିଏ ଦେଖିଲେ ମଧ୍ୟ ଭୟରେ ସେ ଘରେ ଲୁଚେ । ତଲବାର ସ୍ପର୍ଶ କଲେ ତା’ର ହାତ ଥରେ । ଅନ୍ଧକାରରେ ସେ ଏକେଲା ଯାଇପାରେ ନାହିଁ । ଭୂତଗଳ୍ପ ଶୁଣି ତା’ର ସର୍ବାଙ୍ଗ ଭୟରେ ଥରେ । କିନ୍ତୁ ମହାବୀର ହେବାର ଅଭିଳାଷ ସେ ତା’ ମନରେ ପୋଷଣ କରି ରଖିଛି । ମୁଁ ଭାବିପାରୁ ନାହିଁ ଯେ ତାକୁ ନେଇ ମୁଁ ଏବେ କ’ଣ କରିବି । ଏ ବିଷୟରେ ଆପଣ ମୋତେ କିଛି ସାହାଯ୍ୟ କରିପାରିବେ କି?”

                ଲୋକଟିର ସବୁକଥା ଶୁଣି ସେ ଋଷି କହିଲେ “ତୁମ ପୁଅକୁ ମୋ ସହିତ ପଠାଅ । ମୁଁ ତାକୁ ଯୋଗ୍ୟ କରି ପୁଣି ତୁମ ପାଖକୁ ପଠାଇଦେବି ।”

                ଲୋକଟି ଋଷିଙ୍କ ପ୍ରସ୍ତାବକୁ ଅତି ଆନନ୍ଦରେ ଗ୍ରହଣ କଲା । ଏହାପରେ ବିଦ୍ୟାଧରକୁ ନେଇ ଋଷି ସେ ଗ୍ରାମରୁ ଚାଲିଗଲେ । ବାଟ ଚାଲୁ ଚାଲୁ ଋଷି କହିଲେ, “ବିଦ୍ୟାଧର, ତୁମେ ମୋ କଥା ମାନ ଓ ମୁଁ ଯାହା କହିବି ତାହା କର । ତଦ୍ୱାରା ତମେ ନିଶ୍ଚୟ ଜଣେ ମହାବୀର ହୋଇପାରିବ ଓ ଚାରିଆଡେ ତୁମ ଖ୍ୟାତି ବ୍ୟାପିଯିବ । କିନ୍ତୁ କିଛି ସମୟ ପାଇଁ ତୁମେ ହାତରେ ତଲବାର ଧରିବ । ଯୁବରାଜ ଶେଖର ସହିତ ତୁମକୁ ଯୁଦ୍ଧ କରିବାକୁ ହେବ । ମୁଁ ତୁମକୁ କଥା ଦେଉଛି, ତୁମର ତଦ୍ୱାରା କୌଣସି ବି କ୍ଷତି ହେବ ନାହିଁ । ତମେ ଏହି ଯୁଦ୍ଧ ଥରକ ପାଇଁ ମାତ୍ର ଲଢିବ । ତା’ପରେ ଆଉ କେବେ ହେଲେ ବି ତୁମକୁ ଯୁଦ୍ଧ କରିବାକୁ ପଡିବ ନାହିଁ ।”

                ଏଭଳି କଥା ଶୁଣିବା ମାତ୍ରେ ବିଦ୍ୟାଧର ଭୟରେ ଥରି ଥରି କହିଲା “ଥରକ ପାଇଁ ହେଲେ ମୁଁ ଯେମିତି ହେଉ ଏହା କରିନେବି । କିନ୍ତୁ ଆଉ କେବେ ହେଲେ ନୁହେଁ ।”

                ବିଦ୍ୟାଧରକୁ ନେଇ ଋଷି ନିର୍ଦ୍ଧାରିତ ସମୟରେ ଯାଇ ରାଜସଭାରେ ପହଁଚିଲେ । ସେ ରାଜାଙ୍କୁ କହିଲେ, “ରାଜନ୍, ଦୁର୍ଭରାରଣ୍ୟ ନିକଟ ଗ୍ରାମରେ ଗୋଟିଏ ଶମୀବୃକ୍ଷ ଅଛି । ଏହା ପୂର୍ବରୁ ଦେଶ ଧ୍ୱଂସ ହେବାବେଳେ ସେଥିରୁ ବଂଚିଥିବା କେତେକ ଲୋକ ଘୋର୍ ତପସ୍ୟା କରିଥିଲେ । ହଜାର ବର୍ଷର ସେହି ବିପଦରୁ ଦେଶକୁ ରକ୍ଷା କରିବା ପାଇଁ ସେମାନେ ତପସ୍ୟା ଦ୍ୱାରା, କିଛି ଅଲୌକିକ ଶକ୍ତି ଲାଭ କଲେ । ସେହିସବୁ ଶକ୍ତି ସେହି ଗଛରେ ଅଛି ଓ ସେହି ଲୋକମାନଙ୍କ ପ୍ରେତମାନେ ହିଁ ତାକୁ ରକ୍ଷା କରୁଛନ୍ତି । ମୁଁ ଭାବିଥିଲି ସେହି ଶକ୍ତିସବୁର ହକଦାର ହେଉଛନ୍ତି ଖୋଦ୍ ଯୁବରାଜ ଶେଖର । କିନ୍ତୁ ଏବେ ସେହି ଶକ୍ତି ପାଇବା ତାଙ୍କ ପକ୍ଷେ ଆଉ ସମ୍ଭବପର ନୁହେଁ । ମୁଁ ସାରା ଦେଶ ଭ୍ରମଣ କରି ଶେଷକୁ ଏହି ବୀରକୁ ଧରି ଆଣିଛି । ଏହି ଯୁବକ ବିଦ୍ୟାଧର ଓ ଯୁବରାଜ ଶେଖରଙ୍କ ମଧ୍ୟରେ ଦ୍ୱନ୍ଦ ଯୁଦ୍ଧ ହେବ; ଯିଏ ଜିତିବ ସେ ଦୁର୍ଭରାରଣ୍ୟ ଯିବ । ଦେଶ ଉପରେ ପଡୁଥିବା ବିପଦକୁ କେବଳ ସେହିଁ ଶେଷ କରିବ । ଏବେ ଯୁଦ୍ଧ ଆରମ୍ଭ କରନ୍ତୁ ।”

                ଯୁଦ୍ଧ ଆରମ୍ଭ ହେଲା ଓ ଅଳ୍ପ ସମୟରେ ସମାପ୍ତ ମଧ୍ୟ ହେଲା । ସେଥିରୁ ଜଣେ ତଲବାର ଧରି ତଳେ ଗଡି ପଡିଲା । ମୁଖାପିନ୍ଧିଥିବାରୁ ସମସ୍ତେ ଭାବିଲେ ଯୁବରାଜ ଜିତିଲେ । କିନ୍ତୁ ମୁଖା ଖୋଲା ହେବାରୁ ଦେଖାଗଲା ବିଦ୍ୟାଧର ଜିତିଛି । ଏଭଳି ଘଟଣା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହେଲେ ଓ ବିଦ୍ୟାଧରଙ୍କ ଜୟଧ୍ୱନିରେ ସେ ରାଜଭବନ କମ୍ପି ଉଠିଲା ।

ତା’ପରେ ସେ ଦୁହିଁଙ୍କୁ ଋଷି ଏକାନ୍ତରେ ଦେଖା କରି କହିଲେ, “ମୋର ତପସ୍ୟା ଶକ୍ତି ଯୋଗୁଁ ତୁମ ଦୁହିଁଙ୍କର ରୂପରେ ପରିବର୍ତ୍ତନ ହୋଇଛି । ଶେଖର ବିଦ୍ୟାଧର ହେଲା ଓ ବିଦ୍ୟାଧର ଶେଖର ହେଲା । ତମେମାନେ ଇଚ୍ଛା କଲେ ମଧ୍ୟ ଏହି ରହସ୍ୟ ଅନ୍ୟ କାହାରିକୁ ବି କହିପାରିବ ନାହିଁ । ବିଦ୍ୟାଧର ଶେଖର ରୂପରେ ଏଠାରେ ରହିବ ଓ ଶେଖର ବିଦ୍ୟାଧର ରୂପରେ ସମସ୍ତ କାର୍ଯ୍ୟ ଚଳାଇବେ । ଏହି ରୂପରେ ଶେଖର ଶମୀବୃକ୍ଷରୁ ସବୁଶକ୍ତି ପ୍ରାପ୍ତ କରିବେ ଏବଂ ଲୁହାର ଘଂଟି, ବିଷସର୍ପ ଓ ରାକ୍ଷସକୁ ଚିରଦିନ ପାଇଁ ନିପାତ କରିବେ ।”

ଶେଖର ରୂପରେ ବିଦ୍ୟାଧର ରାଜାଙ୍କ ଭବନରେ ରହିଲା । ରାଜା ତାଙ୍କୁ ଡାକି କହିଲେ,“ଏହି ସଂସାରରେ ପ୍ରତ୍ୟେକ ବୀର କେଉଁଠି ନା କେଉଁଠି ହାରିଥାଏ । ପୁଣି ତଲବାର୍ ଓ ଧନୁର୍ବାଣ ହାତରେ ନେଇ ସଂସାରକୁ ଦେଖାଅ ଯେ ତୁମେ କେତେ ବଡ ବୀର । ମନ୍ତ୍ରୀପୁତ୍ର ଓ ସେନାପତି ପୁତ୍ରମାନେ କେତେଥର ତୁମ ପାଖରେ ହାରିଛନ୍ତି । ଏବେ ସେମାନେ ତୁମକୁ ହରାଇ ତୁମ ରାଜ୍ୟ ନେବାଲାଗି ସୁବିଧା ଖୋଜୁଛନ୍ତି । ତୁମେ ସେମାନଙ୍କ ସହିତ ଲଢି ନିଜର ନାମ ବଜାୟ ରଖ ।”

ବିଦ୍ୟାଧର ମୁଣ୍ଡ ହଲାଇ କହିଲା, “ବିଜୟ ଓ ପରାଜୟ ଭଗବାନଙ୍କ ଇଚ୍ଛାର ଅଧିନ । ମୋର ହାରିବାର କାରଣ ହେଲା ବିପକ୍ଷପକ୍ଷର ଶକ୍ତି ନୁହେଁ, କେବଳ ମୋର ଅହଂକାର । ପ୍ରଥମେ ମୁଁ ମୋର ଅହଂକାର ଉପରେ ବିଜୟ ଆଣିବି ଓ ତା’ପରେ ଯାଇ ମୁଁ ଯୁଦ୍ଧ କରିବି । କିଛି ଦିନ ପାଇଁ ମୁଁ ପଣ୍ଡିତଙ୍କ ନିକଟରୁ ଶାସ୍ତ୍ର ଶିଖିବି ଓ ଜଣେ ମିତ୍ରକୁ ସାଥିରେ ରଖିବି, ଯିଏ କି ମୋତେ ବୀରତ୍ୱର କାହାଣୀ ଶୁଣାଇ ଉତ୍ସାହିତ କରିବ ।”

ପୁତ୍ର ମଧ୍ୟରେ ହୋଇଥିବା ପରିବର୍ତ୍ତନ ଦେଖି ରାଜା ବହୁତ ଖୁସି ହେଲେ । ଏସବୁ ଶେଖର ରୂପୀ ବିଦ୍ୟାଧର କହିଲା କାରଣ ତରବାରୀ ଦେଖିଲେ ସେ ଥରେ, ଏବଂ ଏକା ଅନ୍ଧକାରରେ ରହି ପାରେ ନାହିଁ, ତେଣୁ ଚତୁରତାପୂର୍ଣ୍ଣ କଥା କହି ସେ ତା’ ନିଜକୁ ଭୟରୁ ରକ୍ଷା କଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ