ଆଜି ଆମର ଏକ ସୌଭାଗ୍ୟର ଦିନ

ଏକଦା ଈଶ୍ୱରଚନ୍ଦ୍ର ତାଙ୍କର ପରମବନ୍ଧୁ ଗିରୀଶଚନ୍ଦ୍ରଙ୍କ ସହିତ ବଙ୍ଗଳାର କାଲାନା ନାମକ ସ୍ଥାନକୁ ଯାଉଥାନ୍ତି । ଯିବାବେଳେ ସେମାନେ ଦେଖିଲେ ରାସ୍ତାକଡରେ ଧୂଳିଧୂସରିତ ହୋଇ ଜଣେ ଶ୍ରମିକ ପଡିଅଛି । ସେତେବେଳେ ସେହି ବାଟ ଦେଇ ଅନେକ ଲୋକ ଯିବା ଆସିବା କରୁଥିଲେ ମଧ୍ୟ କାହାର ନଜର ତା’ଆଡକୁ ମୋଟେ ନଥାଏ । ସମସ୍ତେ ଖାଲି ତାକୁ ଚାହିଁ ଜାଣି ନ ଜାଣିଲା ପରି ମୁହଁ ବୁଲେଇ ଚାଲିଯାଉଥାଆନ୍ତି ।

ଈଶ୍ୱରଚନ୍ଦ୍ର ସେ ଲୋକଟିକୁ ଦେଖିଲାମାତ୍ରେ ତା’ ନିକଟକୁ ତୁରନ୍ତ ଗଲେ । ସେଠାକୁ ଯାଇ ସେ ଦେଖିଲେ ଲୋକଟିର ଅବସ୍ଥା ଅତ୍ୟନ୍ତ ଉଦ୍ବେଗଜନକ । ବୁଝିବାରୁ ଜଣାଗଲା ଯେ ସେ ହଇଜା ରୋଗରେ ଆକ୍ରାନ୍ତ ।

ସେହି ଲୋକଟି ଜଣେ ଶ୍ରମିକ ଭଳି ଜଣାପଡୁଥାଏ । ତା’ ପାଖରେ ଏକ ଓଜନିଆ ମଇଳା ଗଣ୍ଠିଲିଟିଏ ପଡିଥାଏ । ସେଇ ଗଣ୍ଠିଲିରୁ ଏତେ ଦୁର୍ଗନ୍ଧ ବାହାରୁଥାଏ ଯେ ଲୋକମାନେ ସେହି ବାଟ ଦେଇ ଗଲାବେଳେ ନାକରେ ହାତଦେଇ ଯାଉଥାନ୍ତି ।

ସେ ଶ୍ରମିକର ଏଭଳି ଦୁର୍ଦ୍ଦଶା ଦେଖି ବିଦ୍ୟାସାଗର ସତେଯେମିତି ତା’ର ଜଣେ ଖୁବ୍ ଆପଣାର ଲୋକଭଳି ଅତ୍ୟନ୍ତ ଦୁଃଖରେ ଭାଙ୍ଗିପଡିଲେ । ତତ୍କ୍ଷଣାତ୍ ସେ ପାଖରେ ଥିବା ବନ୍ଧୁ ଗିରୀଶଚନ୍ଦ୍ରଙ୍କୁ କହିଲେ, “ଭାଇ! ଆଜି ଆମର ଏକ ସୌଭାଗ୍ୟର ଦିନ” । ଏହା କହି ସେ ଶ୍ରମିକର ସେବାଯତ୍ନରେ ଲାଗିପଡିଲେ ।

ଏବେ ଗିରୀଶ ଚନ୍ଦ୍ର ତାଙ୍କ ବନ୍ଧୁ କହିଥିବା କଥାର ଅର୍ଥ ଠିକ୍ରେ ବୁଝି ନପାରି ପଚାରିଲେ, “ଆମକୁ ଆଜି କି ସୌଭାଗ୍ୟ ମିଳିଗଲା?”

ଏକଥା ଶୁଣି ବିଦ୍ୟାସାଗର ହସି ହସି ଉତ୍ତର ଦେଲେ, “ମୋ’ ମତରେ ଦୀନଦୁଃଖୀଙ୍କୁ ସେବା କରିବାର ଅବସରଠାରୁ ବଳି ସୌଭାଗ୍ୟ ଆଉ କ’ଣ ବା ହୋଇପାରେ? ବିଚରାଟି ରାସ୍ତାରେ ପଡିରହିଛି । ଯେଉଁ ଅସହାୟାଙ୍କର ସେବା ଖୋଜୁନଥିଲେ ବି ମିଳୁ ନଥିଲା, ତାହା ଆଜି ଆମକୁ ମିଳିଯାଇଛି । ତା’ର ସ୍ୱାସ୍ଥ୍ୟାବସ୍ଥା ଅତ୍ୟନ୍ତ ଉଦ୍ବେଗଜନକ । ଯାହା ଜଣାପଡୁଛି ତା’ର ଭାଇ-ବନ୍ଧୁ-କୁଟୁମ୍ବ କେହି ବି ନାହାଁନ୍ତି । ଯଦି କେହି ଥାଆନ୍ତେ ତାହେଲେ ସେ ଏଭଳି ଅବସ୍ଥାରେ ଏଠାରେ ପଡିଥାଆନ୍ତା ବା କାହିଁକି? ଏଭଳି ଅସହାୟ ରୋଗୀଟି ଆମକୁ ମିଳିଯିବା କ’ଣ ଆମପାଇଁ ସୌଭାଗ୍ୟର କଥା ନୁହେଁ କି? ସୁତରାଂ ଆସ ଆମେ ଦୁହେଁ ତା’ର ଅଭିଭାବକ ହୋଇ ଆମର ଦାୟିତ୍ୱ ତୁଲାଇବା ।”

ଏବେ ତାଙ୍କର ବନ୍ଧୁ ଗିରୀଶଚନ୍ଦ୍ର ଅସଲ କଥା ବୁଝିଗଲେ । ସିଏ ବି ଈଶ୍ୱରଚନ୍ଦ୍ରଙ୍କଠାରୁ ଉଦାର, ଧର୍ମପରାୟଣ, ପରୋପକାରୀ ଓ ପରଦୁଃଖରେ ଦୁଃଖୀ ଗୁଣରେ କମ୍ ନଥିଲେ । ସୁତରାଂ ବନ୍ଧୁଙ୍କ କଥାରେ ରାଜି ହୋଇ ସେବାରେ ଲାଗିଗଲେ । ବିଦ୍ୟାସାଗର ସେ ଶ୍ରମିକଟିକୁ ପିଠିରେ ପକାଇ ବୋହି ଚାଲିଲେ ଡାକ୍ତରଖାନା ଅଭିମୁଖେ । ଆଉ ଗଣ୍ଠିଲିକୁ ମୁଣ୍ଡରେ ମୁଣ୍ଡେଇ ଗିରୀଶ ଚନ୍ଦ୍ର ଚାଲିଥାନ୍ତି ତାଙ୍କ ପଛେ ପଛେ ।

ଦୁଇବନ୍ଧୁ ଏବେ ସେ ରୋଗୀ ସହିତ କାଲାନାରେ ଯାଇ ପହଁଚିଗଲେ । ସେଠାରେ ଲୋକଟିର ଚିକିତ୍ସା ବ୍ୟବସ୍ଥା କରାଗଲା । ଦିନରାତି ରୋଗୀ ପାଖରେ ବସି ଜଗିରହି ସେମାନେ ତା’ର ସେବା ଶୁଶ୍ରୁଷାରେ ଆଦୌ ଅବହେଳା କରି ନଥିଲେ । ଉପଯୁକ୍ତ ଚିକିତ୍ସା ବଳରେ ସେ ରୋଗୀ ଜଣକ ଖୁବ୍ ଶୀଘ୍ର ଆରୋଗ୍ୟ ଲାଭ କଲା । ତା’ପରେ ବିଦ୍ୟାସାଗର ସେ ଲୋକଟି ହାତରେ କିଛି ଖର୍ଚ୍ଚ କରିବା ପାଇଁ ଟଙ୍କା ଦେଇ ତାକୁ ବିଦାୟ ଦେଲେ ।

ଏଇଠି ଚିନ୍ତା କରିବାର କଥା ଯେ, ଈଶ୍ୱରଚନ୍ଦ୍ର ଓ ତାଙ୍କ ବନ୍ଧୁ ଗିରୀଶଚନ୍ଦ୍ରଙ୍କ ସେବାବଳରେ ରାସ୍ତାକଡରେ ମୁମୂର୍ଷୁ ବ୍ୟକ୍ତି ଜଣକ ନୂଆ ଜୀବନ ଲାଭ କରିବାରେ ସମର୍ଥ ହେଲା, ନଚେତ୍ ହୁଏତ ସେହି ରାସ୍ତାକଡରେ ହିଁ ତା’ର ଜୀବନଦୀପ ଲିଭି ଯାଇଥାନ୍ତା । ମାନବସେବା, ବିଶେଷକରି ଦୁର୍ଗତ ନିପୀଡିତଙ୍କର ସେବା ମାଧ୍ୟମରେ ଈଶ୍ୱରଙ୍କୁ ଲାଭ କରାଯାଇଥାଏ । ସେବା ହିଁ ମାନବର ସର୍ବୋତ୍ତମ ଗୁଣ । ସେଇଥିପାଇଁ କୁହାଯାଇଥାଏ- “ମାନବ ସେବାହିଁ ଈଶ୍ୱର ସେବା” ।


ଗପ ସାରଣୀ

ତାଲିକାଭୁକ୍ତ ଗପ