ଆକବର ଏବଂ ମଦୁଆ

  ଥରେ ଆକବର ବିରବଲଙ୍କ ସହିତ ହାତୀ ପିଠିରେ ବସି ଜହ୍ନ ରାତିରେ ବୁଲିବାକୁ ବାହାରିଲେ । ସେତେବେଳକୁ ରାସ୍ତା ପ୍ରାୟ ଜନଶୂନ୍ୟ ହୋଇଯାଇଥାଏ । ଜହ୍ନର ଶୀତଳ ଆଲୋକ ମହାରାଜଙ୍କୁ ଖୁବ୍ ଆନନ୍ଦ ଦେଉଥାଏ । ଏହି ସମୟରେ ହଠାତ୍ ଜଣେ ମଦ୍ୟପ ମଦ ନିଶାରେ ଚୁର୍ ହୋଇ ରାସ୍ତା ଉପରେ ପାଟି କରି ଯାଉଥାଏ । ସେ ଯେମିତି ହାତୀ ପିଠିରେ ଦୁଇଜଣଙ୍କୁ ସବାର୍ ହୋଇ ଯାଉଥିବାର ଦେଖିଲା, ଜୋର୍ରେ ପାଟି କରି କହିଲା, “ହେ! ହାତୀ ପିଠିରେ କିଏ ଯାଉଛ? ତୁମେ ଏହି ହାତୀଟିକୁ ମୋତେ ବିକ୍ରୀ କରିବ । ମୁଁ ତୁମମାନଙ୍କୁ ଦୁଇଟି ସ୍ୱର୍ଣ୍ଣମୁଦ୍ରା ଦେବି ।” ଲୋକଟିର କଥା ଶୁଣି ଆକବର ଜୋର୍ରେ ରାଗିଗଲେ । ସେ କିଛି କହିବା ପୂର୍ବରୁ ବିରବଲ କହିଲେ, “ହଁ! ଆପଣ ଯାଆନ୍ତୁ । ଆମେ କାଲି ଆପଣଙ୍କୁ ହାତୀ ବିକ୍ରୀ କରିଦେବୁ । ହେଲେ ଆପଣଙ୍କ ଠିକଣା ମୋତେ ଜଣାଇ ଦିଅନ୍ତୁ ।” ବିରବଲଙ୍କ କଥା ଶୁଣି ଲୋକଟି କହିଲା ମୋର ଠିକଣା ହେଉଛି, “କୁଚୱାଲା, ସାହି ଦରୱାଜା, ଆଗ୍ରା ।” ଏହା କହି ଲୋକଟା ତା’ ବାଟରେ ଚାଲିଗଲା ।

         ଲୋକଟି ଚାଲିଯିବା ପରେ ରାଜା ବିରବଲଙ୍କ ଉପରେ ବିରକ୍ତ ହେଲେ । ଆସନ୍ତା କାଲି ଲୋକଟିକୁ ଜେଲ୍ରେ ପୁରାଇବେ ବୋଲି ମନେ ମନେ ଠିକ୍ କରି ରାଜ ପ୍ରାସାଦକୁ ଫେରିଗଲେ । ତହିଁ ଆରଦିନ ସକାଳେ ବିରବଲ ଲୋକଟିକୁ ଡକାଇଲେ । ଲୋକଟି ବିରବଲଙ୍କ ଘରେ ପହଁଚିବା ପରେ ଯେମିତି ବିରବଲ ତାକୁ ରାତିର ଘଟଣା ସଂପର୍କରେ କହିଛନ୍ତି । ସେ ସଂଗେ ସଂଗେ ତାଙ୍କ ପାଦତଳେ ପଡିଗଲା । କହିଲା, “ହଜୁର୍! ମୋର ବହୁତ ବଡ ଭୁଲ୍ ହୋଇଯାଇଛି । ମୋତେ କ୍ଷମା କରିଦିଅନ୍ତୁ । ଆଜିଠାରୁ ମୁଁ ଆପଣଙ୍କ ନିକଟରେ ଶପଥ କରୁଛି ଆଉ କେବେ ମଦ ଖାଇବି ନାହିଁ ।” ଲୋକଟିର କଥା ଶୁଣି ବିରବଲ ଖୁସି ହୋଇଗଲେ । ବିରବଲଙ୍କୁ କ୍ଷମା ମାଗିବା ପରେ ଲୋକଟି ତା’ର ଘରକୁ ଚାଲିଗଲା । ଘରେ ଯାଇ ପହଁଚିବା ପରେ ସଂଗେ ସଂଗେ ମହାରାଜଙ୍କ ଦରବାରରୁ ପୁଣି ଡାକରା ଆସିଲା । ଲୋକଟି ପୁଣି ଯାଇ ମହାରାଜଙ୍କ ଦରବାରରେ ହାଜର୍ ହେଲା । ମହାରାଜ ତ’ ତା ଉପରେ ପ୍ରଚଣ୍ଡ ରାଗିଥିଲେ । ତାକୁ ଦେଖିବା କ୍ଷଣି ପୂର୍ବ ରାତିର ଘଟଣା ସଂପର୍କରେ ଯେମିତି ପଚାରିଛନ୍ତି ଲୋକଟି କହିଲା, “ହଜୁର୍! ଗତକାଲି ରାତିରେ ଯିଏ ହାତୀ କିଣିବ ବୋଲି କହୁଥିଲା ସେ ଜଣେ ନିଶାଖୋର ମଦ୍ୟପ ଥିଲା । ଆଜି ଆପଣଙ୍କ ସାମ୍ନାରେ ଯିଏ ଠିଆ ହୋଇଛି ସେ ମଦ ଛାଡି ଦେଇ ସ୍ୱାଭାବିକ୍ ଭାବରେ ଜୀବନ ବଂଚିବାକୁ ଚେଷ୍ଟା କରୁଛି । ତେଣୁ ମୋର ହାତୀ ଆଉ ଲୋଡା ନାହିଁ । ମହାରାଜ, ଆପଣ ମୋତେ କ୍ଷମା କରିଦିଅନ୍ତୁ ।”

         ଲୋକଟିର କଥା ଶୁଣି ମହାରାଜ ଖୁସି ହୋଇଗଲେ ଓ ଲୋକଟିକୁ କ୍ଷମା କରିଦେଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ