ଆଦର୍ଶ ଗୁରୁଭକ୍ତ କଠ

                ଏମିତି ଦୀର୍ଘ ଦିନ ଧରି ଚିନ୍ତା କରି ଚାଲିଥିବା ବେଳେ ଦିନେ ପ୍ରଜାପତି ରାତ୍ରିର ଏକାନ୍ତ ନିର୍ଜନ ସମୟରେ ସ୍ୱାମୀଙ୍କୁ କହିଲେ, ‘ପାଶ୍ୱର୍ସ୍ଥ ଭରଦ୍ୱାଜ ମୁନିଙ୍କ ଆଶ୍ରମକୁ ଯାଇ ତାଙ୍କୁ ଆମ ଦୁଃଖ ବିଷୟରେ ଜଣାଇଲେ ଭଲ ହୁଅନ୍ତା । କାରଣ ଋଷି ଭରଦ୍ୱାଜ ଚାହିଁଲେ ହୁଏତ ତାଙ୍କ ଆଶ୍ରମରେ ରହୁଥିବା କୌଣସି ଜଣେ ଶିଷ୍ୟଙ୍କ ସହିତ ରେବତୀର ବିବାହ ହୋଇପାରନ୍ତା ।’ ଏକଥା ଶୁଣି ଋଷି ମହାତପା କିଛି ସମୟ ପାଇଁ ନୀରବ ରହିଲେ ଏବଂ ପାଶ୍ୱର୍ସ୍ଥ ଆଶ୍ରମରେ ରହୁଥିବା ଭରଦ୍ୱାଜ ମୁନିଙ୍କୁ ସାକ୍ଷାତ କରି ନିଜର ସମସ୍ତ ଦୁଃଖ ଜଣାଇବା ପାଇଁ ଏକମତ ହେଲେ ।

                ଦିନେ ପତିପତ୍ନୀ ଦୁହେଁ ମିଶି ଏକାନ୍ତରେ ଯାଇ ଭରଦ୍ୱାଜ ମୁନିଙ୍କୁ ନିଜ ମନର କଥା ଖୋଲି କରି କହିଲେ । ଏକଥା ଶୁଣିବା ପରେ ଭରଦ୍ୱାଜ ମୁନି ଟିକିଏ ବିମର୍ଷ ଦେଖାଗଲେ । ତା’ପରେ ସେ କହିଲେ, ‘ଦେଖନ୍ତୁ, ଏଠାରେ ଯେଉଁ ଶିଷ୍ୟମାନେ ଅଧ୍ୟୟନ କରୁଛନ୍ତି, ମୁଁ ସେମାନଙ୍କୁ, ରେବତୀର ପାଣିଗ୍ରହଣ କରିବା ପ୍ରସଙ୍ଗରେ କହିପାରିବି ନାହିଁ । କାରଣ ମୁଁ ଯଦି ଏ ସମ୍ପର୍କରେ କୌଣସି ଶିଷ୍ୟଙ୍କୁ ପ୍ରସ୍ତାବ ଦିଏ, ତେବେ ମୁଁ ନିନ୍ଦିତ ହେବି । ପୁଣି ମୁଁ ସେମାନଙ୍କ ଉପରେ ଗୁରୁ ଭାବରେ ପ୍ରଭାବ ପକାଇ ନିଜର ଉଦ୍ଧେଶ୍ୟ ସାଧନ ପାଇଁ ବାଧ୍ୟ କରୁଛି ବୋଲି ପ୍ରଚାରିତ ହେବ । ତେଣୁ ମୁଁ ଏ ପ୍ରକାର କଥାରେ ଆଦୌ ଏକମତ ହୋଇ ପାରିବି ନାହିଁ ।

                ମୁନି ଭରଦ୍ୱାଜଙ୍କର ଏପରି କଥାରେ ମହାତପା ଏବଂ ପ୍ରଜାପତି ଅତ୍ୟନ୍ତ ଭାଙ୍ଗି ପଡିଲେ । କିଛି ସମୟ ପରେ ଭରଦ୍ୱାଜ ମୁନି ସେହି ଋଷି ଦମ୍ପତ୍ତିଙ୍କୁ କହିଲେ, ‘ଦେଖନ୍ତୁ ! ଆପଣମାନେ ରେବତୀ ପାଇଁ ଆଦୌ ଚିନ୍ତା କରନ୍ତୁ ନାହିଁ । କାରଣ ତା’ର ବିବାହ ସମୟ ଆସିଲେ ନିଶ୍ଚୟ ବିବାହ ହୋଇଯିବ । ତେଣୁ ବର୍ତ୍ତମାନ ଏ ବିଷୟରେ ଚିନ୍ତା କରିବା ଠିକ୍ ହେଉନାହିଁ । ବରଂ ଆପଣମାନେ ନିଶ୍ଚିତ ହୋଇ ଯାଆନ୍ତୁ କି, ରେବତୀ ନିମନ୍ତେ ଖୁବ୍ ଶୀଘ୍ର ଏକ ବର ଆସି ପହଁଚିବ ।’ ଏମିତି କଥା କହି ଭରଦ୍ୱାଜ ମୁନି ଋଷି ଦମ୍ପତ୍ତିଙ୍କୁ ସାନ୍ତ୍ୱନା ଦେଇ ସେଠାରୁ ବିଦାୟ ଦେଲେ ।

                ସେ ଦିନ ଥିଲା ଶିଶିର ଭିଜା ପୌଷର ସକାଳ । ତଥାପି ଶୀତର ସକାଳରେ କଅଁଳ କୁହୁଡିର ଆସ୍ତରଣ ବିଛାଇ ଯାଇଥାଏ । ପୂର୍ବାକାଶରେ ଉଦିତ ସୂର୍ଯ୍ୟଙ୍କର ମ୍ଳାନ କିରଣ । ମଧୁମୟ ମୁହୂର୍ତ୍ତ । ପ୍ରକୃତିର ଅପରୂପ ସୌନ୍ଦର୍ଯ୍ୟରେ ମଗ୍ନଥାଇ ମୁନି ଭରଦ୍ୱାଜ ନିଜ ଆସନରେ ବସି ଥାଆନ୍ତି । ଏମିତି ଏକ ସମୟରେ ଜଣେ ରୂପବାନ ବ୍ରାହ୍ମଣ ଯୁବକ ଧୀରେ ଧୀରେ ଆଶ୍ରମ ଆଡକୁ ଆସି ମୁନିଙ୍କୁ ଅତି ବିନମ୍ରତାର ସହ ପ୍ରଣାମ ଜଣାଇଲେ । ସେ ଯୁବକର ଚାଲିଚଳଣରେ ମୁଗ୍ଧ ହୋଇ ମୁନି ତାଙ୍କୁ ଆସିବାର କାରଣ ପଚାରିଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ